Unknown

 

 

 

 

 

 

 

 

 

 

କାହାଣୀ ବିଚିତ୍ରା

ସଂକଳକ

ଅପୂର୍ବ ରଞ୍ଜନ ରାୟ

 

ଯେଉଁମାନଙ୍କ ରଚନାରେ ଏ ସଂକଳନ ସମୃଦ୍ଧ

 

୧.

ଶ୍ରୀ ବସନ୍ତ କୁମାର ଶତପଥୀ

କାଠ

୨.

ଶ୍ରୀ ବିଭୂତି ଭୁଷଣ ତ୍ରିପାଠୀ

ନିଶାନ୍ତ

୩.

ଶ୍ରୀ ଭୁବନେଶ୍ଵର ବେହେରା

ରୋମନ୍ଥନ

୪.

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

ଚେସ୍ ଖେଳାଳି

୫.

ଶ୍ରୀମତୀ ବୀଣାପାଣି ମହାନ୍ତି

କଳାପାହାଡ଼

୬.

ଶ୍ରୀ ରବି ପଟ୍ଟନାୟକ

ବାଇଶି ପାହାଚ

୭.

ଶ୍ରୀ ଫତୁରାନନ୍ଦ

ଗୋଲିଖଟିଆ କିମ୍ବଦନ୍ତୀ

୮.

ଡକ୍ଟର ଚୌଧୁରୀ ହେମକାନ୍ତ ମିଶ୍ର

ବଡ଼େସାହେବ

୯.

ଶ୍ରୀ ରାମଚନ୍ଦ୍ର ବେହେରା

ଅଭିନୟ

୧୦.

ଶ୍ରୀ ରବିନାରାୟଣ ବରାଳ

ଆଲୋଡ଼ନ

୧୧.

ଶ୍ରୀ ନିମାଇଁ ପଟ୍ଟନାୟକ

ଅନ୍ୟ ପିଙ୍ଗଳକ ଅନ୍ୟ ସଂଜୀବକ

୧୨.

ଶ୍ରୀ ସାତକଡ଼ି ହୋତା

ଶଗଡ଼ର ସ୍ଵପ୍ନ

୧୩.

ଶ୍ରୀ ବିଜୟକୃଷ୍ଣ ମହାନ୍ତି

ମୁଖାବଲୋକନ

୧୪.

ଶ୍ରୀ ଜେନାମଣି ନରେନ୍ଦ୍ର କୁମାର

ଅପେକ୍ଷାର ପରିଧିରେ

୧୫.

ଶ୍ରୀ ଅଚ୍ୟୁତାନନ୍ଦ ପତି

ଅଶୁଭପତ୍ରର କାହାଣୀ

୧୬.

ଶ୍ରୀମତୀ ବନଜ ଦେବୀ

ରାଗ ବେହେରା

୧୭.

ଶ୍ରୀ ଚନ୍ଦ୍ରଶେଖର ରଥ

ସୋଦର

 

ଭୂମିକା

 

ସାହିତ୍ୟର ଦିଗ୍‌ବଳୟ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ, ତା’ର ଗୌରବାବହ ଐତିହ୍ୟର ମର୍ଯ୍ୟାଦାବନ୍ତ ସ୍ଥାନ ନିରୂପଣ ଦିଗରେ ସମାଲୋଚନାର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସୃଷ୍ଟିର ଗୋପନୀୟ ରହସ୍ୟାଚ୍ଛନ୍ମ ଆବେଗ ଓ ଅଭିବ୍ୟକ୍ତି, ଉତ୍ତରିତ ଭାବସତ୍ତାର ବଳିଷ୍ଠ ବାର୍ତ୍ତାବହ ରୂପେ ଯେଉଁ ଅବଦାନ ମଣିଷର ଚିନ୍ତା ଓ ଚେତନାରେ ଅକଳ୍ପନୀୟ ରୂପ-ରାଗର ଭତ୍ତିଭୂମି ଗଠନ କରିଛି, ସେହି ପ୍ରାଣମୟତାର ଭାବବିନ୍ୟାସକୁ ନବୀନ ଆଲୋକର ସ୍ପର୍ଶରେ ଆହୁରି ଅଧିକତର ଉଜ୍ଜଳମୟ କରି ବସେ ସମାଲୋଚନାର ଶାଣିତ ଦୃଷ୍ଟିଭଙ୍ଗୀ । ଏହି‌ ବିଚାରବୋଧର ସଫଳ ରୂପାୟନ ଆନୁଷଙ୍ଗୀକ ଉପଯୁକ୍ତ ଉପାଦାନ ଉପରେ ନିର୍ଭରଶୀଳ ।

 

ମନେହୁଏ, ଓଡ଼ିଆ ଗଳ୍ପ ସାହିତ୍ୟର ଧାରାବାହିକ ବିଧିବଦ୍ଧ ସମାଲୋଚନା ଲାଗି, ଓଡ଼ିଆ ସାହିତ୍ୟରେ ଯଥାଯଥ କ୍ଷେତ୍ର ପ୍ରସ୍ତୁତ କରାଯିବା ଦିଗରେ ସେପରି କିଛି ସୁଷ୍ଠୁ ପଦକ୍ଷେପ ନିଆଯାଇ ନାହିଁ । ଆଲୋଚନାର ଗତିଧାରାର ମନ୍ଥରତା ପାଇଁ ଏହା ଅନୁକୂଳ ବାତାବରଣକୁ ସ୍ୱାଗତ କରିବା ସ୍ୱାଭାବିକ । ସମାଲୋଚନା ତିର୍ଥର ପଥେ ପଥେ, ଆଲୋଚକ ବାଧ୍ୟ ହୋଇ ଯେଉଁ କେତୋଟି ପତ୍ରପତ୍ରିକାର ସହାୟତା ନିଏ, ସେଗୁଡ଼ିକ ତା'ର ଚିନ୍ତା ପ୍ରକାଶ ଓ ସଂପ୍ରସାରଣ ଦିଗରେ ଯଥେଷ୍ଟ ଅନୁଭୂତ ହୁଏନାହିଁ । ପତ୍ରପତ୍ରିକାକୁ ସହାୟକ ଗ୍ରନ୍ଥଭାବେ ଗ୍ରହଣ କରିବା ବ୍ୟତୀତ ତା’ର ଅନ୍ୟ ପନ୍ଥା ନଥାଏ । ବହୁ କ୍ଷେତ୍ରରେ ଆଲୋଚକ ନିର୍ଦ୍ଦିଷ୍ଟ ଧାରା ଉପରେ ଆଲୋକପାତ କରିବାକୁ ଯାଇ ସୁସଂପାଦିତ ସଂକଳନ ଅଭାବରେ ନିରାଶ ହୋଇଥାଆନ୍ତି । ଫଳତଃ, ପତ୍ରପତ୍ରିକାରେ ପ୍ରକାଶିତ ଉଚ୍ଚକୋଟୀର ଗଳ୍ପ ଆଲୋଚନା ପରିସରକୁ ଆସିବା ସମ୍ଭବ ହୁଏନାହିଁ । ଏହି ଦୃଷ୍ଟିରୁ ବହୁ ପ୍ରତିଷ୍ଠିତ ଓ ପ୍ରିୟତମ ଗାଳ୍ପିକ ଅନାଲୋଚିତ ଭାବରେ ରହିଯାଆନ୍ତି ।

 

ଓଡ଼ିଆ ଗଳ୍ପ ସାହିତ୍ୟ ଜଗତ ଯେଉଁମାନଙ୍କ ନିରବଚ୍ଛିନ୍ନ ସାଧନା ଓ ବଳିଷ୍ଠ ପ୍ରତିଭାରେ ଶ୍ରୀମଣ୍ଡିତ, କଳାକୃତିର ଅନନ୍ୟ ସ୍ଵାକ୍ଷର ସୁସ୍ପଷ୍ଟ, ସେମାନଙ୍କର ବିଧିବଦ୍ଧ ମୂଲ୍ୟାଙ୍କନ କରାଯାଇପାରିନାହିଁ । ବହୁ ସୁପରିଚିତ ପ୍ରତିଭାବାନ ଗାଳ୍ପିକଙ୍କ ସୃଷ୍ଟି ସମ୍ଭାର ସମାଲୋଚକଙ୍କ ଦୃଷ୍ଟିକୋଣକୁ ଆସିବା ସମ୍ଭବପର ହୋଇପାରିନାହିଁ । ଏହାକୁ ଯଦି ଏକ ସମସ୍ୟା ଭାବରେ ଗ୍ରହଣ କରାଯାଏ, ତେବେ ଏପରି ଏକ କୃତ୍ରିମ ସମସ୍ୟାର ସମାଧାନ ପଥରେ ପୁସ୍ତକ ପ୍ରକାଶନ ସହାୟତା କରିବାର ଆଶା । ଏହାର ଆବଶ୍ୟକତାକୁ ହୃଦୟଙ୍ଗମ କରି, ଗତାନୁଗତିକ ଦୃଷ୍ଟିଭଙ୍ଗୀରୁ ବିଚ୍ଛିନ୍ନ ରହି, ବହୁଳ ପରିମାଣର ଗଳ୍ପ ସଂକଳନ ପ୍ରକାଶନ ପ୍ରତି ଗୁରୁତ୍ୱ ଦେବା ଏକ ସାହିତ୍ୟିକ ଜାତୀୟ କର୍ତ୍ତବ୍ୟ ।

 

ଓଡ଼ିଆ ଗଳ୍ପ ସାହିତ୍ୟ ଭଣ୍ଡାର ସୀମିତ କେତେଜଣ ପ୍ରତିଷ୍ଠିତ କଥାକାରଙ୍କ ସାଧନାର ସମୃଦ୍ଧ ହୋଇନାହିଁ । ଏହାର ସମୃଦ୍ଧିରେ ବହୁ ସାରସ୍ଵତ କଥାଶିଳ୍ପୀଙ୍କର ପ୍ରଚେଷ୍ଟା ଅପ୍ରତିହତ । ଉତ୍କଳୀୟ ଶିଳ୍ପ ନୈପୁଣ୍ୟର ଜୀବନ୍ତ ପ୍ରତୀକ କୋଣାର୍କ ଗୋଟିଏ ଧର୍ମପଦର ଆତ୍ମତ୍ୟାଗର ସମ୍ପୂର୍ଣ୍ଣ ହୋଇନାହିଁ । ଏହାର ଗଠନ ପଛରେ ବହୁ ଶିଳ୍ପୀଙ୍କର ଅଶ୍ରୁ ଓ ସ୍ଵେଦ ଲୁକ୍କାୟିତ ରହିଛି । ସେପରି ମଧ୍ୟ ଓଡ଼ିଆ ଗଳ୍ପର କୋଣାର୍କ ନିର୍ମାଣର ପୂର୍ଣ୍ଣତାପାଇଁ ଅସଂଖ୍ୟ ସ୍ରଷ୍ଟାଙ୍କ ଆତ୍ମୋତ୍ସର୍ଗ‍ ଦାୟୀ ।

 

ଆଉ କାଳ ବିଳମ୍ବ ନ କରି ବକ୍ତବ୍ୟଟିକୁ ସ୍ପଷ୍ଟ କରିଦିଆଯାଉ । କେତେଦିନ ଆଉ କେବଳ ମାତ୍ର ସମ୍ମାନନୀୟ ସୁରେନ୍ଦ୍ର ମହାନ୍ତି, କିଶୋରୀ ଚରଣ ଦାସ, ମନୋଜ ଦାସ, ଅଖିଳ ମୋହନ ପଟ୍ଟନାୟକ, ବାମାଚରଣ ମିତ୍ର, ରାଜକିଶୋର ରାୟ, ମହାପାତ୍ର ନୀଳମଣି ସାହୁ, ଶାନ୍ତନୁ କୁମାର ଆଚାର୍ଯ୍ୟ, କୃଷ୍ଣ ପ୍ରସାଦ ମିଶ୍ର ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ ପ୍ରମୁଖ କଥାକାରମାନଙ୍କୁ ଚିହ୍ନି ଚିହ୍ନାଉଥିବା ? ଏମାନଙ୍କ ସହିତ ଆହୁରି ଯେ ବହୁ ପ୍ରତିଭାବାନ କଥାକାର ସୃଷ୍ଟିରତ–ସେମାନଙ୍କ ସୃଷ୍ଟି ପ୍ରତି ଓଡ଼ିଆ ପାଠକ ସମାଜର ସଶ୍ରଦ୍ଧ ଦୃଷ୍ଟି ରହିଛି, ଏକଥା କ’ଣ କେହି କେବେ ଅସ୍ଵୀକାର କରିବ ?

 

ଓଡ଼ିଆ ଗଳ୍ପ ଭଣ୍ଡାର ବିଭିନ୍ନ ଶ୍ରେଣୀର ଓ ବିଭିନ୍ନ ରୁଚିର ସୃଷ୍ଟିସଂପଦଦ୍ଵାରା ରୁଦ୍ଧିମନ୍ତ ହୋଇଛି । ବିଚିତ୍ର ତା'ର ଅଙ୍ଗଶୋଭା, ବିଚିତ୍ର ତା’ର ସୌନ୍ଦର୍ଯ୍ୟାନୁଭୂତି । ବିଜ୍ଞାନ, ହାସ୍ୟରସ, ବ୍ୟଙ୍ଗ, ମନସ୍ତତ୍ତ୍ଵ, ଇତିହାସ ଓ ଉଦ୍ଭଟତାକୁ ଭିତ୍ତିକରି ଉଚ୍ଚକୋଟୀର ଗଳ୍ପମାନ ରଚିତ ହେଉଛି । ସ୍ଥିତିବାଦୀ ଦର୍ଶନ ଓ ଚେତନା ପ୍ରବାହର ଧାରା ମଧ୍ୟ ଏ ଜଗତରେ ପ୍ରବାହିତ । ଗାଳ୍ପିକ ଦୃଷ୍ଟିରୁ ଆଜି କୌଣସି ଚିନ୍ତା ମୁକ୍ତ ରହିପାରିନାହିଁ । ଯେତେବେଳେ ଆଧୁନିକ ମଣିଷ ସାମାଜିକ ପରିବେଶ ଓ ପାରିପାର୍ଶ୍ଵିକ ଚିନ୍ତା ଚେତନାରେ ନିଜକୁ ସୌଷ୍ଠବାନ୍ୱିତ ମନେକରୁଛି, ପରମ୍ପରାର ଧ୍ଵନି ଭିତରେ ପାରମ୍ପରିକ ହେବାର ଆକାଂକ୍ଷା ପୋଷଣ କରୁଛି, ସେତେବେଳେ ପୁଣିବି ସେ ବିଜ୍ଞାନର ଅଭୂତପୂର୍ବ ବିଜୟ ଯାତ୍ରାରେ ବିମୋହିତ ହୋଇପଡ଼ୁଛି । ପରମ୍ପରା, ଯୁଗଯୁଗର ବିଶ୍ଵାସବୋଧ ଓ ବିଜ୍ଞାନ ଆବିଷ୍କୃତ ସତ୍ୟର ସମନ୍ୱୟ ରକ୍ଷାଲାଗି ବଦ୍ଧପରିକର ହେଉଛି ।

 

ଗଳ୍ପସାହିତ୍ୟରେ ଏହାର ପ୍ରଭାବ ଅନୁଭୂତ ହୋଇଛି । ସେଥିପାଇଁ ବିଭିନ୍ନ ଶ୍ରେଣୀର ଗଳ୍ପ ବିଭିନ୍ନ ଗାଳ୍ପିକଙ୍କଦ୍ଵାରା ସୃଷ୍ଟି ହୋଇପାରିଛି । କିନ୍ତୁ ସେହିପରି ଭିନ୍ନ ଶ୍ରେଣୀର ଓ ଭିନ୍ନ ସ୍ଵାଦର ଗଳ୍ପ ଉପରେ ଆମର ସମାଲୋଚନା ସାହିତ୍ୟ ନୀରବ ମନେହୁଏ ।

 

ଏ କ୍ଷେତ୍ରରେ ବୈଜ୍ଞାନିକ ସାହିତ୍ୟ କଥା ବିଚାରକୁ ନିଆଯାଉ । ବିଜ୍ଞାନଭିତ୍ତିକ ତଥ୍ୟ ସମ୍ବଳିତ ଗଳ୍ପ ରଚନା ଓଡ଼ିଆ ସାହିତ୍ୟରେ ନଶ୍ଚିତରୂପେ ନୂତନ ପଦକ୍ଷେପ । ଏ ଗଳ୍ପର ପ୍ରବର୍ତ୍ତକ ଓଡ଼ିଆ ଭାଷାର ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ସ୍ରଷ୍ଟା ଡକ୍ଟର ଗୋକୁଳାନନ୍ଦ ମହାପାତ୍ରଙ୍କ ବିଷୟ ଉଦାହରଣ ଦିଆଯାଇପାରେ । ଦୀର୍ଘ କେତେବର୍ଷ ହେଲା ସେ ଗୋଟିଏ ନିର୍ଦ୍ଦିଷ୍ଟ ବିଭାଗରେ ଲେଖନୀ ଚାଳନାକରି ଓଡ଼ିଆ ଭାଷାରେ ଶତାଧିକ ଉନ୍ନତ ରୁଚିର ବୈଜ୍ଞାନିକ ଗଳ୍ପମାନ ରଚନା କରିଛନ୍ତି ।

 

ହାସ୍ୟରସ ଦିଗକୁ ଲକ୍ଷ୍ୟ କରାଯାଉ । ସାହିତ୍ୟରେ ହାସ୍ୟରସର ଏକ ସ୍ଵତନ୍ତ୍ର ସ୍ଥାନ ସଂରକ୍ଷିତ । ଏହା ହାସ୍ୟରସ ସୃଷ୍ଟିର ଏକ ଗୌରବାବହ ଐତିହ୍ୟ ରହିଆସିଛି । ଆଜିର ଯୁଗରେ ନିରବଚ୍ଛିନ୍ନ ଭାବରେ ଏହି ଧାରାକୁ ବଞ୍ଚାଇ ରଖିବା ଦିଗରେ ବିଶିଷ୍ଟ ହାସ୍ୟରସିକ ଫତୁରାନନ୍ଦଙ୍କ ଅବଦାନ କୌଣସି ଦୃଷ୍ଟିରୁ ଗୌଣ ନୁହେଁ । ଓଡ଼ିଆ ଗଳ୍ପ ଭଣ୍ଡାରର ଏକ ନିର୍ଦ୍ଦିଷ୍ଟ ବିଭାଗକୁ ମହିମାନ୍ୱିତ କରିବାପାଇଁ ତାଙ୍କର ପ୍ରଚେଷ୍ଟା ନିଶ୍ଚୟ ଅଭିନନ୍ଦନୀୟ ।

 

ସେମିତି ଆହୁରି ଅନେକ ସ୍ରଷ୍ଟା ଭିନ୍ନ ଭିନ୍ନ ବିଭାଗରେ ଲେଖନୀ ଚାଳନା କରି ନିର୍ଦ୍ଦିଷ୍ଟ ବିଭାଗକୁ ପୁଷ୍ଟ କରିଛନ୍ତି । ମାତ୍ର ସେମାନଙ୍କୁ ଚିହ୍ନି ଆହୁରି ଅଧିକ ଚିହ୍ନାଇବା ଲାଗି, ସମାଲୋଚନାର ଦୃଷ୍ଟିଭଙ୍ଗୀ ଅଭାବ ରହିଛି । ସମସ୍ତ ସାଧକଙ୍କୁ ସମପରିମାଣରେ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ, ସମାଲୋଚକର ଉଦାର ଓ ସହାନୁଭୂତିଶୀଳ ଲେଖନୀର ପରିଚାୟକ ।

 

ସେହି ଆବଶ୍ୟକତା ପୂରଣ ଲକ୍ଷ୍ୟ ରଖି, ଏ ସଂକଳନର ପରିକଳ୍ପନା କରାଯାଇଛି । ଏଥିରେ ସେହିପରି କେତେଜଣ ଗଳ୍ପକାରଙ୍କ ଗଳ୍ପକୁ ସ୍ଥାନ ଦିଆଯାଇଛି । ଗଳ୍ପ ସାହିତ୍ୟର ସମାଲୋଚନାରେ ଓ ଅନାଲୋଚିତ ପ୍ରତିଭାବାନ ଗାଳ୍ପିକଙ୍କ ଗଳ୍ପର ମୂଲ୍ୟାୟନରେ ଏହା ସହାୟକ ହେବ ମୋର ବିଶ୍ୱାସ ।

 

ସଂପୃକ୍ତ ସହୃଦୟ ଗାଳ୍ପିକମାନେ ସେମାନଙ୍କ ମୂଲ୍ୟବାନ ଗଳ୍ପସମ୍ଭାରକୁ ଏଥିରେ ସଂଯୋଜିତ କରିବା ଲାଗି ସଦୟ ସ୍ଵୀକୃତି ପ୍ରଦାନ କରିଥିବାରୁ ମୁଁ ସେମାନଙ୍କ ମହାନୁଭବତା ପାଇଁ କୃତଜ୍ଞତା ଜଣାଉଛି ।

 

ଏପରି ଏକ ନୂତନ ପରିକଳ୍ପନାକୁ ସ୍ଵାଗତ କରିଥିବା ମୋର ବହୁ ଶୁଭେଚ୍ଛୁ, ସାହିତ୍ୟିକଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ, ଏହାର ପ୍ରକାଶନ ଲାଗି ପ୍ରକାଶକଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ।

 

ଆଉ ଅଧିକ କିଛି କହି କିମ୍ବା ଗଳ୍ପ ସମ୍ପର୍କରେ କୌଣସି ମତାମତ ଦେଇ ଭୂମିକାକୁ ଦୀର୍ଘ କରୁନାହିଁ । ଗଳ୍ପଗୁଡ଼ିକର ଭୂମି ଏପରି ସୁଦୃଢ଼ ଯେ, ସେମାନଙ୍କର ଭୂମିକା ଆପେଆପେ ସୃଷ୍ଟି ହୋଇପାରିବ, ଏଥିରେ ମୁଁ ନିଃସନ୍ଦେହ ।

 

ଏ ସଂଯୋଜନା ପାଠକ ସମାଜରେ ଆଦୃତ ହେଲେ ଶ୍ରମ ସାର୍ଥକ ହେବ ।

 

ବିନୀତ

ଅପୂର୍ବ ରଞ୍ଜନ ରାୟ

Image

 

ଶ୍ରୀ ବସନ୍ତ କୁମାର ଶତପଥୀ

କାଠ

 

ପୋଖତ ସମାଲୋଚକ ଯିମିତି ଡେଇଁ ପଡ଼ି ଆଧୁନିକ କ୍ଳିଷ୍ଟ, ଅବୋଧ୍ୟ କବିତାକୁ ତନ୍ନତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରତତ୍ତ୍ଵ ପ୍ରକଟ କରନ୍ତି, ଏ କାଠୁରିଆବି ସିମିତି ଅତୀବ ଆଗ୍ରହରେ ଗ୍ରନ୍ଥିଳ ଶିରାଳ କାଠକୁ ଛିନ୍ନଭିନ୍ନ କରି ମଞ୍ଜ ବାହାର କରିଦେଉଛି । ଭଗବାନ ତା’ର ଶିରାପ୍ରଶିରା ରକ୍ତମାଂସକୁ ଏମିତି ନୈସର୍ଗିକ ଶକ୍ତି ଦେଇ ଗଢ଼ିଛନ୍ତି, ଯିମିତି ଜୀବନସାରା ଏଇ ବୃକ୍ଷ ରାକ୍ଷସଗୁଡ଼ାକୁ ସେ ଖଣ୍ଡଖଣ୍ଡ କରି କାଟି ଆନନ୍ଦ ପାଉଥିବ ।

 

ବହୁ ତର୍କବିତର୍କ ପରେ ନିଷ୍ପତ୍ତି ହେଲା ଚିରା କାଠ କିଣିବା ଅପେକ୍ଷା ଗୋଦାମରୁ ଗୋଟା ଗଡ଼ ବା ମୁଣ୍ଡା କାଠ କିଣିଆଣି ଘରେ ଚିରାଇବା ଲାଭଜନକ ହେବ ।

 

ତଦନୁଯାୟୀ ଭାରତ କାଠ ଗୋଦାମରୁ ଦୁଇ କୁଇଣ୍ଟାଲ ଗଣ୍ଡି କାଠ ଠେଲାଗାଡ଼ିରେ ଆଣି ଘର ସାମନା ପଡ଼ିଆରେ ପକାଇଦେଲି ।

 

ଗୋଦାମବାଲା କହିଲା, “ଏଇ ଯେଉଁ ଶୁଖିଲା ମୁଣ୍ଡା ଦେଖୁଛନ୍ତି, ତାହା ଦୁଇ ବରଷର ପୁରୁଣା; ଶୁଖି ଠଣଠଣ କରୁଛି । ଧଅ କାଠ । ଚିରିଦେଲେ ବାରୁଦପରି ଜଳିବ । ବାରଟଙ୍କା କୁଇଣ୍ଟାଲ । କମ୍ ଦାମର ନେବେ ତ ଶାଳଗଣ୍ଡି ଅଛି; କଞ୍ଚା ପଡ଼ିବ; ଛେଲି ଅଛି ଧୂଆଁ ହେବ ।’’

 

ଜଙ୍ଗଲ ରାଜ୍ୟର ଲୋକ ମୁଁ, ଜାଣିଛି କେଉଁ କାଠ କେମିତି ଜଳେ । ବେଶି ଦାମ୍ ପଡ଼ୁ ପଛକେ ଫୁରୁଫୁରୁ ହୋଇ ଜଳିବା କାଠକୁ ପସନ୍ଦ କଲି । ଘର କଣରେ ଅଳନ୍ଧୁ ଜମିବନାହିଁ କି ଧୂଆଁରେ ପଙ୍ଖାଗୁଡ଼ାକ କଳା ହେବନାହିଁ ।

 

କିନ୍ତୁ ଆଜକୁ ହପ୍ତାଏ ହେଲା କାଠ ଯେଉଁଠି ସେଇଠି ପଡ଼ିଛି । ଚିରା ହେବାର ନାଁ ଗନ୍ଧ ନାହିଁ । ମକର ପର୍ବ ଯୋଗୁଁ ସାନ୍ତାଳଙ୍କ ଦେଖାଦର୍ଶନ ମିଳୁନାହିଁ । ତାଙ୍କର ହାଣ୍ଡିଆ, କୁକୁଡ଼ା ଲଢ଼େଇ, ଧୁମୁସା ମାଦଳ ସରିବ ନା ମୋ’ କାଠ ଚିରାହେବ !

 

ଏଣେ ଘରେ ଫାଳିଏ ବୋଲି କାଠ ନାହିଁ । କାଠ କଟା ହେଲେ ଜଳାଯିବ । ଆଜି ରବିବାର, ବେଳ ନଅଟା ହେଲାଣି, ପ୍ରଚଣ୍ଡ କଣକଣି ଶୀତ ସାଙ୍ଗକୁ ହିମାଳ ପବନ । ବାରଣ୍ଡାରେ ଆରାମ ଚେୟାର୍‍ଟା ପକାଇ ଖରାକୁ ପିଠି କରି ବସିଥାଏଁ ଏବଂ ଖବରକାଗଜରୁ ଆଦିବାସୀମାନଙ୍କ ପାଇଁ ଗତ ତିରିଶବର୍ଷ ଧରି ଆମେ କ’ଣ କ’ଣ କରିଛୁଁ, ତା’ର ବିବରଣୀ ଓ ହିସାବକିତାବ ଅନୁଧ୍ୟାନ କରୁଥାଏଁ ।

 

ହଠାତ୍ ମୋତି ଭୋ-ଭୋ ଭୁକି ଉଠିଲା । ଚମକିପଡ଼ି ଦେଖିଲି କାନ୍ଧରେ କୁରାଢ଼ି ପକାଇ ଗୋଟାଏ ଦରବୁଢ଼ା କାଠ ଚିରାଳି ସଡ଼କରୁ ମୋ’ ଆଡ଼କୁ ଢଳିଆସୁଛି । ସିଧା ସାମନାକୁ ଆସି ସେ ପଚାରିଲା, ‘‘କାଠ୍ କାଟିବୁ ବାବୁ ?”

 

ମନେମନେ ଭାବିଲି ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏମାନଙ୍କୁ ଆମ ସମକକ୍ଷ କରିବାର ଚେଷ୍ଟାକଲୁଁ ସିନା, ଲାଭ କିଛି ହେଲାନି; ଭାଷା ଟିକକବି ଶିଖାଇ ପାରିଲୁନି । କହୁଛି କ’ଣ ନା, ‘‘କାଠ୍ କାଟିବୁ ବାବୁ ?’ କି କ୍ରିୟା ! କି କର୍ତ୍ତା !

 

ଖତେଇ ହୋଇ ତା’ର ଗଳା ସ୍ଵର ଅନୁକରଣ କରି କହିଲି ‘‘ହଁ ହଁ, କାଟିବି, କାଟିବି; କେତେ ନବୁ ?”

 

ସେ କାଠ ଆଡ଼କୁ ଚାହିଁଲା । କହିଲା, ଦୁଇ କୁଇଣ୍ଟାଲ ହବ । ଗୁଦାମରେ ତ ବାବୁ ଆମରକୁ ଦୁଇ ଟଙ୍କା କରି ଦେଉଛି କୁଇଣ୍ଟାଲ । ଏଇ ବଜାର୍‌ଟାରେ ଗୁଟେ ଦର ନା ଦୁଇଟା ? ତୁ ଚାର୍ ଟଙ୍କା ଦବୁ, ଆର୍ କେତେ ?

 

‘‘ନାହିଁ, ନାହିଁ; ଚାରିଟଙ୍କା ମତେ ବହୁତ ପଡ଼ିଯାଉଛି । ସାଢ଼େ ତିନି ଦେବି; କାଠବାଲା ନେଲା ଚବିଶି, ଠେଲାବାଲା ଚାରି, ତୁ ନବୁ ଚାରି, ବତିଶି ଟଙ୍କା ପଡ଼ିଗଲା । ଗେସ୍‌ ଚୁଲି ତ ବରଂ ଶସ୍ତା ହବ । ତିନି ଟଙ୍କା ଆଠଣାରେ କାଟିବୁ ତ କାଟ୍, ନହେଲେ ଚାଲିଯା ।”

 

ସେ କଅଁଳ ଗଳାରେ କହିଲା, ‘‘ତୁ ବି ବାବୁ ଏମିତି କାଠୁଆ ହବୁ ତ ଆମର ଗୁରିବ୍ ନୁକ ବଞ୍ଚିବ କିମିତି ? ଚାରଣା ଆଠଣା ନାଗି ଆମ ସାଙ୍ଗରେ ଝଗଡ଼ା କରିବୁ ? ତତେ ଭଗବାନ୍ ବଡ଼ନୁକ୍ କରିଛି । କେତେ ପଇସା ତର କେଆଡ଼େ ଚାଲିଯାଉଛି । ଆମର ଗରିବ ନୁକ୍‌ର ପେଟରୁ କାଟିଲେ ତର ପେଟ ପୂରିବ । ଗୁଦାମବାଲା ଗୁଦାମରେ ଚାବି ଦେଇ କରି ପାହାଡ଼କୁ ଗେଲା ବୁଲି ତର ଏଠାକୁ ଆସିଛି, ନହେଲେ…”

 

କଲେଜ ପଢ଼ୁଆ ପୁଅ (ଯେ ଜୀବନରେ ପଇସାଟିଏବି ରୋଜଗାର କରିନାହିଁ) ଦରଜା ପାଖରେ ଛିଡ଼ାହୋଇ ଶୁଣୁଥିଲା । ହଠାତ୍‌ ତରଳିଯାଇ କହି ପକାଇଲା, ‘‘ହେଲା ହେଲା, ଚୁପ୍‌କର, ଆଉ ଚାରିଅଣା ନବୁ ।”

 

ପୁଅଆଡ଼କୁ କଟମଟ ଚାହିଁ ଇଂରାଜୀରେ କହିଲି, ‘ପଇସା ତତେ ଶସ୍ତା ହୋଇଛି । ଦେଖିଥାନ୍ତୁ ସେ ସେତିକିରେ କାଟିଥାନ୍ତା କି ନାହିଁ ।’’ କାଠ କଟାଳିକୁ କହିଲି, “ଯା ଯା ଏଥର କାଟ । ପୁଅ ତ କହିଦେଲାଣି ।”

 

ଦୁଇ ପରସ୍ତ କରି ଘୋଡ଼ିଥିବା ଅଳପ ଓସାର ନାଲି ଧଡ଼ିର ଶାଢ଼ିଟାକୁ ସେ ଦେହରୁ କାଢ଼ି ପାଖ ବେଗୁନିଆ ଗଛ ଡାଳରେ ଲଟକାଇ ଦେଲା । କାନିର ଗଣ୍ଠି ଫିଟାଇ ଦୋକତା ଚୂନ ବାହାର କରି କଳରେ ଜାକି କୁରାଢ଼ି ଧଇଲା ।

 

ବୟସ ଓ ଚେହେରାରୁ ତା’ର ପାରିବାର ପଣିଆରେ ମୋର ଘୋର ସନ୍ଦେହ ହେଲା । ଭାବିଲି, ଲୋଭରେ କାମ ଧରିଛି ସିନା, ଦିଦିନ ଲାଗିବ କାଟିବାକୁ ।

 

ଗୋଟାଏ ଗଡ଼ ଉପରେ ଲମ୍ବେ ଲମ୍ବ ଆଉ ଗୋଟାଏ ଗଣ୍ଡିରଖି ମାରିଲା ପ୍ରଥମ ଚୋଟ-। ପ୍ରାୟ ଦୁଇ ଇଞ୍ଚ୍ ଭିତରକୁ କୁରାଢ଼ିଟା ଭେଦି ଗଲା । ଟାଣି ବାହାର କରିବାକୁ କଷ୍ଟହେଲା ତାକୁ-

 

ପଚାରିଲି : କାଠ କିମିତି ଦେଖୁଛୁ ? ଭଲ ଜଳିବ ନା ?

 

ସେ କହିଲା, ‘‘କାଠ କିମିତି ଯେ ବାବୁ । ହେଲେ ତର ନାଭ, ମର ନୁକସାନ୍ । ଦେଖନା କାଠ କିମିତି ବାଝୁଆ, ଗଣ୍ଠିଆ । ଯେତିକି ଚେମଡ଼ ତେତିକି ଟାଣ । ଧଅ କାଠ ବାବୁ ! କୁରାଢ଼ି ବାଙ୍କିଯିବ । ଆମର ଗୁଦାମରେ ତ ଏଗା ଦୁଇ ବରଷ ପଡ଼ିଥିଲା । କେହି ନେଲା ନାହିଁ, କେହି କାଟିତେ ଖୁଜେ ନାହିଁ, ଭଲ ଜଳିବ । ହେଲେ ଯିଏ କାଟିବ ତା’ର ହାତ ଫୁଟୁକା ହେଇଯିବ, ଚମଡ଼ା ଛାଡ଼ିଯିବ ।”

 

ଆଉ ପାହାରେ ଦେଲା । ଠିକ୍ ଜାଗାରେ ମାଡ଼ ବସିଲା । ପୁଣି ପାହାରେ । ଫାଳିଏ କାଠ ଖଣ୍ଡେ ଦୂରରେ ଛିଟିକି ପଡ଼ିଲ ଘୂରି ଘୂରି ।

 

ମୁହୂର୍ତ୍ତେ ଅପେକ୍ଷା ନ କରି କହିଲି, “ଏତେ ବଡ଼ ଫାଳ କରିବୁ ନାହିଁ । ଆମର ଚୁଲି ସାନ-। ଆହୁରି ଛୋଟ, ପତଳା କରିଦେ ।’’

 

ତାଚ୍ଛଲ୍ୟରେ ମୋ ଆଡ଼କୁ ଚାହିଁ ସେ କହିଲା, “ଏ ବାବୁ । ତୁ ଚୁପ୍‌କର ବସିଥାନା । ଦେଖ୍, ମୁଁ ଠିକ୍ ସାଇଜ୍ କରି ଦଉଛି କି ନାଇଁ । ଏତେ ବରଷ ଆମର ବଜାରକୁ ଆସିଲା, ତର କାଠ କି ରକମ ଦରକାର ଜାଣେନାଇଁ ଭାବିଛୁ ?”

 

କୌତୂହଳୀ ହୋଇ ପଚାରିଲି ‘‘କେତେ ବରଷ ହେଲା ବଜାରକୁ ଆସିଲୁ ? କେଉଁଠୁଁ ଆସିଲୁ ?”

 

‘‘ମୟୂରଭଞ୍ଜରେ ମର ଘର ବାବୁ । ବେତନଟୀ ପାଖରେ । ଯୁଦ୍ଧନାଗିଲା ବରଷ ଆମର ରେମୁଣାକୁ ପଳେଇ ଆସିଲା । ମୟୂରଭଞ୍ଜରେ ଦେଡ଼େ ଡାହାଣୀ ଦେବତା, କଞ୍ଚା ଖାଇଦବ । ମର ଡଗର ଡାଗର ପୁଅ ଦୁଇଟା ଆର ତିର୍ଲାଟା ଏକା ଦିନରେ ମରିଗଲେ । ଜମି ଜାଇଗା ଖୋଳିତାଡ଼ି ଯାହା କରିଥିଲା, ସବୁ ତୁମର ହାଟୁଆମାନେ ନେଇଗଲା ।”

 

‘‘ସରକାରଠୁଁ ଜମି ନେଲୁଣି । ସରକାର ଘର, ଜମି ସବୁ ଦଉଛି, ତୋର ତ ଜମିଜାଇଗା ଘରଦ୍ଵାର କିଛି ନାହିଁ ।”

 

‘ଦେନା ବାବୁ ଘରଦୁଆର ଜମିଜାଇଗା କରେଇଦେ । ଦେଖେଁ କେଡ଼େ ଅଣ୍ଡିଆ ଦେଖେଇ ହେଇଛୁ । ଆମର ଯେତେ ନୁକର ଘର, ଜମିନାଇଁ ସମସ୍ତଙ୍କୁ ଦେଲେ ତୁମରମାନେ କି କରିବ, କାହିଁ ରହିବ ?”

 

‘‘ଛୁଆମାନଙ୍କୁ ପାଠ ପଢ଼ଉଛୁ ?”

 

“ଏ ବାବୁ ! ପାଠ ଶାଠ୍ ତାକୁ ପଢ଼େଇଲେ ତର ସଡ଼ପ କାମ କରିବ କିଏ ? ଜମି ଚଷିଦବ କିଏ ?”

 

ପରିବାର କଲ୍ୟାଣ ବିଷୟରେ ପଚାରିଲାରୁ ସେ କହିଲା, ‘ତୁମରମାନଙ୍କର ସିନା ବାବୁ ବେଶି ଛୁଆ । ଆମର ଜାତିରେ ଜଣକା ଗୁଟେ ନହେଲେ ଦୁଇଟା । ତର ତିରିଲା ଛୁଆପିଲା ତ କାମଦାମ କିଛି କରେନି, ସେଇନାଗି ତ ହଇରାଣ ହଉଛୁ, କଟେଇ ହଉଛୁ ।”

 

ଏଥର ସେ ମୋତେ ପଚାରିଲା “ହେଁ ବାବୁ । ଆମ୍ଭର ମୟୂରଭଞ୍ଜର ମାହାରାଜା ଗେଲାଠୁଁ ଆର୍ ତ ରଜା ନାଇଁ । ଖାଲି ମନ୍ତ୍ରୀ ଆସୁଛନ୍ ଯାଉଛନ୍ । ନାଇଁ ?”

 

ଭାବିଲି ଏ ଏକବାଗିଆ ମୂର୍ଖକୁ ହିତକଥା ପଚାରି ବା ଶୁଣାଇ କିଛି ଲାଭନାହିଁ । ବରଂ ମୋ କାମ ଧିମେଇ ଯାଉଛି । ତେଣୁ ତା’ କାଠକଟା ଚାତୁରୀ ଦେଖିବାକୁ ଲାଗିଲି ।

 

ପୋଖତ ସମାଲୋଚକ ଯିମିତି ଡେଇଁପଡ଼ି ଆଧୁନିକ କ୍ଳିଷ୍ଟ, ଅବୋଧ୍ୟ କବିତାକୁ ତନ୍ନତନ୍ନ ବିଶ୍ଳେଷଣ କରି ଅନ୍ତର୍ନିହିତ ସାରତତ୍ତ୍ଵ ପ୍ରକଟ କରନ୍ତି, କାଠୁରିଆ ସିମିତି ଅତୀବ ଆଗ୍ରହରେ ଗ୍ରନ୍ଥିଳ ଶିରାଳ କାଠକୁ ଛିନ୍ନଭିନ୍ନ କରି ମଞ୍ଜ ବାହାର କରିଦେଉଛି । ଭଗବାନ ତା’ର ଶିରାପ୍ରଶିରା ରକ୍ତମାଂସକୁ ଏମିତି ନୈସର୍ଗିକ ଶକ୍ତି ଦେଇ ଗଢ଼ିଛନ୍ତି, ଯିମିତି ଜୀବନସାରା ଏଇ ବୃକ୍ଷରାକ୍ଷସଗୁଡ଼ାକୁ ସେ ଖଣ୍ଡଖଣ୍ଡ କରି କାଟି ଆନନ୍ଦ ପାଉଥିବ ।

 

ଦେଖୁଦେଖୁ ସେ ଘଣ୍ଟାଏ ଦେଢ଼ ଘଣ୍ଟା ଭିତରେ ଅଧାଅଧି କାଠ ଚିରିଦେଲା । ଗତ ଥର ତା’ରି ଜାତିର ଲୋକଟା କାଠସବୁ ମୋଟା ଓ ଲମ୍ବା ଲମ୍ବା କରି ଚିରିଥିଲା । ମାସେ ଜାଗାରେ ଅଠାଇଶ ଦିନ ଗଲା । ଏଥର କାମ ଆଦାୟ କରିବାପାଇଁ ନିଜେ ମୁଁ ଜଗିବସିଛି, ଯିବ କୁଆଡ଼େ ?

 

ତା’ପାଖକୁ ଯାଇ କେତୁଟା ଫାଳ ଅଲଗା କରି ଦେଇ କହିଲି ‘‘ଏଗୁଡ଼ାକ ପତଳା କରିଦବୁ ।” ଯଦିଓ ସେଗୁଡ଼ାକ ଛୋଟ ଛୋଟ ଥିଲା ।

 

ଲୋକଟା କ୍ରମେ କ୍ରମେ ଥକି ହାଲିଆ ହୋଇଗଲାଣି ବୋଲି ମୋର ଭୟହେଲା । ପ୍ରତିଥର ଚୋଟ ସାଙ୍ଗକୁ ତା’ ପାଟିରୁ ଏଃ ଏଃ ଶବ୍ଦ ବାହାରୁଥାଏ ।

 

କୌତୂହଳବଶତଃ ତା’ ହାତରୁ କୁରାଢ଼ିଟା ନେଇ ଉଠାଇଲି । ବାବା ! କେଡ଼େ ଭାରି ! ଥରେ କାଠଗଣ୍ଡିରେ ଚୋଟେ ପକାଇଲି । ଲକ୍ଷ୍ୟସ୍ଥଳର ଆଠ ଆଙ୍ଗୁଳି ଦୂରରେ ଠିକିରି ପଡ଼ିଲା କୁରାଢ଼ିଟା । ପଚାରିଲି “କେତେ ଓଜନ ଅଛି ?”

 

ଢିମା ପଥର ଗୋଟାକରେ କୁରାଢ଼ି ମୁନ ପଜାଉ ପଜାଉ ସେ କହିଲା, ‘ଦୁଇ କିଲୋ ନୁହାରେ କରିଛି ବାବୁ ! ଗୁଦାମରଟା ଦୁଇ କିଲ ଆର୍ ଅଧେ ।”

 

ପଚାରିଲି ‘‘ବାର ବାଜିବ । ଆଜି ସାରିପାରିବୁ ତ ?”

 

‘‘ତୁ ତ ବାବୁ ଖାଲି ବକର ବକର ହେଉଛୁ, ତର କାମ ତୁ କର । ତର କାଠ କେଡ଼େ ଟାଣ ଦେଖିଲୁ ଯେ ।”

 

ଦେଖିଲି, ତା’ର ପେଟ ପିଠି ଏକାଠି ଲାଗି ଯାଇଛି । ମୋ ପେଟରେ ଯେତେ ଚର୍ବି, ତା’ର ଶହେ ଭାଗରୁ ଭାଗେ ଭଲ ତା’ର ଥାଆନ୍ତା । ଭୁଲରେ ପାଟିରୁ ବାହାରି ପଡ଼ିଲା ‘ସକାଳୁ କି ଖାଇ କରି ଆସିଛୁ ?’

 

ଗରିବ ନୁକର ଘରେ କି ଅଛି ଯେ ସକାଳୁ ଉଠି ବସି କରି ଖାଇବ ? ଖାଲି ତୋରାଣି କଂସାଏ ପିଇ କରି ଆସିଛି । ତିର୍ଲା ଆର ଛୁଆ ଦୁଇଟା ପଖାଳ ମୁଠାଏ ମୁଠାଏ କରି ସଡ଼ପ୍ କାମକୁ ଗଲା ।

 

ରୋଷାଇଘର ଆଡ଼ୁ ଆସୁଥିବା ମହକ ଶୁଙ୍ଘି ମୁଢ଼ି ଆଉ କଷା ମାଉଁସ ଖାଇବି ବୋଲି ଘର ଭିତରକୁ ଗଲି । ଚାକର ପିଲା ଚୈତନ କହିଲା, “ବାପା ! ତାକୁ ରୁଟି ଦୁଇଟା ଦେବା ? ବଳିଛି-।”

 

“କୁକୁରକୁ ଦେଲୁନି ? ଏତେ ରୁଟି କରୁଛୁ କାହିଁକି ? ରୁଟି ଦିଖଣ୍ଡର ଦାମ ଚାରଣା । ସେ ସେଇ ଚାରଣା ଛାଡ଼ୁ ନାହିଁ ପରା ।”

 

“କାଲି ସକାଳର ରୁଟି ବାପା ! ଅସରପା ବୁଲି ଯାଇଛନ୍ତି । କୁକୁରବି ଛୁଇଁଲା ନାହିଁ ।”

 

ବାହାରକୁ ଆସି ମୁଢ଼ି, କଷା ମାଉଁସ ପାଟିରେ ପକାଇ ପକାଇ ଶରଧାରେ ପଚାରିଲି ‘ରୁଟି ଖାଇବୁ କିରେ ?”

 

“ଦବୁ ତ ଦେ ବାବୁ । ତର ଛୁଆପିଲାର ପେଟରୁ ବଳୁଛି ଯଦି ।’’

 

ରୁଟି ଓ ଆଲୁମିନିଅମ୍ ପାଇଖାନା ଲୋଟାରେ ପାଣି, ଚୈତନ ଥୋଇଦେଇ ଗଲା । ପାମ୍ପଡ଼ ଚୋବାଇଲା ପରି ରୋଟି ଦୁଇ କଡ଼କଡ଼ ଚୋବାଇ ଢକଢ଼କ କରି ପାଣିଲୋଟାକ ପିଇଗଲା ସେ ଓ ଲୋଟାକୁ ପାଉଁଶରେ ମାଜି ସଫା କରିଦେଲା ଏବଂ ପୁଣି ଚୂନ ଦୋକତା ପାଟିକୁ ପକାଇ ଶେଷ ପ୍ରସ୍ତ କାମ ଧଇଲା ।

 

କହିଲି, ‘‘ଦେଖ, ମୁଁ ଭାତ ଖାଇବାକୁ ଯାଉଛି । କାଠ ସବୁ ଘର ଭିତରକୁ ବୋହିଦବୁ ।” ଯଦିଓ କାଠ ବୋହିବା କାମ ତା’ର ନୁହେଁ, ମୋର ।

 

ସେ କିନ୍ତୁ ତଦ୍ଦଣ୍ଡେ କହିଲା, ‘‘ଏ ବାବୁ ! ମୁଁ କାଟିବି, ତୁ ବୋହିବୁ ? କୁକୁରଟା ବାନ୍ଧିଦେ । କାଠ ଘରଟା ଦେଖା ।” ଚୈତନ କୁକୁର ବାନ୍ଧି କାଠ ଘର ଦେଖାଇ ଦେଲା ।

 

ଗାଧୋଇ ପାଧୋଇ ରବିବାରିଆ ଗରିଷ୍ଠ ଭୋଜନ ପରେ ସିଗାରେଟ ଲଗାଇ ଅଗଣାକୁ ଯାଇ ଦେଖିଲି କାଠ ସବୁ ବଢ଼ିଆ ସଜା ହୋଇ ସାଇତା ହୋଇଛି । ବାହାରକୁ ଯାଇ ଦେଖିଲି ଇଞ୍ଚେ ଦି’ଇଞ୍ଚିଆ ଟୁକୁରା କାଠସବୁ ଭିଣି ହୋଇ ପଡ଼ିଛି । ଗୋଟାଇ ଆଣିଲେ ପ୍ରାୟ ଆଠଣାର କାଠ ବାହାରିବ । ବିନା କିରୋସିନିରେ ଚୁଲି ଧରାଇ ହେବ । ନିଜେ ଝୁଡ଼ି ଓ ଖରକା ଆଣି ତାହାକୁ ବଢ଼ାଇ ଦେଇ କହିଲି, “ଚେନାଚୋପରା ସବୁ ଭଲ କରି ଖରକି ଗୋଟାଇଦେ । କୁକୁର ପାଦରେ ଫୁଟିଯିବ । ସେ ଏଇଠି ଖେଳେ ।”

 

ବିନା ଓଜର ଆପତ୍ତିରେ ସେ କାମବି କଲା ଏବଂ ବେଗୁନିଆ ଗଛରୁ ଓଢ଼ଣି ଆଣି କୁରାଢ଼ି କାନ୍ଧରେ ପକାଇ ଛିଡ଼ାହେଲା ପାଉଣା ଆଶାରେ ।

 

ଦି’ ଖଣ୍ଡି ଦି’ଟଙ୍କିଆ ନୋଟ୍ ତା’ ହାତକୁ ବଢ଼ାଇ ଦେଇ କହିଲି, ‘‘ଦେ ଚାରଣା ପଇସା ।”

 

ଅସହାୟ ଚକ୍ଷୁରେ ଚାହିଁ ସେ କହିଲା, ‘‘ମର୍ ପାଖରେ ପଇସା କାଇଁ ବାବୁ ! ଖାଲି ହାତଟାରେ ତ ସଖାଳୁ ଘରୁ ଆସିଲା ।”

 

ମୋ ଘରେ ଖୁଚୁରା ଯେ ନଥିଲା ତା’ ନୁହେଁ କିନ୍ତୁ ପଞ୍ଚସ୍ତରୀ ପଇସା ଦେଉଛି କିଏ ? କହିଲି “ଗୋଟାଏ ନୋଟ୍ ନେଇ ବଜାରକୁ ଭଙ୍ଗେଇ ଆଣ ।”

 

“ଆଜ ରଇବାର ପରା ବାବୁ ! ଦୁକାନବଜାର ସବୁ ବନ୍ଦ ଯେ । ଚାରଣା ପଇସା ଥାଉ ମର ଉପରେ । ଆର ମାସକୁ କଟେଇ ନବୁ ।”

 

“ନା ନା, ସେ କଥା ହବନାହିଁ । ତୁ ଆସିବୁ ନ ଆସିବୁ କି ବିଶ୍ଵାସ ।”

 

ହାଣ୍ଡିଆ ଖାଇଲେ ଆଖି ଯିମିତି ନାଲି ହୁଏ ସେମିତି ଆଖିରେ ମୋ ଆଡ଼କୁ ଚାହିଁ ଯୁଗ-ଯୁଗର ସଞ୍ଚିତ ଚାପା କ୍ରୋଧ ବିସ୍ଫୋରଣ କରି ସେ କହିଗଲା, ‘‘କି କହିଲୁ ବାବୁ ! କି ବିଶ୍ଵାସ ! ଏତେବେଳ ଯାଏଁ ମତେ ଟେକାଟେକି କରି ଭୁଲେଇଚୁ କେଇ ତର ସବୁ କାମ ଆଦାୟ କରି ନେଲୁ, ମର ଜମିଜାଇଗାବି ସବୁ ତୁମରମାନେ ନେଲା, ମର ନ ନ କରିବ କାମବି କରିଦେଲି । ଦୁଇଟା ଶୁଖିଲା ରୁଟି ଦେଲୁ ଯେ ଭାବିଛୁ ଢେର୍ ଦେଲୁ । କହୁଛୁ ‘କି ବିଶ୍ୱାସ ।’ ଆମର କି ମଣିଷ ନାଇଁ ବଣର ଭାଲୁ ହେଇଛି ? ପଇସାରେ ବଡ଼ନୁକି ଦେଖେଇ ହେଇଛୁ । ମୁଁ ତର ଚାଲାକି ସବୁ ବୁଝିଛି । ନେ ତର ପଇସା ।”

 

ନୋଟ୍ ଦୁଇଟା ମୋ ଆଡ଼କୁ ଫଡ଼ଫାଡ୍ ଫୋପାଡ଼ି ଦେଇ ମୁହଁ ଥମଥମ କରି ଏକାମୁହଁ। ଫାଟକ ପାରିହୋଇ ସଡ଼କ ଧଇଲା ।

 

ତା’ର ରୁଦ୍ରମୂର୍ତ୍ତି ଦେଖି ସେଇ ମୁହୂର୍ତ୍ତରେ ମୁଁ ଉପଲବ୍ଧି କଲି ଏ ଲୋକଟାକୁ ସଜାଗ ସଚେତନ କରି ଚାଳି ଉସୁକାଇ ମୁଁ ବଡ଼ ଭୁଲ କରିଛି । ଯଦି ସେ ବୁଝିପାରିବ ଏଯାବତ୍ ତା’ ପ୍ରତି ମୋର ଆଚରଣ ଓ ବ୍ୟବହାରରେ ଆତ୍ମୀୟତା ବା ଆନ୍ତରିକତା ନଥାଇ, ଥିଲା ଖାଲି ସ୍ଵାର୍ଥ ଓ ପ୍ରତାରଣା, ତେବେ ସେ ହୁଏତ ଉତ୍ୟକ୍ତ ଓ ଉତ୍‌କ୍ଷିପ୍ତ ହୋଇ ବୁଲି ପଡ଼ିବ । ଆଉ ଗୋଟାଏ ଧଅ କାଠଗଡ଼ ରହିଗଲା ଭାବି ଦୁଇକେଜିଆ କୁରାଢ଼ିରେ ହୁଏତ ମୋର ଛାତି ମୁଣ୍ଡକୁ ଚିରି ଦୁଇଫାଳ କରିଦବ । ଏ ଭୟାବହ ପରିଣତର କଳ୍ପନାରେ ଆତଙ୍କିତ ହୋଇ ତତ୍‍କ୍ଷଣାତ୍‌ ଚୈତନ ହାତରେ ନୋଟ୍ ଦୁଇଟା ତାକୁ ଦେବାପାଇଁ ପଠାଇଦେଲି ଏବଂ ଘର ଭିତରକୁ ତରବରରେ ପଶି ଆସି ଧଡ଼୍‍କରି କବାଟ ବନ୍ଦକରି ଦେଲି । ସର୍ବାଙ୍ଗ ଝାଳରେ ବୁଡ଼ି ଯାଇଥାଏ ।

Image

 

ଶ୍ରୀ ବିଭୂତିଭୂଷଣ ତ୍ରିପାଠୀ

ନିଶାନ୍ତ

 

ଆମର ବୃତ୍ତି ଓ ଯାତ୍ରାପଥ ବିଭିନ୍ନ ହୋଇପାରେ କିନ୍ତୁ ଜୀବନର ପଦେପଦେ ତ ଜଞ୍ଜାଳ ସମସ୍ୟା ଭରି ରହିଛି । ଯେ ଯେଉଁ ମାର୍ଗରେ ଯାଉପଛେ, ତାକୁ ତ ଏ ସବୁର ମୁକାବିଲା କରିବାକୁହିଁ ହେବ ।

 

ଦୂରଗାମୀ ମେଲ୍ ଟ୍ରେନ୍‌ର ଶୀତତାପ ନିୟନ୍ତ୍ରିତ କମ୍ପାଟ୍‍ମେଣ୍ଟରେ ସେଦିନ କହିବାକୁ ଗଲେ ମୁଁ ହିଁ ଏକମାତ୍ର ଯାତ୍ରୀ । ଆଖପାଖ ପ୍ରକୋଷ୍ଠରେ ବଡ଼ ଜୋର୍ ଦୁଇ ଚାରି ଜଣ ଯାତ୍ରୀ ଥାଇପାରନ୍ତି । ଆକାଶମାର୍ଗରେ ଉଡ଼ିଯିବାର ସକଳ ସୁଯୋଗ ସୁବିଧା ଥିଲେବି–ସବୁ ତ କମ୍ପାନୀ ବହନ କରିବ–ମୁଁ ଯେତେଦୂର ପାରେ ଏୟାର କଣ୍ଡିସନଡ଼ି ରେଲଗାଡ଼ିରେ ଯାତ୍ରା କରିବାକୁ ପସନ୍ଦ କରେ । ଧୂଆଁ ନାହିଁ; ଧୂଳି ନାହଁ; ଈଷତ୍ ଭଲ ଝରକାର ଡବଲ କାଚ କବାଟ ପଛଆଡ଼େ ସୂର୍ଯ୍ୟ ତେଜ ବେଶ୍ ନରମ ନରମ । ବର୍ଥ ଉପରେ ତକିଆ ଠେସ୍ ଦେଇ ଛାତି ଉପରକୁ ଖଣ୍ଡେ ଚାଦର ଟାଣି ନେଇ ଆରାମରେ ପଡ଼ିରହି ପାଖ ଟେବୁଲ ଉପରୁ ଖଣ୍ଡକ ପରେ ଖଣ୍ଡେ ଚାଦର ଉଠାଇ ନେଇ ନିର୍ବିଘ୍ନରେ ପଢ଼ିଯାଅ । ମଝିରେ ମଝିରେ ବେଲ୍ ଚିପି ଚା’ ଅଣାଯାଇପାରେ । ଇଚ୍ଛାହେଲେ ଡାଇନିଙ୍ଗ୍ କାର୍‍ର କନେକ୍‍ଟିଂ କରିଡ଼ରରେ ଯାଇ ବ୍ରେକ୍‌ଫାଷ୍ଟ୍, ଲଞ୍ଚ୍ ବା ଡିନର୍ ଖାଇ ଆସ; ନଚେତ୍ ଏଇ କମ୍ପାଟ୍‍ମେଣ୍ଟରେ ବର୍ଥ ଉପରେ ଆରାମରେ ବସି ଭୋଜନ ପର୍ବ ଶେଷକର । କୌଣସିଥିରେ ଆପତ୍ତି ନାହିଁ । ଏଭଳି ଏକ ନିରୁପଦ୍ରବ, ନିଶ୍ଚିନ୍ତ; ନିଶ୍ଚିନ୍ତ ବ୍ୟବସ୍ଥାକୁ ଛାଡ଼ି ଅଧିକ ମହାସୁଲ ଦେଇ କାହିଁକି ଯେ ଲୋକଗୁଡ଼ା ଉତ୍‌କ୍ଷିପ୍ତ ହୋଇ ଅହରହ ଆକାଶମାର୍ଗରେ ଉଡ଼ି ବୁଲୁଛନ୍ତି କ୍ଷିପ୍ରରୁ କ୍ଷିପ୍ରତର ଗତିରେ...

 

ଅଥଚ ଆଜି ଏଇ ଦିନଟା ଭିତରେ କେତେ କାମ କରାଯାଇପାରିଲା । ସେଇ ଯେଉଁ ବହିଟା ଦୁଇବର୍ଷ ତଳେ ଆରମ୍ଭ କରାହୋଇଥିଲା, ଆଉ ଯେଉଁଟା ମଝିରୁ ଅଚଳ ହୋଇ ପ୍ରାୟ ବନ୍ଦ ହୋଇ ଯାଇଥିଲା–ସପ୍ତବ୍ୟୂହ ଭିତରକୁ ପଶିଯାଇ ବାହାରି ଆସିବାର ବାଟ ପାଇପାରୁ ନଥିଲି–ଆଜି ଏଇ ନିର୍ଜନ ପ୍ରକୋଷ୍ଠର ଆନ୍ତରିକତା ଭିତରେ କେଡ଼େ ସୁନ୍ଦର ଭାବରେ ସବୁ ବାଟ ଫିଟିଗଲା । ନୂଆ ଆଲୋକ ଦେଖାଗଲା । ସେଇ ଯେ ସକାଳ ନଅଟାରେ କଲମ ଧରିଥିଲି–ଏକ ଧ୍ୟାନରେ ଲେଖି ଚାଲିଥିଲି ଆଚ୍ଛନ୍ନଙ୍କ ଭଳି; ତା’ ଭିତରେ ଖାଇଛି; କରିଡ଼ରରେ ବୁଲି ଆସିଛି; ଗୁଣୁଗୁଣୁ କରି କେଉଁ ପୁରୁଣା ଗୀତର ସ୍ଵର ଭାଙ୍ଗିଛି–ଦିପହର ଗଡ଼ିଯାଇ ନରମ ଅପରାହ୍‍ଣ । ତା’ପରେ କେତେବେଳେ ସନ୍ଧ୍ୟା ହୋଇଯାଇ ରାତି ଓହ୍ଲାଇ ଆସିଛି ଖିଆଲ ନାହିଁ । ଶେଷରେ ଲେଖା ବନ୍ଦକରି ଉଠି ଚାରିଆଡ଼କୁ ଚାହିଁଛି । ଆଃ ସେ କି ଆନନ୍ଦ, କି ତୃପ୍ତି । ବାଥ୍‍ରୁମ୍‌ର ସାୱାର ତଳେ ଦୀର୍ଘ ସମୟ ଧରି ସ୍ନାନ; ତା’ପରେ ପୋଷାକ ବଦଳାଇ ଡାଇନିଙ୍ଗ୍ କାର୍‍ରେ ରାତ୍ରିଭୋଜନ ସମାପନ କରି ନିଜ ବର୍ଥକୁ ଫେରି ଆସିଛି । ବର୍ତ୍ତମାନ ରାତି ପ୍ରାୟ ସାଢ଼େ ନଅ । ଏକ ଅନନୁଭୂତ ଆନନ୍ଦରେ ମନଟା ଭରି ଉଠୁଛି । ସମସ୍ତ ସ୍ନାୟୁ ଉପରେ କିଏ ଯେପରି ଏକ ଚନ୍ଦନ ପ୍ରଲେପ ଲେଖିଦେଉଛି । ଏକ ନିର୍ମଳ ନୀଳ ନିଦ୍ରାର ଲହରୀ ମୋର ଚେତନା ଉପରକୁ ଫୁଲି ଫୁଲି ଦୋହଲି ଦୋହଲି ମାଡ଼ି ଆସୁଛି ।

 

ଠକ୍ ଠକ୍ ଠକ୍–ଦୁଆର ଖୋଲି ଭିତରକୁ ପଶି ଆସିଲେ ଜଣେ ଭଦ୍ରଲୋକ । ସାଙ୍ଗରେ ଷ୍ଟିୱାର୍ଡ଼, କୁଲି ମୁଣ୍ଡରେ ବିରାଟ ସୁଟ୍‍କେଶ୍ । ସୁଟ୍-ବୁଟ୍ ପରିହିତ ଏକ ଦୀର୍ଘାକୃତି, ସ୍ଵାସ୍ଥ୍ୟବାନ ସୁପୁରୁଷ । କମ୍ପାଟ୍‍ମେଣ୍ଟ ଭିତରକୁ ପଶିଆସି ମୋ ସହିତ କରମର୍ଦ୍ଦନ କଲେ । ଚଉଡ଼ା ଉଷୁମ ଉଷୁମ ତାଙ୍କ ହାତ ପାପୁଲି ଭିତରେ ମୋ ହାତ ଛାଡ଼ିଦେଇ ଅନୁଭବ କଲି ଏକ ବଳିଷ୍ଠ ବ୍ୟକ୍ତିତ୍ଵର ସ୍ପର୍ଶ । ଭଦ୍ରଲୋକ ମୋ ଆଗ ବର୍ଥ ଉପରେ ବସି କୋଟ୍ କାଢ଼ିଦେଲେ, ଗଳାରୁ ଟାଇ ଫିଟାଇ ଦେଇ ପାଖରେ ଥୋଇ ମୋ ଆଡ଼କୁ ପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ । କହିଲେ–‘‘ତାହାହେଲେ ଆମେ ଆଜି ରାତିକର ସହଯାତ୍ରୀ । ଆସନ୍ତୁ ନା ପରସ୍ପରକୁ ଜାଣିବା, କାଲି ସକାଳ ପାହିଲେ ତ କିଏ କେଉଁଠି ଓହ୍ଲାଇଯିବା । ସବୁ ଭୁଲି ହୋଇଯିବ–ସବୁ ନିଶ୍ଚିହ୍ନ । ଜୀବନଟା ତ ବି ସେଇୟା । ତେବେ ଏଇ ରାତିଟା ଆମର । ଏଇ ରାତିଟାକୁ ‘ସେଲିବ୍ରେଟ’ କରାଯାଉ । ନା କ’ଣ କହୁଛନ୍ତି ?” ହିପ୍ ପକେଟରୁ ଗୋଟିଏ ଲମ୍ବା ସୁନା ସିଗ୍ରେଟ କେସ୍ ବାହାର କରି, ଖୋଲି ମୋ ଆଡ଼କୁ ବଢ଼ାଇଦେଲେ-। ଧୂମପାନ ମୁଁ ପ୍ରାୟ କରେନାହିଁ । କେବେ କେମିତି ସାଙ୍ଗସାଥୀ ମେଳରେ ସିଗ୍ରେଟ ଖଣ୍ଡେଅଧେ ଖାଇଥିବି । ଭଦ୍ରଲୋକଙ୍କ ସୌଜନ୍ୟରୁ ଏଡ଼ାଇ ନପାରି କୁଣ୍ଠିତ ହାତରେ କେସ୍‌ରୁ ଖଣ୍ଡେ ସିଗ୍ରେଟ ନେଲି । ଭଦ୍ରଲୋକଙ୍କ ହାତରେ ଲାଇଟର ଜଳିଉଠିଲା । ସିଗ୍ରେଟରେ ଅଗ୍ନିସଂଯୋଗ କରାଗଲା-। ଭଦ୍ରଲୋକ ଉଠିଯାଇ ବେଲ୍ ଟିପିଲେ ଓ ଫେରିଆସି ବର୍ଥ ତଳୁ ତାଙ୍କର ସେଇ ବିଶାଳକାୟ ସୁଟ୍‍କେଶ୍‍ଟାକୁ ଖୋଲିଲେ । ସୁଟ୍‍କେଶ୍ ଭିତରୁ ଅଣ୍ଡାଳି ଅଣ୍ଡାଳି କ’ଣ କାଢ଼ୁ କାଢ଼ୁ ଷ୍ଟିୱାର୍ଡ଼କୁ ଲକ୍ଷ୍ୟ କରି ବରାଦ କଲେ ଦୁଇଟା ଗ୍ଲାସ୍ ବରଫ, ସୋଡ଼ା, ଲିମନ ଆଣିବାକୁ । ଉଦ୍ଦେଶ୍ୟ ସ୍ପଷ୍ଟ; କିନ୍ତୁ ମୁଁ ପ୍ରମାଦ ଗଣିଲି । ମୋଦ୍ଵାରା ତ ସେ ପାନୀୟ ଆଦୌ ଚଳିବ ନାହିଁ । ବିନୀତ ଭାବରେ ଭଦ୍ରଲୋକଙ୍କୁ ନିବେଦନ କଲି ‘‘ଆପଣଙ୍କୁ ମୋତେ କ୍ଷମା କରିବାକୁ ହେବ, ମିଷ୍ଟର୍–” ସେ ପାଦ ପୂରଣ କରିଦେଲେ “ଦା ନେମ ଇଜ୍ ମାଲହୋତ୍ରା’’–‘‘ଇୟେସ୍ ମିଃ ମାଲହୋତ୍ରା, ଇଉ ମଷ୍ଟ ଏକ୍‍ସକ୍ୟୁଜ୍ ମି, ଆଇ ଡୋନ୍‍ଟ ଇଉସ୍ ଲିକର୍ । ସୁରାପାନରେ ମୋର ଅଭ୍ୟାସ ନାହିଁ-।” ଭଦ୍ରଲୋକ ଯେପରି ଆକାଶରୁ ପଡ଼ିଲେ, “My God” କହି ମୋ ଆଡ଼କୁ ଆଖି ଟେକି ଥରେ ଚାହିଁଲେ । କ’ଣ ଦେଖିଲେ କେଜାଣି ଈଷତ୍ କାନ୍ଧ ଦୋହଲାଇ ଅନୁଚ୍ଚରେ “ଏନିୱେ” କହି ସୁଟ୍‌କେଶ୍ ଗର୍ଭରୁ ବାହାର କଲେ ମହାର୍ଘ ବିଦେଶୀ ପାନୀୟ ବୋତଲ, ତା’ ସଙ୍ଗେ ଗୋଛାଏ ମାଗାଜିନ୍ । ହାତ ବଢ଼ାଇ ସେ ଗଦାରୁ କେତେ ଖଣ୍ଡ ମାଗାଜିନ୍ ଉଠାଇ ଆଣି ଦେଖୁଥିଲି-। ‘ପ୍ଲେ ବୟ’ ‘ଫଲି ବରଜର୍’ ପ୍ରଭୃତି ନଗ୍ନ ନାରୀ-ଦେହ ସମ୍ବଳିତ ନିଷିଦ୍ଧ ପତ୍ରପତ୍ରିକା । ଅଳ୍ପ କେତେ ପୃଷ୍ଠା ଲେଉଟାଇ ସେଗୁଡ଼ିକୁ ଯଥାସ୍ଥାନରେ ରଖିଦେଲି । ବରଫ, ଲିମନ୍ ସବୁ ପହଞ୍ଚିଗଲା । ଗ୍ଲାସ୍‍ରେ ପାଣି ନ ମିଶାଇ ବରଫ ଉପରେ ଲିକର ଢଳି, ଯା’କୁ କହନ୍ତି ‘ଅନ୍-ଦି-ରକ’ । ସେଇ ରୀତିରେ ଚାଲିଲା ମିଃ ମାଲହୋତ୍ରାଙ୍କ ସୁରାପାନ । ସିଗ୍ରେଟ ପରେ ସିଗ୍ରେଟ ଚେନ ସ୍ମୋକିଂ, ସାଙ୍ଗକୁ ଗ୍ଲାସ୍‍ରୁ ଢୋକେ ଢୋକେ ପିଇ ପିଇ ଭଦ୍ରଲୋକ କହି ଚାଲିଛନ୍ତି ଦେଶ ବିଦେଶର ବିବିଧ ସମ୍ବାଦ । ତାଙ୍କର ଭ୍ରମଣ ଅନୁଭୂତି । କଥାବାର୍ତ୍ତା ବେଶ୍ ଜମି ଉଠିଲା । ଭଦ୍ରଲୋକଙ୍କ ଜ୍ଞାନର ପରିସର ଅତ୍ୟନ୍ତ ବ୍ୟାପକ । ସମଗ୍ର ପୃଥିବୀକୁ ସେ ବହୁବାର ଘୂରି ଆସିଛନ୍ତି । ସୌଖୀନ ଭ୍ରମଣ ନୁହେଁ, ସମସ୍ତଟା ବ୍ୟବସାୟଘଟିତ । କ୍ରମେ ସ୍ପଷ୍ଟ ହୋଇ ଉଠିଲା ମିଃ ମାଲହୋତ୍ରାଙ୍କ ବ୍ୟବସାୟ ବାଣିଜ୍ୟବେଳେ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ତା’ ପ୍ରସାରିତ । ସୁରାପାନରତ ମିଃ ମାଲହୋତ୍ରାଙ୍କ ବଳିଷ୍ଠ ପୌରୁଷକୁ ଦେଖୁଦେଖୁ ତାଙ୍କର କଥା ଓ ଚମତ୍କାର ଇଂରାଜୀ ଶୁଣୁ ଶୁଣୁ ଭାସି ଉଠିଲା କେଉଁ ପୁରୁଣା ସନ୍ଧ୍ୟାର ଏକ ଦୃଶ୍ୟ–

 

ଅନେକ ଦିନ ତଳେ ବନ୍ଧୁ ଅନନ୍ତର ନିମନ୍ତ୍ରଣରେ ଯାଇଥିଲି କଲିକତାର ଚୌରଙ୍ଗୀ ଅଞ୍ଚଳକୁ । ଡିସେମ୍ବରର ହିମଶୀଳତ ଖ୍ରୀଷ୍ଟମାସ ରାତ୍ରି । ଅଭିଜାତ ହୋଟେଲର ‘ବାର’ରେ ଯେତେବେଳେ ମୁଁ ଅନନ୍ତ ପଛେ ପଛେ ପଶିଲି ସେତେବେଳକୁ ଅର୍ଦ୍ଧରାତ୍ରି । ‘ବାର’ରେ ତିଳ ଧାରଣରେ ସ୍ଥାନ ନାହିଁ । ମୁଁ ଯାଇଛି ଦେଖିବାକୁ, ଅଭିଜ୍ଞତା ଆହରଣ କରିବାକୁ । ଅଥଚ ଏ ରାତିର ଉତ୍ସବରେ ମାତିଯାଇ ମତୁଆଲ ହେବାର ପ୍ରବୃତ୍ତି ମୋର ନଥିଲା । ‘ବାର’ର ଅର୍ଦ୍ଧ ଗୋଲାକାର ମେସଗେନି ଟେବୁଲରେ ଠେସଦେଇ ସେଇ ଥଣ୍ଡା ରାତିରେ ମଦ୍ୟ ପାତ୍ରରେ ଗୋଟାଏ କ’ଣ କୋଲ୍ଡ଼ଡ୍ରିଙ୍କ୍ ମୁହଁ ପାଖରେ ଧରି ମୁଁ ଚାରିଆଡ଼କୁ ଚାହିଁ ଚାହିଁ ଦେଖୁଥିଲି–ରକ୍ଷା, ମୋ ଆଖିରେ ଥିଲା ଟିନ୍‍ଟେଡ଼୍‌ ଗ୍ଲାସ୍‍ର ଚଷମା । ପାଖରେ ଏକ ନାରୀକଣ୍ଠର ଖିଲ ଖିଲ ହସ ଶୁଣି ବୁଲି ଦେଖିଲି ଏକ ଅର୍ଦ୍ଧନଗ୍ନ ବିଦେଶିନୀ ତରୁଣୀ ତାହାର ପୁରୁଷବନ୍ଧୁର ଛାତିଉପରେ ଲପଟି ଯାଇ ହସୁଛି–ପୂର୍ଣ୍ଣ ମାତାଲ । ପୁରୁଷବନ୍ଧୁ ତାଙ୍କ ପାର୍ଶ୍ଵବର୍ତ୍ତୀ ବନ୍ଧୁଙ୍କୁ ଅନୁଚ୍ଚରେ କହୁଛନ୍ତି–‘‘ନଥିଂ ଲାଇକ୍ ଟେକିଂ ଏ ଟିପ୍‌ସି ଓମେନ୍ ଟୁ ବେଡ଼୍ ।” ବନ୍ଧୁ ଅନନ୍ତର କହୁଣୀ ଆଘାତରେ ସତର୍କ ହୋଇ ତା’ର ଦୃଷ୍ଟି ଅନୁସରଣ କରି ଦେଖିଲି ଏକ ଗୋଲଟେବଲ ଚାରିପଟେ ବସିଛନ୍ତି ପାଞ୍ଚ ସାତ ଜଣ ଭଦ୍ରଲୋକ । ଦାମୀ ଦାମୀ ସୁଟ୍ ପରିହିତ, ଦେଶୀ ବିଦେଶୀ ମୋଟା ତାଜା ଭଦ୍ରଲୋକ ସମସ୍ତଙ୍କ ହାତରେ ସୁରାପାତ୍ର-ସିଗ୍ରେଟ ବା ଚୁରୁଟ । ଭାରି ଗଭୀର ଆଲୋଚନାରେ ସମସ୍ତେ ନିମଗ୍ନ । ମଝିରେ ମଝିରେ ହସ କୌତୁକ, ପରସ୍ପରର ପିଠି ଚାପଡ଼ା ଚାପଡ଼ି, କରମର୍ଦ୍ଦନ ଚାଲିଛି । କେତେବେଳେ କଥାବାର୍ତ୍ତା ଉଚ୍ଚ ଗ୍ରାମକୁ ଚଢ଼ି ଯାଉଛି, କେତେବେଳେ ବା କ୍ଷୀଣ, ଅସ୍ପଷ୍ଟ । ବୟ ଘୂରି ଘୂରି ଶୂନ୍ୟ ହୋଇ ଯାଉଥିବା ଗ୍ଲାସ୍‍ରେ ପାନୀୟ ଭରିଦେଇ ଯାଉଛି । ଜଣେ ତାଙ୍କ ହିପ୍ ପକେଟରୁ ବାହାର କଲେ ଏକ ବିରାଟ । ‘ଓ୍ୱାଲେଟ୍’ ତା’ ଗର୍ଭରୁ ଚାରି ପାଞ୍ଚ ଖଣ୍ଡ ଶହେ ଟଙ୍କା ନୋଟ୍ ପକାଇଦେଲେ ବୟର ଟ୍ରେ ଉପରକୁ । ମୋ କାନ ପାଖରେ ଅନନ୍ତର ଧାରା ବିବରଣୀ–“କ’ଣ ଦେଖୁଛ ? ଏମାନେ ହେଲେ ସବୁ ଜଣେ ଜଣେ ବିରାଟ ଲୋକ । ଏଇ ଟେବୁଲରେ ହୁଏତ ଲକ୍ଷ ଲକ୍ଷ ଟଙ୍କାର ‘ଡିଲ୍‌’ ଚୂଡ଼ାନ୍ତ ହୋଇଯାଉଛି ଏଇ ମୁହୂର୍ତ୍ତରେ । ଏମାନେ ଆଜି ରାତିସାରା ପିଇବେ–ରାତିପାହାନ୍ତାବେଳକୁ ହୁଏତ ଏମାନଙ୍କ ଭିତରୁ କେତେକଙ୍କୁ ବୁହା ହୋଇ ତାଙ୍କ ସୁଟ୍‍କୁ ନିଆଯିବ । କାଲି ସକାଳେ ଚେତା ଫେରିଲେ, ପୁଣି ପିଇବେ, ପେଗ୍ ଉପରେ ପେଗ୍ ତା’ ସାଙ୍ଗକୁ ନାରୀ । ଏ ଦୁଇ ଦିନ ଧରି ଯା ସବୁ ଏଠି ଚାଲିବ ତା’ ଅକଥନୀୟ । ତା’ପରେ ଛୁଟି ସରିଗଲେ ସେମାନେ ଯେତେବେଳେ ତାଙ୍କର ନିଜ ନିଜର ‘କର୍ମକ୍ଷେତ୍ରକୁ ଫେରିଯିବେ,–ମାଇ ଗଡ଼୍–କେତେ ଯେ ଏମାନେ କାମ କରିପାରନ୍ତି ତା’ ତୁ କଳ୍ପନା କରିପାରିବୁ ନାହିଁ । ମୁଁ ଦେଖିଛି ଆମ ଭଳି ଦଶ ଜଣଙ୍କ କାମ ଏମାନଙ୍କର ଜଣକୁ ନିଅଣ୍ଟ । ଅସମ୍ଭବ ଏମାନଙ୍କର ଶାରୀରିକ ଶକ୍ତି । ଦିନକୁ ଅଠର କୋଡ଼ିଏ ଘଣ୍ଟା ଖଟିବା ଏମାନଙ୍କର ସାଧାରଣ ଅଭ୍ୟାସ । ଯେମିତି ଖଟୁଛନ୍ତି ସେମିତି ଦୁଇ ହାତରେ ଅର୍ଥ ଉପାର୍ଜନ କରୁଛନ୍ତି । ପ୍ରତ୍ୟେକେ ଜଣେ ଜଣେ ଧନର କୁବେର । ପ୍ରତ୍ୟେକେ ଜଣେ ଜଣେ ସକସେସ୍‌ଫୁଲ ମେନ୍ । ତୁମ ଆମ ଭଳି ‘ମରେଲିଟି’କୁ ସାରୁପତ୍ରରେ ବାନ୍ଧି ରାତିଦିନ ଜଗି ବସି ନାହାଁନ୍ତି, ‘ଭାଗ୍ୟ’ ‘ଭଗବାନ’ ଉପରେ ସବୁକଥା ଛାଡ଼ିଦେଇ ନିଶ୍ଚେଷ୍ଟ ହୋଇ ବସି ରହିବାକୁ ଏମାନେ ଘୃଣା କରନ୍ତି । ଏମାନେ ବାସ୍ତବରେ ଜଣେ ଜଣେ ସାର୍ଥକ ପୁରୁଷ ।”

 

ସମ୍ପ୍ରତି ମୋର ସହଯାତ୍ରୀ ମିଃ ମାଲହୋତ୍ରା ଉଠି କବାଟ ଖୋଲି କରିଡ଼ରକୁ ବାହାରିଗଲେ । ମୋର ଦୃଷ୍ଟି ପଡ଼ିଲା ତାଙ୍କ ବର୍ଥ ଉପରେ ପଡ଼ିରହିଛି ସ୍ଫୀତୋଦର ଏକ ମନିପର୍ସ୍ । ଗୋଲଡ଼୍ ସିଗ୍ରେଟ କେସ୍ ଓ ଲାଇଟର । ଏ ଭଦ୍ରଲୋକ ତାହାହେଲେ ସେଇ ସକସେସଫୁଲ-ପୁରୁଷ ଶ୍ରେଣୀଭୁକ୍ତ ଏକ ପୁରୁଷପୁଙ୍ଗବ । ମନ ତଳେ କିପରି ଏକ ସଂକୋଚ; ଏକ ଅସ୍ୱସ୍ତି ଭାବ ଅନୁଭବ କଲି । ଭଦ୍ରଲୋକଙ୍କ ଫେରିବାରେ ବିଳମ୍ବ ହେଉଛି । ମୋର ଶୋଇବାବେଳ ଗଡ଼ିଯାଉଛି, ଘଡ଼ିରେ ଦଶଟା ବାଜିଗଲାଣି । ବଡ଼ ଆଲୁଅ ଲିଭାଇ ଦେଇ, କେବଳ ଅଳ୍ପ ଶବ୍ଦ-ସମ୍ପନ୍ନ ନେଳି ଲାଇଟ୍‌ଟାକୁ ଅନ୍ କରି ଦେଇ ବିଛଣାରେ ଆଖିବୁଜି ପଡ଼ିରହିଛି । ଭଦ୍ରଲୋକ ଫେରି ଆସିଲେ । ରାତି ପୋଷାକ ବଦଳାଇ ନେଇଛନ୍ତି । ତାଙ୍କ ସଙ୍ଗେ ଆଉ କଥା କହିବାର ପ୍ରବୃତ୍ତି ମୋର ନଥିଲା । କେତେକ୍ଷଣ ମଧ୍ୟରେ ନିଦ୍ରାରେ ଅଚୈତନ୍ୟ ହୋଇପଡ଼ିଲି ।

 

ରାତି କେତେ ହେବ କେଜାଣି, ଗୋଟାଏ ଗାଡ଼ି ପାସ୍‌କଲା ନା କ’ଣ, ସେଇ ଶବ୍ଦରେ ନିଦଟା ଥରେ ଭାଙ୍ଗି ଯାଇଥିଲା । ନିଦ ମଳମଳ ଆଖିରେ ଝରକାଆଡ଼େ ଥରେ ଦେଖିନେଇ ପୁଣି ଶୋଇବାର ଉପକ୍ରମ କରୁଥିଲି, ଦେଖିଲି କ୍ଷୀଣ ଆଲୁଅରେ ଭଦ୍ରଲୋକ ତାଙ୍କ ବର୍ଥ ଉପରେ ସେହିପରି ଆଉଜି ବସିଛନ୍ତି । ଟେବୁଲ ଉପରେ ବୋତଲ, ଗ୍ଲାସ୍, ହାତରେ ଜ୍ୱଳନ୍ତ ସିଗ୍ରେଟ । କଡ଼ ଲେଉଟାଇ ପୁଣି ଶୋଇପଡ଼ିଲି ।

 

ଆଉଥରେ ନିଦ ଭାଙ୍ଗିଗଲା ବୋଧହୁଏ । ରାତିର ଶେଷ ଭାଗରେ । ତକିଆ ତଳୁ ଘଡ଼ି ବାହାର କରି ଦେଖିଲି ‘ଚାରିଟା କୋଡ଼ିଏ’ । ମୋର ଶଯ୍ୟାତ୍ୟାଗ କରିବାର ପ୍ରାୟ ସ୍ଵାଭାବିକ ସମୟ-। ସାରା ରାତିର ସୁଷୁପ୍ତି ଫଳରେ ଦେହ ମନ ବେଶ୍ ତାଜା ଲାଗୁଛି । ଶଯ୍ୟା ଉପରେ ଉଠିବସିଲି; କିନ୍ତୁ ଏ କ’ଣ ? ଆଗ ବର୍ଥ ଉପରେ ଭଦ୍ରଲୋକ ସେଇ ଏକାଭାବରେ ବସି ରହିଛନ୍ତି-ଶଯ୍ୟା ଅସ୍ପଷ୍ଟ । ଭଦ୍ରଲୋକ ତାହାହେଲେ କ’ଣ ସାରା ରାତି ନ ଶୋଇ ଏମିତି ବସି ରହିଛନ୍ତି । ରାତିଟା କାବାର କରିଦେଲେ କେବଳ ପିଇ ପିଇ ସିଗ୍ରେଟ ଫୁଙ୍କି ଫୁଙ୍କି । ମୋ ମନୋଭାବରେ ଉତ୍ତର ଦେଲାଭଳି ସେଇ ବର୍ଥରୁ ଭଦ୍ରଲୋକଙ୍କ କଣ୍ଠ-ଶବ୍ଦ ଶୁଣିଲି, “ଭାରି ବିସ୍ମିତ ହେଉଛନ୍ତି ନା-? କିନ୍ତୁ ବିସ୍ମିତ ହେବାର କିଛି ନାହିଁ । ବହୁବର୍ଷ ହେଲା ମୁଁ ଶୋଇନାହିଁ । ଶୋଇ ପାରୁନାହିଁ । ମୋ ଆଖିରେ ନିଦ ନାହିଁ । Thou hath murdered sleep–Thou shalt sleep no more.” ଭଦ୍ରଲୋକ ଅଳ୍ପ ଶବ୍ଦକରି ହସୁଛନ୍ତି । ବୁଝିଲି ଭଦ୍ରଲୋକ ପ୍ରକୃତିସ୍ଥ ନୁହଁନ୍ତି-। ମୋ ମନକଥା ବାରିନେଇ ସେ ପୁଣି କହି ଉଠିଲେ ‘ଆପଣ ବୋଧେ ଭାବୁଛନ୍ତି ଏଗୁଡ଼ା ମାତାଲର ପ୍ରଳାପ । କିନ୍ତୁ ବିଶ୍ୱାସ କରନ୍ତୁ ମୁଁ ଆଦୌ ମାତାଲ ନୁହେଁ । ଯେତେ ପିଇଲେବି ନିଶା ଧରୁନାହିଁ-। ସ୍ଲିପିଂ ଟେବଲେଟ ଗୁଡ଼ା ବିଲ୍‍କୁଲ୍ ଅକାମୀ ହୋଇ ପଡ଼ିଲାଣି ।” ପଚାରିଲି “କିନ୍ତୁ କାହିଁକି ? ଆପଣଙ୍କର ତ ଧନଦୌଲତ୍ ପ୍ରଚୁର । ଅତୁଟ ଆପଣଙ୍କର ସ୍ଵାସ୍ଥ୍ୟ । ଆପଣ ତ ନିଶ୍ଚୟ ଜଣେ ସକସେସ୍‌ଫୁଲ ମେନ । କ’ଣ ଆପଣଙ୍କର ଅଭାବ ?” ଭଦ୍ରଲୋକ ନୀରବ ରହି ତାଙ୍କ ଗ୍ଲାସ୍‍ରୁ ଅବଶିଷ୍ଟାଂଶ ଗଳାରେ ଢାଳିନେଲେ । ଗୋଟେ ନୂଆ ସିଗ୍ରେଟ ଲଗାଇ ଧୀରେ ଧୀରେ କହିଲେ ‘‘ଆପଣଙ୍କ ଅନୁମାନ ଠିକ୍ । ମୋର ସବୁ ଅଛି, ପ୍ରଚୁର ପରିମାଣରେ ଅଛି–ଧନ, ଜନ, ମାନ, ପ୍ରତିପତ୍ତି । କିନ୍ତୁ କାଲି ସାରା ରାତି ବସିରହି ନିଦ୍ରାମଗ୍ନ ଆପଣଙ୍କୁ ଦେଖୁଦେଖୁ ମୋର ମନେହେଲା ମୋର କିଛି ନାହିଁ । ମୁଁ କେତେ ନିଃସ୍ୱ, କେଡ଼େ ଅସହାୟ ତା’ ଯେପରି ପ୍ରଥମଥର ବୁଝିପାରିଲି-। କେତେ ଅକ୍ଳେଶରେ ଆପଣ ଶୋଇପଡ଼ିଲେ । ଆଉ କେତେ ନିବିଡ଼, କେତେ ସୁନ୍ଦର ସେଇ ସୁପ୍ତି-। କି ମର୍ମାନ୍ତକ ଭାବରେ ଯେ ମୁଁ ଆପଣଙ୍କୁ ଈର୍ଷା କରିଛି, ତା’ କଥାରେ କହିପାରୁନାହିଁ ।” ତାଙ୍କର କଣ୍ଠ କ୍ରମେ କ୍ରମେ ଉତ୍ତେଜିତ ହୋଇ ଉଠୁଛି । “ଦେବେ, ଦେବେ ଆପଣଙ୍କ ନିଦ୍ରାରୁ ମୋତେ କାଣିଚାଏ ? ଯା ମୂଲ୍ୟ ମାଗିବେ ମୁଁ ଦେବାକୁ ପ୍ରସ୍ତୁତ । ପଚାଶ ହଜାର, ଲକ୍ଷେ, ଦୁଇଲକ୍ଷ-?” ଭଦ୍ରଲୋକ ନିଜ ଉତ୍ତେଜନାରେ ନିଜେ ଲଜ୍ଜିତ ହେଲେ ପରା, ବିନୀତ କଣ୍ଠରେ ଅନୁନୟ କଲେ–‘‘ଫର ହେଭେନ୍‌ସ ସେକ୍ । ମୋତେ ମାତାଲ ବୋଲି ଭାବିବେ ନାହିଁ । ମୁଁ ଆଦୌ ମାତାଲ ନୁହେଁ । ଯା କହୁଛି ତା’ ମୋ ଅନ୍ତରର କଥା । ଏହାଠାରୁ ଅଧିକ ସିରିଅସଲି ମୁଁ କେବେ କୌଣସି କଥା କହିନାହିଁ । ମୁଁ ଆପଣଙ୍କର ପ୍ରାୟ ସମବୟସୀ । ଆମର ବୃତ୍ତି ଓ ଯାତ୍ରାପଥ ବିଭିନ୍ନ ହୋଇପାରେ, କିନ୍ତୁ ଜୀବନରେ ପଦେପଦେ ତ ଜଞ୍ଜାଳ ସମସ୍ୟା ଭରି ରହିଛି । ଯେ ଯେଉଁ ମାର୍ଗରେ ଯାଉପଛେ ତାକୁ ତ ଏ ସବୁର ମୁକାବିଲା କରିବାକୁହିଁ ହେବ । ସେଥିରେ ଆପଣଙ୍କର ସେୟାର କାହାରିଠାରୁ ଊଣା ନୁହେଁ । ଅଥଚ ଆପଣ ତ ଆଖି ବୁଜିବା ସଙ୍ଗେ ସୁଇଚ ଟିପିଲା ଭଳି ନିଦ୍ରା ଓହ୍ଲାଇ ଆସି ଆପଣଙ୍କୁ କୋଳକୁ ଟାଣି ନେଇଗଲା । ଆଉ ମୁଁ ଉଚ୍ଛିଷ୍ଟ ଭଳି ଏଠି ପଡ଼ିରହିଛି–ନିଜର ଗ୍ଳାନରେ, ନିଜର ଦାହରେ ଦହି ହୋଇ ହୋଇ ।”

 

ଭଦ୍ରଲୋକ ନୀରବ ହେଲେ । ମୋ’ ମନ ତଳେ ନାନା ପ୍ରଶ୍ନ ନାନା ସଂଶୟ । ଏ କ’ଣ ସବୁ ମାତାଲର ପ୍ରଳାପ ? ନା ଆଉ କିଛି ? ହୁଏତ ରାତି ଶେଷରେ ଏହି ଅଲୌକିକ ମୁହୂର୍ତ୍ତରେ କ୍ଷତ-ବିକ୍ଷତ ଏକ ଆତ୍ମାର ସ୍ଵୀକାରୋକ୍ତି ଅଲକ୍ଷିତରେ ନିଃସୃତ ହେଉଛି । ଏକ ଅନ୍ଧକାରମୟ ପ୍ରାଣର ତଟ ଦେଶରେ ପ୍ରଥମ ଉଷାର ଉଦୟ ହେଉଛି....

 

ଗାଡ଼ିର ବେଗ କମିଆସିଲା । ଆଗରେ ମୋ ଷ୍ଟେସନ୍–ସେଠି ମୁଁ ଓହ୍ଲାଇଯିବି । ଝରକା କାଚ ପଛ ଆଡ଼େ ଅନ୍ଧକାର କଟିଯାଇ ଆଲୋକ ଫୁଟୁଛି । ନିର୍ମେଘ, ନିର୍ମଳ ଆକାଶ କ୍ରମେ ସ୍ଵଚ୍ଛ ହୋଇ ଆସୁଛି । ସୂର୍ଯ୍ୟୋଦୟର ବିଳମ୍ବ ନାହିଁ ।

 

ଗାଡ଼ି ଷ୍ଟେସନ୍ ଭିତରକୁ ପଶୁଛି । ଷ୍ଟିୱାର୍ଡ଼ ଆସି ମୋ ଜିନିଷପତ୍ର ଆଗରୁ ନେଇ ଯାଇଛି-। ଛିଡ଼ା ହୋଇ ମାଲହୋତ୍ରାଙ୍କଠାରୁ ବିଦାୟ ନେବାକୁ ଯାଇ ତାଙ୍କର ଦୁଇ ହାତ ମୋ ଦୁଇ ହାତ ଭିତରେ ଧରିଲି । ଭୀରୁ ପକ୍ଷୀଶାବକ ପରି ତାଙ୍କର ହାତଯୋଡ଼ିକ ଯେପରି ମୃଦୁ ମୃଦୁ ଥରୁଛି-। ସେଇ ଥରଥର ହାତ ଯୋଡ଼ିକୁ ମୋ ହାତ ଭିତରେ ଧରି ରଖି ଧୀରେ ଧୀରେ ଆଉଁଷିବାକୁ ଲାଗିଲି-। ମନେହେଲା ଯେପରି ମୋ’ ହୃଦୟର ସକଳ ସ୍ନେହ, ମମତା, ସହାନୁଭୂତି ନିଃସୃତ ହୋଇ ମାଲହୋତ୍ରାଙ୍କ ସର୍ବ ଦେହରେ ସଂଚାରିତ ହେଉଛି, ହଠାତ୍ କାହିଁକି ମନେ ହେଉଛି ଏଥର ମାଲହୋତ୍ରା ଶୋଇ ପଡ଼ିବେ–ଗାଢ଼ନିଦ୍ରାରେ ଅଚେତନ ହୋଇପଡ଼ିବେ ।

 

ହୁଇସିଲ୍ ବାଜି ଉଠିଲା । ତରବରରେ ହାତ ଛଡ଼ାଇ ନେଇ ମୁଁ ଗାଡ଼ି ଭିତରୁ ବାହାରି ଆସିଲି । ଟାକ୍‌ସିରେ ଯାଉଁ ଯାଉଁ ଚାରିଆଡ଼କୁ ଚାହିଁଲି । ଏମିତି ସୁନ୍ଦର, ଉଜ୍ଜ୍ଵଳ ସକାଳ ଆଗରୁ କେବେ ଦେଖିଥିଲି ବୋଲି ତ କାହିଁ ମନେ ପଡ଼ୁନାହିଁ ।

Image

 

ଶ୍ରୀ ଭୁବନେଶ୍ଵର ବେହେରା

ରୋମନ୍ଥନ

 

ବିଚରା ବଳଦ ସକାଳୁ ସନ୍ଧ୍ୟାଯାଏ ଖଟେ; କିନ୍ତୁ ତା’ ଦୁଃଖ ଗୁହାରି କିଏ ଶୁଣେ ? ଖୁସି ହେଲା ତ ମାଲିକ କେବେ ତା’ ଦେହରେ ଟିକିଏ ହାତ ବୁଲାଇ ଆଣେ, ଅଥବା ତା’ ମୁହଁ ପାଖରେ ପାଳ ବିଡ଼ାଏ ପକାଇଦିଏ । ନହେଲେ ଏଠୁସେଠୁ ନିଜେ ଯୋଗାଡ଼କରି କିଛି ଖୁଣ୍ଟି ଖାଇବା କଥା; ପଘା ଛିଣ୍ଡାଇ ରାତିରେ କାହା ବାଡ଼ି ବଗିଚାରୁ ଜଗୁଆଳି ଉଠିବା ପୂର୍ବରୁ ଦି’ ପୁଲା ମାରିଦେବା କଥା–

 

ଜୟଦେବବାବୁ ବାରନ୍ଦାରେ ପଡ଼ିଥିବା ବେତଚୌକିଟିରେ ବସି ରାସ୍ତା ଆଡ଼କୁ ଅନାଇଥିଲେ; ରାସ୍ତାରେ ଲୋକ ଗହଳି ଜମି ନଥିଲା । ମନେ ହେଉଥିଲା ସତେ ଯେମିତି ରାସ୍ତାଟି ନିଦରୁ ଉଠି ଏବେବି ଢୁଳାଉଛି ।

 

ଛୋଟ ଛୁଆ ଦିଓଟି କେଉଁ ଗୋଟିଏ ସ୍କୁଲ୍‍ର ୟୁନିଫର୍ମ ପିନ୍ଧି ଆଲୁମିନିଅମ୍ ବାକ୍‌ସ ଧରି ଧୀରେ ଧୀରେ ଚାଲୁଥିଲେ । ବଡ଼ଟି ଝିଅ ଆଉ ସାନଟି ପୁଅ–ବୋଧହୁଏ ଦୁଇ ଭାଇ ଭଉଣୀ । ଭଉଣୀ ତା’ର ଫ୍ରକ୍ ପକେଟରୁ କ’ଣ ଗୋଟାଏ ବାହାରକରି ପାଟିରେ ଛଡ଼ାଇ ଖାଇଲାବେଳକୁ ପୁଅଟି ପାଖକୁ ଯାଇ ଅନାଉଥିଲା–ବୋଧହୁଏ ଚିନାବାଦାମ–ନିଜ ଭାଗ ଆଗ ଖାଇଦେଇ ନାନୀର ଅଂଶରୁ ଭାଗ ମାରିବାର ଫନ୍ଦି ନିଶ୍ଚୟ ।

 

ସ୍କୁଟର୍‍ଟିଏ । ମହିଳା ଜଣକ ପଣତକାନି ଉଡ଼ାଇ ପଛ ସିଟ୍‌ରେ ବସିଥିଲେ, ଆଉ ଥରକୁଥର ପଣତ ସଜାଡ଼ୁଥିଲେ । ସ୍କୁଟର୍‍ ଚଲାଉଥିବା ନିଶୁଆ ଭଦ୍ରଲୋକଟି ବୋଧହୁଏ ତାଙ୍କର ସ୍ଵାମୀ ।

ବେଗ୍‌ଧରି ହଲି ହଲି ଯାଉଥିବା ଲୋକଟି ନିଶ୍ଚୟ ଜଣେ ଚପରାସି । ଅନ୍ୟଦିଗରୁ ଆସୁଥିବା କେହି ଜଣେ ସାଙ୍ଗକୁ ଭେଟି ମୁହଁକୁ ମୁହଁ ଲଗାଇ ଗପ ଆରମ୍ଭ କରିଦେଇଛି–ବିପରୀତ ଦିଗରୁ ଭେଟାଭେଟି ହୋଇ ନିଶ ଘଷାଘଷି ହେଉଥିବା ଦିଓଟି ପିମ୍ପୁଡ଼ିଙ୍କ ପରି । ଜଣକର ବିଡ଼ି ନିଆଁରୁ ଆଉ ଜଣେ ବୋଧହୁଏ ନିଜ ବିଡ଼ିରେ ନିଆଁ ଲଗାଇନେଲା ।

ବସ୍‌ଟିଏ ବତିଖୁଣ୍ଟ ପାଖରେ ଅଟକିଗଲା, ଆଉ ଛିଡ଼ାହୋଇଥିବା ଲୋକମାନଙ୍କୁ ଗୋଟା ଗୋଟା ଗିଳିଦେଇ ପୁଣି କୁଆଡ଼େ ଚାଲିଗଲା ପଛ ପାଖରୁ ହାତ ହଲାଇ ହଲାଇ ଦଉଡ଼ୁଥିବା ଭଦ୍ରଲୋକଙ୍କୁ ଅପେକ୍ଷା ନ କରି । ସାଇକେଲ ରିକ୍ସା–ପାଳବିଡ଼ାଲଦା ବଳଦଗାଡ଼ି...

ସମସ୍ତେ ନିଜ କାମରେ ଲାଗିଯାଇଛନ୍ତି, କେବଳ ବସି ରହିଛନ୍ତି ଜୟଦେବବାବୁ । ବସିରହିବାହିଁ ସତେ ଯେମିତି ତାଙ୍କର କାମ । ଅସ୍ଵସ୍ତିର ଗୋଟିଏ ଲମ୍ବା ନିଃଶ୍ଵାସ ନେଇ ଜୟଦେବବାବୁ ଭାବନାରେ ବୁଡ଼ି ରହିଲେ । ହଁ–ତାଙ୍କପାଇଁ ଏବେ ଆଉ ସମୟର ମୂଲ୍ୟ ନାହିଁ–ସମୟ ତାଙ୍କପାଇଁ ଗତିହୀନ, ସ୍ଥିର–ଠିକ୍ ସେଇ ରାସ୍ତାର ବତିଖୁଣ୍ଟ ପରି । ବସ୍‌ରେ ଯେଉଁମାନେ ଛୁଟି ଚାଲିଛନ୍ତି ସେମାନଙ୍କ ଆଖିରେ ସେ ବତିଖୁଣ୍ଟଟି ଅବଶ୍ୟ ବେଶ୍ ଗତିଶୀଳ; କିନ୍ତୁ ଯେଉଁମାନେ ତାଙ୍କ ପରି ଏମିତି ବସିରହି ସେ ଖୁଣ୍ଟକୁ ଅନାଇଛନ୍ତି, ସମସ୍ତ ଠିକ୍ ସେପରି । ଯେଉଁମାନେ ନିଜ ନିଜ କାମରେ ଧାଇଁଛନ୍ତି, ସମୟବି ସେମାନଙ୍କ ସଙ୍ଗରେ ଧାଇଁଛି–ହୁଏତ ବିପରୀତ ଦିଗରେ । ଆଉ ଯେଉଁମାନଙ୍କର କାମଧନ୍ଦା ନାହିଁ, ସମୟ ସେମାନଙ୍କ ପାଇଁ ଶିକାରକୁ ଛପି ରହିଥିବା ଠିକ୍ ଗୋଟାଏ ଅଜଗର ପରି ସ୍ଥିର । ବେଳକାଳ ଉଣ୍ଡି ଧରି ନେଇ ଗିଳି ପକାଇବ ଯାହା ।

ପାଖରୁ ଆସୁଥିବା କିଛି ଗୋଟାଏ ଶବ୍ଦ ଜୟଦେବବାବୁଙ୍କ ଭାବନାର ଖିଅ ଛିଣ୍ଡାଇଦେଲା । ସେ ଚାରିଆଡ଼ିକି ଚାହିଁଲେ । ଅନତିଦୂରରେ ଶୋଇ ରହିଥିବା ଗାଈଟି ବୋଧହୁଏ ଘର ପଛପାଖରୁ ଆସୁଥିବା ହମ୍ମା ଡାକର ଉତ୍ତର ଦେଇଛି ।

ଗାଈଟି ବେଶ୍ ନିଶ୍ଚିନ୍ତରେ ଶୋଇଥିଲା ଆଉ ପାକୁଳି ମାରୁଥିଲା । ନିମୀଳିତ ଆଖିଦିଓଟି ବେଳେବେଳେ ସାମାନ୍ୟ ଖୋଲିଯାଉଥିଲା । ମଝିରେ ମଝିରେ କାନ ହଲାଇ ନିଜ ମୁହଁକୁ ନିଜେ ବିଞ୍ଚୁଥିଲା, ଆଉ ମୁଣ୍ଡ ହଲାଉଥିଲା–ସତେ ଯେମିତି କାହାର ଏକାନ୍ତ ଅନୁରୋଧ ରକ୍ଷା କରି ନ ପାରି ସେ ନାସ୍ତିବାଣୀ ଶୁଣାଉଛି ।

ଜୟଦେବବାବୁଙ୍କ ଭାବନା ଏଥର ଗାଈ ଆଡ଼ିକି ମୁହାଁଇଲା । ତାଙ୍କର ମନେହେଲା ଗାଈ ଯେମିତି ମନକୁମନ ହସୁଛି । ହୁଏତ କଳ୍ପନା କରୁଛି ଯେ କିଛି ଲୁଣ ଓ ଗୁଡ଼ମିଶା ପେଜ ତୋରାଣି, ସିଝା ବୁଟ ଡାଲି, ଚିନାବାଦାମ ପିଡ଼ିଆ ଆଉ ଚାରି ଚାରି ଇଞ୍ଚ୍ ଲମ୍ବରେ କଟାଯାଇଥିବା କଅଁଳିଆ ଦୂବଘାସର ଗୋଟାଏ ଭରପୂର ଡ୍ରମ୍ ତା’ ଆଡ଼କୁ ଠେଲା ହୋଇ ଆସୁଛି ।

ଘର ପଛ ପାଖରୁ ପୁଣି ସେଇ ହମ୍ମା ଡାକ ।

ଗାଈ କେମିତି ଗୋଟାଏ ଗଳା ଖଙ୍କାରିବା ଶବ୍ଦ ପରି ଅଧା ଅପନ୍ତରିଆ ‘ଏହେଁ’ କଲା । ମନେହେଲା ସତେ ଯେମିତି ଉତ୍ତରରେ କହୁଛି–‘ଭଲ ହୋଇଛି ! ତୁ ସେଇଠି ବନ୍ଧା ହୋଇ ପଡ଼ିଥା-। ଖୋଲିଦେଲେ ତ ଦୁଷ୍ଟାମି କରି ବଗିଚାସାରା ଡେଉଁ ବୁଲିବୁ !’

 

ଗାଈ ମୁହଁରେ ପ୍ରସନ୍ନତାର ଛାପ ସ୍ପଷ୍ଟ ।

 

ଜୟଦେବବାବୁ ଏ ଗାଈର ଜୀବନ ସଙ୍ଗରେ ତାଙ୍କର ନିଜ ଜୀବନ ତୁଳନା କଲେ । ସତରେ କି ସୁନ୍ଦର ଚିନ୍ତାଶୂନ୍ୟ ସଂଘର୍ଷବିହୀନ ଜୀବନ ଏମାନଙ୍କର ! କିଛି କାମ ନାହିଁ କି ଧନ୍ଦା ନାହିଁ–ଆରାମରେ ଏମିତି ଶୋଇ ଶୋଇ ସମୟ କଟାଇ ଦିଅନ୍ତି, ଆଉ ଆଖି ବୁଜି ପାକୁଳି ମାରୁଥାଆନ୍ତି । ଦୁଧ କିଛି ଦିଅନ୍ତି ସତ, ତେବେ ସେଥିପାଇଁ ତ କିଛି କମ୍ ଖାଇବାକୁ ମିଳେନି ! ନିଜ ବାଛୁରୀକୁ ପିଆଇ ସାରିଲାପରେ ସେ ବଳକା ଦୁଧଗୁଡ଼ାକ ନିଜ ପହ୍ନାରେ ସଞ୍ଚି ରଖି କ’ଣ ବା କରନ୍ତେ ! ଆଉ ଜୟଦେବବାବୁ–ତାଙ୍କ ଭାଗ୍ୟରେ ଏମିତି ଆରାମ କାହିଁ ? ସାରା ଜୀବନ ଏକ ନିରବଚ୍ଛିନ୍ନ ଘଣାପେଲାରେହିଁ କଟିଗଲା ।

 

ସେ ହଠାତ୍ ମନେକଲେ ଗାଈ ସଙ୍ଗରେ ନିଜର ତୁଳନା ବୋଧହୁଏ ଠିକ୍ ହେଉନି । ଟିକିଏ ଅପ୍ରତିଭ ହେଲେ ମଧ୍ୟ । ତେବେ କ’ଣ ବଳଦ ସଙ୍ଗରେ ସେ ନିଜର ତୁଳନା କରିବେ ? ତାଙ୍କର ମନେପଡ଼ିଲା ପିଲାଦିନେ ସ୍କୁଲ୍‍ର ଗଣିତ ଶିକ୍ଷକ ତାଙ୍କୁ କେମିତି ବେଳେବେଳେ ବଳଦ ବୋଲି ଆକ୍ଷେପ କରୁଥିଲେ, ଆଉ ସେ କୁଣ୍ଡାଖାଆନ୍ତି ନା ଭାତ ଖାଆନ୍ତି ସେ ସମ୍ବନ୍ଧରେ ସନ୍ଦେହ ପ୍ରକାଶ କରୁଥିଲେ ।

 

ଜୟଦେବବାବୁ ଯେତେ ଭାବିଲେ ସେତିକି ତାଙ୍କର ମନେହେଲା ଯେ, ବଳଦର ଜୀବନ ସଙ୍ଗେ ତାଙ୍କ ଜୀବନର ଯଥେଷ୍ଟ ସାମଞ୍ଜସ୍ୟ ରହିଛି । ବିଚରା ବଳଦ ସକାଳୁ ସନ୍ଧ୍ୟାଯାଏ ଖଟେ; କିନ୍ତୁ ତା’ ଦୁଃଖ ଗୁହାରି କିଏ ଶୁଣେ ? ଖୁସିହେଲା ତ ମାଲିକ କେବେ ତା’ ଦେହରେ ଟିକିଏ ହାତ ବୁଲାଇ ଆଣେ ଅଥବା ତା’ ମୁହଁ ପାଖରେ ପାଳ ବିଡ଼ାଏ ପକାଇଦିଏ । ନହେଲେ ଏଠୁସେଠୁ ନିଜେ ଯୋଗାଡ଼କରି କିଛି ଖୁଣ୍ଟି ଖାଇବା କଥା; ପଘା ଛିଣ୍ଡାଇ ରାତିରେ କାହା ବାଡ଼ିବଗିଚାରୁ ଜଗୁଆଳି ଉଠିବା ପୂର୍ବରୁ ଦି’ପୁଳା ମାରିଦେବା କଥା–ଠିକ୍ ତାଙ୍କପରି । ସକାଳୁ ସଞ୍ଜଯାଏ ତାଙ୍କ ଖାଟେଣି କ’ଣ ସରକାର କେବେ ବୁଝିଲା ? ଦେହରେ ହାତ ମାରିବା କଥା ତ ଛାଡ଼–ସାବାସି ପଦବି ନାହିଁ । ମାସ ଶେଷକୁ ଯେଉଁ ବେତନ ଟିକକ ମିଳୁଥିଲା ତାହା ସେଇ ପାଳବିଡ଼ାକଠାରୁ କେଉଁ ଗୁଣେ ଅଧିକ ? ସେ ଯଦି ନିଜେ ଏଠୁସେଠୁ କିଛି ଖୁଣ୍ଟି ଖାଇ ନଥାନ୍ତେ, ପଘା ଛିଣ୍ଡାଇ କାହା ବାଡ଼ିବଗିଚାରୁ...

 

ତାଙ୍କର ଏ ମନର କଥା କାଳେ କିଏ ଶୁଣିନେଇଥିବ ସେ ଆଶଙ୍କାରେ ସନ୍ତ୍ରସ୍ତ ହୋଇ ଜୟଦେବବାବୁ ଚାରିଆଡ଼ିକି ମୁହଁ ବୁଲାଇଆଣିଲେ ।

 

ହଁ–ବଳଦର ଜୀବନ ପରିହିଁ ତାଙ୍କର ଜୀବନ ।

 

ଆଉ ବଳଦ ଯେତେବେଳେ ବୁଢ଼ା ହୋଇଯାଏ ! ଚାଷୀ ତଥାପି ତା’ ଉପରେ ଯୁଆଳି ଲଦେ–ଲଙ୍ଗଳ ଫାନ୍ଦେ । ଚାଲି ନ ପାରିଲେ ବାଡ଼ାଏ, ଲାଞ୍ଜ ମୋଡ଼େ, ଦେହରେ କେଞ୍ଚେ; ଆଉ ଯାବତୀୟ ନିର୍ଯାତନା ସବୁ ଦେଇସାରିଲା ପରେ ମଧ୍ୟ ବୁଢ଼ା ବଳଦ ଯେତେବେଳେ ଚାଲିପାରେନି ତାକୁ ବାଧ୍ୟ ହୋଇ ଯୁଆଳି ବନ୍ଧନରୁ ମୁକ୍ତି ଦିଏ ।

 

ଏଇଠି ତୁଳନାଟି କେମିତି ଗୋଳମାଳିଆ ହୋଇଗଲା । ଜୟଦେବବାବୁ ତ ଏବେ ମଧ୍ୟ ଯୁଆଳି ବୋହିବାକୁ ପ୍ରସ୍ତୁତ–ପ୍ରସ୍ତୁତ କାହିଁକି, ଲାଳାୟିତ । ଉତ୍କଣ୍ଠିତ ବୋଲି ମଧ୍ୟ କୁହାଯାଇପାରେ । ଯୁଆଳି ଲଦିଲେ କେଉଁ ଯୁବକ ତାଙ୍କ ସଙ୍ଗରେ କାନ୍ଧ ମିଳାଇ ଚାଲିପାରିବ ? ତଥାପି ଅଠାବନବର୍ଷ ହୋଇଗଲା ବୋଲି–ବାସ୍–ରିଟାୟାର୍ଡ଼ !

 

ମନ ଭିତରେ କିଏ ସତେ ଯେମିତି ଚିତ୍କାର କରିଉଠିଲା–ଅନ୍ୟାୟ–ଘୋର ଅନ୍ୟାୟ !

 

ଜୟଦେବବାବୁ ଉତ୍ତେଜିତ ହୋଇପଡ଼ିଲେ । ବାଁଗୋଡ଼ ଆଣ୍ଠୁ ଉପରେ ଡାହାଣ ଗୋଡ଼ ଲଦି ସେ ଯେଉଁ ମୃଦୁ ପଦ ସଂଚାଳନ କରୁଥିଲେ–ତାହା ବନ୍ଦ ହୋଇଗଲା । ତାଙ୍କର ପ୍ରବଳ ଇଚ୍ଛାହେଲା ସେ ରାସ୍ତାଉପରକୁ ଦଉଡ଼ିଯାଇ ସମସ୍ତଙ୍କ ସାମନାରେ ଏ ଅନ୍ୟାୟର ପ୍ରତିବାଦ କରିବେ । ସମସ୍ତଙ୍କୁ ଗୋଟି ଗୋଟି କରି ପଚାରିବେ–ଚର୍ଚ୍ଚିଲ ଯେତେବେଳେ ପ୍ରବଳ ପ୍ରତାପୀ ହିଟ୍‍ଲର୍ ଓ ମୁସୋଲିନୀ ବିରୁଦ୍ଧରେ ଲଢ଼ୁଥିଲେ, ତାଙ୍କର ବୟସ କେତେ ଥିଲା ? ପ୍ରଶ୍ନ କରିବେ, ଆର୍ଜେଣ୍ଟିନାକୁ ପେରନ୍ ଯେତେବେଳେ ପୁନର୍ବାର ଶାସକ ହୋଇ ଫେରିଆସିଥିଲେ, ସେତେବେଳେ ତାଙ୍କର ବୟସ କେତେ ? ପଚାରି ବୁଝିବେ ମାର୍ଶାଲ୍ ଟିଟୋଙ୍କ ବୟସ । ଡରିବେ କାହିଁକି ? ପୁଣି ସେ ପଚାରିବେ–ଚାଓଙ୍କ ମୃତ୍ୟୁବେଳକୁ ଚୀନର ଶାସନ କ୍ଷମତା ନିଜ ହାତମୁଠାରେହିଁ ରହିଛି ବୋଲି ପ୍ରମାଣିତ କରିଥିବା ମାଓଙ୍କ ବୟସ–‘ଫାରାକ୍‍କାକୁ ଭାଙ୍ଗି ଦେବି’ ବୋଲି ଧମକାଉଥିବା ବଙ୍ଗଳାଦେଶୀ ମୌଲାନା ଭାସାନୀଙ୍କ ବୟସ ।

 

ସେ ଉଠିବାକୁ ଚେଷ୍ଟାକଲେ । ହାତବାଡ଼ି ଦରାଣ୍ଡିଲେ । ବାତଗ୍ରସ୍ତ ରୋଗୀ ଚଲାବୁଲା କରିବାକୁ ସବୁବେଳେ ଚେଷ୍ଟାକରିବା ଉଚିତ ବୋଲି ଜାଣି ଠିଆହେଲା ପରେ ମଧ୍ୟ ଚୌକିରେ ଆଉଥରେ ବସିପଡ଼ିଲେ ।

 

ତାଙ୍କର ଭାବନା ଏଥର ଭିନ୍ନ ମୋଡ଼ ନେଲା ।

 

ସତରେ ସେ ବୁଢ଼ା ହୋଇଯାଇଛନ୍ତି ।

 

ତେବେ ସେ କାହିଁକି ଚାକିରିରୁ ଅବ୍ୟାହତିକୁ ମୁକ୍ତି ବୋଲି ଗ୍ରହଣ କରିନେଇ ପାରୁନାହାନ୍ତି–ଦଣ୍ଡ ବୋଲି ଭାବୁଛନ୍ତି !

 

ଯୁଆଳିରୁ ମୁକ୍ତି କ’ଣ ତେବେ ବୁଢ଼ା ବଳଦକୁ ଦଣ୍ଡ ? ଚିନ୍ତା ସବୁ ଯେମିତି ଗୋଳମାଳିଆ ହୋଇଯାଉଥିବା ପରି ମନେହେଲା । ଆହା–ସତରେ ସେ ବିଚରା ! ମୁକ୍ତି ମିଳେଇ ସେ ଯିବ କେଉଁଠିକି ? ତା’ର ଅଛି ଘର ନା ଦ୍ଵାର–ବାଡ଼ି ନା ବଗିଚା, ବାଣିଜ୍ୟ ବ୍ୟବସାୟ, କମ୍ପାନୀ ସେୟାର, ଘରଭଡ଼ା, ପେନ୍‍ସନ୍ ନା ଚୋରାମାଲ ଟଙ୍କା-ପଇସା ଦିଆନିଆ କାରବାର । ନା ଅଛି ପୁଅ ବୋହୂ, ଝିଅ ଜୋଇଁ, ନାତି ନାତୁଣୀ–ସାଙ୍ଗସାଥୀ । କେହି ଖାଇବାକୁ ଦେବେନି, ଅନ୍ୟର ଖାଦ୍ୟ ଭିତରେ ଥୋମଣି ଭର୍ତ୍ତିକଲେ ସେ କେବଳ ଠେଲାପେଲା ଓ କେଞ୍ଚାଖାଇବ ଯାହା । ତଥାପି କ’ଣ ବୁଢ଼ା ବଳଦ ଶୋଚନା କରେ ? ତାଙ୍କ ଭିତରେ ସତେ ଯେପରି କିଏ ଜଣେ ପ୍ରଶ୍ନକଲା–‘ତମେ ତାହାହେଲେ କାହିଁକି ଏମିତି ବ୍ୟସ୍ତ ହେଉଛ ?’

 

ସତେ ତ ! ଏମିତି ଅଯଥା ବ୍ୟସ୍ତ ନ ହେବା କଥା, ବିରକ୍ତ ନ ହେବା କଥା, ଦୁଃଖବି ନ କରିବା କଥା–ସେଇ ବୁଢ଼ାବଳଦ ପରି ।

 

କିନ୍ତୁ ଦୁଃଖ ନ କରିବେ କେମିତି ? ନ ରାଗିବେ କେମିତି ? ବୁଢ଼ା ବଳଦର ତ ସଂସାର ବୋଲି କିଛି ନଥିଲା–କାହାପାଇଁ ସେ କିଛି କରିନି କି କାହାକୁ କିଛି ଦେଇନି । କର୍ମ ଆଦରି ପଡ଼ିରହିବନି ତ ଆଉ କ’ଣ କରିବ ? ସେ କିନ୍ତୁ ଏଗୁଡ଼ାକଙ୍କ ପାଇଁ କ’ଣ ନ କରିଛନ୍ତି ?

 

ସେଇ ଅଭିମନ୍ୟୁ–ଲଫଙ୍ଗା ହୋଇ ବୁଲୁଥିଲା । ତା’ର ବିଦ୍ୟା ବୁଦ୍ଧି ଯାହା, କେହି ତାକୁ ମେଟ୍, ୱାର୍କ ସରକାର କି ପିଅନ ଚାକିରିଟିଏବି ଦେଇ ନଥାନ୍ତେ । କିଏ ତାକୁ ସର୍ଦ୍ଦାର ମିକ୍‌କା ସିଂହର ଟ୍ରକ୍‍ରେ ହେଲ୍‌ପର୍ କରି ଦେଇଥିଲା ? ସେ ଡ୍ରାଇଭିଂ ଶିଖିଗଲା ପରେ, ଆଉ ପାନା, ରେଞ୍ଚି, ପେଚକସ୍ ଟିକିଏ ଧରି ଜାଣିଲା ପରେ କିଏ ତାକୁ ପୁରୁଣା ଟ୍ରକ୍‌ଟିଏ କିଣିବାପାଇଁ ଟଙ୍କା ଦେଇଥିଲା ? ଆଜି ସେ ଗୋଟିଏ ବଡ଼ ଠିକାଦାର ହୋଇଗଲା ବୋଲି ତାକୁ ଆଉ ଚନ୍ଦ୍ର ସୂର୍ଯ୍ୟ ଦେଖାଯାଉନାହାନ୍ତି କି ସେ ଆଉ ସ୍ଵର୍ଗ ମର୍ତ୍ତ୍ୟ ବାରିପାରୁନି ।

 

କିଏ ତାକୁ ଲାଇସେନ୍‌ସ୍ କରାଇଦେଇ ଠିକାଦାର କଲା ? ସେ ରାସ୍କେଲପାଇଁ କି-ରିସ୍କ୍ ସବୁ ସେ ନ ନେଇଛନ୍ତି ! ଏତେ ଯେଉଁ ଲାଭ ମାରି ଗୋଟା ପରେ ଗୋଟା ଟ୍ରକ୍ କିଣିଗଲା–ବିରାଟ କୋଠା ତୋଳିଲା–ଆଉ ରାଉରକେଲା, ତାଳଚେର, ପାରାଦ୍ଵୀପରେ କେଉଁଠି ହୋଟେଲ କଲା ତ କେଉଁଠି ମଦ ଦୋକାନ ଦେଲା–କାହା ଭରସାରେ ? କାହା ସାହାଯ୍ୟରେ ? ରିଟାୟାର କଲେ ବୋଲି ସେ ତା’ର ଭାଗ୍ୟନିୟନ୍ତା ଚିଫ୍‌ଇଞ୍ଜିନିୟର୍‍ଙ୍କୁ ଏମିତି ବେଖାତିର କରିବ ? ରାଗରେ ଜୟଦେବବାବୁଙ୍କ ବାତଗ୍ରସ୍ତ ଗୋଡ଼ର ଶିରାଗୁଡ଼ିକ ଟାଣି ହୋଇଗଲା । କଷ୍ଟରେ ସେ ଛଟପଟ ହେଲେ, ତଥାପି ସେ ଠିକାଦାର ଅଭିମନ୍ୟୁକୁ ଭୁଲିପାରିଲେନି । ସେଦିନର ଅପମାନ ସେ କେମିତି ବା ଭୁଲିବେ ? ଯେଉଁଦିନ ରିଟାୟାର କଲେ ତା’ ପରଦିନର ଘଟଣା । ସେଦିନବି ସେମିତି ସେ ଏଇ ବେତଚୌକିରେ ବସିଥିଲେ–ଯଦିଓ ସରକାରୀ ଘର ବାରନ୍ଦାରେ । ଦୂରରୁ କାର୍ ହର୍ଣ୍ଣ ଶୁଣିହିଁ ସେ ବୁଝିପାରିଥିଲେ ଯେ ଅଭିମନ୍ୟୁ ତାଙ୍କ ଘରଆଡ଼କୁ ଆସୁଛି–ନିଶ୍ଚୟ ଆଶ୍ଵାସନା ଦେବାପାଇଁ, ଏମିତି ବଳ ବୟସ ଥାଉଁଥାଉଁ ଅବସର ଦେବା ବିରୁଦ୍ଧରେ ପ୍ରତିବାଦ କରିବାପାଇଁ, ତାଙ୍କ ଘରର ଭଲମନ୍ଦ ବୁଝିବାପାଇଁ, ଆଉ ହୁଏତ ତା’ କମ୍ପାନୀର ଉପଦେଷ୍ଟା ହେବା ନିମନ୍ତେ ଅନୁରୋଧ କରିବା ଉଦ୍ଦେଶ୍ୟ ନେଇ । ଆଉ ୨।୩ଟି ଏମିତି ବେତଚୌକି ବାରନ୍ଦାରେ କାହିଁକି ଦେଇନି ବୋଲି ବିରକ୍ତ ହୋଇ ସେ ଚପରାସିକୁ ଡାକ ଛାଡ଼ିଲେ । ମିନିର ମା’ ନିଜେ ଚେୟାରଟିଏ ବୋହିଆଣି ଚେତେଇଦେଲେ ଯେ ରିଟାୟାର କଲା ପରେ ପରେ ଚପରାସି ସବୁ ଯାଇଛନ୍ତି । ୟା ବୋଲି କ’ଣ ମିନିର ମା’ ନିଜେ ଚୌକି ବୋହିବେ ! ସେ ଚିତ୍କାର କରିଉଠିଲେ । କହିଲେ ଚାକିରିରୁ ସିନା ସେ ଅବସର ନେଇଛନ୍ତି, ତାଙ୍କର କ’ଣ କିଛି ଅଭାବ ଅଛି ? ଅଭିମନ୍ୟୁ ପରି ଲକ୍ଷପତି ଠିକାଦାରମାନେ ଯା’ର ସାମାନ୍ୟ ସଂକେତ ପାଇଲାକ୍ଷଣି ହାତଯୋଡ଼ି ସାମନାରେ ଠିଆହୋଇଯିବେ, ତାକୁ ଚପରାସି ଅଭାବ ! ଠିକ୍ ସେତିକିବେଳେହିଁ ସେ ଚୋର ଘରଆଡ଼କୁ ଅନାଇ ଅନାଇ ହର୍ଣ୍ଣ ଦେଇ ଦେଇ ଚାଲିଗଲା । ତା’ପରେ ସେ ଆଜି ପର୍ଯ୍ୟନ୍ତ ଭୁଲରେ ମଧ୍ୟ ତାଙ୍କ ଘରେ ପାଦ ଦେଇନି ।

 

ଆଉ ସେ ନିମକହାରାମ ଗୋବର୍ଦ୍ଧନ ! ଜୟଦେବବାବୁ ରିଟାୟାର କଲେ ବୋଲି ଯେଉଁ ପ୍ରମୋସନ୍ ସବୁ ହେଲା, ସେଥିରେହିଁ ଗୋବର୍ଦ୍ଧନ ହେଲା ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର୍ । ଦିନେହେଲେ କୃତଜ୍ଞତା ଜଣାଇବା ପାଇଁ ଆସିଛି ? ଭାଗେ ସିମେଣ୍ଟରେ ଦୁଇ ଭାଗ ବାଲି ଆଉ ଚାରିଭାଗ ଗୋଡ଼ି ମିଶାଇବା ବଦଳରେ ଠିକାଦାର ତିନିଭାଗ ବାଲି ଆଉ ଛଅଭାଗ ଗୋଡ଼ି ଦେଇ କଂକ୍ରିଟ ଢାଳିଲାବେଳେ ଏଇ ଗୋବର୍ଦ୍ଧନ କାମ ତଦାରଖ କରୁ ନଥିଲା ? ସଡ଼କର ଦୁଇ ଇଞ୍ଚ୍ ରୋଡ଼୍ ମେଟାଲ୍‍କୁ ଚାରି ଇଞ୍ଚ୍ କରି ମାଟି ଧରାପଡ଼ି ନଥିଲା ? ଆମ୍ବକାଠକୁ ସାଗୁଆନ କାଠ ବୋଲି ଦେଖାଇ ରଙ୍ଗ ବୋଳିଦେଇ ଏଇ ଗୋବର୍ଦ୍ଧନ ଚେକ୍ ମେଜର୍‍ମେଣ୍ଟ କରି ନଥିଲା ? ଏଇ ଜୟଦେବ ନଥିଲେ ବେଟା ଛେଲେ କେବେଠୁ ଗୋବରା କି ଗୋବର୍ଦ୍ଧନିଆ ହୋଇସାରନ୍ତାଣି–ତା’ର ପୁଣି ଦିମାକ ! ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର୍ ହେଲା ବୋଲି କ’ଣ ତା’ ଆଖିରେ ମୋତିଆବିନ୍ଦୁ ପଡ଼ିଗଲା ? ରିଟାୟାର୍ଡ଼ ଚିଫ୍‌ଇଞ୍ଜିନିୟର୍‍ଙ୍କୁ ଚିହ୍ନିବି….

 

–ଆଉ କେତେବେଳେ ଗାଧୋଇବ ?

 

ପ୍ରଶ୍ନ ଶୁଣି ଜୟଦେବବାବୁ ଚମକିପଡ଼ିଲେ । ମିନି-ମା’ କେତେବେଳେ ଘର ଭିତରୁ ବାରନ୍ଦାକୁ ଆସି ସାରିଥିଲେ, ଆଉ କହୁଥିଲେ–ସେଇଠି ବସି ବସି କ’ଣ ସବୁ ଏମିତି ଭାବୁଛ ? ଗାଧୋଇବାବେଳର କିଛି ଠିକଣା ନଥାଏ ବୋଲି ତ ତମ ଦେହ ଖରାପ ହୁଏ । ଜଳଖିଆ ନ ଖାଇ ଖାଲି ପେଟରେ ଚା’ ଖାଇଲେ ପେଟ ଗରମ ହୁଏ; ଆଉ ତହିଁରୁ ବାତ ପ୍ରକୋପ…

 

ଜୟଦେବବାବୁ ଅସହିଷ୍ଣୁ ହୋଇ କଥାରେ ବାଧାଦେଇ କହିଲେ–‘ଆସିଲେ ବଡ଼ ଡାକ୍ତର–ଏମ୍.ଡ଼ି.ଏମ୍.ଆର.ସି.ଓ.ଜି. । କହିଲେ କ’ଣ ନା, ଚା’ ଖାଇଲେ ପେଟ ଗରମ, ଆଉ ତହିଁରୁ ବାତର ପ୍ରକୋପ ! ମୋ ଦେହ ଭଲ ନ ରହିଲେ କାହାର କ’ଣ ଭାସିଯିବ ଯେ ! ତମ ଶିଳ୍ପପତି ପୁଅ ତ ସବୁ ପଇସା ନେଲା–ଦିନେ କେବେ ପଚାରି ବୁଝିଛ ବାପା କେମିତି ଅଛନ୍ତି ?”

 

ଏପରି ବିନା ମେଘରେ ବଜ୍ରପାତ ପାଇଁ ମିନି-ମା’ ପ୍ରସ୍ତୁତ ନଥିଲେ । ସେ କିଛିକ୍ଷଣ ପାଇଁ ହତବାକ୍ ହୋଇଯାଇ କହିଲେ, ‘ତମେ ଆଜିକାଲି ଏମିତି ସବୁବେଳେ ରାଗୁଛ କାହିଁକି ? ମୁଁ ତ ତମକୁ କିଛି କହିନି ! ଏବର ଯୁଗ ତ ଦେଖୁଛ–କେଉଁ ପିଲା ବାପ ମା’ପାଇଁ କ’ଣ କଲାଣି ? ସବୁ ସହିବାକୁ ପଡ଼ିବ–ଅଧୈର୍ଯ୍ୟ ହେବାର କ’ଣ ଅଛି ? ମୁଁ ତ ଘର ଚଳାଇନେଉଛି–ତମକୁ ତ କା’ ପାଖରେ ହାତପତାଇବାକୁ ପଡ଼ୁନି !’

 

ଜୟଦେବବାବୁ ଥତମତ ହୋଇଗଲେ । କ’ଣ କରିବେ କିଛି ବୁଝିପାରିଲେନି । ମିନି-ମା’ଙ୍କ ଏଇ ଅବିଚଳିତ ମନୋଭାବ ତାଙ୍କୁ ବିଚଳିତ କରିଦେଲା ।

 

ଜୟଦେବବାବୁ ନିଜ ଭୁଲ ବୋଧହୁଏ ବୁଝିପାରିଲେ । ବିନା କାରଣରେ ମିନି-ମା’ଙ୍କୁ ଆଘାତ ଦେଇଥିବାରୁ ଅନୁତାପରେ ସ୍ଵଗତୋକ୍ତି କଲାପରି କହିଲେ–‘ଜୀବନସାରା ତ ଭୁଲକଲି–ଆଜି କେଉଁ ନୂଆ କଥା ? କାହାପାଇଁ ଏମିତି ଧନ ସଞ୍ଚୟ କରୁଥିଲି…ବୁଢ଼ାବେଳକୁ କ’ଣ ସେଇ ବୁଢ଼ା ବଳଦ ପରି ୟା ତା’ ଡଙ୍ଗାରେ ଜବରଦସ୍ତି ଥୋମଣି ଭର୍ତ୍ତି କରିବାକୁ ଯାଇ ଠେଲାପେଲା ଖାଇବି !

 

ଜୟଦେବବାବୁ ଫଁ ଫଁ ହେଉଥିଲେ । ମନକୁ ମନ କହୁଥିଲେ–ଭଲ ହେଲା, ସେ ଉଚିତ ଶିକ୍ଷା ପାଇଛନ୍ତି । କାହାପାଇଁ ସେ ଏମିତି ଦଉଡ଼-ଧାପଡ଼ କରି, ଚୋରିହାରି କରି, ଖୋସାମତ କରି, ମନ୍ତ୍ରୀଙ୍କ ପଛରେ ଗୋଡ଼ାଇ, ସେକ୍ରେଟେରୀଙ୍କ ପୁଅକୁ କାଖଉଥିଲେ, ଆଉ ଧନ ସଞ୍ଚୟ କରୁଥିଲେ-? ବେଶ୍ ହୋଇଛି !

 

ମିନି-ମା’ କଅଁଳ ଗଳାରେ କହିଲେ–“ମୋ ରାଣ, ଚାଲ–ଗାଧୋଇପଡ଼ି କିଛି ଜଳଖିଆ ଖାଇନେବ । ତମପାଇଁ ଆଜି ତମର ସବୁଠାରୁ ପ୍ରିୟ ଦୋସା ଆଉ ନଡ଼ିଆ ଚଟଣି କରିଦେଇଛି ।”

 

ଜୟଦେବବାବୁ, ମିନି-ମା’ ମୁହଁକୁ ଚାହିଁଲେ । କେଜାଣି କାହିଁକି ହଠାତ୍‌ ତାଙ୍କ ମା’ ମନେପଡ଼ିଲେ । ପିଲାଦିନେ ଅଝଟ ହୋଇ ନଗାଧୋଇଲେ, ରୁଷିଲେ, ଅଭିମାନ କରି ନଖାଇଲେ, ତାଙ୍କ ମା’ ବି ଏମିତି ଗେଲକରି କଥା କହୁଥିଲେ–ଭଲ ଭଲ ଜିନିଷ ଖାଇବାକୁ ଯାଚୁଥିଲେ, ମନ ଭୁଲାଇବାକୁ ଚେଷ୍ଟାକରୁଥିଲେ ।

 

ମିନି-ମା’ ବଢ଼ାଇଥିବା ହାତ ଧରି ଜୟଦେବବାବୁ ଠିଆହେଲେ । ଘର ଭିତରକୁ ଯିବା ପୂର୍ବରୁ ଗାଈଆଡ଼ିକି ଆଉଥରେ ତାଙ୍କର ନଜର ପଡ଼ିଗଲା–ଗାଈ । ମୁହଁରେ ସେଇ ପ୍ରସନ୍ନତାର ଛାପ । ତାଙ୍କର ମନେହେଲା, ଏପରି ପ୍ରଶାନ୍ତ ସେ ଆଉ କେଉଁଠି ଦେଖିଛନ୍ତି । ମିନି-ମା’ଙ୍କ ମୁହଁରେ-! ନିଜ ମା’ଙ୍କ ମୁହଁରେ !

Image

 

Unknown

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

ଚେସ୍-ଖେଳାଳି

 

ଏହି ବାମନଟି ଥିଲା ଏକସମୟରେ ଇଉରୋପର ଶ୍ରେଷ୍ଠ ଚେସ୍-ଖେଳାଳି । ଏହି ବାମନଟିକୁ ହରାଇବା ପାଇଁ କାହାରି ପକ୍ଷରେ ସମ୍ଭବ ହେଉ ନଥିଲା I ହଠାତ୍ ଦିନେ ଏହି ବାମନଟି ଅତି ରହସ୍ୟଜନକ ଭାବରେ ଇଉରୋପରୁ ଅନ୍ତର୍ହିତ ହୋଇଗଲା । ପୋଲିସ୍‍ଠାରୁ ଆରମ୍ଭ କରି ଗୋଇନ୍ଦାମାନେ ଏହାର କୌଣସି ଟେର୍ ପାଇଲେନି ।

 

ରାତି ପ୍ରାୟ ଦୁଇଟା । ହଠାତ୍ ମିସେସ୍ ଭେରନନ୍‌ଙ୍କ ନିଦ ଭାଜିଗଲା । ପଲଙ୍କ ଅଣ୍ଡାଳିପକାଇ ଦେଖନ୍ତି ତ ପଲଙ୍କରେ ସେ ଏକା । ଡକ୍ଟର ଭେରନନ୍ ସେ ପର୍ଯ୍ୟନ୍ତ ଶୋଇବାକୁ ଆସିନାହାନ୍ତି । ତାଙ୍କ ଦେହରେ ହଠାତ୍ ଏକପ୍ରକାର ଚମକ ଖେଳିଗଲା । ସଙ୍ଗେ ସଙ୍ଗେ ଆଲୁଅ ଜାଳି ଦେଖିଲେ ଘଣ୍ଟାରେ ବାଜିଛି ଦୁଇଟା । ବଡ଼ ଚିନ୍ତିତ ହୋଇପଡ଼ିଲେ ସେ । କାଳେ ଗବେଷଣାଗାରରୁ ଆସି ଆଉ କେଉଁ କୋଠରିରେ କିଛି ଧନ୍ଦାରେ ଲାଗିଯାଇଥିବେ, ଜାଣିବାପାଇଁ ଏଘର ସେଘର ଖୋଜିବାକୁ ଲାଗିଲେ ସେ; କିନ୍ତୁ ସବୁଆଡ଼ ଶୂନଶାନ୍ । ପାଖ କୋଠରିରେ ପିଲା ଦୁଇଟି ଗାଢ଼ନିଦରେ ଶୋଇପଡ଼ିଛନ୍ତି । ବଡ଼ ଅଡ଼ୁଆ ଅଡ଼ୁଆ ଲାଗିଲା ତାଙ୍କୁ । ଅଧ୍ୟାପକ ତ ଏତେ ରାତି ପର୍ଯ୍ୟନ୍ତ କେବେ ଗବେଷଣାଗାରରେ ରହନ୍ତିନି !

 

ଅଲକ୍ଷ୍ୟରେ ତାଙ୍କ ହାତ ଗ୍ୟାରେଜ୍ ଚାବିପେନ୍ଥା ଆଡ଼କୁ ଚାଲିଗଲା । ସେ ଅନ୍ୟମନସ୍କଭାବେ ବାହାରିପଡ଼ିଲେ ଗବେଷଣାଗାର ଅଭିମୁଖେ । ମିଉନିକ୍‌ର ସୁବିଖ୍ୟାତ ବିଥେଭେନ୍‌ ଷ୍ଟ୍ରୀଟ୍‌ରେ ତାଙ୍କ ଗାଡ଼ି ଛୁଟିଚାଲିଲା ମିଉନିକ୍ ବିଶ୍ଵବିଦ୍ୟାଳୟ ଅଭିମୁଖେ ।

 

ଗବେଷଣାଗାର ନିକଟରେ ପହଞ୍ଚିଲାବେଳକୁ ସାରା ଗବେଷଣାଗାରଟି ଦିନଭଳି ଆଲୋକିତ । ରାତି ଅଢ଼େଇଟା ବାଜିଯାଇଥିଲେହେଁ ଗବେଷଣାଗାରଟି ଦିନଭଳି ବେଶ୍ ଗହଳଚହଳ ଜଣାପଡ଼ୁଥାଏ । ଯାଉଁ ଯାଉଁ ମିସେସ୍ ଭେର୍‌ନନ ଭାବୁଥାନ୍ତି, ସମ୍ଭବତଃ କିଛି ଗୋଟାଏ ଦୁର୍ଘଟଣା ଘଟିଯାଇଛି ଗବେଷଣାଗାରରେ, ଯା’ପାଇଁ କି ଭେର୍‍ନନ୍ ଏପର୍ଯ୍ୟନ୍ତ ଗବେଷଣାଗାର ଛାଡ଼ିପାରିନାହାନ୍ତି । ତେଣୁ ସେ ତରତର ହୋଇ ଗାଡ଼ିକୁ ପୋର୍ଟିକୋରେ ରଖିଦେଇ ଗବେଷଣାଗାର ଭିତରକୁ ଦୌଡ଼ିଲେ । କେତେ କୋଠରି ପାର ହୋଇ ଭେର୍‍ନନ୍‌ଙ୍କ ରୁମ୍ ଭିତରକୁ ପଶିଆସିଲାବେଳକୁ ଭେର୍‍ନନ୍‌ଙ୍କ ପ୍ରକୋଷ୍ଠରେ ଏକ ଆଲୋଚନା ବସିଥିବାର ଦେଖିଲେ । ପ୍ରାୟ ତିରିଶଜଣ ସରିକି ବୈଜ୍ଞାନିକ ଭେର୍‍ନନ୍‌ଙ୍କୁ ଘେରି ବସିଛନ୍ତି । ଅଧ୍ୟାପକ ତାଙ୍କ ସହକର୍ମୀମାନଙ୍କୁ କ’ଣ ଏକ ବିଷୟ ବୁଝାଇବାରେ ଲାଗିଯାଇଥାନ୍ତି ।

 

ମିସେସ୍ ଭେର୍‍ନନ୍‌ଙ୍କୁ କୋଠରି ଭିତରକୁ ପଶିଆସିବା ଦେଖି ଅଧ୍ୟାପକ ଚମକିପଡ଼ିଲେ-। “ଏଁ, ତୁମେ କ’ଣ ହଠାତ୍ ଏଠାରେ କ୍ୟାଥି ? କ’ଣ ହେଲା ତୁମର ? ଏ ଅବେଳରେ ଏଠାରେ-?”

 

“ଆଜି ରାତିସାରା କ’ଣ ଏଠି ଥିବ, ନା ଘରକୁ ଯିବ ? ଏତେ ରାତି ପର୍ଯ୍ୟନ୍ତ ତୁମେ ଏଠି କ’ଣ ଯେ କରୁଛ ମୁଁ ଭାବିପାରୁନି ବବ୍ !”

 

‘‘ବେଶି ତ ରାତି ହୋଇନି କ୍ୟାଥି ?”

 

‘‘ଆଉ କେତେ ହୁଅନ୍ତା ? ଘଡ଼ିକୁ ଅନାଇଛଟି ? ଅନାଇବାକୁ ବେଳ ନାଇଁ ବୋଧେ ?”

 

ଘଡ଼ିକୁ ଅନାଇଦେଇ, ‘‘ଆଁ, ରାତି ସାଢ଼େ ଦୁଇଟା ?” ଚମକିପଡ଼ିଲେ ଅଧ୍ୟାପକ । ‘‘ତୁମେ ଜାଣିଛ କ୍ୟାଥି, ଆଜି ସନ୍ଧ୍ୟାବେଳୁ ଆମର ଯାନ୍ତ୍ରିକ ଚେସ୍-ଖେଳାଳି ସଙ୍ଗେ ମ୍ୟୁନିକ୍‌ର ବଛାବଛା କେତେ ଚେସ୍-ଖେଳାଳି ଚେସ୍‌ ଖେଳି ହାରିଗଲେଣି । ଆମ ଯାନ୍ତ୍ରିକ ଚେସ୍‌-ଖେଳାଳିର ଖେଳ ଯେ ଦେଖିବ, ଯନ୍ତ୍ରଟିକୁ ପ୍ରଶଂସା ନକରି ରହିପାରିବନି ।”

 

“କାହିଁ, ତୁମେ ତ ମୋତେ ତୁମର ଏ ଯନ୍ତ୍ର କଥା କେବେ କହିନାହଁ ।”

 

“ଆମ ଯନ୍ତ୍ରଟି ଚେସ୍ ଖେଳରେ ଦକ୍ଷତା ହାସଲ ନକଲା ପର୍ଯ୍ୟନ୍ତ ଆମେ କାହା ଆଗରେ କହିବୁ କେମିତି ? ଆମ ଯନ୍ତ୍ରର ଦକ୍ଷତା ଆଜି ପ୍ରମାଣିତ ହୋଇଯାଇଛି । ଏଥର ଆମେ ସବୁଆଡ଼େ କହିବୁଲିବୁ ଏହାର ଦକ୍ଷତା । ହଁ, ତୁମେ ତ ଭଲ ଚେସ୍ ଖେଳ କ୍ୟାଥି ! ଆମ ଯନ୍ତ୍ର ସହିତ ଖେଳି ଦେଖିଲ, ଯନ୍ତ୍ରଟି କେମିତି ଖେଳିପାରୁଛି ।”

 

ମିସେସ୍ ଭେର୍‍ନନ୍‌ଙ୍କର ଚେସ୍ ଖେଳ ପ୍ରତି ଅତ୍ୟଧିକ ଆଗ୍ରହ । ଚେସ୍ ଖେଳ ନାଁ ପଡ଼ିଲେ ପାଞ୍ଚକୋଶ ବାଟ ଦଉଡ଼ିବେ । ସ୍ଵାମୀଙ୍କର ଏ ଅନୁରୋଧକୁ ସେ ଉପେକ୍ଷା କରିପାରିଲେନି-। ପାରନ୍ତେ ବା କେମିତି ?

 

ଅଧ୍ୟାପକ ଓ ତାଙ୍କ ସହକର୍ମୀମାନଙ୍କ ସହିତ ମିସେସ୍ ଭେର୍‍ନନ୍ ଚେସ୍ ଖେଳର ରୁମ୍‌କୁ ଗଲେ । ଗୋଟିଏ ଛୋଟ ଟେବୁଲର ଗୋଟିଏ ପାଖରେ ବସିଛି ଏହି ଯାନ୍ତ୍ରିକ ଖେଳୁଆଡ଼ । ଯନ୍ତ୍ରଟିର ଦୁଇଟି ହାତ ମଣିଷ ହାତପରି । ମଣିଷ ମୁହଁପରି ମୁହଁ, ଆଖି ଦୁଇଟା କେମେରା ଲେନ୍‌ସ୍‍ଭଳି ଜକଜକ କରୁଥାଏ । ଏହି ଆଖି ସାହାଯ୍ୟରେ ଯନ୍ତ୍ରଟି ଖେଳ ଦେଖି ନିଜ ବିବେଚନାନୁସାରେ ଦୁଇହାତ ସାହାଯ୍ୟରେ ଖେଳେ । ଯନ୍ତ୍ରଟିର ସାମନାରେ ଛୋଟ ଟେବୁଲଟିଏ ପଡ଼ିଛି; ଟେବୁଲ ଉପରେ ଚେସ୍ ଖେଳପଟା । ରାଜା, ରାଣୀ, ସେନାପତି, ହାତୀ, ଘୋଡ଼ା, ସୈନ୍ୟସାମନ୍ତ ଖେଳାମେଳା ହୋଇ ସେହି ପଟା ଉପରେ ପଡ଼ିଛନ୍ତି । ଯାନ୍ତ୍ରିକ ଖେଳାଳିର ସାମନାରେ ଆଉ ଗୋଟିଏ ଖାଲି ଚେଆର୍ ପଡ଼ିଛି । ଯେଉଁମାନେ ଯନ୍ତ୍ର ସହିତ ଚେସ୍ ଖେଳିବେ, ସେମାନେ ଏଇ ଚେଆର୍‍ରେ ବସିବେ ।

 

ମିସେସ୍ ଭେର୍‍ନନ୍ ଚେସ୍ ଖେଳିବା ଅଭିପ୍ରାୟରେ ସଙ୍ଗେ ସଙ୍ଗେ ଖାଲି ପଡ଼ିଥିବା ଚେଆର୍‍ରେ ବସିପଡ଼ିଲେ । ସନ୍ଧ୍ୟାଠାରୁ ରାତିଅଧ ପର୍ଯ୍ୟନ୍ତ ଛ’ସାତଜଣ ବଛାବଛା ଚେସ୍ ଖେଳାଳି ଯନ୍ତ୍ର ସହିତ ଚେସ୍ ଖେଳି ହାରିଗଲେଣି । ତେଣୁ ସେ ଯେ ଜିତିବେ, ସେ ଆଶା ତାଙ୍କର ନଥିଲେହେଁ ଯନ୍ତ୍ରର ଏହି ଖେଳିବା କୌଶଳ ଦେଖିବା ତାଙ୍କର ଭାରି ଇଚ୍ଛା ।

 

ଚେଆର୍ ଉପରେ ବସିପଡ଼ି ସେ ଖେଳ ସଜାଇବାକୁ ଯାଉଛନ୍ତି, ହଠାତ୍ ଯନ୍ତ୍ର କହି ଉଠିଲା, ‘‘ଆପଣ କଷ୍ଟ କରନ୍ତୁନି ମିସେସ୍ ଭେର୍‍ନନ୍ ! ମୁଁ ସଜାଇ ଦେଉଛି । ଆପଣଙ୍କ ଅପେକ୍ଷା ମୁଁ ଶୀଘ୍ର ସଜାଇ ପାରିବି ।”

 

ଅନାଉଁ ଅନାଉଁ ଯନ୍ତ୍ରର ଦୁଇଟିଯାକ ହାତ ଖପ୍‌ଖାପ୍ କରି ରଜା, ରାଣୀ, ସେନାପତି, ହାତୀ, ଘୋଡ଼ା, ସୈନ୍ୟସାମନ୍ତକୁ ଖେଳିବା ପଟା ଉପରେ ଯେମିତି ଭାବରେ ସଜାଇବାର କଥା, ସେମିତି ଆଖିପିଛୁଳାକେ ସଜାଇ ଥୋଇଦେଲା ।

 

ସଙ୍ଗେ ସଙ୍ଗେ ହାତ ଉଠାଇନେଇ କହିଲା, “ଏଥର ଆଉ ଡେରି କାହିଁକି ମିସେସ୍ ଭେର୍‍ନନ୍‌ ! ଖେଳ ଆରମ୍ଭ ହେଉ । ଆରମ୍ଭଟା ଆପଣଙ୍କ ପକ୍ଷରୁ ହେଉ ।”

 

ମିସେସ୍ ଭେର୍‍ନନ୍ ସାର ଚଳାଇବାକୁ ଆରମ୍ଭ କଲେ; ତାଙ୍କ ଚାଳନାକୁ ଅନୁଧ୍ୟାନ କରି ଯନ୍ତ୍ରଟି ତା’ ସାରକୁ ଚଳାଉଥାଏ, ଠିକ୍ ଜଣେ ଦକ୍ଷ ଚେସ୍ ଖେଳାଳି ଭଳି । ବେଳେବେଳେ ଗୋଟିଏ ଗୋଟିଏ ସାରକୁ ଠିକ୍‌ରୂପେ ଚଳାଇବା ପାଇଁ ମିସେସ୍ ଭେର୍‍ନନ୍ ମିନିଟିଏ ଦୁଇମିନିଟ ନେଉଥିବା ସ୍ଥଳେ ଯନ୍ତ୍ରକୁ ସେକେଣ୍ଡଟାଏବି ଲାଗୁ ନଥାଏ । ଯନ୍ତ୍ରର ଏତାଦୃଶ ପଟୁତା ଦେଖି ମିସେସ୍ ଭେର୍‍ନନ୍ ଅବାକ୍ । ସେ ଆଉ ଖେଳିବେ କ’ଣ, ଯନ୍ତ୍ରର ଖେଳ କାଇଦା ଦେଖି ମନେମନେ ଭାରି ଖୁସି ହେଉଥାନ୍ତି । ଏତିକିବେଳେ ହଠାତ୍ ଯନ୍ତ୍ରଟି କହିଉଠିଲା, ‘‘କ୍ଷମା କରିବେ, ମିସେସ୍ ଭେର୍‍ନନ୍, ଆପଣ ବର୍ତ୍ତମାନ ଚାରିଆଡ଼ୁ ବନ୍ଦୀ । ଆପଣ ଆଉ ପାଦେ କେଉଁଆଡ଼କୁ ଯାଇ ପାରିବେନି । ଦେଖିଲେ, ଆପଣ କେମିତି ହାରିଗଲେ ।”

 

ମିସେସ୍ ଭେର୍‍ନନ୍ ଯନ୍ତ୍ରର ଏହି କଥା କେଇପଦରେ ଚମକିପଡ଼ି ଦେଖନ୍ତି ତ, ଯନ୍ତ୍ର ଯା’ କହୁଛି ଠିକ୍ । ତାଙ୍କର ଆଉ କେଉଁଆଡ଼କୁ ଚଳାଇବା ପାଇଁ ବାଟ ନାହିଁ । ହାରିବା ଛଡ଼ା ଅନ୍ୟ ଉପାୟ ତାଙ୍କର ନାହିଁ ।”

 

ଏହି ସମୟରେ ଯନ୍ତ୍ର ପୁଣି କହିଲା, ‘‘ଧନ୍ୟବାଦ, ହାରିଗଲେ ବୋଲି ମନକଷ୍ଟ କରିବେନି । କିନ୍ତୁ ଖେଳଟି ଖୁବ୍ ମଜା ହେଲା, ନୁହେଁ ?”

 

‘‘ଖାଲି ସେତିକି ନୁହେଁ କ୍ୟାଥି’’, ଅଧ୍ୟାପକ ପାଖରେ ଠିଆହୋଇ ଖେଳ ଦେଖୁଦେଖୁ କହିପକାଇଲେ, ‘‘ତୁମେ ଖେଳିଲାବେଳେ କେଉଁଠି କେଉଁଠି ଭୁଲ କଲ ଏ ଯନ୍ତ୍ରଟି କହିଦେଇ ପାରିବ । ତାହାହେଲେ ଭବିଷ୍ୟତରେ ଖେଳିଲେ ସେଭଳି ଭୁଲ ଆଉ କେବେ କରିବ ନାହିଁ; ଫଳରେ ତୁମ ଖେଳ ପୂର୍ବାପେକ୍ଷା ଉନ୍ନତ ହେବ ।”

 

ଯେଉଁଦିନ ବୈଜ୍ଞାନିକ ଭେର୍‍ନନ୍‌ଙ୍କ ଯାନ୍ତ୍ରିକ ଚେସ୍ ଖେଳାଳି କଥା ବିଭିନ୍ନ ଦେଶର ଖବରକାଗଜମାନଙ୍କରେ ବାହାରିଲା, ସେଦିନ ସାରା ପୃଥିବୀରେ ଚହଳ ପଡ଼ିଗଲା ଯନ୍ତ୍ରର ଅପୂର୍ବ ଖେଳପଟୁତା ନେଇ । ଦିନକୁଦିନ ଇଉରୋପର ବଡ଼ବଡ଼ ଚେସ୍-ଖେଳାଳିଙ୍କୁ ଏହି ଯନ୍ତ୍ର ସହିତ ଖେଳିବାକୁ ଦେଇ ସେମାନେ ସମସ୍ତେ ପରାସ୍ତ ହେବାର ଖବର ବାହାରିବାରେ ଚହଳର ମାତ୍ରା ବଢ଼ିବାରେ ଲାଗିଥାଏ । ଇଉରୋପର ସମସ୍ତଙ୍କ ମୁହଁରେ ଯନ୍ତ୍ର ତଥା ଏହାର ନିର୍ମାତା ଭେର୍‍ନନ୍‌ଙ୍କ ଅପୂର୍ବ ପ୍ରଶଂସା । ମିଉନିକ ବିଶ୍ଵବିଦ୍ୟାଳୟର କମ୍ପ୍ୟୁଟର ଗବେଷଣାଗାର ଦିନକୁଦିନ ଖେଳାଳି ତଥା ଦର୍ଶକଙ୍କ ଭିଡ଼ରେ ଅତିଷ୍ଠ ହୋଇପଡ଼ୁଥାଏ । ଇଉରୋପ ଛାଡ଼ି ଆମେରିକା ଓ ଜାପାନର ଚେସ୍ ଖେଳାଳିମାନେ ଏହି ଯନ୍ତ୍ର ସହିତ ଚେସ୍ ଖେଳିବାପାଇଁ ଦୌଡ଼ିଲେ । ହାରିବା ଜିତିବା ଯା’ ହେଉ ପଛକେ, ଯନ୍ତ୍ର ସହିତ ଖେଳିଲେ ଅପୂର୍ବ ଅନୁଭୂତି ଆହରଣ କରି ହେବ ।

 

ମିଉନିକ୍‌କୁ ଯେତେବେଳେ ଚେସ୍ ଖେଳାଳିମାନେ ଧାଡ଼ି ଛୁଟାଇଥାନ୍ତି, ଠିକ୍ ସେତିକିବେଳେ ବୈଜ୍ଞାନିକ ଭେର୍‍ନନ୍‌ଙ୍କ ସହିତ ସାକ୍ଷାତପାଇଁ ଧାଡ଼ି ଲଗାଇଥାନ୍ତି ଇଉରୋପ ତଥା ଆମେରିକାର ପୁଞ୍ଜିପତିମାନେ । ଆଇ.ବି.ଏମ୍., ଆର୍.ସି.ଏ. ଜେନେରାଲ ଇଲେକ୍‌ଟ୍ରିକ୍ ଆଦି କମ୍ପ୍ୟୁଟର-ପ୍ରସ୍ତୁତକାରୀ ସଂସ୍ଥାମାନଙ୍କର ନିଦ ନାହିଁ । ସମସ୍ତଙ୍କର ଚିନ୍ତା, ଭେର୍‍ନନ୍‌ଙ୍କ ଏହି ଅଦ୍ଭୁତ ଯନ୍ତ୍ରର ପେଟେଣ୍ଟ ରାଇଟ୍ କାହାର ହସ୍ତଗତ ହେବ ? ସମସ୍ତଙ୍କର ଆଶା, ଯେତେ ଅର୍ଥ ପଛକେ ପଡ଼ୁ, ସେମାନେ ଏହି ପେଟେଣ୍ଟ୍ ରାଇଟ୍‍କୁ ହସ୍ତଗତ କରିବେ । ଦିନକୁଦିନ ଯେତେ ଅର୍ଥ ପଛକେ ପଡ଼ୁ, ସେମାନେ ଏହି ପେଟେଣ୍ଟ୍ ରାଇଟ୍‌କୁ ହସ୍ତଗତ କରିବେ । ଦିନକୁଦିନ ବଡ଼ବଡ଼ ଚେସ୍ ଖେଳାଳିମାନେ ଯନ୍ତ୍ରଠାରୁ ପରାସ୍ତ ହେଉଥିବା ଖବର ଯେତେ ବାହାରୁଥାଏ, ପୁଞ୍ଜିପତିମାନଙ୍କଠାରେ ପେଟେଣ୍ଟ୍‍ର ମୂଲ୍ୟ ସେତେ ବଢ଼ୁଥାଏ । କିଏ ମନେମନେ ଭାବିଲେଣି ୧୦ କୋଟି ଡଲାର ଦେବେ ତ ଆଉ କିଏ ଭାବି ସାରିଲେଣି କୋଡ଼ିଏ କୋଟି ଡଲାର ଦେବେ ବୋଲି । ଏମିତି କି ଶହେ କୋଟି ଡଲାର ପର୍ଯ୍ୟନ୍ତ ଦେବାର ଧାରଣା କାହା କାହା ମନକୁ ଯେ ନ ଆସିଛି, ତାହା ନୁହେଁ ।

 

ଅଧ୍ୟାପକ ଭେର୍‍ନନ୍‌ଙ୍କ ଚା’ କପ୍‍ରେ ଚା’ ଢାଳୁ ଢାଳୁ ମିସେସ୍ ଭେର୍‍ନନ୍ କହିଲେ, “ତୁମେ ଆଜିକାର ଖବରକାଗଜ ଦେଖିଲଣି ବବ୍ ! ବଡ଼ ଅଦ୍ଭୁତ ଖବର ବାହାରିଛି ସେଥିରେ । ଫ୍ରାନ୍‌ସରେ ଜନୈକ ଚଷମାବେପାରୀ ଆଉ ଏକ ଯନ୍ତ୍ର ଉଦ୍ଭାବନ କରିଛି, ଯାହାକି ତୁମ ଯନ୍ତ୍ର ଭଳି ଚେସ୍ ଖେଳିପାରୁଛି ।”

 

‘ଆଁ, ସତେ,’ ଅଧ୍ୟାପକ ଉତ୍ସୁକ ହୋଇ ଖବରକାଗଜକୁ ନେଇ ପଢ଼ିବାକୁ ଲାଗିଲେ । ଖବରକାଗଜର ପ୍ରଥମ ପୃଷ୍ଠାରେ ଯାନ୍ତ୍ରିକ ଚେସ୍ ଖେଳାଳି ନିର୍ମାତାର ଫଟୋ ବାହାରିଥାଏ । “ଏ ଯନ୍ତ୍ରର ଏକ ସୁବିଧା ହେଉଛି ଏହା ଆକାରରେ ଢେର୍ ଛୋଟ । ଏଥିରେ ଯାନ୍ତ୍ରିକ ଜଟିଳତା ମୋଟେ ନାହିଁ । ସହଜରେ ଜଣେ ଲୋକ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହି ନେଇ ଯାଇପାରିବ-। ଏହାର ନିର୍ମାତା ଆଶା କରନ୍ତି, ‘‘ଏହା ପୃଥିବୀର ସବୁ ଚେସ୍ ଖେଳାଳିଙ୍କୁ ହରାଇ ଚମ୍ପିଅନ ହୋଇପାରିବ । ସେତେବେଳେ ସେ ଏହାକୁ ମାତ୍ର ଏକଲକ୍ଷ ଡଲାର ମୂଲ୍ୟରେ ବିକ୍ରୟ କରିଦେବେ-।”

 

ଏହି ଖବରଟି ପଢ଼ି ଅଧ୍ୟାପକ ଭେର୍‍ନନ୍ ଭାବିବାକୁ ଲାଗିଲେ ଏତେ ଛୋଟ ତଥା ଏଡ଼େ ସରଳ ଯାନ୍ତ୍ରିକ ଚେସ୍‌ ଖେଳାଳି କିଭଳି ସମ୍ଭବ ହୋଇପାରିଲା । ତା’ରି ଉପରେ ସେ ଚିନ୍ତା କରିବାକୁ ଲାଗିଲେ । ହେଲେ, ଏଡ଼େ ସରଳ ଯନ୍ତ୍ର କେମିତି ସମ୍ଭବପର ହେଲା ଚିନ୍ତା କରି ମଧ୍ୟ କିଛି ଥଳକୂଳ ପାଇଲେନି ।

 

ଫ୍ରାନସ୍‌-ତିଆରି ଯାନ୍ତ୍ରିକ ଚେସ୍ ଖେଳାଳିର ପ୍ରସିଦ୍ଧି ଚାରିଆଡ଼େ ହୁ-ହୁ ହୋଇ ବ୍ୟାପିଗଲା । ଦିନକୁଦିନ ଏହା ଯେତେ ଚେସ୍‌ ଖେଳାଳିଙ୍କୁ ପରାସ୍ତ କରୁଥାଏ, ସେତେ ତା’ର ପ୍ରଶଂସା ବଢ଼ୁଥାଏ । ଏହାର ପ୍ରସିଦ୍ଧି ଏତେ ବ୍ୟାପିଗଲା ଯେ ଲୋକେ ମିଉନିକ୍‌ର ଯାନ୍ତ୍ରିକ ଚେସ୍ ଖେଳାଳି କଥା ଭୁଲିଯିବାକୁ ଲାଗିଲେ । ଅବସ୍ଥା ଆସି ଏମିତି ହେଲା, ଯେଉଁମାନେ ଭେର୍‍ନନ୍‌ଙ୍କ କମ୍ପ୍ୟୁଟର ଚାଳିତ ଚେସ୍ ଖେଳାଳିର ପେଟେଣ୍ଟ୍ ରାଇଟ୍ କିଣିବାକୁ ଚାହୁଁଥିଲେ, ସେମାନେ ଆଉ ତହିଁର ନାମ ମଧ୍ୟ ଧରିଲେନାହିଁ । ପକ୍ଷାନ୍ତରେ ସମସ୍ତେ ଚାହିଁଲେ ଏହି ଫରାସୀ ଯନ୍ତ୍ରଟିକୁ କିଣିବାପାଇଁ । ଏହା ଶସ୍ତା, ପୁଣି ଆକାରରେ ଛୋଟ । ଏଥିରେ ଯାନ୍ତ୍ରିକ ଜଟିଳତା ସେମିତି କିଛି ନାହିଁ । ତେଣୁ ସେଭଳି ଯନ୍ତ୍ରର ପେଟେଣ୍ଟ୍ ରାଇଟ୍ ନ କିଣି ଭେର୍‍ନନ୍‌ଙ୍କ ଜଟିଳ ଯାନ୍ତ୍ରିକ ଚେସ୍ ଖେଳାଳିର ପେଟେଣ୍ଟ୍ ରାଇଟ୍ କିଣିବେ କାହିଁକି ?

 

ଜର୍ମାନୀର ବଡ଼ବଡ଼ ସହରର ବଛାବଛା ଚେସ୍ ଖେଳାଳିଙ୍କୁ ପରାସ୍ତ କଲାପରେ ଏହାର ନିର୍ମାତା ଯନ୍ତ୍ରକୁ ଧରିଆସିଲେ ମିଉନିକ ସହରକୁ । ମିଉନିକ ହେଉଛି ଶେଷ ସହର । ଏହି ସହରର ଚେସ୍ ଖେଳାଳିମାନଙ୍କୁ ଯଦି ଏହି ଯନ୍ତ୍ର ହରାଇ ଦେଇପାରେ, ତେବେ ଏହା ବିଶ୍ଵବିଜୟୀ ଆଖ୍ୟାରେ ଭୂଷିତ ହେବ । ଚତୁର ଚଷମା ବ୍ୟବସାୟୀ ସାରା ଇଉରୋପରେ ଯେଉଁ ଅଜସ୍ର ଅର୍ଥ ଉପାର୍ଜନ କରିସାରିଲାଣି, ସେଥିରେ ତା’ର କେତେ ପୁରୁଷ ଯେ ସୁଖସ୍ଵାଚ୍ଛନ୍ଦ୍ୟରେ କଟିଯିବ ତା’ର କଳନା ନାହିଁ-

 

ଯେଉଁଦିନଠାରୁ ଫରାସୀ ଯନ୍ତ୍ର ମିଉନିକ ସହରରେ ଚେସ୍ ଖେଳିବା ଆରମ୍ଭ କରିଛି, ବୈଜ୍ଞାନିକ ଭେର୍‍ନନ୍‌ଙ୍କ ଆତ୍ମଗ୍ଳାନି ଓ ଦୁଶ୍ଚିନ୍ତାର ସୀମା ନାହିଁ । ଗବେଷଣାଗାରର ବୈଜ୍ଞାନିକମାନେ ମଧ୍ୟ ଭେର୍‍ନନ୍‌ଙ୍କ ଭଳି ଚିନ୍ତାକୁଳ । ସହରସାରା ଲୋକେ କହିବୁଲୁଥାନ୍ତି, ସାମାନ୍ୟ ଚଷମାବ୍ୟବସାୟୀଟାଏ ଏଡ଼େ ସରଳ ଶସ୍ତା ଯନ୍ତ୍ରଟିଏ ତିଆରି କରିପାରିଛି, ଭେର୍‍ନନ୍‌ଙ୍କୁ ସେହିଭଳି ଏକ ଚେସ୍ ଖେଳାଳି ଯନ୍ତ୍ରପାଇଁ ଆଉ ଏତେ ବାହାଦୁରି ଦିଆଯିବ କାହିଁକି ?

 

‘‘ବବ୍, ତୁମେ ଜାଣିଛ ଆଜି ସନ୍ଧ୍ୟାରେ ମ୍ୟୁନିକ୍‌ର ଶ୍ରେଷ୍ଠ ଚେସ୍ ଖେଳାଳିମାନେ ଫରାସୀ ଯନ୍ତ୍ର ସହିତ ଚେସ୍ ଖେଳିବେ ମ୍ୟୁନିକର ନିମଫେନବର୍ଗ କାସଲରେ । ମୁଁ ଭାବୁଛି ବବ୍, ଫରାସୀ ଯନ୍ତ୍ରଟି କେମିତି ଚେସ୍ ଖେଳୁଛି, ଦେଖିବାକୁ ଯିବା । ତୁମେ କ’ଣ ମୋ ସହିତ ଯିବନି ଚେସ୍ ଖେଳ ଦେଖିବାକୁ ବବ୍ ?”

 

“ଆଉ ଅଧିକ ଅପମାନ ଦିଅନି କ୍ୟାଥି ! ଚେସ୍ ଖେଳିବାପାଇଁ ଦିନେ ପୃଥିବୀର ସବୁ କୋଣରୁ ଲୋକେ ଯେଉଁ ଯନ୍ତ୍ରଠାକୁ ଦୌଡ଼ୁଥିଲେ, ଆଜି ସେହି ଯନ୍ତ୍ରର ନିର୍ମାତା କ’ଣ ଯିବ‌ ଛାର ଫରାସୀ ଯନ୍ତ୍ରର ଚେସ୍ ଖେଳ ଦେଖିବାପାଇଁ ? ତୁମେ କିନ୍ତୁ ଯାଇପାର କ୍ୟାଥି, ମୋର ସେଥିରେ ଆପତ୍ତି ନାହିଁ । ତେବେ ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳିର ଗୌରବ‌ ଅର୍ଜନ କରିବାକୁ ହେଲେ ଫରାସୀ ଯନ୍ତ୍ରକୁ ଆମ ଯନ୍ତ୍ର ସହିତ ଦିନେ ନା ଦିନେ ଯେ ଖେଳିବାକୁ ପଡ଼ିବ, ଏହା ତୁମେ ନିଃସନ୍ଦେହରେ ଧରିନେଇପାର ।”

 

ମିଉନିକ ସହରରେ ସୁବିଖ୍ୟାତ ବଟାନିକାଲ ଗାର୍ଡ଼େନ୍ ଭିତରେ ନିମଫେନବର୍ଗ କାସଲ-। ଦର୍ଶକଙ୍କଦ୍ଵାରା ସ୍ଥାନଟି ଭରପୂର । ଫରାସୀ ଯନ୍ତ୍ର ଜର୍ମାନୀ ତଥା ମିଉନିକ୍‍ର ସର୍ବଶ୍ରେଷ୍ଠ ଚେସ୍ ଖେଳାଳି ରୋଜେନବର୍ଗଙ୍କ ସହିତ ଖେଳିବା ଠିକ୍ ହୋଇଥାଏ । ରୋଜେନବର୍ଗ ଏଥିପୂର୍ବରୁ ଭେର୍‍ନନ୍‌ଙ୍କ ଯନ୍ତ୍ର ସହିତ ଖେଳି ପରାସ୍ତ ହୋଇଥାନ୍ତି । ଫରାସୀ ଯନ୍ତ୍ର ସହିତ ଖେଳି ଜର୍ମାନୀର ସମସ୍ତେ ପରାସ୍ତ ହୋଇ ସାରିଲେଣି; କେବଳ ସେ ଏକମାତ୍ର ବାକି ରହିଥାନ୍ତି-। ତାଙ୍କୁ ହରାଇସାରିଲେ ଫରାସୀ ଯନ୍ତ୍ର ପୃଥିବୀରେ ଶ୍ରେଷ୍ଠତମ ଚେସ୍ ଖେଳାଳିର କୃତିତ୍ଵ ଅର୍ଜନ କରିବ-

 

ଠିକ୍ ସନ୍ଧ୍ୟା ସାତଟାବେଳେ ଖେଳ ଆରମ୍ଭ ହେଲା । ଖେଳସ୍ଥାନଟି ଉଜ୍ଜ୍ୱଳ ଆଲୋକବିତଦ୍ଵାରା ଦିନଭଳି ଉଦ୍ଭାସିତ । ପ୍ରେକ୍ଷାଳୟ ଦର୍ଶକରେ ଭରପୂର । ମିସେସ୍ ଭେର୍‍ନନ୍ ଖେଳଠାରୁ ଅଳ୍ପ ଦୂରରେ ବସିଥାନ୍ତି । ବଡ଼ ଚମତ୍କାର ଖେଳ । ଦୁଇ ପକ୍ଷର ଖେଳଚାଳନା ଉଚ୍ଚକୋଟୀର । ମିସେସ୍ ଭେର୍‍ନନ୍‌ଙ୍କ ତୀକ୍ଷ୍ଣଦୃଷ୍ଟି ଯନ୍ତ୍ରର ଖେଳ ପରିଚାଳନା ଉପରେ । ଅଧ୍ୟାପକ ଭେର୍‍ନନ୍‌ଙ୍କ ଯନ୍ତ୍ର ଯେତେ ଶୀଘ୍ର ଖେଳିପାରୁଥିଲା, ଏ ଯନ୍ତ୍ରର ସେ କ୍ଷିପ୍ରତା ନାହିଁ । ସାଧାରଣ ମଣିଷ ଯେମିତି ଖେଳିବ, ଏ କିଛି ତାହାଠାରୁ ପୃଥକ୍ ନୁହେଁ । ପୁଣି ଯନ୍ତ୍ରର ଖେଳରେ ଭୁଲ ଯେ ନ ହେଉଥାଏ, ତା’ ନୁହେଁ । ରୋଜେନବର୍ଗ ଅଧଘଣ୍ଟାଏ ଖେଳିବା ପରେ ହାରିଗଲେ । କିନ୍ତୁ ଖେଳଟା ମିସେସ୍ ଭେର୍‍ନନ୍‌ଙ୍କ ଆଶାନୁରୂପ ହେଉ ନଥାଏ । ଯାନ୍ତ୍ରିକ ଚେସ୍ ଖେଳାଳିକୁ ଯେମିତି ଖେଳିବାକୁ ସେ ଆଶା କରୁଥିଲେ, ଯନ୍ତ୍ରଟି ସେମିତି ଖେଳି ନ ପାରିବା ଦେଖି ସେ ଆଶ୍ଚର୍ଯ୍ୟାନ୍ୱିତା ହେଲେ । ବେଳେବେଳେ ତାଙ୍କ ମନ ସନ୍ଦେହର ଗାଢ଼ ଛାୟାରେ ଆଚ୍ଛାଦିତ ହୋଇଯାଉଥାଏ ।

 

ଖେଳ ସରିବା ପରେ ଉପସ୍ଥିତ ଦର୍ଶକମାନଙ୍କ ଭିତରୁ କେତେକ ଯେତେବେଳେ ଫରାସୀ ଚେସ୍ ଖେଳାଳି ଯନ୍ତ୍ରକୁ ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳି ବୋଲି ଘୋଷଣା କରିବାକୁ ଯାଆନ୍ତି, ସେତେବେଳେ ଜନତା ଭିତରୁ ପାଟି ଉଠିଲା, ‘‘ତା’ କଦାପି ହୋଇ ନ ପାରେ । ଜର୍ମାନୀର ସବୁ ଖେଳାଳି ହାରିଗଲେବି ମିଉନିକର ଅଦ୍ଵିତୀୟ ଚେସ୍ ଖେଳାଳି ଯନ୍ତ୍ର ଏବେବି ଭେର୍‍ନନ୍‌ଙ୍କ ଗବେଷଣାଗାରରେ ମହଜୁଦ୍ ଅଛି । ଫରାସୀ ଯନ୍ତ୍ର ଜର୍ମାନୀ ଯନ୍ତ୍ରକୁ ପରାସ୍ତ ନ କଲା ପର୍ଯ୍ୟନ୍ତ ଏହା ପୃଥିବୀର ଅଦ୍ଵିତୀୟ ଚେସ୍ ଖେଳାଳିର ଗୌରବ ଅର୍ଜନ କରି ନ ପାରେ ।

 

ନାନା ତର୍କ-ବିତର୍କ ପରେ ସିଦ୍ଧାନ୍ତ ହେଲେ ଯେ ଫରାସୀ ଯନ୍ତ୍ରକୁ ଭେର୍‍ନନ୍‌ଙ୍କ ଯନ୍ତ୍ର ସହିତ ଖେଳିବାକୁ ପଡ଼ିବ । ଏହି ଯନ୍ତ୍ର ଯଦି ଭେର୍‍ନନ୍‌ଙ୍କ ଯନ୍ତ୍ରକୁ ପରାସ୍ତ କରିଦିଏ, ତେବେ ଏହା ପୃଥିବୀର ଅଦ୍ୱିତୀୟ ଚେସ୍ ଖେଳାଳିର ଗୌରବ ଅର୍ଜନ କରିପାରିବ । ଚଳିତ ଜୁଲାଇ ମାସ ୧୭ ତାରିଖ ଦିନ ଏହି ଐତିହାସିକ ଖେଳ ଦୁଇ ଯନ୍ତ୍ର ମଧ୍ୟରେ ଚାଲିବା ସ୍ଥିର ହେଲା ।

 

ଏହି ଐତିହାସିକ ଖେଳ ଆରମ୍ଭ ହେଲାବେଳକୁ ଦିନ ତିନିଟା । ଏହି ଖେଳକୁ ଦୁଇ ଯନ୍ତ୍ର ମଧ୍ୟରେ ଖେଳ ବୋଲି କେହି ଭାବୁ ନଥାନ୍ତି । ସତେ ଯେମିତି ଏହି ଖେଳ ହେଉଛି ଦୁଇଟି ଜାତି ଭିତରେ । ବର୍ତ୍ତମାନ ଦର୍ଶକଙ୍କ ମନରେ ପ୍ରଶ୍ନ; ଦୁଇ ଜାତି ଭିତରେ ବଡ଼ କିଏ–ଜର୍ମାନ ଜାତି ନା ଫରାସୀ ଜାତି ? ବିଜ୍ଞାନରେ ଜର୍ମାନୀଜାତି କାହା ଆଗରେ ମୁଣ୍ଡ ନୁଆଁଇନି । ଆଜି କ’ଣ ସେ ମୁଣ୍ଡ ନୁଆଁଇବ ଫରାସୀଜାତି ପାଖରେ ? ଫରାସୀ ଯନ୍ତ୍ର କେବେ ହରାଇପାରିବନି ଜର୍ମାନୀ ଯନ୍ତ୍ରକୁ ।

 

ଖେଳ ହେଉଥାଏ ମିଉନିକର ସୁବିଖ୍ୟାତ ଆଲବର୍ଟ ଇନ୍‌ଡ଼ୋର ଷ୍ଟାଡ଼ିୟମ୍‍ରେ । ହଜାର ହଜାର ଦର୍ଶକରେ ଷ୍ଟାଡ଼ିୟମ୍‍ରେ ଭରପୂର । ଷ୍ଟାଡ଼ିୟମ୍‍ର ମଧ୍ୟସ୍ଥଳରେ ଗୋଟିଏ ଛୋଟ ଟେବୁଲ । ଟେବୁଲ ଉପରେ ଚେସ୍ ଖେଳପଟା । ଟେବୁଲର ଗୋଟିଏ ପାଖରେ ଭେର୍‍ନନ୍‌ଙ୍କ ବିରାଟ ଚେସ୍ ଖେଳାଳି ଯନ୍ତ୍ର ବହୁ ଆୟାସ ସହକାରେ ଗବେଷଣାଗାରରୁ ନିଆଯାଇ ବସାଯାଇଥାଏ । ଅନ୍ୟ ପାଖରେ ଫରାସୀ ଯନ୍ତ୍ର ଓ ଯନ୍ତ୍ର ନିକଟରେ ଏହାର ନିର୍ମାତା ଚଷମା-ବ୍ୟବସାୟୀ ଦଣ୍ଡାୟମାନ । ନାନାପ୍ରକାର ଉଜ୍ଜ୍ଵଳ ଆଲୋକରେ ଷ୍ଟାଡ଼ିୟମ୍‍ଟି ଉଛୁଳି ପଡ଼ୁଥାଏ । ବିଭିନ୍ନ ଟେଲିଭିଜନ ଓ ଚଳଚ୍ଚିତ୍ର-ନିର୍ମାତାମାନଙ୍କର ନାନାପ୍ରକାର କେମେରା ଏହି ରଙ୍ଗମଞ୍ଚର ବିଭିନ୍ନ ସ୍ଥାନରେ ଖଞ୍ଜାଯାଇଥାଏ । ଭେର୍‍ନନ୍‌ଙ୍କ ଯନ୍ତ୍ର ସହିତ ଏତେ ପ୍ରକାର ତା’ର ଓ ଯନ୍ତ୍ର ଲାଗିଥାଏ ଯେ, ଯେକେହି ଦେଖିଲେ ତାକୁ କହିବ ପୃଥିବୀର ଗୋଟିଏ ଜଟିଳତମ ଯନ୍ତ୍ର ବୋଲି; କିନ୍ତୁ ଫରାସୀ ! ଯନ୍ତ୍ରକୁ ଅନାଇଲାବେଳକୁ ସାଦାସିଧା, ଏକ କୃତ୍ରିମ ମଣିଷ ଭଳି ଦିଶୁଥାଏ । ଏଥିରେ ଯାନ୍ତ୍ରିକ ଜଟିଳତା କିଛି ଥିଲା ଭଳି ଦିଶୁ ନଥାଏ । ଯନ୍ତ୍ରଟିର ଅଧା ଗୋଟିଏ ଟେବୁଲ୍ ଭିତରେ; ବାକି ଅଧିକ ଟେବୁଲ ଉପରେ । ଟେବୁଲର ଉପର ଅଂଶରେ ଖେଳାଳିର ପେଟଠାରୁ ଉପର ଅଂଶ ହାତ, ମୁଣ୍ଡ ଓ ବେକ । ଦାନ ଚଳାଇ ଏହି ଅଂଶଟି ଖେଳେ । ଭେର୍‍ନନ୍‌ଙ୍କ ଯନ୍ତ୍ର ବିଦ୍ୟୁତ୍‍ଶକ୍ତି ସାହାଯ୍ୟରେ ଚାଳିତ ହେଉଥିବାରୁ ଏହି ଯନ୍ତ୍ରଟି ମେନ୍ ଲାଇନ୍ ସହିତ ସଂଯୁକ୍ତ ହୋଇଥାଏ । କିନ୍ତୁ ଫରାସୀ ଯନ୍ତ୍ରରେ ସେସବୁ କିଛି ନାହିଁ । ଛୋଟ ଛୋଟ ବ୍ୟାଟେରି ସାହାଯ୍ୟରେ ଟାନ୍‌ଜିଷ୍ଟର ପଦ୍ଧତିରେ ଏହା ପରିଚାଳିତ ବୋଲି ବାହାର ବିଦ୍ୟୁତ୍ ଲାଇନ୍ ଏହାର ଦରକାର, ନାହିଁ ।

 

ଠିକ୍ ସମୟରେ ଖେଳ ଆରମ୍ଭ ହେଲା, ମିଉନିକ୍‌ର ତିନିଜଣ ବିଚାରପତି ଏହି ପ୍ରତିଯୋଗିତାର ଫଳାଫଳ ପ୍ରକାଶ କରିବା ଦାୟିତ୍ଵରେ ଥାଆନ୍ତି ।

 

ଖେଳ ଆରମ୍ଭ ହେବାକ୍ଷଣି କି ବିଚିତ୍ର ନିସ୍ତବ‌୍ଧତା ! ହଜାର ହଜାର ଲୋକ ଗୋଟିଏ ସ୍ଥାନରେ ଜମା ହୋଇଥିଲେ ମଧ୍ୟ ଚାରିଆଡ଼ ନିସ୍ତବ୍ଧ, ସତେ ଯେମିତି ସେଠି ଜଣେ ସୁଦ୍ଧା ଲୋକ ନାହିଁ । ଖେଳ ଆରମ୍ଭ ହେବାକ୍ଷଣି ଲୋକେ ତୀକ୍ଷ୍ଣଦୃଷ୍ଟିରେ ଖେଳକୁ ଅନାଇ ରହିଥାନ୍ତି । ଭେର୍‍ନନ୍‌ଙ୍କ ଯନ୍ତ୍ର ନିଜ ହାତ ବଢ଼ାଇ ଖେଳପଟା ଉପରେ ସାରକୁ ଏପଟ ସେପଟ ଚଳାଇ ଖେଳୁଥାଏ । ଭେର୍‍ନନ୍‌ଙ୍କ ଯନ୍ତ୍ର କେମେରା ଲେନ୍‌ସ୍ ଭଳି ବଡ଼ବଡ଼ ଆଖି ସାହାଯ୍ୟରେ ଗୋଟାସାରା ଖେଳକୁ ଦେଖି ନିଜେ ସାର ଚଳାଉଥାଏ । ଚାହୁଁ ଚାହୁଁ ଖେଳ ଘନେଇ ଆସିଲା । ଦୁଇ ପାଖ ବେଶ୍ ଟାଣ ହେଲାଭଳି ମନେହେଉଥାଏ । ସତେ ଯେମିତି କେହି କାହାକୁ ଊଣା ନୁହଁନ୍ତି । ଫରାସୀ ଯନ୍ତ୍ରଟି ବେଶ୍ ଦକ୍ଷତାର ସହିତ ସାର ଚଳାଉଥାଏ । ତେବେ କ୍ଷିପ୍ରତା ଟିକିଏ କମ୍ ଭେର୍‍ନନ୍‍ଙ୍କ ଯନ୍ତ୍ରଠାରୁ । ଦର୍ଶକମାନେ ଅନାଇ ରହିଥାନ୍ତି ଦୁଇ ଯନ୍ତ୍ରକୁ । ସେମାନଙ୍କ ମନରେ ବେଳକୁବେଳ କେତେ ପ୍ରକାରର ଧାରଣା ଉଙ୍କିମାରି ଉଠୁଥାଏ । କେତେବେଳେ କିଏ ଭାବୁଥାଏ ଜର୍ମାନୀ ଯନ୍ତ୍ର ଜିତିବ ତ ପର ମୁହୂର୍ତ୍ତରେ ମନ ବଦଳାଇ ଭାବୁଥାଏ, ନା, ଫରାସୀ ଯନ୍ତ୍ର ଜିତିବ । ଯନ୍ତ୍ର ଯନ୍ତ୍ର ଭିତରେ ଏହି ଖେଳ ଯୁଦ୍ଧ ଦର୍ଶକମାନଙ୍କୁ ଜାତି ଜାତି ଭିତରେ ପ୍ରକୃତ ଯୁଦ୍ଧଭଳି ମନେକରାଇ ଦେଉଥାଏ ।

 

ଖେଳ ପୂରାଦମ୍‌ରେ ଚାଲିଛି, ହଠାତ୍ ଭେର୍‍ନନ୍‌ଙ୍କ ଯନ୍ତ୍ର କହିଉଠିଲା, ‘‘ବନ୍ଧୁ, ଏଥର ଯିବ କୁଆଡ଼େ ? ତୁମ ରାଜା, ରାଣୀ, ସେନାପତି ସମସ୍ତେ ବର୍ତ୍ତମାନ ବନ୍ଦୀ । ଏଥର ଚଳାଇଲ ତୁମ ସାର, ମୁଁ ଦେଖିବି, ତୁମେ କେଉଁଆଡ଼େ ଯିବ ?”

 

ଜର୍ମାନୀ ଯନ୍ତ୍ରର ଏହି ମନ୍ତବ୍ୟରେ ସମସ୍ତେ ଅବାକ୍ । ପ୍ରତ୍ୟେକେ ପ୍ରତ୍ୟେକର ମୁହଁ ଚାହାଁଚାହିଁ ହେଲେ । –“ଆରେ, ସତେ ଫରାସୀ ଯନ୍ତ୍ର ହାରିଗଲା ନା କ’ଣ ?”

 

ଫରାସୀଯନ୍ତ୍ର ପୂରାପୂରି ଚୁପ୍ । ତୀକ୍ଷ୍ଣଦୃଷ୍ଟିରେ ଖେଳପଟାକୁ ଅନାଇ ରହିଥାଏ । ଭେର୍‍ନନ୍‌ଙ୍କ ଯନ୍ତ୍ର କହିଲା, ‘‘ହେଉ, ଚିନ୍ତାନାଇଁ ବନ୍ଧୁ, ବଡ଼ବଡ଼ ଖେଳାଳିମାନେ ପ୍ରଥମ ଥର ହାରନ୍ତି-। ତେଣୁ ସେଥିପାଇଁ ଚିନ୍ତିତ ହୋଇ ଲାଭ ନାହିଁ; ଆଉଥରେ ଖେଳିବା ।”

 

ପୁଣି ଥରେ ଖେଳ ଆରମ୍ଭ ହେଲା । କିନ୍ତୁ ଅଳ୍ପ ସମୟ ଫରାସୀ ଯନ୍ତ୍ରର ପରାଜୟ । ତାଳି ପରେ ତାଳିରେ ସଭାକକ୍ଷ କମ୍ପିଉଠିଲା । ଯେଉଁ ଫରାସୀ ଯନ୍ତ୍ର ପୃଥିବୀରେ ଶ୍ରେଷ୍ଠ ଚେସ୍ ଖେଳାଳିର କୃତିତ୍ୱ ଅର୍ଜନ କରିଥିଲା, ତା’କୁ ପରାସ୍ତ ହେବାର ଦେଖିଲେ କେଉଁ ଜର୍ମାନ ଲୋକ ଖୁସି ନହୋଇ ରହିପାରିବ ?

 

ପୁଣି ଥରେ ଖେଳ ହେଲା । ଏଥରବି ଫରାସୀ ଯନ୍ତ୍ରର ପରାଜୟ । ଏମିତି ସାତଥର ଖେଳିବାପରେ କୌଣସି ଥର ଫରାସୀ ଯନ୍ତ୍ର ବିଜୟ ହାସଲର ଗୌରବ ଅର୍ଜନ କରିପାରିଲାନି । ଫରାସୀ ଯନ୍ତ୍ରର ନିର୍ମାତା ଅପମାନରେ ମ୍ରିୟମାଣ ହୋଇପଡ଼ିଲେ । ନିଜର ପରାଜୟ ସ୍ଵୀକାର କରି ସେ ନିଜ ଯନ୍ତ୍ରକୁ ସେଠୁ ଉଠାଇନେବାକୁ ଯାଉଛନ୍ତି, ଠିକ୍ ସେତିକିବେଳେ ଭେର୍‍ନନ୍‌ଙ୍କ ଯନ୍ତ୍ର ବଜ୍ରଗମ୍ଭୀର କଣ୍ଠରେ କହିଉଠିଲା, ‘ବନ୍ଧୁବର, ଖେଲ ସିନା ସରିଗଲା, ତୁମ ଇତିହାସଟା ତ ସରିନି । ତୁମ ପରାଜୟ ପାଇଁ ମୁଁ ଯେତେ ଦୁଃଖିତ ନୁହେଁ, ତୁମ ଭଣ୍ଡାମିପାଇଁ ମୁଁ ଅତି ଦୁଃଖିତ । ଆହୁରି ଦୁଃଖିତ, ତୁମ ଭଣ୍ଡାମିକୁ ମୋ ଛଡ଼ା ଅନ୍ୟ କେହି ଧରିପାରିଲେନି ବୋଲି । ଏତେଦିନଧରି ତୁମେ ସାରା ଇଉରୋପକୁ ଠକାଇ ଠକାଇ ଆସିଲ ଯେ ତୁମ ଚେସ୍‌ ଖେଳାଳି ଯନ୍ତ୍ର ପ୍ରକୃତରେ ଚେସ୍‌ ଖେଳୁଛି ବୋଲି । ତୁମେ ସିନା ବନ୍ଧୁ ତୁମଭଳି ମଣିଷମାନଙ୍କୁ ଚିତାକାଟିପାରିଲ, ମୋତେ ସେମିତି କଥା କହି ଚିତାକାଟିପାରୁଛ କେମିତି ? ଖେଳ ଆରମ୍ଭରୁ ତୁମ ଯନ୍ତ୍ର କେମିତି ଭାବରେ ଖେଳିଛି, ତା’ର ପ୍ରମାଣ ହେଉଛି ଏହି ବକ୍ରରେଖାଗୁଡ଼ିକ । ମୁଁ ତୁମ ରହସ୍ୟ ଉଦ୍‌ଘାଟନ କରିବା ପୂର୍ବରୁ ଏହି ବକ୍ରରେଖାଗୁଡ଼ିକୁ ଲକ୍ଷ୍ୟ କରିବାକୁ ଅନୁରୋଧ କରୁଛି । ଏହି ବକ୍ରରେଖାରୁ ତୁମେ ଜାଣିପାରିବ, ତୁମେ ଖେଳରେ କେଉଁଠି କେଉଁଠି ଓ କିପରି ଭୁଲ କରିଛ । ପୁଣି ବିଚିତ୍ର, ଯେଉଁ ଭୁଲ୍ ଥରେ କରିଛ, ଠିକ୍ ସେମିତି ଭୁଲ ପର ଖେଳମାନଙ୍କରେ କରିଛ । ତୁମର ସେହି ଭୁଲଗୁଡ଼ିକୁ ଅନୁଧ୍ୟାନ କରି ତୁମ ରହସ୍ୟ ଉଦ୍‌ଘାଟନ କରିବାପାଇଁ ତୁମକୁ ସାତଥର ଖେଲିବାପାଇଁ ମୁଁ କାହିଁକି ଅନୁରୋଧ କଲି, ବୋଧହୁଏ ଏହାର କାରଣ ତୁମେ ଏଥର ଜାଣିପାରୁଥିବ । ତୁମେ ଗୋଟିଏ ପ୍ରକାର ଭୁଲ୍ କେତେଥର କରିପାର, ଦେଖିବାପାଇଁ ମୁଁ ଏ କାରସାଦି କଲି । ତୁମେ ଯେଉଁସବୁ ଭୁଲ୍ ବାରମ୍ବାର କରିଛ, ସେମିତି ଭୁଲ୍ କେବେ କୌଣସି ଯନ୍ତ୍ର କରେନି । ତୁମେ ଯେମିତି ଭୁଲ୍ କଲ, ସେମିତି ଭୁଲ୍ ମଣିଷ ଖେଳାଳିମାନେହିଁ ସାଧାରଣତଃ କରିଥାନ୍ତି । ତେଣୁ ମୋର ପୂରା ବିଶ୍ୱାସ, ତୁମେ ପ୍ରକୃତରେ ମୋ’ଭଳି ନିର୍ଜୀବ ଯନ୍ତ୍ର ନୁହ; ତୁମେ ଗୋଟିଏ ଜୀବନ୍ତ ମଣିଷ, ସମ୍ଭବତଃ ଯନ୍ତ୍ର ଭିତରେ ଲୁଚିରହି ଖେଳ ଖେଳୁଛ ।”

 

ଭେର୍‍ନନ୍‌ଙ୍କ ଯନ୍ତ୍ର ଏତକ କହିଛି କି ନାହିଁ, ହଠାତ୍ ପ୍ରେକ୍ଷାଳୟରେ ଉଠିଲା ଏକ ବିରାଟ ବିକ୍ଷୋଭ । ଦର୍ଶକମାନେ ‘‘ଭଣ୍ଡ ଫରାସୀ ଯନ୍ତ୍ର” ‘‘ଭଣ୍ଡ ଫରାସୀ ଯନ୍ତ୍ର” କହି ପାଟିକରି ଉଠିଲେ ।

 

ସଭା ଭିତରୁ ମଞ୍ଚ ଉପରକୁ କେତେଜଣ ଉଠିଆସି ଦାବି କଲେ ଫରାସୀ ଯନ୍ତ୍ର-ନିର୍ମାତାକୁ ଏହି ଅଭିଯୋଗର ଉତ୍ତର ଦେବାକୁ । ସେ ପ୍ରକୃତରେ ଯନ୍ତ୍ର ଭିତରେ ମଣିଷଟାଏ ରଖି ଖେଳ ଖେଳାଉଛି କି କ’ଣ ଜାଣିବାପାଇଁ ସେମାନେ ଦାବିକରି ବସିଲେ ।

 

ଦର୍ଶକମାନଙ୍କ ଆଡ଼ୁ ପ୍ରବଳ ଚାପ ପଡ଼ିବାରୁ ବିଚରା ନିଜ ଦୋଷ ସ୍ଵୀକାର କଲା । ଦର୍ଶକମାନେ ମଞ୍ଚ ଉପରକୁ ଉଠିଆସି ତା’ ଟେବୁଲଟିର ଆବଦ୍ଧ ଥିବା ତଳ ଅଂଶକୁ ରାଗରେ ଫାଡ଼ି ପକାଇଲାରୁ ସେଥିଭିତରୁ ବାହାରିଲା ଅଠେଇଶ ଇଞ୍ଚ୍ ଉଚ୍ଚର ବାମନଟିଏ । ଦର୍ଶକମାନେ ଏହି ବାମନକୁ ନଚିହ୍ନି ରହିପାରିଲେନି । ଏହି ବାମନଟି ଲାଥି ଏକସମୟରେ ଇଉରୋପର ଶ୍ରେଷ୍ଠ ଚେସ୍ ଖେଳାଳି । ଏହି ବାମନଟିକୁ ହରାଇବା କାହାରି ପକ୍ଷରେ ସମ୍ଭବ ହେଉ ନଥିଲା । ହଠାତ୍ ଦିନେ ଏହି ବାମନଟି ଅତି ରହସ୍ୟଜନକ ଭାବରେ ଇଉରୋପରୁ ଅନ୍ତର୍ହିତ ହୋଇଗଲା । ପୋଲିସ୍‍ଠାରୁ ଆରମ୍ଭ କରି ଗୋଇନ୍ଦାମାନେ ଏହାର କୌଣସି ଟେର୍ ପାଇଲେନି । କିଏ କହିଲା, “ସେ ସାଧାରଣଙ୍କ ସହିତ ମିଳି ଚଳି ନପାରିବାରୁ ଆତ୍ମହତ୍ୟା କଲା; କିଏ କହିଲା, ଚେସ୍ ଖେଳାଳିମାନେ ମିଳି ତାକୁ ମାରିପକାଇଲେ । ଏମିତି କେତେକଅଣ ଗୁଜବ ଉଠିଲା ଏହି ବାମନ ସମ୍ପର୍କରେ । ହରଣଚାଳ ହେବା ପରଠାରୁ ବାମନ ରହିଲା ଏହି ଚଷମା ବ୍ୟବସାୟୀ ଘରେ ବନ୍ଦୀହୋଇ । ବାମନକୁ ଜୋର୍ ଜବରଦସ୍ତି ଏହି ଟେବୁଲ ଭିତରେ ପୂରାଇ ଚଷମା ବ୍ୟବସାୟୀ ଆରମ୍ଭକଲା ତା’ର ନୂତନ ଖେଳ ‘‘ଯାନ୍ତ୍ରିକ ଚେସ୍‌ ଖେଳାଳି ।”

 

ବାମନଟିକୁ ଟେବୁଲ ତଳୁ ବାହାରକରି ଆଣି ସମସ୍ତଙ୍କୁ ଦେଖାଇବା ପାଇଁ ତାକୁ ଟେବୁଲ ଉପରେ ଠିଆକରାଇଲାବେଳକୁ ଦୁଇଜଣ ସାଦା ପୋଷାକପିନ୍ଧା ଫରାସୀ ପୋଲିସ୍ ଅଫିସର କେତେଜଣ ଜର୍ମାନ ପୋଲିସ୍ ଅଫିସରଙ୍କୁ ସାଙ୍ଗରେ ଧରି ସେଠି ହାଜର ହୋଇଗଲେ । ହାତରେ ସେମାନଙ୍କର ଚଷମା ବ୍ୟବସାୟୀକୁ ଆରେଷ୍ଟ କରିବାର ପରୱାନା । ଚଷମା ବ୍ୟବସାୟୀର ହାତକୁ ୱାରେଣ୍ଟ ବଢ଼ାଇଦେଇ ଫରାସୀ ପୋଲିସ୍ ଅଫିସର କହିଲେ, “ଆପଣ ଓ ଏହି ବାମନଟି ବର୍ତ୍ତମାନ ଆମଠାରେ ବନ୍ଦୀ ।” ସେମାନଙ୍କ ହାତରେ ହାତକଡ଼ି ପିନ୍ଧାଉଁ ପିନ୍ଧାଉଁ କହିଲେ, “ସାରା ଜନତାକୁ ଠକାଇ ଅର୍ଥ ଉପାର୍ଜନ କରିବା, ବାମନକୁ ହରଣଚାଳ କରିବା ଓ ଅଟକ ରଖିବା ଏବଂ ବାମନକୁ ଧମକ-ଚମକ ଦେଖାଇ ତା’ଠାରୁ କାମ ଆଦାୟ କରିବା-ଏହିସବୁ ଅପରାଧରେ ଆଜି ତୁମକୁ ଆରେଷ୍ଟ କରାଯାଉଛି । ତୁମର ଏହି ଦୋଷ ବିଚାର ନହେବା ପର୍ଯ୍ୟନ୍ତ ତୁମକୁ ବନ୍ଦୀ ଭାବରେ ରଖାଯିବ ।”

 

ଇଉରୋପର ମୋକଦ୍ଦମା ଇତିହାସରେ ଏହା ହେଉଛି ସବୁଠାରୁ ରହସ୍ୟଜନକ ମୋକଦ୍ଦମା । ବିଚାରରେ ବିଚାରା ଚଷମା-ବ୍ୟବସାୟୀ ଦୋଷୀ ସାବ୍ୟସ୍ତ ହୋଇ ସାତବର୍ଷ ସଶ୍ରମ କାରାଦଣ୍ଡର ଆଦେଶ ପାଇଲା । ବାମନଟିକୁ ଖଲାସ କରିଦିଆଯାଇ ଫ୍ରାନ୍‌ସ୍‍ର ଏକ ଅନାଥାଶ୍ରମକୁ ପଠାଇଦିଆଗଲା ।

 

ଠିକ୍ ଯେଉଁଦିନ ଏହି ବିଚାର ଶେଷ ହେଲା, ସେହିଦିନ ବୈଜ୍ଞାନିକ ଭେର୍‍ନନ୍‌ଙ୍କ ଏହି ଚେସ୍ ଖେଳାଳି ଯନ୍ତ୍ରର ପେଟେଣ୍ଟ୍ ରାଇଟ୍‍କୁ ଆମେରିକାର ସୁବିଖ୍ୟାତ ଆଇ.ବି.ଏମ୍. କମ୍ପାନୀ ଖରିଦ କରିନେଲେ ଶହେ କୋଟି ଡଲାର ମୂଲ୍ୟରେ; ସେଥିସହିତ ଏହି ଯନ୍ତ୍ରଟିକୁ ମଧ୍ୟ । ଏହି ଯନ୍ତ୍ର ଛାଞ୍ଚରେ ଛୋଟ ବଡ଼ ବହୁ ଚେସ୍ ଖେଳାଳି ଯନ୍ତ୍ର ତିଆରି କରି ଆଇ.ବି.ଏମ୍. ଆଜିକାଲି ବଜାରରେ ବିକ୍ରୟ କରୁଛି । ନିଉୟର୍କର ପଞ୍ଚମ ଏଭିନିଉରେ ଥିବା ଆଇ.ବି.ଏମ୍. କମ୍ପାନୀର ବିରାଟ ସୋରୁମ୍‍ରେ ଏବେବି ଭେର୍‍ନନ୍‌ଙ୍କ ସେହି ଐତିହାସିକ ଯାନ୍ତ୍ରିକ ଚେସ୍ ଖେଳାଳିଟି ସକ୍ରିୟ ଅବସ୍ଥାରେ ସାଧାରଣଙ୍କ ଦର୍ଶନ ନିମନ୍ତେ ରଖାଯାଇଛି ।

Image

 

ଶ୍ରୀମତୀ ବୀଣାପାଣି ମହାନ୍ତି

କଳାପାହାଡ଼

 

କେହି କୁଆଡ଼େ ନାହିଁ । ପାଖରେ ଥିବା ଛୋଟ ଛୋଟ କୁଡ଼ିଆଘରୁ ଛୋଟପିଲାଙ୍କର ପାଟି ଶୁଭୁଛି । କାହା ଘରେ କିଏ ମାଛ ରାନ୍ଧୁଛି–ପବନରେ ତା’ର ବାସ୍ନା ଆସି ନାକରେ ବାଜୁଛି । ରଘୁ ପାଟିଟା ଲାଳେଇ ଉଠିଲା । ହାତ ଚାଲିଗଲା ପକେଟକୁ–ଛୋଟ ବିଡ଼ିଟା ଆଣି ସେ ଦିଆସିଲିରେ ନିଆଁ ଲଗେଇଲାବେଳକୁ ଦେଖିପାରିଲା ମା’ ଆସୁଛି । ଭୟରେ ବିଡ଼ିଟା ପକେଇ ଦେଇ ସେ ଘରକୁ ଦଉଡ଼ିଲା ।

 

ବସ୍ତି ଭିତରୁ ବାହାରିଆସି ପୋଲଟା ଉପରେ ବସିପଡ଼ିଲା ରଘୁ । ପୋଲ ତଳେ ନର୍ଦ୍ଦମାର ନଈ, ବର୍ଷାପାଣି ଯୋଗୁଁ କୁଳୁକୁଳୁ ଶବ୍ଦବି କରୁଛି ମଝିରେ ମଝିରେ । ପବନ ନାହିଁ, ସାମାନ୍ୟ କେତେବେଳେ ଗଛପତ୍ର ହଲିଗଲେ ଗନ୍ଧ ଆସି ନାକରେ ବାଜୁଛି । ତେବେ ଆଗପରି ଆଉ ନାକ ବନ୍ଦକରି ନିଃଶ୍ଵାସ ନେବା ଦରକାର ହେଉନି; ନାକସୁହା ଦେହସୁହା ହୋଇଗଲାଣି ଏସବୁ ।

 

ରଘୁ ଖଣ୍ଡିଆ ବିଡ଼ିଟାଏ ପକେଟରୁ ବାହାରକରି ନିଆଁ ଧରେଇଲା । ଦେଖିଥିବା କୌଣସି ହିନ୍ଦୀ ସିନେମାରେ କୌଣସି ଜଣେ ହିରୋଙ୍କ କଥା ମନେପକେଇ ଗୁଣୁଗୁଣୁ ହୋଇ ଗୀତ ଗାଇଲା ।

 

ଧେତ୍ ! ଖାଲିପେଟରେ ଏ ବିଡ଼ିଧୂଆଁ ମୋଟେ ସହିହେଉନି । କୋଉ ସକାଳେ ପଟେ ରୁଟି ଖାଇଥିଲା, ସେ କି ଆଉ ପେଟରେ ଅଛି ? ଭାବିଥିଲା ମା’ର ଟିଣ ବାକ୍‌ସଟା ଭାଙ୍ଗି କିଛି ସଞ୍ଚିତ ପଇସା ନେଇ ବଜାରରୁ ବରା କି ପୁରି କିଣି ଖାଇବ । ସେ ବି ହେଲାନି । ବାକ୍‍ସଟା ମା’ ଖୋଲା ରଖିଯାଇଛି । ଛୋଟିଆ ଏକ ପଇସା ଛଡ଼ା ଘରେ କିଛି ନାହିଁ । ବାପା ଆଠଦିନ ହେଲା କୁଆଡ଼େ ଚାକିରିପାଇଁ ଯାଇଛି । ମାସେ ଗଲେ ଦରମା ମିଳିବ, ତା’ପରେ ଏଠିକି ପଠେଇବ ! ସେ ଯାଏଁ ଏମିତି ଭୋକ-ଉପାସରେ କାଳ କଟିବ । ମା’ କି କାମ କରୁଛି, କେଜାଣି, ସନ୍ଧ୍ୟାକୁ ଫେରିବ । କୋଉଦିନ ଚାଉଳ ଆଣି ଭାତ ରାନ୍ଧିବ, କୋଉଦିନ ରୁଟି ଦି’ପଟ ନେଇଆସି ଖାଇକରି ଶୋଇପଡ଼ିବ । ଖରାବେଳ ପ୍ରାୟ ଅଧିକାଂଶ ଦିନ ରଘୁପାଇଁ ଖାଁ ଖାଁ । ଦିନେ ମା’ ତା’ ହାତରେ କଦଳୀ ବିକିବାକୁ ବଜାର ପଠେଇଥିଲା । ଅନେଇ ଅନେଇ ସଞ୍ଜହେଲା ଅଥଚ କଦଳୀ ଦି’ଡ଼ଜନ ବିକ୍ରି ହେଲା ନାହିଁ । ପାଛିଆରେ ପାଛିଆଏ କଦଳୀ ଜଳଜଳ ଅନେଇଛନ୍ତି । ଏଣେ ପେଟରେ ଭୋକ କୁହାଟ ମାରୁଥାଏ ରଘୁର । ଶେଷକୁ ଅନ୍ଧାର ହେଲାକ୍ଷଣି ସେ ଗୋଟାକପରେ ଗୋଟାଏ କଦଳୀ ଛଡ଼ାଇ ଖାଇଗଲା । ଏତେ ଭୋକ ତା’ର କେଉଁଠି ଥିଲା କେଜାଣି ? ଏତିକିବେଳେ ତା’ ପିଠିରେ ପଛଆଡ଼ୁ ଦୁମ୍‌ଦାମ୍ ବିଧା ବର୍ଷିଗଲା । ଶେଷକୁ ଠିଆ ଗୋଇଠାସହ ଗାଳି–“ମରୁନୁରେ ଗାତପଶା ! କଦଳୀ ବିକି ଆଇଛୁ ନା ଖାଇବାକୁ ଆଇଛୁ ବା ?”

 

ପାଟି ଭିତରେ କଦଳୀ ଥିବା ଯୋଗୁଁ ତା’ର ବିକଳ ଚିତ୍କାର ଶୁଣାଯାଇ ନଥିଲା । ସେ ଭୂଇଁରେ ପଡ଼ି ମାଟି କାମୁଡ଼ିପକେଇଲା । ମା’କୁ ତା’ର ଭାରି ଡର । ମା’ର ପାଟି ଶୁଣିଦେଲେ ଛାତି ଥରିଯାଏ । ମାତ୍ର ଗୁଡ଼ାଏ ଲୋକ ଜମିଯାଇ ସେତେବେଳେ ତା’ ପ୍ରତି ଆଶ୍ୱାସନା ଦେଉଥିବାରୁ ରଘୁର ଭୟଟା କମିଯାଇଥିଲା ।

 

ସେହିଦିନଠାରୁ ମା’ ତାକୁ ବଜାରରୁ ପଇସା ଦେଇ ସଉଦା ଆଣିବାକୁ ପଠାଏନା । ମା’ର ବିଶ୍ଵାସ ତୁଟିଯାଇଛି । ସ୍କୁଲ୍‍ରେ ଦରମା ନାହିଁ; କାରଣ ସେ ଗରିବ ଘରର ପୁଅ । କୋଉ ବାବୁଘରୁ ସବୁ ତା’ପାଇଁ ବାପା ଓ ମା’ ପୁରୁଣା ବହି ମାଗିଆଣନ୍ତି । ଏମିତି କି ପୁରୁଣା ଛିଣ୍ଡା ପ୍ୟାଣ୍ଟଜାମା ମଧ୍ୟ । ଭାରି ଅସନା ଲାଗିଥିଲା ରଘୁକୁ । କିନ୍ତୁ ଏବେ ଦେହସୁହା ହୋଇଗଲଣି ଠିକ୍ ଏଇ ନର୍ଦ୍ଦମା ନଈର ସୁଗନ୍ଧ ପରି ।

 

ଆଉ ଖଣ୍ଡେ ଖଣ୍ଡିଆ ବିଡ଼ି ବାହାରକଲା ରଘୁ ! ଧୁତ୍ ! ଦି’କଳ ଟାଣିଲାବେଳକୁ ସରିଯାଉଛି । ଦିନସାରା ଏଣେତେଣେ ବୁଲି ମେଞ୍ଚାଏ ବିଡ଼ି ସେ ବସ୍ତି ଭିତରୁ ସଂଗ୍ରହ କରିଥାଏ । ସନ୍ଧ୍ୟାରେ ବସି ପୋଲ ଉପରେ ଗୋଟାକୁଗୋଟା ଟାଣିଚାଲିଥାଏ ।

 

ହଠାତ୍ କିଏ ଜଣେ ପଛରୁ ଡାକିଲା–“ରଘୁ ! ରଘୁ କିରେ ? ଟିକେ ଶୁଣିବୁ ?”

 

ସେ ବୁଲିପଡ଼ି ଅନାଇଲା । ନର୍ଦ୍ଦମା ସେପଟରେ ନୁଆଁଣିଆ ତାଟିକୁଡ଼ିଆରୁ ସେବ ମାଉସୀ ତାକୁ ଡାକୁଛି । ମୁହଁରେ ଗୋଟାଏ ଆଗ୍ରହ ଭାବ ରହିଛି ।

 

ରଘୁ ସେବ ମାଉସୀ ନିକଟରେ ପହଞ୍ଚି ଅବାକ୍ ହେଲା । ସେ ଗୋଟାଏ କଟ୍‌କଟ୍ ହଳଦୀ ରଙ୍ଗର ଶାଢ଼ି ପିନ୍ଧିଛି, ନାଲିଆ ବ୍ଲାଉଜ୍‍ଟାରେ ଜରି ମଡ଼େଇ ପିନ୍ଧିଛି । ମୁଣ୍ଡରେ ଖୋଷା, ଦେହରେ କେତେ ରଙ୍ଗର ଫୁଲ । ତା’ ଦେହବି ଟିକେ ବାସ୍ନା କରୁଛି ।

 

ରଘୁର ହାତକୁ ମୁଠାଇଧରି ସେବ ମାଉସୀ କହିଲା–“ଗଲୁ, ଗଳିମୁଣ୍ଡରେ ଦେଖିଆସିବୁ ଏଇ ନମ୍ବରରେ ଗାଡ଼ିଟାଏ ଅଛି କି ନାହିଁ ? ଯଦି ନ ପଢ଼ିପାରିବୁ, କାହାକୁ ପଚାରିଦେବୁ । ଦେଖ ସାବଧାନ ! କାହାକୁ କହିବୁନିଟି । ଗୁପତରେ ଯିବୁ, ଗୁପତରେ ଆସିବୁ । ନେ, ଏ ପାଉଁରୁଟି ଦିଖଣ୍ଡ ଖାଇ ଖାଇ ଯା ।”

ରଘୁ ପାଉଁରୁଟି ଦିଖଣ୍ଡରେ ଏତେ ଖୁସି ହୋଇଯାଇଥିଲା ଯେ ସେ ବିନା ବାକ୍ୟବ୍ୟୟରେ ମୁଣ୍ଡ ଟୁଙ୍ଗାରି ଦେଇ ଚାଲିଯାଇଥିଲା । ଓଡ଼ିଆ ଶିଖିବା ସଙ୍ଗେ ସଙ୍ଗେ ଇଂରାଜୀ ସଂଖ୍ୟା ଓ ପ୍ରାୟ ଅକ୍ଷରଗୁଡ଼ାକ ସେ ଶିଖିଯାଇଛି ନଟବାବୁଙ୍କ ପୁଅପାଖରେ ସନ୍ଧ୍ୟାବେଳେ ବସି ବସି । ଏବେ ସିନା ନଟବାବୁ ଚିଡ଼ିଲାରୁ ସେ ଆଉ ସେଠିକି ଯାଉନି । ଯଦି ଛୁଟି ମାସଟା ସେଠି ବସିଯାଇଥାନ୍ତା, ତାହାହେଲେ ନଟବାବୁଙ୍କ ପୁଅ ତାକୁ ଇଂରେଜୀ ବହି ପଢ଼େଇବା ଶିଖେଇଦେଇଥାନ୍ତା !

ସତ ତ ! କାଗଜରେ ଲେଖାଥିବା ନମ୍ବରର ଗାଡ଼ିଟାଏ ଗୋଟାଏ ଦୋକାନଠାରୁ ଟିକେ ଛାଡ଼ି ଅନ୍ଧାରୁଆ ହୋଇ ରହିଛି । କେହି ଲୋକ ଦେଖାଯାଉନି । ରଘୁ ପାଖକୁ ଗଲା । ନମ୍ବରକୁ ଦି’ଥର ପଢ଼ିଲା । ଗାଡ଼ିଟି ଦେହରେ ହାତବୁଲେଇ ଦେଲାକ୍ଷଣି କିଏ ଗୋଟାଏ କୋଉଠୁ ପାଟିକରି ଉଠିଲା–

“ଏ ଟୋକା ! କ’ଣ କରୁଛୁ ? ଦେଖିବୁ ଏଥର… ।’’

ଚିର୍‌ଚିରେଇ ରଘୁ ଦଉଡ଼ି ପଳେଇଆସିଲାବେଳେ ଦେଖିଲା ସେବ ମାଉସୀ ଆସୁଛି । ସେ ଦମ୍ ନେଇ କହିଲା–

“ହଁ ଏଇ ନମ୍ବରର ଗାଡ଼ିଟା ଥୁଆହୋଇଛି । କିଏ ଗୋଟାଏ ପାଟିକଲା… ।” ସେବମାଉସୀ କହିଲ–‘‘ଚୁପ୍‍ଚାପ୍ ତୁ ଘରକୁ ଯା ! କାହାକୁ କିଛି କହିବୁନି । ମଉସାଙ୍କୁ ମୋଟେ କହିବୁନିଟି ?”

 

ସେବ ମାଉସୀ ଡଗଡ଼ଗ ହୋଇ ଚାଲିଗଲାକ୍ଷଣି ରଘୁ ମନରେ ଗୋଟାଏ କୌତୂହଳ ଆସିଗଲା । ସେ ପାଦ ଚିପି ଚିପି ଯାଇ ଦେଖିଲା, ସେବ ମାଉସୀ ଗାଡ଼ି ଭିତରେ ପଛରେ ଯାଇଁ ଓଢ଼ଣା ଟାଣି ବସିଗଲାକ୍ଷଣି କୋଉଠୁ ଗୋଟାଏ ମୋଟାସୋଟା ମଣିଷ ଆଗ ସିଟ୍‌ରେ ବସିପଡ଼ି ଭିଁ ଭିଁ କରି ଗାଡ଼ିଟା ନିମିଷକରେ ଛୁଟେଇନେଲା ।

 

ଶୁଖିଲା ପାଉଁରୁଟି ଖାଇ ଭିତରୁ ଆମ୍ବିଳା ଉଠୁଛି । ତା’ର ମନ ହେଉଛି କେଉଁଠି ବସି ଟିକେ ଚା’ ପିଅନ୍ତା ! ଚା’ କପ୍‌ଟା ପଚିଶ ପଇସା । ପଇସା କଥା ମନେପଡ଼ିଗଲେ ମୁହଁଟା ଶୁଖିଯାଏ । ଏଡ଼େ ସୁନ୍ଦର ଦୁନିଆରେ ପଇସା ନଥିଲେ ସବୁ ବୃଥା ! ତା’ ପାଖରେ ପଇସା ନାହିଁ । ମା’ ବାକ୍‌ସରେ ପଇସା ନାହିଁ । ବାପା ଯୋଉ ପଇସା ରୋଜଗାର କରୁଛି, ତାକୁ କୁଆଡ଼େ ଜେଜେମା, ମରିଥିଲାବେଳେ ଯେଉଁ ଟଙ୍କା ଧାର କରିଥିଲେ, ତାକୁ ଶୁଝିବ । ନହେଲେ ଘରଟା କୁଆଡ଼େ ସେ ଲୋକ ନେଇଯିବ !

 

ରଘୁ ପକେଟରେ ହାତ ପୂରେଇ ଭାବିଲା ଘରଟା ଚାଲିଗଲେ ବେଶି କ’ଣ କ୍ଷତି ହେବ-? ଦି’ଚାଖଣ୍ଡ ଘର । ସେଥିରେ ଫେର୍ ବର୍ଷାହେଲେ ଘରେ ଶୋଇହେବନି । ଖରାବେଳେ ଖରା ପଡ଼େ ଯେ ଛୁଟିଦିନରେ ସେ ଯାଇ ସେବ ମାଉସୀ ବାରଣ୍ଡାରେ ବସେ । ଏମିତି ଘର ଥିବା ଯାହା, ନଥିବା ସେଇଆ ।

 

ଲାଇଟ୍ ଖୁଣ୍ଟ ପାଖରେ ପକେଟ୍ ଭିତରେ ଲାଖି ରହିଥିବା ଛୋଟ ଖଣ୍ଡିଆ ବିଡ଼ିଟା ସେ ଟାଣିଆଣି ବାହାର କଲାବେଳେ ସେ ଶୁଣିପାରିଲା ମା’ର କଣ୍ଠ । ମା’ ସଙ୍ଗରେ ବେଶ୍‌ ହୃଷ୍ଟପୃଷ୍ଟ ମଣିଷଟିଏ ସଫା ପ୍ୟାଣ୍ଟ ପିନ୍ଧି ମୁହଁରେ ନାକରେ ରୁମାଲ ଚାପି ଆସୁଛି । କେମିତି ଯେପରି ଲୋକଟା ବିରକ୍ତ ହୋଇ ଉଠିଛି । ମା’ର କିନ୍ତୁ ଖାତିର ନାହିଁ । ବଜର ବଜର ହୋଇ କ’ଣ କହୁଛି ଆଉ ଡାହାଣ ହାତଟା ହଲେଇ ଚାଲିଛି । ବାଁ ହାତରେ ସଜନା ଡାଙ୍ଗରୁ ଗୋଛାଏ !

 

ପକେଟରେ ବିଡ଼ିଟା ତରତର କରି ପୂରେଇ ଦେଇ ରଘୁ ମୁହଁପୋତି ଆଗେଇଗଲା କିଛି ନ ଜାଣିଲା ପରି ! ଆଖି ପଲକରେ ମା’ ତା’ର ଡାହାଣ ହାତଟା ଆସି ଧରି ପକେଇଲା, ଆଉ ସେ ଲୋକକୁ ଦେଖେଇ କହିଲା–

 

“ଦେଖନ୍ତୁ ବାବୁ ! ଏତେ ବଡ଼ ଟୋକାଟା, ଖାଲି ବୁଲୁଛି ! ତା’ରି ବୟସର ପିଲା ରିକ୍ସା ଟାଣୁଛନ୍ତି ରାତିରେ, ସକାଳେ ପାଠ ମଡ଼ଉଛନ୍ତି, ୟାକୁ ଖାଲି ଭୋକ କରିବ ଦିନରାତି । ଏ କି କାମ କରିବ ! କଦଳୀ ବିକିବାକୁ ଦିନେ... ।”

 

“ମା’ଲୋ ! ଛାଡ଼ ଛାଡ଼ !

 

ଲଜ୍ଜା ଅପମାନରେ ରଘୁ ଶିହରି ଉଠିଲା I ମା’ ଯଦି କଦଳୀ ଖାଇବା କଥା ପକେଇଦିଏ ନା ଦାଣ୍ଡରେ, ତାହାହେଲେ... ।

 

ବାବୁଜଣକ ହସିଦେଇ ପୁଣି ଗମ୍ଭୀର ହୋଇ କହିଲେ–

 

“ସକାଳେ ଯଦି ସ୍କୁଲ୍‍କୁ ଯାଉଛି ତେବେ ସନ୍ଧ୍ୟାବେଳେ ଆସି କାମ କରୁ ରାତି ଦଶଟା ଯାଏଁ । ପଇସା କିନ୍ତୁ କମ୍ ହେବ । ହେଲେ ତା’ ପଢ଼ା ଖର୍ଚ୍ଚ ସେ ତୁଲେଇବ । କିନ୍ତୁ ଗୋଟାଏ କଥା… ।”

 

ବାବୁ ପୁଣି ରଘୁ ମା’ର ହାତ ଟାଣିନେଇ ଟିକିଏ ଦୂରକୁ ଯାଇଁ କ’ଣ ଫୁସ୍‌ଫୁସ୍ କରି କହିଲେ । ମା’ ପାଟିକରି କହିଲା–“କ’ଣ କହିଲ ବାବୁ ! ଏ ରକତରୁ ତାକୁ ଜନମ ଦେଇଛିଟି ? ନିମକହାରାମି କରିବନି । ଆଉ ଯଦି କରେନା, ତା’ କଲିଜା ମୁଁ ଖାଇ ଦେବିନି !”

 

ବାବୁ ଆଉ କିଛି ନକହି ପକେଟରୁ କେତେଖଣ୍ଡ ନୋଟ୍ ରଘୁ ମା’ ହାତରେ ଗୁଞ୍ଜିଦେଇ କହିଲେ–

 

“ହଉ, ହଉ, ତୋ’ ଉପରେ ମୋର ବିଶ୍ଵାସ ଅଛି । କାମ କିଛି ନୁହେଁ, ଖାଲି ସଚ୍ଚା ରହିବା ଦରକାର ।”

 

ମା’ ଲେଉଟି ଆସି ରଘୁ କାନ୍ଧରେ ନରମ କରି ହାତ ଥୋଇ କହିଲା–‘‘ନେ, ଏ ଶାଗ ନେଇ ଘରକୁ ଯା ! ମୁଁ ବାବୁଙ୍କୁ ଗଳି ଟପେଇ ଦେଇ, ଚାଉଳ ପାଏ ନେଇ ଯାଉଛି । ମା’ ଚାଲିଗଲା-। ରଘୁ ବିସ୍ମୟରେ ସେ ଆଡ଼କୁ ଅନେଇ କିଛି ବୁଝିପାରୁ ନଥିଲା ! କିଏ ଏ ବାବୁ ? କେବେ ତ ତାଙ୍କୁ ଦେଖିଲାପରି ମନେ ପଡ଼ୁନାହିଁ ।

 

ରଘୁ ଅନ୍ୟମନସ୍କ ଭାବରେ ଘର ଆଡ଼କୁ ମୁହାଁଇଲା ।

 

ଘର ଭିତରେ ଜମାଟ ଅନ୍ଧାର । ଡର ମାଡ଼ୁଛି ତାକୁ । ସେଇଥିପାଇଁ ପୁଣି ଶାଗ ଡାଙ୍ଗଗୁଡ଼ାକ ଘର ଭିତରକୁ ପକାଇ ଦେଇ ରଘୁ ରାସ୍ତା ଆଲୁଅରେ ଝାପ୍‌ସିଆ ଦେଖାଯାଉଥିବା ଖଣ୍ଡିଆ ପୋଲପାଖକୁ ଆସି ମା’ର ଫେରନ୍ତି ରାସ୍ତାକୁ ଚାହିଁ ବସିଲା ।

 

କେହି କୁଆଡ଼େ ନାହିଁ । ପାଖରେ ଥିବା ଛୋଟ ଛୋଟ କୁଡ଼ିଆଘରୁ ଛୋଟପିଲାଙ୍କର ପାଟି ଶୁଭୁଛି । କାହାଘରେ କିଏ ମାଛ ରାନ୍ଧୁଛି–ପବନରେ ତା’ର ବାସ୍ନା ଆସି ନାକରେ ବାଜୁଛି । ରଘୁର ପାଟିଟା ଲାଳେଇ ଉଠିଲା ! ହାତ ଚାଲିଗଲା ପକେଟକୁ–ଛୋଟ ବିଡ଼ିଟା ଆଣି ସେ ଦିଆସିଲିରେ ନିଆଁ ଲଗେଇଲାବେଳକୁ ଦେଖିପାରିଲା ମା’ ଆସୁଛି । ଭୟରେ ବିଡ଼ିଟା ପକେଇ ଦେଇ ସେ ଘରକୁ ଦଉଡ଼ିଲା ।

 

ମା’ ଘର ଭିତରେ ନପଶି ବାରଣ୍ଡା ଉପରେ ବସିପଡ଼ି ଲୁଗା କାନିରେ ବିଞ୍ଚିହେଲା । ଆଉ ରଘୁକୁ ଡାକି ମୁଣ୍ଡ ସାଉଁଳେଇ କହିଲା–

 

“ଦେଖ ବାପ ! ପେଟରେ ଭୋକ, ମୁହଁରେ ନାଜ କଥାଟା ଭଲ ନୁହେଁ । ଏତେ ତ କଲି ପେଟଟା ପୂରିଲା ନାହିଁ । ବାପର ରୋଜଗାର ତ ତାକୁ ନିଅଣ୍ଟ । ସେଥିରେ ପୁଣି ଧାର କରଜ । ଭାବିଥିଲି ତତେ ଦିନରେ ବାବୁ ପାଖକୁ ପଠେଇବି । ହେଲେ ମନ ବଳିବନି । ପାଠ ଦି’ଅକ୍ଷର ପେଟରେ ଥିଲେ, ଠାକୁରେ ଚାହିଁଲେ ଭାଗ୍ୟ ବଦଳିଯିବ । ହେଲେ…ସଞ୍ଜବେଳେ ଦିଘଡ଼ି ଯିବୁ ! ଖାଲି ବାବୁ ଯେଉଁଠିକି ମାଲପତ୍ର ପଠେଇବେ ତୁ ନେଇଯିବୁ । ସଙ୍ଗରେ କିଏ ଗଲା, କ’ଣ ଜିନିଷ ଗଲା ତୁ ସେକଥା ଭାବିବୁନ କି କାହାକୁ କିଛି କହିବୁନି । କୋଉଦିନ ଗାଡ଼ିରେ ଯିବୁ କୋଉଦିନ ରିକ୍ସା କି ଅଳପ ବାଟକୁ ଚାଲିଯିବୁ । ଯିବୁ ଆଉ ଆସିବୁ । କେହି ପଚାରିଲେ ଏମିତି କି ପୁଲିସ୍ ଯଦି ପଚାରେ ତେବେବି କହିବୁ ତୁ କିଛି ଜାଣିନୁ । କାମ ସରିଲେ ବାବୁ ଖାଇବାକୁ ଦେବେ, ତୁ ଖାଇକରି ଚାଲିଆସିବୁ ଘରକୁ ।”

 

ରଘୁ ଟିକେ ଖୁଜ୍‌ବୁଜ୍ ହେଲା ! ଠିକ୍ ଭାବରେ କ’ଣଟା ପଚାରିବ ବୁଝିପାରିଲାନି । କିଛି ତାକୁ କହିବାକୁ ହେବ ଭାବି ସେ କହିଲା–“ସେ ବାବୁଙ୍କ ନାଁ କ’ଣ ମା’ ? ମୁଁ ସେଠି କି କାମ କରିବି-?”

 

“ଚୋପ୍ ! ତତେ ପରା କହିଲି ମୁଁ ଘର ଦେଖେଇ ଦେବି, ତୁ କାମ କରିବୁ ବାବୁ ଯାହା କହିବେ । ଖାଇବୁ, ଘରକୁ ଆସିବୁ । ତୋର ଏତେ ନାଁ ଗାଁରୁ କ’ଣ ମିଳିବ କିରେ ? ପେଟ ପୋଷ ନାହିଁ ଦୋଷ !”

 

ରଘୁ କ’ଣ ଉତ୍ତରରେ କହିବ ବୁଝିପାରିଲାନି । ଏଣେ ପେଟରେ ନିଆଁ ଜଳୁଛି । ମା’ର ଗୋଡ଼ ପାଖରେ ଥୁଆ ହୋଇଛି ପୁଟୁଳାଟିଏ !

 

ମା’ ଏଥର କହିଲା–“ନେ ୟାକୁ ଖାଇନେ । ବାବୁ ଦେଇଛନ୍ତି । ମୁଁ ଖାଇ ଆସିଛି । ଭାରି ଥକ୍କା ଲାଗୁଛି । କାଲିତ ଭାତ ରାନ୍ଧିବି ।”

 

ରଘୁ ବିନା ବାକ୍ୟବ୍ୟୟରେ ପୁଡ଼ିଆଟା ଖୋଲିଲା । ଗୋଟିଏ ସୁବାସ ଆସୁଛି ସେଥିରୁ । ପୁରି ଆଉ ମାଂସ ତରକାରୀ, ତହିଁକି ଫେର୍ ଗୋଟାଏ ମିଠାବି ଅଛି ।

 

ତଳେ ବସିପଡ଼ି ଖୁବ୍ ଆଗ୍ରହରେ ଖାଇ ଚାଲିଲା ରଘୁ । ଖାଉଥିଲା କି ଗିଳି ଦେଉଥିଲା ସେ ବୁଝିପାରୁ ନଥିଲା ।

 

ଆଠଦିନ ଭିତରେ ରଘୁ ତା’ର କାମ ବିଷୟରେ କୌଣସି ଧାରଣା କରିପାରିଲାନି । କୋଉଦିନ ବାବୁ ଲେଖି ଦେଇଥିବା ଠିକଣାରେ ରିକ୍ସାରେ ବସି ସେ ଜିନିଷଟା ବନ୍ଧାବନ୍ଧି ଅବସ୍ଥାରେ କୋଉ ଅଜଣା ବାବୁ ପାଖରେ ପହଞ୍ଚେଇ ଦେଇ ଆସିଛି ତ, କୋଉ ଦିନ ଗାଡ଼ିରେ ବସି ଯାଇଛି । ଗାଡ଼ିରେ ଗଲା ଦିନ ଖୁସି ଲାଗେ । ସେ ଯା’ହେଉ, ଚାଲି ଚାଲି ଆଜିଯାଏଁ କେଉଁଠିକି ଯାଇନି । ପୁଣି ଫେରିଆସି ଦେଖିଛି ବାବୁଙ୍କ ଘରକୁ ଲାଗି ଗୋଟିଏ ଛୋଟିଆ ଘରେ ନାଚଗୀତ ଜମିଛି । କେତେକେତେ ବାବୁମାନେ ମଟର ଗାଡ଼ିରେ ଆସୁଛନ୍ତି, ଗିଲାସରେ ମଦ ପିଉଛନ୍ତି । ତା’ ବାପପରି ଟିଣ ଗିଲାସ ନୁହେଁ । ଗିଲାସ ଦେଖିଲେ ଆଖି ଝଲସି ଯିବ । କେତେ ସୁନ୍ଦର ସୁନ୍ଦର ଝିଅପିଲା ନାଚୁଛନ୍ତି, ଗୀତ ଗାଉଛନ୍ତି ପୁଣି ରାତି ବେଶି ହେଲେ ଗୋଟିଏ ଗୋଟିଏ ବାବୁ ସଙ୍ଗରେ ଚାଲି ଯାଉଛନ୍ତି । ମାତ୍ର ରଘୁକୁ ସେଠି ବସି ଦେଖିବାର ସୁବିଧା ନାହିଁ । ଖାଲି ଭିତରପଟ ଝରକାର କଣାଦେଇ ସେ ଯେତିକି ଦେଖିପାରେ ।

ହଠାତ୍ ରଘୁ ତଟସ୍ଥ ହୋଇ ଚାହିଁ ରହିଲା । ସେବ ମାଉସୀ ଆସିଛି ଆଜି । ଗୋଟାଏ ବାବୁ ଉପରେ ସେ ଢଳି ପଡ଼ିଛି । ତା’ଠୁ ଛଡ଼େଇ ନେଇ ମଦ ପିଉଛି । ଛିଃ, ଛିଃ, ସେବ ମାଉସୀଟା ସତରେ ବଡ଼ ଖରାପ ।

ଏତିକିବେଳେ କିଏ ଜଣେ ବାବୁ ଆସି ସେବ ମାଉସୀକୁ ଡାକି ନେଇଗଲେ ।

ରଘୁର ଘରକୁ ଯିବାର ସମୟ ହୋଇଯାଇଥିଲା । କିଏ ଜଣେ ଧାଇଁ ଆସି କହିଲା–

“ଏ ରଘୁ ! ବାବୁ କହିଲେ ତୁ ଏ ବାକ୍‌ସଟା ଆଜି ଅନ୍ୟ କୁଆଡ଼େ ନ ନେଇ ତୋ ମା’ ପାଖକୁ ନେଇଯିବୁ । କାଲି ବାବୁ ଅଡ଼ର୍ ଦେଲେ ସେ ଜିନିଷ ଯୁଆଡ଼େ ଯିବ !”

 

ରଘୁ ଅବାକ୍ ହୋଇ କହିଲା–“ଆମ ଘରେ ତ କବାଟ ନାହିଁ, ବନ୍ଦ କେମିତି ହେବ ? ଯଦି ଚୋରି ହୋଇଯାଏ !”

 

‘‘ତୁ ତ ନେଇଯିବୁ । ତେଣିକି ତୋ’ ମା’ ବୁଝିବ ।’’

 

ମା’ କୋଉଦିନ କେତେବେଳେ ଫେରେ ଠିକ୍ ନାହିଁ । ଦିନେ ଦିନେ ଭୋରବେଳକୁ ଆସେ । ବସ୍ତିରେ ଯଦି କିଏ ପଚାରି ଦିଏ, ତାହାହେଲେ ସେ କ’ଣ କହିବ ? ଯଦି ଜବରଦସ୍ତ କିଏ ନେଇଯାଏ, ପୁଣି ରଘୁକୁ ବାପା ପରି ଜିନିଷକୁ ସୁଝିବାକୁ ପଡ଼ିବ । ରଘୁ ମୁଣ୍ଡରେ ଗୋଟାଏ ବୁଦ୍ଧି ପଶିଗଲା । ସେ କହିଲା–“ସେବ ମାଉସୀକି ଦେଇଦିଅ ବାବୁ । ତା’ର ବଡ଼ଘର । ମୋଟା କବାଟ ଅଛି... !”

 

ସେବ ମାଉସୀ କିଏ ?”

 

‘‘ସେ ପରା ଏବେ ଏଇଠି ନାଚୁଥିଲା । ରୋଜ୍ ଏଠିକି ଆସୁଛି । ମୁଁ କେତେଥର ଦେଖିଲିଣି ।”

 

“ଚୋପ୍ ! ସେ କେଉଁ ମାଉସୀରେ ତୋର ? ସେ ତ ଏଠିକାର କୁଇନ୍ । ଦେଖ, ଭଲ ଦଶା ଅଛି ଶୀଘ୍ର ନେଇ ଚାଲିଯା ଏ ରିକ୍ସାରେ, ନହେଲେ ଚାକିରି ଯିବ ବାବୁ କହିଛି । ଖବରଦାର୍ ବାଟରେ ପାଟି ଖୋଲିବୁନି ।”

 

ସେଇ ଗୁଣ୍ଡାପରି ଲୋକଟା ତାକୁ ଏକଦମ୍ ଟେକିନେଇ ରିକ୍ସାରେ ବସେଇ ଦେଇ ରିକ୍ସାବାଲା କାନରେ କ’ଣ ଧୀରେ ଧୀରେ କହିଲା । ଆଖି ପିଛୁଳାକେ ପବନ ବେଗରେ ରିକ୍ସା ଦଉଡ଼ି ଚାଲିଲା ।

 

ଖୋଲା ପବନରେବି ରଘୁର ଦେହଟା ଶିରିଶିରେଇ ଉଠୁଥିଲା । କଳା ଟ୍ରଙ୍କ୍‍ଟା ଭିତରେ କ’ଣ ଆଉ ଭୂତପ୍ରେତ ଅଛି କି ?

 

ଆଶ୍ଚର୍ଯ୍ୟ ! ରଘୁକୁ ଘରଦ୍ୱାର ମୁହଁରେ ଦେଖି ମା’ ଆଗେଇ ଆସିଲା ଏବଂ ରିକ୍ସାବାଲା ସଙ୍ଗରେ ମିଶି ଗୋଟାଏ କଡ଼ା ଧରି ଟ୍ରଙ୍କ୍‍ଟାକୁ ଘର ଭିତରକୁ ଉଠେଇନେଲା । ଟିକିଏବି ପଚାରିଲାନି ସେ କ’ଣ, କି ଜିନିଷ ଅଛି ତା’ ଭିତରେ ? ରିକ୍ସାବାଲା ଘର ଭିତରେ ମା’କୁ କ’ଣ କହିଦେଇ ଦଉଡ଼ି ଚାଲିଗଲା ରିକ୍ସା ନେଇ ।

 

ଅନ୍ଧାରରେ ମା’ର ମୁହଁ ଦେଖା ଯାଉନି । ଛୋଟ ଲଣ୍ଠନରେ ତେଲ ଥିଲା । ଅଥଚ ମା’ ସଙ୍ଗେ ସଙ୍ଗେ ତାକୁ ଲିଭେଇ ଦେଲା ଏବଂ ରଘୁକୁ ଗୋଟିଏ କଣକୁ ଟାଣି ନେଇ କହିଲା–

 

‘‘ତୁ ଆସିଲାବେଳେ ତତେ କେହି ଦେଖିନି ତ ?” ରଘୁ କହିଲା–କିଏ ଦେଖିନି ! ଅନ୍ଧାରରେ ମତେ କିଏ ଚିହ୍ନିବ ଯେ…ହଁ, ହଁ ମା’…ସେବ ମାଉସୀ ଘର ମଉସା ମତେ ଗଳି ମୁଣ୍ଡରେ ଦେଖିଲେ ଯେ ହେଲେ କିଛି କହି ନାହାନ୍ତି ।”

 

“କ’ଣ କହିଲୁ, ସାଧୁ ତତେ ଦେଖିଲା ? ହଇରେ ସାଇଲୁ ତୁ ମୋତେ…!”

 

“ନାହିଁ ମା’ !ମୁଁ ତ କିଛି କହିନି । ଯଦି କହିବ ତାକୁ ସେବ ମାଉସୀ କହିବ । ସେ ମତେ ଖାଇଲାବେଳେ ବାବୁ ଘରେ ଦେଖିଥିବ !”

 

ମା’ ଆଉ କିଛି କହିଲାନି । ଗୁମ୍ ମାରି ସେ ଟ୍ରଙ୍କ୍‌ଟା ଉପରେ ବସି ପଡ଼ିଲା । କୋଉଠି ଯେମିତି କ’ଣ ଗୋଟାଏ ଭୁଲ କରି ପକେଇଛି ଭାବି ରଘୁ ଭୟ ପାଇ କିଛି ଆଉ ପ୍ରଶ୍ନ କଲା ନାହିଁ । ଅନ୍ଧାର ଭିତରେ ସେ ଏଣିକି ତେଣିକି ଅନେଇ ଖୋଜୁଥିଲା ଖାଇବା ଜିନିଷ । କୋଉଠି କିଛି ନଜରକୁ ଆସୁନି । ପଚାରିଲେ ମା’ ଚିଡ଼ିବ !

 

ରଘୁ ଆସ୍ତେ ଆସ୍ତେ କହିଲା–

 

‘‘ମା’ ! କିଛି ଖାଇବାକୁ ଅଛି ? ଭୋକ ହେଉଛି !” ମା’ ରାଗିଯାଇ ଉତ୍ତର ଦେଲା–

 

‘‘ନେ ମତେ ଖାଇଯା । ମୁଁ ନ ମରି ବଞ୍ଚିଛି ଯାହା ।”

 

ରଘୁ ଆଉ କିଛି ନକହି ତଳେ ଶୋଇ ପଡ଼ିଲା ! ଏମିତି ତ ଅନେକ ରାତି ଭୋକରେ କଟିଛି ! ଆଖି ବୁଜି ଆସୁ ଆସୁ ସେ ଜାଣିଲା ମା’ ବାହାରକୁ ଉଠିଗଲା । ଟିଣ ଖଣ୍ଡକ ଦୁଆରମୁହଁରେ ରଖିଦେଇ ଇଟା ଦିଖଣ୍ଡ ଢିରା ଦେଇ ସେ ଚାଲିଗଲା । ଏମିତି ଅନେକ ରାତିରେ ସେ ଯାଏଁ…ଯାଉ । ରଘୁ ତ ଏକୁଟିଆ ଶୋଇବାରେ ଅଭ୍ୟସ୍ତ । ଭଲ ହେଲା, ଟିକିଏ ଗଲେ ଉଠି ସେ ଦେଖିବ କୋଉଠି କ’ଣ ଖାଇବା ଜିନିଷ ଅଛି ।

 

କେତେ ରାତି ହେଲାଣି କେଜାଣି । ଯେମିତି ମନେ ହେଉଛି ସେ ଏଇକ୍ଷଣି ଶୋଇଥିଲା-। ଟିଣ ତାଟିଆ ଉପରେ ଦୁମ୍‍ଦୁମ୍ ପାହାର ପଡ଼ୁଛି । କିଏ ? ରଘୁ ପାଟି କରି ଉଠିଲା-। ସେପଟରୁ ଜବାବ ହେଲା–

 

‘‘ଶୀଘ୍ର ଏ ଟିଣ ଖୋଲି ପଦାକୁ ଆ । ନହେଲେ ଠେଙ୍ଗୁଲିରେ ତୋ ପ୍ରାଣ ଯିବ ଟୋକା-।”

 

ଛାନିଆରେ ରଘୁ ପଦାକୁ ଉଠିଆସି ଆଖି ମଳି ଚାହିଁଲା । ଗୋଟାଏ ନୁହେଁ, ଦୁଇଟା ନୁହେଁ, କୋଡ଼ିଏ ତିରିଶି ନାଲି ପଗଡ଼ି ଠେଙ୍ଗାଧାରୀ ପୋଲିସ୍ । ଟିକିଏ ଦୂରରେ ପୋଲ ପାଖକୁ ଲାଗି ଜିପ୍ ଓ ଅଧା ବସ୍‌ପରି ଗାଡ଼ିଟାଏ ଠିଆ ହୋଇଛି ! ଭୟରେ ରଘୁର ଜିଭ ତାଳୁ ଭିତରକୁ ପଶିଗଲା । ସେ ଖାଲି ଏଣିକି ତେଣିକି ଅନେଇ ତା’ ମା’କୁ ଖୋଜି ଚାଲିଥିଲା । ବାଡ଼ିଟାରେ ରଘୁର ପେଟକୁ ଭୁଷାଏ ମାରି କିଏ ଜଣେ କହିଲା–

 

‘‘ହଇରେ ତୋ’ ମା’ ଗଲା କୁଆଡ଼େ ? ଏ ଟ୍ରଙ୍କ୍ ତୋ ମା’ ଖୋଲିଥିଲାଟି ? କ’ଣ କାଢ଼ି ନେଇଛି ? କହ, ନହେଲେ ପେଟ ଫୁଟେଇ ଦେବି !”

 

ରଘୁ ଦି’ଆଖିରେ ପାପୁଲି ମାଡ଼ି ଖାଲି କାନ୍ଦି ଉଠିଲା ! ସାଇସାରା ଲୋକ ଭର୍ତ୍ତି ହୋଇଗଲେଣି ଆସି । ସମସ୍ତଙ୍କ ଆଖିରେ ବିସ୍ମୟ ! କିଏ କହୁଛି ରଘୁଆ ମା’ ସବୁ ଜାଣି ଘର ଛାଡ଼ି ପଳେଇଛି । କିଏ କହୁଛି ଟୋକାଟା ମଉନମୁହାଁ ଚୋରିମାଲ ବିକୁଥିଲା । ଆଉ କିଏ କହୁଛନ୍ତି ମା’ ପୁଅ ଦୁହିଁକି ଦୁହେଁ ବଜ୍ଜାତ । ତାଙ୍କ ଯୋଗୁଁ ସାଇ ବଦନାମ । ହାଏ ଭଗବାନ ! ଏତିକିବେଳେ କିଏ ଜଣେ ଧାଇଁ ଆସି କହିଲା–

 

“ଆଜ୍ଞା ! ଘର ବାରି ବଗିଚା ସବୁ ଖୋଜିଲୁ ସେଠି । କେହି ନାହିଁ । କୋଉ ଦିନରୁ ଭଙ୍ଗା କପ୍ ଆଉ ବୋତଲ ପଡ଼ିଛି । ସେ ରିକ୍ସାବାଲା ଠକି ଦେଇଛି... ! ତା’ ନମ୍ବର ରଖିଛନ୍ତିଟି ?”

 

“ଓଃ କେଶବ ! ତୁମେ ଆଉ ହେବନି । କିହୋ, ନମ୍ବର ଚେଞ୍ଜ କରିବାକୁ କ’ଣ ସମୟ ଲାଗିବ ?”

 

ସାଧୁ ମଉସା ବାହାରି ପଡ଼ି କହିଲା–

 

‘‘ଛାଡ଼, ଛାଡ଼ ବାବୁ ! ଛୁଆଟାର କିଛି ଦୋଷ ନାହିଁ ! ତା’ ମା’ ଆସିଲେ ଯାହା ହେବ । ଥାନାକୁ ଗଲେ ତା’ ମା’ ବଳେ ଯିବନାହିଁ ।”

 

ରଘୁ କେମିତି ଘୋଷଡ଼ା ହୋଇ ଗାଡ଼ିରେ ବସିଲା କେତେ ସମୟ ବସିଲା, ଆଉ ବିଧା ଚାପଡ଼ା ଖାଇଲା ତା’ର କିଛି ମନେ ରହିଲାନାହିଁ । ଯନ୍ତ୍ରପରି ସେ ଥାନାରେ ପହଞ୍ଚିଲା । ଯେତେ ପ୍ରଶ୍ନ ପଚରାଗଲା ତା’ ପାଟିରୁ କିଛି କଥା ବାହାରିଲା ନାହିଁ । ନିଜ ଦେହକୁ ଅନାଇ ନୋଳା ବସିଯାଇ ଲମ୍ବଗାର ପଡ଼ିଥିବା ଚମଡ଼ାକୁ ଅନେଇ ସେ ବୋକା ପାଲଟି ବୋଧଶକ୍ତି ହରେଇଥିଲା । ମନେମନେ କେବଳ ବ୍ୟାକୁଳ ହୋଇ ସେ ମା’କୁ ଖୋଜି ଚାଲିଥିଲା ।

 

ଏତିକିବେଳେ ଟେବୁଲ୍ ଉପରେ ଥୁଆ ହୋଇଥିବା ଫୋନ୍‌ଟା ବାଜି ଉଠିଲା ଆଉ ଜଣେ ପୋଲିସ୍ ଅଫିସର ଫୋନ୍ ଉଠାଇ କ’ଣ ଶୁଣିଲେ କେଜାଣି ମୁହଁ ଆମ୍ବିଳାକରି କହିଲେ–

 

‘‘ଭଲକରି ଦେଖିଛ ତ ? ସେବତୀ ମରିବାର ଲୋକନୁହେଁ ।”

 

“.........”

 

“ମୁଣ୍ଡଗଣ୍ଡି ଦିଗଡ଼ ହୋଇଛି ? ଆଁ, ରେଳଲାଇନ୍ ତଳେ ! ଆଚ୍ଛା, ଆଚ୍ଛା ବଡ଼ି ନେଇ ଆସ । ଆଉ ସେ ବୁଢ଼ୀ ?”

 

“.........”

 

‘‘ସେ ମରିବନି ସେମିତି । ଚାରିଆଡ଼େ ରୋକିଦିଅ । ଖବରଦାର୍ ଯେମିତି ଚାଲି ନଯାଅ…ଆଚ୍ଛା ମୁଁ ଯାଉଛି ।”

 

ମୁଣ୍ଡରେ ଟୋପିଟା ଦେଇ ବାବୁ କହିଲେ–“ଟୋକାକୁ ସେ ଘରେ ରଖିଦିଅ । କାଲି ଦେଖିବା ।”

 

ନିସ୍ତବ୍ଧ ରାତିରେ ଅନ୍ଧାରଘର ଭିତରେ ରଘୁ ସମ୍ମୋହିତ ହେଲାପରି ତନ୍ଦ୍ରାଚ୍ଛନ୍ନ ଅବସ୍ଥାରେ ପଡ଼ିରହି ସ୍ଵପ୍ନ ଦେଖିଲା–ସେ ଖୁବ୍ ଡେଙ୍ଗା, ମୋଟା ହୋଇଯାଇଛି । ତା’ର ନାକତଳେ ବଡ଼ବଡ଼ ନିଶ ଫୁଲି ଯାଇଛି, ଏବଂ ତା’ ଅଣ୍ଟାରେ ବନ୍ଧାହୋଇଛି ଦି’ଟା ମୋଟା ଛୁରି । ସେ ବସିଛି ଘୋଡ଼ାରେ । ହାତରେ ତା’ର ପିସ୍ତଲ…ଏକ, ଦୁଇ, ତିନି ଏମିତି ହଜାର ହଜାର ନିୟୁତ, କୋଟି…ଆରେ, ଆରେ କ’ଣ ହେଲା ? ସବୁ କୋଠାଘର ଇସ୍କୁଲ ମନ୍ଦିର, ମସଜିଦ କଲେଜ ହୋଟେଲ ବଜାରରେ ବସିଥିବା ଲୋକଗୁଡ଼ାକ । ଏମିତିକି ତା’ର ମା’ ଟଳି ପଡ଼ିଛନ୍ତି ତଳେ ଲମ୍ବଲମ୍ବ ଅଧିଆ ପଡ଼ିଲାପରି । ପୋଲିସ୍ ଗାଡ଼ି ଜମା ହୋଇ ଯାଇଛି । ଶବ ରଖିବାକୁ ଜାଗା ନାହିଁ…ସମସ୍ତେ ତଟସ୍ତ ହୋଇ ହାତଯୋଡ଼ି ତାକୁ ପ୍ରାର୍ଥନା କରୁଛନ୍ତି ! ସତେ ବା ସେ ଈଶ୍ଵର ! ନା, ସେ ଛାଡ଼ିବନି । ସମସ୍ତଙ୍କୁ ଗୁଳି କରିଦେବ : ରଘୁରବି ମନେହେଲା ସେ ଈଶ୍ଵର ! ତା’ର ଛାତି ଫୁଲି ଉଠିଲା, ଚଉଡ଼ା ହେଲା । ସେ ସବୁ ମଣିଷ, କୋଠାବାଡ଼ି ସ୍କୁଲ୍ କଲେଜ, ମନ୍ଦିର ମସଜିଦ ଗିର୍ଜାଆଡ଼କୁ ଆଖି ବୁଲେଇ ନେଇ ଗମ୍ଭୀର କଣ୍ଠରେ ଅଡ଼ର୍ ଦେଲା–

 

‘‘ସାବଧାନ ! ଆଉ ଟିକେ ଆଗେଇଲେ, କି ହଲଚଲ ହେଲେ ଗୁଳିକରି ଉଡ଼େଇ ଦେବି-। ମୋ ରକ୍ତରୁ ଜନ୍ମହୋଇ ନିମକହାରାମି କଲେ ମୁଁ ତୁମ ସମସ୍ତଙ୍କର କଲିଜା ଖାଇଦେବି ! “ସାବଧାନ !”

Image

 

ଶ୍ରୀ ରବି ପଟ୍ଟନାୟକ

ବାଇଶି ପାହାଚ

 

ମଣିଷ ଯେତେବେଳେ ପ୍ରତ୍ୟେକ ଯୁଗରେ ପୁରୁଣା ସମାଜ ଭାଙ୍ଗି ନୂଆ ସମାଜ ଗଢ଼ିଛି, ପୁରୁଣା ପରମ୍ପରାକୁ ଭାଙ୍ଗି ନୂତନ ପରମ୍ପରାର ସୃଷ୍ଟି କରିଛି, ସେ କ’ଣ ଏଇ ଗତାନୁଗତିକ ପୁନରାବୃତ୍ତିକୁ ଭାଙ୍ଗିଚୂରି ଦେଇ ଯାଇପାରନ୍ତା ନାହିଁ ?

 

(ବଡ଼ଦାଣ୍ଡ)

 

ତ୍ରେତୟାଠାରୁ ଦ୍ଵାପର ।

 

ବଧୂଠାରୁ ପ୍ରେମିକା ।

 

ସୀତାଠାରୁ ରାଧିକା ।

 

ଆଉ କଳି !

 

ଆଜି ମନରେ ବଇଁଶୀ ବାଜେନା । ବାଜୁଛି ଖାଲି ଦେହର ବଇଁଶୀ । ପ୍ରେୟସୀର ଅଙ୍ଗସୌଷ୍ଠବ । ତା’ର ଭାଇଟେଲ୍‌ ଷ୍ଟାଟିସ୍‍ଟିକ୍ସ । ଛାତିର ମାପ, ଅଣ୍ଟାର ମାପ, ଓଠର ଓସାର, ଆଖିର ଚାହାଣି, ଛପିଛପି ଅଭିସାରିକା ଆଜି ଆସେନା । ସେ ଆସେ ଦର୍ପରେ ସ୍ତନର ଉଚ୍ଚତା ଦେଖାଇ ନାଭିର ଗଭୀରତା ଦେଖାଇ, ପୃଷ୍ଠଦେଶର ମସୃଣତା ଦେଖାଇ ଦୃପ୍ତ ପଦକ୍ଷେପରେ । ଆଜି ଆଉ ସେ କୁଞ୍ଜବନର ଦ୍ୱାରଦେଶରେ ପ୍ରତୀକ୍ଷମାଣା ହୋଇ ରହେନା । ପ୍ରିୟ ଆଜି ଆସେନା ମଧ୍ୟରାତ୍ରିର ଅନ୍ଧକାରରେ, ଲୋକଲଜ୍ଜା ଏଡ଼ାଇ । ସେ ଆଜି ଆସେନା ସ୍ପଷ୍ଟ ଦିବାଲୋକରେ ଲୋକଲଜ୍ଜାକୁ ଉପେକ୍ଷା କରି, ପ୍ରେୟସୀ ପାଖକୁ । ତା’ ହାତରେ ଆଜି ବଇଁଶୀ ନାହିଁ । ବଇଁଶୀ ବଦଳରେ ସେ ମୁଦ୍ଗର ଧରି ନିଜ ନିଜର ମାଂସପେଶୀକୁ ଟାଣ କରିଛି । ସେଥିପାଇଁ ଉନ୍ମୁକ୍ତ ଛାତିର ମାଂସପେଶୀ ଦେଖାଇ ସେ ପ୍ରେୟସୀକୁ ଦେଖାଏ ତା’ର ପୁରୁଷତ୍ଵ ।

 

ମାନସିକ ପ୍ରେମ ଭାଙ୍ଗିରୁଜି ଯାଇ ସବୁ ଜମି ଯାଇଛି ଦେହର ପ୍ରତି ରକ୍ତକଣିକା ଭିତରେ-। ପ୍ରେମ ଆଜି ଯୌନ, ବିରହ ଓ ମିଳନ ଆଜି ଦେହ ଓ ଦେହର ମିଳନ ଓ ବିଚ୍ଛେଦ । ପ୍ରେମ ଏକ ମୁହୂର୍ତ୍ତକର ଉତ୍ତେଜନା, ଅବିଶ୍ରାନ୍ତ ଅନୁଭବର ସୁରଭିତ ପ୍ରବାହ ନୁହେଁ । ଦୁଇ ଉତ୍ତେଜନାକର ମୁହୂର୍ତ୍ତ ଭିତରେ ସଂଯୋଗ କେବଳ ଦୈହିକ ଶ୍ରମର ଅବସାଦ ଅବା ନ ପାଇବାର ଯନ୍ତ୍ରଣା ।

 

ଅବକ୍ଷୟର ବଡ଼ଦାଣ୍ଡରେ ଆମେ ସମସ୍ତେ ଚାଲିଛୁ । ରାସ୍ତାର ଦୁଇପାଖରେ ବିପଣୀମାନଙ୍କରେ ନଗ୍ନ ନାରୀ ପୁରୁଷଙ୍କ ଚିତ୍ର ଝୁଲୁଛି । ପ୍ରାସାଦର ଗାତ୍ରରେ ଗାତ୍ରରେ ଖୋଦିତ ହୋଇଛି ନାଟମନ୍ଦିରର ମୈଥୁନରତ ପୁରୁଷ ଓ ସ୍ତ୍ରୀ । ଚଉଷଠି ବନ୍ଧର କାମଶାସ୍ତ୍ର ।

 

ମାନସିକ ଅନୁଭବ ମରିଯାଇଛି । ମନ ଜଡ଼ ପାଲଟି ଯାଇଛି । ତା’ର ଆକର୍ଷଣବି ତେଣୁ ନାହିଁ । ଦେହ ଆଜି ତା’ର ପ୍ରତିଷ୍ଠା ପାଇଛି ଅନେକ ଦିନ ପରେ । ଦେହହିଁ ତ ସତ୍ୟ, ଦେହହିଁ ତ ବଢ଼େ । ଶିଶୁରୁ ହୁଏ କିଶୋର–କିଶୋରରୁ ଯୁବକ । ଦେହରହିଁ ତ ଯୌବନ । ଦେହର ତୃପ୍ତିରେହିଁ କେବଳ ତୃପ୍ତି ।

 

ମଲ୍ଲିକା ମୋର ସ୍ତ୍ରୀ । ତାକୁ ମୁଁ ଭଲ ପାଇଥିଲି ଓ ବାହା ହୋଇଥିଲି କେବଳ ତା’ର ତନୁ ସୌନ୍ଦର୍ଯ୍ୟ ଯୋଗୁଁ । ମନ ଯୋଗୁଁ ନୁହେଁ । ତା’ର ନଗ୍ନ ରୂପର ସୌନ୍ଦର୍ଯ୍ୟହିଁ ମୋତେ ପାଗଳ କରେ, ତା’ର ମାନସିକ ସୌନ୍ଦର୍ଯ୍ୟ ନୁହେଁ ।

 

ନା, ପ୍ରେମନାହିଁ–ପ୍ରେମ କେବଳ ଦେହର । ଦେହ ଦେହର ସଂଘର୍ଷହିଁ ପ୍ରେମର ପ୍ରକୃତ ମିଳନ । ଆଉ କିଛି ନୁହେଁ ।

 

ସିଂହଦ୍ୱାର

 

ବାଟ ଚାଲୁଚାଲୁ ହଠାତ୍‌ ଅଟକି ଗଲି ମୁଁ । ବଡ଼ଦାଣ୍ଡ ଶେଷ ହୋଇଛି । କାମନାର ଶୋଭାଯାତ୍ରା ହଠାତ୍‌ ଟିକେ ଯେମିତି ଥକା ପାଇ ସିଂହଦ୍ୱାର ଆଡ଼େ ଅନେଇ ଥମକି ରହିଯାଇଛି । ସିଂହଦ୍ଵାରର କବାଟ ମେଲା । ଭିତରେ ସାମାନ୍ୟ ଆଲୋକର ପ୍ରଭା ।

ଆମେମାନେ ପତଙ୍ଗ ନୋହୁଁ । ଆମେ ଅନ୍ଧକାରର ଜୀବ । ଶୋଭାଯାତ୍ରାର କେତେଜଣ ପତଙ୍ଗ ଯେମିତି ଆକୃଷ୍ଟ ହୋଇ ସିଂହଦ୍ୱାର ଆଡ଼କୁ ଚାଲି ଆସିଲେ । ବାକି ସବୁ ପଛେଇ ଗଲେ । ଯେତେ ସାମାନ୍ୟ ଆଲୋକ ହେଲେବି ଅସହ୍ୟ । ଶୋଭାଯାତ୍ରା ଦଳଦଳ ହୋଇ‌ ଭାଙ୍ଗିଯାଇ ବିଭିନ୍ନ ଗଳି ଉପଗଳିର ଅନ୍ଧକାର ଭିତରେ ବିଲୀନ ହୋଇଗଲାଣି ।

ବଡ଼ଦାଣ୍ଡରେ ଅସ୍ପଷ୍ଟ ଆଲୋକର ଛାୟା । ବଡ଼ଦାଣ୍ଡରୁ ପାହାଚ ପାହାଚ ହୋଇ ତଳକୁ ତଳକୁ ଲମ୍ବିଛି ଘନାନ୍ଧକାରର ଗଳି । ଗଳି ଭିତରେ ଯନ୍ତ୍ରଣାର ଆର୍ତ୍ତନାଦ । ଆନନ୍ଦର ଅଟ୍ଟହାସ । ଉତ୍ତେଜନାରେ ଉତ୍ତପ୍ତ ବାୟୁମଣ୍ଡଳ । ସିଂହଦ୍ୱାରଠାରୁ ଗଳିର ଦୂରତ୍ଵ କେତେ ବା ଦୂର । ଆଗକୁ ଲମ୍ବିଛି ଉଠିବାର ପାହାଚ । ଛାଇଆଲୁଅରେ ଅସ୍ପଷ୍ଟ । ପଛକୁ ଲମ୍ବିଛି ଗଳି ଭିତରକୁ ପାହାଚ । ପରିଚିତ ଗଳି, ପରିଚିତ ଲୋକ, ନିଶ୍ଚିନ୍ତ ଆଶ୍ରୟ, ତଥାପି ପାଦ ଆଗକୁ ଟାଣି ହୋଇ ଯାଉଛି ଅଜଣାର ଆକର୍ଷଣରେ; କିନ୍ତୁ ପରିଚିତ ଗଳିର ଆକର୍ଷଣ ଟାଣି ଧରିଛି ପଛକୁ ।

କୋଉ ବାଟରେ ଯିବି ? ବାଟ କାହିଁ ? ପଥ କାହିଁ ? ଶରଧା ବାଲିର ପଥ ବଡ଼ ଦୁର୍ଗମ ଥିଲା । ଏବେ ବଡ଼ଦାଣ୍ଡର ପିଚ୍‌ରାସ୍ତା । ସହଜ ପୁଣି ଗଳି ରାସ୍ତା ନିହାତି ଜଣାଶୁଣା । ଅତି ନିକଟର-। ଅତି ଆପଣାର ।

ମଲ୍ଲିକା ଅପେକ୍ଷା କରିଥିବ । ତା’ର ପ୍ରଖର ଯୌବନ ଲୁଣ୍ଠିତ ହେବାପାଇଁ ଉନ୍ମୁଖ ହୋଇ ରହିଥିବ । ତାକୁ ପ୍ରତିଶ୍ରୁତି ଦେଇଛି ସେଇ ଗଳି ପଥ ଦେଇ ତା’ର ପାଖକୁ ଯିବି ବୋଲି । ପୁତ୍ରର ଦରୋଟି ଭାଷାର ଶବ୍ଦ ପବନରେ ଫୁଟୁଛି । ପିତାମାତାଙ୍କ ସ୍ନେହର ପ୍ରତୀକ୍ଷା ଆକୁଳ କରୁଛି । ଆହୁରି ଗଳି ଭତିରେ ମୋ ଘର, ମୋ ଗାଡ଼ି, ମୋ ସମ୍ମାନ ମୋର ପ୍ରତିପତ୍ତି ।

ଗଳିପଥ ଛାଡ଼ି ସିଂହଦ୍ଵାର ? ଅସମ୍ଭବ । ହଉ ଯାଏଁ ନା ଥରେ । କେତେ ସମୟ ଲାଗିବ-। ଫେରି ଆସିବି ନାହିଁ ? କିଏ ମୋତେ ବାନ୍ଧି ନବ କି ? ଅଦ୍ଭୁତ ଏକ ଆକର୍ଷଣ-। ଅଜଣାର କୌତୂହଳ-! ଅନ୍ତର ଭିତରୁ କିଏ ଯେମିତି ଠେଲି ଠେଲି ନେଇ ଯାଉଛି । ଆପେଆପେ ଲମ୍ବିଗଲା ସିଂହଦ୍ଵାର ଭିତରକୁ ।

 

ପ୍ରଥମ ପାହାଚ

 

କିଏ କହିପାରେ କ’ଣ ହେବ ? ଘରେ ପହଞ୍ଚୁ ପହଞ୍ଚୁ ହୁଏତ ଶୁଣିବି ମଲ୍ଲିକା ଅସୁସ୍ଥ । ବାବୁନିର ଦୁଃସାଧ୍ୟ ରୋଗ । ବାପାଙ୍କର ଆକ୍‌ସିଡ଼େଣ୍ଟ । ମା’ ହଠାତ୍‌ ଅନ୍ଧ ହୋଇ ଯାଇଛି । କେତେକଅଣ ହୋଇପାରେ । ହେଇତ ସେଦିନ ଜଗତବାବୁ କାର୍‍ରେ ଆସୁ ଆସୁ ହଠାତ୍‌ ଆକ୍‌ସିଡ଼େଣ୍ଟ ହୋଇଗଲା । କ୍ଷଣକ ଭିତରେ ବାଘପରି ମଣିଷଟାର ସବୁ ଶେଷ । ଚିଫ୍‌ ସେକ୍ରେଟାରୀ ହୋଇଥାନ୍ତା । କିଛି ନାହିଁ, କିଛି ନାହିଁ ହଠାତ୍‌ ସାମାନ୍ୟ ଗୋଟାଏ ଘା’ରୁ ଜଣାପଡ଼ିଲା ମିସେସ୍‌ ଗଡ଼ନାୟକଙ୍କର ଏତେ ସୁନ୍ଦର ସ୍ତ୍ରୀର କେନ୍‌ସାର । କେତେ ଔଷଧ, କେତେ ଚିକିତ୍ସା । ଚାହୁଁ ଚାହୁଁ ମାସ ଛଅଟାରେ ସବୁଶେଷ । ନା, କିଛିର ସ୍ଥିରତା ନାହିଁ । ହରିବାବୁଙ୍କ ଏତେ ସମ୍ପତ୍ତି । ବୁଢ଼ା ମରିବାର ଗୋଟିଏବର୍ଷବି ଯାଇନି, ପୁଅମାନଙ୍କ ଭିତରେ କଳି ଲାଗି ସବୁ ନଷ୍ଟ ହୋଇଗଲା । ପିଲାମାନେ ଏବେ ପରଘରେ ଚାକିରି କରି ପେଟ ପୋଷୁଛନ୍ତି । କିଛିର ଆଉ ସ୍ଥିରତା ନାହିଁ କି ସ୍ଥାୟୀତ୍ଵ ନାହିଁ କେବଳ ଭଗବାନଙ୍କ ଦୟା ଛଡ଼ା । ଠାକୁରଙ୍କ କୃପା ଥିଲେ ସବୁହୁଏ ।

 

ହେ ପ୍ରଭୁ ! ହେ ମଣିମା, ତୁମେ ରକ୍ଷାକର । ତୁମେ ତ ସମସ୍ତଙ୍କର ରକ୍ଷାକର୍ତ୍ତା । ପାଳନକର୍ତ୍ତା । ତୁମେହିଁ ଦୟାକର ପ୍ରଭୁ ।

 

ଦ୍ଵିତୀୟ ପାହାଚ

 

ହେ ଠାକୁର ! ମୋ ସ୍ତ୍ରୀ, ପିଲା ଓ ପରିବାର ସବୁ ଭଲରେ ଥାଆନ୍ତୁ । ବାପାଙ୍କର ରୋଗ ଭଲ ହୋଇଯାଉ । ଗୁଡ଼ାଏ କଷ୍ଟ ଭୋଗିଲେଣି । ଅନେକ ପଇସାବି ନଷ୍ଟ ହେଲାଣି । ମୋ ପ୍ରମୋସନ୍‌ଟା ଏଥରକ ହୋଇଯାଉ ଭଗବାନ । ସେଶଳା ମୋହନଟା ମୋ ପଛରେ ଲାଗିଛି । ତାକୁ ଶାସ୍ତି ଦିଅ ପ୍ରଭୁ । ଦୁଷ୍ଟ ଲୋକଙ୍କୁ ମାରି ତମେ ପରା ସନ୍ଥମାନଙ୍କୁ ପାଳନ କର । ପାଞ୍ଚଟଙ୍କାର ଭୋଗହେଲେ ଚଳିବ ନାହିଁ, ଏଥରକ ମାନସିକ କରିଛି ଠାକୁରେ ଦଶଟଙ୍କାର ଅନ୍ନଭୋଗ ଦେବି । ତମ କଳସରେ ପତାକା ବାନ୍ଧିବି । ତମ ମୁଣ୍ଡରେ ରୁପା ଚନ୍ଦ୍ର ମୁକୁଟ ଦେବି । ହେ ମା’, ତୋ ପାଖରେ କଳାବୋଦା ବଳିଦେବି । କଳାଶାଢ଼ି ଦେବି । ସୁନା ମୁକୁଟ ଦେବି ।

 

ଭଗବାନ, ତମେ ଆମକୁ ବିପଦରୁ ଉଦ୍ଧାର କର । ମକଦ୍ଦମା ଲାଗି ଜମିଟା ଅନେକ ଦିନ ହେଲାଣି ପଡ଼ିଆ ପଡ଼ିଛି । ଏଥରକ ମକଦ୍ଦମାରେ ଜୟହେଉ । ମୋର ଗୋଟାଏ ପୁଅ ହେଉ-। ମୋ ଝିଅପାଇଁ ଭଲ ବରଟିଏ ମିଳୁ । ମୋ ବଡ଼ ଜୋଇଁର ବ୍ୟବସାୟରେ ଉନ୍ନତି ହେଉ । ପ୍ରଭୁ, ଆହୁରି ଭୋଗ ଚଢ଼େଇବି । ହେ ମା’, ହେ ପ୍ରଭୁ, ହେ କୃଷ୍ଣ, ହେ ଜଗନ୍ନାଥ–ହେ ଶିବ–ହେ ବଦ୍ରିନାଥ-

 

ତୃତୀୟ ପାହାଚ

 

କୋଉ ଠାକୁର ? ଠାକୁର କିଏ ? କାହାକୁ ଡାକୁଛି ? କିଏ ମୋର ଅଭୀଷ୍ଟ ଫଳ ଦାନ କରିବ ? ଯଥାଶୀଘ୍ର ପୁଣି ସଦାସର୍ବଦା । ଗାଁମୁଣ୍ଡର ସିନ୍ଦୁରବୋଳା ଖଣ୍ଡିଆ ପଥରର ଗ୍ରାମଦେବତୀ-? କୃଷ୍ଣ ? ରାମ ? ଶିବ ? ଗଣେଶ ? ସରସ୍ଵତୀ ? ଦୁର୍ଗା ? କାଳୀ ? ବଦ୍ରିନାଥ ନା ଦ୍ୱାରକାନାଥ-? ଜଗନ୍ନାଥ ନା ଭେଙ୍କଟେସ୍ଵର ? କିଏ ପ୍ରତ୍ୟକ୍ଷ ଦେବତା ? କିଏ ମୋର ଡାକ ଶୁଣୁଛି ବା ଶୁଣିବ-

 

ନା ସମସ୍ତେ ଦେବତା । ସମସ୍ତେ ଠାକୁର । ସମସ୍ତଙ୍କ ପାଖରେ ଭୋଗ । କୋଉଠି ବେଲପତ୍ର, କୋଉଠି ତୁଳସୀ । କୋଉଠି ରକ୍ତଚନ୍ଦନ, କୋଉଠି ଶ୍ଵେତ ଚନ୍ଦନ । କିଏ କଳା କୁକୁଡ଼ା ମାଗେ ତ କିଏ କଳା ବୋଦା ? କିଏ ମହିଷ ତ କିଏ ନରବଳି ମାଗେ ।

 

ସମସ୍ତଙ୍କୁ ପୂଜା କରିବି । ଯେ ଯେମିତି ଠାକୁର ସେ ସେମିତି ଭୋଗ ଚାହେଁ । ତା’ ପାଖରୁ ସେମିତି ବର ମାଗିବି ।

 

ଗ୍ରାମଦେବତୀ–ରକ୍ଷାକର୍ତ୍ତା ।

 

କାଳୀ–ମରଣ ମୁହଁରୁ ରକ୍ଷା କରିବେ ।

 

ଶିବ–ମନବାଞ୍ଛା ଫଳଦେବେ । ସନ୍ତାନ, ଧନ, ମାନ, ଯଶ ।

 

ଦୁର୍ଗା–ଐଶ୍ୱର୍ଯ୍ୟ ଦେବେ ।

 

ରାମ–ରାଜପଦ ଦେବେ ।

 

ହେ ସବୁ ଠାକୁରମାନେ ! ସମସ୍ତଙ୍କୁ ମୋର କୋଟି କୋଟି ଜୁହାର ।

 

ଚତୁର୍ଥ ପାହାଚ

 

କାଳୀଙ୍କ ଫଟୋ–ଟଙ୍କାଟେ ? ଆଠଅଣା ହେବନି ? ହମଁ ଦିଅ । ଆହୁରି ଫଟ ନେବି । ରାମଙ୍କ ଫଟ, ଶିବଙ୍କ ଫଟ, ଦୁର୍ଗାଙ୍କ ଫଟ, ହରପାର୍ବତୀ, ବିମଳା, ଗଣେଶ, ରାମସୀତାଙ୍କ ଫଟ । ସବୁ ଠାକୁରଙ୍କ ଫଟ ରହିବ ଠାକୁରଘରେ । କେହି ବାଦ ପଡ଼ିବେନି । କାଳେ ଅନ୍ୟ ଠାକୁର ରାଗ କରିବେ । ସମସ୍ତଙ୍କଠାରେ ସମାନ ଭକ୍ତି । ତେବେ ଗ୍ରାମଦେବତୀ ଚଣ୍ଡୀଙ୍କ ମନ୍ଦିର ପାଖ । ତେଣୁ ତାଙ୍କ ପାଖକୁ ସବୁବେଳେ ଯିବାକୁ ପଡ଼ିବ । ସେ ରାଗିଲେ ଆଉ ରକ୍ଷା ନାହିଁ । ଏକାବେଳେକେ ବଂଶଲୋପ ହୋଇଯିବ । ମା’ଲୋ, ସାହା ହୋଇଥା । ସବୁ ବିପଦରୁ ରକ୍ଷା କର ମା’ । ତୋରି କୃପାରୁ ବଂଶ ବଢ଼ୁ, ଧନ ମାନ ଯଶ ଗୋପଲକ୍ଷ୍ମୀ ସବୁ ମାଡ଼ିଆସୁ ମା’ । ତୋତେ ଯୋଡ଼ା ବୋଦା ମାନସିକ କରୁଛିଲୋ ମା’– ।

 

ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ପାହାଚ

 

କେତେ କାମନା । ଲକ୍ଷ ଲକ୍ଷ ଲୋକର ଲକ୍ଷ ଲକ୍ଷ କାମନାରେ ବାୟୁମଣ୍ଡଳ ପୂର୍ଣ୍ଣ । କାମନାର ସଂଘାତରେ ପୁଣି କେତେ କୋଟି କାମନାର ଜନ୍ମ । ଅବସାଦ, ଅସହାୟ, କାତର ଲୋକମାନଙ୍କ ବିକ୍ଷୁବ୍ଧ କ୍ରନ୍ଦନ । ଅବିଶ୍ରାନ୍ତ ଅଶ୍ରୁପାତ । ଏକ ଅଶରୀରୀ ଅଥଚ ଜୀବନ୍ତ ସତ୍ତା ପାଖରେ ବ୍ୟାକୁଳ ନିବେଦନ । ଜୀବନ୍ତ କେବଳ ବ୍ୟକ୍ତିଗତ ପରିପ୍ରେକ୍ଷୀରେ । କାରଣ ‘କିଏ ଜଣେ ଅଛି’ ଏଇ ବିଶ୍ଵାସ ନଥିଲେ କେବଳ ଶୂନ୍ୟଟାରେ ନିବେଦନ ତ ବୃଥା । ତେଣୁ ସମସ୍ତଙ୍କ ମନରେ ଜାଣତରେ ହେଉ ଅଜାଣତରେ ହେଉ ରହିଛି ସେଇ ଅଜଣା ଅଶୁଣା ‘ଅସ୍ତିତ୍ଵ' ଉପରେ ଗଭୀର ଦୃଢ଼ବିଶ୍ୱାସ । ଆଉ ସେଥିପାଇଁ ସର୍ବକ୍ଷମତାସମ୍ପନ୍ନ ଅଲୌକିକ ଶକ୍ତି ନିକଟରେ ନିଜର ଗୁହାରିର ଆତ୍ମନିବେଦନ ।

 

ସମସ୍ତେ ଆର୍ତ୍ତ । ନିଜ ନିଜର ଶକ୍ତି, ଗାରିମା, ବଡ଼ପଣ ଯେତେବେଳେ ହାର ମାନି ଯାଇଛି । ସେତେବେଳେ ଆସି ସେଇ ଜଣକ ପାଖରେ ଆପତ୍ତି, ଅଭିଯୋଗ ଓ ପ୍ରାର୍ଥନା–

 

ଠାକୁରେ, ମୋତେ ପୁଅଟିଏ ଦିଅ ।

 

ଠାକୁରେ, ମୋର ରୋଗ ଭଲ କରିଦିଅ ।

 

ପ୍ରଭୁହେ, ଅତ୍ୟାଚାରୀ କବଳରୁ ରକ୍ଷା କର ।

 

ଭଗବାନ, ମୁଁ ମକଦ୍ଦମାରେ ଜିତିଯାଏ ।

 

ଭଗବାନ, ମୋ ଶତ୍ରୁକୁ ସଂହାର କର ।

 

ଠାକୁରେ, ମୋତେ ଯଶ ମିଳୁ, ସମ୍ମାନ ମିଳୁ ।

 

ଠାକୁରେ, ମୋତେ ଧନ ମିଳୁ ।

 

ମିଳୁ ନ ମିଳୁ କେବଳ ଏକ ବିଶ୍ଵାସ ଏଇଠିହିଁ ମାଗିଲେ ମିଳିପାରେ । ଦୁନିଆରେ ଆଉ କୋଉଠି ନାହିଁ । କିଏ ଜାଣେ ତା’ର ରୂପ କ’ଣ ? ପଥର ହେଉ, କାଠ ହେଉ, ଚତୁର୍ଭୁଜ ହେଉ, ଦଶଭୁଜା ହେଉ, ସାକାର ହେଉ ନିରାକାର ହେଉ–କିନ୍ତୁ ସେ ଅଛି, ଅଛି, ଅଛି । ତାକୁ ଡାକିଲେ ସିଏ ଶୁଣିବ । ତା’ର ଆଖି ନାହିଁ, ନାକ ନାହିଁ, କାନ ନାହିଁ, କିଛି ନାହିଁ‌ । ଅଥଚ ସେ ଦେଖିପାରେ, ଶୁଣିପାରେ, ମାଗିଲା ଲୋକର ଥାଳ ପୂର୍ଣ୍ଣ କରିପାରେ । ହଁ କରିପାରେ । ତେଣିକି କରୁ ନ କରୁ ତା’ର ଇଚ୍ଛା ।

 

କିନ୍ତୁ ମୋ ମାଗିବାରେ କାର୍ପଣ୍ୟ କାହିଁକି ? ମୁଁ ତାକୁ ସବୁ ମାଗିନି । ଛୋଟ ଜିନିଷ ହେଉ, ବଡ଼ ଜିନିଷ ହେଉ–ଦେଲାବାଲା ତ ସିଏ ।

 

ଭଗବାନ, ମୋତେ ଦିଅ, ଦିଅ । ଧନ ଦିଅ, ଯଶ ଦିଅ, ଶୁଭ ଦିଅ । ଦିଅ ଖାଲି ଦିଅ । ଭିକ୍ଷା ଦିଅ ।

 

ନବମ, ଦଶମ, ଏକାଦଶ, ଦ୍ୱାଦଶ ପାହାଚ

 

ସ୍ତ୍ରୀ, ପୁତ୍ର, ଧନ, ଜନ, ଯଶ, କ୍ଷମତା, ପ୍ରତିପତ୍ତି–ତା’ପରେ ଆଉ କ’ଣ ? ସାମ୍ରାଜ୍ୟ ? ଆଉ କ'ଣ ଦରକାର ? ଏତିକି ପାଇ ତ ମୋର ଭିକ୍ଷାଥାଳ ପୂର୍ଣ୍ଣ ହେଉନି । ତଥାପି ଯେମିତି ଖାଲି ରହିଯାଉଛି । ଅପୂର୍ଣ୍ଣ ରହିଯାଉଛି । ତୃପ୍ତି ନାହିଁ । ଶାନ୍ତି ନାହିଁ, ସୁଖ ନାହିଁ ? ତେବେ କ’ଣ ଆହୁରି କିଛି ଅଛି ଯାହା ପାଇଲେ ଏଇ କାମନାର ଶେଷ ହେବ ?

 

କାହିଁକି ଏଇ ସର୍ବଗ୍ରାସୀ କାମନାର କ୍ଷୁଧାର ଅନଳ ? ଯେତେ ପାଇଲେବି ପ୍ରଶମିତ ହେଉ ନାହିଁ । ଯେତିକି ପାଇଲେ ତା’ଠୁ ଆହୁରି ବେଶି ପାଇବାକୁ ଇଚ୍ଛା ହେଉଛି ।

 

ଲୌକିକ ଦୃଷ୍ଟିରେ ଯାହା ମିଳିଲେ ଜଣେ ସୁଖୀ ହେବା କଥା ସବୁ ତ ମୋର ରହିଛି । ତଥାପି କାହିଁକି ମୁଁ ଅତୃପ୍ତ । ନା, ମୁଁ ହେବି ଏକଚ୍ଛତ୍ରବାଦୀ ସମ୍ରାଟ । ମୋର କଥାରେ ସମଗ୍ର ପୃଥିବୀର ଲୋକେ ବାଟ ଚାଲିବେ । ମୋର ଆଦେଶ ହେବ ସେମାନଙ୍କ ପକ୍ଷରେ ଶିରୋଧାର୍ଯ୍ୟ । କେହି ମୋତେ ଅମାନ୍ୟ କରିପାରିବେ ନାହିଁ । ମୋର ଯାହା ଇଚ୍ଛା ତାହା ମୁଁ କରିବି । ମୁଁ ଶାସନ କରିବି, ମୁଁ ଦଣ୍ଡ ଦେବି–ମୁଁ ଭିକ୍ଷା ଦେବି । ମୁଁ ମୁଁ ମୁଁ । କେବଳ ମୁଁ । ଭଣ୍ଡାରରେ ଧନରତ୍ନ ପରିପୂର୍ଣ୍ଣ ହୋଇଯାଉ । ଆହୁରି ନୂତନ ନୂତନ ଭଣ୍ଡାର ତିଆରି ହେଉ । ହାରେମ୍ ଭିତରକୁ ଆସନ୍ତୁ ଆହୁରି ନିତ୍ୟନୂତନ ସୁନ୍ଦରୀ ଯୁବତୀ । ମଦଶାଳାର ପ୍ରକୋଷ୍ଠ ପୂର୍ଣ୍ଣ ହେଉ ବିଭିନ୍ନ ମଦ୍ୟର ସମାହାରରେ । ମୁଁ ହୁଏ ସମୁଦ୍ର ବିଜୟୀ, ଆକାଶ ବିଜୟୀ ଦିଗ୍‌ବିଜୟୀ ସମ୍ରାଟ ।

 

ତା’ପରେ ? ତା’ପରେ କ’ଣ ? ତଥାପି ମନ ମାନୁନାହିଁ । ତଥାପି ତଥାପି କୋଉଠି ଗୋଟାଏ ଅଭାବ ରହିଯାଉଛି । ମୃତ୍ୟୁ ?

 

ଭଗବାନ ମୋତେ ଅମରତ୍ୱର ବର ଦିଅ । ଇଚ୍ଛାମୃତ୍ୟୁ । ସହସ୍ର ସହସ୍ର ବର୍ଷ ଧରି ମୁଁ ଯେମିତି ଏ ପୃଥିବୀକୁ ଉପଭୋଗ କରେ । ଜରାବ୍ୟାଧି ମୋତେ ଗ୍ରାସ ନ କରୁ । ମୁଁ ହୁଏ ଚିରଯୌବନ ସମନ୍ୱିତ ବିକ୍ରମଶାଳୀ ପୁରୁଷ ।

 

ଆଃ ! ତା’ପରେ ?

 

ସହସ୍ରେ । ଲକ୍ଷେ । କୋଟିଏବର୍ଷ । ତା’ପରେ ? ତା’ପରେ ? ତା’ପରେ ମୁଁ କ’ଣ କରିବି ? କ’ଣ ଚାହିଁବି ? କେଉଁଥିରେ ସୁଖ, କେଉଁଥିରେ ଶାନ୍ତି ? ଯାହା ପାଇଲେ ଆଉ କିଛି ପାଇବାର ନଥାଏ ? ସେଇଟା କ’ଣ ?

 

ତ୍ରୟୋଦଶ, ଚତୁର୍ଦ୍ଦଶ, ପଞ୍ଚଦଶ, ଷୋଡ଼ଶ ପାହାଚ

 

ସେଇଟା କ’ଣ ? ଗୋଟାଏ ବସ୍ତୁ ? କିଛି ଗୋଟାଏ ଜିନିଷ ? ପରଶମଣି ନା ସେ ଗୋଟାଏ ମହାପରାକ୍ରମଶାଳୀ ମଣିଷଟିଏ ? ଅନ୍ୟ ଲୋକର ଜୀବଟିଏ ? କି ତା’ର ରୂପ ? କ’ଣ ତା’ର ଆକାର ? କୋଉଠି ତା’ର ବାସସ୍ଥାନ ? ମହାଶୂନ୍ୟର କୋଉ ଗ୍ରହ, ନକ୍ଷତ୍ର ଭିତରେ ତା’ର ବୈକୁଣ୍ଠ ? ଲକ୍ଷ ଲକ୍ଷ ଗ୍ରହମଣ୍ଡଳ, ତାରକାପୁଞ୍ଜ ଭିତରେ କୋଉ ନିର୍ଦ୍ଦିଷ୍ଟ ଜାଗାରେ ସେ ରହିଛି ? କେମିତି ସେ ଜାଣେ ଏତେଦୂରରେ ଥିବା ପୃଥିବୀର କୋଟିକୋଟି ଜୀବଜନ୍ତୁଙ୍କର ଯନ୍ତ୍ରଣା, କାତରତା, ବିପଦ । ସେ କ’ଣ ସତରେ ଗୁହାରି ଶୁଣେ ? ସତେ କ’ଣ ସେ ଉଦ୍ଧାର କରେ ବିପଦରୁ-? ନା, ସେ ଆମର ଦୁର୍ବଳତା । ମଣିଷର ଚିରନ୍ତନ ଅସହାୟତାରୁ ନିଜକୁ ଭୁଲେଇ ରଖିବାପାଇଁ ମଣିଷର ସୃଷ୍ଟି ଏକ କଳ୍ପନାର ଅବଲମ୍ବନ ? ମଣିଷ ଜୀବନର ଏକ ମନସ୍ତାତ୍ତ୍ୱିକ ଆବଶ୍ୟକତା-। କାହାରି ଉପରେ ନିଜର ନପାରିଲା ପଣିଆର ଦୋଷ ଚପେଇ ନିଜକୁ ଭୁଲେଇ ରଖିବାର ଏକ ଉପାୟ ? ତା'ର ଚାହିଁବା ଓ ପାଇବା ଭିତରେ ଯେଉଁ ଶୂନ୍ୟସ୍ଥାନ ରହିଛି ସେଇ ଶୂନ୍ୟସ୍ଥାନ କ’ଣ ଭଗବାନ ?

 

ମୁଁ କିଛି ଜାଣିପାରୁନି । କିଛି ବୁଝିପାରୁନି । ଆଗକୁ ଯିବି ନା ପଛକୁ ଫେରିବି । ଯଦି ଭଗବାନ ସତ୍ୟ ତେବେ ପାହାଚ ଉଠିବାରେ ଲାଭ ଅଛି । ଆଉ ଯଦି ସେ ଅସତ୍ୟ, କେବଳ କଳ୍ପନା ତେବେ ଉଠିବାପାଇଁ ଏତେ କଷ୍ଟ କରି ଲାଭ କ’ଣ ?

 

ମଣିଷ କ’ଣ ସତରେ ଏତେ ବୋକା ? ଯେ ପୃଥିବୀ ବିଜୟ କରିଛି, ଜଳ, ସ୍ଥଳ, ଆକାଶ ବିଜୟୀ ନିଜ ବୁଦ୍ଧିବଳରେ, ଏଇ ବିଷୟରେ ସେ ସତରେ କ’ଣ କିଛି ଜାଣିପାରିନି ଆଜିଯାଏ ? ଚନ୍ଦ୍ର ବିଜୟୀ ମଣିଷ କ’ଣ ଏଇ କ୍ଷେତ୍ରରେ ନିହାତି ଅନ୍ଧ, ମୂର୍ଖ ? ବିଶ୍ଵାସ ହୁଏନା ? ଯେ ସବୁ ବିଷୟରେ ଏତେ ଆବିଷ୍କାର କରିଛି, ଦ୍ୱିତୀୟ ଈଶ୍ଵରପରି ସୃଷ୍ଟି କରିଛି, ସେ କ’ଣ ଏ ବିଷୟରେ ଏକାବେଳକେ ଅଜ୍ଞ ?

 

ହଜାର ହଜାର ବର୍ଷର ଶାସ୍ତ୍ରପୁରାଣ, ବେଦ, ଉପନିଷଦ, ଭାଗବତ, ବାଇବେଲ, କୋରାନ, ତ୍ରିପିଟକ, କ’ଣ ସବୁ କଳ୍ପନା ? ସବୁ ମିଛ ? ଆମର ପୂର୍ବପୁରୁଷମାନେ କ’ଣ ତାଙ୍କର ଉତ୍ତରସୁରୀମାନଙ୍କୁ ଠକାଇବା ପାଇଁ ସେ ସବୁ ଲେଖି ଯାଇଛନ୍ତି ?

 

କିଏ କହିବ କୋଉଟା ସତ ?

 

କିନ୍ତୁ ଆଜି ସୁଦ୍ଧା କାହିଁକି ପ୍ରତ୍ୟେକ ମଣିଷ କ୍ଷଣକପାଇଁ ହେଲେବି ସେଇ ଅଶରୀରୀ, କାଳ୍ପନିକ ଅସ୍ତିତ୍ଵ ପାଖରେ ନିଜକୁ ସମର୍ପି ଦେବାକୁ ଉତ୍ସୁକ ! ମିଛଟା କ’ଣ ଏତେ ଦୀର୍ଘକାଳ ସ୍ଥାୟୀ-?

 

ମଣିଷ ଯେତେବେଳେ ପ୍ରତ୍ୟେକ ଯୁଗରେ ପୁରୁଣା ସମାଜ ଭାଙ୍ଗି ନୂଆସମାଜ ଗଢ଼ିଛି, ପୁରୁଣା ପରମ୍ପରାକୁ ଭାଙ୍ଗି ନୂତନ ପରମ୍ପରାର ସୃଷ୍ଟି କରିଛି, ସେ କ’ଣ ଏଇ ଗତାନୁଗତିକ ପୁନରାବୃତ୍ତିକୁ ଭାଙ୍ଗି ଚୂରିଦେଇ ଯାଇପାରନ୍ତା ନାହିଁ ?

 

ସପ୍ତଦଶ, ଅଷ୍ଟାଦଶ, ଊନବିଂଶ, ବିଂଶ ପାହାଚ

 

ନା ସେ ମିଛ ନୁହେଁ । ସତ୍ୟ ବୋଲି ସେ ଏତେ ଦୀର୍ଘକାଳ ସ୍ଥାୟୀ । ସତ୍ୟ ବୋଲି ସେ ଚିରଦିନ ରହିବ । ମହେଞ୍ଜୋଦାରୋ, ବାବିଲୋନ, ମିଶରୀୟ, ଚାଇନିଜ୍‌ ସଭ୍ୟତା ଭାଙ୍ଗିଯାଇଁ ଧ୍ଵଂସସ୍ତୂପ ପରେ ପରିଣତ ହୋଇଛି । କେତେ ସାମ୍ରାଜ୍ୟ ଭାଙ୍ଗିଯାଇ ନୂତନ ସାମ୍ରାଜ୍ୟ ଗଢ଼ି ଉଠିଛି । କେତେ ସଭ୍ୟତା, କେତେ ମଣିଷ । କିଏ କୁଆଡ଼େ ଗଲେଣି । ସେମାନଙ୍କର ବେଶ, ପୋଷାକ, ଆଚାର ବ୍ୟବହାର, କିଛି ବୋଲି କିଛିର ସତ୍ତାନାହିଁ । ଅଥଚ ସେଇ ଆଦି ମଣିଷର ଚିରନ୍ତନ ଆକାଂକ୍ଷା ସେମିତି ରହି ଆସିଛି ଆଜିଯାଏ । ସବୁ ସଭ୍ୟତାରେ, ସେ ପଥର ହେଉ, କାଠହେଉ, ପିତଳ ହେଉ, ଚିନାମାଟି ହେଉ ବା ପୋଡ଼ାମାଟି ହେଉ ସେଇ ପ୍ରତୀକର ଧାରଣା, ସେଇ ବିଶ୍ଵାସ ଅପ୍ରତିହତ ଭାବରେ ଚାଲି ଆସିଛି ଆଜିଯାଏଁ । ବିଶ୍ଵାସର ଭଙ୍ଗୀରେ ପରିବର୍ତ୍ତନ ହୋଇଛି । ଗଛମୂଳରୁ ସେ ମନ୍ଦିରକୁ ଆସିଛି, ଆକାରରୁ ନିରାକାର ହୋଇ ମସଜିଦରେ ରହିଛି କିନ୍ତୁ ବିଶ୍ୱାସର ପରିବର୍ତ୍ତନ ହୋଇନାହିଁ । ଏହା କ’ଣ ସୂଚେଇ ଦେଉନାହିଁ ଯେ ସତ୍ୟ ବୋଲି ? ସବୁ ଭଙ୍ଗାଗଢ଼ା ଭିତରେ ସେ ଏକମାତ୍ର ଉଜ୍ଜ୍ଵଳ ମୁକ୍ତାଭଳି ନିଜର ଦୀପ୍ତିରେ ଭାସ୍ୱର ହୋଇ ଆଜିଯାଏଁ ରହିଆସିଛି ଅପରିବର୍ତ୍ତିତ ଭାବରେ ସେ ଯଦି ସତ୍ୟ ନୁହେଁ, ସତ୍ୟ ଆଉ କିଏ ?

 

ସମସ୍ତ ମଣିଷ ଜାତି ତା’ର ଜନ୍ମକାଳରୁ ଏହି ସତ୍ୟହିଁ ଅନୁଭବ କରି ଆସିଛି ଅନ୍ତରେ ଅନ୍ତରେ । ସେ ତାକୁ ବୁଝିପାରିନାହିଁ, ଠିକ୍‌ଭାବେ ଜାଣିପାରିନାହିଁ । ନିଜ ନିଜର ଅନୁଭୂତିରେ, ନିଜ ନିଜର ବ୍ୟକ୍ତିଗତ ଓ ସମାଜଗତ ଦୃଷ୍ଟିଭଙ୍ଗୀରେ ତାକୁ ସେଇ ଆକାର ଦେଇଛି । ସେଇପରି ଗଢ଼ିଛି-। ସେଇ ଆକାର ହୁଏତ ଠିକ୍‌ ‌ସତ୍ୟର ପ୍ରତିବିମ୍ବ ନୁହେଁ–କିନ୍ତୁ ଆକାର ଗଢ଼ିବା ଆମର ଅନୁଭୂତି ଟିକକ ତ ସତ୍ୟ । ହୁଏତ ଆମେମାନେ ଏକ ବୃହତ୍ତର ଦୃଷ୍ଟିକୋଣରୁ ଅନ୍ଧ । ଯିଏ ଯେମିତି ଭାବରେ ହାତୀକୁ ଅନୁଭବ କରିଛି ସେମିତି ଭାବରେ ତାକୁ ରୂପ ଦେଇଛି । ସେଇଟା ପୂର୍ଣ୍ଣ ହାତୀର ଆକାର ହୋଇ ନପାରେ; କିନ୍ତୁ ହାତୀକୁ ତ ସେମାନେ ଛୁଇଁଛନ୍ତି । ସେଇ ହାତୀଟାତ ସତ୍ୟ ।

 

ହେ ସତ୍ୟ । ହେ ମହାସତ୍ୟ । ଶାଶ୍ୱତ, ଚିରନ୍ତନ । ହେ ଅନାଦି, ଅନନ୍ତ, ଅକ୍ଷୟ, ସ୍ଵୟଂସମ୍ପୂର୍ଣ୍ଣ ସ୍ଵପ୍ରକାଶ ଚୈତନ୍ୟ ସତ୍ତା । ତମେ ଏତେ ପାଖରେ–ଅଥଚ କେତେ ଦୂରରେ । ସବୁ କାଳରେ, ସବୁ ମଣିଷ ତମରି ସତ୍ତା ଉପଲବ୍ଧି କରିଛନ୍ତି; ଅଥଚ ତଥାପି ତମେ ରହିଯାଇଛ ଚିରରହସ୍ୟମୟ ।

 

ଏକବିଂଶ ପାହାଚ

 

ହେ ଚିରରହସ୍ୟମୟ । ତମକୁ ଏଇ ଛୁଉଁଛି–ଅଥଚ ଛୁଇଁ ପାରୁନି । ତମକୁ ଅନୁଭବ କରୁଛି ଅଥଚ ଠିକ୍‌ ଜାଣିପାରୁନି । ପରଦାର ଅନ୍ତରାଳରୁ ମୁଁ ତୁମର ସ୍ଵର ଶୁଣି ପାରୁଛି । ଶୁଣୁଛି ତମର ବଇଁଶୀର ସ୍ୱନ । ମୁଁ ଏକ ଉଜାଣି ଯମୁନାର ଢେଉ । ଆକର୍ଷିତ ହୋଇ ଆସୁଛି ବଇଁଶୀର ମୂର୍ଚ୍ଛନାରେ । ଅଥଚ ସମସ୍ତ ମନ, ବୁଦ୍ଧି, ଇନ୍ଦ୍ରିୟ ଦେଇ ତମକୁ ନିର୍ଦ୍ଦିଷ୍ଟତା ଭିତରେ ବାନ୍ଧିପାରୁନି । ମାଧ୍ୟାକର୍ଷଣ ଶକ୍ତି ପରି ତା’ର ଅନୁଭବ ଅଛି । ରୂପନାହିଁ, ଆକାର ନାହିଁ ।

 

ତମେ ଅତି ଆପଣାର । ନିହାତି ଅନ୍ତରଙ୍ଗ । ସେଇଥିପାଇଁ ତ ମୁଁ ମନଖୋଲି ସବୁକଥା ତମ ପାଖରେ କହି ପାରୁଛି । ମନ ଇଚ୍ଛା ମାଗି ପାରୁଛି । ଅଥଚ ଛୁଇଁବାକୁ ଗଲେ ଛୁଇଁ ପାରୁନି । ଦେଖିବାକୁ ଗଲେ ଦେଖିପାରୁନି । ମନେ ହେଉଛି କାହିଁ କେତେ ଦୂରରେ ଅଜଣା ଗ୍ରହ ନକ୍ଷତ୍ର ମଣ୍ଡଳ ଭିତରେ ତମେ ରହିଛ । ଅପହଞ୍ଚ ।

 

କି ମୋଟା ପରଦା ଭିତରେ ତମେ ରହିଛ ଯେ ଦେଖାଯାଉନ ! ପରଦା ଖୋଲିଲାବେଳକୁ ତା’ ପଛକୁ ତା’ ପଛକୁ ପ୍ରସ୍ତ ପ୍ରସ୍ତ ବହଳ ମୋଟା ପରଦା । ପରଦାର ଶେଷ ଆଉ ନାହିଁ । ଅଥଚ ତମରି ସ୍ୱର ଶୁଣି ମନେ ହେଉଛି ପରଦାଟା ନିହାତି ପାତଳା । ଅତି ସୂକ୍ଷ୍ମ, ଝୀନ-। ଏ କି ଯାଦୁ ତମର ଯାଦୁକର । ହେ ଅରୂପ ! କି ତମର ରୂପ । ଶ୍ୟାମ କଳେବର ଚତୁର୍ଭୁଜ-? ଧନୁର୍ଦ୍ଧର ରାମ ! ଜଟାଜୂଟ ମସ୍ତକରେ ଚନ୍ଦ୍ର ଓ ଗଙ୍ଗାଧାରୀ ଶିବ ! ଏଇ କେବଳ ତମର ରୂପ-? ମୁଁ ସେଇ ରୂପରେ ତମର ପୂଜା କରୁଛି । ପ୍ରାର୍ଥନା କରୁଛି । କିନ୍ତୁ ମନେ ହେଉଛି ତମର ସେଇ ରୂପ ଯେମିତି କ୍ରମଶଃ ବୃହତ୍ତରୁ ବୃହତ୍ତର ହୋଇ ବଢ଼ିଯାଉଛି ସମଗ୍ର ଜଗତ ଆଚ୍ଛନ୍ନ କରି । ପୁଣି ମନେ ହେଉଛି ହଠାତ୍‌ ଯେ କ୍ଷୁଦ୍ରରୁ କ୍ଷୁଦ୍ରତର ହୋଇ ମୋର ଅନ୍ତଃଚେତନା ଭିତରେ ଏକ ଜ୍ଵଳନ୍ତ ବିନ୍ଦୁପରିସ୍ଥିର ହୋଇ ରହିଯାଉଛି ।

 

ଲକ୍ଷକୋଟି ମଣିଷ ଭିତରୁ ମୁଁ ଜଣେ । ପ୍ରତି ମଣିଷର ହୃଦୟ ଭିତରେ କ’ଣ ତମେ ସେଇପରି ରହିଛି ? ତେବେ କେତେ ଲକ୍ଷକୋଟି ତମର ରୂପ । ମଣିଷ, କୀଟପତଙ୍ଗ, ଜୀବଜଗତ, ଜଡ଼ ଜଗତ, ଆକାଶ, ସମୁଦ୍ର ସବୁ କ’ଣ ତମରି ରୂପ ? ହେ, ବିଶ୍ଵରୂପ । ଆକାର ପୁଣି ନିରାକାର ।

 

ସତେ ଯେମିତି ଏକ ଫୁଆରାର ଲକ୍ଷକୋଟି ବୁଦ୍‌ ବୁଦ୍‌ ଭିତରେ ସୂର୍ଯ୍ୟ କିରଣର ପ୍ରତିବିମ୍ବ ପଡ଼ି ସୃଷ୍ଟି କରିଛି ନାନାବର୍ଣ୍ଣ ବିଚିତ୍ର ଇନ୍ଦ୍ରଧନୁ । ଆମେମାନେ ସମସ୍ତେ–ସମଗ୍ର ବିଶ୍ଵ–ସେଇ ଫୁଆରାର ଅଗଣିତ ବୁଦ୍‌ ବୁଦ୍ । ତମେହିଁ ହେଉଛି ସେଇ ସ୍ଵପ୍ରକାଶ ସୂର୍ଯ୍ୟ । ବିଚିତ୍ର ଇନ୍ଦ୍ରଧନୁହିଁ ତମରି ସୃଷ୍ଟି ସଂସାର । ଆଉ ସେଇ ଇନ୍ଦ୍ରଧନୁରେ ନିଜେ ଓତପ୍ରୋତ ଭାବରେ ଜଡ଼ିତ ହୋଇ, ନିଜର ସୃଷ୍ଟିରେ ନିଜେହିଁ ମୁଗ୍ଧ ହୋଇ ଆନନ୍ଦ, ବିସ୍ମୟରେ ମୁଗ୍ଧ ହୋଇ ରହିଛ ।

 

ଲୀଳାମୟ, ତମେହିଁ ତମର କାରଣ । ତମେହିଁ ତମର ଲୀଳା ।

 

ଦ୍ୱାବିଂଶ ପାହାଚ

 

ମୁଁ ବୁଦ୍‌ ବୁଦ୍‌; କିନ୍ତୁ ମୁଁ ବକ୍ଷରେ ଧାରଣ କରିଛି ସୂର୍ଯ୍ୟର ପ୍ରତିବିମ୍ବ । ସେଇଥିପାଇଁ ତ ମୁଁ ସୁନ୍ଦର । ସେଇଥିପାଇଁ ତ ସଂସାରର ଇନ୍ଦ୍ରଧନୁ ଏତେ ସୁନ୍ଦର । ଏତେ ଆକର୍ଷଣୀୟ ।

ଆଗରେ ନାଟମନ୍ଦିର । ତା’ପଛକୁ ଗର୍ଭଗୃହ । ମହାଶୂନ୍ୟ । ଅନାଦି ଅନନ୍ତ ସୀମାହୀନ, ପରିଧିହୀନ ମହାବୃତ୍ତ । ସେଇ ଗଭୀର ଗାଢ଼ ଅନ୍ଧକାର ଭିତରେ ଜଳଜଳ କରୁଛି ଦୁଇଟି ବଡ଼ବଡ଼ ଚକ୍ଷୁ । ଦୁଇଟି ମହୋଜ୍ଜ୍ଵଳ ତାରକା ପରି, ସ୍ଥିର ନିସ୍ପନ୍ଦ ଭାବରେ ।

ହାତ ନାହିଁ ଗୋଡ଼ ନାହିଁ, ଆଖି ନାହିଁ, ଇନ୍ଦ୍ରିୟ କିଛି ନାହିଁ–କେବଳ ଦୁଇଟି ଚକ୍ଷୁ । ଦୁଇଟି ଅନୁଭବ । ଦୁଇଟି ଆଲୋକ । ଗାଢ଼ କଳା ମହାଶୂନ୍ୟର ଅଭ୍ୟନ୍ତର ଭିତରୁ ସ୍ଵପ୍ରକାଶ ଆଲୋକ ।

ନା, ନା, ମୁଁ ହଜିଯିବାକୁ ଚାହେଁନା; ନିଶ୍ଚିହ୍ନ ହେବାକୁ ଚାହେଁନା । ମୁଁ ଏଇ ବାଇଶି ପାହାଚ ଉପରେ ବସିଥାଏ । ମୁଁ ଯିବିନି ଗର୍ଭଗୃହ ଭିତରକୁ । ମୁଁ ଏଇଠି ବସିଥିବି । ନିରେଖି ଦେଖୁଥିବି ସେଇ ଆଲୋକକୁ । ଆଉ ତଳକୁ ଚାହିଁ ଦେଖୁଥିବି ସେଇ ଆଲୋକର ପ୍ରତିବିମ୍ବିତ ସମୁଦ୍ରର ଫେନାୟିତ ଜଳରାଶିର ଅଗଣିତ ବୁଦ୍‌ ବୁଦ୍‌ ଭିତରେ ସୃଷ୍ଟି ହୋଇଥିବା ବିଚିତ୍ର ଇନ୍ଦ୍ରଧନୁକୁ-

ମୋତେ, ଏହି ଆଜ୍ଞା ହେଉହେ ମଣିମା !

ମୋତେ କେବଳ ଏହି ଆଜ୍ଞା ହେଉ ।

Image

 

ଫତୁରାନନ୍ଦ

ଗୋଲିଖଟିଆ କିମ୍ବଦନ୍ତୀ

 

କିମ୍ବଦନ୍ତୀମାନଙ୍କ ଭିତରେ କେତେକ ଖାଣ୍ଟି ସତକଥା ଥାଏ । ଇତିହାସର ଲେଖକମାନେ ଏଥିରୁ ସୂତାଖିଅଟା ପାଇ ତାଙ୍କର ଇତିହାସିଆ ଜାଲ ବୁଣି ବସନ୍ତି । ଏହି ସୂତାଖିଅଟି ନ ପାଇଥିଲେ ଇତିହାସିଆମାନେ ଠିକଣା ସ୍ଥାନରେ ପହଞ୍ଚି ନପାରି ଭୁଆଁ ବୁଲୁଥାନ୍ତି । କିମ୍ବଦନ୍ତୀ ସେମାନଙ୍କୁ ଏ ପ୍ରକାର ଭୁଆଁବୁଲାରୁ ବଞ୍ଚାଇଥାଏ । ଏହା ସାହାଯ୍ୟରେ ଇତିହାସିଆମାନେ ମଧ୍ୟ ପାଠକ ଓ ଗବେଷକମାନଙ୍କୁ ଭୁଆଁବୁଲାରୁ ବଞ୍ଚେଇ ଥାଆନ୍ତି ।

 

ଆଉ କେତେଗୁଡ଼ିଏ କିମ୍ବଦନ୍ତୀ ଅଛି ତାହା ନିରୁତା ଗୋଲିଖଟିରୁ ଜନ୍ମଲାଭ କରିଥାଏ । ଏ ସବୁ କିମ୍ବଦନ୍ତୀରେ ଧର୍ମର ଛିଟା ଥିବାରୁ ଇତିହାସିଆମାନେ ଭୁଆଁବୁଲିବା ଭୟରେ ଖୋଳତାଡ଼ ନକରି ଇତିହାସରେ ପୂରେଇ ଦିଅନ୍ତି । ପାଠକମାନେବି ତା’ ଭିତରେ ଧର୍ମର ପୁଟ ଥିବା ଦେଖି ଏବଂ ସର୍ବଶକ୍ତିମାନ ଭଗବାନଙ୍କ କାର୍ଯ୍ୟକଳାପର ଗନ୍ଧ ତା’ ଭିତରେ ପାଇ ମୁଣ୍ଡ ଟୁଙ୍ଗାରିଦିଅନ୍ତି । ଯେଉଁଠି ସ୍ଵୟଂ ଭଗବାନ ନିଜେ କରିଛନ୍ତି, ସେଠି ସବୁ କିଛି ସମ୍ଭବ ବୋଲି ଧରିନେଇ ଚିନ୍ତାରାଜ୍ୟରେ ଆଉ ବେଶି ଦୂର ଆଗେଇ ଯାଆନ୍ତି ନାହିଁ । କିମ୍ବଦନ୍ତୀ ଏହି ସୁବିଧାରେ ତା’ର ଏକଚ୍ଛତ୍ର ଆଧିପତ୍ୟ ବଜାୟ ରଖେ । ତାକୁ ପ୍ରଶ୍ନ କରିବାର ସାହସ କାହାରି ନଥାଏ । ଏ କିମ୍ବଦନ୍ତୀ ହିଟ୍‌ଲର୍, ମୁସୋଲିନୀଠାରୁ ଆହୁରି ଟାଣୁଆ । ଦୁନିଆରେ କେହି କୋଳି ଖାଇ କୋଳିମଞ୍ଚି ପୋତିନି ଯେ ସେ କୋଳିମଞ୍ଜି ଗଛ ହୋଇ ଫଳିବା ପର୍ଯ୍ୟନ୍ତ ଅପେକ୍ଷା କରିବ ଏବଂ ସେ କୋଳିକୁ ଖାଇ ତା’ ମଞ୍ଜିକୁ ପୋତି ପୁଣି ଅପେକ୍ଷା କରିବ । ହିଟ‌୍‍ଲର୍, ମୁସୋଲିନୀଙ୍କୁ କାଳ ଦି’ନାତ୍ ଦେଇ ହଝାଇଦେଲା । କିମ୍ବଦନ୍ତୀଟା କିବା ଛାର । ଗୋଲିଖଟ୍ୟୋଦ୍ବ କିମ୍ବଦନ୍ତୀ ପିଚାରେ କାଳ ଅଲବତ୍ ନାତ ମାରିବ । ନାତ ମାରି ଉଡ଼ାଇଦେବ । ସେତେବେଳେ ଯାଇ ପାଠକ ତଥା ସାଧାରଣ ଲୋକେ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ଭାବିବେ–“ଆରେ ଏ ମିଛ କି, ଗୋଲିଖଟିଆ କିମ୍ବଦନ୍ତୀଟାକୁ ଆମେ ଆଜିଯାଏ କୁଣ୍ଢେଇ ବସିଥିଲୁନା, ଆମେ କେଡ଼େ ବୋକାମ !” ବାସ୍ ଏ କିମ୍ବଦନ୍ତୀ ପବନରେ ମିଳେଇଯାଏ !

 

ଏହିପରି ଏକ ଗୋଲିଖଟିଆ କିମ୍ବଦନ୍ତୀ ହେଲେ–‘ମାଣିକପାଟଣାର ଗଉଡ଼ୁଣୀ ।’ ଏ କିମ୍ବଦନ୍ତୀର ସାର କଥା ହେଲା–ପୁରୀ ଠାକୁରରଜାଙ୍କ କାନରେ କେହି ତୈଳ ମର୍ଦ୍ଦନକାରୀ ଦରବାରିଆ ଫୁସ୍‌ଫୁସ୍ କରି କହିଲା–‘‘ମଣିମା ଦକ୍ଷିଣରେ କାଞ୍ଚି ରଜାଙ୍କର ଗୋଟିଏ ଅଉଲ ନମ୍ବର ଝିଅ ଅଛି । ରମ୍ଭା ଉର୍ବଶୀ ମେନକା ତା’ କାଣି ଆଙ୍ଗୁଠିକୁ ସରି ନୁହନ୍ତି । ସେ ଠିଆହେଲେ ଏ ଅପସରାମାନେ ତା’ର ପୋଇଲୀଠାରୁ ହୀନ ଦେଖାଯାନ୍ତି । ମଣିମା, ସେଇ ଝିଅଟି ଛାମୁଙ୍କ ଲାଖି । ଏତକ ଖବର ଦେଇ ଅନୁସରଣିଆଟି ଦି’ ତିନିମାଣ ଜମି ଜାଗିରି ପାଇ ଆନନ୍ଦରେ ରହିଲା; ଠାକୁରରଜାଙ୍କ ହାଲତ କିନ୍ତୁ ଗଣ୍ଡଗୋଳିଆ ଧରିଲା । ଲମ୍ବାକଲିଆ କନ୍ଦର୍ପଟା କେଉଁଠି ଲୁଚି ରହି ଶୁଣୁଥିଲା କେଜାଣି, ରାଜାଙ୍କ ଉପରକୁ ଲକ୍ଷ୍ୟକରି ଶର ଉପରେ ଶର ନାଦିଦେଲା । ଏଡ଼େ ବଡ଼ ରାଜା ଏକାବେଳକେ ଘାଏଲ । ଉତ୍ପାତିଆ କନ୍ଦର୍ପର ଶରପୀଡ଼ାରେ ଛଟଛଟ ହୋଇଗଲେ । ସେ ସବୁ ସମୟରେ ରାଜାମାନଙ୍କର ମାତ୍ର ଦୁଇଟି କାମ ଥିଲା । ଯୁଦ୍ଧ କରି ରାଜ୍ୟ ବଢ଼େଇବା ଆଉ ସେଠାରୁ ଅଉଲ ଅଉଲ ତିର୍ଲା ଧୁଣ୍ଡାଳି ଆଣି ଅନ୍ତଃପୁରରେ ଭରିବା । ରାଜାଙ୍କୁ କନ୍ଦର୍ପ ପୀଡ଼ିବାରୁ ସେ କାଞ୍ଚିରାଜାଙ୍କ ପାଖକୁ ବାତିନି ଲେଖି ପଠାଇଲେ–“ଭୋ ଭୋ କାଞ୍ଚିରାଜା, ତୁମ୍ଭ ଦୋହିତାକୁ ଆମ୍ଭ ଛାମୁକୁ ପଠିଆଅ । ଆମ୍ଭେ ତାହାନ୍ତ ବିଭା କରିବାକ ।”

 

କାଞ୍ଚିରାଜାବି ଊଣା ଟାଣୁଆ ନଥିଲେ । ସେ ବାତିନି ନେଇଥିବା ଦୂତକୁ ସାଫ୍ ସାଫ୍ ଶୁଣାଇଦେଲେ–‘‘ତୋହର ରାଜାର ବହପ ଅଳପ ନୁହଇ । ଚାଣ୍ଡାଳ ପ୍ରାୟେକ ବଡ଼ଦାଣ୍ଡ ପହଁରା ଦେଉ ଅଛଇ । ଏଡ଼େକ ପ୍ରାକର୍ମ ତା’ର ! ମୋହର ଦୁଲାଳିକୁ ସ୍ତିରୀରତନ କରାଇବ ! ପଳା ପଳା ବେଗ କରି ।” ଦୂତ ବିଚରା ସେହି ଖବର ରାଜାଙ୍କୁ ଦେଲା । ରାଜା ରକ୍ତ ଚାଉଳ ଚୋବେଇ–ପାଇକ ସେନାଙ୍କୁ ଶ୍ରୀମୁଖ ଦେଲେ–ଥାଟ ସାଜ କର, କାଞ୍ଚିରାଜାର ମୂଢ଼ପଣର ଉଚିତ ପ୍ରାଭବ ଦିଆଇବାକୁ ହେବ । ଆମ୍ଭ ସାମରଥାକୁ ସେହୁ ଭାର୍ଜନ ନୋହିବ । ଫଉଜ ମାଣିକପାଟଣା ପାଖରେ ପହଞ୍ଚିବାମାତ୍ରେ ସେଠାରେ ଦହି ବିକୁଥିବା ମାଣିକ ଗଉଡ଼ୁଣୀ ରାଜାଙ୍କୁ ଜଣେଇଲା ଯେ ଦି’ଜଣ ଘୋଡ଼ାସବାର, ଜଣେ କଳା ଆଉ ଜଣେ ଧଳା ଘୋଡ଼ାରେ ବସି ଏଇ ବାଟ ଦେଇ ଯାଉଥିଲେ । ସେ ଦହି ଦେଖି ତାଙ୍କ ପାଟି ଲାଳେଇଲା । ସେମାନେ ଦହିତକ ପିଇଦେଲେ ଆଉ “ରାଜା ପଛରେ ଆସୁଛି ତାକୁ ଏ ମୁଦି ଦେଖେଇବ ସେ ପଇସା ଦେଇଦେବ’’ କହି ଚାଲିଗଲେ । ରାଜା ଦେଖିଲେ ସେଇଟା ସତକୁସତ ଜଗନ୍ନାଥଙ୍କ ମୁଦି । ଜଗନ୍ନାଥ, ବଳଦେବ ଦୁହେଁ ଠାକୁରରଜାଙ୍କ ଅପମାନ ସହି ନପାରି ସ୍ଵଦେହରେ ଯୁଦ୍ଧକ୍ଷେତ୍ରକୁ ଆସିଛନ୍ତି । ସୈନ୍ୟମାନଙ୍କ ଆନନ୍ଦ ଉତ୍ସାହ ଫାଟିପଡ଼ିଲା । ଦିହରେ ବଳ ତେଜବି ଉତୁରି ପଡ଼ିଲା । ପ୍ରାଣମୂର୍ଚ୍ଛା । ଯୁଦ୍ଧ କରି, କାଞ୍ଚିରାଜାକୁ ହଟେଇ ତାଙ୍କ ଝିଅକୁ ଡୋଲରେ ବସେଇ ପୁରୀ ଫେରିଆସିଲେ । ତା’ପରେ ମନ୍ତ୍ରୀ ଚାତୁରୀ କରି କାଞ୍ଚିରାଜାର ଝିଅଙ୍କୁ ରାଜାଙ୍କ ସାଙ୍ଗରେ ବିବାହ କରିଦେଲା । ଏଇଟା ହେଲା ମୋଟାମୋଟି କିମ୍ବଦନ୍ତୀର ବିଷୟବସ୍ତୁ ।

 

ଏବେ ଦେଖାଯାଉ, ଏ କିମ୍ବଦନ୍ତୀ ଖାଣ୍ଟି ସତସତିଆ ନା ଗୋଲିଖଟିଆ । ପ୍ରଥମରେ ପ୍ରଶ୍ନ ଉଠୁଛି ରାଜାଙ୍କୁ କନ୍ଦର୍ପ ପିଡ଼ିଲା । ସେ କାଲୁବାଲୁ ହୋଇ ଯାହା-ତାହା କରିଗଲେ । ସେଥିରେ ଜଗନ୍ନାଥଙ୍କର କ’ଣ ଗଲା ? ପୁରୀ ରାଜା ତାଙ୍କ ପୁଅ ଆଉ କାଞ୍ଚି ରାଜଜେମା ତାଙ୍କର ଝିଅ । ପୁଅ ପୁଅ କି ପୁଅ ଝିଅଙ୍କ ଭିତରେ ଝଗଡ଼ା ଲାଗିଲେ ବାପ ବା ଅନ୍ୟ ଯେକୌଣସି ଅଭିଭାବକ ଧାଇଁଆସି ଦୁହିଁଙ୍କୁ ବୁଝେଇ ସୁଝେଇ କଳି ମେଣ୍ଟେଇଦିଅନ୍ତି; କଳି ସ୍ଥାନରୁ ଦୁହିଁଙ୍କୁ ଅଲଗା କରି, ଆକଟ କରି ଉଭୟଙ୍କୁ ନିଜ ନିଜ ଘରକୁ ପଠେଇଦିଅନ୍ତି । ଛୁଆଙ୍କ କଳିରେ କୌଣସି ବଡ଼ମଣିଷ ଗୋଟାଏ ପକ୍ଷରେ ରହି ଲଢ଼େନି କି କଳି ତେଜାଏ ନାହିଁ ଏପରି କଲେ ସେ ନିନ୍ଦିତ ହୁଏ । ଧିକ୍‌କାର ଶୁଣେ । ବେଶି ରୋଆବ୍ ଦେଖାଇଲେ ଆଉ ବଡ଼ମଣିଷ ଆସି ତାକୁ ଜବତ କରିଦିଅନ୍ତି । ଏ ପୁଅଝିଅ କଳିରେ ସ୍ଵୟଂ ଜଗନ୍ନାଥ ପୁରୀ ରଜାପାଇଁ ଲଢ଼େଇ କରିବାକୁ ଯିବେ କାହିଁକି ? କାଞ୍ଚିରାଜାଙ୍କର ସୈନ୍ୟସାମନ୍ତଙ୍କୁ ହାଣିବେ ବା କାହିଁକି ? ଏଇଟା ତ ଅତି ସାଧାରଣ ଜ୍ଞାନର କଥା । ଜଗନ୍ନାଥଙ୍କର ତ ଆହୁରି ବେଶି ସାଧାରଣ ଜ୍ଞାନ ତଥା ଅସାଧାରଣ ଜ୍ଞାନ ଅଛି । ସେ କେବେହେଲେ ପୁରୀ ରାଜାଙ୍କୁ ଗୋଟାଏ ଅନ୍ୟାୟ ଯୁଦ୍ଧରେ ବଡ଼ଭାଇ ବଳଦେବଙ୍କ ସହିତ ସାହାଯ୍ୟ କରିବାକୁ ଯିବେନାହିଁ । ସମସ୍ତଙ୍କ ତୁଣ୍ଡରେ ଯିଏ ଖରାପ, ତାକୁ ଜଗନ୍ନାଥ କେବେହେଲେ ଭଲ ବୋଲି କହିବେ ? ପୁରୀ ରାଜାଙ୍କୁ ଜଗନ୍ନାଥ ସାହାଯ୍ୟ କରିବାଲାଗି ଯୁଦ୍ଧକ୍ଷେତ୍ରକୁ ଯିବା କଞ୍ଚା ଗାଲୁ ଛଡ଼ା ଆଉ କିଛି ନୁହେଁ । ଆଉ ମଧ୍ୟ ଯଦି ଜଗନ୍ନାଥ ବିଚାରିଲେ, କାଞ୍ଚିରଜାଟା ଗଣ୍ଡଗୋଳିଆ ଲୋକ, ତାକୁ ଦଣ୍ଡଦେବା ନିହାତି ଦରକାର, ତେବେ ସେ ତ ମନ ଭିତରେ ସୁଦର୍ଶନଙ୍କୁ କହିଦେବେ–“ଯାଆ ବାବା ସୁଦର୍ଶନ, କାଞ୍ଚିରାଜା ସୈନ୍ୟମାନଙ୍କୁ କଚାକଚ କାଟିଦେଇ ପୁରୀରଜାକୁ ଜିତେଇଦେ । ଏତକ ଭାବିସାରିଲାବେଳକୁ ତେଣେ ସୁଦର୍ଶନ ସବୁ କାମ ଖତମ୍ କରି ଦେଇଥିବ । ତେବେ ତୁଚ୍ଛାଟାଏ ସେ ଏତେ ଦୀର୍ଘପଥ ଘୋଡ଼ାରେ ବସି କାହିଁକି ଯିବେ ? କାହିଁକି ଅଯଥାରେ ପିଚା ଦରଜ କରି ବୋପାଲୋ ମାଆଲୋ ହେବେ ଆଉ ମାଆ ଲକ୍ଷ୍ମୀଙ୍କୁ ହଇରାଣରେ ପକାଇବେ । ମାଆ ଲକ୍ଷ୍ମୀ କେଉଁଠୁଁ ଖାଣ୍ଟି ସୋରିଷ ତେଲ ଆଣ, କେଉଁଠୁଁ ପାକିସ୍ତାନୀ ଚୋରା ଅଫିମ ଆଣ, ତାକୁ ନିଆଁରେ ବସାଇ ଫୁଟା, ପୁଣି ତାକୁ ଉଷୁମ ଉଷୁମ ଜଗନ୍ନାଥଙ୍କ ପିଚାରେ ମାଲିସ କର । ଏଗୁଡ଼ାକ ଜଗନ୍ନାଥ କେବେହେଲେ କରିବେ ନାହିଁ କି କରେଇଦେବେ ନାହିଁ । ଯେଉଁଟା ଛୁଞ୍ଚିରେ ହେବ, ତା’ପାଇଁ ଶାବଳର କି ଦରକାର । କେହି କେହି କହିପାରନ୍ତି ଜଗନ୍ନାଥ ତ ଶ୍ରୀକୃଷ୍ଣଙ୍କ ଦାରୁମୂର୍ତ୍ତି । ଶ୍ରୀକୃଷ୍ଣଙ୍କ ଆଦତ୍ କିଛି ଜଗନ୍ନାଥଙ୍କ ପାଖରେ ରହିଯାଇଥିବ । ଶ୍ରୀକୃଷ୍ଣଙ୍କ ପୁଅମାନେ ଯାହାର ଗୋଟିଏ ଭଲ ଝିଅ ଦେଖିଲେ ତାକୁ ପଟକେଇ ନେଇ ଭାରିଯା କଲେ । କନ୍ୟାପିତା ଏଥିରେ ରାଗି ଯଦି କୃଷ୍ଣଙ୍କ ପୁଅକୁ ବାନ୍ଧିପକାନ୍ତି, ତେବେ ଶ୍ରୀକୃଷ୍ଣ ବଡ଼ଭାଇଙ୍କ ସହ ଯାଇ ଯୁଦ୍ଧ କରନ୍ତି ଓ କନ୍ୟାପିତାକୁ ପରାସ୍ତ କରି ପୁଅବୋହୂଙ୍କୁ ନେଇ ନିଜ ରାଜ୍ୟକୁ ଫେରନ୍ତି । ଜଗନ୍ନାଥଙ୍କଠାରେ ଏଇ ଖୋଇଟା ରହିଯାଇଥାଇପାରେ । ଏପରି ଭାବିବା ଭ୍ରମାତ୍ମକ । ଶ୍ରୀକୃଷ୍ଣଙ୍କର ଯୁଦ୍ଧ କରିବାରେ କାରଣ ଥାଏ । ପହିଲେ ଝିଅ ଶ୍ରୀକୃଷ୍ଣଙ୍କ ପୁଅର ଚେହେରା ଦେଖି ଲଟ ହୋଇଯାଏ । ଦୁହେଁ ରାଜିରୁଜାରେ ବାହା ହୋଇପଡ଼ନ୍ତି, ଚଉଠିବି ସରିଯାଏ । ଏତେବେଳେ ଯାଇ କନ୍ୟାପିତାର ନିଦ ଭାଙ୍ଗେ । କୃଷ୍ଣଙ୍କ ପୁଅକୁ ନୁଙ୍ଗୁରା ଭାବି ବାନ୍ଧିପକାଏ; ଆଉ ହତ୍ୟା କରିବାକୁ ଆଦେଶ ଦେଇଦିଏ । ଏଥିରେ କୋଉ ଲୋକଟା ନ ରାଗିବ । ତା’ ଝିଅଟା ଏଡ଼େ ସତୀ ହୋଇଗଲା; ଆଉ କୃଷ୍ଣଙ୍କ ପୁଅଟା ଜନାକାରୀ ମକଦ୍ଦମାରେ ପଡ଼ିବ ? ଏମିତିଆ ଅନ୍ୟାୟରେ ଯିଏ ନାହିଁ ସିଏ ରାଗିବ । କୃଷ୍ଣ କ’ଣ ଖରାପଟା କରିପକେଇଲେ । ଏଠି କିନ୍ତୁ ଅବସ୍ଥାଟା ଅନ୍ୟପ୍ରକାର ରାଜା ଆଗ କହିଲେ ବାହା ହେବାକୁ । କନ୍ୟାପିତା ମନା କଲା । ଏଥିରେ ରାଜା ରାଗିଯାଇ କନ୍ୟାପିତାଙ୍କୁ ବାନ୍ଧି ଜୋର୍‍ଜୁଲୁମ କରି ଝିଅକୁ ଟେକିନେଇଯିବା କଥାଟା କେଡ଼େ ଅସୁନ୍ଦର କଥା ! ରାଜାଙ୍କର ଏଡ଼େ ଭୁଲ କାମରେ ଜଗନ୍ନାଥ କେବେହେଲେ ସାହାଯ୍ୟ ହେବେ ନା ! ଏଣୁ ଜଗନ୍ନାଥ ଯୁଦ୍ଧ କରିଯିବା କଥା ଏକ ଗୋଲିଖଟି ଗପ ଛଡ଼ା ଆଉ କିଛି ନୁହେଁ ।

 

ଦ୍ଵିତୀୟରେ ଦେଖନ୍ତୁ, ଜଗନ୍ନାଥ ଆଉ ବଳଦେବ ଧଳା ଓ କଳା ଘୋଡ଼ାରେ ବସି ଯୁଦ୍ଧକୁ ଯାଇଥିଲେ । ବଡ଼ଦେଉଳ ବେଢ଼ା ଭିତରେ କି ବାହାରେ ଘୋଡ଼ାଶାଳ ନାହିଁ । ସେମାନେ ଘୋଡ଼ା ଆଣିଲେ କେଉଁଠୁଁ ? ରାଜା ତାଙ୍କପାଇଁ ଘୋଡ଼ା ଦେଇଥିବା କଥା କେଉଁଠି ହେଲେ କହିନାହାନ୍ତି କି ଅନ୍ୟ କେହି ଦୁହିଁଙ୍କୁ ଦୁଇଟା ଘୋଡ଼ା ଦେଇଥିବା କଥା କହିନାହାନ୍ତି । ଲୋକ ଚିରା ଟଙ୍କିକିଆ ନୋଟ୍ ଖଣ୍ଡେ ଚାନ୍ଦାରେ ଦେଲେ ‘ମୁଁ ଟଙ୍କାଟାଏ ଦେଇଛି’ ବୋଲି ସର୍ବସାଧାରଣରେ ରଡ଼ିଛାଡ଼େ । ଯେଉଁ ଲୋକ ଜଗନ୍ନାଥ ଓ ବଳଦେବଙ୍କୁ ଧଳା ଓ କଳା ଘୋଡ଼ା ଦେଇଥିବ, ସେ ନିଶ୍ଚେ ପୋଥିପତର, ମାଦଳାପାଞ୍ଜିରେ ଲେଖେଇ ଦେଇଥିବ । ଚାରିଆଡ଼େ ବଡ଼ପାଟିଆ ବା ମାଇକ୍ ସାହାଯ୍ୟରେ କହିବୁଲିଥିବ । ସେ କଥା ତ କିମ୍ବଦନ୍ତୀରେ ନାହିଁ, ମାଦଳାପାଞ୍ଜିରେବି ନାହିଁ, କି ଅନ୍ୟ କୌଣସି ପୋଥିପତ୍ରରେ ନାହିଁ । ତେଣୁ ଘୋଡ଼ାରେ ଚଢ଼ି ଯିବା କଥାଟା ମିଛ । ଆଉବି ତାଙ୍କ ପାଖରେ ଗରୁଡ଼ ଥାଉଁଥାଉଁ ସେ ଘୋଡ଼ାରେ ବସି ପିଚା ଦରଜ କରିବେ କାହିଁକି ? ଆମେରିକାର ବୋଇଙ୍ଗ୍ ବିମାନରେ ବସି ଉଡ଼ିଗଲା ପରି ସେ ଦୁହେଁ ତ ଗରୁଡ଼ ପିଠିରେ ବସି ଯୁଦ୍ଧକ୍ଷେତ୍ରକୁ ଚାଲିଯାଇଥାଆନ୍ତେ ଆଉ ଉପରୁ ଦୁଇତିନିଟା ଆଟମ୍ ବମ୍ ଖସେଇ କାମ ଫତେ କରି ଦେଇଥାଆନ୍ତେ । ଏଣୁ ଏଥିରୁ ସ୍ପଷ୍ଟ ଜଣାଯାଉଛି ଘୋଡ଼ାରେ ଚଢ଼ି ଯିବା କଥାଟା ସମ୍ପୂର୍ଣ୍ଣ ମିଛ ଓ କପୋଳକଳ୍ପିତ ।

 

ତା’ପରେ ଆସନ୍ତୁ ମାଣିକପାଟଣାକୁ । ସେଠି ମାଣିକ ଗଉଡ଼ୁଣୀ ରାସ୍ତାକଡ଼ରେ ଦହି ବିକୁଥିଲା । ଜଗନ୍ନାଥ ଓ ବଳଦେବ ତା’ ଦହିକୁ ଦେଖି ଘୋଡ଼ାପିଠିରୁ ଉତୁରି ଦହି ପିଇଲେ । ମାଣିକ ତା’ ଦହି ବିକିବାକୁ ହାଟକୁ ନଯାଇ ନିଛାଟିଆ ଜାତୀୟ ରାଜପଥର କଡ଼ରେ ବସିଥିଲା କାହିଁକି ? ସେଠି କ’ଣ ଗହକି ହାଉଯାଉ ହେଉଥିଲେ ? କିମ୍ବଦନ୍ତୀରୁ ଯାହା ବୁଝାପଡ଼ୁଛି ସେଥିରୁ ଜଣାଯାଏ ଯେପରିକି ମାଣିକ ହାଟରେ ଦହି ନ ବିକି ନିଛାଟିଆ ରାସ୍ତାକଡ଼ରେ ବିକୁଥିଲା । ବିକ୍ରୟ ସ୍ଥଳରେ ଜଗନ୍ନାଥ ବଳଦେବ ଆଉ ଦୁଇଟା ଘୋଡ଼ାଙ୍କ ଛଡ଼ା ଅନ୍ୟ କେହି ନଥିଲେ । ଯଦି କେହି ଥାଆନ୍ତେ ତେବେ ତାଙ୍କର ପଦେଅଧେ କଥାବି ଲିପିବଦ୍ଧ ହୋଇଥାନ୍ତା । ଜଣେ ନିଶ୍ଚୟ ଗଉଡ଼ୁଣୀର ଦହିକୁ ହୁଏତ ତାରିଫ କରି କହିଥାଆନ୍ତେ–“ବାବୁ ବଢ଼ିଆ ଦହି । ଥରେ ପିଇଥିଲେ ଜୀବନଭରି ମନେରହିଥିବ । ଏ ଖଣ୍ଡମଣ୍ଡଳରେ ଏମିତିକା ଦହି ପାଇବେ ନାହିଁ । ଅନ୍ୟ କେହି ଗଉଡ଼ୁଣୀର ଶତ୍ରୁବି କହିଦେଇଥାଆନ୍ତା–ବାବୁ, ଏ ଦହି କାହିଁକି ପିଇବ । ତୁଚ୍ଛା ଗୁଣ୍ଡଦୁଧର ଦହି । ହୋ…ସେ ଅମୁକ ଗାଁରେ ଖୋଜିବ । ମନମୁତାବକ ଦହି ପାଇବ । ଗଉଡ଼ୁଣୀ ପାଖରେ ଲୋକେ ଏହିପରି ଦୁଇରକମ କଥା ନିଶ୍ଚୟ କହିଥାନ୍ତେ । ସେମିତିକା କିଛି କିମ୍ବଦନ୍ତୀରୁ ନ ମିଳୁଥିବାରୁ ଧରିନେବାକୁ ହେବ ଗଉଡ଼ୁଣୀ ନିଛାଟିଆ ଥାନରେ ଦହି ବିକୁଥିଲା । ହାଟକୁ ନଯାଇ ଜନଶୂନ୍ୟ ସ୍ଥାନରେ ପସରା ମେଲି ବସିବା ଏକ ଭାଣ୍ଡ କଥା । ସୁତରାଂ ମାଣିକ ଗଉଡ଼ୁଣୀ ନିଛାଟିଆ ରାସ୍ତାରେ ଦହିହାଣ୍ଡିଧରି ବସିବା କଥା ତୁଚ୍ଛା ମିଛ । ହାଣ୍ଡି ସହ ମାଣିକ ଗଉଡ଼ୁଣୀ ଯେହେତୁ ସେଠିଥିବା କଥା ମିଛ, ଜଗନ୍ନାଥ ଓ ବଳଦେବଙ୍କ ଦହି ପିଇବା କଥା ସେହିପରି ମିଛ ।

 

ପୁଣି କୁହାଯାଇଛି କ’ଣ ନା ଜଗନ୍ନାଥ, ବଳଦେବ ଦହି ପିଇସାରି ପକେଟ ଦରାଣ୍ଡନ୍ତି ତ ଫଟା ନୂଆ ପଇସାଟିଏବି ନାହିଁ । ସେମାନଙ୍କଠାରୁ ପକେଟ୍‍ ମାରୁ କରିନେବା ରଥୀ ପୁଣି ପୃଥିବୀରେ ଥାଇପାରନ୍ତି ? ପକେଟ୍ ମାରୁ ପକେଟ କାଟିବା କଥା ଭାବିବାମାତ୍ରେ ଜଗନ୍ନାଥ ଜାଣିଯାଇଥାଆନ୍ତେ । ଆଉ ପକେଟ୍‍ ମାରୁର ହାତ ଧରିପକାଇ କହିଥାଆନ୍ତେ–‘‘ଆବେ ମଣିଷ ଚିହ୍ନିନୁ; କାହାର ପକେଟ୍ ମାରୁ କରିବାକୁ ଯାଉଥିଲୁ ।” ପକେଟ୍ ମାରୁ କଥା ସମ୍ଭବ ନୁହେଁ । ପକେଟରେ ପଇସା ନଥିବା କଥା ଦୁହିଁଙ୍କୁ ବେଶ୍ ଜଣାଥିବ । ସେମାନେ କିଛି ଭାଗା ନୁହନ୍ତି ଯେ ପଇସା ନାହିଁ ଜାଣି ସୁଦ୍ଧା ଖାଇଦେବେ ଆଉ ପଇସା ଦେଲାବେଳକୁ ଉପରକୁ ଚାହିଁବେ । ଆଉ ତା’ପରେ ନିଜ ହାତରୁ ମୁଦି କାଢ଼ି କହିବେ–ହଇଲୋ ଗଉଡ଼ୁଣୀ, ଆମ ପାଖରେ ତ ପଇସା ନାହିଁ । ତୁ ଏ ମୁଦିଟା ରଖ, ରଜାଙ୍କ ଫଉଜ ଆସୁଛି, ତାଙ୍କୁ ଦେଖାଇ ଦହିର ପଇସା ମାଗିନେବୁ । ବିଶ୍ଵ-ବ୍ରହ୍ମାଣ୍ଡର ଅଧିପତିଙ୍କୁ କେଉଁ ବୋକା ଅଧମ ଏପରି ଭାବରେ ଚିତ୍ରିତ କରିବାକୁ ସାହସ କଲା ! ତାଙ୍କର ଦହି ଖାଇବାକୁ ଇଚ୍ଛା ହେବାମାତ୍ରେ ମାଆ ଲକ୍ଷ୍ମୀ ଅମୃତ ପରି ଦହି ବସେଇ ହନୁମାନ କିମ୍ବା ଗରୁଡ଼ ହାତରେ ସରଜମିନଠାରୁ ପଠେଇଦେଇଥାଆନ୍ତେ । ଏଣୁ ଏ ଗଉଡ଼ୁଣୀଠାରୁ ଦହି ଖାଇସାରି ମୁଦି ଦେବା କଥା ସମ୍ପୂର୍ଣ୍ଣ ମିଛ । ଧରାଯାଉ ଜଗନ୍ନାଥ ମଜା କରିବାପାଇଁ ମୁଦି ଯାଚିଲେ । ମାଣିକ କ’ଣ ଏଡ଼େ ଓଲମି ହୋଇଛି ଯେ ନେଇଯିବ । ଅଜଣା ଅଶୁଣା ଲୋକ । ସେଥିରେ ପୁଣି ରାଜରାଜୁଡ଼ା କଥା ତା’ ଭିତରେ ଅଛି । କାଳେ ଚୋରିମାଲ ହୋଇଥିବ । ସେଇଟା ନେଇ ରାଜାଙ୍କ ପାଖକୁ ଗଲେ ସେ ହୁଏତ ଚୋରଣୀ ବୋଲି ଭାବି ମୁଣ୍ଡକାଟ ଦଣ୍ଡ ଦେବେ । ଏଇଟା କିଛି ଅସମ୍ଭବ କଥା ନୁହେଁ । ଜଗନ୍ନାଥ ଯାଚିଥିଲେ ସେ ନିଶ୍ଚୟ କହିଥାଆନ୍ତା–“ବାବୁ, ମୁଁ ସେ ମୁଦି-ଫୁଦି ରଖିବି ନାହିଁ । ଭଲ ଅଛି ମନ୍ଦ ଅଛି । ମୁଁ ଦିପଇସାର ମୁଣ୍ଡ; ସେତିକି ମୋତେ ଦେଇଦିଅ । ସେଇଟା କି ମାଲ ନାହିଁ କି ମାଲ; ମୁଁ ତାକୁ ରଖିବିନି । ଏଣୁ ଦହି ବିକି ମୁଦି ରଖିବା କଥା ଏକାବେଳକେ ମିଛ । ଏଡ଼ିକି ଅପରଚ୍ଛନିଆ ଲୋକଗୁଡ଼ାକ କୋଉ କଥାକୁ ନେଇ କୋଉ କଥାରେ ରଖିଲେଣି । ସେ ମିଛ କଥାଟିକୁ ନେଇ ବହି ଲେଖିଲେଣି, ନାଟକ ଲେଖିଲେଣି, ସିନେମା ଚିତ୍ର ତିଆରି କଲେଣି । ବୁଦ୍ଧୁ ଲୋକଗୁଡ଼ାକବି ତାକୁ ନିରୁତା ସତ ଭାବି ଢକଢ଼କ ପିଇଯାଉଛନ୍ତି । କାହାରି ମଥାକୁ ଅସଲ କଥା ପଶୁନି ।

 

ଏଠି ସେମିତିଆ ଘଟଣା ଘଟିଛି । ସମସ୍ତେ ସେଇଆ ଘୋଷୁଛନ୍ତି, ରଥଯାତ୍ରା ଆକାଶବାଣୀ ଆଏ ପ୍ରତିବର୍ଷ ସେହି କଞ୍ଚା ଗାଲୁ କଥା ଉଦ୍‍ଗାରୁଛନ୍ତି । କାହାରି ମୁଣ୍ଡକୁ ଏଇଟା ପାଇଛି କି ନାହିଁ, ଲୋକଙ୍କୁ କହିଦେବା ଏଇଟା ମିଛ କଥା । ଏପରି କହିବା ଅର୍ଥ ପରମବ୍ରହ୍ମ ଜଗନ୍ନାଥଙ୍କୁ ହୀନିମାନିଆ କରିବା । ଜଗନ୍ନାଥଙ୍କୁ ଏ ସବୁ ନନ୍ଦଫନ୍ଦିଆ କଥାର ଊର୍ଦ୍ଧ୍ୱରେ ରଖିବା ଉଚିତ । ଆଡ଼କୁ ଏପରି ଟାଉଟରିଆ କଥା ଚଳିବ ନାହିଁ । ଏହି କିମ୍ବଦନ୍ତୀର ଖୁଣ୍ଟିନାଣ୍ଟି ଗବେଷଣା କରିଛୁ । ବହୁ ତାଳପତ୍ରପୋଥି ଭୁଜପତ୍ର ପୋଥି ଘାଣ୍ଟିଘୁଣ୍ଟି ବହୁ ପରିଶ୍ରମ ପରେ ଅସଲ କଥାଟିକୁ ଆବିଷ୍କାର କରିଛୁ । କଲମ୍ବସ୍‌ଙ୍କ ଆମେରିକା ଆବିଷ୍କାରଠାରୁ ଏହା ଆହୁରି କଷ୍ଟସାଧ୍ୟ ଓ ଆୟାସସାଧ୍ୟ ।

 

ଅସଲ କଥାଟି ହେଲା–କାଞ୍ଚିରାଜଜେମାଙ୍କ ସୌନ୍ଦର୍ଯ୍ୟ କଥା ଶୁଣି ପୁରୀ ରଜା ଏକାବେଳକେ ନେସେଡ଼ିଗଲେ । ତାଙ୍କୁ ଅଲବତ୍ ବିବାହ କରିବେ ବୋଲି ଠିକ୍ କଲେ । ରାଜିରୁଜାରେ କଥାଟି ହୋଇଗଲେ ଉତ୍ତମ ହେବ ଭାବି ରଜା କାଞ୍ଚିରାଜାଙ୍କ ପାଖକୁ ଦୂତ ପଠେଇଲେ । କାଞ୍ଚିରାଜା ଏଥିରେ ରାଜି ହେଲେନି । ତାଙ୍କର ଅସଲ ଭୟ ହେଲା–“ଏ ରାଜା ତ ସବୁବେଳେ ଯୁଦ୍ଧରେ ମାତିଲେ । କେତେବେଳେ କ’ଣ ଅଛି । ଝିଅଟାକୁ ଜାଣୁ ଜାଣୁ ରାଣ୍ଡ କରିବି ନା ।” କିନ୍ତୁ କହିଲେ ଅନ୍ୟକଥା “ନାହିଁ ହୋ–ମୁଁ ତାକୁ ଝିଅ ଦେବିନି; ସେଇଟା ଚାଣ୍ଡାଳ ପରି ଦାଣ୍ଡ ଓଳାଉଛୁ ।” ଦୂତଟା ଲଗେଇ ଯୁଟେଇ ରାଜାଙ୍କ ଆଗରେ କାଞ୍ଚିରାଜା ନକହିବା କଥାବି ମନରୁ ଫାନ୍ଦି କହିଦେଲା–କାଞ୍ଚିରାଜା କୁଆଡ଼େ ମଣିମାଙ୍କୁ ବଜାରୀ, ଛତରା, ଡହରା, ଦଗଲବାଜ୍ ବୋଲି କହିଲା-। ରାଜା ରାଗିଗଲେ । ସେ ରାଜଜେମାକୁ ଯୁଦ୍ଧକରି ଅଲବତ୍ ଆଣିବେ । ସେନାପତିମାନେ ଟିକିଏ ମଙ୍ଗ ମୋଡ଼ିଲେ । ସେମାନେ ଭାବିଲେ–ସୀତାଙ୍କ ଲାଗି ଲଙ୍କା ଗଲା, ଦ୍ରୌପଦୀ ଲାଗି କୁରୁବଂଶ ଲୋପ ପାଇଲା । ହେଲେନ୍‍ପାଇଁ ଟ୍ରୟ ଗଲା । କାଞ୍ଚିରଜା ଝିଅ ପଦ୍ମାବତୀ ପାଇଁ ଓଡ଼ିଶା ଖିନ୍‌ଖରାପ ନହେଉ । ସେନାପତିମାନଙ୍କ ଯେତେ ଆଗ୍ରହ ହେବା କଥା, ତାହା ନ ଦେଖି ରାଜା ଚିନ୍ତିତ ହୋଇପଡ଼ିଲେ । ତହୁଁ ସେ ଗୋଟାଏ ଫନ୍ଦି କାଢ଼ିଲେ । ଦେଉଳ ବଡ଼ପଣ୍ଡାଙ୍କୁ ଡାକି ଏକାନ୍ତରେ କହିଲେ–ଦେଖ, ଆମେ ଏ ଯୁଦ୍ଧକୁ ଗୋଟାଏ ଧର୍ମଯୁଦ୍ଧ ବୋଲି କହିବା । ଏଇଟା ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି ବୋଲି କହିବା । ତୁମେ ଜଗନ୍ନାଥଙ୍କ ମୁଦିଟା ନେଇଯାଅ, ବାଟରେ ଗୋଟାଏ ନିଛାଟିଆ ରାସ୍ତାକଡ଼ରେ ଗୋଟାଏ ଗଉଡ଼ୁଣୀକୁ ଠିଆକରେଇବ । ତାକୁ ମୁଦିଟା ଦେଇ ଏମିତି ଶିଖେଇଦେବ । ଆମ ସୈନ୍ୟ ସେ ବାଟେ ଗଲାବେଳେ ଯେପରି ସେ ସେନାପତିଙ୍କୁ ଡାକି କହିବ–ବାବୁ, କାଳିଆ ଗୋରା ଦି’ଜଣ ଲୋକ ଧଳା ଓ କଳା ଘୋଡ଼ାରେ ଚଢ଼ି ଏଇଆଡ଼େ ଗଲେ-। ମୋ’ଠାରୁ ଦହି ପିଇ ଏ ମୁଦିଟା ଦେଲେ, ଆଉ କହିଲେ–ପଛେ ପଛେ ରଜା ଆସୁଛନ୍ତି, ତାଙ୍କ ଲୋକଙ୍କୁ ମୁଦିଟି ଦେଇ ପଇସା ନେବ । ଏତକ ଠିକ୍ ଠିକ୍ କରିପାରିଲେ । ସେ ଅଞ୍ଚଳଟାକୁ ତା'ରି ନାଆଁରେ କରିଦିଆଯିବ । ବଡ଼ପଣ୍ଡାଏ ଏତକ ଗୁପ୍ତରେ କରିଦେଲେ । ମାଣିକ ଗଉଡ଼ୁଣୀ ସେନାପତିଙ୍କୁ ମୁଦି ଦେଖାଇବାମାତ୍ରେ ଧର୍ମାନ୍ଧ ସେନାପତି ଏକାବେଳକେ ଗଦ୍‌ଗଦ୍‌ ହୋଇ ସୈନ୍ୟମାନଙ୍କୁ କହିଲେ, “ଦେଖ ଏହି ମୁଦି ହେଉଛି ଅକାଟ୍ୟ ପ୍ରମାଣ ଯେ ସ୍ଵୟଂ ଜଗନ୍ନାଥ ଓ ବଳଦେବ ଆମ ସାଙ୍ଗରେ ଆଗେଆଗେ ଯୁଦ୍ଧକୁ ଯାଇଛନ୍ତି । ବିଜୟ ଆମର ସୁନିଶ୍ଚିତ-।” ସୈନ୍ୟମାନଙ୍କ ରୁମ ଟାଙ୍କୁରି ଉଠିଲା । ଆଉ ଚିନ୍ତା କ’ଣ ! ସ୍ଵୟଂ ଜଗନ୍ନାଥ ଆମ ସହିତ ମିଳି ଯେତେବେଳେ ଯୁଦ୍ଧ କରୁଛନ୍ତି, ଆଉ ଡର କାହାକୁ ? କାଞ୍ଚି ରାଜାଙ୍କୁ ଗୋଟାଏ ‘ଫୁ’ରେ ଉଡ଼େଇଦେବା । ସୈନ୍ୟମାନେ ଦି’ଗୁଣ ଉତ୍ସାହରେ କାଞ୍ଚି ରାଜ୍ୟଟାକୁ ମନ୍ଥିପକାଇଲେ-। ପୁରୀ ରାଜାଙ୍କ ଇଚ୍ଛା ପୂରଣ ହେଲା । ମାଣିକ ଗଉଡ଼ୁଣୀର ଗାଁ ନାଁ ମାଣିକପାଟଣା ହେଲା । ସେ ଗାଁଟା ମଧ୍ୟ ତାକୁ ଦିଆଗଲା । ବଡ଼ପଣ୍ଡାବି ଅବାଧରେ ଅବକାରୀ ଜିନିଷ ସବୁ କାରବାର କରିପାରିବେ ବୋଲି ତାଙ୍କୁ ଗୋଟିଏ ତମ୍ବାପାଟିଆ ସନନ୍ଦ ଦିଆଗଲା । ଏହିପରି ଭାବରେ ଏ ଗୁଲିଖଟି କିମ୍ବଦନ୍ତୀ ଜନ୍ମଲାଭ କରି ବଡ଼ ହେଲା । ଏବେ ତା’ର ଅବଶ୍ୟ ଖରାପ ସମୟ ଆସିଗଲା ।

Image

 

ଡକ୍ଟର ଚୌଧୁରୀ ହେମକାନ୍ତ ମିଶ୍ର

ବଡ଼େସାହେବ

 

ମେମ୍‌ସା’ବ ପିଲା ଦି’ଟାଙ୍କୁ ଧରି ଚୁମା ଖାଇଲା । ଗୋଟିଏ ନଅ ଦଶବର୍ଷର ଝିଅଟିଏ, ଆଉ ଗୋଟିଏ ପାଞ୍ଚ ଛଅବର୍ଷର ପୁଅ । ମେମ୍‌ସା’ବ କହିଲା–ସେ ଅଜା ପାଖକୁ ଯାଉଚି, କାଲି ଚାଲିଆସିବ । ସେ ପିଲା କାନ୍ଦୁଥିଲା, ୟେ ତାଙ୍କର ମା’ ନୁହେଁ; କିନ୍ତୁ ଭଲପାଉଥିଲେ ଭାରି । ମେମ୍‌ସା’ବ ବଡ଼ ସା’ବର ଜୋତା ଛୁଇଁ ଦଣ୍ଡବତ ହେଲା । ସାହାବ ମୁହଁ ଗମ୍ଭୀର କରି ଛିଡ଼ା ହୋଇଥାଏ ।

 

ଏଗୁଡ଼ା ତୁଚ୍ଛା ଭିକାରି, ଏଗୁଡ଼ା କିଛି ନୁହନ୍ତି । ସାହାବ ଥିଲା ଡକ୍ଟର ସା’ବ । ଅସଲ ଭେରିଗୁଡ଼୍ ଲୋକ । ତା’ ନାଁ ଶୁଣିଲେ ଏଗୁଡ଼ାକ କୋଉଠି ଲୁଚୁଥିଲେ, ଏଗୁଡ଼ାକ ତ ଯା’କୁ ନାଇଁ ତା’କୁ ଗାଡ଼ିରେ ବସେଇବେ, ଯା ନାଇଁ ତା’ ସାଥିରେ ହେଳମେଳ ହେବେ । ଡକ୍ଟର ସା’ବ କହିବ ଚଲୋ ଗୁମାନ ସିଂ, ଆଉ ସେ ଥିଲେ ମୁଁ ବି ବେପରୁଆ । ଯେମିତି ଦିଲ୍ଲୀରେ । ବଡ଼େ ସା’ବ ବସିଛି, ମୋହନ ସିଂ ସା’ବ ବସିଛି; ମୋହନ ସିଂ ସା’ବ ଗୀତ ବୋଲୁଥିଲା । ସା’ବ କହିଲା, ଗୁମାନ ସିଂ ଜରା ଅହିସ୍ତା । ପଛରୁ ଗୋଟାଏ କିଏ ମୋତେ ଗାଳିଦେଇ ଗାଡ଼ି ପାସ୍ କରିଦେଲା–କହିଲା, ଶାଲା ଶୁଭୁନେଇ କିବେ ! ମୁଁ ତା’ ପଛେ ପଛେ ଚାଲିଲି । ସପଦରଜଂ ଲେଭଲ କ୍ରସିଂ ପାଖରେ ଗେଟ୍ ବନ୍ଦଥିଲା, ଦେଖିଲି ତା’ ଗାଡ଼ି ଠିଆହୋଇଛି । ବ୍ରେକ୍ କଷି ଦଉଡ଼ିଗଲି । ଝର୍କାବାଟେ ଧଇଲି ତା’ କଲର ବାଁ ହାତିଆ । ଡାହାଣ ହାତରେ ଦୁଆର ଖୋଲି ତାକୁ ଘୋଷାରି ଆଣିଲି, ତା’ପରେ କଷିଦେଲି ତା’ ଗାଲରେ ଦି ଥା’ପଡ଼ା । ଗୁମାନ ସିଂ କିଏ ତତେ ଜଣାନାହିଁ ପରା, ଶାଲା ଗାଳିଦଉଚୁ ମତେ ? ସେ ବି ଥମ୍, ଉଁ ନାଇଁ କି ଚୁଁ ନାଇଁ । ଡକ୍‌ଟର ସା’ବ ମୋର ପିଠି ଚାପୁଡ଼େଇ ଦେଲା–ପରୱା ନାଇ ଗୁମାନ ସିଂ, ତୁମ୍ ବିଲ୍‍କୁଲ ଠିକ୍ କିୟା ।

 

ତା’ ଘରକୁ କି ବଡ଼ବଡ଼ ଲୋକ ସବୁ ଆସୁଥିଲେ ? ସେ କ’ଣ ଏଇ ମେଣ୍ଢା-ମେଣ୍ଢୀଙ୍କ ସଙ୍ଗେ କଥା ହବ କି ? ଆଉ ତା’ର ମେମ୍‌ସା’ବବି ସେମିତି ବଡ଼ଘରର ଝିଅ, ପାଞ୍ଚ ଟଙ୍କାରୁ କମ୍ ବକ୍ସିସ୍ ଦିଏନା । ଚେହେରାବି ସେଇମିତି ବଡ଼ ଶେଠ୍‌ର ଝିଅ, ବଡ଼ା ସା’ବର ମେମ୍‌ସା’ବ, ସେ କ’ଣ ଯେ ସେ ହେଇଚିକି । ପାର୍ଟିସାର୍ଟ୍‍ରେ କହିବ, ଆଗ ଗୁମାନ ସିଂ ପାଖୁ ଚାରି ପେଗ୍ ପଠାଇଦିଅ । ସେ ମିଜାଜ୍ ଅଲଗା । ଗୁମାନ ସିଂ ବି ଢେର୍ ଦେଖିଛି ହଜୁର, ସେ ବି ଏମିତି କଥା ଜାଣେ, ଯା ଦୁନିଆରେ କେହି ଜାଣନ୍ତିନି । ଗୁମାନ ସିଂ ଡ୍ରାଇଭର ଛୋଟିଆ ଲୋକ ନୁହେଁ । ଆମରି ଗାଁରୁ ଲୋକେ କର୍ଣ୍ଣେଲ ବିଗ୍ରେଡ଼ିୟର ହୋଇଛନ୍ତି ଆମରି ଜାତିଭାଇ । ମୋ ଭାଇ କ୍ୟାପ୍‍ଟେନ୍, ଉମରବି କିଛି ନୁହେଁ । ବମ୍ବେଇରେ ମୋର ଚାରିଖଣ୍ଡ ଗାଡ଼ି ଥିଲା I ଟାକ୍‌ସି ଭାଇ ସଙ୍ଗେ କଳିହେଲା, ସରାବ ନେଇ । ଭାଇ କହିଲା–ପି’ ନା । ମୁଁ କହିଲି, ଅଲବତ୍ ପିଇବି । ପଳାଇ ଆସିଲି । ଗୁମାନ ସିଂ କାହାରି କଥା ଶୁଣିବା ଲୋକ ନୁହେଁ; ସେ ବି ଢେର୍ ଦେଖିଛି, ଢେର୍ ଜାଣିଛି ।

 

ଡକ୍ଟର ସା’ବ କାହାରିକି ପରୁଆ କରେନା । ମୁଁ ବି କାହାରି କଥା ଶୁଣେନା । ତା’ର ଖାଲି ଗୁମାନ ସିଂ । କେତେ ଜାଗାକୁ ତାକୁ ନେଇଯାଇଛି । ସେ ରାତି କ’ଣ ଦିନ କ’ଣ, ବରଫ କ’ଣ, ବର୍ଷା କ’ଣ, ଗୁମାନ ସିଂ ସବୁଥିକି ତିଆର । ଆଉ ମୁଁ ବି ବହୁତ ଦେଖିଛି ହଜୁର, ଲୋକେ କହନ୍ତି ମେମ୍‌ସା’ବ ଅସଲି ମେମ୍‌ସା’ବ ନୁହେଁ । ପ୍ୟାର ମୋହବତ୍, ହେଇଥିବ, ସେ କୁଆଡ଼େ ଫିଦା ହୋଇ, ଦିୱାନୀ ହେଇ ବଡ଼ ସା’ବ ସାଥିରେ ପଳେଇ ଆସିଥିଲା । ହେଇଥିବ, ତେବେ ସେ କ’ଣ ରହିଲା କି ? ମୋରି ଆଖି ଆଗରେ ସବୁକଥା । ଏଇ ଗୁମାନ ସିଂ ତାକୁ ଛାଡ଼ି ଦେଇ ଆସିଛି । ବଡ଼ ସା’ବଙ୍କର ଏଇ ଯୁ’ ନୂଆ ବାହାଘର ହେଲା, ଯେବେଠୁ ସେସବୁ ଆରମ୍ଭ, ସବୁକିଛି, ଦୁନିଆରେ କେହି ଜାଣିନି । ଜାଣିଛି ଗୁମାନ ସିଂ । ବାହାଘର ଦିନ ମଜାହେଲା । ବଡ଼େସା’ବ ମୋତେ କୁଣ୍ଢେଇ ପକାଇଲା । କହିଲା ନୟେ ମେମ୍‌ସା’ବକୁ ଦେଖିଲୁଣି କି ଗୁମାନ ସିଂ ? ମୁଁ କହିଲି, ଦେଖିଛି ହଜୁର-! ଆଉ ନୟେ ମେମ୍‍ସା’ବ ଠିକ୍ ୩୦ ଟଙ୍କା ମୋ ହାତରେ ଗୁଞ୍ଜିଦେଲା ।

 

ଦବନି କାହିଁକି ? ଏଠୁ ତାକୁ ନେଇ ଶହେଚାଳିଶି ମାଇଲ ଦୂରରେ ଛାଡ଼ିଛି କିଏ; କିଏ ସା’ବକୁ ଘରୁ ନେଇ ତା’ ଘରେ ପହଞ୍ଚେଇ ରାତାରାତି ଫେରେଇଚି ? ଗୁମାନ ସିଂ ସବୁ ଜାଣେ । ବଡ଼ସା’ବ କହିବ, ବୋତଲ ରହିଲା–ଗୁମାନ ସିଂ ପିଓ । ଆଉ ସେ ଭିତରକୁ ଯିବ, ନୟେ ମେମ୍‌ସା’ବବି ଖାନା ପଠାଇଦିଏ । ସେ ବି ବାହା ହୋଇଥିଲା । ବିଧବାବି ନୁହେଁ । ତେବେ ତା’ର ବର ତାକୁ ଛାଡ଼ିଛି । ତା’ ବରବି ଖୁବ୍ ବଡ଼ ଅଫିସର । ସେ ବି ଅନେକ କଥା । ନୟେ ମେମ୍‌ସା’ବ ଦିନେ ମତେ ସବୁ କହିଛି, ତା’ ବର କେମିତି ଆଉ ଜଣକୁ ରଖିଥିଲା, ତୁର୍କିସ୍ଥାନୀ କି କୋଉଠିକାର ୟେ କିମିତି ଦେଖିଲା, ମକଦ୍ଦମା ହେଲା ଛାଡ଼ପତ୍ର ଲାଗି, ସବୁକଥା । ସେ ସା’ବବି ୟାକୁ ଖୋରାକ ପୋଷାକି ଦେଉ ନଥିଲା କି । ୟା ମରଦ ସେ କି ଚେହେରା ତା’ର, ଲମ୍ବା ନିଶ, ବିଲ୍‌କୁଲ୍ ଶେର୍ । ତାକୁବି ମୁଁ ଦେଖିଛି ।

 

ନୟେ ମେମ୍‌ସା’ବ ଆସେ । ଫାଦର ଗିଲିଗାନଙ୍କର ସେଇ ହଳଦିଆ କୋଠାରେ ସେ ରହେ । ବଡ଼େସା’ବ ଡିଉଟିରେ ବାହାରକୁ ଯାଏଁ । ସମସ୍ତେ ଜାଣନ୍ତି ସା’ବ ଦିଲ୍ଲୀରେ; ଗୁମାନ ସିଂ ଜାଣେ ସା’ବ କୋଉଠି । ଥରେ ମେମ୍‌ସା’ବବି ପଚାରିଥିଲା, ଗୁମାନ ସିଂ, ଶୁଣୁଚି କାଲ୍ ସାବ ଏଇଠି ଥିଲେ, ଦିଲ୍ଲୀ ଯାଇନାହାନ୍ତି ବିଲ୍‌କୁଲ୍ । ମୁଁ କହିଲି, ବିଲ୍‌କୁଲ୍ ଦିଲ୍ଲୀରେ ଥିଲେ ମେମ୍‍ସା’ବ, କିଛି ଫିକର କରନ୍ତୁନି, ଗୁମାନ ସିଂ ଅଛି, ଆଉ ତା’ପରେ ମତେ କିଛି ପଚାରିନି ।

 

ସେଦିନବି ମୁଁ ଥିଲି, ଯେବେ ସାବ୍ ଇଂରେଜୀରେ ମେମ୍‍ସା’ବ୍‍କୁ କ’ଣ କହିଲା । ସେ ବି ଜବାବ ଦେଲା । ସା’ବ ଆହୁରି ବଡ଼ପାଟିରେ କ’ଣ କହିଲା । ମୁଁ ବଟଲରଙ୍କୁ ପଚାରିଲି, କଥା କ’ଣ କି ? ସେ କହିଲା, ମେମ୍‍ସା’ବ କାନ୍ଦୁଛି । ତା’ପରେ ସାହାବ ଡାକିଲା–ଗୁମାନ ସିଂ ! ମୁଁ ଦଉଡ଼ିଗଲି-। ସା’ବ କହିଲା–ଏଇକ୍ଷିଣା ଗାଡ଼ି ବାହାର କର । ମେମ୍‍ସା’ବକୁ ଷ୍ଟେସନ୍‍ରେ ଛାଡ଼ି ଦେଇଆ-। ବଟଲର ବଛଣାପତ୍ର ବାନ୍ଧିଦେଲା । ଗାଡ଼ିରେ ଲଦି ଦେଲା । ସାମାନ ବୋଲି ସେଇ ବିଛଣା, ଆଉ ଗୋଟେ ହାତବାକ୍ସ । ମେମ୍‍ସା’ବ ପିଲା ଦି’ଟାଙ୍କୁ ଧରି ଚୁମା ଖାଇଲା । ଗୋଟିଏ ନଅଦଶବର୍ଷର ଝିଅଟିଏ, ଆଉ ଗୋଟିଏ ପାଞ୍ଚଛଅବର୍ଷର ପୁଅ । ମେମ୍‍ସା’ବ କହିଲା–ସେ ଅଜା ପାଖକୁ ଯାଉଚି, କାଲି ଚାଲିଆସିବ । ସେ ପିଲା କାନ୍ଦୁଥିଲା, ୟେ ତାଙ୍କର ମା’ ନୁହେଁ । କିନ୍ତୁ ଭଲ ପାଉଥିଲେ ଭାରି-। ମେମ୍‌ସା’ବ ବଡ଼ସା’ବର ଜୋତା ଛୁଇଁ ଦଣ୍ଡବତ ହେଲା । ସାହାବ ମୁହଁ ଗମ୍ଭୀର କରି ଛିଡ଼ାହୋଇଥାଏ । ସେଇଠୁ ମେମ୍‌ସା’ବ ଗାଡ଼ିରେ ବସିଲା, କହିଲା, ଚାଲ ଗୁମାନ ସିଂ । ଅଇନାରେ ଦେଖିଲି ମେମ୍‍ସା’ବି କାନ୍ଦୁଚି । ତା’ ନଜରରେ ପଡ଼ିଗଲା, ମୁଁ ଚାହିଁଚି । ତରତର କରି ଲୁହ ପୋଛିପକାଇଲା । କହିଲା, ଗୁମାନ ସିଂ, ପାନ ଦୋକାନ ପାଖରେ ଠିଆକର ତ । ପାନବି ଖାଇଲା ସେଠି । ମୁଁ ମନାକଲି ନେବାକୁ । ତା’ପରେ ସେ କିଛି କଥା କହିନି, କଥା କହିଲା ଷ୍ଟେସନ୍‍ରେ-। କହିଲା, ଗୁମାନ ସିଂ, ତୁ ରାମାୟଣ ପଢ଼ିଛୁ କି ? ମୁଁ କହିଲି, ନାଇଁ ମେମ୍‍ସା’ବ ! ସେ କହିଲା–ଲକ୍ଷ୍ମଣ ଭଗବାନ ଯେତେବେଳେ ସୀତାଠାକୁରାଣୀଙ୍କୁ ନେଇ ନଈ ଆରପାରିରେ ଛାଡ଼ି ଆସିଥିଲେ, ସେ କଥା ତତେ ଜଣାଅଛି କି ? ମୁଁ କହିଲି, ନା । କାହିଁକି ସେ ଏକଥା କହିଲା, ତା’ ମନରେ କ’ଣ ଥିଲା କେଜାଣି । ତା’ପରେ ସେ କହିଲା–ତୁ ଯା ଚାଲିଯା, ଗାଡ଼ି ଛାଡ଼ିବାଯାକେ ରହିବା ଦରକାର ନାହିଁ । ମୁଁ କହିଲି, ବଡ଼ସା’ବଙ୍କର ଅଡ଼ର୍ । ସେ କହିଲା–ଆଚ୍ଛା ତାହାହେଲେ । ତା’ପରେ ସେ ଗାଧୁଆଘରକୁ ଚାଲିଗଲା । ଆଉ ସେ କିଛି କହିନି । ଗାଡ଼ି ଛାଡ଼ିବା ଆଗରୁ ଦଶଟା ଟଙ୍କା ଦେଲା-। ମୁଁ ମନା କରୁଥିଲି । ସେ କହିଲା–ରଖ ଗୁମାନ ସିଂ, ପିଲାଙ୍କୁ ମିଠେଇ କିଣିଦବୁ ।

Image

 

Unknown

ଶ୍ରୀ ରାମଚନ୍ଦ୍ର ବେହେରା

ଅଭିନୟ

 

ଏଇ ବିପ୍ଳବ କେଉଁଭଳି ଭବିଷ୍ୟତ ସ୍ଵପ୍ନକୁ ଆଖି ଆଗରେ ରଖିଥିଲା, ତା’ର କୌଣସି ରୂପରେଖ ଜଣା ନଥିଲା ମାଥୁରକୁ । ସେ କେବଳ ଏତିକି ସୂଚନା ଦେଉଥିଲା ଯେ, ଏଇ ବିପ୍ଳବର ରହସ୍ୟ ଏକ ଚିରନ୍ତନ ସତ୍ୟ ଏବଂ ଆଦିମ ହିଂସ୍ରତା ଓ ସଂଯମହୀନତା ଭିତରକୁ ବାଟ କଢ଼େଇନେବା ସମ୍ପର୍କରେ ଏହାର ଶକ୍ତି ଅତୁଳନୀୟ ।

 

ପୋଲିସ୍ ହେଡ଼୍‍କ୍ୱଟର୍ସରୁ ବାହାରିବାକ୍ଷଣି ଅନ୍ୟକୁ ଶୁଣେଇବା ଭଳି ମାଥୁର କହିଲା–ଶାଲା ବାଷ୍ଟାର୍ଡ଼ ! ନମ୍ବର ଓ୍ୱାନ୍ ବାଷ୍ଟାର୍ଡ଼ ।

 

ପର୍ଟିକୋ କଡ଼ରେ ଥୁଆହୋଇଥିବା ବୁଲେଟ୍‌କୁ ଅତ୍ୟଧିକ କ୍ରୋଧରେ କିକ୍ ଦେବାବେଳେ ସେ ଅବ୍ୟାହତ ରଖିଥିଲା ମନର ପ୍ରତିକ୍ରିୟା ପ୍ରକାଶ କରିବାରେ–ଶାଲା କୁତ୍ତା କାହାଁକା ! ସୁବିଧା ହେଲେ ବେଧୁଆକୁ ଗୁଳି କରିଦେବି !

 

ଯେଉଁଭଳି ମୁହଁ ନେଇ ମାଥୁର ଫାଟକ ଟପି ରାସ୍ତାର ଗହଳିଭିତରେ ମୋଟର ସାଇକେଲଟି ଭୁଷିନେଉଥିଲା, ତାହା ଦେଖିଥିବା କେହି ଜଣେ କ’ଣ ଭାବିବ ଜାଣନ୍ତି-? ଭାବିବ, ଏଇ ଇନ୍‌ସପେକ୍‌ଟର ଜଣକ ଅବିକା ମୋଟର ସାଇକେଲ ଛୁଟାଇ ପୃଥିବୀର ଚମଡ଼ା ଉତାରିଦେବ । ସେଇ ରକ୍ତାକ୍ତ ଘା’ ଉପରେ ଆହୁରି ଜୋରରେ ବୁଲେଟ୍‍ଟିକୁ ଚଳାଇ ପୃଥିବୀ ଏବଂ ମଣିଷ, ପାହାଡ଼ ଇତ୍ୟାଦିଙ୍କର ‘ରକ୍ଷାକର, ରକ୍ଷାକର’ ବୋଲି ଆର୍ତ୍ତନାଦ ଶୁଣିବ । ୟାପରେ ସମସ୍ତେ ଦେଖିବେ, ନମ୍ବର ଓ୍ୱାନ ବାଷ୍ଟାର୍ଡ଼ଟି ମାଥୁରର ଦୁଇପାଦ ଧରି ପ୍ରାର୍ଥନା କରୁଛି–ମୋତେ ମାଫକର, ପୋଲିସ୍ କମିଶନର ହୋଇ ତୁମକୁ ଏଭଳି ଧୋକାଦେବା, ତୁମ ସଙ୍ଗେ ବେଇମାନି କରିବା ଅପରାଧ ହୋଇଛି । ମୋ ଅପରାଧ ସକାଶେ ତମାମ ସୃଷ୍ଟିକୁ ଏଭଳି ଯନ୍ତ୍ରଣା ଦିଅନା । ଅଥଚ ପ୍ରଚଣ୍ଡ ରାଗ ଯୋଗୁଁ ମାଥୁର ବୁଲେଟ୍‍ର ସ୍ପିଡ଼୍ ଅନୁଭବ କରିପାରୁ ନଥିଲା କିମ୍ବା ରାସ୍ତାକୁ ଦେଖିପାରୁ ନଥିଲା । ତା’ ଦେହର ଦିଗ୍‌ବଳୟ ଏଇ ହୁଏତ ଛିଣ୍ଡିଯିବ କ୍ରୋଧ ଓ ପ୍ରତିବାଦର ସଂପ୍ରସାରଣରେ–ଏଇଭଳି ଲାଗୁଥିଲା ତାକୁ ।

 

କମିଶନରଙ୍କ ଆଦେଶ । ମାଥୁର ଭଳି ଜଣେ ଇନ୍‍ସପେକ୍‌ଟର କ୍ରୋଧ ଓ ପ୍ରତିବାଦ ଏକ ବିପନ୍ନ ନପୁଂସକତା ବ୍ୟତୀତ ଆଉ ବା ଅଧିକ କ’ଣ ହୋଇପାରେ ?

 

ମୋନାଲିସା ବାର୍ ଆଗରେ ମାଥୁରର ବୁଲେଟ୍ ଅଟକିବାବେଳେ ରାତି ସାତଟା ବାଜି ଯାଇଥିଲା । ରିସେପ୍‍ସନ୍ କାଉଣ୍ଟର ଟପି ସେ ଖୋଜିଲା ଗୋଟାଏ ନିର୍ଜନ କ୍ୟାବିନ ।

 

ୱେଟର୍ ଜଣକ କ୍ୟାବିନର ପର୍ଦ୍ଦା ସଜାଡ଼ି ଝାପ୍‍ସା ଆଲୁଅରେ ଠିଆ ହୋଇ ଅପେକ୍ଷା କରୁଥିଲା ମାଥୁରଠାରୁ ଅଡ଼ର୍ ନେବାପାଇଁ । ମାଥୁର ଦୁଇହାତରେ ମୁଣ୍ଡକୁ ଚିପି ଧରି ମୁହଁ ତଳକୁ କରିଥିଲା ଏବଂ ସମ୍ଭବତଃ, ୱେଟର୍‍ଟି ଉପସ୍ଥିତି କଥା ଏକାବେଳକେ ଭୁଲିଯାଇଥିଲା ।

 

ୱେଟର୍‍ଟି ଗଲା ସଫା କରି ସାର୍ ବୋଲି ଡାକିବା ପୂର୍ବରୁ ମାଥୁର ମୁଣ୍ଡ ଟେକି ପଚାରିଲା–କି’ବେ, ଶଳା ! ଆଜି ଏୟାର୍‍ କୁଲର୍‍ଗୁଡ଼ିକୁ ବନ୍ଦ କରିଦେଇଛ, ନା କ’ଣ ?

 

ଏୟାର୍‍ କୁଲର୍‍ଗୁଡ଼ିକ ଠିକ୍ କାମ କରୁଛନ୍ତି ବୋଲି ସେ କହିବାକୁ ଚାହୁଁଥିଲା; ମାତ୍ର ତା’ର ଅଭ୍ୟସ୍ତ ଆଖି ଦୁଇଟି ଦେଖିପାରିଲା ଯେ, ଗରାଖର ମୁଡ଼୍ ଜମା ଭଲନାହିଁ । ବର୍ତ୍ତମାନ ତା’ ମତାମତ ସହିତ ଅସମ୍ମତ ହେବା ଅର୍ଥ ବାର୍‌ର ଗୋଟିଏ ମୂଲ୍ୟବାନ କୋଡ଼ ଲଙ୍ଘନ କରିବା । ପଚାରିଲା–ସାର୍, ଆଜିକାର ସ୍ପେଶାଲ ମେନୁ ଆପଣଙ୍କ ପାଖରେ ଥୁଆ ହୋଇଛି । ଚାଇନିଜ କ୍ୱିଜିନ, କଣ୍ଟିନେଣ୍ଟାଲ୍…

 

ତାକୁ ଅଧିକ କୁହାଇ ନ ଦେଇ ମାଥୁର ଅଡ଼ର୍ ଦେଲା–ତନ୍ଦୁରି ଚିକିନ ସୋଡ଼ା, ବରଫ ଆଉ ହୁଇସ୍କି ।

 

ସେ ଚାଲିଯିବା ପରେ ମାଥୁର କମିଶନରଙ୍କ ଚେତାବନୀଟିକୁ ମନେପକାଇଲା । ତା’ର ପିଠି ଥାପୁଡ଼ାଇ ସେ କହୁଥିଲେ–ମାଥୁର, ଆଜି ରାତିରେ ପିଆପିଇ କରିବନି । କାମ ସରିବା ପରେ, ୟୁ ଆର୍ ଫ୍ରି । ତା’ପରେ କୌଣସି ବାର୍‍କୁ ଯାଇପାର । ତା’ ପୂର୍ବରୁ ନୁହେଁ ।

 

ନିର୍ଜନ କ୍ୟାବିନ୍‌ର ଟେବୁଲ ଉପରେ ମାଥୁରର ଦୁଇହାତ ପାପୁଲି ମୁଠା ହୋଇଗଲା । ତା’ର ବେଖାତିର, କଠିନ ଓଠ କମ୍ପି ଉଠିଲା–ଡ୍ୟାମ୍ ୟୁ ! ପିଇବି । ଆଇ ଉଇଲ୍ ଗେଟ୍ ଡେଡ଼୍ ଡ୍ରଙ୍କ୍-। ତା’ପରେ ଖୁନ୍ କରିବି ତୋତେ । ବୁଝିଲୁ ? ତୋ ଖପୁରିଟିକୁ ଫୋପାଡ଼ି ଦେବି ମହାଶୂନ୍ୟ ଭିତରକୁ । ଆଇ ପ୍ରୋମିଜ୍ !

 

ମାଥୁରର ଏଭଳି କଥା ଯଦି ପୋଲିସ୍ ହେଡ଼୍‍କ୍ଵାଟର୍ସକୁ ଜଣାଇ ଦିଆଯାଇପାରନ୍ତା, ତେବେ ଏହା ନିଶ୍ଚିତ ଯେ, କେହି ଏହାକୁ ବିଶ୍ଵାସ କରନ୍ତେ ନାହିଁ । ଜଣେ ଦକ୍ଷ, ବିଚକ୍ଷଣ ଏବଂ ବିଶ୍ଵସ୍ତ ପୋଲିସ୍ ଅଫିସର ହିସାବରେ ମାଥୁରର ଖ୍ୟାତି କିଛି କମ୍ ନଥିଲା । ଗତବର୍ଷ ଅନ୍ୟ ଏକ ସହରରେ ଅବସ୍ଥାପିତ ହୋଇଥିବାବେଳେ ନୂଆ ହୋଇ କାମରେ ଯୋଗ ଦେଇଥିବା ଏଇ ମାଥୁର ନିଜକୁ ଜଣେ ଡେୟାର ଡେଭିଲ ବୋଲି ପ୍ରମାଣ କରିପାରିଥିଲା ।

 

ସକ୍ରିୟ ହୋଇ ଆତଙ୍କ ସୃଷ୍ଟି କରିଥିବା ଗୋଟିଏ ଦୁର୍ଦ୍ଧର୍ଷ ଆନ୍ତଃରାଜ୍ୟ ଡକାୟତଦଳର ଆଡ଼୍‌ଡ଼ା ଚଢ଼ାଉକରି କୋଡ଼ିଏ ସରିକି ଡକାୟତଙ୍କୁ ଗିରଫ୍ କରିବାରେ ମାଥୁର ନେତୃତ୍ଵ ନେଇଥିଲା-। ପୋଲିସ୍ ସହିତ ଡକାୟତମାନଙ୍କର ଯେଉଁ ମୁକାବିଲା ହୋଇଥିଲା, ସେଥିରେ ପାଞ୍ଚଜଣ ଡକାୟତ ନିହିତ ହୋଇଥିଲେ ଏବଂ ସେ ନିଜେ ଗୁଳିଚୋଟରେ ଆହତ ହୋଇଥିଲା-। ସ୍ଵତନ୍ତ୍ର ଉତ୍ସବରେ ତାକୁ ସମ୍ମାନିତ କରାଯାଇଥିଲା ଏଥିପାଇଁ ।

 

ଚାକିରି କରିବାର ଏତେ ଅଳ୍ପଦିନ ଭିତରେ କେଉଁ ପୋଲିସ୍ କର୍ମଚାରୀ ଏତେ ସମ୍ମାନ, ସାର୍ଟିଫିକେଟ୍, ବାହାବା, ପ୍ରଶଂସାର ମାଲିକ ହୋଇପାରିଛି ? କାହାକୁ ଡିପାଟ୍‍ମେଣ୍ଟର ଲୋକେ ଏତେ ଈର୍ଷା ଓ ଶ୍ରଦ୍ଧା କରନ୍ତି ? ଅଥଚ, ମାଥୁରକୁ ଦେଖିଲେ କେହିହେଲେ ଠଉରେଇ ପାରିବନି ଯେ, ଲୋକଟା ଭିତରେ ଏତେ ଶକ୍ତି, ମନୋବଳ ଓ କାର୍ଯ୍ୟକ୍ଷମତା ଲୁଚିରହିଛି । ପାଞ୍ଚଫୁଟ୍ ଆଠଇଞ୍ଚ୍ ଉଚ୍ଚ, ଆପାତତଃ ପତଳା ଗଢ଼ଣ, ଗୋରା ଏଇ ଯୁବକଟି ଶାନ୍ତ ଓ ଚିନ୍ତାଶୀଳ ଦେଖାଯାଏ-। ବେଳେବେଳେ ତା’ ଆଖି ଦିଶେ ତନ୍ଦ୍ରାଚ୍ଛନ୍ନ; ମୁହଁ ଅନ୍ୟମନସ୍କ, ଚାଲି ଅଳସ-। ମାତ୍ର ଅସଲ ସମୟରେ ତା’ର ସମସ୍ତ ସ୍ନାୟୁ କ୍ଷିପ୍ର ହୋଇପଡ଼ନ୍ତି, ଚେଇଁଉଠନ୍ତି । ବଡ଼ ଅଫିସରମାନଙ୍କ ଆଖିରେ ମାଥୁର ପୋଲିସ୍ ଡିପାଟ୍‍ମେଣ୍ଟରେ ଡାର୍ଲିଂ !

 

ସୋଡ଼ା ଓ ବରଫ ମିଶା ହୁଇସ୍କି ଗ୍ଲାସ୍‌ଟିକୁ ଓଠ ପାଖକୁ ନେଉ ନେଉ ସୌମ୍ୟ ମାଥୁରର ମୁହଁ ତଥାପି ଲାଲ ଓ ବିକୃତ ଦେଖାଯାଉଥିଲା । ନିଜକୁ ସଂଯତ, ନିଜ ଭାବନାକୁ ଶୃଙ୍ଖଳିତ କରି ରଖିବାକୁ ଚାହୁଁ ନଥିଲା ସେ । ତା’ର ଇଚ୍ଛା ହେଉଥିଲା କିଛି ଗୋଟାଏକୁ ଧ୍ଵଂସ କରିଦେବା ପାଇଁ । ନିଜ ଦେହ ଉପରେ ସେ ଗୋଟାଏ ଯନ୍ତ୍ରଣାଦଗ୍ଧ କ୍ଷତ ଦରକାର କରୁଥିଲା ଯାହା ତା’ ମନର କ୍ରୋଧ ଓ ଜ୍ଵଳନକୁ ଅଭିଭୂତ କରିଦେଇପାରନ୍ତା; ଏବଂ ସେଇ କ୍ଷତଟିର ଯନ୍ତ୍ରଣା ତା’ପାଇଁ ଏକମାତ୍ର ସତ୍ୟ ହୋଇପାରନ୍ତା । ତା’ର ରକ୍ତକଣିକାଗୁଡ଼ିକ ଆଉ ଅଧିକ ସମୟପାଇଁ ଅପମାନବୋଧ ଓ ଘୃଣାର ନିର୍ଯାତନା ସହିବାକୁ ପ୍ରସ୍ତୁତ ନଥିଲେ ।

 

କିନ୍ତୁ ବର୍ତ୍ତମାନ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅବମାନନା କରିବାର କୌଣସି ଉପାୟ ନାହିଁ-। କମିଶନରଙ୍କ ଆଦେଶ ପାଳନ କରିବାପାଇଁ ବିନା ପ୍ରତିବାଦରେ ସେ ନୀରବ ରହିଥିଲା ଏବଂ ଏଇ ନୀରବତାକୁ ତା’ର ସମ୍ମତି ବୋଲି ଧରିନିଆଯାଇଥିଲା । ଆଉ ଅଳ୍ପ ସମୟ ପରେ ସେ କୌଣସି ଏକ ସେଲୁନ୍‍କୁ ଯାଇ ନ କାଟିବ ଏବଂ ଗୋଟାଏ ଚେରଦଳର ସର୍ଦ୍ଦାର ଭୂମିକାରେ ଅବତୀର୍ଣ୍ଣ ହେବ । ତିନିମାସ ହେଲା ଏ ସହରକୁ ବଦଳି ହୋଇ ଆସିବା ଭିତରେ ଆଜି ଦ୍ଵିତୀୟଥର ପାଇଁ ତାକୁ ନିଶ କାଟିବାକୁ ହେବ । ଡାକୁ ସର୍ଦ୍ଦାର ଭୂମିକାପାଇଁ ନିଶ କାଟିବା ଖୁବ୍ ଜରୁରୀଖୋଦ୍ କମିଶନରଙ୍କ ମତ । ତୀବ୍ର ଅପମାନବୋଧରେ ମାଥୁରର ସମୁଦାୟ ଦେହ କଣ୍ଟକିତ ହୋଇଗଲା ପୁଣି ଥରେ ।

 

ଚୋରମାନଙ୍କୁ ସାବାଡ଼ କରିବାପାଇଁ ଏପ୍ରକାର ଷ୍ଟ୍ରାଟେଜି ଆତ୍ମପ୍ରତାରଣାମୂଳଳ । ଏହା ନିଜ ପରାଜୟକୁ ଘୋଡ଼ାଏ ମିଛ କୃତିତ୍ୱର କଳ୍ପନା ଛାଇରେ । ନିଜ ପ୍ରତି ଏହା ଏକ ଶଠତା, ଗୋଟାଏ ଦାରୁଣ ଠକେଇ; ନିଜ ନିପାରିଲାପଣକୁ ମାନିନେବାର ସଂକ୍ଷିପ୍ତ ରାସ୍ତା ।

 

ମାଥୁରର ଏଇ କଥା ସହିତ ପୋଲିସ୍ କମିଶନର ସମ୍ମତ ହୋଇ ନଥିଲେ ଦୁଇମାସ ପୂର୍ବେ । ସେତେବେଳେ ଏତେ ବଡ଼ ସହରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା, ଧନ-ଜୀବନ ନିରାପଦ ମନେ ହେଉ ନଥିଲା । ସହରର ପାଞ୍ଚୋଟି ବ୍ୟାଙ୍କ୍ ଓ ସାତୋଟି ବ୍ୟବସାୟ ପ୍ରତିଷ୍ଠାନରେ ବଡ଼ ଧରଣର ଡକାୟତି ହୋଇଯାଇଥିଲା । ଏଭଳି କ୍ରମାଗତ ଭାବରେ ଏସବୁ ଘଟିଯାଇଥିଲା ଯେ, ସହରର ପୋଲିସ୍ ଅବାକ୍, ବିସ୍ମିତ ଓ କିଂକର୍ତ୍ତବ୍ୟବିମୂଢ଼ ହୋଇ ଯାଇଥିଲା । ଲୁଣ୍ଠିତ ହୋଇ ଯାଇଥିବା ବ୍ୟାଙ୍କ୍ ଓ ବ୍ୟବସାୟ ପ୍ରତିଷ୍ଠାନମାନଙ୍କୁ ଯାଇ ଏବଂ ମାମୁଲି ଧରଣର ଅନୁସନ୍ଧାନ ଚଳାଇ ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଧାରଣ କରିବା ପୂର୍ବରୁ ପୋଲିସ୍ ହେଡ଼୍‍କ୍ଵାଟର୍ସକୁ ପୁଣି ଖବର ଆସେ ଯେ, ମାଣିକଲାଲ ଏଣ୍ଡ ସନ୍‌ସର ଗହଣା ଦୋକାନ ସମ୍ପୂର୍ଣ୍ଣଭାବେ ସଫା ହୋଇଯାଇଛି କିମ୍ବା ପ୍ରସ୍ପେରିଟି ବ୍ୟାଙ୍କ୍‍ର କେତୋଟି ଲକର୍ ସମେତ ପ୍ରାୟ ପାଞ୍ଚଲକ୍ଷ ଟଙ୍କା ଲୁଣ୍ଠିତ ହୋଇଛି । ପ୍ରଖ୍ୟାତ ଶିଳ୍ପପତି ହରିଶଙ୍କର ମାଧବାନିଙ୍କର ସାତବର୍ଷର ଝିଅକୁ ହରଣଚାଳ କରିନିଆଯାଇ ଦୁଇଲକ୍ଷ ଟଙ୍କାର ରାନ୍‌ସମ୍‍ ଦାବି କରାଯାଇଛି କିମ୍ବା ଗ୍ୟାରେଜ୍ ଭିତରୁ କାହାର ନୂଆ ମୂଲ୍ୟବାନ କାର୍‌ଟିଏ ଚୋରି ହୋଇଯାଇଛି ।

 

ବିଶାଳ ସହରର ସମୁଦାୟ ପୋଲିସ୍ ଶକ୍ତି ଏକବାରେ ନିଷ୍କ୍ରିୟ ଓ ଅଥର୍ବ ହୋଇଯାଇଛି-। ରାଜ୍ୟ ବିଧାନସଭାରେ ଏକାଧିକବାର ଆଲୋଚନା ହୋଇଗଲାଣି ଏ ସଂକ୍ରାନ୍ତରେ-। ସରକାର, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ଓ ପୋଲିସ୍ ସମାଲୋଚନାର ଶରବ୍ୟ ଏବଂ ବଦନାମର ଶିକାର ହୋଇଛନ୍ତି । ଡକାୟତଦଳ ସହିତ ପୋଲିସ୍ ଓ ଅନ୍ୟ ସରକାରୀ କର୍ମଚାରୀମାନଙ୍କର ସାଲିସ୍ ହୋଇଛି ବୋଲି କେତେକ ସମାଲୋଚକ ଦୃଢ଼ତାର ସହିତ ଘୋଷଣା କରୁଛନ୍ତି । ସମସ୍ତ ବିଶ୍ୱାସ ଓ ଆସ୍ଥା ହରାଇ ପୋଲିସ୍ ଶକ୍ତି ମୁଠାଏ ଶୁଖିଲା ପତ୍ର ଭଳି କେବଳ ଉଡ଼ିବୁଲୁଛି ଶେଷହୀନ ନିନ୍ଦା ଓ ଡକାୟତିର ଝଡ଼ରେ ।

 

ଦୁଇମାସ ପୂର୍ବେ, କମିଶନରଙ୍କ ଅଫିସ୍‍ରେ ଉଚ୍ଚପଦସ୍ଥ କର୍ମଚାରୀଙ୍କୁ ନେଇ ଆଲୋଚନା ହୋଇଥିଲା । କମିଶନର ଯେଉଁକଥା କହିଥିଲେ, ସଂକ୍ଷେପରେ ତାହା ହେଉଛି–

 

କେବଳ ଏଇ ସହର ନୁହେଁ, ଦେଶର ସମସ୍ତ ବଡ଼ ସହରରେ ଯେଉଁଭଳି ଡକାୟତି କ୍ରମାଗତ ଭାବରେ ଚାଲିଛି, ସେସବୁର ପ୍ୟାଟର୍ଣ୍ଣ ବସ୍ତୁତଃ ଏକପ୍ରକାର । ଗୋଟିଏ ସୁନିୟନ୍ତ୍ରିତ, ସୁସଂଗଠିତ ଦଳ ଅତ୍ୟାଧୁନିକ ପଦ୍ଧତିରେ ଏଇ ଯେଉଁ ଲୁଣ୍ଠନମାନ କରିଚାଲିଛନ୍ତି, ତାହାର ଦୁର୍ଗଟିକୁ ଦଖଲ କରିବାପାଇଁ ପୋଲିସ୍‍ବାହିନୀ ତତ୍ପର ଅଛି । ମାତ୍ର ସେମାନେ ଆମଠାରୁ ଏପର୍ଯ୍ୟନ୍ତ ଚାଲାକି ଓ ସାହସରେ ଆଗୁଆ ରହିଛନ୍ତି–କ୍ଷୋଭର ସହିତ ମାନିବାକୁ ହେଉଛି । ଆମକୁ ଆଶ୍ଚର୍ଯ୍ୟ କରିଦେବା, ଅପ୍ରତ୍ୟାଶିତ ଭାବରେ ଆମ ଅନୁମାନର ପରିଧି ବାହାରକୁ ଚାଲିଯିବା ଫଳରେ ଆମ ଇଣ୍ଟେଲିଜେନ୍‌ସ୍ ସେମାନଙ୍କର ସମକକ୍ଷ ହୋଇପାରୁନି ।

 

କମିଶନର କହିଚାଲିଲେ–ଆମ ତରଫରୁ ଯେତିକି ସାବଧାନତା ଅବଲମ୍ବନ କରାଯିବା ସମ୍ଭବ, ତାହା ଆମେ କରିଛେ । ବ୍ୟାଙ୍କ୍ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ଅସମୟରେ ସେଠାକୁ ଯାଇ ସେଣ୍ଟ୍ରିଗାର୍ଡ଼ମାନେ ବାସ୍ତବରେ ଜାଗ୍ରତ ଓ ସଚେତନ ଅଛନ୍ତି କି ନା, ତାହା ପରୀକ୍ଷା କରାଯାଉଛି; ଅଥଚ ଡକାୟତିର ଶେଷ ନାହିଁ ସତେ ଯେପରି । ମଣିଷ ଓ ସମାଜର ସ୍ଥିତି ଏଭଳି ଅସହାୟ ଓ ପ୍ରତିରକ୍ଷାହୀନ ହୋଇପାରେ ବୋଲି ମୋର ଧାରଣା ନଥିଲା ଆଗରୁ । ସମସ୍ତ ସତର୍କତା ଓ ସାବଧାନତା ସତ୍ତ୍ୱେ ଆମ ଅଜାଣତରେ କେଉଁଠି ଗୋଟାଏ ଦୁର୍ବଳତାର ଫାଟ ରହିଯାଉଛି ଏବଂ ଅଦୃଶ୍ୟ, କଠୋର ଶକ୍ତି ଭଳି ଡକାୟତମାନେ ସମାଜର ସମସ୍ତ ବିଜ୍ଞତା ଓ କାନୁନ୍‍ର ପରିପାଟୀକୁ ବିକୃତ କରି ଚାଲିଛନ୍ତି । ଏଇ ଗୋଟିଏ ସଙ୍କଟର ମୁହୂର୍ତ୍ତ । ଜୀବନବି ଏଭଳି ମୁହୂର୍ତ୍ତ ସମ୍ମୁଖୀନ ହୁଏ । ବୌଦ୍ଧିକତା ଓ ଜ୍ଞାନର ପରିସୀମା ବାହାରେ ଏଭଳି ଅଭୂତପୂର୍ବ କିଛି ଘଟେ, ଯାହା ଉପହାସ କରେ ମଣିଷର ଦାମ୍ଭିକତା ଓ ଅଭିଜ୍ଞତାକୁ । ଅଥଚ କ୍ଷତ-ବିକ୍ଷତ ହୋଇ ମଧ୍ୟ ଜୀବନ ଗତିହୀନ ହୁଏ ନାହିଁ । ଆପାତତଃ ଏଇଭଳି ସଙ୍କଟହିଁ ଜୀବନର ଅନ୍ତର୍ନିହିତ ଶକ୍ତିକୁ ପରୀକ୍ଷା କରି ଜୀବନକୁ ମହିମାମୟ କରିଥାଏ ।

 

କହିବା ବାହୁଲ୍ୟ, କମିଶନର ଯଥେଷ୍ଟ ଉତ୍ତେଜିତ ହୋଇଯାଇଥିଲେ । ଆବେଗ ଓ ତତ୍ପରତା ଯୋଗୁଁ ତାଙ୍କ କଣ୍ଠସ୍ଵର ବେଶ୍ କମ୍ପୁଥିଲା । କିଛି ପାଣି ପିଇ ଓ‌ ରୁମାଲରେ ମୁହଁ ପୋଛି ସେ ଏକ ଅଭିନବ ଉପାୟର ଉଦ୍ଭାବକ ବୋଲି ପ୍ରମାଣ କରିପାରିଲେ ।

 

ସେଦିନ ମାଥୁରକୁ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦିଆଗଲା । ପରଦିନ ଗୋଟାକବେଳେ ଟ୍ରେଜେରୀରୁ ଗୋଟାଏ ଭ୍ୟାନ୍ ତିନିଲକ୍ଷ ଟଙ୍କା ଧରି ଇମ୍ପେରିଆଲ ବ୍ୟାଙ୍କ୍ ଆଡ଼କୁ ଯିବ । ଭ୍ୟାନ୍‍ଟି ସହରର ଏକ ନିର୍ଜନ ରାସ୍ତାରେ ପହଞ୍ଚିବାକ୍ଷଣି ସେ ବିସ୍ଫୋରଣ ସୃଷ୍ଟି କରିବ ଏବଂ ତା’ ଉପରେ ଚଢ଼ାଉ କରିବ । ଭ୍ୟାନ୍‍ରେ ଥିବା ଡ୍ରାଇଭର ଓ ଗାର୍ଡ଼୍‍ମାନଙ୍କୁ ଏଇ ଯୋଜନାଟି ଆଗରୁ ଜଣାଇ ଦିଆଯାଇଥିବ; ତେଣୁ ବିଶେଷ କିଛି ହଇରାଣ ହେବାକୁ ପଡ଼ିବ‌ ନାହିଁ । ଦୁଇମିନିଟ୍ ଭିତରେ ଏ କାମ ଶେଷକରି ମାଥୁର ଟଙ୍କାସହ କାର୍ ନେଇ ଖସିପଳାଇ‌ ଯିବାକୁ ଉଦ୍ୟତ ହେବ ଏବଂ ତା’ ଗାଡ଼ିକୁ ଅନୁସରଣ କରିବ ପୋଲିସ୍ ଜିପ୍ । ଗୁଳି ବିନିମୟ ହେବ । ମାଥୁରର କାର୍ ଚକକୁ ଗୁଳିକରି ଫୁଟାଇ ଦିଆଯିବ । ମାଥୁର ଟଙ୍କା ସମେତ ଆତ୍ମସମର୍ପଣ କରିବ ପୋଲିସ୍ ପାଖରେ ।

 

କମିଶନର ମାଥୁରକୁ ସବୁକଥା ବୁଝାଇଦେଲେ–ରାସ୍ତା ଉପରେ ଏଇ ଯେଉଁ ଡକାୟତିଟି ହେବ, ସେଇଟା ଗୋଟାଏ ଡ୍ରାମା । ତହିଁରେ ତୁମେ କେବଳ ଡକାୟତ ଭୂମିକାଟି ଗ୍ରହଣ କରୁଛ । ଏଇଟା ସେତେ ବେଶି ଗୁରୁତ୍ଵପୂର୍ଣ୍ଣ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଉଛି ୟାପରେ ଖବରକାଗଜ ଆଉ ରେଡ଼ିଓରେ ଯେଉଁ ପ୍ରଚାରଟା ହେବ । ଆମେ କହିବୁ ଯେ, ଯେଉଁ ଡକାୟତଟିକୁ କାବୁ କରାଯାଇଛି, ତା’ଠାରୁ ଗ୍ୟାଙ୍ଗ୍‍ଟିର ସବୁ ତଥ୍ୟ ଆମେ ଜାଣିପାରିଛୁ । ଦୁଇଟି ଉଦ୍ଦେଶ୍ୟ ସାଧିତ ହେବ ୟାଦ୍ଵାରା । ପ୍ରଥମତଃ ଅସଲ ଡକାୟତମାନେ ଆମ କଥାକୁ ହୁଏତ ବିଶ୍ଵାସ କରିନେଇପାରନ୍ତି । ତାଙ୍କ ମଧ୍ୟରେ ଗୋଟାଏ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେବ । ଆମପାଇଁ ଏଇଟା ଗୋଟାଏ ବଡ଼ ଲାଭ । ଦ୍ଵିତୀୟତଃ ଆମେ ଦଳେ ପଙ୍ଗୁ ଓ ନିର୍ବୋଧ ବୋଲି ସାଧାରଣରେ ସମାଲୋଚିତ ହେବା ନାହିଁ ।

 

ପ୍ରସ୍ତାବଟି ଶୁଣିସାରିବା ପରେ ମାଥୁରର ପ୍ରତ୍ୟେକ ରକ୍ତକଣିକା ବିଦ୍ରୋହ କରି ଉଠିଥିଲା; ତା’ର ଅହଂକାର ତୀବ୍ର ଯନ୍ତ୍ରଣାରେ ଆହତ ହୋଇଥିଲା । ଡକାୟତମାନଙ୍କ ବିରୁଦ୍ଧରେ ଲଢ଼େଇ କରି ନିଜ ସାହସ ଓ ଚତୁରତା ପ୍ରମାଣ କରିଥିବା ମାଥୁର ଗ୍ରହଣ କରିବ ଗୋଟିଏ ଡକାୟତର ଭୂମିକା ଏବଂ ଅନ୍ୟ କେତେଜଣ ତାକୁ କାବୁ କରି ଘୋସାରି ଆଣିବେ ଥାନାକୁ ! ଏହାଠାରୁ ବେଶି ଅପମାନଜନକ ପରିସ୍ଥିତି ଥାଇପାରେ ବୋଲି ମାଥୁରର ବିଶ୍ଵାସ ହେଲାନାହିଁ ।

 

କମିଶନର ତା’ର ଭାବାନ୍ତର ଲକ୍ଷ୍ୟ କରିପାରିଲେ ହୁଏତ । କହିଲେ–ଅନ୍ୟ କୌଣସି ଅଫିସରଙ୍କୁ ଏ କାମ କରିବାପାଇଁ ମୁଁ କହୁନି । ତା’ର ଏକମାତ୍ର କାରଣ ହେଉଛି, ଅନ୍ୟ କେହି ଏହାକୁ ଠିକ୍ ଭାବରେ କରିପାରିବେ ବୋଲି ମୋର ହୃଦ୍‌ବୋଧ ହେଉନି । ତୁମ ଦକ୍ଷତା ଓ ବୁଦ୍ଧି ଉପରେ ମୋର ଢେର୍ ଆସ୍ଥା ଅଛି ।

 

ନିଜ ପ୍ରଶଂସା ଶୁଣିବା ପରେ ମାଥୁର ନିଜ ଭିତରେ ଜଳିଉଠିଥିଲା ଆହୁରି ବେଶି ପ୍ରତିବାଦ ଓ ଘୃଣାରେ । ତାକୁ ଶେଷ ଉପଦେଶଟି ଦିଆଗଲା–ଆମେ ସବୁପ୍ରକାରର ସତର୍କତା ଅବଲମ୍ବନ କରିବା ଏଇ ଡ୍ରାମାଟିକୁ ନିଖୁଣ କରିବାପାଇଁ; କିନ୍ତୁ ଗୋଟିଏ କଥା ବେଳେବେଳେ ବିଚଳିତ କରୁଛି । ପ୍ରେସ୍‌ବାଲାଙ୍କର ଫଟୋଗ୍ରାଫରମାନଙ୍କୁ ସହଜ ଜନ୍ତୁ ବୋଲି ମୁଁ ଜମା ଭାବେନି । କେତେବେଳେ ଯଦି ଆମ ଅସତର୍କ ମୁହୂର୍ତ୍ତରେ ଫଟୋଟିଏ ଉଠାଇ ନିଅନ୍ତି, ତେବେ ବଦନାମର ସୀମା ରହିବନି । ତୁମକୁ ସେଥିପାଇଁ ଆଉ ଗୋଟିଏ କାମ କରିବାକୁ ହେବ । କାଟିଦିଅ ତୁମ ନିଶକୁ-। ଆହୁରି ଭଲ ହେବ, ଯଦି ମୁଣ୍ଡର କେଶ ମଧ୍ୟ କାଟି ଦେଇପାରିବ । ଟୋପି ଗୋଟାଏ ଲଗାଇପାର ।

 

ମୋନାଲିସା ବାର୍‌ର ନିର୍ଜନ କ୍ୟାବିନରେ ବସି ମାଥୁର ଉତ୍ତେଜିତ ହୋଇ ପଡ଼ିଲା ଏବଂ ଖୁବ୍ ଜୋରରେ ଚିତ୍କାର କରିବାକୁ ଉଦ୍ୟତ ହେଉଥିଲା । ମୁହଁର କଠିନ ମାଂସପେଶୀ ସଂକୁଚିତ ହୋଇଯାଇ ଓଟାରି ଆଣିଲା ତା’ର ଦୁଇ ଆଖିରୁ ଦୁଇଟୋପା ଲୁହ–ଅତ୍ୟଧିକ ଉତ୍ୟକ୍ତ ହୋଇଥିବାର ସର୍ବଶେଷ ପ୍ରମାଣ ।

 

ଗ୍ଲାସ୍‍ଟିକୁ ଟେବୁଲ ଉପରେ ରଖି ଦୁଇହାତ ପାପୁଲିରେ ମୁହଁ ଘଷିଲା ମାଥୁର । କ୍ୟାବିନର ଚାରିକାନ୍ଥରୁ ଅନ୍ୟମନସ୍କ ଦୃଷ୍ଟି ବୁଲାଇ ଆଣିବାବେଳେ, ଦୁଇମାସ ପୂର୍ବେ ରାସ୍ତାରେ ମଞ୍ଚସ୍ଥ ହୋଇଥିବା ନାଟକଟିକୁ ଆହୁରିଥରେ ମନେପକାଇଲା । ଅଥଚ କମିଶନରଙ୍କ ଷ୍ଟ୍ରାଟେଜି ଡକାୟତମାନଙ୍କୁ ସତର୍କ କରିପାରି ନଥିଲା । ସେଇ ଘଟଣା ପରେ ସହରରେ ଆହୁରି ତିନୋଟି ବଡ଼ ଧରଣର ଡକାୟତି ଘଟିଗଲାଣି । ସବୁ କଥା ଜାଣି ମଧ୍ୟ ଦୁଇମାସ ପୂର୍ବର ନାଟକଟିର ପୁନରାବୃତ୍ତି କରିବା ଅର୍ଥ କ’ଣ, ସେ ବୁଝିପାରୁ ନଥିଲା ।

 

ଆଜି ରାତି ଦୁଇଟାବେଳେ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ୍‍କୁ ସେ ଯିବ ଡକାୟତର ଭୂମିକା ନେଇ, ନିଶ ଓ ମୁଣ୍ଡର କେଶ କାଟି ସାରିବା ପରେ । ଏଥର ଅବଶ୍ୟ ତିନିଜଣ ସବ୍‌ଇନ୍‌ସପେକ୍‌ଟର ତା’ର ସହକାରୀ ଭାବରେ ଅଭିନୟ କରିବେ । ଦୁଇଟି ବ୍ରିଫ୍‌କେଶ୍‍ରେ ନୋଟ୍ ଭର୍ତ୍ତିକରି ସେ ପଳାଇଯାଉଥିବ ଏବଂ ପୋଲିସ୍ ତାକୁ ଗିରଫ୍ କରିବ ।

 

ଦୁଇଟି ବ୍ରିଫ୍‍କେଶ୍‍ରେ କେତେ ଟଙ୍କାର ନୋଟ୍ ରଖାଯାଇପାରେ ? ସବୁ ଜିନିଷ ଜାଲଜାଲୁଆ ଦେଖାଯାଉଥିବାବେଳେ, ମୁଣ୍ଡ ତଳକୁ ଝୁଙ୍କି ପଡ଼ିଥିବାବେଳେ, ମୁହଁ ଝାଳଉଥିବାବେଳେ ମାଥୁର ଏଇ ପ୍ରଶ୍ନଟି ପଚାରିଲା ନିଜକୁ । ନିଜ ମଧ୍ୟରେ କୌଣସି ଉତ୍ତର ପାଇବା ପୂର୍ବରୁ ପୁଣି ଦୁଇମାସ ପୂର୍ବର ଘଟଣା ମନେପଡ଼ିଲା । ତିନିଲକ୍ଷ ଟଙ୍କା ଭର୍ତ୍ତି ହୋଇଥିବା ମସୃଣ, ସିଲ୍‌କରା ବ୍ୟାଗ୍‍ଟିକୁ କିଭଳି ସେ ଭ୍ୟାନ୍‌ରୁ ଅଣି କାର୍‍ରେ ଥୋଇଥିଲା ଏବଂ କିଛିବାଟ ଯିବାପରେ ଅନ୍ୟମାନଙ୍କ ହାତକୁ ସେଇଟିକୁ, ନିଜକୁ ଓ ନିଜ ବ୍ୟକ୍ତିତ୍ଵକୁ ସମର୍ପଣ କରିଥିଲା, ତାହା ଭାବିନେଲା ଥରେ; କିନ୍ତୁ ଦୁଇଟି ବ୍ରିଫ୍‍କେଶ୍‍ରେ କେତେ ଟଙ୍କାର ନୋଟ୍ ରଖାଯାଇପାରେ ? ତନ୍ଦ୍ରାଳୁ ଆଖିରେ ଚାରିଆଡ଼କୁ ଚାହିଁ ସେ ଅପ୍ରତିଭ ହେଲା ଏବଂ ବଡ଼ପାଟିରେ କହିଉଠିଲା–ଶାଲା ।

 

ହୁଇସ୍କି ନିଶା ସତ୍ତ୍ଵେ ମାଥୁର ସ୍ତବ୍ଧ ହୋଇଗଲା କେତୋଟି ମୁହୂର୍ତ୍ତପାଇଁ । ସହସା କାହିଁକି ଶଙ୍କାଗ୍ରସ୍ତ ହୋଇପଡ଼ିଲା, ତା’ର କାରଣ ଜାଣିପାରିଲା ନାହିଁ ସେ । ଗୋଟାଏ ବିଚିତ୍ର ଭାବନା ତା’ର ମସ୍ତିଷ୍କକୁ ଆକ୍ରାନ୍ତ କରୁଥିଲା ଆସ୍ତେ ଆସ୍ତେ ଏବଂ ସବୁମନ୍ତେ ଚେଷ୍ଟା କରି ମଧ୍ୟ ସେ ଭାବନାଟିକୁ ମନରୁ ବହିଷ୍କାର କରିପାରିଲାନି । ଏଥର ରୀତିମତ ବିଚଳିତ ହେଲା ମାଥୁର । ଖୁବ୍ ଜୋରରେ ମୁଣ୍ଡ ହଲାଇ ସେ ପୁଣିଥରେ ପାଟି କରି ଉଠିଲା–ଉଠବେ ଶଳା !

 

କିନ୍ତୁ, ନା । ହେଉନି । ଭାବନାଟି ଶକ୍ତିଶାଳୀ ହୋଇ ତା’ର ବୌଦ୍ଧିକତା ଓ ବିଚାରଶୀଳତାକୁ ଗ୍ରାସକରି ଚାଲିଛି । ମାଥୁରର ହୃତ୍‌ସ୍ପନ୍ଦନ ଏଭଳି ବଢ଼ି ଯାଇଥିଲା ଯେ, ବସିବା ସ୍ଥାନରୁ ଉଠି ଠିଆ ହୋଇପଡ଼ିଲା ଏବଂ ମୋହାଚ୍ଛନ୍ନ ହେବାଭଳି ଚାହିଁଲା ଚାରିଆଡ଼କୁ ନିର୍ବୋଧଙ୍କ ଭଳି । ସେ ଅନୁଭବ କରିପାରିଲା, ତା’ ସତ୍ତା ମଧ୍ୟରେ ଏମିତି କିଛି ସଂଜ୍ଞାତୀତ ଘଟୁଛି, ଯାହା ତା’ର ପ୍ରତ୍ୟେକ ସ୍ନାୟୁକୁ ଦୋହଲାଇ ଦେଉଛି । ତା’ର ସମସ୍ତ ମାଂସପେଶୀ କଠିନ ହୋଇଯାଇ ତାକୁ ବେପରୁଆ ଓ ଅବାଧ୍ୟ ହେବାକୁ ପ୍ରରୋଚନା ଦେଲା । ବିପଦସଂକୁଳ‌ ହେଉ ପଛେ ସେ ଯେମିତି ସନ୍ଧାନ କରିପାରିଲା ମୁକ୍ତି ଓ ପ୍ରତିଶୋଧ ନେବାର ଗୋଟାଏ ବାଟ ।

 

ସିଗାରେଟ ଲଗାଇ ଅନ୍ୟମନସ୍କ ଭାବରେ ମାଥୁର ଦେଖୁଥିଲା ଟେବୁଲ ସଫା କରୁଥିବା ୱେଟର୍‍କୁ । ଏଥର ସେ ସତେକ ଅନୁଭବ କରୁଛି । ବିଲ୍‌ ତୁଟାଇ ବାର୍ ଛାଡ଼ିବାବେଳେ ରାତି ନ’ଟା ପାଖାପାଖି । ବୁଲେଟ୍‌ଟି ଷ୍ଟାର୍ଟ କରିବା ପୂର୍ବରୁ ସେ ଚାହିଁଲା ଚାରିଆଡ଼କୁ । ସହରଟି ଏବେବି କର୍ମମୁଖର ଅଛି । ମାତ୍ର ଆକସ୍ମିକ ଭାବରେ ମାଥୁର ମାନସିକ ସ୍ତରରେ ଅପରିଚିତ ଏବଂ ଦୁର୍ଦ୍ଦାନ୍ତ ହୋଇ ପଡ଼ୁଥିଲା ଏହା ସାମନାରେ । ସହରଟିର ଦୈନନ୍ଦିନତା ଅବ୍ୟାହତ ରହିଥିଲା ଡକାୟତର ଉପସ୍ଥିତି ସତ୍ତ୍ଵେ ସେଲ୍ଫରେ ଥୁଆ ହୋଇଥିବା ଘଡ଼ିର ବିଶ୍ଵସ୍ତ, ସନ୍ଦେହମୁକ୍ତ କାର୍ଯ୍ୟବ୍ୟସ୍ତତା ଭଳି ।

 

ତିନିଜଣ ସବ୍‌ଇନ୍‌ସପେକ୍‌ଟରଙ୍କ ସହିତ କାର୍ ନେଇ ମାଥୁର ଡେଭେଲପମେଣ୍ଟ ବ୍ୟାଙ୍କ୍‍ର ପାଞ୍ଚମହଲା କୋଠା ସାମନାରେ ପହଞ୍ଚିଗଲା । ପୂର୍ବ ନିର୍ଦ୍ଧାରିତମତେ ବିଜୁଳି ସବବରାହ ବନ୍ଦ କରିଦିଆଗଲା ସେ ଅଞ୍ଚଳକୁ । ତିନିଜଣ ସବ୍‌ଇନ୍‍ସପେକ୍‍ଟର ଇଚ୍ଛାକୃତ ଭାବରେ ଆତ୍ମସମର୍ପଣ କରିଥିବା ସେଣ୍ଟ୍ରିଗାର୍ଡ଼ମାନଙ୍କୁ ଅକ୍ତିଆର କରିନେଲେ । ଦୁଇଟି ବ୍ରିଫ୍‌କେଶ୍ ନେଇ ବ୍ୟାଙ୍କ୍‍ର ଜଣେ କର୍ମଚାରୀ ସହିତ ମାଥୁର କୋଠା ଭିତରେ ପଶିଲା ।

 

ନୋଟ୍‌ର ସ୍ତୂପକୁ ସେ ପ୍ରଥମେ ଚାହିଁଲା ଓ ପରେ ଦୁଇହାତ ସାହାଯ୍ୟରେ ବ୍ରିଫ୍‍କେଶ୍ ପୂର୍ଣ୍ଣ କରିବାରେ ଲାଗିଲା । ହଠାତ୍ ସେ ସଚେତନ ହେଲା ଯେ, ତା’ ପାଖରେ ଅନ୍ୟ ଜଣେ ମଧ୍ୟ ଠିଆହୋଇଛି । କାହିଁକି କେଜାଣି ତା’ର ଲୋମ ଟାଙ୍କୁରି ଉଠିଥିଲା ଏବଂ ଉତ୍ତେଜନାପୂର୍ଣ୍ଣ ମୁହଁରେ ଚାହିଁଲା ଲୋକଟିକୁ । ବ୍ୟାଙ୍କ୍ କର୍ମଚାରୀ ଜଣକ ତା’ର ସର୍ବାଙ୍ଗକୁ ଲକ୍ଷ୍ୟ କରି ତାକୁ ଫର୍ଦ୍ଦ ଫର୍ଦ୍ଦ କରି ପଢ଼ିଯାଉଛି ଏବଂ ତା’ଠାରୁ ଗୋଟିଏ ମୂଲ୍ୟ ଦାବି କରୁଛି ସତେ ଯେପରି ! ମାଥୁରର ହାତ ଅଟକିଗଲା । ନିମ୍ନସ୍ତରରେ ପଚାରିଲା–‘କ’ଣ ଦରକାର ? ‘ଚଞ୍ଚଳ କାମ ସାରନ୍ତୁ । ଯିବା ।’ ଅଭିନୟ ହେଉପଛେ କର୍ମଚାରୀଟି ଯଥେଷ୍ଟ ଭୟ ପାଇଥିଲା ଏବଂ କାମଟି ଶୀଘ୍ର ଶେଷ ହେଉ ବୋଲି ବ୍ୟାକୁଳ ଥିଲା ।

 

ମାଥୁର ନିଜ ଉପରେ ରାଗିଲା; କାହିଁକି ନା, ତା’ର ଭାବନାଗୁଡ଼ିକ ଅନ୍ୟମାନଙ୍କ ସାମନାରେ ଉଲଗ୍ନ ହୋଇ ପଡ଼ିଛି ବୋଲି ତା’ର ଆଶଙ୍କା ହେଲା । ସେ ବୋଧହୁଏ ସମ୍ପୂର୍ଣ୍ଣ ଅସ୍ଵାଭାବିକ ଜଣାପଡ଼ୁଛି !

 

ନିଜକୁ ଆଉ ବେଶି ସମୟ ସହ୍ୟ କରିବାପାଇଁ ସକ୍ଷମ ନଥିଲା ମାଥୁର । ଏଇକ୍ଷଣି ହୁଏତ ତା’ର ହୃତ୍‌ପିଣ୍ଡଟା ପଞ୍ଜରାହାଡ଼ର କାନ୍ଥଟିକୁ ଭାଙ୍ଗିଦେଇ ବାହାରକୁ ବାହାରି ଆସିବ । ଏଇକ୍ଷଣି ତା’ର ସ୍ନାୟୁ ଶିରାପ୍ରଶିରାଗୁଡ଼ିକ ଛିଣ୍ଡିଯିବେ । ଅସ୍ୱସ୍ତିକର ନୀରବତା ଓ ଆପାତତଃ ନିର୍ଜନତାର ମାରାତ୍ମକ ବୃତ୍ତଟିଏ ସଙ୍କୁଚିତ ହୋଇଯାଇ, ତା’ର ଅସ୍ତିତ୍ଵକୁ ପୋଛି ଲିଭାଇ ଦେବ ଏଇ ମୁହୂର୍ତ୍ତରେ । ମାଥୁର ସେତେବେଳେ ଦରକାର କରୁଥିଲା ବ୍ୟାପକ ପାଟିତୁଣ୍ଡ ଓ ଗହଳିର ସମୁଦ୍ରଟିଏ । ତା’ ଭିତରେ କେଉଁଆଡ଼େ ଖସିଯାଇ ନିଜକୁ ଉଦ୍ଧାର କରିବାପାଇଁ ଚାହୁଁଥିଲା । ସେଇ ମୁହୂର୍ତ୍ତରେ ବାସ୍ତବିକ ମାନସିକ ଭାରସାମ୍ୟଟି ହରାଇ ବସିଲା ସେ । ପକେଟରୁ ପିସ୍ତଲଟି କାଢ଼ି କଠିନ ସ୍ଵରରେ ସେ ସତର୍କ କରିଦେଲା ବ୍ୟାଙ୍କ୍ କର୍ମଚାରୀଟିକୁ–କାହା ଆଗରେ ଏ କଥା କହିଲେ ଖପୁରିଟିକୁ ଉଡ଼ାଇ ଦେବି, ବୁଝିଲୁ ? ମୋ ଆଖିରେ ତ କମିଶନର ଭଳି ଦିଶୁଛୁ; ୟୁ ରାସ୍କେଲ ! ଚାଲ୍ ।

 

ବ୍ରିଫ୍‌କେଶ୍‍ ଦୁଇଟିକୁ ନେଇ କାର୍ ପାଖରେ ପହଞ୍ଚିଲା ପରେ, ମାଥୁର ଠିକ୍‍ଭାବରେ ଅନୁଭବ କରିପାରୁ ନଥିଲା ନିଜକୁ । ଦରଜା ଖୋଲି, ସାମନା ସିଟ୍ ଉପରକୁ ଦୁଇଟିକୁ ରଖି ସେ ବସିପଡ଼ିଲା ଏବଂ ଦରଜା ବନ୍ଦ କରିବାକ୍ଷଣି ଗାଡ଼ି ଷ୍ଟାର୍ଟକରି ଆଗେଇଲା । ଦଶ-ବାର ମିଟର ଯିବାପରେ ଅନ୍ଧାର ଭିତରେ ସେ ଗୁଳି ଚଳାଇଲା ତା’ ସହିତ ଆସିଥିବା ଇନ୍‌ସପେକ୍‌ଟରଙ୍କ ଆଡ଼େ-। ପାଞ୍ଚ ରାଉଣ୍ଡ୍ ଗୁଳି ।

 

ମାଥୁର କାର୍‌ର ହେଡ଼୍‍ଲାଇଟ୍ ଦ୍ରୁତଗତିରେ ପହଁରି ଚାଲିଲା ଦୁଇପାଖ ଅନ୍ଧାରର ପାଣି କାଟି ।

 

ମାଥୁର ଉତ୍ତେଜିତ ଥିଲା, ଅସ୍ଥିର ଥିଲା; କିନ୍ତୁ ତା’ର ଭାବନା ଠିକ୍ କାମ କରୁଥିଲା ସେତେବେଳେ । ସେ ସ୍ପଷ୍ଟ ଅନୁଭବ କରୁଥିଲା ଯେ, ସେ ଅନ୍ୟ ଏକ ଅପରିଚିତ ଅଥଚ ଭୟାନକ ମୂଲ୍ୟବୋଧର ଇଲାକା ଭିତରକୁ ପ୍ରବେଶ କରୁଛି ପ୍ରଚଣ୍ଡ ବେଗରେ । ଯୁଗଯୁଗର ସଂସ୍କାର, ଐତିହ୍ୟ ଓ ଶୃଙ୍ଖଳାର ଢାଙ୍କୁଣି ଖୋଲିଯାଉଥିଲା ତା’ ଚାରିପାଖରୁ ଏବଂ ସେ ମଣିଷପାଇଁ କଞ୍ଚାମାଲର ଏକକଟିଏ ପାଲଟି ଯାଉଥିଲା ନିଜ ଅଜାଣତରେ । ମାଥୁର ଆଉ ଇନ୍‌ସପେକ୍‌ଟର ହୋଇ ରହି ନଥିଲା । ସମସ୍ତ ପ୍ରକାରର କଟକଣା ଓ ପ୍ରତିଷ୍ଠିତ ନିୟମର ପାଚେରି ଭାଙ୍ଗି ସେ ଆଖିବୁଜା ଅଭିଯାନ ଆରମ୍ଭ କରି ଦେଇଥିଲା ମଣିଷ-ସୃଷ୍ଟିର ପ୍ରାଥମିକ ମୁହୂର୍ତ୍ତ ପାଖରେ ପହଞ୍ଚିବା ପାଇଁ ।

 

ଅନ୍ତତଃ ଦୁଇଘଣ୍ଟା ପରେ ଗାଡ଼ିଟିକୁ ପରିତ୍ୟାଗକରି ଦୁଇଟି ବ୍ରିଫ୍‍କେଶ୍ ଓ ଦୁଇଟି ପିସ୍ତଲ ଧରି ସେ ପଳାଇଯିବ କେଉଁଆଡ଼େ । ଗାଡ଼ିଟିକୁ ଧ୍ଵଂସ କରିଦେବା ତା’ର ଅଭିପ୍ରାୟ ଥିଲା I ରାସ୍ତାଟା ଯଦି କୌଣସି ପାହାଡ଼ର ପିଠି ଉପରେ ଲମ୍ବି ଯାଇଥାନ୍ତା, ତେବେ ଗାଡ଼ିଟିକୁ ତଳକୁ ଠେଲି ନିଶ୍ଚିନ୍ତ ହୋଇପାରନ୍ତା ସେ । ଗାଡ଼ିଟି ତା’ପାଇଁ ବର୍ତ୍ତମାନ ଏମିତି ଏକ ବୋଝ ହୋଇଯିବ ବୋଲି ସେ ଭାବି ନଥିଲା ଆଗରୁ । କ’ଣ କରିବ ସେ ?

 

କିନ୍ତୁ ରିଅର୍‌ଭିଉ ଦର୍ପଣ ଭିତରେ ଏ କ’ଣ ? ତାକୁ ଅନୁସରଣ କରୁଛି ଗୋଟାଏ ଗାଡ଼ି ! ଏତେ ଚଞ୍ଚଳ ! ଅସମ୍ଭବ ! ହିଂସ୍ର କଠୋରତାର ସହିତ ମାଥୁର ଗାଡ଼ିର ଗତି ବଢ଼ାଇବାକୁ ଚେଷ୍ଟାକଲା । ପର ମୁହୂର୍ତ୍ତରେ ଦେଖିଲା, ଖୁବ୍ ଦୂରରୁ ସାମନାରୁ ଏକାଧିକ ଗାଡ଼ିର ହେଡ଼୍‍ଲାଇଟ୍ ଆଗେଇ ଆସୁଛି ଗୋଟାଏ କୃତିତ୍ଵ ପାଇବା ଲାଳସାରେ । ଅଭିଯାନଟା ଏତେ ବେଶି ବିଫଳ ହୋଇଯିବ ? ମାଥୁରର ସର୍ବାଙ୍ଗକୁ ଗିଳି-ଦେଇଥିବା ଆଦିମତା ସଂଯମ ଓ ବିଜ୍ଞତାର ଘେର ଭିତରକୁ ଆସିବାପାଇଁ ଅନିଚ୍ଛୁକ ଥିଲା ସେତେବେଳେ; କାରଣ ସେ ସମାଜ ଓ ଶୃଙ୍ଖଳା ବିରୁଦ୍ଧରେ ଗୋଟାଏ ବିପ୍ଳବ ପ୍ରତୀକ ହୋଇଯାଇଥିଲା । ଏଇ ବିପ୍ଳବ କେଉଁଭଳି ଭବିଷ୍ୟତ ସ୍ଵପ୍ନକୁ ଆଖି ଆଗରେ ରଖିଥିଲା, ତା’ର କୌଣସି ରୂପରେଖ ଜଣା ନଥିଲା ମାଥୁରକୁ । ସେ କେବଳ ଏତିକି ସୂଚନା ଦେଉଥିଲା ଯେ, ଏଇ ବିପ୍ଳବର ରହସ୍ୟ ଏକ ଚିରନ୍ତନ ସତ୍ୟ ଏବଂ ଆଦିମ ହିଂସ୍ରତା ଓ ସଂଯମହୀନତା ଭିତରକୁ ବାଟ କଢ଼େଇନେବା ସମ୍ପର୍କରେ ଏହାର ଶକ୍ତି ଅତୁଳନୀୟ ।

 

ଅଥଚ ତା’ର ବ୍ୟକ୍ତିଗତ ବିପ୍ଳବର ପରିପ୍ରକାଶ ଅନ୍ୟମାନଙ୍କ ଦୃଷ୍ଟିରେ ଗୋଟାଏ ବ୍ୟାଧି ଓ ବିପଦ ବ୍ୟତୀତ ଆଉ ଅଧିକ ବା କ’ଣ ? ଯେଉଁ ପ୍ରତିଷ୍ଠିତ ମୂଲ୍ୟବୋଧ ଓ ନିୟମର ପରିସରରୁ ହୁଗୁଳି ଯିବାପାଇଁ ସେ ଦୟନୀୟ ପ୍ରବୃତ୍ତିର ପ୍ରରୋଚନାରେ ନିଜକୁ ହଜାଇ ଦେଇଥିଲା, ସେଇ ପରିସର ଭିତରକୁ ଫେରାଇନେବା ପାଇଁ ତା’ ଗାଡ଼ିର ଦୁଇଦିଗରୁ ଅଲଙ୍ଘନୀୟ ଶକ୍ତିଟିଏ ଖୁବ୍ ଚଞ୍ଚଳ ତା’ର ନିକଟବର୍ତ୍ତୀ ହେଉଛି । ଭାବିବାପାଇଁ ଆଉ ସମୟ ନଥିଲା ମାଥୁର ହାତରେ । ଗାଡ଼ି ଅଟକାଇ, ବ୍ରିଫ୍‌କେଶ୍ ଦୁଇଟିକୁ ଧରିଲା ସମସ୍ତ ଦୃଢ଼ତାର ସହିତ । ରାସ୍ତାକଡ଼ ଅପନ୍ତରା ଭିତରକୁ ଧାଇଁଲା ସେ, ସତେଅବା ସେ ଅପନ୍ତରା ବାଟବଣା ହୋଇଥିବା ମାଥୁରର ଜିଜ୍ଞାସାକୁ ଠିକ୍‌ଭାବେ ଚିହ୍ନିପାରିଥିଲା ।

 

ପୋଲିସ୍ ହେଡ଼୍‍କ୍ଵାଟର୍ସରେ ମାଥୁରର ରକ୍ତାକ୍ତ, ଥଣ୍ଡା ଲାସ୍ ଚଟାଣ ଉପରେ ପଡ଼ିଥିଲା । କେତେଜଣ ପଦସ୍ଥ କର୍ମଚାରୀ ଅଳ୍ପସମୟ ପୂର୍ବେ ଘଟିଥିବା ରୋମାଞ୍ଚକର ଘଟଣାଟିର‌ ବିବରଣୀ ଶୁଣୁଥିଲେ ।

 

ଅନ୍ୟ ପୋଷାକରେ ଆବୃତ ନିଶହୀନ, କେଶହୀନ ମାଥୁର ଅଚିହ୍ନା ହୋଇ ପଡ଼ିଥିଲା ସମସ୍ତଙ୍କ ଦୃଷ୍ଟିରେ । ତା’ର ନିଷ୍ପନ୍ଦ ଦେହଟି ଗୋଟାଏ ରହସ୍ୟ, ଗୋଟାଏ ବିସ୍ମୟ, ଗୋଟାଏ ଜଟିଳ ପ୍ରଶ୍ନରେ ରୂପାନ୍ତରିତ ହୋଇ ପଡ଼ିରହିଥିଲା । ଗୋଟିଏ ଗୁଳି ବାଜିଛି ଛାତିରେ, ଅନ୍ୟଟି ଅଣ୍ଟାରେ । ଦୁଇମାସ ପୂର୍ବେ ଯେଉଳି ଭାବରେ ତିନିଲକ୍ଷ ଟଙ୍କା ସମେତ ନିଜକୁ ପୋଲିସ୍ ପାଖରେ ସମର୍ପଣ କରିଦେଇ ଅଭିନୟଟିକୁ ସେ ନିଖୁଣ କରିପାରିଥିଲା, ଏଥର ସେଭଳି ଘଟିନାହିଁ । ମାଥୁର ସହିତ ଗୁଳି ବିନିମୟରେ ଜଣେ ସବ୍‌ଇନିସ୍‍ପେକଟର‌ ଓ ଜଣେ ପୋଲିସ୍ ଗୁରୁତର ଆହତ ହୋଇଛନ୍ତି ।

 

କମିଶନର ମାଥୁରର ଲାସ୍ ଉପରୁ ଦୃଷ୍ଟି ଉଠାଇ ଚାହିଁଲେ ଅନ୍ୟମାନଙ୍କୁ । ପାଇପ୍‌ରୁ ପାଉଁଶ ଝାଡ଼ି କହିଲେ–ସକାଳେ ସାମ୍ବାଦିକ ସମ୍ମିଳନୀପାଇଁ ବ୍ୟବସ୍ଥା କରାଯିବ । ଆପଣମାନେ ବର୍ତ୍ତମାନ ବିଶ୍ରାମ ନେଇପାରନ୍ତି ।

 

ସେଦିନ ସନ୍ଧ୍ୟାରେ ଖବରକାଗଜଗୁଡ଼ିକ ସହରରେ ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିପାରିଲେ-। ଦୁର୍ଦ୍ଧର୍ଷ ଡକାୟତ ବୋଲି ବର୍ଣ୍ଣିତ ହୋଇଥିଲା ଗୋଟାଏ ମୃତ ଦେହର ଫଟୋ । ଅସଲ ଗ୍ୟାଙ୍ଗ୍‍ଟିକୁ ଗିରଫ୍ କରିବାରେ ଆଉ ଡେରି ହେବନି ବୋଲି କୁହାଯାଇଥିଲା । ଯଥେଷ୍ଟ ନାଟକୀୟ ଜଣାପଡ଼ୁଥିଲା ଡେଭେଲପ୍‌ମେଣ୍ଟ ବ୍ୟାଙ୍କ୍‍ରେ ଘଟିଥିବା ଡକାୟତିର ବିସ୍ତୃତ କାହାଣୀ-

 

ବାସ୍ତବିକ, ନାଟକୀୟ ନୁହେଁ କି ?

Image

 

ଶ୍ରୀ ରବିନାରାୟଣ ବରାଳ

ଆଲୋଡ଼ନ

 

ଫୁଟିଲା ଫୁଲ ଯଦି ବୁଝନ୍ତା, ଝଡ଼ିପଡ଼ିବାଟା ଅବଶ୍ୟମ୍ଭାବୀ ଫଳ ବୋଲି, ତେବେ ବୋଧହୁଏ ମୋତେ ନେ’ର ଆମନ୍ତ୍ରଣ ଜଣାଇ ଭ୍ରମରର ଗୁଞ୍ଜନ ନିକଟରେ ନିଜକୁ ଉତ୍ସର୍ଗ କରି ନଥାନ୍ତା । ଅଥଚ କ’ଣ ପାଇଲା ସେ ଏତେ ବଡ଼ ଆତ୍ମଦାନର ବିନିମୟରେ ?

 

ଏକ

 

ଅନେକ ରାତି ! ସ୍ୱପ୍ନବି ଅନେକ । ଛିଣ୍ଡା ଛିଣ୍ଡା ମିଶେଇଲେ ମିଶେନାଇଁ । ମନର ଆକାଶରେ ଶରତ୍‌ର ମେଘପରି ଭାସିବୁଲେ । କ’ଣ ସତରେ ତା’ର ମୂଲ ?

 

ନିଜକୁ ନିଜେ ଅନାଏ ଦାମିନୀ । ବଡ଼ ଝଡ଼ିଗଲାଣି ଏଇ କେଇଟା ବର୍ଷ ଭିତରେ । ଏଇ ତା’ର ଦେହ । ହାଡ଼ ଗିଜି-ଗିଜି । ଖାଲି ଚମଡ଼ାଟା ଗୋରା । ବାସ୍, ସେତିକି ! ନିଉଛୁଣା ଯୌବନଟା ଯେମିତି ବାଦ ସାଧିଲାଭଳିଆ ତା’ ଜୀବନ ଆକାଶରେ ଘଡ଼ିଟାଏ ବିଜୁଳିର ଝଲକ ଖେଳାଇ କେଉଁଆଡ଼େ କେମିତି ଅପସରି ଯାଇଛି । ସିଏ ଯେ ସତରେ କେବେ ଆସିଥିଲା, ଆଜି ଆଉ ନିଜକୁ ଦେଖି ସେ କଥା ଦାମିନୀର ମନେ ହୁଏ ନାହିଁ । ହେଲେ, ଜୀବନର ଧରାବନ୍ଧା ରାସ୍ତାରେ ଯାଉ ଯାଉ ନିଜକୁ ଏମିତି ଦୟନୀୟଭାବରେ ଦେଖି ଗୋଟାଏ ଅନୁଶୋଚନାର ଘୂର୍ଣ୍ଣି ଭିତରେ ଶୁଷ୍କ ପତ୍ର ପରି ଉଡ଼ିଯିବା ପାଇଁ ଚାହୁଁଥିଲା କାହିଁକି ? କ’ଣ ଲାଭ ?

 

କ୍ଷତିଟା ବା କ’ଣ ଯେ ? ଏତେଗୁଡ଼ାଏ ବର୍ଷର ଅତିକ୍ରାନ୍ତ ଜୀବନର ହିସାବ ଖାତାଟାକୁ ଖୋଲିଧରି ଆୟ-ବ୍ୟୟଟା ଉପରେ ସଜାଗ ଦୃଷ୍ଟି ପକାଇବା କ’ଣ ଏତେ ବଡ଼ ଅପରାଧ ?

 

ଅନେକ ଦିନ ତଳର ନିଭିଲା ଦିନ ଭିତରୁ ନିଜକୁ ଖୋଜିଲା ଦାମିନୀ । ସେଦିନ କ’ଣ ସେ ଆଜିଭଳି ଏତେ କରୁଣ, ବିଶୀର୍ଣ୍ଣା ଥିଲା ? ନୁହେଁ ତ ପ୍ରଜାପତି ପରି ଦେହରେ ରଙ୍ଗବେରଙ୍ଗର ଡେଣା ଲଗେଇ ବେଶ୍ ନିଶ୍ଚିନ୍ତରେ ଉଡ଼ି ବୁଲିଲାବେଳେ ସେ କ’ଣ ଅନାଗତକାଳର ଆଶଙ୍କାରେ ସଙ୍କୁଚିତ ହୋଇ ଉଠୁଥିଲା ? ଇଏ ତ ସତ, ଫୁଲଟିଏ ପରି ଆପଣାର ବୃନ୍ତଶୀର୍ଷରେ ବିକଶି ଘଡ଼ିକପାଇଁ ପବନର ଦୋଳାରେ ଦୋଳି ଖେଳି ସେ ଯେମିତି ଲଜ୍ଜାସିକ୍ତ ଅଙ୍ଗଭଙ୍ଗୀରେ ଅପରକୁ ପ୍ରଲୁବ୍‍ଧ କରିଥିଲା । ଫୁଟିଲା ଫୁଲ ଯଦି ବୁଝନ୍ତା, ଝଡ଼ିପଡ଼ିବାଟା ଅବଶ୍ୟମ୍ଭାବୀ ଫଳ ବୋଲି, ତେବେ ବୋଧହୁଏ ‘ମୋତେ ନେ ମୋତେ ନେ’ର ଆମନ୍ତ୍ରଣ ଜଣାଇ ଭ୍ରମରର ଗୁଞ୍ଜନ’ ନିକଟରେ ନିଜକୁ ଉତ୍ସର୍ଗ କରି ନଥାନ୍ତା । ଅଥଚ କ’ଣ ପାଇଲା ସେ ଏତେ ବଡ଼ ଆତ୍ମଦାନର ବିନିମୟରେ ?

 

ସମ୍ଭବତଃ ଫୁଲ କେବେ ଏ କଥା ତା’ ମନରେ ବିଚାର କରିନାହିଁ । ସମୁଦ୍ରର ଲବଣାକ୍ତ ଜଳରାଶି ଭିତରେ ନିଜକୁ ଉତ୍ସର୍ଗ କରି ନ ଦେଇ ନଦୀ ଯଦି ଆପଣାର ସ୍ଵାତନ୍ତ୍ର୍ୟ ମଧୁରତାକୁ ଧରି ରଖିବାପାଇଁ ଚାହିଁଥାଆନ୍ତା, ତେବେ ସେ ବାଟରେ କେଉଁଠି କେଜାଣି, ନିହାତି ଅଜଣା-ଅଶୁଣାଭାବରେ ନିଃଶେଷ ହୋଇଯାଇଥାଆନ୍ତା । ନଦୀ ବୋଲି ତା’ର ପରିଚୟ ସେ ଦେଇପାରନ୍ତା କେମିତି ? ଦାମିନୀର ସେଇ ଅତୀତ ଦିନର ଅସୁମାରି କଳ୍ପନାର ଆବେଗ ହୁଏତ ବାସ୍ତବତାର ନିଷ୍ଠୁର ବିପର୍ଯ୍ୟସ୍ତତାର ସମ୍ମୁଖୀନ ହୋଇ ଚୂର୍ଣ୍ଣ-ବିଚୂର୍ଣ୍ଣ ହୋଇଯାଇଛି । ସେ ରାତି ନାହିଁ, ସ୍ଵପ୍ନ ନାହିଁବି-। ସେଦିନର ସେଇ ମଧୁର ସମ୍ଭାବନା ଆଜିକାର ଘୃଣ୍ୟ ଶୀତାର୍ତ୍ତ କୁହୁଡ଼ିପହଁରା ଭିତରେ କେଉଁଠି ଯାଇଅଟକି ଯାଇଛି କେଜାଣି, ଜୀବନ ନଟେଇରୁ ଅଡ଼ୁଆସୂତା ଭିତରୁ ଖିଅଟାକୁ ଖୋଜି ପାଇବାପାଇଁ ଯେତେ ଚେଷ୍ଟାକଲେବି ଆଜି ଦାମିନୀ ବୁଝୁଛି, ତାହା ନାହିଁ । କେବଳ ନାହିଁ ନୁହେଁ, ବୋଧହୁଏ ଆଉଥରେ ସେଇ ମଧୁରତା ନେଇ ତାହା ଦେଖାଦେବନାହିଁ ।

 

ତେବେ ?

 

ଅନେକ ଦିନ ତଳର ଅତୀତ । ତା’ର ମଧୁର ପ୍ରୀତିପ୍ରଦ ଉତ୍ତାପ ଏବେବି ବେଳେବେଳେ ମନକୁ ଛୁଏଁ; ଆଜି ନ ହେଲା, ଅତିକ୍ରାନ୍ତ ସମୟରେ ସ୍ରୋତରେ ବାଲିଗରଡ଼ାପରି ତା’ର ଉନ୍ମାଦ ବନ୍ଧୁରତାକୁ ହରାଇ ସେ ଚିକ୍କଣ ଶିଳାରେ ପରିଣତ ହୋଇଯାଇଛି । ଏ ଦେହରେ ଅଭିଜ୍ଞତାର ସ୍ପର୍ଶ ଅଛି, ହେଲେ ଏ ଗଡ଼ଗଡ଼ା ପଥରଦେହରେ ରହିଯିବାର ଶିଉଳି ଯେମିତି ଲାଗିପାରିନାହିଁ । ବେଳେବେଳେ ମନ ହେଉଛି, ଅଭିଜ୍ଞତାର ସାଉଣ୍ଟା ଚାଙ୍ଗୁଡ଼ି ଭିତରେ ସେ ଅତୀତଟାକୁ ମାଡ଼ିମକଚି ଏକାବେଳକେ ତଳେ ରଖିଦିଅନ୍ତା । ହେଲେ, ବାସ୍ତବଜୀବନରେ ଏଇ ଯେଉଁ କ୍ରୂର ଆଲୋଡ଼ନ–ତାକୁ ସେ ଅଟକାଇ ପାରିବ କେମିତି ?

 

ବାପଘର । ଅନେକ ପ୍ରୀତି, ଅନେକ ମାଦକତା-ଭରା ସେ ସ୍ମୃତି । ଗୋଟାଏ ସହଜ ବାଧାହୀନ ପ୍ରକାଶ । କେତେ ହସ, କେତେ ଅନୁଭୂତିର ବିଚିତ୍ର ସ୍ଵାକ୍ଷର ସେ ସ୍ମୃତିରେ । ଜାଣେ ଅନେକ ଦୁର୍ଲଭ ସେ ଦିନର ଅନୁଭୂତିକୁ ଆପଣାର ପରିସୀମା ଭିତରେ ସାଇତି ରଖିବାର ଚେଷ୍ଟାକରିବା–ତେବେବି ରୋମନ୍ଥନ–ତାକୁ କ’ଣ ଅସ୍ଵୀକାର କରିହୁଏ ? ଏଇ ଦାମିନୀ–ବୟସର ଗୁରୁଭାରରେ ନଇଁପଡ଼ିଥିବା ସ୍ଵାସ୍ଥ୍ୟହୀନା ଉତ୍ତରତିରିଶା–ବାସ୍ତବର ନିଷ୍ପେଷଣ ଭିତରେ ତାକୁ ଜାବୁଡ଼ି ଧରି ରଖିବାପାଇଁ ଆପ୍ରାଣ ଭ୍ରାନ୍ତ ଚେଷ୍ଟା କରୁଛି କାହିଁକି, କିଏ ଜାଣେ ?

 

ମନେପଡ଼ୁଛି ଦାମିନୀର ସେଦିନର କଥା । ଘରର ବାସିପାଇଟି କରୁ କରୁ ବେଳେବେଳେ ବୋଉ ବ୍ୟସ୍ତହୋଇ କହୁଥିଲା, ଆଲୋ, ଏମିତି କ’ଣ ସବୁଦିନ ଡେଉଁଥିବୁ । ମୋ ଛୋଟକୁହା ମାନ, ପାଞ୍ଚପାଇଟି ନ ଶିଖିଲେ କେହି ପଚାରିବେନି । ସେତେବେଳେ ନେଡ଼ି ପିଠିରେ ଲୁହ ପୋଛୁଥିବୁ ସିନା ।’’ ଆଉ ବୋଉର ଏଇ ଦାଇକାଦିଆ କଥାକୁ ଖାତିରି ନଥିଲାଭଳି ହସରେ ଉଡ଼େଇଦେଇ ଦାମିନୀ କହୁଥିଲା, ‘‘ମୋର କୋଉ ଗରଜ ପଡ଼ିଛି ଯେ ଯିବି ପରଘରେ ପାଞ୍ଚପାଇଟି କରିବାକୁ ।’’ –ଗରଜ ଦାମିନୀର ନଥିଲା ଯଦି, ତେବେ ଆଜି, ବାପ-ମା’ର ଏତେଦୂରରେ ଏମିତି ନିଉଛୁଣା ଜୀବନ କଟଉ କଟଉ ଦାମିନୀ ସେଦିନର କଥାପଦିକ ମନରେ ପକେଇ ଆଖିରେ ଡବଡ଼ବ ହେଉଥିବା ଲୁହ କେଇଠୋପା ଚିଡ଼ି ପକାନ୍ତା କାହିଁକି ? ଏଇ ପୋଡ଼ପାଡ଼ ଆଖିରେ ପୁଣି ଏତେ ପାଣି ! ଅତୀତ ତାହାହେଲେ ଚାଲିଯାଏ ନାହିଁ । ହଜିଗଲା, ଚାଲିଗଲା, ଚାଲିଗଲା ପରି ମନେ ହେଲେବି ବକଳାବନ୍ଧା ଘା’ର ଖୋଳପା ତଳେ ଘା’ର ସତ୍ତା ରହିଲାପରି ରହିଯାଏ ।

 

ଗୋଟାଏ ଚିହ୍ନ ।

 

ହେଲେ ଆଜି ?

 

ଅନେକ ଜଞ୍ଜାଳ–ଅନେକ ଦହନ । ଯେତେ ପୋଛିପାଛି ଦେବାପାଇଁ ସେ ଚାହୁଁଛି, ସେତିକି ଯେମିତି ଭୟଙ୍କର, ବିକଟାଳ ହୋଇ ତା’ର ଚାରିପାଖରେ ଘେରିଯାଉଛି । ସକାଳୁ ଉଠି ରାତିଅଧଯାଏ ତର ନାହିଁ । ସମସ୍ତେ ଯେମିତି ଅନେଇ ବସିଛନ୍ତି ଏଇ ଦାମିନୀକୁ । ହେଲେ ସେ ବି ତ ମଣିଷ । ତା’ ଦେହରେବି ତ କ୍ଳାନ୍ତ ବସା ବାନ୍ଧେ । ଗଲାଅଇଲା ଲୋକଙ୍କ ଆଖିରେ ପଡ଼ୁଛି, ସେମାନଙ୍କ ମନ ବିକଳରେ ତରଳି ପଡ଼ୁଛି, ହେଲେ ତା’ର ଅତି ଆପଣାର ସେ କ’ଣ ଦେଖିପାରନ୍ତି ନା ଦେଖନ୍ତିନି ।

 

ଏମିତି ତ ନଥିଲେ । ଦେହରୁ ଝାଳ ଠୋପାଏ ବୋହୁଥିଲେ ତାଙ୍କ ଦେହରୁ ରକତ ଠୋପାଏ ବୋହିପଡ଼ୁଥିଲା ଯେମିତି । ଶାଶୁଘର ଗଞ୍ଜଣା ଭିତରେ ମନ ଯେତେବେଳେ ପୋଡ଼ି ଅଙ୍ଗାର ହୋଇଯାଉଥିଲା, ସେତେବେଳେ ଦିନର ଆଲୁଅରେ ନହେଲେ ନ ହେଉ ପଛକେ, ରାତିର କଳା-ମିଚିମିଚି ଅନ୍ଧାର ଭିତରେ ସେଇ, କ’ଣ କାମନାର ନିଆଁ, ଆଶାର ଆଲୋକ ଜଳାଇ ଦେଉ ନଥିଲେ ? ପ୍ରତୀକ୍ଷିତ ଏକ ମଧ୍ୟରାତ୍ରିର ଆନନ୍ଦ-ବିଜଡ଼ିତ ମୁହୂର୍ତ୍ତର ଆବେଗମତ୍ତତା ପାଇଁ ଗୋଟାଏ ଯନ୍ତ୍ରଣା ଜର୍ଜରିତ ଦିବସର କର୍ମବ୍ୟସ୍ତତାକୁ କ’ଣ ସେ ହସଖୁସିର ସହିତ ଗ୍ରହଣ କରିନେଇ ନଥିଲା-?

 

ମିଛ ତ ନୁହେଁ ।

 

ବାହାରର ଲୋକେ ବାହାରଟାହିଁ ଦେଖନ୍ତି । ମନ ଭିତରର ଗହିରିଆ କ୍ଷେତଆଡ଼କୁ ସେମାନେ ଦୃଷ୍ଟି ଦିଅନ୍ତିନାହିଁ । ବାପା ବାହାଦେଇ କହିଥିଲେ, ମିନି, ମନଦୁଃଖ କରିବୁ ନାହିଁ । ଝିଅ ଜନମ କରି କେହି ଘରେ ଅଟକେଇ ରଖନ୍ତିନି । ଅନେକ ଖୋଜି ଲୋଡ଼ି ମୁଁ ଜ୍ଵାଇଁ ପାଇଛି । ଝିଅ ମୋର ସୁଖରେ ରହିବ ।

 

ରହିଛି ତ ।

 

“ଲୋକେ ତାଙ୍କର ପ୍ରଶଂସା କରନ୍ତି । କ’ଣ ଦେଖି କେଜାଣି ? ମୋର ଏହି ଦହଗଞ୍ଜିଆ ମନ ଆଉ ଅଭିଜ୍ଞତାର ଆଖି ନେଇ ଯଦି ଦେଖନ୍ତେ, ତେବେ ସିନା ହୁଅନ୍ତା ।’’

 

ଦିନକୁଦିନ ସେ କେମିତି ବଦଳି ଯାଉଛନ୍ତି । ସବୁବେଳେ ରଗରଗ, ସଁ ସଁ । ଘର–ଶାଶୁଘର । ବୋଉ କହୁଥିଲା ଏଇ କୁଆଡ଼େ ମାଇକିନିଆ ଝିଅର ସାତ ରାଇଜର ମାଣିକ ବୋଲି । ଏଇଟା ବୋଉର ବିଚାର । ଦିନସାରା ବାହାରେ, କ’ଣ କରନ୍ତି କେଜାଣି ? ଘରକୁ ଆସିଲେ ୟା ଉପରେ, ତା’ ଉପରେ ପାଟିତୁଣ୍ଡ । ପିଲାଗୁଡ଼ାକ ଡରିଡ଼ରି କେଞ୍ଚୁଆ ପାଲଟିଗଲେଣି । ବାପ ନାଁ ଯମ ! ତମେ ବାହାରେ ଖଟୁଛ ବୋଲି କ’ଣ ପିଲାଗୁଡ଼ାକ ସେଥିକି ଲଗା ?

 

ଛି ଛି ।

 

ଅଥବା ଦେହ ମହଳଣ ପଡ଼ିଲାଣି । ଜ୍ୟୋତି ନାହିଁ । ମନକୁ ଭୁଲାଇଲା ଭଳି ବିଭବ ଏଇ ଦେହଟାର ନାହିଁ ବୋଲି ବୋଧହୁଏ । ଏଇ ଦେହଟାର ପ୍ରତି ମମତା ଏକାବେଳକେ ତୁଟିଗଲାଣି ।

 

ଦାମିନୀ କୋଳର ଛୁଆଟାକୁ ଆଉ ଟିକିଏ ପାଖକୁ ଆଉଜେଇ ଆଣିଲା । ରାତିଅଧ । ଏତେବେଳଯାଏ ଫେରିନାହାନ୍ତି । କ’ଣ କରୁଛନ୍ତି କେଜାଣି ! ସେଇ ମଣିଷ । ହସହସ । ହେଲେ–

 

ଦୁଇ

 

‘‘ଫୋର୍ ନୋ ଟ୍ରାପ୍‌ସ୍ ।”

 

ଜଳଧର ମୁହଁଟେକି ଅନେଇଲେ । ପ୍ରଫୁଲ୍ଲବାବୁ ତାଙ୍କ ଆଡ଼କୁ ହସହସ ମୁହଁରେ ଚାହିଁ ରହିଛନ୍ତି ।

 

ପୋଖତ ଖେଳାଳି । ଅନେକ ଡାକଦେଇ ସେ ଏଇଠି ପହଞ୍ଚିଛନ୍ତି । କ’ଣ କହିବେ ଜଳଧର ?

 

“ଫାଇବ୍ କ୍ଳବ୍‍ସ୍ ।’’ ଲଜ୍ଜିତ ଭାବରେ ଏତକ କହି ଜଳଧର ମଥା ନତକଲେ । ଯେମିତି ହାତରେ ଟିକା ନଥିବାଟା ତାଙ୍କର ଅପରାଧ । ଆଜି ଯଦି ଟିକାଟା ତାଙ୍କ ପାଖରେ ଥାଆନ୍ତା ?

 

ଯଦି ?

 

ଜଳଧର କିନ୍ତୁ କେବେହେଲେ ଏଇ ‘ଯଦି, ଉପରେ ବିଶ୍ଵାସ ରଖିପାରିନାହାନ୍ତି । ଜୀବନର ପ୍ରତିକ୍ଷେତ୍ରରେ ଯେଉଁଠି ସେ ‘ଯଦି’ ଉପରେ ଭରସାରଖି ଆଗେଇ ଯାଇଛନ୍ତି,

 

ସେଇଠି ସେ ଦୁର୍ଭାଗ୍ୟ ହାତରେ ଗୋଟାଏ କଂସ-କଚଡ଼ା ଖାଇଛନ୍ତି । ଟିକା ତାଙ୍କ ପାଖରେ ନାହିଁ । ଫାଇବ୍ କ୍ଳବ୍‍ସ୍ କହିବାପାଇଁ ତେବେ ଏତେ ବ୍ୟଥାବୋଧ କାହିଁକି ? ଯେଉଁ ସତ୍ୟର ସମ୍ମୁଖୀନ ହେବାକୁ ହେବ, ତାହା ଯେତେ ନିଷ୍ଠୁର ହେଲେବି ତା’ଠାରୁ ଦୂରରେ ରହି ଲାଭ ନାହିଁ । ହଠାତ୍ କେମିତି ଜଳଧରଙ୍କର ମନେହେଲା ।

 

ବଞ୍ଚନାଠାରୁ ବ୍ୟର୍ଥତା ବୋଧହୁଏ ଭଲ ।

 

ଆଜି କହିବାପାଇଁ ଜଳଧରଙ୍କର କାର୍ପଣ୍ୟ ନାହିଁ ଯେ ତାଙ୍କର ମନର ଆକାଶରେ ଦିନେ ଇନ୍ଦ୍ରଧନୁର ସାତରଙ୍ଗ ଝଲସି ଉଠିଥିଲା । ସିଏ ଗୋଟିଏ ସ୍ଵପ୍ନ । ସ୍ଵପ୍ନ ନୁହେଁ ତ ଆଉ କ’ଣ ? ଯାହା ଜୀବନରେ ସମ୍ଭବିବ ନାହିଁ, ସେମିତି ଗୋଟାଏ ଅସମ୍ଭବର ସେ ଅନୁଧାବନ କରୁଥିଲେ କାହିଁକି ? ଦରିଦ୍ର ନିରାକାର ଅନେକ ସନ୍ତାନ ଭିତରୁ ଗୋଟାଏ ଗୁଣଗାରିମାହୀନ ପିଲା ସେ, ଯାହାର ଆଗମନର ଶଙ୍ଖରୋଳ ପ୍ରତିବେଶୀଙ୍କ ଚମତ୍କାର କରି ନଥିଲା । ସେ ଜୀବନର ବିକାଶରେ କମ୍ପନ ନଥିଲା, ସମ୍ଭାବନା ନଥିଲା–ଥିଲା କେବଳ ଗୋଟାଏ ନୈମିତ୍ତିକ ଗତି–ନିହାତି ସ୍ଵାଭାବିକ, ବିଛନ୍ଦ; ଗତାନୁଗତିକ ଗୋଟାଏ ଜୀବନଧାରା । ମଣିଷ ତ ନୁହନ୍ତି ଜଳଧର–ଗୋଟାଏ ଅନାବନା ଘାସବୁଦା-। ପାଣି ସୁଅରେ ପଡ଼ି ଭାସି ଯାଉ ଯାଉ କେଉଁଠି କେବଳ କେମିତି ଅଟକି ରହିଛନ୍ତି; ମାତ୍ର ଜାଣନ୍ତି, ଏଇ ଅଟକିଯିବାର ଗୋଟାଏ ନିଶ୍ଚିତ ସମ୍ଭାବନା ତାଙ୍କ ଜୀବନରେ ନାହିଁ । ଏଣୁ ନଦୀତଟର ମାଟିର ମାୟା ତାଙ୍କୁ ଯେ ବେଳେବେଳେ ପ୍ରଲୁବ୍‌ଧ କରି ନାହିଁ, ତାହା ନୁହ, ହେଲେ ଠାକିଯିବାର ଦୃଢ଼ତା ତାଙ୍କ ନିକଟରେ କାହିଁ ?

 

ଆଜି ମେଘମାଳା କେଉଁଠି ? କ’ଣ କରୁଥିବ ? ବୋଧହୁଏ ଆପଣାର ହସଖୁସିର ସଂସାର ଭିତରେ ପ୍ରତିଷ୍ଠିତା ମେଘମାଳା ଏତେବେଳେ ତା’ର ପ୍ରିୟତମର ସ୍ପର୍ଶ ସାନ୍ନିଧ୍ୟ ପାଇ ଆନନ୍ଦର ଆବେଗରେ ସେଦିନ ପରି ବିଚିତ୍ର ରାଗିଣୀ ଢୋଳୁଥିବ–ଏଇ ରାଗିଣୀର ମାଦକତା ତ ଏଯାଏଁ ଜଳଧର ଭୁଲି ପାରିନାହାନ୍ତି । ମାଳାର ସେଇ ଲଳିତ କଣ୍ଠ–ଗାନରତ ମୁହୂର୍ତ୍ତର ସେଇ ବିଚିତ୍ର ଅଙ୍ଗକାନ୍ତି–ତନୁପାତଳ ଦେହଲତାଟିର ସେଇ ସୁନା ଖଡ଼ିକାର ଜ୍ୟୋତି–ଆଃ, ଜଳଧର ନିଜକୁ ଭୁଲି ଯାଇଥିଲେ ଯେମିତି l ମାଳାକୁ ଚାହିଁଥିଲେ ପାଇଥାନ୍ତେ ହୁଏତ । ଜଳଧର କ’ଣ ମାଳାକୁ ପାଇବାପାଇଁ ଚାହିଁ ନଥିଲେ ? ନା, ମାଳା ତାଙ୍କର ନୁହେଁ । ସେଇ ଅତୀତ ଜୀବନର ସ୍ଵପ୍ନଚାରିଣୀ ବାସ୍ତବର ଚୋରାବାଲି ଉପରେ ପଦପାତ କରି କେଉଁଠି ଲୁଚିଗଲା କେଜାଣି ? ସେ ଆଜିବି କ’ଣ ସେଇମିତି ସଙ୍ଗୀତର ଉଚ୍ଛ୍ଵାସ ଭିତରେ ଭାସି ବୁଲୁଥିବ ? ହେଲେ କ’ଣ ଲାଭ ଜଳଧରଙ୍କର ?

 

ଅଭିଜ୍ଞ ଜଳଧର । ଆଗାମୀକାଲି ବଞ୍ଚି ରହିବାପାଇଁ ସେ ବାର୍ଦ୍ଧକ୍ୟ ସହିତ ଏକ ପ୍ରକାର ସାଲିସ୍ କରିନେଲେଣି । କେବେ ଥରେ ଅତୀତ ଜୀବନରେ ତାଙ୍କ ମନର ଭଲପାଇବା ବର୍ଣ୍ଣାଢ଼୍ୟ ଦ୍ୟୁତି ନେଇ ପ୍ରତିଭାତ ହୋଇଥିଲା ବୋଲି ଆଜି ତାକୁହିଁ ପୁଞ୍ଜିକରି ସେ ଜୀବନର ବ୍ୟବସାୟ କରିବାପାଇଁ ଚାହାନ୍ତିନି । ସଂସାରର ମାଡ଼ ଖାଇ ଖାଇ କଇଁଛ ପାଲଟି ଯାଇଥିବା ଜଳଧର ଜାଣନ୍ତି, ଶୂନ୍ୟପୁଞ୍ଜିରୁ ପ୍ରାସାଦ ତିଆରି କରିବା ତାଙ୍କର କଳ୍ପନାର ବାହାରେ । କ’ଣ ଲାଭ ଏ କୁହୁଡ଼ି ପହଁରାରେ ? ମେଘମାଳାର ଚିନ୍ତା ତାଙ୍କର ଏ ବୟସରେ ପାପ । ସଂସ୍କାର ଆଖିରେ ବ୍ୟଭିଚାର-। ଲୋକଙ୍କ ଆଖିରେ ନୀତିବାଦୀ ଜଳଧର ଅନାଦର୍ଶର ଅନୁଧାବନ କରି ନ ପାରନ୍ତି-। ଲୋକରୁଚି ନିକଟରେ ବ୍ୟକ୍ତିର ଲାଳସା–ତା’ର ଦାମ୍ କେତେ ?

 

ଜଳଧରଙ୍କ ଜୀବନର ଏକଦାକାଂକ୍ଷିତା ମେଘମାଳା ତାଙ୍କ ନିକଟରେ ଆଜି ସତ୍ୟ ହୋଇନାହିଁ । ନୀଳ ଆକାଶର ଛାତିରେ ମେଘଖଣ୍ଡ ବିଚିତ୍ର କାନ୍ତି ସୃଷ୍ଟି କଲେବି ଆକାଶର ନୀଳିମାଟାହିଁ କେବଳ ସତ୍ୟ । ମେଘ ତ ନୁହେଁ ।

 

ଜଳଧରଙ୍କର ହାତରେ ଟିକା ନାହିଁ ।

 

ନଥାଉ । ପୂର୍ଣ୍ଣତା ସିନା ଜୀବନର କାମନା–ମାତ୍ର ପୂର୍ଣ୍ଣତା କ’ଣ ଜୀବନରେ ଆସେ ? ତେବେ ମେଘମାଳାର ଅନୁପସ୍ଥିତି ଜଳଧରଙ୍କୁ ବିବ୍ରତ କରିବ କାହିଁକି ? ବିବେକୀ ଜଳଧର–ଯାହା ପାଇଲେ ନାହିଁ, ସେଥିଲାଗି ନୈରାଶ୍ୟର ଅଶ୍ରୁ, ବିମୁଞ୍ଚନ କରିବାଠାରୁ ଯାହା ପାଇଲେ, ସେଥିପାଇଁ ଆନନ୍ଦଲାଭ କରିବା ଶ୍ରେୟସ୍କର ମନେକରନ୍ତି ।

 

ସାମାନ୍ୟ ଚାକିରିଜୀବୀ ଜଳଧର । ବାସ୍ତବତା-ସମ୍ପୁଟ ସୀମିତ । ଅତୀତକୁ ଫେରିଚାହିଁବା ପାଇଁ ଆଉ ଅବକାଶ ନାହିଁ । ଭବିଷ୍ୟତ-ଅନ୍ଧାର ଭିତରେ ହଜିଯିବାଟାକୁ ସେ କଳ୍ପନାବି କରନ୍ତିନି । ଜୀବନର ପରିପ୍ରେକ୍ଷୀରେ ସର୍ବୋତ୍ତମ ହେବାର ଅସମ୍ଭବ ଆଶା ଯେମିତି ତାଙ୍କର ନାହିଁ, ସେମିତି ହଜିଯିବାର ଆଶଙ୍କା ଭିତରେ ଜର୍ଜରିତ ହେବାର ଧାରଣାବି ନାହିଁ । ସେ ବୋଧହୁଏ ବୁଝନ୍ତି, ପାଇବାଟା ସତ ନୁହେଁ, ହେଲେ ପାଇବାପାଇଁ ଅନୁଧାବନରତ ରହିବାଟିହିଁ ପୁରୁଷକାର ।

 

ସେ ତାହାରି ଅର୍ଚ୍ଚନା କରନ୍ତି ।

 

ତେବେବି, ଜଳଧରଙ୍କର ମନେହେଉଛି, ପ୍ରଫୁଲ୍ଲବାବୁଙ୍କର ଖୋଜୁଥିବା ଟିକାଟା ଯଦି ତାଙ୍କ ପାଖରେ ଥାଆନ୍ତା ?

 

ପୁଣି ଯଦି ?

 

କ’ଣ କରୁଥିବ ଦାମିନୀ ? ବିଚାରି ! ଛୁଆପିଲାଙ୍କ ଜଞ୍ଜାଳ ଭିତରେ ପଡ଼ି ବାହାରପୃଥିବୀ ଦେଖିବାର ସୁଯୋଗ ହରାଇ ବସିଲାଣି । ଜମା ପନ୍ଦରଟା ବର୍ଷର ଘରକରଣା । ଇଆରି ଭିତରେ ତା’ରି ଦେହଟାକୁ ନିଗିଡ଼ାନିଗିଡ଼ି କରି ଜନ୍ମ ପରିଗ୍ରହ କରିଛନ୍ତି କେଇଟା ମଣିଷଛୁଆ–ଭବିଷ୍ୟତରେ ମଣିଷ ହୋଇ ପ୍ରତିଷ୍ଠା ଲାଭ କରିବାର ଦାବି ରଖୁଛନ୍ତି ବୋଲି ପ୍ରଥମରୁ ଦାମିନୀ ଉପରେ ଆପଣାର ଦାବି ସାବ୍ୟସ୍ତ କରି ନେଇଛନ୍ତି । ଆଉ ଦାମିନୀ–ସେଇମାନଙ୍କର ଦାବିର, ଦାନ ଦେବାପାଇଁ କାର୍ପଣ୍ୟ ଜମା କରିନାହିଁ ।

 

ହୁଏତ ଆଜି ତା’ର ଦେହର କାନ୍ତି ନାହିଁ । କିମ୍ବା ହୁଏତ ଜଳଧର ଅନୁଧାବନ ହେତୁ, କିମ୍ବା ବାରମ୍ବାର ଦେଖୁଥିବା ହେତୁ ତାହାର ଉପଲବ୍ଧି କରିପାରୁନାହାନ୍ତି ।

 

କହିବେ କି ? ପ୍ରଫୁଲ୍ଲବାବୁ, ମୋ ପାଖରେ ତମ ଦରକାରୀ ଟିକାଟା ସିନା ନାହିଁ, ହେଲେ ସତକୁସତ ଟିକା ଅଛି । ‘‘ଫାଇନ୍ ଡାଇମଣ୍ଡ୍‍ସ୍ ।’’

 

ଜଳଧର ଉଠିଲେ । ଆଉ ଡେରି କରିବା ଉଚିତ ହେଉନାହିଁ । ହାତରେ ଧରିଥିବା ନାଲିପାନ ବିବିର ମୁହଁ ଯେମିତି କିଛି କହିବାପାଇଁ ଚାହୁଁଛି । ଆରେ, ହସୁଛି । ଏଇ ହସ ତ ତାଙ୍କର ଭାରି ପରିଚିତ । ଗତ ପନ୍ଦରବର୍ଷ ଧରି ନାନା ଅବକାଶରେ ଏଇ ହସ ସେ ଦେଖି ଆସିଛନ୍ତି । ମାଳାର ? ନା । ଏ ହସ ଦାମିନୀର !

 

ତିନି

 

“ଆରେ କବାଟ ଖୋଲ ।’’

ଭିତରୁ କିଛି ଉତ୍ତର ଶୁଣାଗଲାନାହିଁ ।

ଜଳଧରଙ୍କର କଣ୍ଠର ଉତ୍ତାପ ଯେମିତି ଟିକିଏ ବଢ଼ିଗଲା । ନୀଲୁ, ଏକ ନାଲୁଆ, କିରେ କବାଟ ଖୋଲ ।

‘‘ରାତି ଆସି ବାରଟା ହେଲାଣି । ମେଞ୍ଚଡ଼ ଛୁଆଗୁଡ଼ାକ କେତେବେଳଯାଏ ଆଉ ଚେଇଁ ରହିବେ ଯେ ।’’ ଗରଗର ହୋଇ ଦାମିନୀ କହୁଛି ।

ଜଳଧର ପାଟି ବଢ଼େଇଲେ ନାହିଁ । ରାତି ବାରଟାର ଏଇ ନିର୍ଜନ ସହର । କୋଉଠି ଯେମିତି କାନପାରି ବସିଛି, ଜଳଧର କ’ଣ କହିଲେ, ତା’ର ଗୋଟାଏ ପ୍ରତିଧ୍ୱନି ତୋଳିବ । କବାଟ ଫିଟିଲା ।

ଆଗରେ ଠିଆ ହୋଇଚି ଦାମିନୀ । ନିଦ୍ରାଭୀରୁ । ଅନେକ ଥର ଦୃଷ୍ଟା–ତଥାପି ଦେଖିବାର ଗୋଟାଏ ମାଦକତା ଅଛି । କାହାପାଇଁ ? ଦେହର ? ମନର ? ଅଥବା ଜୀବନର ଯାହା ସତ୍ୟ, ସେତକକୁ ସର୍ବାନ୍ତଃକରଣରେ ଗ୍ରହଣ କରାଯିବାର ଆନନ୍ଦ-ବୋଧର ?

ଜଳଧର ଘର ଭିତରକୁ ଗଲେ ।

Image

 

ଶ୍ରୀ ନିମାଇଁ ପଟ୍ଟନାୟକ

ଅନ୍ୟ ପିଙ୍ଗଳକ ଅନ୍ୟ ସଂଜୀବକ

 

ମହତ ଲୋକର ମହନୀୟତା ତା’ ନିଜ ଦେଶରେ କେହି ବୁଝିପାରନ୍ତି ନାହିଁ, ଯେପରି ମାତା ନିଜ ପୁତ୍ରର ଦେବତ୍ଵ ସ୍ଵୀକାର କରେନାହିଁ ।

 

ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆମ୍ଭଙ୍କୁ ଶାସନ କରିବ । ଏହା କେବଳ ଉଚିତ ହେବନାହିଁ ନୁହେଁ, ଗର୍ହିତ ହେବ ବୋଲି କେତେକ ଉଚ୍ଚପଦସ୍ଥ ଓ ନେତୃସ୍ଥାନୀୟ ବ୍ୟକ୍ତି ଆମ୍ଭଙ୍କୁ ସମୟ ବିଶେଷରେ କହି ଆସିଛନ୍ତି ।

 

ସେଦିନ ସନ୍ଧ୍ୟାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କଲେ ଏବଂ ସେ ସମ୍ବାଦ କିୟତ୍‍କ୍ଷଣ ମଧ୍ୟରେ ଚତୁର୍ଦ୍ଦିଗ ବ୍ୟାପିଯାଇଥିଲା ।

 

ସେତେବେଳକୁ ତାଙ୍କ ପାଖରେ ତାଙ୍କ ପରିବାରର କେହି ନଥିଲେ ।

 

ତାଙ୍କର ଶେଷ ଦର୍ଶନ ନିମିତ୍ତ ତତ୍ରତ୍ୟ ତାଙ୍କର ଦୂର ସମ୍ପର୍କୀୟ ଶ୍ରୀ ପିଙ୍ଗଳକ, ଉପାଧିପ ଶ୍ରୀ ସଂଜୀବକ, ଉଲ୍ଲୁକ ପ୍ରବର ଶ୍ରୀ ସ୍ଥୂଳକାୟ, ତସ୍ୟ ବନ୍ଧୁ ଶ୍ରୀ କୃଷ୍ଣକାୟ, ଶୃଗାଳକୁଳୋଦ୍ଭବ ଶ୍ରୀ ଓ ଶ୍ରୀମତୀ କରଟକ ଏବଂ ଶ୍ରୀ ଓ ଶ୍ରୀମତୀ ଦମନକ ପ୍ରମୁଖ ଉପସ୍ଥିତ ହୋଇଥିଲେ । ରାଜା କଣ୍ଠୀରବଙ୍କର ଆକସ୍ମିକ ବିୟୋଗ ସମସ୍ତଙ୍କୁ ବିସ୍ମୟ ବିମୂଢ଼ କରି ଦେଇଥିଲା ।

 

ସେଦିନ ସନ୍ଧ୍ୟାପରେ ସମଗ୍ର ବନଭୂମି ଥିଲା ଶାନ୍ତ ଓ ସ୍ତବ୍ଧ । ନୀରବ ରାତ୍ରି ଜଣାଯାଉଥିଲା ଆହୁରି ଗମ୍ଭୀର । ସେ ରାତ୍ରିରେ ଏକ ଦୁଃଖ-କାତର ଟିଟ୍ଟିଭର ଆକୁଳ ରାବ ସତେ ଯେପରି ସେ ରାତ୍ରିର ନିଥର ବକ୍ଷ ବିଦୀର୍ଣ୍ଣ କରି ବାରମ୍ବାର ଶୁଣାଯାଉଥିଲା–ଟି...ଟିଉ, ଟି...ଟିଉ, ଟି...ଟିଉ, ଟି...ଟିଉ...

 

ସେହି ରାତ୍ରିରେ ସ୍ଥୂଳକାୟଙ୍କ ବାସଭବନରେ ଏକ ଶୋକସଭା ଆୟୋଜିତ ହୋଇଥିଲା ଏବଂ ସେଥିରେ ଉକ୍ତ ଅମରଆତ୍ମାର ସଦ୍‌ଗତି ନିମିତ୍ତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା-। ପରଲୋକଗତ ରାଜାଙ୍କର ଗୁଣକୀର୍ତ୍ତନପୂର୍ବକ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପିତ ହେଲାବେଳେ ଶ୍ରୋତାମାନଙ୍କର ଉଦ୍‌ଗତ କୋହ ସ୍ତବ୍ଧ ବନଭୂମିକୁ କରୁଣାର୍ଦ୍ର କରିପକାଇଥିଲା ।

 

ଦୁର୍ଗ ନାମଧେୟ ଉକ୍ତ ବନରାଜ୍ୟର ରାଜ୍ୟଭାର କାହା ଉପରେ ନ୍ୟସ୍ତ ହେବ ସେ ବିଷୟ ପ୍ରସଙ୍ଗକ୍ରମେ ଉତ୍ଥାପିତ ହୋଇଥିଲା । ସେତେବେଳେ କଶ୍ଚିଦ୍ ନୀତିବାଦୀ ସଭ୍ୟ ସ୍ଥାନୀୟ ଅଧିବାସୀ ତଥା ଉପାଧିପ ଶ୍ରୀ ସଂଜୀବକଙ୍କ ନାମ ପ୍ରସ୍ତାବ କରିଥିଲେ ଓ ତାହା ଅବିଳମ୍ବେ କେତେକଙ୍କ ଦ୍ଵାରା ସମର୍ଥିତ ହୋଇଥିଲା ।

 

ଏହା ନିଃସନ୍ଦେହ ଯେ, ସଂଜୀବକ ଥିଲେ ନୀତିବାନ୍, ଅଭିଜ୍ଞ ଓ ବୟୋଜ୍ୟେଷ୍ଠ ।

 

ମାତ୍ର ଉକ୍ତ ସଭାରେ ସ୍ଥୂଳକାୟଙ୍କର ଏକାନ୍ତ ଅନୁଗତ କତିପୟ ଅସହିଷ୍ଣୁ ଯୁବ-ପଶୁ ଉକ୍ତ ପ୍ରସ୍ତାବର ଘୋର ବିରୋଧ କରି ଜଣେ ବହିରାଗତ ରାଜାଙ୍କର ଆବଶ୍ୟକତା ଉପରେ ଦୃଢ଼ମତ ପୋଷଣ କରିଥିଲେ ।

 

ସ୍ଥୂଳକାୟ କହିଲେ...ଆମ୍ଭେ ଜାଣୁ, ସଂଜୀବକ ଜ୍ଞାନୀ ଓ ଅଭିଜ୍ଞ, ପୁନଶ୍ଚ ଶାକାହାରୀ, ନିରାମିଷାଶୀ । ଜଣେ ନିରାମିଷାଶୀ ରାଜା ଆମ୍ଭମାନଙ୍କ ପକ୍ଷେ ମଙ୍ଗଳକର । ମାତ୍ର ଆମ୍ଭର ଭୟ ହେଉଛି, ତାଙ୍କ ପରି ଖ୍ୟାତନାମା ବ୍ୟକ୍ତି ହୁଏତ ନିଜ ରାଜ୍ୟରେ ନିଜର ସମ୍ମାନ ହରାଇ ବସିବେ । କାରଣ କେଉଁଠି ବୋଧହୁଏ କଥିତ ଅଛି (?) ମହତ ଲୋକର ମହନୀୟତା ତା’ ନିଜ ଦେଶରେ କେହି ବୁଝିପାରନ୍ତିନାହିଁ, ଯେପରି ମାତା ନିଜ ପୁତ୍ରର ଦେବତ୍ୱ ସ୍ଵୀକାର କରେନାହିଁ । ପୁନଶ୍ଚ ସେ ତ ସ୍ଥାନୀୟ ବ୍ୟକ୍ତି । ଆମ୍ଭମାନଙ୍କ ମଧ୍ୟରୁ ଜଣେ ଆମ୍ଭଙ୍କୁ ଶାସନ କରିବ । ଏହା କେବଳ ଉଚିତ ହେବନାହିଁ ନୁହେଁ, ଗର୍ହିତ ହେବ ବୋଲି କେତେକ ଉଚ୍ଚପଦସ୍ଥ ଓ ନେତୃସ୍ଥାନୀୟ ବ୍ୟକ୍ତି ଆମ୍ଭଙ୍କୁ ସମୟ ବିଶେଷରେ କହି ଆସିଛନ୍ତି ।

 

ଅସ୍ମିନ୍ ସମୟେ ଉପରୋକ୍ତ ନୀତିବାଦୀ ସଭ୍ୟ ଚତୁରତାର ସହ କହିଲେ...ଆପଣ ତେବେ କହୁଛନ୍ତି ଗଙ୍ଗଦତ୍ତ କୃଷ୍ଣସର୍ପକୁ ଆହ୍ଵାନ କରିବା ଉଚିତ ହୋଇଛି ? ତାହାର ପ୍ରତ୍ୟୁତ୍ତରସ୍ଵରୂପ କତିପୟ ତରୁଣସଭ୍ୟ ପାଟିକଲେ–‘ବସ, ବସ । ବସିପଡ଼, ବସିପଡ଼ । ବହୁତ କହିଲ ।’

 

ସେ ଅପରାଧୀଙ୍କ ଭଳି ତତ୍‍କ୍ଷଣାତ୍ ବସିପଡ଼ିଲେ ।

 

ସ୍ଥୂଳକାୟ ସହାସ୍ୟ ବଦନରେ କହିଲେ–

 

ଦେଖନ୍ତୁ, ସମ୍ପ୍ରତି ଗଣତନ୍ତ୍ରର ନିୟମ ଅନୁସାରେ ଆମକୁ ବହୁମତ ପ୍ରତି ସମ୍ମାନ ଦେବାକୁ ହେବ ।

 

ତତ୍ରତ୍ୟ ଦୁଇଜଣ ତରୁଣସଭ୍ୟ ପରସ୍ପର କଥୋପକଥନ ଛଳରେ ସ୍ଥୂଳକାୟଙ୍କର ଏହି ପ୍ରତ୍ୟୁପ୍ରମିତାର ପ୍ରଶଂସା କରନ୍ତେ ସେ ତାହା ଶୁଣିପାରି ଉଲ୍ଲସିତ ହୋଇ ନିଜ ମନରୁ କହିଦେଲେ ମତାଧିକ୍ୟଂ ସତତଂ ଗ୍ରାହ୍ୟମ୍ । ବହୁ-ମତ-ବିଶିଷ୍ଟ କଥା ସତତ ଗ୍ରହଣଯୋଗ୍ୟ ଅଟେ ।

 

ସ୍ଥୂଳକାୟଙ୍କ ବଚନ ଶୁଣି ତସ୍ୟ ବନ୍ଧୁ, ଶ୍ରୀ କୃଷ୍ଣକାୟ କହିଲେ–ରାଜା ହେବାପାଇଁ କେବଳ ଯୋଗ୍ୟତା ଥିଲେ ତ ହେବନାହିଁ, ବଂଶପରମ୍ପରା ଥିବା ଦରକାର । ଅସ୍ମାକଂ ବଂଧୁ ସଂଜୀବକ ବୃଷଭ ଅଟନ୍ତି । ଅବଶ୍ୟ ସେ ଶିବବାହନ ବଂଶଧର । ମାତ୍ର ଶିବବାହନ ବା କୌଣସି ବୃଷଭ କେବେ କେଉଁଠି ରାଜା ଥିବାର ତ ଶାସ୍ତ୍ର-ପ୍ରମାଣ ନାହିଁ ।

 

ତତ୍ପରେ ସେ ଚତୁର୍ଦ୍ଦିଗକୁ ଥରେ ଦୃଷ୍ଟିପାତ କରି ପୁଣି ଆରମ୍ଭ କଲେ–

 

ସୁଧୀବର୍ଗ ! ବନ୍ଧୁ ସଂଜୀବକ, ଶୂର, କୃତବିଦ୍ୟ ଓ ଦର୍ଶନୀୟ । ମାତ୍ର ସେ ଯେଉଁ ବଂଶରୁ ଉତ୍ପନ୍ନ ସେଥିରେ କେହି ଗଜାରୋହଣ କରନ୍ତି ନାହିଁ । ସେଥିପାଇଁ ତ ପ୍ରତିଥର ନନ୍ଦନକାନନରୁ ସିଂହଟିଏ ଆସି ଏଠାରେ ରାଜା ହେଉଛନ୍ତି । ଅଦ୍ୟ ଏ ସଭାରେ ସଂଜୀବକ ସମ୍ଭବତଃ ନାହାନ୍ତି । ଥିଲେ ମଧ୍ୟ ତାଙ୍କ ସମକ୍ଷରେ ଏହି କଥା ପ୍ରକାଶ କରିବାକୁ ଆମ୍ଭେ କଦାଚନ କୁଣ୍ଠାବୋଧ କରି ନଥାନ୍ତୁ । ଉଚିତ କଥାମାନ ଆମ୍ଭେ କାହା ସମ୍ମୁଖରେ ବ୍ୟକ୍ତ କରିବାକୁ ଭୟ କରୁନା । ଗତ ଦୁଇ ଦଶକ ଧରି ଆମ୍ଭେ ଏହିପରି କହୁଅଛୁଁ ଏବଂ କହୁଥିବୁ ।

 

ଅସ୍ମିନ୍ ସମୟେ ଜମ୍ବୁକପ୍ରବର ଶ୍ରୀ ଦମନକ ସହାସ୍ୟ ବଦନରେ ପ୍ରବେଶକରି ଘୋଷଣା କଲେ–

 

ଭୋ, ଭୋ ସହୃଦୟଃ ! ଆପଣମାନେ ଅବଗତ ହେଲେଣି କି ସ୍ଵର୍ଗତଃ ରାଜା କଣ୍ଠୀରବ ନିଜ ମୃତ୍ୟୁ ଆସନ୍ନ ଜାଣି ତତ୍‌ପୂର୍ବରୁ ସିଂହକୁଳତିଳକ ଅରଣ୍ୟାଗତ ଶ୍ରୀ ପିଙ୍ଗଳକଙ୍କୁ ଦାୟିତ୍ଵ ହସ୍ତାନ୍ତର କରି ଯାଇଅଛନ୍ତି ।

 

ଏତଦ୍ ବଚନ ଶ୍ରବଣରେ ଶ୍ରୀ କରଟକ ଉଚ୍ଛ୍ୱସିତ ସ୍ଵରରେ ଚିତ୍କାର କଲେ–

 

ପିଙ୍ଗଳକକୀ ଜୟ‌ । ରାଜା ପିଙ୍ଗଳକକୀ...

 

ତତ୍ପରେ ସମବେତ ସ୍ଵରରେ ଶୁଣାଗଲା–ଜୟ ।

 

ଅନ୍ତଃପର ଶ୍ରୀ ସ୍ଥୂଳକାୟ, ଶ୍ରୀ କୃଷ୍ଣକାୟ ଓ କରଟକ, ଦମନକ ରାଜା ପିଙ୍ଗଳକଙ୍କ ବାସଭବନକୁ ଯାଇ ସବିନୟ ଅଭିନନ୍ଦନ ଜଣାଇଥିଲେ ।

 

ପିଙ୍ଗଳକ ତା’ର ଉତ୍ତରରେ ହସି ହସି କହିଲେ–

 

ମୋର ଅନାଗ୍ରହ ଓ ଅନିଚ୍ଛା ସତ୍ତ୍ଵେ (ଦମନକ କରଟକଙ୍କୁ ଚାହିଁ କିଞ୍ଚିତ୍ ହସିବାରୁ) ସତରେ କେବଳ ଆପଣମାନଙ୍କର ତଥା ଏ ଅଞ୍ଚଳର ଉନ୍ନତି କଳ୍ପେ ମୋତେ ବାଧ୍ୟ ହୋଇ ଏ ଦାୟିତ୍ଵ ଗ୍ରହଣ କରିବାକୁ ପଡ଼ିଲା ।

 

ରାଜା ପିଙ୍ଗଳକ ଥିଲେ ମେଳାପୀ ଓ ମିଷ୍ଟଭାଷୀ । ରାଜୋଚିତ ଗାମ୍ଭୀର୍ଯ୍ୟକୁ ସେ ପସନ୍ଦ କରୁ ନଥିଲେ । ରାଜା କରଟକ ଓ ଦମନକଙ୍କୁ ଅତୀବ ଧୂର୍ତ୍ତ ଅଥଚ ଏକାନ୍ତ ପ୍ରଭୁ-ଅନୁରକ୍ତ ଜାଣି ଉଭୟଙ୍କୁ ଯଥାକ୍ରମେ ମହାମନ୍ତ୍ରୀ ଓ ସେନାପତିରୂପେ ନିଯୁକ୍ତ କଲେ ଏବଂ ସେହି ଦୁହିଁଙ୍କ ସହାୟତାରେ ବନ୍ୟଜନ୍ତୁମାନଙ୍କର ଭେଦ ଜାଣି ଶାସନ କରିବାକୁ ଲାଗିଲେ ।

 

ବାବୁ କରଟକ ଥିଲେ ବେଶ୍ କରିତ୍‌କର୍ମା ଏବଂ ବାବୁ ଦମନକ ଅତ୍ୟନ୍ତ ଚତୁର, ବିନୟାବନତ ଅଥଚ ନିଷ୍ଠାପର କର୍ମୀ । ତେଣୁ ଅଳ୍ପକାଳ ମଧ୍ୟରେ ଉଭୟେ ରାଜାଙ୍କର ଅତିଶୟ ବିଶ୍ଵାସୀ ଓ ପ୍ରିୟ ହୋଇଗଲେ ଏବଂ କ୍ରମେ ଅଧିକାଂଶ ଶାସନକ୍ଷମତା ହସ୍ତଗତ କରିନେଲେ ।

 

ଏହାଙ୍କ ରାଜତ୍ଵକାଳରେ ବନ୍ୟଜନ୍ତୁକଲ୍ୟାଣ ସମିତି, ଦୁର୍ଗାରଣ୍ୟଜାତୀୟ ସେବାସଂସ୍ଥା ଓ ବନ-ବନ ଦ୍ରବ୍ୟ-ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟାଳୟ ପ୍ରତିଷ୍ଠିତ ହେଲା ଏବଂ ବାବୁ କରଟକ, ଦମନକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେଗୁଡ଼ିକ କାର୍ଯ୍ୟକାରୀ କରାଗଲା । ରାଜା ବନ୍ୟଜନ୍ତୁମାନଙ୍କର ରୋଗ ନିରାକରଣ କଳ୍ପେ ସ୍ଵମୂତ୍ରପାନର ଆବଶ୍ୟକତା ଅନୁଭବ କରି ଶିବାମ୍ବୁ ଚିକିତ୍ସାଳୟ ମଧ୍ୟ ସ୍ଥାପନ କଲେ । ମାତ୍ର ଅଳ୍ପଦିନ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ହୋଇଗଲେ ।

 

ରାଜା ପିଙ୍ଗଳକ ଥିଲେ ଭାରି ଶିକାରୀ, ଶିକାରପ୍ରିୟ ଓ ମାଂସାଶୀ । ସେ ପ୍ରାୟ ପ୍ରତ୍ୟହ ଶିକାର କରିବାକୁ ଯାଆନ୍ତି । ପ୍ରାୟ ପ୍ରତିଥର କରଟକ ଓ ଦମନକ ଏବଂ କଦାଚିତ୍ ସେମାନଙ୍କର ବନ୍ଧୁମାନେ ପିଙ୍ଗଳକଙ୍କର ଅନୁଗମନ କରିଥାନ୍ତି । ରାଜାଙ୍କର ଉଦର ପୂର୍ତ୍ତି ପରେ ଅବଶିଷ୍ଟ ମାଂସମାନ ରାଜା ସଦୟଚିତ୍ତରେ ସେମାନଙ୍କୁ ଦାନ କରିଦିଅନ୍ତି ଏବଂ ସେମାନେ ରାଜାଙ୍କର ଏବଂବିଧ ବଦାନ୍ୟତା ନିକଟରେ ନିଜକୁ ଅନୁଗୃହୀତ ମନେକରି ରାଜୋଚ୍ଛିଷ୍ଟ ସେବନରେ କୃତକୃତ୍ୟ ହୁଅନ୍ତି ।

 

ମାନ୍ୟବର ପିଙ୍ଗଳକ ସବୁ ରାଜାଙ୍କ ପରି କ୍ରମେ ତୋଷାମୋଦପ୍ରିୟ ହୋଇଗଲେ ମଧ୍ୟ ସ୍ଵତନ୍ତ୍ର ସ୍ତାବକ ନିଯୁକ୍ତ କରି ନଥିଲେ । ତେଣୁ କରଟକ, ଦମନକଙ୍କୁ ଅଗତ୍ୟା ସେ କାର୍ଯ୍ୟଟି ନିର୍ବାହ କରିବାକୁ ପଡ଼ିଲା । କଦାଚିତ୍‌ରେ ଶ୍ରୀମତୀ କରଟକ ଓ ଶ୍ରୀମତୀ ଦମନକଙ୍କୁ ତାହା ସଂପାଦନ କରିବାକୁ ପଡ଼ୁଥିଲା ।

 

ଶିକାର ରାଜାଙ୍କର ଏକମାତ୍ର ପ୍ରିୟ ସଉକ ହୋଇଥିବାରୁ ଏବଂ ବାବୁ କରଟକ ଓ ବାବୁ ଦମନକ ଅତିଶୟ ମାଂସଲୋଭୀ ହୋଇଥିବାରୁ ବନ୍ୟଜନ୍ତୁମାନଙ୍କର ସଂଖ୍ୟା ଦିନକୁଦିନ କ୍ରମାଗତଭାବରେ କ୍ଷିପ୍ର ଗତିରେ ହ୍ରାସ ପାଇବାକୁ ଲାଗିଲା ।

 

ଦୁର୍ଗାରଣ୍ୟର ଅଧିବାସୀମାନେ ତାହା ଅନୁଭବ କରି ଅତିଶୟ ଦୁଃଖ-କାତର ହୋଇପଡ଼ିଲେ ମଧ୍ୟ ଜରୁରୀ ପରିସ୍ଥିତି ହେତୁ ନୀରବତା ଆଚରଣ କରିଥାଆନ୍ତି । କାରଣ ପ୍ରତ୍ୟେକେ ଭୟ କରୁଥାଆନ୍ତି କାଳେ ରାଜା ପିଙ୍ଗଳକ ଯଦି ଜାଣିପାରିବେ, ଏମନ୍ତ କି କରଟକ ଦମନକ ଯଦି ଶୁଣି ପକାଇବେ ତେବେ ସେମାନେ ଶୀଘ୍ର ରାଜ-ଖାଦ୍ୟରୂପେ ବିବେଚିତ ହେବେ । କ୍ରମେ ବନ୍ୟଜନ୍ତୁମାନେ ରାଜା ପିଙ୍ଗଳକଙ୍କୁ ଯେତେ ଭୟକରିବାକୁ ଲାଗିଲେ ବାବୁ କରଟକ ଓ ବାବୁ ଦମନକଙ୍କୁ ତତୋଽଧିକ ଭୟକଲେ । କେହି କେହି ଭୟରେ ବାବୁ ଦମନକଙ୍କ ସହ ବନ୍ଧୁତା କରିବା ଶ୍ରେୟ ମଣିଲେ ତ କେହି କେହି ପଶୁ-ଯୁବତୀ କରିତ୍‍କର୍ମା କରଟକଙ୍କୁ ବିବାହ କରିବାର ଲାଳସା ପୋଷଣ କଲେ ।

 

ଅନନ୍ତର ବନ୍ୟଜନ୍ତୁମାନେ ସ୍ୱଜନ ବିୟୋଗ ଓ ନିଜ ଜୀବନାଶଙ୍କାରେ ହତାଶ ହେବାକୁ ଲାଗିଲେ । ପୂର୍ବରୁ ଦୁର୍ଗାରଣ୍ୟର ଅଧିବାସୀମାନେ ରାଜ-କ୍ଷମତାପ୍ରାପ୍ତ ତରୁଣ ଶୃଗାଳଦ୍ୱୟ ବାବୁ କରଟକ ଓ ବାବୁ ଦମନକଙ୍କ ଅପବ୍ୟବହାରରେ ଅତିଷ୍ଠ ଓ ମର୍ମାହତ ହୋଇ ରହିଥିଲେ । ତେଣୁ ତତ୍ରତ୍ୟ କଶ୍ଚିଦ୍ ବୟସ୍କ ଅଧିବାସୀ ସଂଜୀବକଙ୍କୁ ସାକ୍ଷାତ କରି କହିଲେ–

 

ହେ ବୃଷଭୋତ୍ତମ ! ଆମ୍ଭମାନଙ୍କର ଦୁର୍ଦ୍ଦଶା ତ ଆପଣଙ୍କୁ ଅବିଦିତ ନୁହେଁ । ରାଜା କରଟକ ଦମନକଙ୍କ ସହ ସବୁ ଚଳୁ କରିବାକୁ ବସିଲେଣି । ସେ ତ ବିଜ୍ଞ ଓ ଅଭିଜ୍ଞମାନଙ୍କୁ ହେୟଜ୍ଞାନ କରି କନିଷ୍ଠ ଶୃଗାଳଦ୍ଵୟଙ୍କ କଥାରେ ପରିଚାଳିତ ହେଉଅଛନ୍ତି । ସେ ଶୃଗାଳଦ୍ୱୟ କି ମନ୍ତ୍ର ଜାଣନ୍ତି କେଜାଣି, ଯିଏ ଯେତେବେଳେ ରାଜା ହେଉଛନ୍ତି ତାଙ୍କୁ ବଶୀଭୂତ କରି ନିଜ କାର୍ଯ୍ୟସାଧନ କରୁଅଛନ୍ତି । ଆପଣ ରାଜ-ସାନ୍ନିଧ୍ୟକୁ ଯାଇ ଏ ସବୁ ଅବଗତ କରାଇ ଆମ୍ଭମାନଙ୍କର ଦୁଃଖ ଦୂର କରାନ୍ତୁ ।

 

ସଂଜୀବକ ଥିଲେ ଶାନ୍ତିପ୍ରିୟ । ମାତ୍ର ଏହାକୁ ଏକ ଜାତୀୟ କାର୍ଯ୍ୟ ଜ୍ଞାନକରି ଅଗତ୍ୟା ପିଙ୍ଗଳକଙ୍କୁ ସାକ୍ଷାତକଲେ ।

 

ପିଙ୍ଗଳକ ସଂଜୀବକଙ୍କ କଥାକୁ ସମ୍ମାନ ଦେଲେ । ସେହିଦିନଠାରୁ ରାଜାଙ୍କର ଶିକାର ସ୍ଵତଃ ନିୟନ୍ତ୍ରିତ ହୋଇଗଲା । ସମୟ ଅସମୟରେ ରାଜା ସଂଜୀବକଙ୍କ ସହ ପରାମର୍ଶ କଲେ ଏବଂ କ୍ରମେ ପିଙ୍ଗଳକ ସଂଜୀବକଙ୍କର ପ୍ରିୟ ବନ୍ଧୁ ହୋଇଗଲେ ।

 

ବାବୁ କରଟକ ଓ ଦମନକ ରାଜାଙ୍କର ଏବଂବିଧ ପରିବର୍ତ୍ତନରେ ଅତିଶୟ ଦୁଃଖିତ ଓ ଚିନ୍ତିତ ହୋଇପଡ଼ିଲେ । ରାଜ-ଖାଦ୍ୟରୁ ସେମାନଙ୍କର ଭାଗ ମଧ୍ୟ ଲୋପ ପାଇଯାଇଥାଏ । ଶେଷରେ ସେମାନେ ଉପାୟାନ୍ତର ଚିନ୍ତାକରି ପିଙ୍ଗଳକଙ୍କ ପୁରକୁ ଗଲେ ଏବଂ ସାଷ୍ଟାଙ୍ଗ ପ୍ରଣିପାତପୂର୍ବକ ଅଧୋବଦନରେ ଦଣ୍ଡାୟମାନ ହୋଇ ରହିଲେ ।

 

ପିଙ୍ଗଳକ ସହାସ୍ୟ ବଦନରେ କହିଲେ କଂ କୁଶଳଂ ବାଂ; କିମର୍ଥମାଗତୌ ?

 

ଦମନକ : ମହାରାଜ ! ଆପଣଙ୍କ ବିରୁଦ୍ଧରେ ଏକ ବିପ୍ଳବର ସୂତ୍ରପାତ ହୋଇଥିବା ଜାଣି ଏ ଅସମୟରେ ଆସିବାକୁ ବାଧ୍ୟ ହେଲୁ । ଯେହେତୁ–ଆପଦ ସମୟରେ ପଚରା ନଗଲେ ମଧ୍ୟ କଲ୍ୟାଣବଚନ କହିବା ବିଧେୟ ।

 

ପିଙ୍ଗଳକ ବିକଟ ସ୍ଵରରେ ହସିବାକୁ ଲାଗିଲେ ।

 

ଦମନକ କହିଲେ : ପ୍ରଭୋ ! ସଂଜୀବକ ଏ ରାଜଗାଦି ପ୍ରତି ଆଶାୟୀ ହୋଇ ଆପଣଙ୍କ ବିରୁଦ୍ଧରେ ବନ୍ୟଜନ୍ତୁମାନଙ୍କୁ ସଂଗଠିତ କଲେଣି । ଜାଣନ୍ତି, ସମସ୍ତେ ମିଶି ଆପଣଙ୍କୁ ଆକ୍ରମଣ କରିବେ ?

 

ଏତଦ୍ ବଚନ ଶ୍ରବଣରେ ରାଜା ବିସ୍ମିତ ଓ କିଞ୍ଚିତ୍ ଭୟଭୀତ ହେଲେ । ତାଙ୍କର କପାଳ କୁଞ୍ଚିତ ହେଲା ଏବଂ ସେ କ୍ଷୋଭତାଡ଼ିତ ଗର୍ଜନଟିଏ କଲେ ।

 

ରାଜା ନିଜକୁ ନିଜେ ପ୍ରଶ୍ନକଲେ–ଅପର ମୁଖରେ ଅନ୍ୟର ଅପନିନ୍ଦା ଶ୍ରବଣ କରି ହଠାତ୍ ପ୍ରତିକ୍ରିୟାଶୀଳ ହେବା କ’ଣ ଉଚିତ ହେବ ?

 

ରାଜାଙ୍କର ମନ ସଂଶୟାଚ୍ଛନ୍ନ ଜାଣି ଚତୁର ସେନାପତି ଦମନକ କହିଲେ : ପ୍ରଭୋ ! ପରୀକ୍ଷା ପ୍ରାର୍ଥନୀୟ । କାଲି ସଂଜୀବକ ଆପଣଙ୍କ ନିକଟକୁ ଆସିଲେ ଆପଣ ଜୃମ୍ଭା ଛଳରେ ମୁଖବ୍ୟାଦାନ କରନ୍ତୁ । ଦେଖିବେ ସେ କିପରି ଶୃଙ୍ଗ ସଂଚାଳନପୂର୍ବକ ଆକ୍ରମଣ କରିବାକୁ ଉଦ୍ୟତ ହେବେ । ତତ୍ପରେ ସେ ସ୍ଵବିକ୍ରମ ଦର୍ଶାଇ ଗମ୍ଭୀର ନାଦ କଲେ ଅନ୍ୟମାନେ…

 

ପିଙ୍ଗଳକ ଶଙ୍କିତ ହେଲେ । ଆସନ୍ନ ବିପଦ ଆଶଙ୍କାରେ ତାଙ୍କର ହୃଦୟ ଦ୍ରୁତ ସ୍ପନ୍ଦିତ ହେଲା ।

 

ରାଜାଙ୍କର ମାନସିକ ଅବସ୍ଥା ଅନୁମାନ କରି ସୁଚତୁର କରଟକ କହିଲେ : ମହାରାଜ ! ସେ ଶୃଙ୍ଗ ସଂଚାଳନ କଲେ ଆପଣ ଯଦି ହଠାତ୍ ତାଙ୍କ ଉପରକୁ ଲମ୍ଫପ୍ରଦାନପୂର୍ବକ…

 

ଦମନକ ସତ୍ଵର କହି ପକାଇଲେ,–ପ୍ରଭୋ ! ଅଳମତି ବିସ୍ତରେଣ ।

 

ରାତ୍ରି ଶେଷହୋଇ ଆସୁଥିବାରୁ ସେମାନେ ଶୀଘ୍ର ଫେରି ଆସିଲେ ।

 

ବାଟରେ ଦମନକ କହିଲେ : ସଖେ କରଟକ ! ଦେଖିଲେ ମୋର ବୁଦ୍ଧି ? ଯେତେବେଳେ ଯେ ରାଜା ହୁଅନ୍ତି, ତାଙ୍କ ସମକ୍ଷରେ ମୁଁ ସଂଜୀବକଙ୍କ ନାମରେ ଏହି ଶରଟିହିଁ ପ୍ରୟୋଗ କରିଥାଏ ଓ ତଦ୍ଦ୍ଵାରା ରାଜାଙ୍କର ନିକଟତମ ବ୍ୟକ୍ତି ହୋଇଯାଏ ।

 

କରଟକ କହିଲେ : ମୁଁ ଆଉ କ’ଣ କରିଥାଏ କି ? ରାଜାମାନେ ମୋତେ କାହିଁକି ବିଶ୍ଵାସ କରନ୍ତି ? କାହିଁକି ସଂଜୀବକଙ୍କୁ ହତାଦର କରନ୍ତି ?

 

ଉଭୟେ ଉଭୟଙ୍କର ଚତୁରତା ଜାଣି ପରସ୍ପରକୁ ଆଲିଙ୍ଗନ କରି ଏକ ଏକ ଉଚ୍ଛ୍ଵସିତ ହସ ହସିଲେ ।

 

ଆକ୍ରାନ୍ତରେ ହଠାତ୍ ମୁହୁର୍ମୁହଃ ସିଂହନାଦ ଶୁଣାଗଲା ।

 

ସଂଜୀବଙ୍କର ମୃତ୍ୟୁ ନିକଟରେ ଜାଣି ସେମାନେ ଆନନ୍ଦରେ ନୃତ୍ୟ କଲେ ଓ ବିହ୍ୱଳିତ ସ୍ଵରରେ ରାବ କଲେ–

 

ହୁକେହୋ...ହୁକେହୋ…ହୋହୋ ଏବଂ ତତ୍‌କ୍ଷଣାତ୍‌ ତାହାର ପ୍ରତିଧ୍ୱନି ହେଲା : ହୁକେହୋ…ହୁକେହୋ ହୋହୋ…

 

ଅନତି ବିଳମ୍ଵେ ସେମାନେ ସଂଜୀବକଙ୍କ ନିକଟରେ ଉପଗତ ହୋଇ ଦୁଃଖାଭିଭୂତ ସଦୃଶ ନୀରବରେ ଦଣ୍ଡାୟମାନ ହେଲେ । ସଞ୍ଜୀବକ କୁଶଳ ପ୍ରଶ୍ନ କରନ୍ତେ ଦମନକ ଦୀର୍ଘନିଃଶ୍ଵାସ ତ୍ୟାଗକରି କହିଲେ : ମହାଭାଗ ! ଆପଣ ପିଙ୍ଗଳକଙ୍କର ପ୍ରିୟ ସଉକ ମୃଗୟା ବିଷୟରେ ଭିନ୍ନ ମତ ପୋଷଣ କରିବାରୁ ସେ କ୍ଷୁବ୍ଧ ହୋଇ ଶେଷରେ ଆପଣଙ୍କୁ….

 

ସଞ୍ଜୀବକୋବାଚ–

 

ଆମ୍ଭେ ତ ରାଜାଙ୍କର ମିତ୍ର ଓ ବିଶ୍ଵାସ୍ୟ ଅଟୁ । ଏହା କିପରି ସମ୍ଭବ ?

 

କରଟକ କହିଲେ, ‘‘ଆପଣ ତ ଜାଣନ୍ତି–ନଦୀକୁ, ନଖୀକୁ (ଶୃଙ୍ଗୀକୁ ବୋଲି କହି ଆସୁଥିଲେ ରହିଗଲେ ।) ଶସ୍ତ୍ରଧାରୀକୁ, ସ୍ତ୍ରୀକୁ ଓ ରାଜାଙ୍କୁ କଦାଚନ ବିଶ୍ଵାସ କରିବ ନାହିଁ–ଶାସ୍ତ୍ରରେ ଏମନ୍ତ ଅଛି । ପିଙ୍ଗଳକ କେଉଁଦିନୁ ଆକ୍ରମଣ କରନ୍ତେଣି । ମାତ୍ର ସେ ଆପଣଙ୍କର ବଳ କଳିପାରି ନାହାଁନ୍ତି । ପୁନଶ୍ଚ ଆପଣଙ୍କର ଶାଣିତ ଶୃଙ୍ଗଦ୍ଵୟକୁ ତାଙ୍କର ଭାରିଭୟ ।” ସେ ପ୍ରଥମେ ମୁଖବ୍ୟାଦାନ କରି ଆପଣଙ୍କ ପ୍ରତିକ୍ରିୟା ଲକ୍ଷ୍ୟ କରିବେ, ଆପଣ ଯଦି ଶୃଙ୍ଗ ସଂଚାଳନ ନ କରନ୍ତି । ତେବେ…ତେବେ ସେ ହଠାତ୍… ।

ସଞ୍ଜୀବକ କହିଲେ–ଏହା କି ବିଶ୍ଵାସଯୋଗ୍ୟ ? ମୁଁ ତ କେବେ ତାଙ୍କର ଅନିଷ୍ଟ ଚିନ୍ତା କରିନାହିଁ । ସେ ମୋର ବନ୍ଧୁ ।

 

ଦମନକ କହିଲେ–ଶାସ୍ତ୍ରରେ ଅଛି, ଖାଦ୍ୟ ଖାଦକୟୋପ୍ରୀତି ସର୍ବଥା ଅସମ୍ଭବ ଅଟେ ।

 

ଏତଦ୍ ବାକ୍ୟ ଶ୍ରବଣ କରି ସଞ୍ଜୀବକ ଚିନ୍ତିତ ଜଣାଗଲେ । ତାଙ୍କର କର୍ଣ୍ଣମୂଳ ଉଷ୍ଣ ଜଣାଗଲା । ପ୍ରାତଃକାଳୀନ ମୁହୁର୍ମୁହୁଃ ସିଂହନାଦର କାରଣ ସେ ଅବଗତ ହେଲେ । ତାଙ୍କର ଶରୀରର ରକ୍ତବାହୀ ଧମନୀମାନେ ହଠାତ୍ ଶକ୍ତ ଜଣାଗଲେ ।

 

ଅସ୍ମିନେବ କାଳେ ଅଶ୍ରୁତପୂର୍ବ ସିଂହନାଦ ତାଙ୍କର କର୍ଣ୍ଣଗୋଚର ହେଲା ।

 

ତତ୍‌ଶ୍ରୁତ୍ଵା ସଞ୍ଜୀବକ ଉତ୍‌କ୍ଷିପ୍ତ ହୋଇ ଗମ୍ଭୀର ସ୍ୱରରେ ନାଦ କଲେ ।

 

ତାହାର ପ୍ରତ୍ୟୁତ୍ତରରେ ପ୍ରାୟ ପୁନଃ ସିଂହନାଦ ଶୁଣାଗଲା ।

 

ସଞ୍ଜୀବକ ତାହା ଶ୍ରବଣ କରି ଉନ୍ମତ୍ତ ହୋଇ ମହିଷାସୁର ପ୍ରାୟ ନୃତ୍ୟ କରିବାକୁ ଲାଗିଲେ । ତାଙ୍କର କ୍ଷୁରାଘାତରେ ଧରିତ୍ରୀ ବଦୀର୍ଣ୍ଣ ହେଲା । ଲାଙ୍ଗୁଳ ପ୍ରହାରରେ ପୃଥିବୀ କମ୍ପି ଉଠିଲା । ଶୃଙ୍ଗ ସଞ୍ଚାଳନରେ ବାୟୁ ଭୟଭୀତ ହେଲେ ।

 

କରଟକ, ଦମନକ ଦ୍ୱୟ ଭୀତତ୍ରପ୍ତ ହୋଇ କହିଲେ–ଏହି ମୁହୂର୍ତ୍ତରେ, ‘ଶତ୍ରୁକୁ ଉଚିତ ଜବାବ ଦିଆଯାଉ, ମହାଭାଗ ! କଣ୍ଟକେନୈବ କଣ୍ଟକମ୍’ ନୀତି ଅଧୁନା ଆଚରଣୀୟମ୍ ।

 

ସଞ୍ଜୀବକ ହଠାତ୍ ଉନ୍ମତ୍ତ ପ୍ରାୟ ହୋଇ ଅରଣ୍ୟ ମଧ୍ୟରେ କ୍ଷିପ୍ରଗତିରେ ଦୌଡ଼ିବାକୁ ଲାଗିଲେ ।

 

କିୟତ୍‌କ୍ଷଣ ପରେ ସିଂହନାଦ ଓ ବୃଷଭନାଦ ମୁହୁର୍ମୁହୁଃ ଶୁଣାଗଲା ଏବଂ କ୍ରମେ ଉଭୟ ଶବ୍ଦ ତୁମୂଳ ଓ ଅତି ଭୟଙ୍କର ହେଲା ।

 

ବନ୍ୟଜନ୍ତୁମାନେ ସେ ଶବ୍ଦ ଶୁଣି ସ୍ତବ୍ଧ କାତର ହୋଇଗଲେ । ପ୍ରଭାତର ପକ୍ଷୀ କାକଳି ନୀରବ ହୋଇଗଲା, ବାଦୁଡ଼ିମାନେ ହଠାତ୍ ବୃକ୍ଷଶାଖା ତେଜି ବିକଟ ଚେଁ ଚାଁ ଶବ୍ଦରେ ଆକାଶ କମ୍ପାଇ ଏଣେତେଣେ ଉଡ଼ିବାକୁ ଲାଗିଲେ ।

 

କ୍ଷଣକ ଉତ୍ତାରେ ସବୁ ସ୍ଥିର ଓ ନୀରବ ହୋଇଗଲା । ଚାରିଆଡ଼େ ଅଭୂତପୂର୍ବ ନିସ୍ତବ୍ଧତା-। ଅନ୍ତଃପର ବନ୍ୟଜନ୍ତୁମାନେ ଘଟଣାସ୍ଥାନରେ ଉପସ୍ଥିତ ହୋଇ ଦେଖିଲେ–ସଞ୍ଜୀବକ ଦେହ ତ୍ୟାଗ କରିଛନ୍ତି । ତାଙ୍କର ରକ୍ତାକ୍ତ ଶରୀର, ବିକଟ ଜିହ୍ୱା ଓ ଚକ୍ଷୁମାନ ଭୟଙ୍କର ଦେଖାଯାଉଛି-

 

କିଛି ଦୂରରେ ରାଜା ପିଙ୍ଗଳକ ମୁମୂର୍ଷୁ ଅବସ୍ଥାରେ କ୍ଷତବିକ୍ଷତ ସଂଜ୍ଞାହୀନ ହୋଇପଡ଼ିଥିଲେ । ହଠାତ୍ କ୍ଷୀଣ ସ୍ଵରରେ ପ୍ରଳାପ କଲେ ।

 

ଆଃ, କ-ର-ଟ-କ । ଓଃ, ଦ-ମ-ନ-କ ।

Image

 

ଶ୍ରୀ ସାତକଡ଼ି ହୋତା

ଶଗଡ଼ର ସ୍ୱପ୍ନ

 

ବ୍ୟସ୍ତ ମଣିଷ କେବଳ ଧାଇଁଛି । ପାପ ପୁଣ୍ୟର ବିଚାର କରିଥିଲେ ସେ ହୁଏତ ଆଗକୁ ଆସି ଏତେ ବଡ଼ବଡ଼ କୋଠା ତୋଳି ନଥାନ୍ତା ବା ଏତେ ଶୀଘ୍ର ମୋଟର ବା ବ୍ୟୋମଯାନରେ ବସି ଶହ ଶହ କୋଶ ଅତିକ୍ରମ କରିପାରୁ ନଥାନ୍ତା । ପାପପୁଣ୍ୟଗୁଡ଼ା ବୋଧହୁଏ ମିଛକଥା, ନହେଲେ ମନର କଳ୍ପନା ସତ ହୋଇଥିଲେ ପୁଣ୍ୟବନ୍ତର ମଥାରେ ମୁକୁଟ ଏବଂ ପାପୀର ପିଠିରେ କୁଜ ଦେଖିବାକୁ ମିଳନ୍ତା ନିଶ୍ଚୟ ।

 

ମାଲଗୋଦାମ ରାସ୍ତାଟା ମରାମତି ହେଉଥିଲା ବୋଲି ଆଉ ଗୋଟେ ରାସ୍ତାରେ ବୁଲି ବୁଲି ମାଲଗୋଦାମକୁ ଯିବାକୁ ହୁଏ । ଅନେକଦିନ ହେଲା ରାସ୍ତାର ମରାମତି କାମ ଚାଲିଥିଲେବି ଏଯାଏଁ ସରିନାହିଁ । ଆହୁରି ଅନେକ ବାକି । ରାସ୍ତା ମରାମତି ପାଇଁ ଏତେ ଦିନ କାହିଁକି ଲାଗେ ବୋଲି ମନକୁ ମନ ପଚାରେ ଜଗୁ । ଠିକାଦାରଟା ମଠୁଆ, ନୋହିଲେ ଜଲଦି ଜଲଦି କାମ ସାରିଦେଇ ଚାଲିଯାଆନ୍ତା ନିଶ୍ଚୟ । ମାଲଗୋଦାମ ରାସ୍ତାଟା ସିଧା । ଅନ୍ୟରାସ୍ତାଟା ବୁଲା । ସେଥିପାଇଁ କିନ୍ତୁ ବେଶି ପଇସା ମିଳେ ବୁଲା ରାସ୍ତା ଯିବାପାଇଁ । ସମୟ ଓ ପରିଶ୍ରମବି ବେଶି ହୁଏ-। ସେଥିପାଇଁ ଜଗୁ ବିରକ୍ତବି ହୁଏ । ଦେହକୁ ଅସକତ ଲାଗିଲେ ଚା’ କପେ ପିଇ ବିଡ଼ିଗୋଟେ ଧରେ । ଷ୍ଟେସନ୍ ଗୋଦାମରୁ ମାଲଗୋଦାମକୁ ଯେଉଁ ରାସ୍ତାଟା ପଡ଼ିଛି ସେଇ ରାସ୍ତାର ନାମ ମାଲଗୋଦାମ । ସେଠାରେ ଯେଉଁ ବାବୁମାନେ କାମ କରନ୍ତି ସେମାନେ ମାଲବାବୁ-। ଦୁଇ କିଲୋମିଟରରୁ ଟିକେ ବେଶି ରାସ୍ତାର ଲମ୍ବ । ସେ ଆଗେ ଏକୁଟିଆ ମାଲ ବୋହି ଶଗଡ଼ ବା ଟ୍ରକ୍‌ରେ ରଖୁଥିଲା । ଏବେ ଘନ ସାଙ୍ଗରେ ସାଥୀହୋଇ କାମକରୁଛି । ଦୁହେଁ ଅଲଗାଅଲଗା କାମ ନକରି ଗୋଟେ ଶଗଡ଼ ଭଡ଼ାରେ ନେଇଚନ୍ତି । ଦିନକୁ ଶଗଡ଼ର ଭଡ଼ା ପାଞ୍ଚଟଙ୍କା-। ଶଗଡ଼ ଟାଣିବାପାଇଁ ବଳଦର ବ୍ୟବସ୍ଥା କିନ୍ତୁ କରିପାରିଲେ ନାହିଁ ଦୁହେଁ । ସେଥିପାଇଁ ସାଙ୍ଗ ହୋଇ ଶଗଡ଼ ଟାଣନ୍ତି । ବଳଦ ଦୁଇଟି ଜାଗାରେ ଜଗୁ ଏବଂ ଘନ ମାଲ ବୋଝେଇ ଶଗଡ଼ଟାକୁ ଷ୍ଟେସନ୍ ଗୋଦାମରୁ ମାଲଗୋଦାମକୁ ଟାଣି ଆଣିବାବେଳେ ଟ୍ରକ୍‌ରେ ଡ୍ରାଇଭର ପଛରୁ ହର୍ଣ୍ଣ ଦେଇ କୁହେ, ପୂରା ରାସ୍ତାଟାକୁ ମାଡ଼ି ବସିଛ ଯେ ନିଜର ଘରୋଇ ସମ୍ପତ୍ତି ଭଳି । ଆଉ କେହି ଯିବେ ନାହିଁ-? ଶଳା… । ଜଗୁ ଘନକୁ ଶଗଡ଼କୁ ଆଡ଼ କରିବାକୁ କହି ପାଟିକରେ, ରାସ୍ତା ମଝିରେ ଖାଲ ଢିପ ତୋ ନଜରକୁ ଆସୁନି କି ? ଶଳା ଅନ୍ଧପରି କଥା କହୁଚୁ ଯେ... । ଟ୍ରକ୍ ଡ୍ରାଇଭର ଗାଡ଼ି ମୋଡ଼ି ହର୍ଣ୍ଣ ଦେଇ ଚାଲିଯାଏ । କପାଳରୁ ଝାଲ ପୋଛି ଟ୍ରକ୍ ପଛକୁ ଚାହେଁ ଜଗୁ । କୋଡ଼ିଏଟା ଶଗଡ଼ର ମାଲ ଗୋଟିଏ ଟ୍ରକ୍‌ରେ ଚାଲିଗଲା ! ସେ ଦୀର୍ଘନିଃଶ୍ଵାସ ମାରି କୁହେ, ଏମାନଙ୍କ ସାଙ୍ଗରେ ଆଉ କେତେଦିନ ଲଢ଼ିବାହୋ ସଙ୍ଗାତେ । ଘନ ଦମ୍‌ ନବାପାଇଁ କୁହେ, ଶଗଡ଼ଟାକୁ ଟିକେ ସାଇଟ୍ କରିଦିଅ । ଟିକେ ଦମ୍ ନେଇ ଫେର୍ ଚାଲିବା ।

 

କାଳିଆ କଷରା ଯୋଡ଼େ ବଳଦ ଯୋଚି ଶଗଡ଼ ଉପରେ ବସି ସେମାନଙ୍କର ଲାଞ୍ଜରେ ହାତ ମାରିଦେଇ ଲାବଣ୍ୟବତୀରୁ କଲିଏ ଗାଇ ଗାଇ ମାଲଗୋଦାମ ରାସ୍ତାରେ ଯିବାପାଇଁ ଖୁବ୍ ଇଚ୍ଛା ହୁଏ ଜଗୁର । ଯୋଡ଼ି ବଳଦ ହେଲେ ଶଗଡ଼କୁ ମାନନ୍ତା, ଶଗଡ଼ଟାବି ହୁରୁଡ଼ି ଯାଆନ୍ତା ବଳଦ ସାଙ୍ଗରେ; ଆଉ ସେ ମଜା ଦେଖନ୍ତା ଶଗଡ଼ ଉପରେ ବସି । କିନ୍ତୁ ଯୋଡ଼ି ବଳଦପାଇଁ ତା’ ହାତରେ ଧନ କାହିଁ ? କାଳିଆ, କଷରାପାଇଁ ଦୁଇ ହଜାର ଟଙ୍କା ସେ ପାଇବ କୋଉଠୁ ? ସେଥିପାଇଁ ଶଗଡ଼ିଆ ହୋଇ ବଳଦ ନ ଅଡ଼େଇ, ସେ ସଙ୍ଗାତ ସାଙ୍ଗରେ ଶଗଡ଼ ଟାଣେ । ଶଗଡ଼ ସହିତ ତା’ର ସ୍ଵପ୍ନଟିବି ଏକ ହୋଇଯାଏ ।

 

ଗୋଟିଏ ଶଗଡ଼ର ମାଲିକ ହବାପାଇଁ ଖୁବ୍ ମନହୁଏ ଜଗୁର । ସେ ରାତିରେ ଶୋଇବାବେଳେ ହାତଯୋଡ଼ି ହନୁମାନଙ୍କୁ ନମସ୍କାର ଜଣାଇ କୁହେ, ଦେହଟାକୁ ଏଇପରି ନିରୋଗ ରଖ ପ୍ରଭୁ । ଆଉ ମୋତେ ଗୋଟେ ଶଗଡ଼ ଦିଅ ଯେ ଦିନକୁ ପାଞ୍ଚଟଙ୍କା ଭଡ଼ା ନ ଦେଇ ମୁଁ ଶଗଡ଼ର ମାଲିକ ହୋଇଯିବି ଯେପରି । ଶଗଡ଼କୁ ପୋଛିପାଛି ତେଲ ଘଷି ଆହୁରି ସୁନ୍ଦର ମଜବୁତ କରିବି । କାମରବି ସୁବିଧା ହବ । ତୁମ କଥାବି ମନେରହିବ ।

 

ଖାଲି ଶଗଡ଼ଟାକୁ ଦେଖିଲେ ଟିକେ ଅନ୍ୟମନସ୍କ ହୋଇଯାଏ ଜଗୁ । ସେ ଭାବେ ତାହାରି ପରି ଶଗଡ଼ଟାବି ସ୍ଵପ୍ନ ଦେଖେ, ତାକୁ ମାଲିକ ଭାବରେ ପାଇବାପାଇଁ ପ୍ରାର୍ଥନା କରେ । ନିର୍ଜୀବ କାଠ, ବାଉଁଶର ଶଗଡ଼ଟା ହଠାତ୍ ତା’ ସୁଖ ଦୁଃଖର ସାଥୀ ହୋଇ ସାନ୍ତ୍ଵନା ଦେଇ କୁହେ, ତୁମେ ମାଲିକ ହେଲେ ମୁଁ ଆହୁରି ଜୋରରେ ଚାଲିବି, ଖାଲଢ଼ିପ, ଉଠାଣି ଗଡ଼ାଣି ରାସ୍ତା ଉପରେ ଆହୁରି ମନଖୁସିରେ ଦଉଡ଼ିବି । ମୋ ଦେହ ଉପରେ ସବୁ ବୋଝର ଭାର ନେଇ ତୁମ କାନ୍ଧଟାକୁ ହାଲୁକା କରିଦେବି ।

 

ବାସ୍ତବତାକୁ ଫେରିଆସି କିନ୍ତୁ ବିମର୍ଷ ହୋଇଯାଏ ସେ । ମନଟା ମରିଯାଏ ।

 

ଶଗଡ଼ଟା ଭଡ଼ାରେ ଆଣିଛି ଜଗୁ । ଘନ ତା’ର ସଙ୍ଗାତ, ଦୁହେଁ ମିଶି ଶଗଡ଼ ଟାଣନ୍ତି । କାଳିଆ, କଷରା ବଳଦ ଯୋଡ଼େ ଥିଲେ ଯାହା କରନ୍ତେ ସେ ଦୁହେଁ ସେୟା କରନ୍ତି । ସକାଳ ଛଅଟା ବାଜିବାବେଳକୁ ଷ୍ଟେସନ୍ ଗୋଦାମରେ ଶଗଡ଼ ଲଗାଇ ମାଲବାବୁର ଆସିବା ପାଇଁ ଅପେକ୍ଷା କରନ୍ତି । ମାଲବାବୁ ଆସିଲେ ଚିହ୍ନଟ ନେଇ ଶଗଡ଼ରେ ମାଲବୋଝେଇ କରନ୍ତି ସେମାନେ । ତା’ପରେ,ସିଧା ମାଲଗୋଦାମ ।

 

ମାଲଗୋଦାମ ରାସ୍ତାଟା ଯେପରି ସେମାନଙ୍କର ରାଜପଥ । ଶଗଡ଼ ଭିଡ଼ି ନେଲାବେଳେ ସେଇ ରାସ୍ତାଟିବି ସହାୟକ ହୋଇ ସେମାନଙ୍କର କାମକୁ ସହଜ କରିଦିଏ; କିନ୍ତୁ ଏବେ ତିନିମାସ ହେଲା ମାଲଗୋଦାମ ରାସ୍ତାଟାରେ ମରାମତି କାମ ଚାଲିଛି ଯେ ଏଯାଏଁ ସରିବାକୁ ନାହିଁ । ରାସ୍ତାଟା ସତରେ ବଡ଼ ଖରାପ ହୋଇ ଯାଇଥିଲା । ଶଗଡ଼ର ଅଖ କାଳେ ଭାଙ୍ଗିଯିବ ବୋଲି ବଡ଼ ଭୟ ହୁଏ ଜଗୁର । ଶଗଡ଼ ମାଲିକ ଅଖ ଭାଙ୍ଗିଗଲେ ସେହି ବାବଦକୁ ପଇସା କାଟିନେବ । ସେଥିପାଇଁ ଯେତେ ପରିଶ୍ରମ ହେଲେବି ବୁଲି ବୁଲି ଯାଆନ୍ତି ସେମାନେ ଆଉ ଗୋଟେ ବୁଲା ରାସ୍ତାରେ । ତଥାପି ଖରାପ ରାସ୍ତା ଟିକେ ରହିଯାଏ । ବର୍ଷା ଦିନରେ ଦୁଃଖ କହିଲେ ନ ସରେ । ପାଣି ଓ କାଦୁଅ ଘାଣ୍ଟି ଘାଣ୍ଟି ଆଗେଇବାବେଳେ ଶଗଡ଼ ଚକ ଅଟକି ଯାଏଁ କାଦୁଅରେ, ଯେତେ ଭିଡ଼ିଲେବି ଉଠେନାହିଁ । ଘନକୁ ଆଗରେ ରଖି ଜଗୁ ପଛକୁ ଯାଏଁ ଚକତଳେ ହାତ ଲଗାଇ ଉଠାଇଦେବା ପାଇଁ । ପାଞ୍ଚଥର ଚେଷ୍ଟାକଲେ ଚକ ଉଠିଯାଏ । ବେଳେବେଳେ ଦୟାବନ୍ତ କେହି ଯାଉଥିଲେ ହାତ ବଢ଼ାଇଦିଏ ।

 

ସମୟ କରି ସବୁଦିନ ରାତିରେ ଶୋଇବା ଆଗରୁ ଶଗଡ଼ଟାକୁ ପୋଛିଦିଏ ଜଗୁ । ଅଖରେ ତେଲ ଦିଏ । ହୁଗୁଳା ହୋଇଥିବା ଜାଗାଟାକୁ ଆହୁରି ଜୋରକରି ବାନ୍ଧିଦିଏ । କାମଧନ୍ଦା ନଥିଲେ ସେ ଶଗଡ଼ ଉପରେ ବସି ‘ଗଲାଣିତ ଗଲା କଥାରେ ସଙ୍ଗାତ’ ବା ‘ଦାଣ୍ଡରେ ଶୁଭିଲା ରାମକୃଷ୍ଣ ବେନିଭାଇ’ ବୋଲେ । ଘରକୁ ଫେରିବା ବାଟରେ ଦିନେ ଦିନେ ସେ ଶଗଡ଼ ଉପରେ ବସେ ଏବଂ ଘନ ଟାଣେ ତ ଆଉଦିନେ ଘନ ବସେ ସେ ଟାଣେ । ସମତଳ ରାସ୍ତାରେ ମୋଟର ଗାଡ଼ିପରି ଗଡ଼ିଯାଏ ଶଗଡ଼ ।

 

ମ୍ୟୁନିସିପାଲଟି ମାର୍କେଟ ପଛପଟେ ଯେଉଁ ଖାଲି ଜାଗାଟି ଅଛି, ସେଠାରେ ଗୋଟିଏ କୁଡ଼ିଆ ତୋଳିଛି ଜଗୁ । ଆଉ ଟିକେ ସେପାଖରେ ଘନର କୁଡ଼ିଆ । ଝାଟିମାଟି ଚାଳଘର । ବର୍ଷାଦିନେ ପାଣିଜମେ ବୋଲି ସନ୍ତସନ୍ତିଆ ହୁଏ ଘର । ପିଲାଛୁଆ ଘରେ ରୁହନ୍ତି । ସ୍ତ୍ରୀର ନାମ କନକଲତା । ନାମଟା ଏଡ଼େ ଲମ୍ବ ହେଲେବି ଗେଲରେ କେବେକେବେ ପୂରା ନାମଧରି ଡାକେ ଜଗୁ । ନହେଲେ ଖାଲି କନକ । ଦୁଇଟି ପିଲାରେ କୋଳଭର୍ତ୍ତି । ମହରଗ ସମୟକୁ ଏଇ ଯଥେଷ୍ଟ ! ବେଶି ପିଲା ହୋଇଥିଲେ ଚଳେଇ ପାରନ୍ତା ଜଗୁ ! ସେଇ କୁଡ଼ିଆକୁ ଫେରୁ ଫେରୁ ରାତି ନଅଟା ବାଜିଯାଏ; କିନ୍ତୁ ଘରେ ପହଞ୍ଚେ ସ୍ଵସ୍ତିରେ ନିଃଶ୍ଵାସ ମାରେ ଜଗୁ । କନକ ପାଣି ଢାଳେ ତା’ ହାତକୁ ବଢ଼ାଇ ଦେଲେ ସେ ମୁହଁ ହାତ ଧୋଇ ଦଉଡ଼ିଖଟଟା ଉପରେ ବସିପଡ଼ି ଗୋଟେ ଲମ୍ବ ନିଃଶ୍ଵାସ ମାରି କହେ, ଆଉ ଗୋଟେ ଦିନ ଭଲରେ ଭଲରେ କଟିଗଲାଲୋ କନକ ।

 

ଜଗୁ ବସ୍ତା ବୋହି ବୋହି ଯାହା ରୋଜଗାର କରୁଥିଲା ସଂସାର ଚଳୁ ନଥିଲା ସେଥିରେ-। ବସ୍ତାପିଛା ଦଶ ପଇସା । ପଚାଶଟି ବସ୍ତାରୁ ଟ୍ରକ୍ ଉପରକୁ ଉଠାଇଦେଲେ ସେ ଆୟ କରୁଥିଲା ପାଞ୍ଚଟଙ୍କା । ତାହାରି ପରି ଅନେକ କାମପାଇଁ ଭିଡ଼ କରନ୍ତି ବୋଲି ଦିନେ ଦିନେ କୋଡ଼ିଏ କି ପଚିଶରୁ ବେଶି ମିଳେନାହିଁ । ବଡ଼ କଷ୍ଟ ହେଉଥିଲା ସେତେବେଳେ । ଏବେ ଅବସ୍ଥା ଟିକେ ସୁଧୁରିଛି । ସେ ଦିନକୁ ଶଗଡ଼ର ଭଡ଼ା ଦେଇସାରି ସାତ ଆଠ ଟଙ୍କା ଘରକୁ ଆଣୁଛି । ଶଗଡ଼ଟା ନିଜର ହୋଇଥିଲେ ଆଉ ପାଞ୍ଚଟଙ୍କା ହାତରେ ରହିଯାଆନ୍ତା । ନିଶାପାଣିର ଅଭ୍ୟାସ ନାହିଁ ବୋଲି ଚଳିଯାଏ । ଦୁଧ ମାଛ ନମିଳୁ; ଭଲକରି ବକତେ ଭାତ, ଶାଗ ଖାଇଲେ ଦେହରୁ ବଳ କମେ ନାହିଁ-

 

ମ୍ୟୁନିସିପାଲଟିର ସେଇ ଖାଲି ଜାଗାଟାର ଗୋଟିଏ ମୁଣ୍ଡରେ ବଜରଙ୍ଗବାଲିଙ୍କ ମନ୍ଦିର । ବୀର ହନୁମାନ ସେଠାରେ ଅଧିଷ୍ଠିତ । ପ୍ରତିଦିନ କାମକୁ ବାହାରିଯିବା ଆଗରୁ ତାଙ୍କରି ଲଗାସିନ୍ଦୁର ନେଇ କପାଳରେ ଲଗାଇଦିଏ, ଶଗଡ଼ରେ ଛୁଆଇଁ ଦିଏ ଜଗୁ । ଦିନଟା ଭଲରେ ଭଲରେ କଟିଯାଏ-। ଟ୍ରକ୍ ଧୂଳି ଉଡ଼େଇ ଚାଲିଗଲେ କିମ୍ବା ବାଟ ଛାଡ଼ିଦବା ପାଇଁ ପଛରୁ ହର୍ଣ୍ଣ ଦେଲେ, ସେ ଚିଡ଼ିଯାଏ-। ବାଟଟା ସମସ୍ତଙ୍କର, କେବଳ ଟ୍ରକ୍‌ବାଲାର ନୁହେଁ । ଯିବାରେ ସମସ୍ତଙ୍କ ପରି ତା’ରବି ଅଧିକାର; କିନ୍ତୁ ଧୂଳି ଉଡ଼େଇ ପାଣି ଛିଟିକା ମାରିବାର ଅଧିକାର ତାକୁ କେହି ଦେଇନାହିଁ । ମାଲଗୋଦାମର ମହାଜନମାନେ କିନ୍ତୁ ଟ୍ରକ୍‌ରେ ଜିନିଷ ବୋହିବାପାଇଁ ବେଶି ପସନ୍ଦ କରନ୍ତି । ଏକାଥରେ ବେଶି ମାଲ ବୋଝେଇ କରିହୁଏ । ସମୟ କମ୍ ଲାଗେ । ଶଗଡ଼ରେ ମାଲ ବୋହିବାପାଇଁ କାମ କମ୍ ମିଳେ । ତଥାପି ନିରାଶ ହୁଏନି ଜଗୁ । ସେଥିପାଇଁ ସେଦିନ ଯେମିତି ଶୁଣିଲା ଯେ ପେଟ୍ରୋଲ, ଡିଜେଲ ଆଉ ପୂର୍ବପରି ମିଳୁନାହିଁ । ସେ ଟଙ୍କାକର ଜିଲାପି ଏବଂ କନିଅରଫୁଲ ହନୁମାନଙ୍କ ମନ୍ଦିରରେ ଲାଗିକରି ଆସିଲା । ତେଲ ସରିଗଲେ ଭଲ ମୌକା ମିଳିବ । ସମସ୍ତେ ଏକ ହେବାପାଇଁ ସୁବିଧା ପାଇବେ । ଅନେକଙ୍କ ଉପରକୁ ଧୂଳି ଉଡ଼େଇ ଆଖିପିଛୁଳାରେ କେତେଜଣ ଗୀତ ଗାଇ ମନ ଖୁସିରେ ଆଗେଇଯାଇ ପାରିବେ ନାହିଁ । ଶଗଡ଼ର କରାମତିପଣିଆ ସେତେବେଳେ ଯାଇ ଲୋକେ ବୁଝିବେ ।

 

ଯୋଉ ଲୋକ ପ୍ରଥମେ ଏଇ ଶଗଡ଼ ତିଆରି କରିଥିଲା, ସେଇ ଅଜଣା ଲୋକଟିର ବୁଦ୍ଧିକୁ ବାହାବା ଦେଇ ପ୍ରଣାମ ଜଣାଇଲା ଜଗୁ । ସିଦ୍ଧ ମହାତ୍ମା ହୋଇ ନଥିଲେ ଇମିତି ବୁଦ୍ଧି ଆସନ୍ତା ନାହିଁ । ଯୁଗଯୁଗ ଧରି ଗଡ଼ି ଆସିଛି ଶଗଡ଼, ମଣିଷର ହସକାନ୍ଦ, ସୁଖଦୁଃଖ ସହିତ ତାଳଦେଇ ତା’ର ସାଥୀହୋଇ ବୋଝ ବୋହିଚି । ଶଗଡ଼ ପରିବି ଗୋଟିଏ ଜାଗାରେ ଛିଡ଼ାହୋଇ ରହିଯାଇ ନାହିଁ ମଣିଷ । ସେ ବି ଆଗେଇଚି । ଶଗଡ଼ର ଚକ ଏବଂ ମଣିଷର ପାଦ ଚାଲିବାଦ୍ଵାରା ରାସ୍ତା ତିଆରି ହୋଇଚି । ମଣିଷ ସ୍ଵପ୍ନ ଦେଖିଚି ଅନାଗତର, ଶଗଡ଼ବି ସ୍ଵପ୍ନ ଦେଖିଚି ଆଗକୁ ଚାଲିବାର । ଶଗଡ଼ ଏବଂ ଚଳନ୍ତା ମଣିଷ ଏକ ହୋଇଯାଇଛି ।

 

ମାଲଗୋଦାମ ବ୍ୟବସାୟ ବାଣିଜ୍ୟର କେନ୍ଦ୍ରସ୍ଥଳ । ଏତେ ଜିନିଷ ଗୋଟିଏ ଜାଗାରେ ଦେଖି ଅବାକ ହୋଇଯାଏ ଜଗୁ । ଗୋଦାମ ଘରେ ଡାଲି, ଚାଉଳ, ତେଲ, ଲୁଣ, ମସଲାଠାରୁ ଆରମ୍ଭ କରି ଦିଆସିଲି, ଗୁଣ୍ଡଦୁଧ, ଚିନି, ସାଇକେଲ ଟାୟାର ପ୍ରଭୃତି ଅନେକ ଜିନିଷର ସମାବେଶ-। ଦେଶବିଦେଶରୁ ମାଲ ଆସେ ଗୋଦାମକୁ ରେଳଗାଡ଼ିରେ, ଟ୍ରକ୍‌ରେ । ବନ୍ଦରକୁ ଜାହାଜ ଆହୁରି ବେଶି ମାଲ ବୋହିଆଣେ ବୋଲି ଶୁଣେ ଜଗୁ । ଏପରିକି ଉଡ଼ାକଳରେବି ମାଲ ବୁହା ହୁଏ ବୋଲି ଶୁଣି ଆଶ୍ଚର୍ଯ୍ୟ ହୋଇଯାଏ । କେତେ ମହାଜନଙ୍କର କେତେ ଗୋଦାମ ଜିନିଷରେ ଖୁନ୍ଦାଖୁନ୍ଦି-। ଜଗୁ, ଘନ ପରି ଆହୁରି ଅନେକ ଲୋକ କାମ କରନ୍ତି ସେଠାରେ । ଏତେ ମାଲ ଦେଖି ଅବାକହୋଇ ମନକୁମନ ପଚାରେ ଜଗୁ, ତାହାହେଲେ ଜିନିଷ ଅମିଳ ହୁଏ କାହିଁକି, ଭେଜାଲ କରେ କିଏ-?

 

ମାଲ ଉତାରି ଗୋଦାମଘରେ ସାଇତି ରଖିବା ପରେ ପାଖ ଦୋକାନରୁ ଦଶ ପଇସାର ମୁଢ଼ି କିଣି ପାଟିରେ ପକାଏ ଜଗୁ । କଳରେ ମୁହଁ ଲଗାଇ ପାଣି ପିଇ ସାଷ୍ଟାଙ୍ଗ ହୁଏ । ତା’ପରେ ପନ୍ଦର ପଇସାର ଅଧକପେ ଚା’ ପିଇ ବଳପାଏ ସେ । ଫେର୍ ସଙ୍ଗାତ ସାଙ୍ଗରେ ବାହାରିପଡ଼େ ଷ୍ଟେସନ୍ ଗୋଦାମକୁ । ଏଇ ଗୋଦାମଘରହିଁ ଯେପରି ସେମାନଙ୍କର ତୀର୍ଥସ୍ଥଳ, ଦୁଇ ଗୋଦାମ ମଧ୍ୟରେ ଯିବା ଆସିବା କରିବା ସେମାନଙ୍କର ତୀର୍ଥଯାତ୍ରା ! ସେଦିନ ମାଲ ରଖା ସରି ନଥାଏ-। ଘନର କାନ୍ଧ ଉପରକୁ ମାଲ ଉଠାଇ ଦଉଥାଏ ଜଗୁ । ଗୁମାସ୍ତା ଆସି ଡାକିଲା ତାକୁ । ଘନକୁ ଏକା ଛାଡ଼ି ସେ ଭିତରକୁ ଗଲା । ଚୁନିଲାଲଜୀ ଗୋଦାମର ମାଲିକ । ମସ୍ତବଡ଼ ବ୍ୟବସାୟୀ-। ସବୁ ଜିନିଷର ବ୍ୟବସାୟ । ପୃଥୁଳକାୟ ଚୁନିଲାଲଜୀଙ୍କୁ ଦେଖିଥିଲେବି କଥାବାର୍ତ୍ତା କରିବାର ସୌଭାଗ୍ୟ ହୋଇନାହିଁ ଜଗୁର । ସେ ପ୍ରଣାମ କରି ହାତ ଯୋଡ଼ି ତାଙ୍କ ଆଗରେ ଛିଡ଼ା ହେଲା ।

 

ଚୁନିଲାଲ ଗଦି ଉପରେ ଚୁପ୍‌ହୋଇ ବସିଥିଲେ । କଥା କହିଲା ଗୁମାସ୍ତା । ଜଗୁକୁ ତା’ ନିଜ ସମ୍ପର୍କରେ ଭଲମନ୍ଦ ଦୁଇକଥା ପଚାରିସାରି କହିଲା ଗୁମାସ୍ତା, ଦିନକୁ ସାତ ଆଠଟଙ୍କା ରୋଜଗାର କରି କିପରି ଚଳୁଚରେ ଜଗୁ ? ଦିନକୁ ତିରିଶ ଚାଳିଶି ପାଇବି ସଂସାର ଚଳାଇ ହଉନି-। ଏଇ ମୋ କଥା ଧର । ଚୁନିଲାଲଜୀ ମଝିରେ ମଝିରେ ସହାୟ ହଉ ନଥିଲେ କୋଉଦିନୁ ଦାଣ୍ଡରେ ବୁଲୁଥାନ୍ତି ।

 

ଜଗୁ କ’ଣ ଉତ୍ତର ଦବ କିଛି ସ୍ଥିର କରିପାରିଲା ନାହିଁ । ହାତଯୋଡ଼ି ସେହିପରି ଛିଡ଼ାହୋଇ ରହିଲା । ସେ ଭାବୁଥିଲା ତାକୁ ଡାକିବାର ଉଦ୍ଦେଶ୍ୟ ସମ୍ପର୍କରେ ।

 

ଚୁନିଲାଲଜୀ ଗମ୍ଭୀର ହୋଇ କହିଲେ, ଚିନି ବଜାରରେ ମିଳୁନାହିଁ । ସବୁ ଚିନି କିଏ କେଉଁଠି ରଖିଛି ଜଣାପଡ଼ୁନାହିଁ । ମୋ ଗୋଦାମ ଉପରେ ଆଖି ପଡ଼ିଛି ଲୋକମାନଙ୍କର । କାହିଁକି, ମୁଁ କ’ଣ ଅପରାଧ କଲି ? ମୁଁ କାହିଁକି ଦୁଇଟଙ୍କା ପଞ୍ଚାଶୀ ପଇସାରେ କିଲେ ଚିନି ବିକିବି ?

 

ଚିନି କେବେ କିଣି ନାହିଁ ଜଗୁ । ଅଦାବେପାରୀ ଆଗରେ ଜାହାଜର ଖବର । ଦରକାର ହେଲେ ଗୁଡ଼ ଟିକେ କିଣିନିଏ ପିଲାଙ୍କପାଇଁ । ସେଇଥିରେବି ଚା’ କରେ କନକ । ଏ ଜନ୍ମରେ ଚିନି ଖାଇବାର ଭାଗ୍ୟ ହେଲା ନାହିଁ ସିନା, ଆଉଥରେ ଜନ୍ମହେଲେ ଚିନି ଦେଇ ଚା’ ତିଆରି କରିବ, ଶଗଡ଼ ନ ଠେଲି ମୋଟର ଗାଡ଼ି ଚଢ଼ିବ ।

 

ଚୁନିଲାଲ କହିଲେ, “ବଞ୍ଚିବାକୁ ହେଲେ ବସି ରହିଲେ ଚଳିବ ନାହିଁ । କାମ କରିବାକୁ ହବ । ବୋକାପରି ବସି ରହିଲେ ଆପେଆପେ ଟଙ୍କା ହାତକୁ ଆସିଯିବ ନାହିଁ ।”

 

ଗୁମାସ୍ତା ଉସୁକାଇ ଦବାପାଇଁ କହିଲା, ‘‘ତୋ କଥା ଭୁଲି ନାହାନ୍ତି ମହାଜନ । ତୁ ତାଙ୍କ କଥା ଶୁଣ, ତୋ ହାତକୁବି ଦୁଇ ପଇସା ଆସିବ ।” ଜଗୁ କୃତ୍ୟକୃତ୍ୟ ହୋଇ କହିଲା, “ଆପଣଙ୍କ ଆଜ୍ଞା କେବେ ଅମାନ୍ୟ କରିଛି ?”

 

ଗୁମାସ୍ତା ଚୁନିଲାଲଙ୍କୁ କହିଲା, “ଆଜ୍ଞା ସେ ସୁନା ପିଲା । ଭାକୁ ଏକାମ ବଳିଯିବନି ।”

 

ଚୁନିଲାଲ ଆହୁରି ଗମ୍ଭୀର ହୋଇ କହିଲେ, ‘‘କେନାଲକୂଳରେ ରାତିରେ ନାଆ ଲାଗିବ-। ମାଲ ଯିବ ମଫସଲକୁ । ସମସ୍ତେ ସହରର ସ୍ଵାର୍ଥ ନେଇ ବ୍ୟସ୍ତ । ମଫସଲ ସ୍ଵାର୍ଥ ଆମେ ନ ଦେଖିଲେ ଦେଖିବ କିଏ ? ହଜାରେ ବସ୍ତା ଚିନି ନୌକାରେ ପଠାଇ ଦିଆଯିବ ରାତାରାତି-। ଶାଗୁଣା ପରି ଏତେଗୁଡ଼ା ଲୋକ କିମିତି ଟାକି ବସିଛନ୍ତି ଦେଖୁନା । ସାବଧାନ ହୋଇ କାମ କରିବ, କାନକୁ ଦୁଇକାନ କରିବ ନାହିଁ ।”

 

ଗୁମାସ୍ତା କହିଲେ, “ଜଗୁ, ଘନ, ସତିଆ, ନରି ଏଇମାନେ ଲାଗିଯିବେ କାମରେ । ଆଉ କାହାରି ପ୍ରୟୋଜନ ନାହିଁ । ଟ୍ରକ୍‌ରେବି ପଠାଇ ପାରିଥାନ୍ତେ ଚୁନିଲାଲଜୀ; କିନ୍ତୁ ସେଥିରେ ତୁମ୍ଭମାନଙ୍କର ଲାଭ କ’ଣ ହୁଅନ୍ତା ? ଦୁଇପଇସା ହାତକୁ ଆସିବ, ପରିବାର ଚଳିଯିବେ ।”

 

ଜଗୁ ଫେରିବାବେଳେ କେତେକଥା ଭାବୁଥିଲା । ସେମାନଙ୍କର ଅଭାବୀ ସଂସାର ପରି ସାରା ଦୁନିଆଟା ଯେପରି ଅଭାବରେ ହାଁ ହାଁ କରୁଥିଲା । ଏତେ ଜିନିଷ କୋଉଠୁ ଆସେ, କିଏ କିଣେ, ପୁଣି ଏତେ ଟଙ୍କା ଆସେ କୁଆଡ଼ୁ ? ଶଗଡ଼ ପାଖକୁ ଫେରିଆସି ଘନକୁ ସବୁକଥା କହିସାରି ପଚାରିଲା, ‘‘ପାରିବ ସଙ୍ଗାତେ ?”

 

ଘନ ଟିକେ ବାହାଗିଳା । ସେ କହିଲା, ‘‘ଡର କାହାକୁ, ଭୟ କାହାକୁ ଚୁନିଲାଲ ଯଦି ଅଛି ପଛକୁ ।”

 

ଜଗୁ କିନ୍ତୁ ଏଡ଼େ ସହଜରେ ନିଶ୍ଚିନ୍ତ ହେଲାନାହିଁ । ସେ ସେଇ କଥାଟାକୁ ଭାବିବାକୁ ଲାଗିଲା । ଘାଣ୍ଟି ଚକଟି ହେଲା ମନ । ଏତେଗୁଡ଼ା ଲୋକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ହଜାରେ ବସ୍ତା ଚିନି ନଈରେ ନେଇଯିବେ ଚୁନିଲାଲଜୀ । ଏତେ ବଡ଼ବଡ଼ ବାବୁଭାୟା, ହାକିମ ହୁକୁମା ଗଲେ କୁଆଡ଼େ ?

 

ଘନ ଜାଣିଲା ପରି କହିଲା, “ସବୁ ଦାୟିତ୍ଵ ମହାଜନର । କାହାକୁ କିପରି ହାତ କରିବାକୁ ହୁଏ ସେ ଜାଣନ୍ତି । ଆମେ ଅଦାବେପାରୀ ଜାହାଜର ମୂଲ ବୁଝିବା କାହିଁକି ? ଆମ କାମ ଜାହାଜରେ ମାଲ ଦିନରେ ବୋଝେଇ ନକରି ରାତିରେ ବୋଝେଇ କରିବା । ରାତିରେ ଦିନେ ନ ଶୋଇଲେ ତୁମେ ମରିଯିବ ନାହିଁ ମ ସଙ୍ଗାତ !”

 

ଜଗୁ ମନକୁମନ ଭରସା ଦେଲା । ନିଜକୁ ବୁଝାଇଲା । ହନୁମାନଙ୍କୁ ସ୍ମରଣ କଲା ଏବଂ କହିଲା, “ସେଦିନ ଭାଗବତ ଶୁଣିଥିଲି ଯେ, ଆପଣା କଲା କର୍ମମାନ, ଆଗୁ ହୋଇବ ସାବଧାନ ।”

 

ଘନ ବୁଝେଇଲା, ‘‘ଭାଗବତ ମିଛ କହିନାହିଁ । ଆପଣା କର୍ମ ଆପେ କର । ଅନ୍ୟ କେହି କରିଦେଇ ଯିବେ ନାହିଁ । ଭଗବାନ ରକ୍ଷାକରିବେ ।”

 

ଘନ ଏତେ ବଡ଼କଥାଟାକୁ ଇମିତି ଉଡ଼େଇଦବ ବୋଲି ଭାବି ନଥିଲା ଜଗୁ । ସେ ମାଲ ଉତାରିସାରି କହିଲା, “ଘରେ ପଚାରିଲେ କ’ଣ କହିବା ଯେ ?”

 

‘‘ମହାଜନ ନୂଆ ଗୋଦାମ ଖୋଲୁଚି ଯେ କାମ ଚାଲିଚି ରାତିଦିନ । ରାତିରେ ମଜୁରୀ ବେଶି । ହାତକୁ ଦୁଇ ପଇସା ଆସିଯିବ ।”

 

ଜଗୁ ସଙ୍ଗାତ ସହିତ ପୁଣି ଲାଗିଗଲା କାମରେ । ଶଗଡ଼ ଟାଣି ଟାଣି ପୁଣି ସେମାନେ ଗଲେ ମାଲଗୋଦାମ, ପୁଣି ଷ୍ଟେସନ୍ ଗୋଦାମ । ମନଟା କିନ୍ତୁ ବସୁ ନଥାଏ କୋଉଥିରେ ଗରଗର ହଉଥାଏ ।

 

ପାଖରେ କେହି ନଥିଲେ ଶଗଡ଼ ସହଜ ଏକା କଥାବାର୍ତ୍ତା କରେ ସେ । ଶଗଡ଼ର ଚକ ଉପରେ ହାତ ରଖି ବା ଶଗଡ଼ ଉପରେ ଆଉଜିପଡ଼ି ସେ ନୀରବରେ ଶୁଣିବାପାଇଁ ଚେଷ୍ଟା କରେ ଶଗଡ଼ର ଭାଷା, ତା’ର ଅନ୍ତରର କଥା । ସ୍ଥିର ହୋଇ ଗୋଟିଏ ଜାଗାରେ ଛିଡ଼ା ହୋଇଥିବା ଶଗଡ଼ ଚଳନ୍ତା ଶଗଡ଼ ପରି ଗୀତ ଗାଏ ନାହିଁ, କଥା ବୋଲେ ନାହିଁ ସତ; କିନ୍ତୁ ଜଗୁ କାନକୁ ତା’ର ନିଃଶ୍ୱାସ ପ୍ରଶ୍ଵାସ ଶୁଣାଯାଏ, ତା’ର ମନର ବ୍ୟାକୁଳତା ସ୍ପଷ୍ଟ ହୋଇଉଠେ । ଜଗୁ କାନ ଲଗାଇଦିଏ ଶଗଡ଼ ଚକରେ । ତାକୁ ଯେପରି ନିଜର ପରି ଏକାନ୍ତରେ କିଏ କୁହେ, ମୁଁ ମାଲିକର ନୁହେଁ, ତୁମର । ତୁମେ ମୋର ମାଲିକ । ତୁମେ ମୋର ସାହାଭରସା... । ଜଗୁ ଶଗଡ଼ ଉପରେ ଶୋଇ ସ୍ଵପ୍ନ ଦେଖେ । ଶଗଡ଼ ସହିତ ସେ ବୁଲିଯାଏ, ଶଗଡ଼ ଉପରେ କନକ ଏବଂ ପୁଅ ଝିଅକୁ ବସେଇ ସହର ବୁଲିଆସେ । ତା’ପରେ କେବେ ରାତିରେ ବେଶି ଗରମ ହେଲେ ଘର ଭିତରେ ଶୋଇ ନପାରି ବାହାରକୁ ଆସି ଶଗଡ଼ ଉପରେ ଶୋଇପଡ଼େ । ସେଇ ନିଛାଟିଆ ରାତିରେ ଶଗଡ଼ ତା’ର ଆହୁରି ନିକଟତର । ତା’ଦିହର ବାସ୍ନା ଶଗଡ଼ର ବାସ୍ନା ମିଶିଯାଏ । ଆକାଶରେ ତାରାମାନେ ଦୀପ ଜାଳି ଶୁଭ ମନାସି କହି ଉଠନ୍ତି, ଶଗଡ଼ ତୋର…ମାଲିକର ନୁହେଁ, ତୋର…. ।

କନକ ଘର ଭିତରେ କଡ଼ ଲେଉଟାଏ । ତାକୁ ଉଠାଇଦେଇ ସ୍ଵପ୍ନ କଥାଟା କହିଦେବା ପାଇଁ ମନ ହୁଏ । କିନ୍ତୁ ନିଜକୁ ରୋକିନିଏ ଜଗୁ । ସେ ଶଗଡ଼କୁ ଶୁଣେଇ ଶୁଣେଇ କୁହେ ତୁ ମୋ ଜନକ ପରି, ତୁ ମୋ ପିଲାପରି ଆପଣାର । ତୋତେ ମୁଁ ଛାଡ଼ିବି ନାହିଁ, ତୋତେ ଏକୁଟିଆ ରଖି ମୁଁ କୁଆଡ଼େ ଯିବି ନାହିଁ ।

ସେଦିନ ରାତିରେ କନକକୁ ବୁଝେଇ ଶଗଡ଼ ଧରି ବାହାରିପଡ଼ିଲା ଜଗୁ । ଘନବି ଆସିଲା ସାଙ୍ଗରେ । ଦୁହେଁ ଗୋଦାମ ଘର ସାମ୍ନାରେ ପହଞ୍ଚିବାବେଳକୁ ଅପେକ୍ଷା କରିଥିଲା ଗୁମାସ୍ତା ।

ନିଷ୍ପ୍ରଦୀପ ହୋଇଥିଲା ମାଲଗୋଦାମ ଅଞ୍ଚଳ । ରାସ୍ତାରେ ଆଲୁଅ ନଥିଲା । ବିଜୁଳି ସରବରାହରେ ବିଘ୍ନ ଘଟିଥିଲା ବୋଲି ଆଲୁଅ ନଥିଲା କାହିଁ । ଭଲ ହେଲା । ଅନ୍ଧାର ରାତିରେ ସହଜ ହୁଏ ଏଇ କାମ । ଗୁମାସ୍ତା ଗୋଦାମ ଖୋଲିଦେଲା । ରାତିସାରା ମାଲ ଲଦିବା ଉତାରିବା ଚାଲିଲା । ନୌକା ଭର୍ତ୍ତି ହୋଇଗଲା ହଜାରେ ବସ୍ତା ଚିନିରେ । କାମ ଶେଷକଲାବେଳକୁ ପାହାନ୍ତିଆ ତାରା ଆଖି ମିଟିକା ମାରୁଥିଲା ।

ସବୁଦିନ ପରି ସେଦିନବି ସକାଳ ହେଲା । ସୂର୍ଯ୍ୟ ଉଠିଲା । କୌଣସି ବ୍ୟତିକ୍ରମ କେହି ଦେଖିଲେ ନାହିଁ । ମ୍ୟୁନିସିପାଲଟିର ଖାଲିଜାଗାଟା ଖରାରେ ଚକ୍‍ଚକ୍ କରି ଉଠିଲା । କିଆ ବୁଦାଗୁଡ଼ାକ ଉପରେ ଖରା ପଡ଼ି ଲୁଚି ଯାଇଥିଲା ବୁଦା ଭିତରେ । କଜଳପାତି, ହଳଦିବସନ୍ତ କେତୋଟି ଉଡ଼ିବୁଲୁଥିଲେ ଆମ୍ବ ଗଛର ଏ ଡାଳରୁ ସେ ଡାଳକୁ ।

ଜୀବନରେ ଏଇ ପ୍ରଥମ ଡର ଲାଗିଲା ତାକୁ । ନିର୍ଭୟରେ ନିଶ୍ଚିନ୍ତହୋଇ ସେ କାମକରେ, ଦିନଯାକ ଖଟେ । ମୁଣ୍ଡଝାଳ ତୁଣ୍ଡରେ ମାରି ଯାହା ରୋଜଗାର କରେ ସେଥିରୁ ଆଉ କାହାକୁ ଭାଗ ନ ଦେଇ ପରିବାର ପାଇଁ ନେଇଯାଏ । ଯଥେଷ୍ଟ ନହେଲେବି ସେଇ ସାତ ଆଠଟଙ୍କା ତାକୁ ଅସୁମାରି ସଂପଦ ପରି ମନେହୁଏ । ସେ ମୁଣ୍ଡ ଟେକି ଶଗଡ଼ ଟାଣିବାବେଳେ ମୁଣ୍ଡ ନୁଆଁଇ ଛିଡ଼ା ହୋଇଥିବା ଥନ୍ତଲା ପେଟିଆ ବ୍ୟବସାୟୀ ଏବଂ କିଳାପୋତିଆବାବୁମାନଙ୍କୁ ଦେଖି ଚିଡ଼ିଯାଇ କୁହେ, ପୃଥିବୀର ସବୁ ବୋଝ ଯିମିତି ୟାଙ୍କ କାନ୍ଧ ଉପରେ । ଯାହାର କାନ୍ଧରେ, ହାତରେ ବୋଝ ବୋହି ବୋହି ବିଣ୍ଡି ବସିଯାଇଛି ସେମାନେ ନିଶ୍ଚିନ୍ତରେ ମଥା ଟେକି ଚାଲିଛନ୍ତି; ଅଥଚ ଏଗୁଡ଼ା ମସ୍ତବଡ଼ ମାଇଚିଆ, ଉପରକୁ ଚାହିଁବାର ଶକ୍ତି ନାହିଁ ବୋଲି ସବୁବେଳେ ତଳମୁହାଁ ।

ବସ୍ତା ବୋହି ବୋହି ରକା ଲାଗିଥିଲା କାନ୍ଧରେ । ସେଥିପାଇଁ ମଥାଟାକୁ ସିଧା କରିବାକୁ କଷ୍ଟ ହେଉଥିଲା । କନକ ଡିବିରିରୁ କିରାସିନି ତେଲ ଟିକେ ବାହାର କରି ଘଷି ଦେଇଥିଲା କାନ୍ଧରେ ରକା ଛାଡ଼ିଯିବ ବୋଲି । ଘନ ଆଜି ଆଉ ବାହାରି ନଥିଲା ବୋଲି ସେ ଏକାଏକା ଯାଉଥିଲା । ଏକା କାମକରିବାକୁ ସୁବିଧା ହୁଏନାହିଁ । ନିରୁପାୟ ହୋଇ ଏକା ଶଗଡ଼ଟାକୁ ଟାଣିଟାଣି ମାଲଗୋଦାମ ଆଡ଼କୁ ମୁହାଁଇଲା ଜଗୁ ।

ଫାଟକ ବନ୍ଦ ଥିଲା । ରେଳଗାଡ଼ି ଆସୁଥିଲା ବୋଲି ଅର୍ଗଳ ପଡ଼ିଥିଲା ସାମ୍ନାରେ । ଏକ ଫାଟକଟା ବନ୍ଦ ହୋଇଗଲେ ସମସ୍ତେ ଚିଡ଼ିଯାଆନ୍ତି ସିନା, ସେ କିନ୍ତୁ ଖୁସି ହୁଏ । ଟିକେ ବିଶ୍ରାମ କରିବାପାଇଁ ସମୟ ମିଳେ । ଗୋଟେ ବିଡ଼ି ଲଗାଇ ଟାଣିବାପାଇଁ ନିଆଁ ଧରାଏ ।

 

ଫାଟକ ସେ ପାଖରେ ଟ୍ରକ୍, ରିକ୍ସା, ଟାକ୍‌ସି । ତା’ ପଛକୁ ସାଇକେଲ ଓ ଶଗଡ଼ । ତା’ ପଛରେ ଗୋଟେ ବସ୍ ।

 

ମଣିଷମାନଙ୍କ ସହିତ ଏଇ ଗାଡ଼ି ଘୋଡ଼ାର ସଂଖ୍ୟାବି ବଢ଼ୁଛି । ଭାଗ୍ୟରେ ଥିଲେ ସେ ବି ଦିନେ ଯୋଡ଼ିବଳଦର ମାଲିକ ହବ, ଶଗଡ଼ ଗୋଟେବି କିଣିବ ।

 

ଫାଟକ ପାଖରେ ଛିଡ଼ାହୋଇ ଅନେକ କଥା ଭାବୁଥିଲା ।

 

ଦୁଇପାଖରେ ସାରି ସାରି ପକ୍କାଘର । ସେ ପିଲାବେଳେ ଗାଁ ଛାଡ଼ି ସହରକୁ ଆସିଥିଲା କାମପାଇଁ । ଆଉ ଫେରି ନାହିଁ । ରହିଯାଇଛି ସହରରେ । ସହର ତାକୁ ନଚିହ୍ନୁ ପଛେ ତା’ ପେଟ ଅପୋଷା ରହୁନାହିଁ । ପନ୍ଦର ବରଷ ରହିଲାଣି ସହରରେ । ଏଇ ସହରରେ ରୋଜଗାର କରି ସେ କୁଡ଼ିଆଟିଏ ତୋଳିଲା, କନକକୁ ବାହାହେଲା । ସେତେବେଳେ ସହରଟା ଏତେ ବଡ଼ ନଥିଲା, ଏତେ କୋଠାଘରବି ନଥିଲା । ଚାଳ, ଟାଇଲ୍, ଟିଣ ଘରକୁ ଭାଙ୍ଗି ବଡ଼ବଡ଼ କୋଠା ତୋଳା ହୋଇଛି । ସେଇ ବଡ଼ବଡ଼ କୋଠାଗୁଡ଼ାକୁ ଦେଖିବାପାଇଁ ସମୟ ପାଇ ନଥିଲା ଜଗୁ । ଆଜି ସେଇ ବଡ଼ବଡ଼ କୋଠାଗୁଡ଼ାକୁ ଦେଖି ଦେଇ ସେ ଅନୁଭବ କଲା ଯେ ତା’ର ଉଚ୍ଚତା ଓ ଓଜନ ସିନା ବଢ଼ିନାହିଁ; କିନ୍ତୁ ଅନେକ ବଡ଼ ହୋଇଛନ୍ତି, ସେମାନଙ୍କର ଉଚ୍ଚତା ଏବଂ ଓଜନବି ବଢ଼ିଛି; ଛୋଟ ଛୋଟ କୁଡ଼ିଆ ଭାଙ୍ଗି ବଡ଼ବଡ଼ ପ୍ରାସାଦ ତୋଳିଛନ୍ତି ସେମାନେ ।

 

ବ୍ୟସ୍ତ ମଣିଷ କେବଳ ଧାଇଁଛି । ପାପପୁଣ୍ୟର ବିଚାର କରିଥିଲେ ସେ ହୁଏତ ଆଗକୁ ଆସି ଏତେ ବଡ଼ବଡ଼ କୋଠା ତୋଳି ନଥାନ୍ତା ବା ଏତେ ଶୀଘ୍ର ମୋଟର ବା ବ୍ୟୋମଯାନରେ ବସି ଶହ ଶହ କୋଶ ଅତିକ୍ରମ କରି ପାରୁ ନଥାନ୍ତା । ପ।ପପୁଣ୍ୟଗୁଡ଼ା ବୋଧହୁଏ ମିଛକଥା, ନହେଲେ ମନର କଳ୍ପନା ସତ ହୋଇଥିଲେ ପୁଣ୍ୟବନ୍ତର ମଥାରେ ମୁକୁଟ ଏବଂ ପାପୀର ପିଠିରେ କୁଜ ଦେଖିବାକୁ ମିଳନ୍ତା ନିଶ୍ଚୟ ।

 

ରେଳଗାଡ଼ିଟି ଧୂଆଁ ଛାଡ଼ି ତାଳଦଣ୍ଡା କେନାଲ ଅତିକ୍ରମ କରି ଆଗେଇ ଆସୁଥିଲା । ବେକାର ଓ ଅଳସୁଆ ଜୀବନ ଏଇ ଧୂଆଁପରି ଆକାଶରେ ମିଳେଇଯାଏ ! କାମିକା ମଣିଷ ଆଗକୁ ଚାଲେ ଇଞ୍ଜିନ୍ ପରି କୋଇଲା ଜାଳି ବିଗୁଲୁ ବଜାଇ ।

 

ଟ୍ରେନ୍‌ର ବିଗୁଲୁ ସହିତ ତାଳଦେଇ ସୁସୁରି ବଜାଇଲା ଜଗୁ ।

 

ଚାରିଆଡ଼େ ଅସୁମାରି ମଣିଷଙ୍କ ମେଳା । ଷ୍ଟେସନ୍, ଫାଟକ, ରେଳଗାଡ଼ି, ବଜାର, ମନ୍ଦିର ସବୁଠାରେ ଭେଳା ଭେଳା ମଣିଷ । ସେମାନଙ୍କ ସଂଖ୍ୟା ଗଣିବାପାଇଁ କାହାରି ଫୁରୁସତ୍ ନାହିଁ । ସେମାନଙ୍କୁ ସ୍ଥାନ ଦେବାପାଇଁ ଘର ତୋଳା ହୁଏ । କିନ୍ତୁ ସବୁ ନିଅଣ୍ଟ ହୋଇଯାଏ । ଆହୁରି ଅନେକ ବେଶି ପ୍ରୟୋଜନ । ଅଣନିଃଶ୍ଵାସୀ ହୋଇ ପୁଣି ଦଉଡ଼େ ମଣିଷ ।

 

ଜଗୁର ନିଅଣ୍ଟିଆ ସଂସାରଟା ହଠାତ୍ ପଚାଶ ଟଙ୍କା ରୋଜଗାର କରି ଧନୀ ହୋଇଗଲା-। ରାତିସାରା ଚିନି ବୋଝେଇ କରି ପଚାଶ ଟଙ୍କା ଆୟ କରିଥିଲା ସେ । ଏତେଗୁଡ଼ାଏ ଟଙ୍କା ରାତିକରେ ରୋଜଗାର କରିଥିବାର ବିଶ୍ଵାସ କରି ପାରୁ ନଥିଲା ସହଜରେ । କିନ୍ତୁ କନକ ଥରେ ନୁହେଁ ପାଞ୍ଚଥର ଗଣି ଯେତେବେଳେ କହିଲା ସେ ଖାଣ୍ଟି ପଚାଶ, ସେତେବେଳେ ତା’ମୁହଁରୁ ଟିକେ ହସ ଝରି ପଡ଼ିଥିଲା । ସେଇ ହସ ଟିକକ ମନରେ ନିଶା ଲଗାଇଦେଇଥିଲା ବଞ୍ଚିବାପାଇଁ, ଆହୁରି କାମ କରିବାପାଇଁ । ସେଥିପାଇଁ ବେକରେ ରକା ଲାଗିଥିଲେବି ସେଥିକୁ ଖାତିର ନ କରି ସେ ବାହାରି ପଡ଼ିଥିଲା କାମ କରିବାପାଇଁ ।

 

ରେଳଗାଡ଼ିଟା ଚାଲିଗଲା ଭୂଇଁ କମ୍ପାଇ । ଅର୍ଗଳ ଉଠାଇଦେଇ ଗାଡ଼ିଘୋଡ଼ା ମଣିଷ ଯିବାଆସିବା କରିବାପାଇଁ ରାସ୍ତା ଖୋଲିଦେଲା ଫାଟକବାଲା ।

 

ଦୁଇଆଡ଼ୁ ଆଗେଇବା ପାଇଁ ଚେଷ୍ଟାକଲେ ମଣିଷ ଏବଂ ଯାନବାହନ । ଜୀବନ ପ୍ରବାହ ପୁଣି ମୁଖରିତ ହୋଇ ଉଠିଲା । ନିସ୍ତେଜ ହୋଇ ଯାଇଥିବା ମଣିଷମାନେ ଦମ୍ ନେଇ ଚାଲିଲେ ପୁଣି ।

 

ଶଗଡ଼କୁ ଆଗକୁ ଟାଣିଲା ଜଗୁ ! ଚକଟା ରେଳପହିରେ ବାଜି ଅଟକିଗଲା ଟିକେ । ଜୋର୍ କରି ଟାଣିନବା ଆଗରୁ ପଛରୁ ଆଗକୁ ଯିବାପାଇଁ ବାଜି ମାରୁଥିବା ଟ୍ରକ୍‌ର ଧକ୍କା ଲାଗିଲା ଆସି ଶଗଡ଼ ପଛରେ । ଧକ୍କା ସମ୍ଭାଳି ନପାରି ଛିଟିକି ପଡ଼ିଲା ଜଗୁ । ଶଗଡ଼ର ଚକ ଗୋଟେ ଭାଙ୍ଗିଯାଇ ତଳେ ପଡ଼ିଗଲା । ସାବଧାନ ହବାପାଇଁ ସମୟ ମିଳିଲା ନାହିଁ ।

 

ହାଁ ହାଁ କରି ଦଉଡ଼ି ଆସିଲା ପୁଲିସ୍ ଏବଂ ଫାଟକବାଲା । ଦଉଡ଼ି ଆସିଲେ ଦର୍ଶକ । ମୁହଁମାଡ଼ି ତଳେ ପଡ଼ିଥିଲା ଜଗୁ । ଲୁହ ଝରୁଥିଲା ଆଣ୍ଠୁ, କହୁଣି ଏବଂ କପାଳରୁ । ଝାଇଁ ଝାଇଁ କରୁଥିଲା ମୁଣ୍ଡ । ଶଗଡ଼ର ଭଙ୍ଗା ଚକ ଦେଖି ବେହୋସ ହୋଇ ଆସିଲା ଜଗୁ । ତାକୁ ଟାଣିନେଇ ଦୁଇ ବେତ ବସାଇ ଦେଇ କହିଲା ପୁଲିସ୍, ଶଳା... ବାହାଦୁରି ଭାଙ୍ଗିଲା ତ ଏଥର.... ।

 

ସବୁ ଅନ୍ଧାର ଦୁଶିଲା ଜଗୁକୁ । ମଥା ବୁଲେଇ ଦେଲା । ସମ୍ଭାଳି ନପାରି ତଳେ ପଡ଼ିଗଲା ସେ । ଆଉ ତା’ ମୁହଁରୁ ବାହାରି ପଡ଼ିଲା, ମୋ ଶଗଡ଼...ମୋ ଶଗଡ଼.... ।

 

ଡାକ୍ତର ପରୀକ୍ଷାକରି କହିଲେ ସେ ହାତର ହାଡ଼ ଭାଙ୍ଗିଯାଇଛି, କପାଳରେ ପଥରଖଣ୍ଡେ ଗଳି ଯାଇଛି । ଜାଗା ନଥିଲା ଡାକ୍ତରଖାନାରେ । ତଥାପି କୁହାବୁଲା କରି ଜଗୁପାଇଁ ଭୂଇଁ ଉପରେ ଟିକେ ଜାଗା କରିନେଲା କନକ ।

 

କନକର ହାତଟିକୁ ଛାତି ଉପରେ ଡାକିରଖି ସେ କହିଲା, ‘‘ପାପର ପ୍ରାୟଶ୍ଚିତ୍ତଲୋ କନକ !”

 

କନକ କିଛି ବୁଝି ପାରୁ ନଥିଲା । ତା’ର ସମସ୍ତ ଆଶା ଆକାଂକ୍ଷା ଠୁଳ ହୋଇଥିଲା ଗୋଟିଏ ବିନ୍ଦୁରେ । ତା’ ହାତକୁହଲାଇ ଦେଇ ସଜଳ ଆଖିରେ କହିଲା ଜଗୁ, “କଳାବଜାରକୁ ଚିନି ପଠାଇବାରେ ସାହାଯ୍ୟ କରି ଶହେ ଟଙ୍କା ରୋଜଗାର କରିଥିଲି ବୋଲି ହନୁମାନଜୀ ଏଇ ଶାସ୍ତିଦେଲେଲୋ କନକ ! ଆମେ ଗରିବ, ଆମେ ମେହେନତ କରିବା ଲୋକ । ପୁଣ୍ୟ ନହେଉ ପାପବି ଆମକୁ ସହେନାଲୋ କନକ ।”’

 

ପାପ ପୁଣ୍ୟର ପୃଥିବୀଟା ଅନେକ ବଡ଼ ହେଲେବି ଅତି ଛୋଟ ହୋଇ ଆସିଲା ।

 

ଜଗୁ ଡୋଳା ଲେଉଟାଇ ଅସ୍ପଷ୍ଟ ଭାବରେ କହିଲା, “ଏ ଜନ୍ମରେ ନହେଉ ପରଜନ୍ମରେ ମୋତେ ଶଗଡ଼ର ମାଲିକ କରିଦିଅ ବଜରଙ୍ଗବାଲି । କାଳିଆ କଷରା ନହେଉ, ମୋ ଦିହରେ ଆହୁରି ବଳ, ଆହୁରି ସାହସ ଦିଅ ହନୁମାନଜୀ । ମାଲଗୋଦାମ ରାସ୍ତାଟା ସମତଳ ହଉ ବା ନହେଉ କିଛି ଯାଏଆସେ ନାହିଁ । ମୁଁ ଲଢ଼ିବି…ଜୀବନପାଇଁ, କନକପାଇଁ, ପୁଅଝିଅ ପାଇଁ ଲଢ଼ିବି…ହଁ ନିଶ୍ଚେ ଲଢ଼ିବି ।”

 

କନକ ତା’ ମଥା ଉପରେ ହାତ ବୁଲାଇ ଦେଇ କହିଲା, ‘‘ତୁମେ କାନ୍ଦୁଛ ! ସେଇ ପଚାଶ ଟଙ୍କା ସିମିତି ପଡ଼ିଛି ପେଡ଼ିରେ । କାଲି କେନାଲ ପାଣିରେ ଭସାଇ ଦେଇ ଆସିବି ।”

 

ଜଗୁ ବାଷ୍ପାକୁଳ କଣ୍ଠରେ କହିଲା, ‘‘ସେୟା କର, ସେୟା କରି କନକଲତା...।”

Image

 

ଶ୍ରୀ ବିଜୟକୃଷ୍ଣ ମହାନ୍ତି

ମୁଖାବଲୋକନ

 

ସତ୍ୟ ଓ ନ୍ୟାୟକୁ ନେଇ ସବୁବେଳେ ସମାଜରେ ନିରାପଦରେ ଚଳିହୁଏ ନାହିଁ । ପରିସ୍ଥିତି ବିବେଚନା କରି ସତ୍ୟ ଓ ନ୍ୟାୟକୁ ତେଣୁ ପ୍ରୟୋଗ କରିବାକୁ ପଡ଼େ ।

 

ଅଫିସ୍‍ରେ କାମ ସରୁ ସରୁ ରାତି ଆଠଟା ହୋଇଯିବାରୁ ଆଉ ଘରକୁ ନ ଫେରି ସିଧା ଯାଇଥିଲି ମୋର ବନ୍ଧୁ ସୁଧାଂଶୁ ଘରକୁ ତା’ ପୁଅର ଅନ୍ନପ୍ରାଶନ ଉତ୍ସବରେ ଯୋଗ ଦେବାକୁ । ସେଠାରୁ ଘରକୁ ଫେରିବାବେଳକୁ ରାତି ସାଢ଼େଦଶଟା, ଦେହରୁ ହାୱାନି କାଢ଼ିବାକୁ ଯାଇ ହଠାତ୍ ଆବିଷ୍କାର କଲି ଛାତି ପକେଟରେ ଚଷମା ନାହିଁ, ଅଫିସ୍‍ରେ ଛାଡ଼ି ଆସିଛି ।

 

ଏତେ ରାତିରେ ଅଫିସ୍‍କୁ ଯାଇ ଚଷମା କ’ଣ ଆଣି ହେବ ?

 

ପ୍ରତ୍ୟହ ବହୁତ ରାତିଯାଏ ଲେଖିବା ପଢ଼ିବା ମୋର ଅଭ୍ୟାସ ।

 

ମାତ୍ର ଏବେ କରେ କ’ଣ ?

 

ନିର୍ଦ୍ଦିଷ୍ଟ ସମୟ ଆଗରୁ କଦାପି ନିଦ ହେବ ନାହିଁ ।

 

ତେବେ ଉପାୟ ?

 

ଉପାୟ ସହସା ସ୍ପଷ୍ଟ ହୋଇଗଲା ସାମ୍ନାରେ ।

 

କିଛି ଚିନ୍ତାର ଯଦି ଆଶ୍ରୟ ନିଆଯାଏ ।

 

ମାତ୍ର ସେ ନିର୍ଦ୍ଦିଷ୍ଟ ଚିନ୍ତାର ସ୍ଵରୂପ କ’ଣ ହେବ ?

 

ଆଜି ସମଗ୍ର ଦିନର ଘଟଣାସମୂହକୁ ମନେମନେ ବିଶ୍ଳେଷଣ କରାଗଲେ କିପରି ହୁଅନ୍ତା ?

 

ସମୟ ଅଭାବରୁ ପ୍ରତ୍ୟହ ଏପରି ବିଶ୍ଳେଷଣ କ’ଣ କେବେ ସମ୍ଭବ ? ଅଥଚ ବିଶ୍ଳେଷଣ କରାଗଲେ ଦେଖାଯା’ନ୍ତା ଅନେକ ଛୋଟ ଛୋଟ ଘଟଣା, ଯାହା ସମ୍ପର୍କରେ ଆମ୍ଭେମାନେ ଆଦୌ ଚିନ୍ତା କରୁନା, ସେ ସବୁର ଅନ୍ତରାଳରେ ଅନେକ କିଛି ଦେଖିବାର ଥାଏ । କିନ୍ତୁ ଜଞ୍ଜାଳମୟ ଜୀବନରେ ଏପରି ପର୍ଯ୍ୟବେକ୍ଷଣ ଲାଗି ଅବସର କାହିଁ ?

 

ଘରର ଆଲୋକ ନିର୍ବାପିତ କରିଦେଇ ଚୁପ୍‌ଚାପ୍ ବସି ଆଜିର ଘଟଣାମାନଙ୍କୁ ସମ୍ମୁଖକୁ ଟାଣିଆଣି ସେମାନଙ୍କୁ ନିଖାରି ଦେଖିବାର ଲୋଭସମ୍ବରଣ କରିପାରିଲି ନାହିଁ ।

 

ଭୋରରେ ଶଯ୍ୟା ତ୍ୟାଗକରି ବାହାର ବାରଣ୍ଡାକୁ ଆସି ପ୍ରଥମେ ଅକସ୍ମାତ୍ ଯେଉଁ ପ୍ରତିବେଶୀଙ୍କ ମୁଖ ଦର୍ଶନ କଲି ତାଙ୍କର ମୁଖାବଲୋକନ ସମ୍ପର୍କରେ ଯଥେଷ୍ଟ ଦୁର୍ନାମ ରହିଛି । ସେ ବିଦୁରବାବୁ–ଅଫିସ୍‍ର ସହକର୍ମୀ ମୋର–ଫୁଲଡ଼ାଲା ଓ ନଗି ଧରି ତରତର ହୋଇ ଫୁଲ ତୋଳିବାକୁ ଯାଉଥିଲେ ।

 

ମୋତେ ସେ ଦେଖିନାହାନ୍ତି; ମୁଁ କିନ୍ତୁ ତାଙ୍କୁ ଦେଖିଛି ।

 

ମନଟା ମୋର ହଠାତ୍ ବିଷଣ୍ଣ ହୋଇଗଲା ।

 

ମନର ପ୍ରକୃତି ସମ୍ଭବତଃ ଏହିପରି ।

 

ଯେତେଦିନ ଯାଏଁ ଏ ମୁଖାବଲୋକନ ସମ୍ପର୍କରେ ମୁଁ କିଛି ଜାଣି ନଥିଲି, ସବୁ ଠିକ୍ ଥିଲା-। ବହୁବାର ନିଦରୁ ଉଠି ପ୍ରଥମେ ବିଦୁରବାବୁଙ୍କ ମୁହଁ ଦେଖିଛି; ଅଥଚ ସେ ସମ୍ବନ୍ଧରେ କୌଣସି ଦୁଶ୍ଚିନ୍ତା ମୋର ମନକୁ କେବେ ଆସିନାହିଁ । ମାତ୍ର ମୋର କେତେ ଜଣ ବନ୍ଧୁ ଓ ମୋର ପତ୍ନୀ-ସ୍ନେହ ଚିନ୍ତା-ଜଗତରେ ବିଭ୍ରାଟ ସୃଷ୍ଟି କରିଦେଲେ । ସେହି ମୁଖାବଲୋକନ ସମ୍ପର୍କୀୟ ସେମାନଙ୍କ ଅଭିଜ୍ଞତାର ବିବିଧ ବିପର୍ଯ୍ୟୟର କଥାମାନ କହି ମୋର ସ୍ଵାଧୀନ ଓ କୁସଂସ୍କାର–ମୁକ୍ତ ସ୍ଥିରଚିନ୍ତାକୁ ଚହଲାଇଦେଲେ । ମୁଁ ସେମାନଙ୍କ ଚିନ୍ତାର ପ୍ରତିବାଦ କରିବା ସତ୍ତ୍ୱେ ଅନୁଭବ କଲି ସେଇ ଚିନ୍ତାଦ୍ଵାରା ମୋ ମନ ସଂକ୍ରମିତ ହୋଇଯାଇଛି ।

 

ମନକୁ ଯେତେ ବୁଝାଇଲେ ମନ ବୁଝୁନି ।

 

କୌଣସି ଯୁକ୍ତି ସେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ।

 

ନ ଜାଣି ଶ୍ମଶାନ ପାଖଦେଇ ବହୁବାର ଯା-ଆସ କରିଛି, ମନ ଉପରେ କୌଣସି ପ୍ରଭାବ ପଡ଼ିନି ତା’ର; ଅଥଚ ଥରେ ଶ୍ମଶାନ ସମ୍ପର୍କରେ ସଚେତନ ହୋଇଯିବା ପରେ ରାତିରେ ସେଇ ବାଟଦେଇ ଏକାକୀ ଯିବାବେଳେ ଭୟ ଆସିଯାଉଛି ମନରେ, ଅନିଶ୍ଚିତ ଆଶଙ୍କାରେ ଛାତି ଥରିଉଠୁଛି ।

 

ପ୍ରକୃତ ଦୁଃଖଭୋଗ ନ କରି ମଧ୍ୟ ଅଯଥା ଆଶଙ୍କାରେ ଆତଙ୍କିତ ହୋଇ ରହିବାଟା ଯେ ବଡ଼ ଦୁଃଖ !

 

ଭାବିଲି ମୁଖାବଲୋକନ ସମ୍ପର୍କରେ ପରୀକ୍ଷା କରି ଦେଖିବି ତେବେ ଆଜି ।

 

ଏପରି ଏକ ଧାରଣାର ସତ୍ୟାସତ୍ୟ ସମ୍ବନ୍ଧରେ ସ୍ଥିର ନିଶ୍ଚୟ ହେବାକୁ ପଡ଼ିବ ।

 

ଖାଇବସି ଆସ୍ୱାଦନ କରି ଜାଣିଲି ଡାଲିରେ ଲୁଣ ପଡ଼ିନି ।

 

ପତ୍ନୀଙ୍କୁ କହିବାରୁ ସେ ଅପ୍ରସ୍ତୁତ ହୋଇଗଲେ ଓ ସଙ୍ଗେ ସଙ୍ଗେ ନିଜର ଭୁଲ ସଂଶୋଧନ କରିନେଲେ ।

 

ମୋର ବିଦୁରବାବୁଙ୍କ ମୁହଁ ଦେଖିବା ସହ ଏ ଭୁଲର କୌଣସି ଯୋଗାଯୋଗ ଅଛି କି-?

 

ଖାଇସାରିବା ପରେ ପାଣି ପିଇବାକୁ ଗ୍ଲାସ୍ ଉଠାଇ ନେଇ ଆଶ୍ଚର୍ଯ୍ୟ ହୋଇ ଲକ୍ଷ୍ୟକଲି ପାଣି ଗୋଳିଆ ଦିଶୁଛି ।

 

ମୋ ମୁହଁ ଉପରେ ବିରକ୍ତିର ଚିହ୍ନ ଲକ୍ଷ୍ୟକରି ପତ୍ନୀ କହିଲେ, ‘‘ଆଜି କଳରେ ଏପରି ଗୋଳିଆ ପାଣି ଆସିଛି ।”

 

“ତା’ ବୋଲି ତୁମେ ସେ ପାଣି ମୋତେ ସେମିତି ଦେଇଦେବ ! ପିଇବାପାଣି ଶୋଧନ କରି ଦେଇପାରିଥା’ନ୍ତ ।’’ ମୁଁ କ୍ଷୋଭ ପ୍ରକାଶ କଲି ।

 

ସେ ଅଧୋବଦନରେ ନୀରବରେ ଠିଆହୋଇ ରହିଲେ । ସ୍ତ୍ରୀଙ୍କର ସ୍ଵାସ୍ଥ୍ୟ ସମ୍ପର୍କୀୟ ସାଧାରଣଜ୍ଞାନର ଅଭାବ ସହିତ ବିଦୁରବାବୁଙ୍କ ମୁଖଦର୍ଶନର ସମ୍ବନ୍ଧ କିଛି ରହୁଛି କି ?

 

ଅଫିସ୍‍ରେ ପହଞ୍ଚି ଟେବୁଲ ଡ୍ରୟାର ଖୋଲିଦେଇ ଲକ୍ଷ୍ୟକଲି ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥାନ ଖାତାଟି ନାହିଁ । ଦଶଟା ପାଞ୍ଚ ହୋଇଗଲାଣି । ସେକ୍‌ସନ୍‌ର ଅନ୍ୟାନ୍ୟ ବନ୍ଧୁମାନେ ଉପସ୍ଥାନ ଖାତାରେ ନିଜ ନିଜର ସ୍ଵାକ୍ଷର ଦେବାଲାଗି ଅପେକ୍ଷା କରି ଠିଆହୋଇଛନ୍ତି । ମୋ ସାମ୍ନାରେ I ଦଶଟା ସୁଦ୍ଧା ଆମ ଅଫିସରଙ୍କ ଟେବୁଲ ଉପରକୁ ଉପସ୍ଥାନ ଖାତା ଯିବାର କଥା; ନଚେତ୍ ରାଗି ସେ ନିଆଁବାଣ ହୋଇଯିବେ ।

 

ଅଫିସର ‘କେଆର୍‍ଟେକର’ ଉପସ୍ଥାନ ଖାତା ନେବାଲାଗି ଯମଙ୍କ ଭଳି ଠିଆହୋଇରହିଛି ସମ୍ମୁଖରେ । ମାତ୍ର ଖାତା କାହିଁ ? ତନ୍ନତନ୍ନ କରି ସବୁଆଡ଼ ଖୋଜାସରିଲାଣି; ମାତ୍ର ଖାତା ମିଳୁନାହିଁ । ଡ୍ରୟାର ଖୋଲି କେହି ନେଇଗଲା କି ଆଉ ? ମାତ୍ର ଅନ୍ୟ କିଏ କାହିଁକି ବା ନେବ ? କାହାର କି ସ୍ଵାର୍ଥ ବା ଅଛି ? ବିରକ୍ତ ହୋଇ ‘କେଆର୍‍ଟେକର’ ଚାଲିଗଲା ।

 

ମୁହୂର୍ତ୍ତ କେତେକ ପରେ ଫୋନ୍‌ରେ ଆମ ଅଫିସରଙ୍କ ବିରକ୍ତି ପ୍ରକାଶ ପାଇଲା–ଆଟେଣ୍ଡେନ୍‍ସ୍‌ ରେଜିଷ୍ଟ୍ରର ଆଜି ତାଙ୍କ ନିକଟକୁ ନ ଗଲା କାହିଁକି ? ପ୍ରକୃତ ଘଟଣା ତାଙ୍କୁ ଜଣାଇଲି-। ମାତ୍ର ତାଙ୍କର ବିରକ୍ତି ଊଣା ହେବାର ନୁହେଁ : ଆପଣ ଆଟେଣ୍ଡେନ୍‍ସ୍‌ ରେଜିଷ୍ଟର ଏପରି ଦାୟିତ୍ଵହୀନଭାବେ କାହିଁକି ରଖୁଥିଲେ ? ଅଣ୍ଡର ଲକ୍ ରଖାଯିବା ଉଚିତ, ସେ ଯା’ ହେଉ ଆପଣ ଖାତା ଖୋଜି ମୋ ପାଖକୁ ପଠାନ୍ତୁ ।

 

ଡେରିରେ ହେଉ ପଛେ ଖୋଜୁ ଖୋଜୁ ଖାତାଟି ମିଳିଗଲା । ଗୋଟିଏ ଫାଇଲ୍ ଭିତରେ ବନ୍ଧା ହୋଇ ରହିଯାଇଥିଲା; ଭୁଲରେ ଅଥଚ ମୋର ଧାରଣା ଟେବୁଲ ଡ୍ରୟାରରେ ମୁଁ ରଖିଛି ।

 

ମୋର ଅସାବଧାନତା ଯୋଗୁଁ ଏ ଯେଉଁ ଦୁଃଖଦାୟକ ପରିସ୍ଥିତିର ଉଦ୍ଭବ ହେଲା, ବିଦୁରବାବୁଙ୍କ ମୁଖାବଲୋକନ କ’ଣ ତା’ର ହେତୁ ?

 

ଅପରାହ୍‌ଣ ସାଢ଼େ ତିନିଟାବେଳେ ମୋର ବନ୍ଧୁ ନରେନ୍ଦ୍ର କହିଲା, “ଚାଲ, କ୍ୟାଣ୍ଟିନ୍‍ରେ ଚା’ ପିଇ ଆସିବା । କ୍ୟାଣ୍ଟିନ୍‍ରେ ଭିଡ଼ । ବସିବାକୁ ଜାଗା ନାହିଁ । ତେଣୁ ଠିଆହୋଇ ଦୁହେଁ ଚା’ ଖାଉଛୁ, ଜଣେ ଭଦ୍ରଲୋକ ଦ୍ରୁତଗତିରେ ମୋ ପାଖଦେଇ ଚାଲି ଯାଉଯାଉ ମୋ ସଙ୍ଗେ ତାଙ୍କର ହଠାତ୍ ଧକ୍କା ହୋଇଗଲା । ଫଳରେ ହାତରେ ଧରିଥିବା କପ୍‍ର ଚା’ ଚହଲିଯାଇ ମୋର ହାୱାନି ଓ ପେଣ୍ଟ୍‍ରେ ପଡ଼ିଗଲା । ଭଦ୍ରଲୋକ ଅବଶ୍ୟ ନିଜର ଅସାବଧାନତା ପାଇଁ କ୍ଷମା ମାଗିଲେ ମୋ ନିକଟରୁ । କିନ୍ତୁ କି କ୍ଷମା ବା ତାଙ୍କୁ ଦେବି ? ଆହତ ମନର ଯନ୍ତ୍ରଣା ଗୋପନ ରଖି ସୌଜନ୍ୟଦୃଷ୍ଟିରୁ କହିପକାଇଲି, ‘ନା–ନା, କିଛି ହୋଇନି ।’

 

ଚାହାପିଆ ସେତିକିରେ ରହିଲା । ପାଣି ପାଇପ୍ ପାଖକୁ ଯାଇ ଚୋଳ ଚୋଳ କରି ପାଣିଆଣି ହାଓ୍ୱାନ ଓ ପେଣ୍ଟ୍‍ରେ ଯେଉଁ ସ୍ଥାନରେ ଚାହା ପଡ଼ିଯାଇଥିଲା, ତାହା ସଫା କରିବାକୁ ଲାଗିଲି ।

 

ବନ୍ଧୁ ନରେନ୍ଦ୍ର ଦୁଃଖକରି କହିଲା, ‘‘ତୋତେ ଚାହା ପିଇବାକୁ ଡାକିଆଣି ନଥିଲେ ଏ ଦୁର୍ଦ୍ଦଶା ତୋର ହୋଇ ନଥାନ୍ତା ।”

 

ଏ ଯେଉଁ ବିପର୍ଯ୍ୟୟ ଘଟିଗଲା, ବିଦୁରବାବୁଙ୍କ ମୁଖଦର୍ଶନ କ’ଣ ଏଥିଲାଗି ଦାୟୀ ?

 

ପାଞ୍ଚଟା ପରେ ଅଫିସ୍‍ରେ ମୁଁ ପ୍ରାୟ ରହେ ନାହିଁ । ଅଫିସ୍ ସମୟ ମଧ୍ୟରେ କାମସାରି ଦେଇଥାଏ । ଆଜି ସୁଧାଂଶୁ ପୁଅର ଅନ୍ନପ୍ରାଶନ । ଘରକୁ ଫେରି ସ୍ନାନ ଇତ୍ୟାଦି ଶେଷକରି ତା’ ଘରେ ଯାଇ ପହଞ୍ଚିବାକୁ ପଡ଼ିବ । ସେକ୍‍ସନ୍‍ରୁ ବାହାରିଆସୁଛି, ଆମ ଅଫିସରଙ୍କ ଅଡ଼ରଲୀ ଆସି ଖବର ଦେଲା–ସାହେବ ମୋତେ ଡାକୁଛନ୍ତି ।

 

ଶୁଣିଦେଇ ମନଟା ମରିଗଲା । ନିଶ୍ଚୟ କୌଣସି କାମର ବରାଦ ସେ କରିବେ ।

 

କଲେ ମଧ୍ୟ । ଜରୁରୀ ଗୋଟିଏ ଫାଇଲ୍ ମୋତେ ଧରାଇଦେଲେ ଶୀଘ୍ର କରିଆଣିବାକୁ-

 

ଶୀଘ୍ର କହିଲେ କ’ଣ ଶୀଘ୍ର ହୋଇଯାଏ ?

 

ତାଙ୍କର ଆଦେଶ ପାଳନ କରି ଅଫିସ୍‍ରୁ ବାହାରିବାବେଳକୁ ରାତି ଆଠଟା ।

 

ଏତେବେଳେ ଆଉ ଘରକୁ ଫେରିବି କ’ଣ, ସିଧା ଗଲି ସୁଧାଂଶୁ ଘରକୁ ।

 

ସକାଳୁ ଲାଗିରହିଥିବା ଦୁର୍ଘଟଣାମାନଙ୍କର ସମ୍ଭବତଃ ପରିସମାପ୍ତି ଘଟି ନଥିଲା ।

 

ପଂକ୍ତି-ଭୋଜନରେ ବସି ପତ୍ରରେ ଆଳୁ-ପୋଟଳରସା ମଧ୍ୟରୁ ଆବିଷ୍କାର କଲି ଏକ ସୁସିଦ୍ଧ ଅସରପା । ପୋଟଳ ବୋଲି ତ ଓଠ ପାଖକୁ ଉଠାଇନେଇଥିଲି; ଭାଗ୍ୟକୁ ଦୃଷ୍ଟି ପଡ଼ିଗଲା । ଘୃଣାରେ ସମସ୍ତ ଦେହ ଶିହରି ଉଠିଲା ମୋର । କିନ୍ତୁ ଏ ବ୍ୟାପାର ଯଦି ପ୍ରଘଟ କରିଦିଏ, ତେବେ ତାହା ଆନନ୍ଦମୟ ପଂକ୍ତି-ଭୋଜନରେ ଏକ ବିସ୍ଫୋରଣ ସୃଷ୍ଟି କରିବ; ଅଥଚ ସତ୍ୟ ପ୍ରକାଶ ନ କଲେ ତାହା ଏକ ଅପରାଧ ହେବ ।

 

ଏଭଳି ପରିସ୍ଥିତିରେ ମୋର କର୍ତ୍ତବ୍ୟ ତେବେ କ’ଣ ? ମୁଁ ତୃତୀୟ ବ୍ୟାଚ୍‌ ପଂକ୍ତି-ଭୋଜନରେ ବସିଥିଲି । ଏହା ପୂର୍ବରୁ ଯେଉଁ ଦୁଇଟି ବ୍ୟାଚ୍‌ରେ ଭଦ୍ରଲୋକମାନେ ବସିଥିଲେ ସେମାନେ ତ ପୁଣି ଏ ଆଳୁ-ପୋଟଳରସା ଖାଇଥିବେ ? ତଦ୍ଦ୍ଵାରା କି ସର୍ବନାଶ ବା ହୋଇଯିବ ସେମାନଙ୍କର ?

 

ସତ୍ୟ ପ୍ରକାଶ କରିଦେଲେ ମୁଁ ହୁଏତ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବି; ମାତ୍ର ସୁଧାଂଶୁର ଅବସ୍ଥା କ’ଣ ହେବ ?

 

ସତ୍ୟ ଓ ନ୍ୟାୟକୁ ନେଇ ସବୁବେଳେ ସମାଜରେ ନିରାପଦରେ ଚଳିହୁଏନାହିଁ ପରିସ୍ଥିତି ବିବେଚନା କରି ସତ୍ୟ ଓ ନ୍ୟାୟକୁ ତେଣୁ ପ୍ରୟୋଗ କରିବାକୁ ପଡ଼େ ।

 

ତୀବ୍ର ମାନସିକ ଅଶାନ୍ତି ନେଇ ସୁଧାଂଶୁ ଘରୁ ମୁଁ ଫେରିଥିଲି । ଘରେ ପହଞ୍ଚି ହଠାତ୍‌ ପୁଣି ଆବିଷ୍କାର କଲି ଚଷମାଟି ଅଫିସ୍‍ରେ ଛାଡ଼ିଦେଇ ଆସିଛି ।

 

ଏତେ ସବୁ ବିପର୍ଯ୍ୟୟ ଓ ତୀବ୍ର ମାନସିକ ଅଶାନ୍ତିର କାରଣ କ'ଣ ତେବେ ସକାଳେ ବିଦୁରବାବୁଙ୍କ ମୁଖାବଲୋକନ ?

 

ମାତ୍ର ସେଇ ମୁଖାବଲୋକନ ହେତୁ ଏଇ ଗଳ୍ପଟିର ଆତ୍ମପ୍ରକାଶ ତ ପୁଣି ସମ୍ଭବ ହେଲା-

Image

 

Unknown

ଶ୍ରୀ ଜେନାମଣି ନରେନ୍ଦ୍ର କୁମାର

ଅପେକ୍ଷାର ପରିଧିରେ

 

ବିରକ୍ତି, କ୍ରୋଧ ବା ସେହିଭଳି ଖରାପ ଅବସ୍ଥା ସବୁ ଚାକିରି ପ୍ରତି ଯେଭଳି ଅସୁବିଧାଜନକ, ବ୍ୟବସାୟ ସଂସ୍ଥା ପ୍ରତି ମଧ୍ୟ ସେତିକି ମାରାତ୍ମକ । ଅପରପକ୍ଷେ ଏହି ସବୁ ଖରାପ ଅବସ୍ଥା ସୃଷ୍ଟି ହେବାରେ ସଂଯମ କରିହେଲେ ଏବଂ ବିଶେଷତଃ କମ୍ପାନୀର ଉଚ୍ଚପଦସ୍ଥ ଏବଂ ସିଦ୍ଧାନ୍ତ ଗ୍ରହଣକାରୀ ବ୍ୟକ୍ତି ଏହା କରିପାରିଲେ, କମ୍ପାନୀର ଉନ୍ନତି ସାଧିତ ହେବା ମାତ୍ର ସ୍ଵାଭାବିକ-। ଏହା ଫଳରେ କମ୍ପାନୀର ଉଦ୍ୟୋଗୀ କର୍ମଚାରୀ ଯେ ପୁରସ୍କୃତ ହେବେ, ଏଥିରେ ବୈଚିତ୍ର୍ୟ କିଛି ନାହିଁ ।

 

ଛାତପଙ୍ଖାର ହାଣ୍ଡିରେ ଦାଗହୀନ ଇସ୍ପାତ କିମ୍ବା କ୍ରୋମିଅମ୍‌ ପ୍ଲେଟିଂ ଧାତୁର ଏକ ଗୋଲାକାର ବସ୍ତୁ ଦିଆଯାଇଛି–ନିଶ୍ଚିତ ତା’ର ସୌନ୍ଦର୍ଯ୍ୟ ଏବଂ କିମ୍ବା ଆଭିଜାତ୍ୟ ବୃଦ୍ଧିପାଇଁ, ଯାହା ଉପରେ ରକ୍ଷିତ ତାଙ୍କ ମୁହଁଟି ସବୁବେଳେ ଦେଖିପାରୁଛନ୍ତି । ଘୂର୍ଣ୍ଣାୟମାନ ଅବସ୍ଥାରେ ଚକତିଟି ପ୍ରାୟ ସ୍ଥିର ରହୁଥିବାରୁ ମୁହଁର ପ୍ରତିବିମ୍ବ ସେହିଭଳି ଦେଖାଯାଉଛି । ନିରୀକ୍ଷଣ କଲେ ଜଣାପଡ଼ୁଛି, ପଙ୍ଖାଟିର ଅତି ସାମାନ୍ୟ ଦୋଳନ, ଯାହା ଯେତେ ସତର୍କ ମିସ୍ତ୍ରି ମଧ୍ୟ ଦୂର କରିପାରିବ ନାହିଁ । ପ୍ରତିବିମ୍ବଟିକୁ ସାମାନ୍ୟ ଇତସ୍ତତଃ କରୁଛି । ଏମିତି ଦେଖିଲେ ତାହା ଜାଣିହେବା ସମ୍ଭବ ନୁହେଁ ।

 

ପ୍ରତିବିମ୍ବଟି ପ୍ରାୟଶଃ ବିକୃତ । କାରଣ ଚକତିଟି ଏକ ସମତଳ ଅଇନା ନୁହେଁ–ଏହା ଉତ୍ତଳ । ମୁହଁଟିର ଓସାର ବଢ଼ିଯିବା ଫଳରେ ଏହା ରକ୍ଷିତ୍‌ଙ୍କ ମୁହଁର ଏକ କାର୍ଟୁନ୍‌ ଭଳି ଦେଖାଯାଉଛି । ସବୁଠୁଁ ବିରକ୍ତିକର ହୋଇଛି ଛୋଟ ହୋଇଯାଇଥିବା ନାକ ଏବଂ ଲମ୍ବା ହୋଇଯାଇଥିବା ରଷିତ୍‌ଙ୍କ ସରୁ ସରୁ ପୂରା ନିଶହଳକ । ଆଖି ଦୁଇଟା ପୋଟଳଚିରା ହୋଇଯାଇଛି, ମଧ୍ୟଯୁଗୀୟ ତୈଳଚିତ୍ରରେ ଅଙ୍କିତ ହୋଇଥିବା ମଦାଳସାଙ୍କ ଆଖିଭଳି । ଏହା ତୃପ୍ତିକର ହେଉଛି । କିନ୍ତୁ ଅତି ବୈଜ୍ଞାନିକ ପ୍ରଣାଳୀରେ ବଢ଼ାଯାଇଥିବା ଲମ୍ବା କଲି ଦୁଇଟାଯାକ ଛୋଟ ହୋଇଯାଇଛି ଏବଂ ଦୁଇପାଖରେ ମେଞ୍ଚାମେଞ୍ଚା ହୋଇ ଦେଖାଯାଇ‌ ମୁହଁଟିକୁ ବିଶ୍ରୀ କରିବାର ଏକ ପ୍ରଧାନ କାରଣ ହୋଇଯାଇଛି ।

 

ଅଫିସ୍ ଟେବୁଲ୍‌ରେ ଚୌକିକୁ ଏପାଖ ସେପାଖ କରିଦେବାର ସୁଯୋଗ ଖୁବ୍‌ କମ୍‌ । ରକ୍ଷିତ୍‌ ସେ ସରୁ ପରୀକ୍ଷା କରି ଦେଖିଲେଣି । ସବୁ ଅବସ୍ଥାରେ ମୁହଁଟିର ପ୍ରତିବିମ୍ବ ସେହିଭଳି ରହୁଛି, ଏବଂ ବେଳେବେଳେ ଆହୁରି ବିକୃତଭାବେ ଦେଖାଦେଉଛି ।

 

ରକ୍ଷିତ୍‌ଙ୍କର କାର୍ଯ୍ୟ ମୁଖ୍ୟତଃ ସିଦ୍ଧାନ୍ତ ଗ୍ରହଣ କରିବା । ସେ କମ୍ପାନୀର ମୁଖ୍ୟ ସେକ୍ରେଟେରୀ । ତେଣୁ ଅନେକ ସମୟରେ ମୁହଁରେ ଜଳନ୍ତା ସିଗାରେଟ ଧରାଇ ତାଙ୍କୁ ଉପରକୁ ଚାହିଁ ଭାବିବାକୁ ପଡ଼େ । ଠିକ୍‌ ସେତିକିବେଳକୁ ତାଙ୍କର ମୁହଁର ବିଶ୍ରୀ ପ୍ରତିବିମ୍ବ ତାଙ୍କ ଚିନ୍ତାଧାରାରେ ବ୍ୟାଘାତ ଘଟାଏ । ସେ ଯେତେବେଳେ ଅଧିକ ଚିନ୍ତିତ ରହନ୍ତି, ମୁହଁ ଅଧିକ ଗମ୍ଭୀର ରହେ, କପାଳ ଅଧିକ କୁଞ୍ଚିତ ରହେ; ସେତେବେଳେ ମୁହଁ ଆହୁରି ଗମ୍ଭୀର ଦେଖାଯାଏ । ଅଫିସ୍‌ର କୌଣସି କର୍ମଚାରୀଙ୍କ ଉପରେ ଯେତେବେଳେ ସେ ଅଧିକ ବିରକ୍ତ ହୋଇଯାଆନ୍ତି, ସେତେବେଳେ ଉପରକୁ ଆପେଆପେ ନଜର ଚାଲିଯାଏ ଏବଂ ସେ ଦେଖନ୍ତି ତାଙ୍କର ମୁହଁର ପ୍ରତିବିମ୍ବ ଅତ୍ୟନ୍ତ କ୍ରୁଦ୍ଧ ଓ ଭୟଙ୍କର ଦେଖାଯାଉଛି ।

 

ସେ ଯେତେବେଳେ କୌଣସି କାରଣରୁ ହସିଉଠନ୍ତି, ତାଙ୍କର ମୁହଁର ପ୍ରତିବିମ୍ବ ଏଭଳି କୌତୁକିଆ ଦେଖାଯାଏ ଯେ, ତାହା ହସର ମାତ୍ରା ବଢ଼େଇ ଦେବାରେ ସାହାଯ୍ୟ କରେ । କିନ୍ତୁ ବିରକ୍ତ ବା କ୍ରୁଦ୍ଧ ହେଲାବେଳେ ପ୍ରତିବିମ୍ବଟି ତାଙ୍କୁ ପ୍ରଶମିତ କରିବାରେ ସାହାଯ୍ୟ କରେ । ତେବେ ମୋଟାମୋଟି ରକ୍ଷିତ୍‌ଙ୍କର ସବୁବେଳେ ଏକ ଅନୁଭବ ହୁଏ, ଯେଭଳି ତାଙ୍କ ପ୍ରତିବିମ୍ବ ତାଙ୍କୁ ବିରକ୍ତିକରଭାବେ ଅନୁସରଣ କରୁଛି, ଯାହା ସେ ଇଚ୍ଛାକଲେ ବନ୍ଦ କରିଦେଇପାରିବେ ନାହିଁ ।

 

ଅଫିସ୍ ଟେବୁଲ୍‌ଟିକୁ ସ୍ଥାନାନ୍ତରିତ କରିବାର ଏକ ପ୍ରସ୍ତାବ ସେ ଦେଇଥିଲେ । ତାଙ୍କ ପ୍ରସ୍ତାବ ଉଚ୍ଚପଦସ୍ଥ କର୍ମଚାରୀଙ୍କ ପ୍ରସ୍ତାବରୂପେ ତୁରନ୍ତ କାର୍ଯ୍ୟକାରୀ ହୋଇଯିବାରେ କିଛି ବାଧା ନଥିଲା । କିନ୍ତୁ ଘରେ ରହିଥିବା ଅନ୍ୟାନ୍ୟ ଆସବାବକୁ ଏପଟ ସେପଟ କରିଦେଲେ କେତେଗୁଡ଼ିଏ ଆସବାବ ସେ ଘରେ ଆଉ ରହିପାରିବ ନାହିଁ ବୋଲି ଜଣାପଡ଼ିଲା । ଏଭଳି କି ତାଙ୍କ ଟେବୁଲ୍‌କୁ ଫୁଟେ ଏପାଖ ସେପାଖ କରିଦେଲେ ଚଳପ୍ରଚଳ ହେବାର ଅସୁବିଧା ହେବ ବୋଲି ଅନ୍ୟାନ୍ୟ ସହକାରୀମାନେ ମତଦେଲେ ।

 

କେବଳ ରକ୍ଷିତ୍‌ଙ୍କ ବ୍ୟତୀତ ଟେବୁଲ୍‌କୁ ସ୍ଥାନାନ୍ତରି କରିବାରେ ଜରୁରୀ ଆବଶ୍ୟକତା କେହି ଜାଣି ପାରୁ ନଥିବାରୁ ଏହା ସ୍ଥାନାନ୍ତରିତ ହେବାରେ ଗୁରୁତ୍ଵ ନ ଦେଇ ସମସ୍ତେ ବିଚାର କରିଯିବା ସ୍ଵାଭାବିକ । ତେଣୁ ହୁଏତ ଏହା ସ୍ଥାନାନ୍ତରିତ ହେବାର ଆଉ କିଛି ବାଟ ଥିଲେ ମଧ୍ୟ ଏହା ଜଣାପଡ଼ିଲା ନାହିଁ । ରକ୍ଷିତ୍‌ ନିଜେ ମଧ୍ୟ ଘରେ ନିରୋଳାରେ ବସି ବିଭିନ୍ନ ସ୍କେଚ୍‌ ସାହାଯ୍ୟରେ ଟେବୁଲ୍‌ଟିକୁ ସ୍ଥାନାନ୍ତରିତ କରିବାର କୌଣସି ବିକଳ୍ପ ନକ୍ସା ତିଆରି କରିବାରେ ବିଫଳ ହେଲେ ।

 

ଏହା ଏଭଳି ଏକ ମାମୁଲି ପ୍ରସ୍ତାବ ଯେ ଦ୍ଵିତୀୟ ଥରପାଇଁ ଏହା ଉପରେ ଆଉ ଆଲୋଚନା ହେବା ସମ୍ଭବ ନୁହେଁ; କିମ୍ବା ନିଜ ବ୍ୟତୀତ ଏହାର କାରଣ ସମ୍ପର୍କରେ କାହା ସହିତ ଆଲୋଚନା କରାଯିବା ମଧ୍ୟ ସମ୍ଭବପର ନୁହେଁ । ଏପରିକି ଏ ସମ୍ପର୍କରେ ରକ୍ଷିତ୍‌ ନିଜେ ମଧ୍ୟ ପୁଣି ଥରେ ଭାବିବାକୁ ବିରକ୍ତିକର ହେଉଛି ବୋଲି ଜାଣିଲେ ।

 

ଆନ୍ତର୍ଜାତିକ ପରିସ୍ଥିତି, ଦେଶର ପ୍ରଗତି, ନିଜ କମ୍ପ୍ୟୁଟର ସମସ୍ୟା, ପାରିବାରିକ ବ୍ୟାପାର, ସବୁ ରକ୍ଷିତ୍‌ଙ୍କର ଏହି ସାମାନ୍ୟ ଅସହଜତା ପାଖରେ କ୍ରମଶଃ ଗୌଣ ହେବାକୁ ଲାଗିଲା-

 

କିନ୍ତୁ, ଏହି ସହିତ ସମାନ ତାଳ ଦେଇ ଯେପରି ରକ୍ଷିତ୍‌ଙ୍କର ପରାମର୍ଶ ଓ ସମୟୋଚିତ ସିଦ୍ଧାନ୍ତ ଫଳରେ କମ୍ପାନୀର ଅସ୍ଵାଭାବିକ ଉନ୍ନତି ସଂଘଟିତ ହେଲା । ତାଙ୍କର ଦରମା ପ୍ରାୟ ଦେଢ଼ଗୁଣ ବଢ଼ିଗଲା । ରକ୍ଷିତ୍‌ ନିରୋଳାରେ ବିଶ୍ଳେଷଣ କରି ଜାଣିପାରିଲେ ଯେ, ଏହାର କାରଣ କ’ଣ ହୋଇପାରେ ।

 

ସେ ବିରକ୍ତ ହୋଇ ନିଜ ମୁହଁର ପ୍ରତିବିମ୍ବକୁ ଦେଖିଲାମାତ୍ରେ ତାଙ୍କର ବିରକ୍ତି କମିଯାଉଛି-। ସେ କ୍ରୁଦ୍ଧ ହୋଇ ନିଜ ମୁହଁର ପ୍ରତିବିମ୍ବକୁ ଦେଖିଲାମାତ୍ରେ ତାଙ୍କର କ୍ରୋଧ କମିଯାଉଛି; ଅଥଚ କୌଣସି ହାସ୍ୟକର ପରିସ୍ଥିତିରେ ସେ ଅଧିକ ହାସ୍ୟପ୍ରବଣ ହେବା ଜଣାପଡ଼ୁଛି ସେହି ମୁହଁର ପ୍ରତିବିମ୍ବ ସକାଶେ । ବିରକ୍ତି, କ୍ରୋଧ ବା ସେହିଭଳି ଖରାପ ଅବସ୍ଥା ସବୁ ଚାକିରିପ୍ରତି ଯେଭଳି ଅସୁବିଧାଜନକ, ବ୍ୟବସାୟୀ ସଂସ୍ଥାପ୍ରତି ମଧ୍ୟ ସେତିକି ମାରାତ୍ମକ । ଅପରପକ୍ଷେ ଏହିସବୁ ଖରାପ ଅବସ୍ଥା ସୃଷ୍ଟି ହେବାରେ ସଂଯମ କରିହେଲେ ଏବଂ ବିଶେଷତଃ କମ୍ପାନୀର ଉଚ୍ଚପଦସ୍ଥ ଏବଂ ସିଦ୍ଧାନ୍ତଗ୍ରହଣକାରୀ ବ୍ୟକ୍ତି ଏହା କରିପାରିଲେ କମ୍ପାନୀର ଉନ୍ନତି ସାଧିତ ହେବା ମାତ୍ର ସ୍ଵାଭାବିକ-। ଏହା ଫଳରେ କମ୍ପାନୀର ଉଦ୍ୟୋଗୀ କର୍ମଚାରୀ ଯେ ପୁରସ୍କୃତ ହେବେ, ଏଥିରେ ବୈଚିତ୍ର୍ୟ କିଛି ନାହିଁ ।

 

ରକ୍ଷିତ୍‌ଙ୍କର ଏହି ଅସ୍ଵସ୍ତିଭାବ ସମ୍ପର୍କରେ ସଚେତନତା ତାଙ୍କ ମାନସିକ ଚାପବୃଦ୍ଧିର କାରଣ ହେଲା ଏବଂ ସେ ପାରିବାରିକ ଜୀବନରେ ଅନେକ ସମୟରେ ଅନ୍ୟମନସ୍କ ରହିଲେ । ସହଧର୍ମିଣୀ ରୀନା ଦେବୀ ଏକସମୟରେ ଏହା ଲକ୍ଷ୍ୟ କରି ତାଙ୍କ ସ୍ଵାସ୍ଥ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ; କିନ୍ତୁ ରକ୍ଷିତ୍‌ ତାହା ହାଲୁକାଭାବେ ଏଡ଼ାଇ ଦେଇଥିଲେ ।

 

ସମୟ ଉପରେ ଛାଡ଼ିଦେଲେ ଏହା ଆପେଆପେ ଚାଲିଯିବ ବୋଲି ରକ୍ଷିତ୍‌ଙ୍କର ହେତୁବାଦୀ ମନ ବିଶ୍ଳେଷଣ କଲା । ତେଣୁ ପାଞ୍ଚ ଛଅ ମାସ ଅତିବାହିତ ହେବାକୁ ଅପେକ୍ଷା କରାଗଲା ।

 

କିନ୍ତୁ ରକ୍ଷିତ୍‌ ଏଣିକି ଏଣିକି ଖୁବ୍‌ ବେଶି ଅସ୍ୱସ୍ତି ଅନୁଭବ କଲେ । ଏହା ତାଙ୍କର କୌଣସି ଶାରୀରିକ ବା ମାନସିକ ଦୁର୍ବଳତା କାରଣରୁ ହେଉଥିବ ଭାବି ସେ ବିଶେଷଜ୍ଞ ଡାକ୍ତରମାନଙ୍କଦ୍ଵାରା ନିଜକୁ ପରୀକ୍ଷା କରାଇନେବାକୁ ଆରମ୍ଭ କଲେ । ତାଙ୍କର ଏକ୍ସ-ରେ, ଇଲେକ୍‌ଟ୍ରୋକାଡ଼ିଓଗ୍ରାମ, ଇଲେକ୍‌ଟ୍ରୋଏନକେଫାଲୋଗ୍ରାମ ସହିତ ମଳ ମୂତ୍ର ଏବଂ ରକ୍ତର ସମସ୍ତ ପ୍ରକାର ରାସାୟନିକ ପରୀକ୍ଷା ହୋଇଗଲା । କେବଳ ସାମାନ୍ୟ ଅଧିକ ରକ୍ତଚାପ ବ୍ୟତିରେକେ କୌଣସି ପରୀକ୍ଷାରେ କିଛି ଅସ୍ଵାଭାବିକତା ଜଣାପଡ଼ିଲା ନାହିଁ ।

 

ରକ୍ଷିତ୍‌ ଡାକ୍ତରଙ୍କ ପରାମର୍ଶ ମାନି ଔଷଧ ଖାଇଲେ । ଲୁଣ କମ୍‌ ଖାଇଲେ । ସିଗାରେଟ ଓ ଚା’ ଛାଡ଼ିଦେଲେ । ମାଂସ, ମାଛ, ଛେନା ପ୍ରଭୃତି ଖାଦ୍ୟ ପ୍ରାୟ ଛାଡ଼ିଦେଲେ । ଘରେ ରୀନା ଦେବୀଙ୍କ ମନରେ ମଧ୍ୟ ସନ୍ତୋଷ ଆସିଲା ଯେ ରକ୍ଷିତ୍‌ଙ୍କର ସ୍ଵାସ୍ଥ୍ୟହାନିର କାରଣ ଅବଶେଷରେ ଜଣାପଡ଼ିଲା । କମ୍ପାନୀ ସମସ୍ତ ଡାକ୍ତରୀ ଖର୍ଚ୍ଚ ଅଗ୍ରିମ ବହନକଲେ । ରକ୍ଷିତ୍‌ଙ୍କୁ ଏଥିପାଇଁ ପନ୍ଦର ଦିନ ଛୁଟି ମଧ୍ୟ ଦିଆଗଲା ।

 

ଏହି ସମୟ ମଧ୍ୟରେ ରକ୍ଷିତ୍‌ ସ୍ଵାମୀ ବିବେକାନନ୍ଦଙ୍କଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦ, ଶିବାନନ୍ଦ ସରସ୍ଵତୀ ପ୍ରମୁଖ ଆଧ୍ୟାତ୍ମବାଦୀ ମହାତ୍ମାମାନଙ୍କର ଲେଖାକୁ ପଢ଼ିବାରେ ସମୟ ଦେଲେ ।

 

କିନ୍ତୁ ସାତଦିନ ପରେ ଦେଖାଗଲା ରକ୍ତଚାପର ବୃଦ୍ଧି ଯେଉଁଠି ଥିଲା, ସେହିଠାରେହିଁ ରହିଛି । ହୃଦୟ ଏବଂ ରକ୍ତନାଳି ବିଭାଗ ବିଶେଷଜ୍ଞଙ୍କର ବ୍ୟବସ୍ଥାପତ୍ର । ତେଣୁ ଏଥିରେ ଔଷଧରେ ଭୁଲ ନିର୍ଣ୍ଣୟ ସମ୍ପର୍କରେ କୌଣସି କାରଣ ନାହିଁ । ଡାକ୍ତର ମହାଶୟ ସାତଦିନ ପରେ ଔଷଧ ବଦଳାଇ ଘୋଷଣାକଲେ ଏ ଔଷଧରେ ରକ୍ତଚାପ ତ ନିଶ୍ଚିତ କମିବ; କିନ୍ତୁ ଏହା ଏତେ ଶକ୍ତିଶାଳୀ ଔଷଧ ଯେ ରକ୍ତଚାପ ଆବଶ୍ୟକ ସ୍ତରରୁ ତଳକୁ ଚାଲିଯାଇପାରେ । ତେଣୁ ଦିନକୁ ଦୁଇଥର ରକ୍ତଚାପ ଦେଖାଯିବ । ଏହି ସମୟ ମଧ୍ୟରେ ସମସ୍ତ ବହିପଢ଼ା ବନ୍ଦ ରହିବ; ଏପରିକି ଖବରକାଗଜ ମଧ୍ୟ ପଢ଼ା ହୋଇପାରିବ ନାହିଁ । କେବଳ ରେଡ଼ିଓ ବା ଟେପ୍‌ ରେକର୍ଡ଼ରୁ ଲଘୁ-ସଙ୍ଗୀତ ଅଳ୍ପ ସ୍ତରରେ ବାଜିବ, ଯାହା ଫଳରେ ରକ୍ଷିତ୍‌ ସାତ ଦିନ ସମୟ କୌଣସି ପ୍ରକାରେ ଅତିବାହିତ କରିପାରିବେ ।

 

ଦୁଇବେଳା ରକ୍ତଚାପ ଦେଖିବାକୁ ଅନ୍ୟ ଜଣେ ଅଭିଜ୍ଞ ଡାକ୍ତର ନିଯୁକ୍ତ ହେଲେ । କିନ୍ତୁ ରକ୍ତଚାପ କମିବାର କୌଣସି ସୂଚନା । ତୃତୀୟ ଦିନ ପର୍ଯ୍ୟନ୍ତ ମଧ୍ୟ ଦେଖାଗଲା ନାହିଁ ।

 

କମ୍ପାନୀର ଅଧସ୍ତନ କର୍ମଚାରୀମାନେ ନିୟମିତ ଅନ୍ତତଃ ଦିନକୁ ଥରେ ଆସିବା ଭିତରେ କହିଯାଆନ୍ତି–କମ୍ପାନୀପାଇଁ ଅତ୍ୟଧିକ ପରିଶ୍ରମ କରିବା ଫଳରେ ଏ ରକ୍ତଚାପ ବଢ଼ିଯାଇଛି । ଆବଶ୍ୟକ ହେଲେ କମ୍ପାନୀ କଲିକତା ବା ବମ୍ବେ ବା ବିଦେଶକୁ ନେଇ ଚିକିତ୍ସା କରାଇବେ । ଏଭଳି ଦକ୍ଷ ଶାସକଙ୍କୁ କମ୍ପାନୀ ଛାଡ଼ି ପାରିବେ ନାହିଁ–କାରଣ କମ୍ପାନୀର ଯାହା କିଛି ଉନ୍ନତି, ଏହାଙ୍କଦ୍ଵାରାହିଁ ହୋଇଛି ।

 

ଏହା ରୀନା ଦେବୀଙ୍କର ମନରେ ଖୁବ୍‌ ସାନ୍ତ୍ଵନା ଦିଏ ଏବଂ କିଛି ଗର୍ବ ମଧ୍ୟ ଆଣେ ।

 

ତୃତୀୟଦିନ ପରେ ରକ୍ତଚାପ ନ କମିବା ଦେଖି ଏହାର ଖବର ରୀନାଦେବୀ ଡାକ୍ତରମାନଙ୍କ ମଧ୍ୟରେ ସୀମାବଦ୍ଧ ରଖିବାକୁ ବିଜ୍ଞତା ହେବ ବୋଲି ମନେକଲେ ଏବଂ ତଦନୁସାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ସେ ଅନୁରୋଧ କଲାପରେ ଏହା ଗୋପନୀୟ ରଖାଗଲା ।

 

ବିଶେଷଜ୍ଞ, ଅଧ୍ୟାପକ କିନ୍ତୁ ନିଶ୍ଚିତ ଥିବାର ଜଣାପଡ଼ୁଥାନ୍ତି ଯେ ସାତଦିନ ମଧ୍ୟରେ ରକ୍ତଚାପ କମିଯିବ ଏବଂ ସେ ତଦନୁଯାୟୀ ଆଶ୍ୱାସନା ଦେଉଥାନ୍ତି ।

 

ଲଘୁ-ସଙ୍ଗୀତ ଶିଖିଲାବେଳେ ରକ୍ଷିତ୍‌ ମନେମନେ ଭାବୁଥାନ୍ତି ଯେ ସେ ଆଉ ତାଙ୍କ ପ୍ରତିବିମ୍ବ ବିଷୟରେ ବିଶେଷ ବିବ୍ରତ ନୁହନ୍ତି । ଏହାବା କି ସାମାନ୍ୟ କଥା ? –ସେ ନିଜକୁ ନିଜେ ପ୍ରଶ୍ନ କରୁଥାଆନ୍ତି । ବରଂ ଅଲଗା ଖାଦ୍ୟ ଓ ସିଝା ପରିବା ଇତ୍ୟାଦି ବିକୃତ ଖାଦ୍ୟ ଖାଇ ତାଙ୍କର ଦେହ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଥିବା ସମ୍ଭବ ବୋଲି ସେ ମନେମନେ ଯୁକ୍ତି କରୁଥାଆନ୍ତି-। କିନ୍ତୁ ଜଣେ ଶୃଙ୍ଖଳିତ ଉଚ୍ଚଶିକ୍ଷିତ ଏବଂ ଉଚ୍ଚପଦସ୍ଥ ବ୍ୟକ୍ତି ହିସାବରେ ସେ ଚିକିତ୍ସକମାନଙ୍କ ଆଗରେ ଏସବୁ ମତାମତ ପ୍ରକାଶ କରିବାକୁ କୁଣ୍ଠାବୋଧ କରୁଥାନ୍ତି ।

 

ଇତ୍ୟବସରରେ କମ୍ପାନୀର ମେନେଜିଙ୍ଗ୍ ଡାଇରେକ୍ଟର ଅନେକ ଥର ଆସି ଖବର ବୁଝାବୁଝି କରୁଥାନ୍ତି ଏବଂ ଆବଶ୍ୟକ ହେଲେ କଲିକତା, ବମ୍ବେ କିମ୍ବା ଭାରତ ବାହାରକୁ ତାଙ୍କୁ ନିଶ୍ଚିତ ପଠାଯିବ ବୋଲି ରୀନା ଦେବୀଙ୍କ ଆଗରେ ପ୍ରକାଶ କରି ଯାଉଥାଆନ୍ତି ।

 

ସପ୍ତମ ଦିନ ଶେଷହେଲା । ସନ୍ଧ୍ୟାରେ ବିଶେଷଜ୍ଞ ଅଧ୍ୟାପକ ଏବଂ ତାଙ୍କ ସହକାରୀ ଆସି ପରୀକ୍ଷା କରି ଦେଖିଲେ ଯେ ସମସ୍ତ ଔଷଧ ପ୍ରୟୋଗ ସତ୍ତ୍ଵେ ରକ୍ତଚାପ ଦୁଇ ସପ୍ତାହ ତଳେ ଯେଉଁଠି ଥିଲା, ସେଇଠି ସ୍ଥିରହୋଇ ରହୁଛି । ସକାଳ ସନ୍ଧ୍ୟାରେ ଏହା ସ୍ଵାଭାବିକଭାବେ ଯାହା କମିବା ବଢ଼ିବା ଦେଖାଯାଏ, ତାହା ମଧ୍ୟ ରକ୍ଷିତ୍‍ଙ୍କ କ୍ଷେତ୍ରରେ ଦେଖାଯାଉନାହିଁ । ଉଭୟ ଡାକ୍ତର ଚିନ୍ତିତ ଅବସ୍ଥାରେ ରକ୍ଷିତ୍‌ଙ୍କ କୋଠରିରୁ ବାହାରିଗଲାବେଳେ ରୀନା ଦେବୀଙ୍କୁ କହିଗଲେ, ସେ ବିଶେଷ ବିବ୍ରତ ହେବାର କିଛି କାରଣ ନାହିଁ । ରକ୍ଷିତ୍‌ଙ୍କର ସବୁ ସ୍ୱାସ୍ଥ୍ୟ ପ୍ରଣାଳୀ ଠିକ୍‌ ଠିକ୍‌ କାର୍ଯ୍ୟ କରୁଛି । ରକ୍ତଚାପର ବୃଦ୍ଧି ମଧ୍ୟ ବିପଜ୍ଜନକଭାବେ ଅଧିକ ନୁହେଁ । ତେଣୁ ତାଙ୍କୁ ବମ୍ବେ ନେଇ ପରୀକ୍ଷା କରାଗଲେ ଠିକ୍‌ କାରଣ ଜଣାପଡ଼ିବ । କାରଣ, ସେଥିପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ବମ୍ବେରେହିଁ ଅଛି ।

 

ସେଦିନ ରାତିରେ ରୀନା ଦେବୀଙ୍କର ଅନ୍ନଜଳ ସ୍ପର୍ଶ କରିବାକୁ ଇଚ୍ଛା ହେଲାନାହିଁ । କିନ୍ତୁ ସେ ରକ୍ଷିତ୍‌ଙ୍କ ଆଗରେ ଏହା ପ୍ରକାଶ କଲେ କାଳେ ତାଙ୍କର ରକ୍ତଚାପ ଆହୁରି ବୃଦ୍ଧି ପାଇବ, ସେଥିପାଇଁ ମନର ଭାବକୁ ଗୋପନୀୟ ରଖି ରୀନା ଦେବୀ ବତି ଲିଭାଇ ଶୋଇବାକୁ ଗଲେ । କିନ୍ତୁ ରୀନା ଦେବୀ ଯେତେବେଳେ ବତି ଲିଭାଉଥିଲେ ସେତେବେଳେ ରକ୍ଷିତ୍‌ ତାଙ୍କ ମୁହଁରେ ଫୁଟିଉଠୁଥିବା ଅସହ୍ୟ ଯନ୍ତ୍ରଣାର ଚିହ୍ନ ଦେଖିପାରିଲେ ।

 

ରକ୍ଷିତ୍‌ ହଠାତ୍‌ ସୃଷ୍ଟି ହୋଇଥିବା ଅନ୍ଧାରରେ ହଠାତ୍‌ ଭାବିଲେ ତାଙ୍କ ମନର ଏଇ କଥା ଜଣେ କାହାକୁ କହିଦେବେ । ଫଳତଃ ଏହି ଚାପ ଅଧା ହୋଇଯିବାର ସମ୍ଭାବନା ମନସ୍ତତ୍ୱବିତ୍‌ମାନେ ଆଗରୁ କହିଯାଇଛନ୍ତି । ଏହା ସେ ମନସ୍ତତ୍ୱବିତ୍‌ମାନଙ୍କର ପରୀକ୍ଷାକୁ ଏଡ଼ି ଚାଲିଗଲା, ତାହା ଇଲେକ୍‌ଟ୍ରୋ-ଏନ୍‌କେଫାଲେଗ୍ରାମର ସଠିକତାରୁ ଜଣାପଡ଼ିଲା । ତେଣୁ କୌଣସି ମନସ୍ତତ୍ୱବିତ୍‌ଙ୍କୁ ଏ ବିଷୟରେ ପଚାରିବା ଠିକ୍‌ ହେବ ନାହିଁ ବୋଲି ରକ୍ଷିତ୍‌ ଭାବିନେଲେ । ସେ ତ ଡାକ୍ତର ନୁହନ୍ତି; ତେଣୁ ତାଙ୍କ ଭାବିବାରେ ଭୁଲ ଥିଲା କି ଠିକ୍‌ ଥିଲା ସେ ଜାଣିପାରିବାର ସମ୍ଭାବନା ନଥିଲା । କିନ୍ତୁ ସେ ଭାବିଗଲେ । ଭାବିଗଲା ଚିନ୍ତା ବୋହିଗଲା ପାଣି । ରକ୍ଷିତ୍‌ ପୁଣି ଭାବିଲେ ପରବର୍ତ୍ତୀ ବ୍ୟକ୍ତି କମ୍ପାନୀର ମେନେଜିଙ୍ଗ୍ ଡାଇରେକ୍ଟର ଯାହାଙ୍କ ଆନ୍ତରିକତା ଅତି ଅସ୍ଵାଭାବିକରୂପେ ଅଧିକ । ଏହା ଭାବିଲାବେଳେ ସେ ନିଜ ସ୍ତ୍ରୀଙ୍କ ଆନ୍ତରିକତା ବିଷୟ ତଉଲକୁ ନେଉଥିଲେ ଏବଂ ଭାବୁଥିଲେ ସ୍ତ୍ରୀଙ୍କ ଆନ୍ତରିକତା ଏକ ମାମୁଲି ବିଷୟ ହୋଇପାରେ । ମେନେଜିଙ୍ଗ୍ ଡାଇରେକ୍ଟରଙ୍କୁ ଏ ଘଟଣା କହିଲେ ସେ ହୁଏତ ରକ୍ଷିତ୍‌ଙ୍କ ବ୍ୟକ୍ତିତ୍ଵ ସମ୍ପର୍କରେ ଲଘୁ ଧାରଣା କରିପାରନ୍ତି । କୌଣସି ବନ୍ଧୁଙ୍କ ଆଗରେ ଏ ବିଷୟ ପ୍ରକାଶ ମଧ୍ୟ କରାଯାଇପାରେ । କିନ୍ତୁ ଏହା ଯେ ଗୋପନୀୟ ରହିବ, ଏ ଭରସା କିଏ ବା କରିପାରିବ ?

 

ରକ୍ଷିତ୍‌ ଏହା ଭାବୁଥିଲାବେଳେ ତାଙ୍କ ସ୍ତ୍ରୀଙ୍କ ବେଦନାବ୍ୟଥିତ ମୁହଁ ତାଙ୍କ ଭାବନା ଭିତରକୁ ମଝିରେ ମଝିରେ ପଶିଆସୁଥିଲା ।

 

ଶେଷକୁ କେବଳ ସେହି ମୁହଁ ଦେଖାଗଲା । ରକ୍ଷିତ୍‌ ମନକୁ ସେଇଆଡ଼କୁ ନେବାପାଇଁ ଅଧିକ ଜୋର୍‌-ପ୍ରୟୋଗ କରିବାପାଇଁ ଭାବିଲେ ଯେ ରୀନା ତାଙ୍କର ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ ଇତ୍ୟାଦି ଇତ୍ୟାଦି, ଯାହାର ସିଦ୍ଧାନ୍ତ ଏହାହିଁ ହେଲା ଯେ ସେ ରୀନାଙ୍କୁ ଏସବୁ କଥା କହିଦେବେ ।

 

...ଏବଂ, ସେଇ ଅନ୍ଧାର ଭିତରେ ଉଣ୍ଡାଳି ଉଣ୍ଡାଳି ରକ୍ଷିତ୍‌ ରୀନାଙ୍କ ବିଛଣା ପାଖରେ ପହଞ୍ଚି ତାଙ୍କ ମୁହଁ ଉଣ୍ଡାଳି ଦେଖିଲେ, ସେ ଆଖିରୁ ଲୁହ ଗଡ଼ାଇ ଗଡ଼ାଇ ବିଛଣାରୁ ଅଧେ ଓଦା କରିସାରିଲେଣି ।

 

କଥୋପକଥନ ଯେଭଳି ହେଉ, ଘଟଣା ଏହା ହେଲା ଯେ ରକ୍ଷିତ୍‌ ତାଙ୍କ କହିବା ବିଷୟ ବେଶ୍‌ ବିସ୍ତାରିତଭାବେ ରୀନାଙ୍କ ପାଖରେ ପ୍ରକାଶିତ କରିଦେଲେ । ସାମାନ୍ୟ କାଳବିଳମ୍ବ ନ କରି ରୀନା ବେଶ୍ ଶବ୍ଦକରି ହସିବାକୁ ଆରମ୍ଭ କଲେ ଏବଂ ଏହି ହସରେ କି କ’ଣ, ରକ୍ଷିତ୍‌ଙ୍କର ମୁଣ୍ଡ ଖୁବ୍‌ ହାଲୁକା ହେବା ସେ ଜାଣିପାରିଲେ ।

 

ଅଧିକ ରକ୍ତଚାପରେ ରାତିରେ ନିଦ ହୁଏ ନାହିଁ । କିନ୍ତୁ ପରଦିନ ସକାଳେ ଦେଖାଗଲା ରକ୍ଷିତ୍‌ ଗାଢ଼ନିଦରେ ଶୋଇଛନ୍ତି ଏବଂ ରୀନା ଦେବୀ ଖୁବ୍‌ ଭୋରରୁ ଇଲେକ୍‌ଟ୍ରିକ୍ ମିସ୍ତ୍ରିକୁ ଜଣେ ଲୋକ ପଠେଇ ଡକେଇଆଣି ତାଙ୍କ ଶୋଇବାଘରେ ଥିବା ଛାତପଙ୍ଖାଟିକୁ ସ୍ଥାନାନ୍ତରିତ କରି ଆଉ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାଇବା ପାଇଁ ନିର୍ଦ୍ଦେଶ ଦେଉଥାନ୍ତି । ସେ ଛାତପଙ୍ଖା ଲାଗିଲାବେଳେ ରକ୍ଷିତ୍‌ଙ୍କ ବିଛଣାର ମୁଣ୍ଡ ପାଖକୁ ଯାଇ ସେଠି ନିଜ ମୁଣ୍ଡ ରଖି ସେ ପଙ୍ଖାଟିକୁ ଚାହୁଁଛନ୍ତି ଏବଂ ନିର୍ଦ୍ଦେଶ ଦେଉଛନ୍ତି ।

 

ରୀନା ଦେବୀ ଏବଂ ରକ୍ଷିତ୍‌ ଅଳ୍ପଦିନ ହେବ ବିବାହ କରିଛନ୍ତି । ତେଣୁ ତାଙ୍କର ସନ୍ତାନସନ୍ତତି ହୋଇ ନାହାନ୍ତି । କେବଳ ଚାକର ଏବଂ ପୂଜାରୀ ବଟୁ ତାଙ୍କ ପରିବାରର ତୃତୀୟ ବ୍ୟକ୍ତି । ରୀନାଦେବୀ ନିଜର ନିତ୍ୟକର୍ମ ସାରିବାବେଳକୁ ତାଙ୍କପାଇଁ ଖାଇବା ତିଆରି ହୋଇସାରିଥିଲା । କିନ୍ତୁ ସେ ପର୍ଯ୍ୟନ୍ତ ରକ୍ଷିତ୍‌ ଗାଢ଼ନିଦରେ ଶୋଇଥିଲେ । ରକ୍ଷିତ୍‌ଙ୍କୁ ନିଦରୁ ନ ଉଠେଇ ରୀନା ଦେବୀ ମନ-ସନ୍ତୋଷରେ ଖାଇଲେ, ଯାହା ବଟୁ ମନରେ ବିସ୍ମୟ ସୃଷ୍ଟି କରିଥିବ । କାରଣ, ଗତ ଦୁଇ ସପ୍ତାହଧରି ରୀନା ଦେବୀ ପ୍ରାୟ ଖାଇବା ପିଇବା ଛାଡ଼ି ଦେଇଥିଲେ । “ବୁଝିଲୁରେ ବଟୁ, ଏଥର ଔଷଧ ନିଶ୍ଚୟ ଠିକ୍‌ କାମ କରିଛି । କାରଣ, ବାବୁ ଏଯାଏଁ ଶୋଇଯାଇଛନ୍ତି ।’’ ମା’ ଠିକ୍‌ କହୁଛନ୍ତି କି ଭୁଲ୍‌ କହୁଛନ୍ତି, ବଟୁ ପ୍ରଥମେ ଜାଣି ନ ପାରି ସାମାନ୍ୟ ହସିଦେଲା, ଏବଂ ପରେ ମା’ଙ୍କୁ ବିଶ୍ଵାସ କରି ଆଉଥରେ ମଧ୍ୟ ସାମାନ୍ୟ ହସିଲା । କିନ୍ତୁ ବାବୁ ପୂରା ଭଲହୋଇଯିବା କଥା ସମସ୍ତେ ନ କହିବା ପର୍ଯ୍ୟନ୍ତ ବଟୁ ଯେମିତି ହସିଥାନ୍ତା, ସେମିତି ହସ ବଟୁକୁ ମାଡ଼ିପାରିଲା ନାହିଁ ।

 

ଖାଇସାରି ବଟୁ ଅନ୍ୟ କାମ ବରାଦ ଦେଇ ରୀନା ଦେବୀ ଶୋଇବାଘରେ ପ୍ରବେଶକଲେ ଏବଂ ଝରକା, ଦରଜା ସବୁ ବନ୍ଦ କରିଦେଇ ଶୂନ୍ୟ ଶକ୍ତିର ବଲ୍‍ବ୍‌କୁ ଜଳାଇଦେଲେ । ଅନ୍ୟ ଏକ ସ୍ଥାନରେ ଲାଗିଥିବା ପଙ୍ଖାକୁ ଅଳ୍ପ ବେଗରେ ଚଳେଇଦେଇ ରୀନା ଦେବୀ ରକ୍ଷିତ୍‌ଙ୍କ ପାଖରେ ଶୋଇ ତାଙ୍କ ମୁହଁକୁ ରକ୍ଷିତ୍‌ଙ୍କ ମୁହଁ ପାଖରେ ରଖିଲେ ।

 

ଛାତରୁ ଝୁଲୁଥିବା ଏ ପଙ୍ଖାରେ ପ୍ରତିଫଳନକାରୀ ଏକ ଚକତି ମଧ୍ୟ ଥିଲା, ଯେଉଁଥିରେ ଦେବୀ ନିଜର ଓ ସ୍ଵାମୀଙ୍କର ମୁହଁର ପ୍ରତିଫଳନ ମଧ୍ୟ ଦେଖିପାରିଲେ । ଦେଖିଲାମାତ୍ରକେ ସ୍ଵାମୀଙ୍କର ଓ ନିଜର କୌତୁକିଆ ମୁହଁ ଦେଖି ସେ ଖୁବ୍‌ ଜୋରରେ ହସିଉଠିଲେ ।

 

ଏହା ରକ୍ଷିତ୍‌ଙ୍କର ନିଦ ଭାଙ୍ଗିଯିବାରେ ସହାୟକ ହେଲା ଏବଂ ଆଖି ମଳି ମଳି ରକ୍ଷିତ୍‌ ଯେତେବେଳେ ରୀନା ଦେବୀଙ୍କୁ ନିଜ ପାଖରେ ରଖିଲେ, ସେତେବେଳେ ତାଙ୍କର ଧାରଣା ହୋଇଥିବା ସ୍ଵାଭାବିକ ଯେ ଏଯାଏଁ ଭୋର ହୋଇନାହିଁ ।

 

ରୀନା ଦେବୀ କିନ୍ତୁ ହସୁଛନ୍ତି ଏବଂ ତାହାର କାରଣ ରକ୍ଷିତ୍ ଜିଜ୍ଞାସା କରନ୍ତେ, ରୀନା ଦେବୀ ଛାତପଙ୍ଖାକୁ ଆଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଦେଲେ । ରକ୍ଷିତ୍‌ ନିଦରୁ ସଦ୍ୟ ଉଠିଥିବାରୁ ତାଙ୍କୁ ନିରୀକ୍ଷଣ କରିବାରେ କିଛି ସମୟ ଲାଗିଲା । କିନ୍ତୁ ସେ ଯେତେବେଳେ ପଙ୍ଖା ଉପରେ ବିକୃତ ଯୁଗଳମୂର୍ତ୍ତିର ପ୍ରତିଫଳନ ଦେଖିଲେ ତାଙ୍କୁ ମଧ୍ୟ ହସ ଲାଗିଲା ଏବଂ ଏହି ହସୁଥିବା ଭିତରେ ରକ୍ଷିତ୍‌ ଜାଣୁଥିଲେ, ଯେ ସକାଳ ହୁଏତ ଅନେକବେଳୁ ହୋଇଯାଇଛି, ଏବଂ ଛାତପଙ୍ଖାଟିକୁ ରୀନା ଦେବୀ ସ୍ଥାନାନ୍ତରିତ କରି ଯଥାସ୍ଥାନରେ ଲଗାଇ ଦେଇଛନ୍ତି ।

 

ସେଦିନ ଔଷଧ ଖାଇବା ବନ୍ଦ କରାଯାଇଥିଲା ଏବଂ ବିଶେଷଜ୍ଞମାନେ ରକ୍ଷିତ୍‌ଙ୍କ ରକ୍ତଚାପ କମିଯାଇ ସ୍ଵାଭାବିକ ସ୍ତରକୁ ଆସିଯାଇଥିବାରୁ ନିଜ ବିଚାରର ତାରିଫ ନିଜେ ନିଜେ କରିଥିଲେ । କମ୍ପାନୀର ମେନେଜିଙ୍ଗ୍ ଡାଇରେକ୍ଟର ଖୁବ୍‌ ଖୁସି ହୋଇଥିଲା ପରି ଜଣାପଡ଼ୁଥିଲେ ଏବଂ ବଟୁ ହସିବାର ବିଶେଷ କାରଣ ନଥାଇ ସୁଦ୍ଧା ଖୁବ୍‌ ହସୁଥିବାର ଦେଖାଯାଇଥିଲା ।

 

ରକ୍ଷିତ୍‌ଙ୍କର ମନର ଏତାଦୃଶ ପ୍ରତିକ୍ରିୟା ଏବଂ ତା’ର ଚିକିତ୍ସା ସମ୍ପର୍କରେ କେବଳ ସବୁଠୁଁ ଅନ୍ତରଙ୍ଗ ବନ୍ଧୁ ହିସାବରେ ସେ ମୋ ଆଗରେ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ରକ୍ଷିତ୍‌ କମ୍ପାନୀର ମେନେଜିଙ୍ଗ୍ ଡାଇରେକ୍ଟର ହୋଇପାରିଲେ ଏବଂ ବର୍ତ୍ତମାନ ଏଇ କମ୍ପାନୀର ଦୂର ବିଦେଶରେ ଥିବା କୌଣସି ଏକ ଶାଖା ଦାୟିତ୍ଵରେ ଥିବାରୁ ତାଙ୍କ ସ୍ତ୍ରୀ ଏବଂ ପିଲାମାନେ ମଧ୍ୟ ସେଠାରେ ଅଛନ୍ତି । ଏହି ଅବସରରେ ଏ ଘଟଣାଟା ପ୍ରକାଶିତ ହୋଇଗଲେ କାହାର କିଛି କ୍ଷତି ହେବନାହିଁ; ଅଥଚ ଜାଣିବା ଲୋକେ ହୁଏତ ଆମୋଦିତ ହୋଇପାରନ୍ତି, ଏହି ଆଶାରେ ମୁଁ ଏହାକୁ ପ୍ରକାଶ କରିଦେଉଛି ।

Image

 

ଶ୍ରୀ ଅଚ୍ୟୁତାନନ୍ଦ ପତି

ଅଶୁଭ ପୁତ୍ରର କାହାଣୀ

 

ସୂର୍ଯ୍ୟ-ରାଜ୍ୟରେ ଆଲୋକର ଏହି ପ୍ରଥମ ପ୍ରବେଶକୁ ସେ କେବେ ଦେଖି ନଥିଲା । ସେ ଆଖି ଖୋଲି ଆଲୁଅର ଏ କଳସବୁଡ଼ା ଉତ୍ସବକୁ ନିଜକୁ ଭୁଲି ଦେଖିବାକୁ ଲାଗିଲା । ଶହ ଶହ ଚଢ଼େଇ ଗୀତ ସାଙ୍ଗରେ ଡେଣାର ଭାଙ୍ଗପକାଇ ଉଡ଼ିଗଲେ । ତା’ରି ଶହ ଶହ ଜାତିପରି ଆଲୁଅରେ ବୁଲି ବୁଲି ଜୀବନର ସ୍ଵାଦୁ ଚାଖିବେ–ଆଉ ସେ ଡରିମରି ଅନ୍ଧାର ଭିତରେ ଶଢ଼ି ଶଢ଼ି ମରିବ ?

 

ସେଦିନ ସେ ଛୋଟ ପେଚାଛୁଆଟି ପହିଲୁ କରି ଆଖି ଖୋଲିଲା । ଗଛର ଅନ୍ଧାରିଆ ଖୋଲ ଭିତରେ ସେ ଆଖି ଫିଟାଇ ପ୍ରଥମେ ଦେଖିଲା ଅନ୍ଧାର, ଚାରିଆଡ଼େ ଖାଲି ନିଘଞ୍ଚ ଅନ୍ଧାର । ମାଆ ତା’ର ତା’ ଉପରେ ଡେଣା ଘୋଡ଼ାଇ ବସିଥିଲା । ତଳେ କୁଟା-କାଠିର ଟାଆଁସିଆ ଶେଯ ଉପରେ କଅଁଳ ହାତଗୋଡ଼ ଦିଖଣ୍ଡ ତା’ର ଥୋଇଥାଇ ସେ କେତେ କଥା ସପନ ଦେଖିଯାଉଥିଲା । ଗଛର ଉପର ଡାଳରେ କାଆ କାଆ ହୋଇ କ’ଣ ଗୁଡ଼ାଏ ଖୁବ୍‌ ଜୋରରେ ପାଟି କମ୍ପେଇଲେ । ତା’ ମାଆର ଡେଣା କାହିଁକି ଚହଲିଉଠିଲା । ସେ ପକ୍ଷୀଗୁଡ଼ାକୁ ଟିକିଏ ଭଲକରି ଚହଲାଇ ଦେଇ ତାକୁ ପେଟ ଆଡ଼କୁ ଜାକିଆଣିଲା । ତାକୁ ଟିକିଏ ଆରାମ ଲାଗିଲା । ସେ ଚୁଁ-ଚୁଁ ହୋଇ ହସିପକାଇଲା । ମାଆ ତା’ କୁନି ଥଣ୍ଟରେ ଥଣ୍ଟ ଘସି ତାକୁ ତୁନି ହେଇ ରହିବାକୁ ଚୁପ୍‌ ଚୁପ୍‌ କହିଲା । ମାଆ ଇମିତି କାହିଁକି କହୁଛି, ସେ ବୁଝିପାରିଲାନି । ମାଆ ଯେତେବେଳେ କହୁଛି, ଖାଲି ଚୁପ୍‌ ହେଇଗଲା । ମାଆର ନରମ ପର ଭିତରେ ଉଷୁମ ଟାଣି ଟାଣି ତା’ ଦେହରୁ ଚମଡ଼ାର ଭାଙ୍ଗସବୁ ଫିଟି ଫିଟି ଯାଉଥିଲା । ତାକୁ ଭାରି ହାଲୁକା ଲାଗୁଥିଲା । ସେ ଭାବୁଥିଲା, ସେ ଠିଆ ହୋଇ ପଡ଼ିବ । କାଠିକୁଟାର ବିଛଣା ଭିତରେ ସେ ତା’ର ଗୋଡ଼ ଟିକିଏ ସଳଖାଇଦେଲା । ମାଆବି ତା’ ଉପରୁ କାହିଁକି ଟିକିଏ ଘୁଞ୍ଚି ବସିଲା । ତା’ ଟିକିଟିକି ଗୋଡ଼ ଉପରେ ଥଣ୍ଟ ଢୁକେଇ ମାଆ ତା’ର ଗୋଡ଼କୁ ସିଧା କରିଦେଲା । ସେ ଉପରକୁ ଟିକିଏ ଚାହିଁଲା । ଅନ୍ଧାର କାହିଁକି କମ୍‌ ଜଣାଗଲା । ସେ ଆଖି ବୁଜିପକାଇଲା । ଟିକିଏ ମାଆ ଆଡ଼କୁ ଚାହିଁ ପୁଣି ଉପରକୁ ଚାହିଁଲା । ମା’ ତା’ର ଯେମିତି ‘ତା’ ମନର କଥା ବୁଝିପାରିଲା । ତା’ କୁନି ଚେପା ନାକରେ ନିଜର ନାକକୁ ଲଦି ହସି ହସି କହିଲା–“ଧନ ମୋର କେତେ ହୁସିଆର ହୋଇଗଲାଣି । ହେଉ, ଟିକିଏ ଆଉ ଥୟ ଧର । ତୋ ଡେଣାରେ ଭଲକରି ପର ବାହାରିଯାଉ । ମୁଁ ତତେ ଉଡ଼ିବା ଶିଖାଇ ଦେବି । ଡେଣା ଭାଙ୍ଗିବାର ବାଗବରଗ ସବୁ ବତେଇଦେବି । ତୁ ସରଗରେ ବୁଲି ବୁଲି ନୂଆ ନୂଆ ଜିନିଷ ଦେଖିବୁ । ତୁ ଏଠି ସିନା ଅନ୍ଧାରରେ ପଡ଼ିଛୁ; ଦୁନିଆକୁ ବାହାରିଗଲେ ସେଠି ଆଉ ସବୁବେଳେ ଅନ୍ଧାର ନଥିବ । ସରଗରେ ତୋଫା ତୋଫା ଗୋଲ ଜହ୍ନର ଆଲୁଅ ବୋହିପଡ଼ୁଥିବ । କୁନି କୁନି ତାରା ସବୁ ଆଖି ମିଟିମିଟି କରି ତତେ ଗେହ୍ଲା କରିବେ । ମୁଁ ତତେ ଭଲ ଭଲ ଦରବ ତୋ ସାଙ୍ଗରେ ଘୂରି ଘୂରି ଚିହ୍ନେଇଦେବି । ତୁ ଖାଲି ବଡ଼ ହୋଇଯା’ । ତୋ ଦେହରେ ଟିକିଏ ତାକତ ଆସୁ ।’’ ମାଆ ତା’ର ଖୋଲ କଡ଼ରୁ ଖଣ୍ଡେ ପାକଲା ପିଜୁଳି ଆଣି ତା’ ଥଣ୍ଟ ଭିତରେ ଗେଞ୍ଜିଦେଲା । ସେ ଆସ୍ତେ ଆସ୍ତେ ଥଣ୍ଟ ଚଲାଇ ଢୋକିନେଲା । ଆଃ, କି ମିଠା ! ସେ ଭାବିନେଲା, ସେ ଦୁନିଆ ଦେଖିନେବ । ଦୁନିଆଟା ଭାରି ମିଠା ।

 

ଗଛତଳେ କ’ଣଗୁଡ଼ାଏ ଗୋଟାକ ପରେ ଗୋଟାଏ ହୁକେହୋ ହୋଇ ଦୌଡ଼ିଗଲେ । ମାଆ ପେଟ ତଳେ ଶୋଇ ଶୋଇ ତାକୁବି ଟିକିଏ ନିଦ ଆସିଯାଇଥିଲା । ସେ ସପନ ଦେଖିଯାଉଥିଲା…ଖାଲି ଦୁନିଆର ସପନ । ଚାରିଆଡ଼େ ଖାଲି ମିଠା ପିଜୁଳି ଖଣ୍ଡଖଣ୍ଡ ହୋଇ ବିଛେଇ ହୋଇ ପଡ଼ିଛି । ସରଗରୁ ଗୋଲ ଜହ୍ନ ତଳକୁ ଓହ୍ଲେଇଆସୁଛି । ବିଲ୍‍କୁଲ୍ ଅନ୍ଧାର ନାହିଁ । ହସରେ ତା’ ଥଣ୍ଟ ଖୋଲିଗଲା । ଗଛତଳୁ ପାଟି ଶୁଣି ସେ ଉଠିପଡ଼ିଲା । ଚାରିଆଡ଼େ ଖାଲି କିଟିକିଟି ଅନ୍ଧାର । ତା’ ମନଟା ଖଟା ହୋଇଗଲା । ସାଙ୍ଗେ ସାଙ୍ଗେ ଆଲୁଅର ସପନ ଦେଖି ଉଠିଛି-। ମାଆ ତା’ର ଖୋଲା ମୁହଁରେ ବସି ଡେଣା ଖୋଲି ଝାଡ଼ି ହେଉଥିଲା । ସେ ଡାକ ଛାଡ଼ିଲା–“ମାଆ, ମୁଁ ଆଜି ଦୁନିଆ ଦେଖିବି । ଜହ୍ନ ସାଥିରେ ଖେଳିବାକୁ ମୁଁ ଆଜି ନିଜେ ବାହାରିଯିବି-।” ମାଆ ତା’ର ଭିତରକୁ ପଶିଆସି ତାକୁ ପେଟ ଆଡ଼କୁ ଟାଣିନେଲା । ସେ ମାଆର ପେଟତଳୁ ଖସରିଗଲା । ତାକୁ ଅନ୍ଧାର ମୋଟେ ଭଲ ଲାଗୁ ନଥିଲା । ମାଆ ହସି ହସି କହିଲା–“ଦୁନିଆକୁ ତୁ ଆସିଛୁ । ତୋ ଦୁନିଆକୁ ତତେ ଯିବାକୁ କିଏ ମନାକରୁଛି । ଦୁନିଆକୁ ବଡ଼ ହୋଇ, ଖୁବ୍ ବଳୁଆ ହୋଇ ନଗଲେ ଦୁନିଆ ତତେ ଠକାଇଦେବ । ଟିକିଏ ଥୟ ଧର । ଆଉ କେତେଟା ଦିନ-। ମୁଁ ବଳେ ବଳେ ତତେ ନେଇଯିବି । ତୁ ଏଇଠି ଶୋଇଥା । ମୁଁ ଯାଉଛି; ଦୁନିଆର ଡାକରା ଆସିଲାଣି-। ଧନକୁ ମୋର ଭୋକ କରିବନି । ମୁଁ ଯାଉଛି, ତୋ ଲାଗି ନୂଆ ନୂଆ ଜିନିଷ ଆଣିବି-। ତୁ ଜମା ପାଟିକରିବୁନି ।” ମାଆ ତା’ର ଥଣ୍ଟରେ ଟିକିଏ ୟାକୁ ଖୁମ୍ପିଦେଇ ଗେହ୍ଲାକରି ବସାରୁ ବାହାରିପଡ଼ିଲା-। ବସା ଦୁଆରେ ଟିକିଏ ଅଟକି ଯାଇ ତାକୁ ପୁଣି ଚାହିଁଲା I ମାଆ ଚାଲିଗଲା । ସେ ଆଖି ବୁଜିଲା । ଆଖି ବୁଜି ବୁଜି ଦେଖିଲା ଦୁନିଆ ଉପରେ ଆଲୁଅ ବିଛେଇ ହୋଇ ପଡ଼ିଛି । ଆଲୁଅର ଦୁନିଆ ତାକୁ ବିଜୁଳି ଦେଖେଇ ଯିବାପାଇଁ ଇସାରା ଦେଉଛି ।

 

ତା’ ଆଖି ଲାଗି ଲାଗି ଆସୁଥିଲା । ସେ ଦେଖୁଥିଲା ଡେଣାରେ ତା’ର ତା’ ମାଆଠାରୁ ବେଶି ପର ବାହାରିପଡ଼ିଛି । ସେ ଜହ୍ନ ଦେହରେ ପକ୍ଷୀ ଘଷି ଘଷି ହସିହସି ଉଡ଼ି ଉଡ଼ି ଯାଉଛି ।

 

ତା’ ଗୋଡ଼ ଏଣିକି ଶକ୍ତ ହୋଇଗଲାଣି । ସେ ଠିଆହୋଇପାରୁଛି । ଡେଣାରେ ତା’ର ପରସବୁ ଆସ୍ତେ ଆସ୍ତେ ଅଙ୍କୁରି ଆସୁଛି । ଦୁନିଆ କଥା ଭାବି ଭାବି ମନ ତା’ର ବାଇଆ ହୋଇ ପଡ଼ିଲାଣି । ତା’ ଦୁନିଆର ଖିଆଲରେ ଜହ୍ନ-ଆଲୁଅ, ପାକଲା ପିଜୁଳି ଖାଲି ଖେନ୍ଦି ହେଇଯାଉଛି । ଏଣିକି ସେ ସବୁବେଳେ ଖାଲି ବିକଳ ହେଉଛି; ମାଆ ସାଙ୍ଗରେ ଲଗାଉଛି–ସେ ବଡ଼ ହେଲାଣି, ସେ ଦୁନିଆ ଦେଖିଯିବ ।

 

ମାଆ ସେଦିନ ତା’ ଅଝଟପଣିଆ ଦେଖି ପହିଲୁ କରି ତାକୁ ଖୋଲମୁହଁକୁ ଆଣିଲା । ସରଗର ଚାନ୍ଦକୁ ଥଣ୍ଟ ବଢ଼େଇ ଚିହ୍ନେଇଦେଲା । ଆଖି ତା’ର ଝଲସି ଉଠିଲା । ଆଃ, କି ସୁନ୍ଦର ! ସେ କେଡ଼େ ଅନ୍ଧାରିଆ ଜାଗାରେ ପଡ଼ିରହିଥିଲା । ମାଆ ଡେଣା ସାଙ୍ଗରେ ଡେଣା ମେଲାଇ ଟିକିଏ ଟିକିଏ ଖଣ୍ଡିଉଡ଼ା ଦେଲା । ସେ ଏ ଡାଳରୁ ସେ ଡାଳକୁ ଗଲା । ପକ୍ଷୀ ତା’ର ଘୋଳେଇ ହେଇ ପଡ଼ିଲା । ଗଛର ସବା ଉପର ଡାଳକୁ ଗୋଟାଏ ଦମ୍‌ରେ ଉଠିଗଲା । ସେ ଜହ୍ନଆଡ଼େ ଚାହିଁକି ସେଠି ବସିରହିଲା । ଡେଣାରୁ ତା’ର ପରାସ ଆପେଆପେ କମିଆସୁଥିଲା । ଜହ୍ନଦେହରୁ ଝିପିଝିପି ହେଇ ଆଲୁଅ ବିଞ୍ଚି ହେଇ ପଡ଼ୁଛି । ସେ ଭାବିଲା ଥଣ୍ଟ ମେଲାକରି ସେଥିରୁ ମେଞ୍ଚାଏ ପିଇଯିବ । ମାଆ ଆସି ଏତିକିବେଳକୁ ତା’ ପାଖରେ ପହଞ୍ଚିଗଲା । ତାକୁ ବୁଝେଇ-ସୁଝେଇ ଖୋଲ ଭିତରକୁ ନେଇଗଲା ।

 

ଥରେ ଦିନବେଳେ ମାଆ ତା’ର ଟିକିଏ ଘୁମେଇ ପଡ଼ିଥିଲା । ସେ ଆସ୍ତେ ଆସ୍ତେ ଖୋଲ ପାରହେଇ ଚାଲିଆସିଲା । ଇସ୍, ବାହାରେ କେଡ଼େ ଆଲୁଅ । ସେଦିନଠୁ ଆଜିର ଜହ୍ନଟା ଖୁବ୍ ବଡ଼ ହେଇ ଦାଉଦାଉ ହେଇ ଜଳୁଛି । ସେ ଚାହିଁଲା । ଆଖି ତା’ର ପୋଡ଼ିଉଠିଲା । ବାପ୍‌ରେ ବାପ୍ କେତେ ଆଲୁଅ ! ଉପର ଡାଳରୁ ବଣିଛୁଆ ଦୁଇଟା ବାହାରି ଆସି ଏ ଡାଳରୁ ସେ ଡାଳକୁ କୁଦି କୁଦି ଯାଉଥାନ୍ତି । ମାଆ ସାଙ୍ଗରେ ତାଳ ପକାଇ ଗୀତ ବୋଲୁଥାନ୍ତି । ୟା ମନ ଭାରି ଖରାପ ହେଇଗଲା । ତା’ ମାଆଟା ବଣିମାଆ ଭଳି ସେତେ ଭଲ ନୁହେଁ । ତାକୁ ତ କାହିଁ ଇମିତିକା ବଡ଼ ଜହ୍ନ ତଳେ ଗୀତ ବୋଲେଇ ଶିଖେଇନି । ସେ ଗୀତ ବୋଲି ବୋଲି ବଣିଛୁଆ ପାଖକୁ ଗଲା । ବଣିଛୁଆ ଦି’ଟା ଡରିଗଲେ । ସେମାନେ ପାଟିକରି ଉଠିଲେ । ତାଙ୍କ ମାଆ ଆସି ୟାକୁ ଖୁମ୍ପି ପକାଇଲା । ୟା ପାଟି ଶୁଣି କୁଆଟେ କା’ କା’ ଡାକ ଛାଡ଼ି ଛୁଟିଆସିଲା । ପେଚା ମାଆର ନିଦ ଭାଙ୍ଗିଗଲା । ସେ ବାହାରକୁ ଧାଇଁଆସି ଆପଣା ଖୋଲ ଭିତରକୁ ୟାକୁ ଟାଣିନେଇଗଲା । ମାଆ ଉପରେ ପେଚାଛୁଆ ବେଜାଏ ରାଗିଗଲା । ତା’ ମାଆ ସବୁ ଭଣ୍ଡୁର କରିଦେଲା । ରାଗରେ ସେ ମାଆକୁ ଦି’ଚାରି କାମୁଡ଼ାବି ଦେଲା । ଖୋଲ ପାରହେଇ ପଳାଇବାକୁ ବସିଲା । ତାକୁ କାହିଁକି ଏମିତିକା ବଡ଼ ଜହ୍ନ ଦେଖେଇ ଦେଇନି ବୋଲି ମାଆକୁ ଦାଲକିବାକୁ ବସିଲା । ମାଆ ତାକୁ ବୋଧ ଦେଇ ବୁଝାଉଁ ବୁଝାଉଁ କାନ୍ଦିକରି କହିଲା–“ତୁନି ହୋ’ରେ ପୁଅ, ପାଟି କିଳିଦେ । ସେ ଜହ୍ନ ନୁହେଁରେ ବାପ, ସେ ହେଉଛି ସୂର୍ଯ୍ୟ । ଆମ ଦୁନିଆରେ ସୂର୍ଯ୍ୟ ନାହିଁ । ଆମେ ଅନ୍ଧାରର ଜୀବ । ଜହ୍ନବି ସବୁଦିନ ଆସିବନି । ଆମ ଭାଗରେ ଅନ୍ଧାର ପଡ଼ିଛି । ଆମେ ଅନ୍ଧାରରେ ରହିବା । ନହେଲେ ଆମେ ମରିବାରେ ବାପ !”

 

ସେ ମାଆର କଥାରେ ରାଗିଗଲା । କାହିଁକି ସେ ସୂର୍ଯ୍ୟର ଦୁନିଆକୁ ଯିବନି ? କାହିଁକି ସେ ଆଲୋକର ରାଜ୍ୟରେ ନବୁଲିବ ? କିଏ ସେ ଇମିତି ତାଙ୍କୁ ହଇରାଣ କରିବାକୁ ନିୟମ କରିଛି-? ସେ ତମତମ ହୋଇ ଆଗେଇଯାଉଥିଲା । ମାଆ ତାକୁ ପେଟ ତଳକୁ ଟାଣି ଆଣିଲା-। ମାଆ ପେଟରୁ କେତେଟା ପର ସେ ରାଗରେ ଥଣ୍ଟମାରି ଉପାଡ଼ିପକାଇଲା । ମାଆ ତା’ର ଖାଲି କାନ୍ଦିଲା-। ମାଆ କାନ୍ଦୁଛି, ସେ ଫେରିଆସିଲା । ବସା ସେପାଖରେ କୁଆଗୁଡ଼ାକ ପାଟି କମ୍ପାଉଥାନ୍ତି-। କାହିଁକି ସେ ପୋଡ଼ାମୁହିଁ ସୂର୍ଯ୍ୟକଥା କହି ପୁଅର ମୁଣ୍ଡକୁ ବିଗାଡ଼ିଦେଲା ବୋଲି ପେଚାମା’ ହାଇପି ସାଇପି ହେଉଥିଲା । ‘‘ଆମେ ଅନ୍ଧାରର ବାସିନ୍ଦା । ଆମେ ଅଶୁଭର ସମ୍ପ୍ରଦାୟ । ଆମେ ଦୁନିଆର ଅଭିଶାପ-। ଆମେ ଆଲୁଅ ଖୋଜିଲେ ମରିବା । ଆଲୁଅର ରାଜୁତିରେ ଆମକୁ ଶିକାର କରିବାପାଇଁ ଆଲୁଅ ପୁଅମାନେ ଟାକିକି ବସିଛନ୍ତି ।” ମାଆ ତା’ର କହୁଁ କହୁଁ ଖାଲି କାନ୍ଦିଲା-। ମାଆକୁ ବୋଧ ଦେଉଁ ଦେଉଁ ସେ କହିଲା–“ମାଆ ତୁ ଟିକିଏ ଥୟ ଧର । ମୁଁ ବଡ଼ ହୁଏଁ-। ଆଲୁଅ ରାଜ୍ୟକୁ ମୁଁ ତତେ ଅଲବତ୍ ନେଇଯିବି । ମୁଁ ସବୁ ଶତ୍ରୁକୁ ମାରି ନିପାତ କରିଦେବି ।”

 

ସେଦିନ ମାଆ ପୁଅ ଦି’ଜଣ ଆମ୍ବଡ଼ାଳରେ ବସିଥାନ୍ତି । ଆକାଶରେ ଜହ୍ନ ନଥାଏ । ପେଚାଛୁଆକୁ କିଛି ଭଲ ଲାଗୁ ନଥାଏ । ହଠାତ୍ ପାଖଘରର ଫାଙ୍କଦେଇ ଆଲୁଅ ଦିଶିଲା । ପେଚାଛୁଆର ମନ ଉଲସି ଉଠିଲା । ସେ ପାଟି ଖୋଲି ଗୀତପଦେ ଧଇଲା । ଘର ଭିତରୁ କଡ଼ାକଡ଼ା କଥାରେ କିଏ ଗାଳିଦେଲା–‘‘ଉଠୁଛୁନା ପୋଡ଼ାମୁହାଁ ସେଠୁ । ପିଠାଖଡ଼ିକା ପଚେଇ ଦାଗିଦେବି ଯେ ବୁଝିବୁ । ଦୂର୍ ଦୂର୍, ତତେ ଝାଡ଼ାବାନ୍ତି ଖାଉ ।” ପେଚାମାଆ ଛୁଆ ମୁହଁରେ ଥଣ୍ଟ ଲଗାଇ ଆଉ ପାଟି ନ କରିବାକୁ କହିଲା । ପେଚାଛୁଆ ରାଗିଗଲା । ବାଃ, ଆଲୁଅକୁ ଘରଭିତରେ ଆପଣା ସମ୍ପତ୍ତି ଭଳି କାରବାର କରିବେ–ଆଲୁଅକୁ ଦେଖି ଆମେ ଟିକିଏ ଖୁସି ହେଲେ ଗାଳି ଶୁଣିବୁ ? ନା, ତା’ ହେବନି । ସେ ଝରକା ଭିତରେ ପଶି ଆଲୁଅକୁ ଛଡ଼ାଇ ଆଣିବାକୁ ବାହାରିଲା । ମାଆ କାନ୍ଦି-ବୋବେଇ ତାକୁ ସେଦିନ ଫେରାଇ ଆଣିଲା ।

 

ସଞ୍ଜପରେ ଘରୁ ବାହାରିବା ଆଗରୁ ସେ ତା’ର ଡେଣା ଦୁଇଟାକୁ ଭଲକରି ସେଦିନ ଦେଖିନେଲା । ତା’ର ସବୁ ପର ଉଠିଯାଇଛି । ଗୋଡ଼କୁ ସିଧା କରି ଦୁଇଚାରି ଥର ନାଚିଗଲା । ବେଶ୍ ଶକ୍ତ ଅଛି । ଥଣ୍ଟକୁ ଗଛ ଖୋଲ ଦେହରେ ବାଡ଼େଇଦେଲା । ଖୁବ୍ ଟାଣ ହୋଇ ଗଲାଣି । ସେ ଉଡ଼ି ଚାଲିଗଲା । ରାତିର ଅନ୍ଧାର ଭିତରେ ଗୋଟାଏ ଖୋଲରେ ବସିରହିଲା । ସେ ଆଉ ଘରକୁ ଫେରିବନି । ସେ ସୂର୍ଯ୍ୟର ଦେଶରେ ବୁଲିବ । ସେ ଆଲୁଅକୁ ଦଖଲ କରିବ । ସେ ଶତ୍ରୁର ମୁହାଁମୁହିଁ ହେଇ ମୁକାବିଲା କରିବ ।

 

ରାତି ପାହି ଆସିଲା । ଦିଗ୍‌ବଳୟର ତଳଆଡ଼ୁ, ଲାଲଖରାର ପିଚକାରି ଉପରକୁ ଉଠିଲା-। ସୂର୍ଯ୍ୟ ରାଜ୍ୟରୁ ଆଲୋକର ଏହି ପ୍ରଥମ ପ୍ରବେଶକୁ ସେ କେବେ ଦେଖି ନଥିଲା । ସେ ଆଖି ଖୋଲି ଆଲୁଅର ଏ କଳସବୁଡ଼ା ଉତ୍ସବକୁ ନିଜକୁ ଭୁଲି ଦେଖିବାକୁ ଲାଗିଲା । ଶହଶହ ଚଢ଼େଇ ଗୀତ ସାଙ୍ଗରେ ଡେଣାର ଭାଙ୍ଗ ପକାଇ ଉଡ଼ିଗଲେ । ତା’ର ଶହ ଶହ ଜାତି ଭାଇ ଆଲୁଅରେ ବୁଲି ବୁଲି ଜୀବନର ସ୍ଵାଦୁ ଚାଖିବେ, ଆଉ ସେ ଡରିମରି ଅନ୍ଧାର ଭିତରେ ଶଢ଼ି ଶଢ଼ି ମରିବ-? ନା, ତା’ ମନ ଦମ୍ଭରେ ପୂରିଉଠିଲା । ସୂର୍ଯ୍ୟ ଆସ୍ତେ ଆସ୍ତେ ଉପରକୁ ଉପରକୁ ଉଠୁଥିଲେ-। ଦିନର ଆଲୁଅ ବେଶି ବେଶି ଜଳି ଉଠୁଥିଲା । ଏତେ ବଡ଼, ଏତେ ସୁନ୍ଦର ଆଲୁଅର ପୃଥିବୀରେ ତା’ପାଇଁ କ’ଣ ଟିକିଏ ଜାଗା ନାହିଁ ? ନା, ସେ ଆଜି ମନପୂରା ମଉଜ କରିବ । ସେ ଆଜି ଦୁନିଆକୁ ଜଣାଇଦେବ, ସେ ମଧ୍ୟ ଆଲୋକର ପୁଅ । ତା’ର ମଧ୍ୟ ଏ ରାଜ୍ୟରେ ଦାବି ଅଛି ।

 

ସେ ମନଇଚ୍ଛା ଚାରିଆଡ଼େ ବୁଲିବାକୁ ଲାଗିଲା । ଆଖି ମେଲାଇ ଦୁନିଆର ହରେକ ଜିନିଷ ଟିକିନିଖି କରି ଦେଖିଲା । ହଠାତ୍ ପଛଆଡ଼ୁ କିଏ ତାକୁ ଆକ୍ରମଣ କଲା । ସେ ବୁଲିପଡ଼ିଲା । ମାଆ ସେଦିନ ତାକୁ ତା’ର ଶତ୍ରୁ ବୋଲି ଚିହ୍ନେଇ ଦେଇଥିଲା । ଏଇମାନେ ତାଙ୍କଠୁଁ ଆଲୁଅକୁ ଛଡ଼ାଇ ନେଇଛନ୍ତି । ସେ ମଧ୍ୟ ଥଣ୍ଟକୁ ସଜାଡ଼ି ନେଇ କୁଆଟା ଉପରେ ଚଢ଼ାଉ ଆରମ୍ଭ କରିଦେଲା-। କୁଆଟା ପ୍ରତିରୋଧ କରୁଁ କରୁଁ ତା’ ଜାତିଭାଇଙ୍କୁ ଡାକ ଛାଡ଼ିଲା । ଦଳଦଳ କୁଆ କା’ କା’ର ରେରେକାର ଦେଇ ମାଡ଼ିଆସିଲେ । ଏଡ଼େ ବଡ଼ ମଜଭୁତ୍ ଦଳ ଆଗରେ ସେ ରହିପାରିବନି ବୋଲି ବୁଝିପାରିଲା । ଆଗରେ ଦିଶୁଥିବା କୋଠାଘର ଆଡ଼କୁ ଖୁବ୍ ଜୋରରେ ଡେଣା ହଲାଇ ଛୁଟିଗଲା-। କାନ୍ଥର ଗୋଟିଏ ଛୋଟ ଜଳାବାଟ ଦେଇ ସେ ଗଳିଗଲା । ଘରର ଭିତର ପାଖ ପର୍ଯ୍ୟନ୍ତ ସେ ପଶିଗଲା । ବାହାରେ ଏଣେ କୁଆଗୁଡ଼ାକ ଭେଳା ଭେଳା ହେଉଥାନ୍ତି । ସେ ଟିକିଏ ନିଶ୍ଚିନ୍ତରେ ସେଠି ବସିଲା । ଟିକିଏ ସୁବିଧା ମିଳୁ, ଶତ୍ରୁର ଦଳ ଭାଙ୍ଗିଯାଉ, ସେ ବି ତା’ର ପ୍ରତିଶୋଧ ନେଇ ଜାଣେ । ସେ ଆଜି ଆଲୁଅ ରାଜ୍ୟରୁ ତା’ର ପାଉଣାକୁ ଆଦାୟ କରିବ । ସେ ଅନ୍ଧାରର ଅଭିଶାପ ନୁହେଁ । ସେ ଆଲୁଅର ସନ୍ତାନ । ସେ ଆଜି ଆଲୁଅକୁ ମନଭରି ନିଶ୍ଚୟ ଉପଭୋଗ କରିବ ।

 

କୋଠାଘର ଭିତରେ ପଲଙ୍କର ମୋଟା ଗଦି ଉପରେ ଧନବୀର ଧୀରୁମଲ୍ଲ ଶୋଇଛନ୍ତି-। ତୁହା ତୁହା ହେଇ ଜରର କମ୍ପ ତାଙ୍କ ଉପରକୁ ମାଡ଼ି ଆସୁଛି । ଧୀରୁମଲ୍ଲ ବ୍ୟସ୍ତ ହୋଇ ପଡ଼ିଛନ୍ତି-। ଜରର ବିନ୍ଧା ଛିଟିକା ଭିତରେ ଛାଟିପିଟି ହୋଇ ସେ ମଝିରେ ମଝିରେ ଚିତ୍କାର ଛାଡ଼ୁଛନ୍ତି-। ‘‘ଦେଖ, ସୋରିଷ ତେଲରେ ଯେମିତି ଅଶୀଭାଗ ଅଗରା ମିଶେ । ହଁ, ମଦନା ବାରିକ ଉପରେ ଆଉ ଯେପରି ପାଞ୍ଚ ନମ୍ବର କେସ୍ ଦାୟର ହେବ । ଶଳାର ଭଉଣୀ ଚନ୍ଦ୍ରମା ଭାରି ସତୀ ଦେଖେଇ ହେଉଛି । ମୁଁ ଟିକିଏ ଶରଧାରେ ହାତ ପକେଇ ଦେଲି ବୋଲି ଶାଳୀ ମାଇକିନା ମତେ ମାରିବାକୁ ଉଠୁଥିଲା । ଶୁଭୁଛି, କୋଡ଼ିଏ ଜଣଯାଏଁ ଗୁଣ୍ଡା ପଠାଇ ପ୍ରିୟ ମିଶ୍ର ବିଲରୁ ପାକଲା ଧାନ କାଟିଆଣ-। ପଇସାକୁ ପରବାୟ ରଖନି । ପାଠ ଦି'ଅକ୍ଷର ପଢ଼ିଛି ବୋଲି ଶଳା ମତେ ନମସ୍କାର କରିବନି-। ଏଠି ଆସି ଶୁଣ, ଶହେ ଭରି ଚୋରା ଅଫିମ ଦେବ ବୋଲି ସେ କଲିକତିଆ ବଙ୍ଗାଳୀ କହିଯାଇଛି-। ତାକୁ ଟିକିଏ ଆଖି ରଖିଥିବ ।”

 

ଏଇମାନେ ଆଲୋକ ରାଜ୍ୟର ନାମଜାଦା ଲୋକ ! ୟାଙ୍କପାଇଁ ସୂର୍ଯ୍ୟ ତାଙ୍କର ସବୁଦିନେ ଆଲୋକ ଦିଅନ୍ତି । ପେଚାଛୁଆ ଆଖି ଖୋଲି ଭଲକରି ଚାହିଁଲା । ହଠାତ୍ ଧୀରୁମଲ୍ଲଙ୍କ ବିଛଣା ପାଖରୁ ଜଣେ ଆଲୋକ ରାଜ୍ୟର ସଚ୍ଚୋଟ ସଚ୍ଚାକର୍ମୀଙ୍କ ଆଖି ପେଚାଛୁଆ ଉପରେ ପଡ଼ିଲା ।

 

‘‘ଅଶୁଭ, ଅଶୁଭ, ମହାବିତ୍ପାତ ଯୋଗ । ଘରେ ଉଲ୍ଲୁକ ବସିଲା । ମାଲିକ ବେମାର ପଡ଼ିଛନ୍ତି ।’’ କର୍ମୀ ବ୍ୟସ୍ତ ହୋଇପଡ଼ି ପାଟି କମ୍ପାଇଲେ । ଗୋଟାଏ ଲମ୍ବା ବାଉଁଶ ଆଣି ବିଚରା ପେଚାଛୁଆକୁ ଖେଞ୍ଚି ଖେଞ୍ଚି ତଡ଼ି ଦିଆଗଲା । ଦୁଇଟିଯାକ ଡେଣା ତା’ର ଜଖମ ହୋଇଗଲା । ସେ କଷ୍ଟେମଷ୍ଟେ ଡେଣା ଟେକି କୋଠା ଉପରେ ବସିଲା । ଗଛ ଉପରୁ କେତେଟା କୁଆ ଆସି ଚଢ଼ାଉ ଆରମ୍ଭ କରିଦେଲେ । କୁଆଙ୍କ ପାଟି ଶୁଣି ଜଣେ ଚାକର କୋଠା ଉପରକୁ ଯାଇଁ ବାଡ଼ିରେ ପେଚାଛୁଆଟି ଉପରେ ପାହାର ଲଗେଇଲା । ଛୁଆଟା ତଳକୁ ଗଡ଼ିପଡ଼ିଲା । ପେଚାଟା ବସିଛି ବୋଲି କୋଠା ଉପରେ ମେଞ୍ଚାଏ କୁଟା ଜାଳି ହଳଦି ପାଣିରେ ନିଭାଇ ଦିଆଗଲା । ଯାହାହେଉ ଅରିଷ୍ଟ କଟିଗଲା ।

 

କୁଆପଲ ଅଶକ୍ତ ପେଚାଛୁଆ ଉପରେ ଆକ୍ରମଣ ଚଳେଇଦେଲେ । ପେଚାଛୁଆଟିର ଡେଣା ମୂଳରୁ ଥୋଳା ଥୋଳା ରକ୍ତ ଥୋପି ପଡ଼ୁଥିଲା । ସେ ଥରେ ଉପରକୁ ଚାହିଁଲା । ସୂର୍ଯ୍ୟ ଖୁବ୍ ଉପରେ ଯଥେଷ୍ଟ ଆଲୁଅ ଦେଉଛନ୍ତି । ଖୁବ୍ କଷ୍ଟରେ ଉଠିପଡ଼ି ସେ ତା’ ବସା ଆଡ଼କୁ ମୁହାଁଇଲା । ଖୋଲଯାଏଁ ଉଠି ପାରିଲାନି । ଗଛମୂଳେ ପଡ଼ିଗଲା । ମାଆ ତା’ର ପୁଅ ଆସିନି ବୋଲି କାଲୁବାଲୁ ହୋଇ ଚାହିଁ ବସିଥାଏ । କ’ଣ କରିବ ? ଦିନଟାରେ ଛୁଆଟା କେଉଁଠି ଆଶ୍ରା ନେବ ? ମାଆର ମନଟା ଏଣୁତେଣୁ ଭାବି ଭାବି ଗୋଳେଇ ଘାଣ୍ଟି ହେଉଥାଏ । ପୁଅର ପାଟି ଶୁଣି ସେ ଗଛ ମୂଳକୁ ଧାଇଁ ଆସିଲା । ପୁଅକୁ ରକ୍ତ ସୁଡ଼ୁବୁଡ଼ୁ ଦେଖି ପାଟିରୁ ତା’ର କଥା ବାହାରିଲାନି । ପେଚାଛୁଆଟି ଥରେ ଉପରକୁ ଚାହିଁଲା । ଗଛ ଉପରେ ବଣିଛୁଆ ସବୁ ଡେଇଁ ଡେଇଁ ଗୀତ ବୋଲୁଥିଲେ । ସୂର୍ଯ୍ୟ ଆକାଶ ଦିହରୁ ଆଲୁଅ ପୃଥିବୀ ଉପରକୁ ଖସାଇ ପକାଉଥିଲେ ।

 

ପେଚାଛୁଆ ମାଆକୁ କତିକି ଡାକି ମାଆ ଗୋଡ଼ରେ ମୁଣ୍ଡ ଗଡ଼େଇ ଗଡ଼େଇ କହିଲା–“ମାଆ, ତୁ କାନ୍ଦନା । ମୋର ଆଉ ଭାଇ ହେଲେ ତାଙ୍କୁ କହିବୁ, ତାଙ୍କ ଭାଇ ଆଲୋକ ରାଜ୍ୟଜୟ କରିବାକୁ ଯାଇଁ ବୀରପରି ମରିଛି ।”

 

ପେଚାଛୁଆଟି ସବୁଦିନ ପାଇଁ ଆଖି ବୁଜିଦେଲା ।

 

ସୂର୍ଯ୍ୟ ତାଙ୍କ ଦୁନିଆ ଉପରେ ବେଶି ବେଶି ଆଲୁଅ କୁଢ଼େଇ ଦେଉଥିଲେ ।

Image

 

ଶ୍ରୀମତୀ ବନଜ ଦେବୀ

ରାଗ ବେହାଗ

 

ସେ ଏକ ଭିନ୍ନ ରାସ୍ତାରେ, ଭିନ୍ନ ସ୍ଵାଦର ଜୀବନ ଅନୁଭବିବାକୁ ସର୍ବନାଶୀ ଝୁଙ୍କ ଭିତରକୁ ଡେଇଁପଡ଼ିଥିଲେ । ସାମ୍ନାରେ ରଙ୍ଗୀନ ପୃଥିବୀ, ରଙ୍ଗୀନ ଯୌବନର ପ୍ରଶ୍ନ ବିଦାରି ସେ ଦେଖିଥିଲେ ଜୀବନର ଏକ ଉଦାର, ଗମ୍ଭୀର, ମହତ୍ତ୍ଵପୂର୍ଣ୍ଣ ରୂପ । ସେଠି ଅନ୍ଧାର ନାହିଁ, ଆଲୁଅ ନାହିଁ, ସେଠି ଅଛି ଖାଲି ସମୟକୁ କୋଳାଗ୍ରତ କରି ବହିଚାଲିବାର ନିଶା ।

 

ଆଖି ଖୋଲିଦେଲେ ଯେମିତି ଫୁଲମାନଙ୍କର ପାଖୁଡ଼ା ନାହିଁ, ପକ୍ଷୀମାନଙ୍କର କାକଳି ନାହିଁ, ପବନରେ ନାହିଁ ସାବଲୀଲତା, ପତ୍ରରେ ନାହିଁ ମର୍ମର । ସାରା ପୃଥିବୀଟା ଯେମିତି ଏକ ମୃତ ଉପତ୍ୟକା ପରି ନିସ୍ତେଜ–ନିଷ୍ପନ୍ଦ ଓ ପ୍ରାଣହୀନ ହୋଇପଡ଼ିଛି ।

 

ଅଥଚ ଭିତରେ ଅନ୍ୟ କଥା । ଅନ୍ୟଭାବ । ଅନନ୍ୟ ଏକ ଜଗତ ତା’ର ସକଳ ପ୍ରାକୃତିକତାକୁ ବିସ୍ତାର କରି ସାରା ଚେତନାକୁ ବେଷ୍ଟନ କରି ରଖିଛି । ସେଠି ପୂର୍ଣ୍ଣଗର୍ଭା ନଦୀ ଦୁଇକୂଳ ଖାଉଚି । ସଙ୍ଗୀତ ବାଜୁଛି ଶୀର୍ଷାନ୍ତ ନାଦରେ ଏକ ଦମ୍ଭ ଦ୍ରୁତ ଲୟରେ । ଅପ୍ରକଟିତ, ଅବ୍ୟକ୍ତ କେଉଁ ଶ୍ରେଷ୍ଠ କଥାଟିପାଇଁ ମନର ଶିଳ୍ପୀ ଆକୁଳ ହୋଇ ଉଠିଛି ।

 

ଅନୁସୂୟା ଠାକୁର ଘରୁ ବାହାରିଆସି ବାରଣ୍ଡାରେ ଠିଆହେଲେ । ଓଦା କେଶକୁ ପିଠିସାରା ଖେଳେଇଦେଲେ । ମଠା କାନିରେ ମୁହଁକୁ ପୋଛିନେଲେ । ସକାଳର ପୂଜାରୁ ଉଠିଲା ପରେ, ମନରେ ଯେଉଁ ଅପୂର୍ବ ଭାବ ଓ ସନ୍ତୋଷ ଆସେ, ତାହା ତାଙ୍କୁ ଆଣି ଠିଆ କରାଏ ଏଇ ଖୋଲା ବାରଣ୍ଡାରେ । ସକାଳର ଆକାଶକୁ ଚାହିଁବାକୁ ଭାରି ଭଲ ଲାଗେ । ଚାହିଁ ରହନ୍ତି ସେ ବେଶ୍ କିଛି ସମୟ । ତା’ପରେ ସାରା ଦିନ ପ୍ରାଣସ୍ଫୁର୍ତ୍ତିରେ ଅନେକ କାମ ଭିତରେ ବୁଡ଼ିଯାଆନ୍ତି । ହେଲେ ଏବେ ଏ ସବୁର ଶେଷ ହୋଇଯାଇଛି । ଅଛି କେବଳ ପୁରାତନ ଅଭ୍ୟାସ । ଅଛି ଏଇ ଜଳଛବିର ସକାଳ । ହଁ, ସବୁ ଶେଷ ହୋଇଯାଇଛି । ଶେଷ, ଶେଷ, ପୂରାଶେଷ । ହେଲେ ଏଇ ଶେଷ ଭିତରୁ ପୁଣି କେଉଁ ଅଭିନବ ଆରମ୍ଭପାଇଁ ତାଙ୍କ ଭିତରେ ଏ ଉଚ୍ଚାଟନୀୟ ଗୀତର ସ୍ଵର ବାଜିଉଠିଚି । ସିଡ଼ିରେ କାହାର ପାଦଧ୍ୱନିକୁ ସେ ଏକ ମନରେ ଚାହିଁ ରହିଚନ୍ତି ?

 

ଆଜି ସକାଳୁ ସକାଳୁ, ଘରେ କେହି ନଥିଲାବେଳେ ସତେ କ’ଣ କେହ ଆସି ପହଞ୍ଚିବ । ଆଉ ଦୃଷ୍ଟିଭରି ଦେଖୁ ନ ଦେଖୁଣୁ ପଡ଼ି ରହିଥିବ ତା’ର ଚିହ୍ନ । ଉତ୍ତରୀୟର ରେଶମୀ ଡୋର, କା କର୍ଣ୍ଣ ମୂଳର, ଫୁଲ ସ୍ତବକର ସ୍ଖଳିତ ପାଖୁଡ଼ା କେତୋଟି ।

 

ଅନୁସୂୟା ଆତ୍ମମଗ୍ନ ହୋଇ ଚାହିଁ ରହିଥିଲେ ସେମିତି ବାହାରକୁ–ସକାଳ ସେତବେଳକୁ ତା’ର ସବୁରଙ୍ଗ ଝଲକକୁ ବିଞ୍ଚିଦେଇ ସାରିଥିଲା । ଅନୁସୂୟାଙ୍କର ସେଇ ଦୋତାଲା କୋଠା ସମ୍ମୁଖର ବଗିଚାରେ, ଫାଟକର ମାଧୁମାଳତୀ ଲତାରେ, ସେ ରଙ୍ଗ ଝଲକଲାଗି ସାରିଥିବା ଯଥାରୀତି । ଗୃହପାଳିତ ଶୁଆଟି ରାମବନ୍ଦନା ପଢ଼ୁଥିଲା । କାଠ ପଞ୍ଜୁରୀରେ ବାରମାସୀ ଚଢ଼େଇ ଦୁଇଟି ପରସ୍ପରକୁ ଖୁମ୍ପାଖୁମ୍ଫି ହୋଇ ସୋହାଗ ଜଣାଉଥିଲେ । ଦୁଇ ହାତରେ ଦୁଇଟା ପରିବା ବ୍ୟାଗ୍ ଧରି ତରତର ହୋଇ ବଜାରରୁ ଫେରିଆସି, ଗେଟ ଖୋଲୁ ଖୋଲୁ, ଅନୁସୂୟା ଅପେକ୍ଷମାଣ ମୂର୍ତ୍ତିଟି ଭାବଗ୍ରାହୀଙ୍କ ନଜରରେ ପଡ଼ିଗଲା । ନିଜ ଭିତରେ ସେ ଯେମିତି ଟିକେ ଚଞ୍ଚଳ ହୋଇଉଠିଲେ । ଦୁଇଟି ପାହୁଣ୍ଡରେ ସିଡ଼ିଟା ଡେଇଁଗଲା ପରି ସେ ଧାଇଁଗଲେ ଓ ପରିବା ବ୍ୟାଗ୍ ଦୁଇଟା ତଳେ କଚିଦେଇ, ଅନୁସୂୟାଙ୍କ ପାଖକୁ ଯାଇ ପ୍ରଶ୍ନକଲେ…ଅନୁ, କାହାକୁ ଚାହିଁଛ…?

 

ଅନୁସୂୟାଙ୍କ ଦୃଷ୍ଟି ତଥାପି ହଜିଯାଇଥିଲା, ଅନେକ ଦୂରରେ ତଥାପି ତାଙ୍କୁ ଘେରି ରହିଥିଲା ଯେମିତି ସେଇ ଦ୍ରୁତ ରାଗର ଗୀତଟାର ଆବେଶ–

 

ଭାବଗ୍ରାହୀ ପାଖକୁ ଘୁଞ୍ଚିଗଲେ । ଅନୁସୂୟାଙ୍କ କାନ୍ଧରେ ହାତ ରଖିଲେ । ହଠାତ୍ ଚମକିପଡ଼ି ମୁହଁ ଫେରାଇଲେ ଅନୁସୂୟା । ଭାବଗ୍ରାହୀଙ୍କ ଦୃଷ୍ଟିରେ ଦୃଷ୍ଟି ମିଶିଗଲା । ଭାବଗ୍ରାହୀ ଦେଖିଲେ, ଅନୁସୂୟାର ମୁହଁରେ ସକାଳର ଖରା ପଡ଼ିଛି । ସେ ମୁହଁ କେତେ ଶାନ୍ତ, କେତେ କୋମଳ, କେତେ ସୁନ୍ଦର ଦିଶୁଛି । କାହିଁ, ଏତେ ଦୀର୍ଘଦିନ ଧରି, ଏପରି କେବେ ଦେଖି ନଥିଲେ ତ ସେ । ସେ ଅନୁସୂୟାଙ୍କ କାନ୍ଧରେ ଚାପଦେଇ କହିଲେ…କହୁନା, କାହାକୁ ଏମିତି ଏକା ଆଖିରେ ଚାହିଁ ରହିଥିଲ…?

 

ଅନୁସୂୟା ହସିଲେ । ଭାବଗ୍ରାହୀଙ୍କ ଦୃଷ୍ଟିରେ ଦୃଷ୍ଟି ରଖି ଛେପ ଢୋକି କହିଲେ…ସେଇ ଜଣକୁହିଁ ତ ଚାହିଁରହିଛି, ଇସାରା ଦେଇ ଯେ ଦିନେବି ଆସିନାହିଁ…

 

ଭାବଗ୍ରାହୀଙ୍କ ମନରେ ଚାଏଁକିନା ଯେମିତି ଚିଆଁ ଲାଗିଗଲା । ଅନୁସୂୟାଙ୍କ କାନ୍ଧରୁ ହାତଟା ଖସିପଡ଼ିଲା ଛାଏଁ ଛାଏଁ । ମନ ଭିତରେ ପ୍ରଶ୍ନ କେତୋଟି ଅସମ୍ଭାଳ ହୋଇ ବାହାରି ଆସିଲା...ସେ ସେ କିଏ... ?

 

ଅନୁସୂୟା ଏଥର ଭାବଗ୍ରାହୀଙ୍କ କାନ୍ଧରେ ହାତ ରଖିଲେ । ମୃଦୁ ହସି କହିଲେ…ତମେ କେବେ ଏମିତି କାହାକୁ ଚାହିଁଛ ? ଚାହିଁବାର ରୋମାଞ୍ଚ ଅନୁଭବିଛ ? ପ୍ରିୟ ମିଳନର ଉତ୍କଣ୍ଠା ଯେ…କହୁ କହୁ ଅନୁସୂୟା ଢୋକି ଗିଳି ରହିଲେ, ଭାବଗ୍ରାହୀଙ୍କୁ ଚାହିଁ ରହିଲେ ସକୌତୁକ ଦୃଷ୍ଟିରେ…।

 

ଭାବଗ୍ରାହୀ କେବଳ ଥକ୍କା ହୋଇ ଶୁଣୁଥିଲେ ଅନୁସୂୟାଙ୍କର ଏହି ରହସ୍ୟମୟ କଥାକୁ; ଜମ୍ମା ବୁଝି ପାରୁନାହାନ୍ତି ଏ କଥା ସବୁ । ଅନୁସୂୟାଙ୍କୁ ସେ ସତେ ବୁଝିଚନ୍ତି–? ତିରିଶିବର୍ଷ ତଳେ ଯେଉଁ ଚପଳା ବାଳିକାଟି ତାଙ୍କର ବଧୂହୋଇ ଆସିଥିଲା; ମାତ୍ର କେତୋଟି ଦିନ ପରେ ତାଙ୍କ ସାନ ଭାଇ ଯାତ୍ରାରୁ ଆଣିଥିବା ଏକ ବାଘମୁଖା ବାଳିକା ଭାଉଜଟିକୁ ଉପହାର ଦେଇଥିଲା । ଶୋଇବା ଘରକୁ ପଶି ଯାଉଁ ଯାଉଁ କବାଟ କଣରୁ ବାଘମୁଖା ପିନ୍ଧି ସେହି ବାଳିକାଟି ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲା ମୃଦୁ ଗର୍ଜନରେ । ଏହି ବାଳିକାସୁଲଭ ହୃଦୟ ଖୋଲା ପରିହାସ ଟିକକୁ ସେଦିନ ସେ ବୁଝିପାରି ନଥିଲେ । ସଂସାରର ଘାତ ପ୍ରତିଘାତ ମଧ୍ୟରେ ସେହି ବାଳିକାଟି କେତେବେଳେ ସେ ଜଣେ ସମ୍ପୂର୍ଣ୍ଣ ନାରୀ ହୋଇଉଠି ସତୃଷ୍ଣ ଆଖିରେ ତାଙ୍କୁ ଚାହିଁ ରହିଥିଲା ଜୀବନର ମଧ୍ୟାହ୍ନରେ, ଏ କଥାବି ସେ ବୁଝିପାରି ନଥିଲେ । ଜୀବନର ଅପରାହ୍‍ଣରେ ଅସ୍ତାଚଳକୁ ଚାହିଁ ବସିଥିବା ସେହି ପ୍ରୌଢ଼ା ନାରୀକୁ ସେ ଆଜିବି ବୁଝିପାରିଲେନାହିଁ । ବୁଝିପାରିଲେନାହିଁ ଟିକେବି ।

 

କିନ୍ତୁ ବୁଝି ନ ପାରିବାର ଏଇ ନିରୁପାୟ ଅକ୍ଷମତା ଟିକକୁ ହଠାତ୍ ଆବିଷ୍କାର କରି ନିଜ ଭିତରେ ନିଜେ ସେ ଯେମିତି ବିଦୀର୍ଣ୍ଣ ହୋଇଗଲେ । ସେଇ ଅକ୍ଷମତା ଏକ ଶାଣିତ ଛୁରି ପରି ତାଙ୍କୁ କରତିବାରେ ଲାଗିଲା । ମୁଣ୍ଡର ଅସ୍ତବ୍ୟସ୍ତ କେଶ ସବୁ ମୁଠା ମୁଠା କରି ସେ ବାରଣ୍ଡାସାରା ବୁଲି ଲାଗିଲେ । ଅନୁସୂୟାକୁ ସେ ବୁଝିପାରିଲେ ନାହିଁ ? ତିରିଶିବର୍ଷର ବିବାହିତା ସ୍ତ୍ରୀକୁ ସେ ବୁଝିପାରିଲେନି… ?

 

ସେ କ’ଣ ନିଜକୁବି ବୁଝିଥିଲେ କେବେ ? ନିଜକୁ ଜାଣିଥିଲେ ?

 

ଭାବଗ୍ରାହୀ ହଠାତ୍ ଅସ୍ଥିର ହୋଇ ଉଠୁଥିଲେ । ନାଃ, ନିଜକୁ ସେ ଟିକେ ଦେଖିନାହାନ୍ତି, ଜାଣିନାହାନ୍ତି, ଅନୁସୂୟାଙ୍କୁ ବା ଜାଣିଥାନ୍ତେ କିପରି ? ସେଇ ସେ ଉତ୍କଟ କର୍ତ୍ତବ୍ୟନିଷ୍ଠା, ତା’ରି ପାଖରେ ନିଜକୁ ଗୋଟିପଣେ ବିକିଦେଇଥିଲେ ସେ । ଅଫିସ୍‍ର କାମ ଛଡ଼ା ତାଙ୍କ ଆଖିରେ ଆଉ କିଛି ଦିଶୁ ନଥିଲା । ଦୀର୍ଘ ତିରିଶବର୍ଷ । ଖାଲି ଫାଇଲ୍ ଆଉ ଫାଇଲ୍ । ସଦ୍ୟ ଅବସର ଗ୍ରହଣକରି ହଠାତ୍ ଯେଉଁଦିନେ ସେ ନିଜକୁ ଖୋଜି ପାଇଲେ, ସେଦିନ ସେ ଚମକିପଡ଼ିଥିଲେ । ସେ ଚମକଟା ଡିନାମାଇଟ୍‌ର ବିସ୍ଫୋରଣର ଚମକ । ଏକ ପ୍ରାଣ-ଦୋହଲା ଆର୍ତ୍ତନାଦ । ତିରିଶବର୍ଷର ସମୟ ତାଙ୍କୁ ଠକିଦେଇଛି । ତାଙ୍କର ପୂରିଲା ସଂସାର କେତେବେଳେ ତାଙ୍କ ହାତମୁଠାରୁ ଖସିଯାଇଛି । ଅବଶିଷ୍ଟାଂଶ ହୋଇଛି ଏଇ ଅନୁସୂୟା; କିନ୍ତୁ ଅନୁସୂୟା ଯେ ତାଙ୍କ ସଂସାରର କେନ୍ଦ୍ରବିନ୍ଦୁ, ତାଙ୍କ ସଂସାରର ହୃଦୟ । କେମିତି ସେ ଭୁଲିଯାଇଥିଲେ ଏଇ ଦୀର୍ଘ ତିରିଶବର୍ଷ । ଅବସର ଗ୍ରହଣ କଲାପରେ ଭାବଗ୍ରାହୀଙ୍କ ମନ ହାହାକାର କରିଉଠିଲା । ଅନୁସୂୟାକୁ ନେଇ ସତେ ବା ସେ ପୁଣି ଜୀବନ ଧରି ନୂଆଭାବେ ବଞ୍ଚିବେ । ପୁଣି ଆରମ୍ଭ କରିବେ । ତିରିଶବର୍ଷ ବିତିଯାଇଚି ତ ଯାଉ । ଆଉ କୋଡ଼ିଏବର୍ଷ କି ବଞ୍ଚିବେ ନାହିଁ ? ଏଥର ସେ ସବୁ ଦିଗରୁ ପରିପୂର୍ଣ୍ଣ ହୋଇହିଁ ବଞ୍ଚିବେ । ଏହି ସ୍ଵପ୍ନ ନେଇ ତାଙ୍କ ମନ ମାତି ଉଠିଥିଲାବେଳେ, ସେ ଘୋଷଣା କରୁଛି ଯେ ସେ କେଉଁ ଜୟକୁ ଚାହିଁ ବସିଚି । ଇସାରା ଦେଇ ପୁଣି ଯିଏ କେବେ ଆସି ନାହିଁ…

 

ଛେଃ… ! ଭାବଗ୍ରାହୀଙ୍କ ମୁଣ୍ଡର ଶିରା ଟାଣି ଉଠିଲା । ରାଗ ଜରଜର ହୋଇ ସେ ଦୁମ୍‍ଦୁମ୍ ହୋଇ ପୁଣି ସିଡ଼ିରେ ଓହ୍ଲାଇ ଚାଲିଗଲେ ତଳକୁ ।

 

ଭାବଗ୍ରାହୀଙ୍କ ଯିବା ବାଟକୁ ଚାହିଁ ଚାହିଁ ଅନୁସୂୟା ହସି ଉଠିଲେ; କିନ୍ତୁ ପରମୁହୂର୍ତ୍ତରେ ସେ ହସ ପରିଣତ ହେଲା କାରୁଣ୍ୟ-କଠୋର ଏକ ମୌନତାରେ…। ଅନେକ ସମୟ ସେ ଚୁପ୍ ହୋଇ ଠିଆହୋଇ ରହିଲେ । ଭାବଗ୍ରାହୀ ଫେରିଗଲେ ରାଗିକରି । ଅଭିମାନ କରି । ଏତେଦିନ ପରେ ତାଙ୍କ ମନ ଘର ଧରିଛି । ତିରିଶବର୍ଷର ସ୍ଵାମିତ୍ଵର କୁମ୍ଭକର୍ଣ୍ଣନିଦ ଭାଙ୍ଗିଯାଇଚି । ସେ ହାଉଳି ଖାଇ ଉଠି ଅନୁସୂୟାଙ୍କୁ ଖୋଜୁଚନ୍ତି । ଧରିବାକୁ ହାତ ବଢ଼ାଉଚନ୍ତି । ହେଲେ ଅନୁସୂୟା କାହିଁ ? କାହିଁ ? ଅନୁସୂୟାଙ୍କର ଇଚ୍ଛା ହେଲା ଉଚ୍ଚସ୍ଵର ତୋଳି ସେ ପ୍ରଶ୍ନ କରନ୍ତେ, ଅନୁସୂୟା କି ଆଜି ଅଛି ? ଅଛି ? ଅଛି ? ତିରିଶବର୍ଷର ସେହି ପରିବ୍ୟାପ୍ତ ସମୟକୁ ସେ ସମୟର ପ୍ରତିଟି ତରଙ୍ଗରେ, ସେ ତରଙ୍ଗର ପ୍ରତି ଜଳକଣାରେ ଯେ ଅନୁସୂୟାର ପ୍ରାଣସତ୍ତା ସେ ବୁଣି ଆସିଚନ୍ତି ମୁଠା ମୁଠା ଧୂଳି ବୁଣିଦେଲା ପରି, ଫୁଲପାଖୁଡ଼ା କୋଟି କୋଟି ଝଡ଼ିଗଲା ପରି, ଫୁଲଝରି ବାଣର ଆଲୁଅ ସବୁ ଜଳି ନିଭିଗଲାପରି । ସେ ନିଃଶେଷିତ ସତ୍ତାକୁ ଦଳିମନ୍ଥି ଯେଉଁ ମହକଟି ଆଜି ଆପେଆପେ ସଞ୍ଚି ସଂପାତି ଉଠିଛି, ସେ କ’ଣ ଭାବଗ୍ରାହୀଙ୍କ ପାଇଁ ନା ତାଙ୍କ ନିଜପାଇଁ ଅଥବା… । ଅଥବା… ।

 

ଏଇ ଅଥବା ପାଖରେ ଅନୁସୂୟା ସେମିତି ଚୁପ୍ ରହିଗଲେ–ତାଙ୍କ ଭିତରର ସବୁ ଶବ୍ଦ ହୋଇଗଲା ନିଃଶବ୍ଦ । ସବୁ ସ୍ୱନ ହେଲା ନିଃସ୍ଵନ । ନିଜ ଭିତରୁ ନିଜେ ଛିଟିକି ସେ ଠିଆ ହୋଇଗଲେ ସତେ କି ସେଇ ଚେନାଟିଏ ଅପହଞ୍ଚ ଜାଗା ଟିକକରେ ଏକାକୀ-ନିର୍ମାଖୀ-ହୋଇ…ମଥା ଉପରେ ଛିଣ୍ଡି ପଡ଼ୁଥିଲା ଦିଗହରା ନିର୍ଜନତାର ଅନାସକ୍ତ ଆକାଶ । ଏକ ସୁଦୂରପ୍ରସାରୀ ମୁକ୍ତିର ଯନ୍ତ୍ରଣାରେ ତାଙ୍କର ସମଗ୍ର ସତ୍ତା ଅସ୍ଥିର ହୋଇଉଠିଲା ।

 

ହଁ…ସୁଦୂରପ୍ରସାରୀ ମୁଣ୍ଡର ଯନ୍ତ୍ରଣାରେ ଆଜି ସେ ଏକାବେଳକେ ଉଚ୍ଚାଟ, ଉଦ୍ୟତ, ସମାହିତ ।

 

ଅନୁସୂୟା ଧୀରେ ଧୀରେ ଆସି ତାଙ୍କ ରୁମ୍‌ରେ ବସିଲେ, ବସିଲେ ଖଟ ବାଡ଼କୁ ଆଉଜି-। ଭାବଗ୍ରାହୀ ହୁଏତ ତଳେ, ଚାକର ଟୋକାକୁ ରୋଷେଇର ବରାଦ ଦଉଥିବେ । ନଚେତ୍ ରାଗରେ ଗୁମ୍‍ମାରି ବସି, ପିଲାମାନଙ୍କୁ ମନେପକାଉଥିବେ । ପିଲାମାନେ ଆଜି ଯେ’ ଯୁଆଡ଼େ ଉନ୍ନତିର ଶୀର୍ଷସ୍ଥାନରେ ପହଞ୍ଚି ଯାଇଚନ୍ତି । ଯଶ, ଖ୍ୟାତି, ସବୁରେ ଶ୍ରୀସମ୍ପନ୍ନ ହୋଇଚନ୍ତି । ବଡ଼ପୁଅ ଆମେରିକାରେ ବୈଜ୍ଞାନିକ । ତା’ ତଳ ପୁଅ ବି. ବି. ସି. ସମ୍ବାଦ ସଂସ୍ଥାର ଉଚ୍ଚ ପଦବୀରେ ଅଧିଷ୍ଠିତ-। ଏକମାତ୍ର ଝିଅ ପୁନାର ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା କରୁଛି । ସାନ ପୁଅ ସ୍ଵଇଚ୍ଛାରେ ଭାରତ ସୀମାନ୍ତରେ ସୈନ୍ୟବାହିନୀରେ ଯୋଗଦେଇଛି । ଅନୁସୂୟା ଏକାଏକା ଏ ସମସ୍ତଙ୍କୁ ଏତେଦୂର ନେଇଚନ୍ତି । ତାଙ୍କର କେବଳ ଶ୍ରମ ଓ ସାଧନାରେ ନୁହେଁ…ସେଥିରେ କେତେ ଆବେଗ ଅଛି…କେତେ କମ୍ପନ ଅଛି…କେତେ କାରୁଣ୍ୟ ଅଛି…ତିରିଶବର୍ଷ ତଳର ସେ ଜୀବନ ।

ଜୀବନକୁ ସବୁ ଝିଅମାନେ ଦେଖନ୍ତି ପ୍ରକାରେ । ସେ ଦେଖିଥିଲେ ଆଉ ପ୍ରକାରେ । ସେଇ ଚିରାଚରିତ ଶଗଡ଼ ଗୁଳାରେ କେତୋଟି ପ୍ରୟୋଜନୀୟ ସୁଖ ପାଖରେ ନିଜକୁ ବିକ୍ରି ନକରି, ସେ ଏକ ଭିନ୍ନ ରାସ୍ତାରେ, ଭିନ୍ନ ସ୍ଵାଦର ଜୀବନ ଅନୁଭବିବାକୁ ସର୍ବନାଶ ଝୁଙ୍କ୍ ଭିତରକୁ ଡେଇଁପଡ଼ିଥିଲେ । ସାମ୍ନାରେ ରଙ୍ଗୀନ ପୃଥିବୀ, ରଙ୍ଗୀନ ଯୌବନର ସ୍ଵପ୍ନ ବିଦାରି ସେ ଦେଖିଥିଲେ । ଜୀବନର ଏକ ଉଦାର, ଗମ୍ଭୀର ମହତ୍ଵପୂର୍ଣ୍ଣ ରୂପ । ସେଠି ଅନ୍ଧାର ନାହିଁ, ଆଲୁଅ ନାହିଁ, ସେଠି ଅଛି ଖାଲି ସମସ୍ତକୁ କୋଳାଗ୍ରତ କରି ବହି ଚାଲିବାର ନିଶା ।

ସେଇ ନିଶା ଲାଗି ଆସିଲାବେଳେ, ସେ ଯାହାଙ୍କର ପତ୍ନୀ ହୋଇ ଆସିଲେ ତାଙ୍କୁ ଚିହ୍ନିବା ଆଗରୁ ଚିହ୍ନିଲେ ତାଙ୍କ ବାପାଙ୍କୁ । ଶ୍ୱଶୁର କହିଥିଲେ, ପୁଅଟା ଭାରି ଉଦାସିଆ, ଖାପଛଡ଼ା, ଖିଆଲି । ଏତେ ବଡ଼ ସଂସାର ତୋରି ମୁଣ୍ଡରେ ମା’ । ଏ ପିଲାଗୁଡ଼ାକ ନହେଲେ ଯେ ମଣିଷ ହେଇପାରିବେ ନାହିଁ କହି ସେ ତାଙ୍କର ପାଞ୍ଚୋଟି ପୁଅ ଝିଅଙ୍କୁ ଦେଖାଇ ଦେଇଥିଲେ ।

ଶ୍ୱଶୁରଙ୍କର ସେଇ କଥାଗୁଡ଼ାକ ବେଦବାକ୍ୟ ପରି ତାଙ୍କୁ ଲାଗିଥିଲା । ଭାବଗ୍ରାହୀ ସେ ଦରମାତକ ଅନୁସୂୟାଙ୍କୁ ଧରାଇ ଦେଇ ନିଶ୍ଚିନ୍ତ ରହିଯାନ୍ତି, ସଂସାର ସମ୍ପର୍କରେ କୌଣସି ଚିନ୍ତା ନଥାଏ । ସେଇ ଅର୍ଥରୁ ନିଜପାଇଁ ରଖି, ସବୁ ଧରାଇ ଦିଅନ୍ତି ଅନୁସୂୟା ଶ୍ୱଶୁରଙ୍କୁ । ଘରର ଛୋଟ ବଡ଼ ସବୁ ଦାୟିତ୍ଵ ତାକୁ ତୁଲାଇବାକୁ ପଡ଼େ ।

ଅନୁସୂୟା ଶ୍ଵଶୁରଙ୍କୁ କଥା ଦେଇଥିଲା । ମନ୍ତ୍ରମୁଗ୍ଧ ପରି ନିଜକୁ କ୍ଷୟ କରି କରି ସେ କଥାର ମୂଲ୍ୟ ରଖିପାରିଥିଲା । ବର୍ଷ କେତେଟାରେ ଭାବଗ୍ରାହୀଙ୍କ ସବୁ ଭାଇ ଆତ୍ମନିର୍ଭରଶୀଳ ହୋଇଉଠିଲାବେଳକୁ ଅନୁସୂୟାର କୋଳର ସନ୍ତାନ ବଢ଼ି ଉଠିଲେଣି; କିନ୍ତୁ ତାଙ୍କର ଏଇ ବଢ଼ନ୍ତା ପିଲାଙ୍କ ମୁହଁରେ ଆଜି ଆଉ ତାଙ୍କର ଶ୍ୱଶୁରଙ୍କର ଦୃଷ୍ଟି ନାହିଁ କି ନାହିଁ ତାଙ୍କ ପୁଅମାନଙ୍କର । ଅନୁସୂୟା ପାଖରୁ ତାଙ୍କର ସବୁ ପ୍ରୟୋଜନ ଶେଷ ହୋଇ ଯାଇଛି । ସମ୍ପର୍କର ଆଉ ଆବଶ୍ୟକଢ଼ା କ’ଣ ଅଛି ?

ହୁଏତ ଆଘାତ ଟିକିଏ ପାଇଥିଲା ଅନୁସୂୟା । ହୃଦୟ ଭିତରେ, ଠିକ୍ ଜାଗାରେ । କାହିଁକି ନା ସେ ଭଲପାଇଥିଲା ସେଇମାନଙ୍କୁ । ବ୍ୟବଧାନ ତାକୁ ଯଥେଷ୍ଟ କଷ୍ଟଦେଲା; କିନ୍ତୁ ଜୀବନନଈର ସେଇ କୁଳୁକୁଳୁ ଗୀତ ଭିତରେ ସେ ଆଘାତଟା ଗୋଳିହୋଇଗଲା । ଏକ ବିଷାଦଭରା ରାଗିଣୀ ତାକୁ ବେଢ଼ି ରହିଲା କିଛି ମୁହୂର୍ତ୍ତ । ଆଖିର ଲୁହ ସେ ପୋଛିଲା ସନ୍ତର୍ପଣରେ; ଗୋପନରେ । ଟିକେ ଥକ୍କା ହୋଇ ବସି ପଡ଼ୁ ପଡ଼ୁ ସେ ପୁଣି ଚମକିପଡ଼ି ଠିଆହୋଇଗଲା । ଅଣ୍ଟାରେ ଲୁଗା କାନି ଭିଡ଼ିଦେଲା । ପିଲାଙ୍କୁ ଜାବୁଡ଼ି ଧରିଲା ଛାତି ଭିତରେ ।

 

ଅନୁସୂୟା ଭାବିଥିଲା, ଭାବଗ୍ରାହୀ ପାଖରେ ଠିଆ ହେବେ, ଅନ୍ତତଃ ଥରେବି ତ କହିବେ, ଛିଃ, ଏଥିପାଇଁ ମନ ଖରାପ କରୁଛ ? ତମ ଆଗରେ ପଛରେ ମୁଁ ଯେ ଅଛି । ଭାବିଥିଲା ନିତାନ୍ତପକ୍ଷେ ହାତ ଧରି ଉଠାଇ ଦେବେ, କହିବେ, ବସିଗଲେ କ’ଣ ଚଳିବ ? ଉଠ ! ଉଠ ! କିନ୍ତୁ ଭାବଗ୍ରାହୀ ଏ ସବୁ ଜାଣନ୍ତି ନାହିଁ । ସେ କେବଳ ଉଦାସୀନ ନୁହ । ସେ ନିର୍ବିକାର ନିଷ୍ପନ୍ଦ, ପ୍ରତିକ୍ରିୟାହୀନ । ତାଙ୍କର କେଉଁଥିରେ କିଛି ଯାଏଁ ଆସେ ନାହିଁ । ତାଙ୍କୁ କିଛି ଛୁଏଁ ନାଇଁ ।

ଅଣ୍ଟାରେ ଲୁଗା ଭିଡ଼ିଥିଲେ ଅନୁସୂୟା । ଏଥର ଠିଆହେଲେ ସଳଖ ହୋଇ । ବିଦ୍ୟାବୁଦ୍ଧିହୀନ ସାଧାରଣ ନାରୀ ବୋଲି ସେ କି ଭାଙ୍ଗିପଡ଼ିବେ ? ଏକାଏକା ଜୀବନ ଲଢ଼ି ପାରିବ ନାହିଁ ? ତା’ର ହୃଦୟରେ ତୁହା ତୁହା କିଏ ଗାଇ ଉଠିଥିଲା–ଯଦି କେହି କେବେ ନମିଳେ, ସାଥୀ, ଏକ୍‌ଲା ଚାଲ, ଏକ୍‌ଲା ଚାଲ, ଏକ୍‌ଲା ଚାଲରେ ।

ଦିନେ, ମାସେ ନୁହେଁ । ବର୍ଷ ବର୍ଷ ଧରି ପିଲାଙ୍କୁ ଗଢ଼ି ତୋଳିବାପାଇଁ ସେ ଦିନରାତି ଏକାକାର କରିଦେଇଥିଲା । ସ୍ଵାମୀଙ୍କ ପ୍ରତି ପୁଞ୍ଜୀଭୂତ ଅଭିମାନକୁ ଚାପି ରଖି, କ୍ଷଣ କ୍ଷଣରେ ସେ ପିଲାଙ୍କୁ ଉଦ୍‌ବୁଦ୍ଧ କରୁଥିଲା, ଜୀବନ ସମ୍ପର୍କରେ ତା’ର ନିଜସ୍ୱ ଦର୍ଶନକୁ ବୁଝିନେବାକୁ । ତା’ର ପିଲାମାନେ ଆଦୌ ଡେରି କରି ନଥିଲେ ।

ପିଲାମାନେ କେବଳ ରୂପରେ, ସ୍ଵାସ୍ଥ୍ୟରେ ବଢ଼ିଗଲେ ନାହିଁ, ବଢ଼ିଲେ ଗୁଣରେ, ବିଦ୍ୟାରେ, ବୁଦ୍ଧିରେ । ସବୁତକ ପିଲା ବୃତ୍ତି ପାଇହିଁ ପଢ଼ି ଯାଉଥିଲେ । କ୍ଲାସ୍‍ରେ ପ୍ରଥମ ହେଉଥିଲେ-

ବଡ଼ପୁଅ ବିଶ୍ଵବିଦ୍ୟାଳୟର ସ୍ଵର୍ଣ୍ଣପଦକ ପାଇଥିଲା; ତା’ ତଳ ପୁଅ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ସାମ୍ବାଦିକତାରେ ସର୍ବୋଚ୍ଚ ନମ୍ବର ରଖିଥିଲା । ଉଭୟଙ୍କ ଫଟୋ ଓ ଭୂୟସୀ ପ୍ରଶଂସା ଖବରକାଗଜରେ ପ୍ରକାଶିତ ହୋଇଥିଲା ।

ସେଦିନ ଠାକୁରଘରେ ମନଭରି କାନ୍ଦୁଥିଲେ ଅନୁସୂୟା । କିଏ ଜାଣେ ସେ କାନ୍ଦିବାରେ ଥିଲା କେତେ ତୃପ୍ତି, କେତେ ଆନନ୍ଦ, କେତେ ଆକୁଳତା ।

ସାଇପଡ଼ିଶା ଉଚ୍ଚ ପ୍ରଶଂସା କରନ୍ତି । ବନ୍ଧୁବାନ୍ଧବ ଈର୍ଷା କରନ୍ତି । ପିଲାଙ୍କ କୃତିତ୍ଵରେ ଭାବଗ୍ରାହୀ ହସି ଦିଅନ୍ତି ଖାଲି । ନିର୍ମଳ ଆନନ୍ଦର ହସ ।

ସେଦିନ କିନ୍ତୁ ଭାବଗ୍ରାହୀ ଖୁବ୍ ରାଗିଗଲେ । ଯେଉଁଦିନ ଏକମାତ୍ର ଝିଅ ରଶ୍ମିକୁ ସଙ୍ଗୀତରେ ଉଚ୍ଚ ଶିକ୍ଷା ଦେବାପାଇଁ ପୁନା ପଠାଇବାର ବ୍ୟବସ୍ଥା କରିଥିଲେ ଅନୁସୂୟା । ଭାବଗ୍ରାହୀ ଅଡ଼ି ବସିଲେ…ସଙ୍ଗୀତ ନୁହେଁ, ପାଠବି ନୁହେଁ, ଝିଅର ବିବାହ ହେବ ।

ଅନୁସୂୟା ଜିଦ୍ ଧରିଲେ…ଝିଅ ସଙ୍ଗୀତରେ ଉଚ୍ଚଶିକ୍ଷା ନେବ । ତା’ର ପ୍ରତିଭା ଅଛି । ଜାଣି ଜାଣି ସେ ତାକୁ ନଷ୍ଟ କରିଦେବେ ନାହିଁ ।

ନାନାଦି ଯୁକ୍ତିତର୍କ, କଥା କଟାକଟି ସତ୍ତ୍ୱେ, ରଶ୍ମି ପୁନା ଗଲା ପଢ଼ିବାକୁ । ଅନୁସୂୟାଙ୍କ ଜିଦ୍ ରହିଲା–

ଚାହୁଁଚାହୁଁ ସମୟ ଚାଲିଗଲା–ଅକୁଣ୍ଠିତଭାବେ ଅନୁସୂୟାର ଅଞ୍ଜଳି ପୂର୍ଣ୍ଣକରି । ଯେମିତି ସେ ଭରି ଭରି ଯାଇଥିଲା, ସେମିତି ଶୂନ୍ୟ କରିନବାକୁ ତାକୁ ବେଶି ସମୟ ଲାଗିଲାନାହିଁ ।

ବିବାହ ପରେ, ବଡ଼ପୁଅ ସୁବ୍ରତ ମାଆ ପାଖରେ ପ୍ରାର୍ଥନା କରିଥିଲା, ସେ ଆମେରିକା ଯିବାକୁ ଚାହେଁ । ମାଆ କହିଲେ ସେ ଯିବ, ମାଆର ଆପତ୍ତି ଥିଲେ, ତା’ର ଯିବାର ଆବଶ୍ୟକତା ନାହିଁ । ହସିଥିଲେ ଅନୁସୂୟା । କହିଥିଲେ ମୁଁ ଆପତ୍ତି କରିପାରେ କେବେ… ? ତୁ ଯା, ସସ୍ତ୍ରୀକ ଯା । ମୋର ଏତେ ଟିକେ ମଧ୍ୟ କୁଣ୍ଠା ନାହିଁ । କହୁ କହୁ ସେ କେମିତି ଥରି ଉଠିଥିଲେ । ହସି ହସି ସୁବ୍ରତକୁ ବିଦାୟ ଦେଇଥିଲେ ସେ । ସେଦିନ ଉତ୍ତେଜନା ଥିଲା । ଆଉ ଥିଲା, ସେଇ ଜୀବନ ପ୍ରଭାତରେ ବାଜି ଉଠିଥିବା ବଂଶୀର ସ୍ଵର ।

 

କିଛିଦିନ ପରେ, ସାମ୍ବାଦିକତାରେ ତାଲିମ ନେବାପାଇଁ ଲଣ୍ଡନ ଯିବାକୁ ପ୍ରାର୍ଥନା ନୁହେଁ, ଅଳି କଲା ଦ୍ଵିତୀୟ ପୁଅ ସିଦ୍ଧାର୍ଥ । ତା’ର ଯୁକ୍ତି ଥିଲା ଭାଇକୁ ଅନୁମତି ଦିଆଯାଇଚି, ଅନୁମତି ପାଇବାକୁ ସେ ବି ହକ୍‌ଦାର । ଅନୁସୂୟା ପିଲାମାନଙ୍କୁ ନିଜର ଘନିଷ୍ଠ ସାନ୍ନିଧ୍ୟ ଦେଇ ଆସିଚନ୍ତି, ଦେଇଚନ୍ତି ଯଥେଷ୍ଟ ସ୍ଵାଧୀନତା । ସିଦ୍ଧାର୍ଥକୁ ହସି ହସି ବିଦାୟ ଦେଲେ ସେ । ମନ ଭରି ଆଶୀର୍ବାଦ କଲେ । ଦୀର୍ଘଶ୍ଵାସକୁ ଚାପିନେଲେ ମନ ଭିତରେ ।

 

ଦୁଇ ପୁଅ ଝିଅ ବାହାରକୁ ଚାଲିଗଲାପରେ, ଘର ହୋଇଗଲା ଶୂନ୍ୟ । ଏତେ ବଡ଼ କୋଠା ନିର୍ଜନତାରେ ଖାଁ ଖାଁ କଲା । ଭାବଗ୍ରାହୀ ସବୁଦିନେ ଏକାପରି । ତାଙ୍କର ଧୋଇ ନାହିଁ, ମରୁଡ଼ି ନାହିଁ । ଅଫିସ୍ ଛଡ଼ା ଅନ୍ୟ କାମବି ନାହିଁ । ସକାଳ ନଅରୁ ରାତି ନଅ । ସବୁଦିନ ସେ ତାଙ୍କ ସଂସାରର ଦାଣ୍ଡଘର ।

 

ଅନେକ ସମୟରେ ଅନୁସୂୟା ବ୍ୟସ୍ତ ହୋଇଉଠନ୍ତି । ପିଲାମାନେ ଚାଲିଗଲା ପରେ, ଏବେ ସେ କିପରି ଅବଶ ହୋଇ ପଡ଼ିଚନ୍ତି । ଅଥଚ ତାଙ୍କର ଅବଶତା, ଏହି ଗ୍ଳାନି, ଭାବଗ୍ରାହୀଙ୍କ ଆଖିରେ ପଡ଼ିପାରୁନାହିଁ । ସେ ମନେମନେ ସ୍ଵଗତୋକ୍ତି କରନ୍ତି–ତମେ ଅଧିକାର ସାବ୍ୟସ୍ତକରି ଜାଣନାହିଁ, ଦେଇ ଜାଣ ନାହିଁ, ନେଇବି ଜାଣନାହିଁ ! ମୁଁ ଆଉ ପାରୁନି, ମୁଁ ତ ଭାବୁଥିଲି, ତମେ ମତେ ନିର୍ଦ୍ଦେଶ ଦେଇ ବାଟ କଢ଼େଇ ନେବ, ଥକିପଡ଼ିଲେ ହାତ ଧରି ଉଠେଇ ଦବ, ହେଲେ… ହେଲେ…

 

କିନ୍ତୁ ଭାବଗ୍ରାହୀଙ୍କର ଲୌହ ଦରଜାରେ ଏ ଶବ୍ଦର ବାଟୁଳି ସବୁ ଝଙ୍କାର ସୃଷ୍ଟି କରିପାରେ ନାହିଁ । ସେ ଅନ୍ୟରକମ ।

 

ତିନି ପିଲାଙ୍କର ଅନୁପସ୍ଥିତିରେ, କେମିତି ଏକ ମର୍ମପୀଡ଼ନ ପାଉଥିଲେ ଅନୁସୂୟା । ପିଲାଗୁଡ଼ାକ କ’ଣ କେବଳ ତାଙ୍କର ସନ୍ତାନ ? ସେ ଯେ ତାଙ୍କ ହୃଦୟର କଲ୍ଲୋଳ । ବଡ଼ପୁଅ ଯେମିତି ଦାୟିତ୍ଵବାନ୍, ସେମିତି ବିବେକୀ ଓ ବିଚାରବନ୍ତ । ଝିଅ ଠିକ୍ ସେଇ କାଟର । ଦ୍ୱିତୀୟ ପୁଅ ହୁଣ୍ଡା; କିନ୍ତୁ ପ୍ରାଣ ରସରେ ଭରପୂର । ସାନ ପୁଅ ଅଂଶୁମାନ ଅଧିକ ସ୍ପର୍ଶକାତର । ସେଥିପାଇଁ ହୁଏତ ମାଆକୁ ବେଶି ବୁଝିଥିଲା ସେ ।

 

ଅଂଶୁମାନକୁ ନେଇ, ଅନୁସୂୟାଙ୍କ ଅବସର କଟିବାକୁ ଲାଗିଲା । ନୂଆ ତିଆରି ହୋଇଥିବା ଘରର ଆବଶ୍ୟକତା ବୁଝିବାଠାରୁ, ବଗିଚାରେ ଲଗାଯିବା ଫୁଲଗଛର ଚାରା ନର୍ସରୀରୁ ଆଣିଲା ପର୍ଯ୍ୟନ୍ତ, ଏପରିକି ଏହି କାବ୍ୟାମୋଦୀ ପୁଅଟି ପାଖରୁ ବିଖ୍ୟାତ ବିଖ୍ୟାତ କାବ୍ୟ, ନାଟକ ଶୁଣିବା ପର୍ଯ୍ୟନ୍ତ, ତାଙ୍କର ସମ୍ପର୍କର ସୀମା ମାଡ଼ିଯାଇଥିଲା । ଅଂଶୁମାନ ଏମ୍. ଏ. ପାସ୍ କରି ଘରେ ଥାଏ । ମାଆକୁ ସାହାଯ୍ୟ, ସଖ୍ୟ ଦେବାରେ, ସେ ସୁଖ ପାଏ ।

 

ଦିନେ କିନ୍ତୁ ସେଇ ଅଂଶୁମାନ, ସମ୍ଭ୍ରମରେ ସିଧାସଳଖ କହିଲା, ‘‘ମା’, ତମେତ ଏତେ ପୁରାଣ ପଢ଼ିଛ; ରାମକୃଷ୍ଣ, ବିବେକାନନ୍ଦବି ପଢ଼ିଛ । କହତ, ଜୀବିକାଟା କ’ଣ କେବଳ ଅର୍ଥାଗମର ଅବଲମ୍ବନ ହେବା ଉଚତ ନା ରୁଚି, ଆଦର୍ଶର ଏକ ଆତ୍ମିକ ଅବଲମ୍ବନ ହେବା ଉଚିତ ?”

 

ଅନୁସୂୟା କିଛି ସମୟ ପୁଅକୁ ଚାହିଁଲେ । ତା’ପରେ କହିଲେ…“ବଞ୍ଚିବାପାଇଁ ଅର୍ଥର ଆବଶ୍ୟକତା ଅପରିହାର୍ଯ୍ୟ; ମାତ୍ର କେବଳ ଅର୍ଥପାଇଁ ଅର୍ଥାଗମରେ, ଜୀବନର ସୌନ୍ଦର୍ଯ୍ୟ ଥାଏ ନା ବିକାଶ ଥାଏ ?”

 

ଅଂଶୁମାନ ‘‘କହିଲା କୌଣସି କାମପାଇଁ ମୋର ଆଗ୍ରହ ନାହିଁ ମା’ । ମୋର ଭାରି ଇଚ୍ଛା ସୈନ୍ୟବାହିନୀରେ ଯୋଗଦେବି । ଭାରତ ସୀମାନ୍ତରେ, ସୀମାନ୍ତ ପ୍ରହରୀ ହୋଇରହିବି ।”

 

ଅନୁସୂୟା ଥକ୍କା ହୋଇ ଚାହିଁଲେ ଅଂଶୁମାନଙ୍କୁ । ମାଆର କାନ୍ଧରେ ମୁହଁ ଲଦିଦେଇ ଅଂଶୁମାନ କହିଲା, ‘‘ମୁଁ ଜାଣେ ମା’, ମୁଁ ଚାଲିଗଲା ପରେ ତମେ ଭାରି ଏକା ହୋଇଯିବ । ଏକଦମ୍ ଏକା… । ହେଲେ ମୋର ଯେ ପ୍ରବଳ ଇଚ୍ଛା ମା’...”

 

ଅନୁସୂୟା ନିଜକୁ ଯଥାସମ୍ଭବ ଚାପିରଖି କହିଲେ…‘ନାଇଁ ବାପ, ଏକା ହେବ କାହିଁକି ? ବାପା ଯେ ଅଛନ୍ତି । ତୁ ଯା ତୋର ବ୍ୟକ୍ତିତ୍ଵ, ଚିନ୍ତା, ଆଦର୍ଶକୁ ଫୁଟାଇବାକୁ ତୋ ମନୋମତ ପଥ ତୁ ବାଛିନେ । ତତେ କାନିରେ ବାନ୍ଧି ରଖିବି…ମୁଁ କି ଏତେ ସ୍ଵାର୍ଥପରରେ ଅଂଶୁ… ?

 

ସେହି ଲୁହ ଜରଜର ମାଆର ଆଖିକୁ ଚାହିଁ, କୃତଜ୍ଞତାରେ ମୁହଁ ନଇଁଗଲା ଅଂଶୁମାନର-। ଉପର ଦୁଇ ଭାଇଙ୍କ ପରି ସେ ବି ମାଆର ଶୁଭେଚ୍ଛା ଆଶୀର୍ବାଦ ନେଇ ଚାଲିଗଲା ସୈନ୍ୟବାହିନୀରେ ଯୋଗଦେବାକୁ ।

 

ଭାବଗ୍ରାହୀ ଏତେବେଳ ଯାଏଁ ଚୁପ୍ ଥିଲେ । ଅଂଶୁମାନ ଚାଲିଗଲା ପରେ, ସେ ଅନୁସୂୟାଙ୍କୁ ତିରସ୍କାର କରି ଉଠିଲେ…“ଶେଷକୁ ସାନଟାକୁବି ବିଦାକରିଦେଲ ? ପିଲାମାନଙ୍କୁ ଏତେ ଏତେଦୂରକୁ-ପେଲିଦେଇ କି ସୁଖ ତମେ ପାଉଛି ? ଅଂଶୁର ଯିବା କ’ଣ ଏତେ ଦରକାର ଥିଲା ? ତମେ ଯେ କେମିତି ମାଆ…।”

 

ଭାବଗ୍ରାହୀଙ୍କର ଏହି ଭର୍ତ୍ସନା ଅନୁସୂୟାଙ୍କର ହୃତ୍‌ପିଣ୍ଡରେ ପ୍ରବେଶ କଲା । ସେ ସ୍ତବ୍ଧ ହୋଇ ଠିଆହୋଇ ଗଲେ । ସେ ପେଲିଦେଲେ ପିଲାମାନଙ୍କୁ… ? ଦୂରକୁ…ଦୂରକୁ…ଆଜି ଚାହିଁ ବସିଲେବି ବଡ଼ପୁଅ ଦୁଇଟିର ଫେରିବାର ବାଟ ନାହିଁ । ଜାଣି ମଧ୍ୟ ସେ ଅନୁମତି ଦେଇଛନ୍ତି, ହସି ହସି ବିଦାୟ କରିଛନ୍ତି । ଭାବୁ ଭାବୁ ଅନୁସୂୟା ନିଜର ଗଭୀର ଅନ୍ତଃକରଣକୁ ଚାହାଁନ୍ତି । ଚାହିଁ ଚାହିଁ ଶିହରିଉଠନ୍ତି । ଆଉ ମନକୁ ମନ କହନ୍ତି ନାଃ…ଏହି ଶ୍ରେଷ୍ଠ ତ୍ୟାଗଟିକୁ କେହି ବୁଝିବେନାଇଁ ।

 

ଭାବଗ୍ରାହୀ ବେଳେବେଳେ କହନ୍ତି…ଯାଅ ଦେଖିବ, ମାୟାର ଘର କୋଳାହଳରେ ଫାଟିପଡ଼ୁଛି । ପୁଅଗୁଡ଼ା କେହି ତା’ର କଲେଜ ମାଡ଼ିନାହାନ୍ତି, ଯାଅ ଦେଖିବ, ମାୟାର ଘର କଣ୍ଟ୍ରୋଲ ଦୋକାନ, କଂଟ୍ରାକ୍ଟ୍ରି ଓ ବ୍ୟବସାୟ କରି କାହିଁ ପରି ଆଡ଼୍‌ଡ଼ାରେ ଚଳୁଚନ୍ତି । ମାୟା କେଡ଼େ ସୁଖରେ ଅଛି !

 

ଅନୁସୂୟା ଜାଣନ୍ତି–ମାୟା ଭାବଗ୍ରାହୀଙ୍କ ଭଉଣୀ । ସେ ସୁଖରେହିଁ ରହୁ । ଆଉ ସେ ନିଜେ, ସେ ବି ଘର କରିଚନ୍ତି…ଭଲ ଘର…ବାରି ବଗିଚା । ସବୁ । ସବୁ । ହେଲେ ଏସବୁ ଭିତରେ, ସତେ ଯେମିତି ଜୀବନ ନାହିଁ, ସ୍ପନ୍ଦନ ନାହଁ, ପ୍ରାଣ ଚଞ୍ଚଳତା ନାହିଁ । ଖାଲି ନାହିଁ…ଆଉ ନାହିଁ… ।

 

ଉନ୍ନତିର ସିଡ଼ିରେ ପିଲାଙ୍କୁ ଚଢ଼ାଇ ଦେଇ, ସେ ଉପରକୁ ଉପରକୁ ଉଠିଯିବାକୁ ଉତ୍ସାହିତ କରିଥିଲେ । ଆଉ ପିଲାମାନେ ସିଡ଼ିଟା ଟପି ଉତ୍ତରଣ ଭୂମିରେ ପହଞ୍ଚିଲା ପରେ, ସେ ଦେଖୁଚନ୍ତି ସିଡ଼ିଟା ନାହିଁ । ନାହାନ୍ତି ପିଲାମାନେ । ସେ ତଳେ ଏକାକୀ ଠିଆହୋଇ ଉପରକୁ ଚାହିଁଚନ୍ତି, କେତେ ଊର୍ଦ୍ଧ୍ଵରେ, ପିଲାମାନେ ତାଙ୍କର ଅଦୃଶ୍ୟ ହୋଇଗଲେଣି । ଆଖି ଖୋଲିଲେ ଦିଶୁଛି କେବଳ ଶୂନ୍ୟତା ଦିଗହଜା । ଶୂନ୍ୟତା…. ।

 

ଘର ଖାଁ ଖାଁ ବୋଲି କହୁଥିବା ଭାବଗ୍ରାହୀ କେତେଟିକେ ଏହି ଖାଁ…ଖାଁ….ର ଦାଢ଼ରେ କ୍ଷତାକ୍ତ ହୁଅନ୍ତି ? ସକାଳ ନଅରୁ ବାହାରିଯାଇ, ଫେରନ୍ତି ରାତି ନଅ, ଖାଇ ଶୋଇପଡ଼ି ଉଠନ୍ତି ସକାଳ ସାଢ଼େ ସାତଟାରେ….ସାରା କୋଠାକୁ ଆବୋରି ଥିବା ନୀରବତାକୁ, ନିର୍ଜନତାକୁ କେବଳ ବହନ କରନ୍ତି ଅନୁସୂୟା । ବହନ ତ କରନ୍ତି ନାହିଁ, ପହଁରନ୍ତି ଯେମିତି ତାକୁ ଶେଷ କରିଦବାର ଲଢ଼ୁଆ ମନୋଭାବ ନେଇ, ତାକୁ ପିଇ ବସନ୍ତିବି ଆଞ୍ଜୁଳା ଆଞ୍ଜୁଳା କରି ।

 

ସେ ଜୀବନକୁ ଭଲପା’ନ୍ତି, ଭୟ କରନ୍ତିନାହିଁ । ରାସ୍ତା ଖୋଲା ପଡ଼ିଛି….ସେ ଥକିଯିବେ ନାହିଁ ।

 

ଅଂଶୁମାନ ପାଳିଥିଲା ଶୁଆ, ବାରମାସି ଚଢ଼େଇ । ବଗିଚାରେ ଭାରି ସଉକ ତା’ର । ଏ ବଗିଚାଟା ତା’ରି ହାତରେ ଗଢ଼ା । ଅନୁସୂୟା ସାରା ସକାଳ ଅପରାହ୍‌ଣ ସେଇ ବଗିଚାରେ କଟାନ୍ତି । ଗଛରେ ପାଣି ଢାଳନ୍ତି, ବଗିଚା ଓଳାନ୍ତି । ଅଂଶୁମାନର ଅତିପ୍ରିୟ ଫୁଲ ଗଛରେ ଫୁଲ ଫୁଟିଲେ ତାକୁ ହାତ ପାପୁଲିରେ ଆଉଁଷିବାରେ ଲାଗନ୍ତି । ତା’ର ଚଢ଼େଇ, ଶୁଆର ଯତ୍ନ ନିଅନ୍ତି । ବଡ଼ପୁଅ କରିଥିଲା ଏକ ଛୋଟ ଲାଇବ୍ରେରି । ସମୟେ ସମୟେ ସେ ବହିସବୁ ଝାଡ଼ନ୍ତି । ପିଲାମାନଙ୍କର କୃତିତ୍ଵର ଚିହ୍ନ ସେଇ କପ୍, ସିଲ୍‌ଡ଼୍‌ ସବୁ ପୋଛି ପୋଛି ସଫା କରନ୍ତି ।

 

ବଡ଼ପୁଅ ଚିଠି ଲେଖେ-ନିୟମିତ । ତାକୁ ଭଲ ଚାକିରି ମିଳିଛି । ତାକୁ ଛାଡ଼ିଯିବା ଉଚିତ ନୁହେଁ । ସେ ଲେଖିଥାଏ ଅନେକ କଥା ନିର୍ଦ୍ଦେଶ ଦେଇ । ବାପାଙ୍କ ପାଖକୁ ଲେଖାଥାଏ ଦୁଇଧାଡ଼ି ମାଆର ଯତ୍ନ ନବ । ଦ୍ଵିତୀୟ ପୁଅ ନିୟମିତ ଲେଖେନାହିଁ । ଏକକାଳୀନ ତିନିଖଣ୍ଡ ଚିଠି ତା’ର ବେଳେବେଳେ ମିଳିଯାଏ । ସବୁ ଚିଠି ଆସେ ମାଆଙ୍କ ପାଖକୁ ।

 

ସାନ ପୁଅ ଅଂଶୁମାନର ଚିଠି ନିଆରା–ବଡ଼ ଭାଇର ମୁରବିତ୍ଵ ନଥାଏ । ମଝିଆ ଭାଇର ହୁଣ୍ଡାଳିଆ ଭାବ ନଥାଏ । ସେ ଯେମିତି ଠିକ୍ ମାଆ ପରି ଅତି ବେଶି ଆବେଗପ୍ରବଣ । ଫର୍ଦ୍ଦ ଫର୍ଦ୍ଦ ଚିଠି ଆବେଗମୟୀ ଭାଷାରେ ଲେଖିଯାଇଥାଏ । ଭାରତ ସୀମାନ୍ତର ବର୍ଣ୍ଣନାରେ ଚିଠି ତା’ର ଭରପୂର । ସେ ପୁଣି ଠାଏଠାଏ ଲେଖିଥାଏ…ତମେ ଭାରି ମନେପଡ଼ୁଛ ମା’… । ଏତେ ନିବିଡ଼ ସାନ୍ନିଧ୍ୟ ଭିତରେ କାହିଁକି ବଢ଼ାଇ ଆଣିଥିଲ ? ବେଳେବେଳେ ଚୁପ୍‍ଚାପ୍ ବସି କାନ୍ଦେ । ମୁଁ ବୁଢ଼ାଦିନେ ମା’କୁ ମନେକରି କାନ୍ଦୁଛି ବୋଲି ମୋ ସାଙ୍ଗମାନେ ହସନ୍ତି, ଚିଡ଼ାନ୍ତି । ହେଲେ ତମେ ସବୁବେଳେ ମନେପଡ଼ୁଛ । ତମେ ଯଦି ଆସନ୍ତ ମା’, ତମକୁ ବହୁତ ଜାଗା ବୁଲାଇ ଦେଖାନ୍ତି; କିନ୍ତୁ ମୁଁ ଜାଣେ ତମେ କେବେବି ସେ ବୁଢ଼ାକୁ ଛାଡ଼ି ଆସିବନାହିଁ । ଭାଇମାନେ ମୋତେ ଖାଲି ହିଂସା କରନ୍ତି ଯେ ତମେ କୁଆଡ଼େ ମତେ ବେଶି ଭଲ ପାଅ–ହେଲେ ମୁଁ ଭାବୁଛି ତମେ ସବୁଠୁ ଭଲପାଅ, ଜଣଙ୍କୁ । ସେ ଜଣକ ବାପା । ମୋର ଭାରି ହିଂସା ହଉଚି ମା’… ।

 

ପଢ଼ୁ ପଢ଼ୁ ଚିଠିଟା ଲୁହରେ ଓଦା ହୋଇଯାଏ । ଅତି ନିକଟକୁ ନ ଆସିଲେ ଏଭଳି ଚିଠି ଯେ କେହି ଲେଖିପାରେନି, ଅନୁସୂୟା ଜାଣନ୍ତି ସେଇ ଶୂନ୍ୟତା ଭିତରେ, ଲୁହ ଜାଲଜାଲୁଆ ଦୃଷ୍ଟି ଭିତରେ ଅଂଶୁମାନର ବୁଦ୍ଧିଦୀପ୍ତ, ହାସ୍ୟୋଜ୍ୱଳ ମୁହଁ ପହଁରିଯାଏ । ସେହି ମୁହଁକୁ ଛାତିରେ ଜାବୁଡ଼ି ଧରନ୍ତି ଅନୁସୂୟା ।

 

ବେଳେବେଳେ ତାଙ୍କର ମନେହୁଏ, କେଉଁଠି ଗୁଳିବର୍ଷଣ ହେଉଛି...ଆଉ ଚିତ୍କାର କରି ଅଂଶୁମାନ ଡାକ ପକାଉଛି ବିକଳ ହୋଇ । ଅନୁସୂୟାଙ୍କ ଛାତି ବିଦୀର୍ଣ୍ଣ ହୋଇଯାଏ, ହାତକୁ ମୁଠା ମୁଠା କରି ସେ ବସି ପଡ଼ନ୍ତି ବିଛଣାରେ । ନିଃଶ୍ୱାସ ବନ୍ଦହୋଇ ଆସେ, ଯନ୍ତ୍ରଣାରେ ତଣ୍ଟି ଅଠା ଅଠା ହୋଇଯାଏ । ତକିଆକୁ ପୁଳା ପୁଳା ମୁଠେଇ ସେ ମୁହଁମାଡ଼ି ପଡ଼ିରହନ୍ତି ।

 

ସାରା ଦିନ କଟିଯାଏ ଛୋଟ ବଡ଼ କାମ ନେଇ, କେତେବେଳେ ପୁରାଣ ଓ ଧର୍ମଗ୍ରନ୍ଥ ସବୁ ପଢ଼ି । ସଞ୍ଜ ପହରଟା ଅତୀବ ଦୁର୍ବିସହ ହୋଇଉଠେ । ଠାକୁରଘରୁ ପୂଜାରୁ ଉଠି, ଅଂଶୁମାନର ବଗିଚାରେ ଏକାକୀ ବସନ୍ତି ସେ । ସାରା ଘରଟା ଅଧା ଛାଇ, ଅଧା ଆଲୁଅରେ ଠିଆହୋଇଥାଏ । କେଉଁ ଲତା ଉହାଡ଼ରେ ଚଉକିଟିଏ ପକେଇ ବସିଥାଆନ୍ତି ଅନୁସୂୟା । ଉପରେ ନକ୍ଷତ୍ରଖଚିତ ନୀଳ ଆକାଶ, ତା’ ତଳେ ପ୍ରସ୍ତ ପ୍ରସ୍ତ ନିର୍ଜନତା । ଜାଗ୍ରତ, ଉତ୍ତପ୍ତ, ତୀକ୍ଷ୍ଣ ନିର୍ଜନତା–ଅଜାଡ଼ି ହୋଇପଡ଼େ । ଜୀବନ ବହି ଯିବାର, ସେଇ ରାଗିଣୀ, ବାଜେ ରହି ରହି ଗୁରୁଗମ୍ଭୀର ଧ୍ଵନିରେ, ବିଳମ୍ବିତ ରାଗରେ । ଦୃଷ୍ଟିକୁ ଆହୁରି ପ୍ରଶସ୍ତ କରି ଚାହାନ୍ତି ସେ ସେଇ ଅନ୍ଧକାରଗ୍ରସ୍ତ ନିର୍ଜନତାକୁ । ସତେକି ଆହୁରି ନିବିଡ଼, ଆହୁରି ଘନିଷ୍ଠଭାବେ ତାକୁ ସେ ଶୋଷି ନେଇପାରିବେ, ନିର୍ଜନତା ଭିତରେ ସେ ହଜିଯିବେ ନାହିଁ । ନିର୍ଜନତା ହଜିଯିବ ତାଙ୍କର ଛାତି ଭିତରେ ।

 

ଦେହରେ ରୋଗ ଆସେ । ବେଳେବେଳେ ବିଛଣାରେ ପଡ଼ିଯା’ନ୍ତି । ରୋଗରେ ପଡ଼ି, ଉଠି, ପୁଣି ସେ ଚାଲନ୍ତି । ଘର ଝାଡ଼ନ୍ତି, ବଗିଚା ଓଳାନ୍ତି, ଫୁଲ ସବୁ ସଜାଡ଼ି ସାଇତି ରଖନ୍ତି ଫୁଲଦାନିରେ । ଶୂନ୍ୟ ଘରଟାକୁ ସଜାଡ଼ିବାରେ ଲାଗିଯା’ନ୍ତି ।

 

କ୍ରମେ କ୍ରମେ ଆଖିରୁ ନିଦ ସରିଆସେ । ବିଛଣାରେ ପଡ଼ିବାକୁ ବିରକ୍ତ ଲାଗେ । ଖଟ ଉପରେ ସେମିତି ବସନ୍ତି ସେ ସାରା ରାତି । ଝରକା ବାଟେ ଦେଖନ୍ତି ସେଇ ନିଶାର୍ଦ୍ଧର ଆକାଶକୁ । ସେଇ ମଳିନ ଜ୍ୟୋତ୍ସ୍ନାଲୋକ ମଧ୍ୟରେ, ନିର୍ଜନ ରାତ୍ରିର ଚେହେରା ତାଙ୍କ ହୃଦୟ ଛୁଏଁ, ତାଙ୍କର ଅପଲକ ଦୃଷ୍ଟି ଭିତରେ, ରାତି ସକାଳ ହୋଇଯାଏ ।

 

ଦିନେ ଦିନେ ରାତିରେ ସେ ରେକର୍ଡ଼୍ ପ୍ଲେୟାର୍ ବଜାଇ ଶୁଣନ୍ତି । ଝିଅ ଏତକ ତାଙ୍କପାଇଁ ପଠାଇଥାଏ । ବଛାବଛା ଶାସ୍ତ୍ରୀୟ ରାଗର ଅଳାପ । ରାତିର ନିର୍ଜନତା ଭିତରେ, ଏଇ ଆଳାପ ଶୁଣିଲାବେଳେ, ତାଙ୍କ ନିଜ ଭିତରେ କ’ଣ ଏକ ଛଟପଟ ହୋଇ ଲହରେଇ ଲହରେଇ, ଉଠି ଆସି ଛାତିକୁ ବା ଫଟାଇ ଦିଏ । ସେ କଥା ନୁହେଁ, ବ୍ୟଥା ନୁହେଁ, ସେ କୋହର ସଙ୍ଗୀତ, ବିଚିତ୍ର ଏକ କୋହର ସଙ୍ଗୀତ । ସେ ଜାଣନ୍ତି, ଏ କୋହ ପିଲାଙ୍କପାଇଁ ନୁହ, ଭାବଗ୍ରାହୀଙ୍କ ପାଇଁ ନୁହ, ଘରପାଇଁ ନୁହ । ଏ କୋହର କୌଣସି ଆଶା ନାହିଁ । ଅଛି କେବଳ ହୃଦୟ ଭରା ଆକୁଳତା, ଏକ ସୀମାହୀନ ଆକୁଳତା ।

 

ଅନୁସୂୟା ପ୍ରକୃତିସ୍ଥ ହେଲେ । ଖରା ମାଡ଼ି ଆସିଲାଣି, ସେ ସେତିକିବେଳୁ ବସିଚନ୍ତି ଯେ ବସିଚନ୍ତି । ଆଜିକାଲି ଏମିତି ହଉଚି । ସ୍ଥବିରତା ନୁହ, ଏକ ସ୍ଥିରତା ଆସିଯାଇଛି । ମନ ଭିତରର ସବୁ ଝଡ଼ ଶାନ୍ତ ପଡ଼ିଯାଇଛି । ପୋଖରୀ ହୋଇଯାଇଛି ଏକଦମ୍ ଶାନ୍ତ ନିସ୍ତରଫ । ସେଠି କାଚକେନ୍ଦୁ ପାଣି । ଦୀର୍ଘଦିନର ପ୍ରବାସ ସାରି ସେ ନିଜ ଘରକୁ ଫେରିଚନ୍ତି । ଫେରିଚନ୍ତି ନିଜ ଭିତରକୁ । ଆଉ ଆଉ…ନିଜ ଭିତରେ ଏକ ଗଙ୍ଗଶିଉଳି ଫୁଲର ଗନ୍ଧଭରା, ପାହାନ୍ତି ଏକ ଲୟରେ ଚାହିଁ ରହିଛି, ଅନ୍ଧ ପୂର୍ବାଶାକୁ କେତେବେଳେ...କେତେବେଳେ ସିନ୍ଦୂରା ଫାଟିବ…?

 

ହଠାତ୍ ସେ ମୁହଁତୋଳି ଚାହିଁଲେ । ସାମ୍ନାରେ ଭାବଗ୍ରାହୀ । ମୁଣ୍ଡର ଧଳା କେଶସବୁ ଅସ୍ତବ୍ୟସ୍ତ ହୋଇ କପାଳରେ ପଡ଼ିଛି । କପାଳରେ ଟୋପି ଟୋପି ଝାଳ । ମୁହଁ ଏକଦମ୍ ଶୁଖିଯାଇଛି । ଅନୁସୂୟା ଉଠିପଡ଼ିବାବେଳେ, ତାଙ୍କୁ ଧରି ପକାଇଲେ ଭାବଗ୍ରାହୀ...କହିଲେ…କୁହ ଅନୁ, ସେ କିଏ, ସେ କିଏ… ?

 

ଅନୁସୂୟା ଥରେ ସ୍ଵାମୀଙ୍କୁ ଚାହିଁ ଦୃଷ୍ଟି ଫେରାଇନେଲେ । ଏମିତି ଗନ୍ଧ ଆସେ, ଧ୍ଵନି ଆସେ, ସ୍ପର୍ଶହିଁ ଆସେ । ସେ କ’ଣ ଜାଣନ୍ତି ତା’ର ନାଆଁ, ଗାଁ ଓ ଠିକଣା ? ଯଦି ସେ ଆଙ୍କି ଦେଇ ପାରନ୍ତେ, ତା’ର ରୂପ ଯଦି ସେ ଗଢ଼ିଦେଇ ପାରନ୍ତେ, ତା’ର ମୂର୍ତ୍ତି…ଅନୁସୂୟାଙ୍କ ଆଖିରୁ ଧାର ଧାର ଲୁହ ଝରିଗଲା । ଉଚ୍ଚାଟ ଭରା ଏଇ ବକ୍ତବ୍ୟତକ ଅନୁଚ୍ଚାରିତ ରହିଗଲା ତାଙ୍କ ଓଠରେ…

Image

 

ଶ୍ରୀ ଚନ୍ଦ୍ରଶେଖର ରଥ

ସୋଦର

 

ସେ ଇଞ୍ଜିନିୟର୍ ଜୀବନ, ସେଇ ଦାମିଆର ଜୀବନ । …ତା’ର ମନେପଡ଼ିଲା ତା’ର ବୋଉ କଥା, ତା’ ପିଲାଦିନ କଥା–ବିଭାଘର ସୁଖ ଦୁଃଖ । ଦାମିଆର ଭାଇନା ବିଶିଆ ତା’ର ସାଙ୍ଗ-। ସେ ମରିଗଲା, ତା’ ସ୍ତ୍ରୀ ମରିଗଲା । ଆଜି ଦାମିଆ ପଡ଼ିଛି ମରିବାକୁ । କେବଳ କମ୍ବୁ ବଞ୍ଚିଛି, ବାଣ୍ଟି ଦେଉଚି ତା’ର ରକ୍ତ ।

 

କମ୍ବୁ ଡ୍ରାଇଭରକୁ ଆପଣ ଜାଣିବାର କୌଣସି ଉପାୟ ନାହିଁ । ସେ ସେଭଳି କୌଣସି ବିଖ୍ୟାତ ଲୋକ ମଧ୍ୟ ନୁହେଁ । ଆବୁଆ କମ୍ବୁପାଣି ମିଶ୍ର ଏକ ନମ୍ବର ମଦୁଆ, ମନ ମୋଟିଆ, ଗୁମାନି ଡ୍ରାଇଭର । ହେଲେ ଗାଡ଼ି ଖଣ୍ଡିକ ଚଳାଏ ରଜା ମାର୍ଗେ । ଯେତେ ହୁରୁଡ଼ା ଗାଉଁ ଗାଇଁଆ, ଧଡ଼ଧଡ଼ିଆ ଗାଡ଼ି ହେଇଥାଉ, କମ୍ବୁ ତାକୁ ଥରେ ସାଉଁଳେଇଦେଲେ ସାତଟା ଦିନ ଭିତରେ କେମିତି କେଜାଣି ସେଇଟା ବ୍ୟୋମଯାନ ହେଇଯାଏ । ସେ ଯନ୍ତ୍ର କାଉଁରୀ ସାଧିଚି । ଗାଡ଼ିର ସହସ୍ରେ ଶିରା କଥା ସେ ଜାଣେ । ତା’ ଖଞ୍ଜା, ଗଣ୍ଠି, ହାବଭାବ, ବୋଲି, କୁହାଟ ସବୁ ସହିତ ତା’ର ପରିଚୟ ଅଛି । ସେ ତା’ ଆତ୍ମାକୁ ଚିହ୍ନେ । ଗାଡ଼ିମାତ୍ରେ ତାକୁ ଭଲ ଲାଗେ । ଡ୍ରାଇଭରମାତ୍ରେ ତା’ର ସାଙ୍ଗ । କମ୍ବୁ କହେ ଯେ ଅସଂଖ୍ୟ ଗାଡ଼ି ଆଉ ଡ୍ରାଇଭର ମିଶି ଗୋଟାଏ ଜଗତରେ ଥାଆନ୍ତି । ସେଠିକୁ ଯିବା ବା ତାକୁ ବୁଝିବା ଅନ୍ୟମାନଙ୍କ ପକ୍ଷେ ସମ୍ଭବ ନୁହେଁ ।

 

ପାଞ୍ଚ ନମ୍ବର ବଡ଼ ରାସ୍ତା ପାଇଗଲେ ସେ ଥରେ ଟୁଙ୍କି ହୋଇ ସଜ ହୋଇଯାଏ । ସଳଖିଯାଏ ତା’ ଅଣ୍ଟା, ହାତ ଆଉ ଦୃଷ୍ଟି । ତା’ପରେ ତା’ ଆଖି ପିତୁଳା ଆଉ ହଲେ ନାହିଁ । ଗାଡ଼ି ଉଡ଼ୁଥାଏ ପବନ ମାର୍ଗେ । ପଛରେ ଟୋକା ଅଫିସର ପବନ ହାବୁକରେ ଆକତା ଖାଇ କୁରୁଳି ଉଠନ୍ତି । ଚନ୍ଦା ମୁଣ୍ଡିଆ ଡରକୁଳା ଦରବୁଢ଼ାମାନେ ଆଖି ତରାଟି ଏକାଲୟରେ ଗାଡ଼ିର ବେଗ ଯନ୍ତ୍ରଟିକୁ ଚାହିଁ ରହିଥା’ନ୍ତି । କମ୍ବୁକୁ କିଛି କହି ଚମକାଇ ପାରନ୍ତି ନାହିଁ । ଉଠି ଆସୁଥିବା କଲିଜାଗୁଡ଼ିକୁ ତଣ୍ଟି ପାଖରୁ ଢୋକି ଢୋକି କୌଣସି ପ୍ରକାରେ ସେମିତି ଟିପେଇ ବସିଥା’ନ୍ତି । ଡାକବଙ୍ଗଳାରେ ଗାଡ଼ି ଆସି ଠିଆହୋଇଗଲେ କମ୍ବୁ ଉପରେ ସମସ୍ତେ ପ୍ରଶଂସା ଅଜାଡ଼ନ୍ତି । ବୁଢ଼ା ଅଫିସର ରାଗରେ ତମତମ ହୋଇ ଓହ୍ଲେଇଯାଆନ୍ତି କେବଳ–‘ହୁଁ ! ଇଏ ଗାଡ଼ି ଚଲେଇବ ବୋଲି ମଣିଷ ମରିବ ନା କ’ଣ ?’ ସେଥିପାଇଁ କମ୍ବୁ କେତେଥର ତାଗିଦା ପାଇଲାଣି, ତା’ର କିନ୍ତୁ ହୋସ୍ ନାହିଁ କି ଖାତିର ନାହିଁ, ଆୟତ୍ତବି ନାହିଁ । ଗାଡ଼ି ଚଳେଇବା ତା’ର ତ ଖାଲି ବୃତ୍ତି ନୁହେଁ ।

 

ଦିନେ ଏମିତି କାହିଁ ମୟୂରଭଞ୍ଜ ଯୋଷିପୁରରେ କମ୍ବୁପାଣି ସାହିବକୁ ଗସ୍ତରେ ନେଇ ବୁଲଉଥାଏ । ଖବର ପହଞ୍ଚିଲା ସେ ତା’ ରୋଗୀଣା ମାଇପ ଅଣହେଳାରେ ମରିଗଲା । ସେ ଗୁମ୍ ଖାଇଗଲା କିଛି ସମୟ । ତାକୁ ବୁଝାଶୁଝା କରି ବସ୍‌ରେ ଟିକଟ କାଟି ପଠେଇଦେଲେ । ସମସ୍ତେ ମିଶି କମ୍ବୁପାଣିକୁ କିଛି ପଇସା ଦେଲେ । କିଛି ଛୁଟି ମଞ୍ଜୁର କରିଦେଲେ, କଥା କହୁ ବୋଧେଇଲେ-। କିନ୍ତୁ ତା’ରି ଭିତରେ ଦାମିଆକୁ ହେଡ଼୍ ଡ୍ରାଇଭର କରିଦେଲେ । –କମ୍ବୁ ନିଶା ଖାଏ, ଜୁଆ ଖେଳେ-। ତା’ ଚରିତ୍ର ଖରାପ । –ସେ କୁଆଡ଼େ ଗାଡ଼ି ଚଳେଇ ଜାଣେନାହିଁ ।

 

କମ୍ବୁର ବ୍ରହ୍ମରେ ନିଆଁ ଲାଗିଗଲା । ସେ ସୁଧ ଘରୁ ଯାଇ ଅଫିସ୍‍ରେ ପହଞ୍ଚିଲା ତମତମ ହେଇ । ପାଟିକଲା । କାନ୍ଦିଲା । ହାତଗୋଡ଼ ଧରି ନେହୁରା ହେଲା । ଶେଷକୁ ଯାହା ମନ ତାହା ଶୋଧିଲା । ବେଇମାନ ଶଳା ଦାମିଆ, ଗଲା କୁଆଡ଼େ ସେ କୁକୁର ? ତାକୁ ପାଇଲେ ଏଇଠି ଖୁନ୍ କରିବି… । ସେ ନିଶ୍ଚେ କମ୍ବୁ ନାଁରେ ଖଚମିଛ କହି ସମସ୍ତଙ୍କୁ ବିଗାଡ଼ି ଦେଇଛି ।

 

‘...ବେ, ତୁ କ’ଣ ହେଡ଼୍ ଡ୍ରାଇଭର ? ବତା ତୋ ବୟସ କେତେ ! ତୁ ପରା ମୋ ସାନ ଭାଇଠୁ ଆହୁରି ସାନ ! ତୁ କେମିତି ମୋ ଉପରକୁ ଯିବୁ ? ତୁ ଖଡ଼ି ଛୁଇଁବାବେଳୁ ମୁଁ ଡ୍ରାଇଭର । ମୁଁ ଶାଲା, ଜନ୍ମରୁ ଡ୍ରାଇଭର । ତୁ କି ଜାଣୁ ଗାଡ଼ି କଥା ? କ’ଣ ନା, ମୁଁ ଗାଡ଼ି ଚଳେଇ ଜାଣେନାହିଁ ? ପଚାର ସେ ଗାଡ଼ିକୁ, ସେଇ କହିବ କିଏ କେମିତି ଚଳାଏ ।’

 

କିନ୍ତୁ ଦାମୋଦର ହୋତା ସେଦିନ ହେଡ଼୍ ଡ୍ରାଇଭର ହେଲା, ଯେଉଁଦିନ କମ୍ବୁ ତା’ ସ୍ତ୍ରୀର ଦଶା ଖଟିବାକୁ ଶୀତଳ ପଣା ଯୋଗାଡ଼ କରୁଥାଏ । ହଜାରେ ଛଟପଟ ହେଲେ କ’ଣ ହେବ? ସେଇ ତ’ ନିଜେ ଦାମିଆକୁ ଆଣି ଆସିଥିଲା ସରକାରୀ ଚାକିରିପାଇଁ । ସେତେବେଳକୁ କମ୍ବୁ ବାରବର୍ଷ ଗାଡ଼ି ଚଲେଇ ପୋଖତ ହେଇସାରିଥାଏ । ଦାମିଆକୁ ଜଙ୍ଘଉପରେ ବସେଇ ଗାଡ଼ି ଚଳା ଶିଖେଇଥାଏ । କେମିତି ବୋଝେଇ କାଠ ଟ୍ରକ୍‍କୁ ବାଟ ଛାଡ଼ିଦେବାକୁ ହୁଏ, କେମିତି ଆଗ ଗାଡ଼ିକୁ ଆଖିମାରି ଦେଇ ଟପି ଯିବାକୁ ହୁଏ । ପାଣି ସରିଗଲେ କ’ଣ ହୁଏ, ତେଲ ସରିଗଲେ କ’ଣ ହୁଏ–ଏ ସବୁ ମନ୍ତ୍ର ତାକୁ ଗୋଟି ଗୋଟି କରି ପଢ଼େଇ ସାରିଥାଏ । ଦୁହେଁ ପାଇଲେ ଚାକିରି । ଦାମିଆ କାଗଜପତ୍ର ଆଣି ଆସିଥିଲା, ସେଇଠି ସାଙ୍ଗେ ସାଙ୍ଗେ ସଇ କରିଦେଲା । କମ୍ବୁ ଘରକୁ ଯାଇ ଆସୁ ଆସୁ ସୋମବାର ହୋଇଗଲା । ଏତିକିରେ କ’ଣନା, ପ୍ରଳମ୍ୱ ଅଶୁଦ୍ଧ ହେଇଗଲା ! ଚାକିରିରେ ଥିବା କମ୍ବୁ ଦାମିଆଠୁ ପଛେଇ ଗଲା ଦୁଇଦିନ । ଏ ବେହିଆ ଅଫିସରଯାକ ଖାଲି ଅନେଇଲେ ସେ ତାରିଖଟାକୁ, କିଓ, କମ୍ବୁପାଣି ମିଶ୍ରର ବୟସ ତୁମକୁ ଦିଶୁନାହିଁ ? ନା ଗାଡ଼ି ଚଲେଇବା ତୁମକୁ ଦିଶୁନାହିଁ ? ପାଣିରେ ହଂସ ପହଁରିଲା ପରି ପରା ସେ ଗାଡ଼ି ଚଳାଏ !–ଶେଷକୁ କହିଲ କ’ଣନା ସେ ଗାଡ଼ି ଚଳେଇ ଜାଣେ ନାହିଁ !!

 

ରାଗ ଅଭିମାନରେ ଭାଙ୍ଗି ପଡ଼ୁଥାଏ କମ୍ବୁ । ତେବେ ଘୋସାରି ହେଇ କାମକୁ ନଗଲେ ନଚଳେ । ଯେଉଁ କାଳିଆ ଆମ୍ବାସାଡ଼ର ଗାଡ଼ିଟାକୁ ଭିତର ବାହାର ମାଜି, ଘଷି ଶାଳ ବନ୍ଧା ଘୋଡ଼ା ପରି ସେ ପାଳିପୋଷି ରଖିଥିଲା, ସେଇଟା ଏବେ ଘାଏଁକିନା ତା’ ଆଗ ଦେଇ ଚାଲିଯାଉଛି । ତାକୁ ଛୁଇଁ ଦେବାକୁ ତା’ର ଅଧିକାର ନାହିଁ । ଡିକିକ୍‌ର ହେଣ୍ଡଲ୍ ପୁଣି ଢିଲା ହେଇ ଝଣଝଣ ହେଲାଣି । ତାକୁ ଭିଡ଼ି ଦେଲେ ତୁନି ପଡ଼ିଯାନ୍ତା । ଦାମିଆକୁ ଶୁଭୁନାହିଁ । ସେ ଜାଣି ପାରୁନାହିଁ । ସେ ପରା କାଲିକା ଟୋକା ! ସେ କ’ଣ ବୁଝିବ ?

 

ଜିପ୍‌ଟା ଶିକାରୀ ଗାଡ଼ି । ମିଲିଟାରୀ ଗାଡ଼ି । ଖୁବ୍ ମାଡ଼ ସହିପାରେ । ହେଲେ ଜିନିଷଟା ଜାତିଆ ନୁହେଁ । ନିଃଶବ୍ଦ ଚିକ୍କଣ ରାସ୍ତାରେ ଝାଇଁ ଝାଇଁ ବିଜୁଳି ପରି ପାରେଇ ଯିବାକୁ ଏ ଶଗଡ଼ିଆ ଚଉଖୁଣ୍ଟିଆ ଥୋବଡ଼ା ଗାଡ଼ିର ‘ଯୁ’ ନାହିଁ । କମ୍ବୁ ଆଖିରେ ଜିପ୍‌ଟା ଗାଡ଼ି ଜାତିରେ ଧାପେ ଊଣା । ତଥାପି ଗାଡ଼ିମାତ୍ରେ ସେ ଭଲପାଏ । ଗ୍ୟାରେଜ୍‌ ପାଖକୁ ଦଶଦିନ ଧାଇଁ ଧାଇଁ, ତା’ ମାଲିକ ସାଙ୍ଗେ ଲାଗିଲାଗି ସେ ଶେଷକୁ ଧୁଆଧୋଇ କରି ଯେତେବେଳେ ସେ ସତାବନ ଏକାଅଶୀ ନମ୍ବର ଜିପ୍‌କୁ ଅଫିସ୍ ହତା ଭିତରକୁ ଗଡ଼ାଇ ଆଣିଲା, ଅଧେ ଲୋକ ତାକୁ ଚିହ୍ନିପାରିଲେ ନାହିଁ । ସମସ୍ତଙ୍କ ମୁହଁରେ, ଆଖିରେ ପ୍ରଶଂସା ! କମ୍ବୁ ହାତ ଦେଲେ ପରା ମଲା ଗାଡ଼ି ଜିଇଁଯିବ ! ତା’ ଚେହେରା ବାଗେଇ ଯିବ ।

 

କମ୍ବୁ କିଛି ନଶୁଣିଲା ପରି ମୁହଁ ଫଣଫଣ କରି ଉପରମହଲା ପାହାଚ ପାଖରେ କାନ୍ଥକୁ ଆଉଜି ବସି ରହିଲା । ଏ ଶୁଖିଲା ପ୍ରଶଂସା ତା’ର କ’ଣ ହେବ ? ସେ ଏମିତି ଢେର୍ ଶୁଣିଛି । ଏଗୁଡ଼ାକ ସବୁ ପାକୁଆ ଅସମର୍ଥ କିରାଣି, ନହେଲେ, ମଦୁଆ ଲାଞ୍ଚୁଆ ଅଫିସର । ଏମାନେ କ’ଣ ବୁଝନ୍ତି ? ସେ ଡାକି ଦେଲେ ତା’ ଗାଡ଼ି ‘ଓ’ କରିବ । ପଚାରିଲେ ଉତ୍ତର ଦେବ । ଅନ୍ଧାରରେ ସୁଦ୍ଧା ବୋଲ ମାନିବ । –ଏଇ ଯଥେଷ୍ଟ । ଗାଡ଼ି ବୁଝିବ ଯେ ସମଝଦାର ଡ୍ରାଇଭର ବସିଛି, ଯେ ତାକୁ ଭଲପାଏ । ତା’ର ସେତିକି ଲୋଡ଼ା । ସଞ୍ଜବେଳ ଦେଖି ନିଶାପାଣି ଟିକେ ମଧ୍ୟ ଲୋଡ଼ା । କମ୍ବୁ କିନ୍ତୁ ଏ ସବୁ ଶୁଖିଲା ପ୍ରଶଂସାକୁ ଖାତିର କରେନା !

 

ସେଦିନ ସଞ୍ଜବେଳେ କମ୍ବୁ ଜିପ୍‌କୁ ଗ୍ୟାରେଜ୍‌ରେ ଭର୍ତ୍ତି କରି ଖୁସି ମନେଇବାକୁ ସିଧା ଯାଇ ଖଟିରେ ହାବୁଡ଼ିଲା । ଫେରୁ ଫେରୁ ରାତି ଅନେକ । ଘରେ ଆଉ କିଏ ଅଛି କି ତାକୁ ଜଗିବାକୁ ?

 

ତା’ ଆରଦିନ ସାନବାବୁଙ୍କର ଷ୍ଟେନୋ କହିଲେ, “କମ୍ବୁ, ତୁମ ଜିପ୍ ଗସ୍ତରେ ଯାଇପାରିବ ତ ?” କମ୍ବୁ ରାଗରେ କମ୍ପିଗଲା; କିନ୍ତୁ ହସିଦେଇ ପଚାରିଲା, “କୋଉଠିକି ?”

 

–ମନେମନେ କହୁଥାଏ, ‘ଆକାଶକୁ ନା ପାତାଳକୁ ?’

 

“ରାୟଗଡ଼ା, ଗୁଣୁପୁର ହେଇ ଫେରିବ । ମୂଳରୁ ଶେଷ ଖାଲି ଘାଟ ରାସ୍ତା !”

 

କମ୍ବୁ ଅଳ୍ପକେ କଥା ଛିଣ୍ଡେଇ ଦେଲା, କହିଲା ‘‘ଯିବା !”

 

ଦୁଇଘଣ୍ଟା ଭିତରେ ତା’ର ପୁରୁଣାକାଳିଆ ଅଏଲ୍ କ୍ଲଥର ମୁଣାଟିକୁ ଡାହାଣ କଡ଼େ ରଖିଦେଇ କମ୍ବୁ ଜିପ୍ ଗାଡ଼ିର କାଠୁଆ ଆଠ ଅଙ୍କିଆ ସିଟ୍‌ରେ ବସିଗଲା । ସାନ ସାହେବ ବସିଲେ । ପଛରେ ଆଉ ଦୁଇଜଣ ଏଣୁତେଣୁ କିଏ । ସାହେବଙ୍କ ଦରପାଚିଲା ନିଶ, ସିଗ୍ରେଟ ଖିଆ କଲା ଓଠ-। ଡାଇରିରେ ହାତ ରଖି କହିଲେ, “ଚାଲ ।”

 

ଚାବି ଖଟ୍‌କିନା ମୋଡ଼ୁ ମୋଡ଼ୁ, ଗାଡ଼ି ଡାକିଲା–ଘାଏଁ । କମ୍ବୁ କାନେଇଲା ଜିପ୍‌ର ଖନ୍ ଖନ୍ ଡାକ । ଅନୁଭବ କଲା ଗାଡ଼ିର ଦୁରୁ ଦୁରୁ କମ୍ପ ! ତା’ ଆଖି ଆଗରେ ସ୍ଵପ୍ନ ପରି ଦିଶିଗଲା କଳା ଆମ୍ବାସାଡ଼ର । ପଦ୍ମପେଡ଼ି ଭିତରେ ଭଅଁର ଗୁଞ୍ଜରିଲାପରି ତା’ ଇଞ୍ଜିନ୍‌ର ଆବାଜ । ନରମ ସ୍ଥିର ଗଦି । କମ୍ବୁର ବୁକୁ ଭରି ନିଃଶ୍ଵାସଟିଏ ଆସ୍ତେ ତୋଳି ହୋଇଗଲାବେଳକୁ ସାହେବ କହିଲେ, “ଟିକେ ଶୀଘ୍ର ଯିବା, ତିନିଘଣ୍ଟା ଆଗରୁ ସାର୍ ବାହାରିଗଲେଣି । ଆମପାଇଁ ଯେମିତି ବେଶି ସମୟ ଅପେକ୍ଷା ନକରନ୍ତି ।” କମ୍ବୁର ଭୂରୁ ଟେକି ହେଇଗଲା । ସେ କିଛି କହିଲା ନାହିଁ… “ଓ ଏଇ କଥା । ଦାମିଆ ତାହାହେଲେ ତିନି ଘଣ୍ଟା ଆଗରୁ ଆମ୍ବାସାଡ଼ର ନେଇ ଯାଇଛି ? –ଆଚ୍ଛା, ଦେଖ୍‌ଲେଗା !”

 

ଜିପ୍ କୋଡ଼ିଏ ମିନିଟ୍‌ରେ ଖୋର୍ଦ୍ଧା ପାରି ହେଇଗଲା ।

 

ପଛରୁ ସାହିବକୁ ଶୁଣେଇଲା ପରି, କମ୍ବୁକୁ ସୁହାଇଲା ଭଳି, କିରାଣି କଣ୍ଠରୁ ଶୁଭୁଥାଏ, ‘କମ୍ବୁ ଭଳି ଡ୍ରାଇଭର, ସାର୍, ଏ ରାଜଧାନୀରେ ଆଉ କେହି ନାହିଁ !’

 

ସାଢ଼େ ଚାରିଟା ସମୟ ହେବ । ନିରୋଳା ଜଙ୍ଗଲୀ ରାସ୍ତା ସମସ୍ତେ ଢୋଳିଉଥାନ୍ତି । କମ୍ବୁ ସିଧା ରାସ୍ତା ଉପରେ ଦେଖିଦେଲାବେଳକୁ ଆଗରେ ଆମ୍ବାସାଡ଼ର ଗାଡ଼ି । ଦେଖିବାମାତ୍ରେ ସେ ଚିହ୍ନିଦେଲା । ଏ ଦାମିଆଟା ଡ୍ରାଇଭର ନାଁ ଶଗୁଡ଼ିଆ ? ତା’ ହାତରେ ଗାଡ଼ିଖଣ୍ଡ ଗେଣ୍ଡା ହେଇଗଲାଣି !

 

କମ୍ବୁ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ସେ ଦାବିଦେଲା ଗୋଡ଼ । ଜିପ୍ ଝଣଝଣେଇ ଗଲା । ଘୁମେଇବା ମଣିଷମାନେ ମଟମଟ ଚାହିଁଦେଇ ପୁଣି ଢୋଳେଇ ଗଲେ । ଗାଡ଼ିଖଣ୍ଡ ଉଡ଼ିଲା ପବନ ବେଗରେ । ରାସ୍ତାବି ସମତୁଲ, ସିଧା, ଅବାଧ ଆଉ ନିରୋଳା । କମ୍ବୁ ଏ ଚାନ୍‌ସ ଛାଡ଼ିବା ଲୋକ ନୁହେଁ । ହର୍ଣ୍ଣ ଟିପି ଦେଇ ସେ ଆଖି ପିଛୁଳାକେ ଆମ୍ବାସେଡ଼ରଟାକୁ ଟପି ଆଗେଇ ଗଲା । ଧୂଳିରେ ପୋତି ହେଇଗଲା ପରାସ୍ତ ଗାଡ଼ି ଆଉ ତା’ ଟୋକା ଡ୍ରାଇଭର ।

 

....ହୁଃ ! ଇଏ ଚଳେଇବ ମୋ ଆଗରେ ଗାଡ଼ି ! କମ୍ବୁର ତେଜ ତା’ପରେବି କମିଲା ନାହିଁ । ସେ ସେମିତି ଜୋରରେ ଜିପ୍‌ଟାକୁ ପ୍ରାୟ ଆଉ ଘଣ୍ଟାଏ ଚଳେଇଲା । ଯେତେବେଳେ ଅନେକ ସମୟ ଯାଏଁ ଦର୍ପଣରେ କୌଣସି ଗାଡ଼ିର ଚିହ୍ନ ଦିଶିଲା ନାହିଁ, କମ୍ବୁର ନାଡ଼ି ଶିରା ହୁଗୁଳିଲା-। ଆସ୍ତେ ନରମିଲା ତା’ ମୁଠା । ଘର ଦ୍ଵାର ଦଶିଲା । ଟାଉନ୍ ଆସିଗଲା ।

 

ଡାକବଙ୍ଗଳାକୁ ଘାଇଁକିନା ଗାଡ଼ି ବୁଲେଇଦେଇ ପାହାଚ ପାଖରେ ଛିପ୍‌କିନା ବ୍ରେକ୍ ଦାବି ଦେଲା କମ୍ବୁ । ସମସ୍ତେ ଆଗକୁ ଝୁଙ୍କି ପଡ଼ିଲେ । ସାହିବ ଘଣ୍ଟା ଦେଖିନେଲେ । ମୁହଁରେ ଦିଶି ନଦିଶିଲା ପରି ଟିକିଏ ହସ ।

 

କାହାକୁ କିଛି ନକହି କମ୍ବୁ ଗାଡ଼ିକୁ ଆଡ଼େଇ ନେଲା । ଟକମକ ଫୁଟୁଥିବା ଇଞ୍ଜିନ୍ ଉପରୁ ଢାଙ୍କୁଣି ଫିଟେଇ ଦେଲା । ଚାରିଆଡ଼େ ଘେରାଏ ବୁଲିଯାଇ ଗାଡ଼ିର ତନଖି କରିଦେଲା । ଏଠି ଟିକିଏ ସେଠି ଟିକିଏ ହାତ ମାରି ଥାପୁଡ଼େଇ ଦେଲା । ଜିଭ କାଢ଼ି ଧକଉଥିବା ଜିପ୍ ଗାଡ଼ି ଉଲୁସି ଉଠିଲା ।

 

ଷ୍ଟେନୋବାବୁ ଡାକ ପକାଇଲେ, ‘‘କମ୍ବୁ ଆସ ଚା’ ଖାଇବ !”

 

ପାଖକୁ ଆସିଲାରୁ ହସି ହସି କହିଲେ, ‘‘ଆଜି ଯାହା ତୁମେ ଗାଡ଼ି ଆଣିଲ ନା, ସେଇଟା ରେକର୍ଡ଼ ରହିଗଲା ! ଏଯାଏଁ ଡାଇରେକ୍ଟରଙ୍କ ଗାଡ଼ି ପହଞ୍ଚି ନାହିଁ । କୋଉଠି ପାରି ହେଇ ଆସିଲକି-?”

କମ୍ବୁ କାହିଁକି କ’ଣ କୁହନ୍ତା ? ଚା’ ନେଇ ଖୁଣ୍ଟକୁ ଆଉଜି ସୋଡ଼କିଲା । ମନେମନେ ଭାରି ଖୁସି । ଆଜି ଦାମିଆ ତା’ ଗୁରୁ ଚିହ୍ନିଚି । ଶଳା, ହେଡ଼୍ ଡ୍ରାଇଭର ନା ଆଉ କ’ଣ ବା । …ହେଲେ ଅନ୍ଧାର ହେଇ ଆସିଲାଣି କାହିଁକି ପହଞ୍ଚୁ ନାହିଁ ଆମ୍ବାସାଡ଼ର । ବାଟ ଭାଙ୍ଗି ଆଉ କୁଆଡ଼େ ଗଲାକି ? ନା ତ ଆଉତ କୁଆଡ଼େ ବାଟନାହିଁ । କ’ଣ ଗାଡ଼ି ଅସୁବିଧା ହେଲାକି ? କମ୍ବୁର ଭୂରୁ କୁଞ୍ଚେଇ ଗଲା । ସେ ଏପାଖ ସେପାଖ ଟହଲୁଥାଏ । ସମସ୍ତେ ଘଣ୍ଟା ଦେଖି ବାଟକୁ ଚାହୁଁଥାଆନ୍ତି । ଗାଡ଼ିର ଚିହ୍ନବର୍ଣ୍ଣ ନାହିଁ ।

ଦୂରରୁ ଗୋଟାଏ ମଟର ସାଇକେଲ ପାଖେଇ ଆସିଲା । ଜଣେ ପୋଲିସ୍‍ବାଲା । ଡାକବଙ୍ଗଳା ଭିତରକୁ ମାଡ଼ିଆସି ପଚାରିଲା, ‘‘ଡେପୁଟି ଡାଇରେକ୍ଟର୍ ଏଠି ଅଛନ୍ତି ?”

“ହଁ କ’ଣ ହେଲା ?”

“ଏଠୁ ଦଶ କିଲୋମିଟର ପାଖରେ ଡାଇରେକ୍ଟର୍‍ଙ୍କ ଆମ୍ବାସାଡ଼ର ଗାଡ଼ି ଆକ୍‌ସିଡ଼େଣ୍ଟ ହେଇଗଲା । ପଛରୁ ପୋଲିସ୍ ଗାଡ଼ି ଆସୁଥିଲା ବୋଲି ତାଙ୍କୁ ନେଇ ଆସିଲୁ । ଡ୍ରାଇଭର ଅବସ୍ଥା ସିରିଅସ୍ । ସେ ଡାକ୍ତରଖାନାରେ ଅଛି । ଡାଇରେକ୍ଟର୍ ମଧ୍ୟ ସେଇଠି ଅଛନ୍ତି । ତାଙ୍କର ସାମାନ୍ୟ ଟିକିଏ ଆଞ୍ଚୁଡ଼ି ହେଇଯାଇଛି–ସେ କିଛି ନୁହେଁ । ମୁଁ ଯାଏଁ । ତେଣେ ଡି. ଏସ୍. ପି, ମୋତେ ଅପେକ୍ଷା କରିଥିବେ ।

ଧଡ଼ ଧଡ଼ ହେଇ ମଟର ସାଇକେଲ ପାର ହେଇଯିବା ଯାଏଁ ସମସ୍ତେ ସେଇଆଡ଼େ ଚାହିଁ ରହିଥାନ୍ତି । ତା’ପରେ ଏକାସାଙ୍ଗେ ସମସ୍ତେ ପାହାଡ଼ ଓହ୍ଲେଇଗଲେ । କମ୍ବୁ ଗାଡ଼ି ପହଞ୍ଚେଇଦେଲା । ସମସ୍ତେ କ’ଣ ଗାଜୁମାଜୁ, ହେଉଥାନ୍ତି । କମ୍ବୁ କିନ୍ତୁ ଦେଖୁଥାଏ । ଏତେ ଯତ୍ନରେ ବଢ଼େଇଥିବା ଆମ୍ବାସାଡ଼ରକୁ, କେମିତି ସେଇଟା ଲେଉଟି ପଡ଼ିଛି ଏବଂ ମେଞ୍ଚାଟାଏ ହେଇ ଦାମିଆ କେମିତି ପଡ଼ି ରହିଚି, ଡାକିଲେ ଶୁଣୁ ନାହିଁ ।…ତାକୁ ସେ କୋଳରେ ବସେଇ ଗାଡ଼ି ଚଳେଇବା ଶିଖେଇଚି…କ’ଣ ହେଇଛି ଦାମିଆର ? ...ଦୁମ୍‍ଦୁମ୍ ସମସ୍ତେ ଡାକ୍ତରଖାନା ପିଣ୍ଡାକୁ ଚଢ଼ିଗଲେ । ଏଠିସେଠି ଲୋକ କ’ଣ ସବୁ କଥାହେଲେ । କମ୍ବୁ କିନ୍ତୁ ଗାଡ଼ି ପାଖେ ଠିଆ ହୋଇ ରହିଗଲା...ଶଳା ଦାମିଆ । ଟୋକା ବୋଧେ ଚାହୁଁଥିଲା ମୋତେ ଟପି ଚାଲି ଆସିବାକୁ । ଅଖଡ଼ରେ ପ୍ରାଣ ଉଡ଼େଇ ଦେଲା । ଏଥର ବୁଝିଲୁ, ହେଡ଼୍‌ଡ୍ରାଇଭର ହେଇଗଲେବି କମ୍ବୁ ତୋଠାରୁ ଚାଖେଣ୍ଡେ ଉପରେ, ହୁଁ ।

କିଏ ଜଣେ ଆସି କମ୍ବୁ ପାଖରେ ପହଞ୍ଚିଲା ଅନ୍ଧାରରେ । ‘‘ଇସ୍‌, ଦାମିଆ ଜଖମ ହେଇଯାଇଛି । ଘା ବେଶି ନୁହେଁ, ହେଲେ ରକ୍ତ ନିଗିଡ଼ିଯାଇଛି । ତା’ ଚେତା ବୁଡ଼ିଯାଇଛି । ଚଞ୍ଚଳ ରକ୍ତ ନ ଦେଲେ ଅବସ୍ଥା ସିରିଅସ୍ ।” –ଏତିକି କହିଦେଇ ସେ ପୁଣି ସେ ଅନ୍ଧାର ଭିତରକୁ ଚାଲିଗଲା-

କମ୍ବୁ ସେମିତି ଠିଆ ହୋଇଥାଏ । ବିଡ଼ିଟାକୁ ନ ପିଇ ତା’ ଅଗକୁ ଦାନ୍ତଉଥାଏ…ଦାମିଆର ଯେତେ ରକ୍ତ ଲୋଡ଼ା, ତା’ ସାହିବ ତାକୁ କିଣି ଦେଉ । ଦାମିଆ ପରା ହେଡ଼୍ ଡ୍ରାଇଭର । ସେ କ’ଣ ରକ୍ତ ନ ପାଇ ଏଠି ମରିବ ? …ସେ ଆଜି ହାରିଗଲା କମ୍ବୁ ପାଖରେ । ସେ କ’ଣ କେବେ ଜାଣିଥିଲା, ନା ଜାଣିବ ? ଜିଣିଯିବାକୁ ବାଜି ଲଗେଇ ଦେବାରୁ ଏ ଦୁର୍ଦ୍ଦଶା ଭୋଗିଲା ! –ଶଳା ଟୋକା ପାଇଗଲା ଚେଙ୍କେ !

 

“...ଦାମିଆର କୋଉଠି ଜଖମ ହେଇଛି ? ...କେମିତି ଜଖମ ହେଲା ? କେଡ଼େ ଘା ହାଣି ହେଇଗଲା ?” ଦାମିଆର ବିଭାଘରକୁ କମ୍ବୁ ଯାଇଛି । ଏବେ ଛଅମାସ ତଳେ ତା’ ପୁଅକୁ ଦେଖିବାକୁ ଯାଇଥିଲା । “କମ୍ବୁ ଆନ୍ନା । ତମେ ନ ଆସିଲେ, କେମିତି ହେବ ? ତମେ କିଏ ମୋ ଭାଇନା କିଏ ?”

 

କମ୍ବୁ ବିଡ଼ି ଫୋପାଡ଼ି ଦେଇ ପିଣ୍ଡାକୁ ଉଠିଗଲା !

 

କେହି ଜଣେ କହିଲା, “ଏ ରାତିରେ ଏଠି ଆଉ କ’ଣ ହେଇପାରିବ ? ତା’ ରକ୍ତ ଗ୍ରୁପ୍ ପରା ‘ଓ’ ବାହାରିଲା । ତା’ ଭାଗ୍ୟ ଖରାପ । ସେ ରକ୍ତ କ’ଣ ମିଳିବ ? ଆହା ବିଚାରା !!”

 

ଆଉ ଜଣେ କହିଲା, “ଆହେ ସେ ରକ୍ତ ବାବୁଠୁ ଭଲ କରି ବୁଝୁନ ସେ କୁଆଡ଼େ ତା’ ଘରେ ମଣିଷ ରକ୍ତ ଲୁଚେଇ ରଖିଥାଏ । ବେଳ ପଡ଼ିଲେ ଚଢ଼ା ଦରରେ ବିକେ । ନଉ ଯାହା ନେବ-। ବୋତଲ ଦେଇଦେଲେ ଏ ରାତିଟା ପାହିଯାନ୍ତା । ତେଣିକି ଯାହା ହେଲେ ବନ୍ଦ କରନ୍ତେ ।

 

ସେ ଛୋଟ ମେଳା ଭିତର ଡାଇରେକ୍ଟର୍ ସାହେବ, ଡେପୁଟି ସାହେବ ସମସ୍ତେ ମିଶି ଭାଳେଣି କରୁଥାନ୍ତି । ଲୋକ ନାଁ ଦଉଡ଼ କରୁଥାନ୍ତି । ରକ୍ତ ବାବୁ ବାରମ୍ବାର ଫେରେଇ ଦେଉଥାଏ ।

 

ବେଳ ଗଡ଼ି ଚାଲିଥାଏ ଟିକ୍ ଟିକ୍ । ଦାମିଆର ଚେତା ନାହିଁ ।

 

“...ନଥାଉ । କିଏ କ’ଣ ସେଥିପାଇଁ କରିପାରିବ ? ଜନ୍ମ ମରଣ କଥା କା ହାତରେ ଅଛି-? ଏଇଟା ତ ମଣିଷ ଆୟତ୍ତ ନୁହେଁ ।” କମ୍ବୁ ଅନାମ ! ଯଦି ସରକାରୀ କାମ ମିଳିଯାଏନା, ମୋତେ ଯାହା ମାଗିବୁ ଦେବି । …ଆରେ ଯା, ତୁ କ’ଣ ମୋତେ ଦବୁ ବା ? –ବକଟେନାକୁ ଟୋକା-! ତୁ କ’ଣ ଦବୁ ମୋତେ ଆଗ କହ !

 

‘...ଏମାନେ ମିଶି ତାକୁ ହେଡ଼୍ ଡ୍ରାଇଭର କରିଦେଲେ ନା ! ସେ କ’ଣ ନିଜେ ଚାହୁଁଥିଲା କି ? ସେ କ’ଣ ସେଇଦିନୁ କମ୍ବୁ ଆଗରେ ହେଲାଣି ? ସେମିତି ଲୁଚି ଲୁଚି ବୁଲୁଚି ନା ! ...ଦାମିଆ, ଶଳା ଛୋକାର ! –କାଇଁକି ଏମିତି ଗାଡ଼ି ଚଳେଇଲୁବେ ? ଏମିତି ଚଳେଇଲେ ମରିବୁ ନା ନାଇଁ ? ତୋ ପିଲା ମାଇପଙ୍କୁ କ’ଣ ଏ ଶଳେ ପୋଷିବେ ବୋଲି ଭାବିଛୁ ?’

 

…ଆଚ୍ଛା, କମ୍ବୁ କ’ଣ ବୋତଲେ ରକ୍ତ ନିଜେ ଦେଇପାରିବ ? ସେ ଜାଣେ ତା’ ରକ୍ତ ଗ୍ରୁପ୍ ‘ଓ’ । ଏ ଚାକିରି କରିବା ଆଗରୁ ସେ ପରୀକ୍ଷା କରି କାଗଜ ରଖିଛି । ସେଇ କେବଳ ଚାହିଁଲେ ଦାମିଆ ବଞ୍ଚିବ… ?

 

କିନ୍ତୁ କାହିଁକି ? କମ୍ବୁ କଥାତ କେହି ଭାବୁ ନାହିଁ । ଏଇ କେତେ ଦିନ ହେଲା ତା’ ଦେହ ଜମା ଭଲ ରହୁନି । ମାଇପ ଗଲାଦିନୁ ବଳ ଖସିଗଲା ପରି ଲାଗୁଛି । ବିନା କାରଣରେ ବୁକୁ ଧଡ଼ ଧଡ଼ ହେଉଛି ବୋତଲେ ରକ୍ତ କିଛି କମ୍ ନୁହେଁ । ସେତେକ ନିଗାଡ଼ି ଦେଲେ ସେ ନିଜେ ବଞ୍ଚିପାରିବତ ?

 

ଅନ୍ଧାର ଭିତରେ କିଏ ଜଣେ କହିଲା, ‘‘ଡାକ୍ତର ଆଶା ଛାଡ଼ି ଦେଉଛନ୍ତି । ଏଇ ଘଣ୍ଟାଏ ଭିତରେ ରକ୍ତ ନହେଲେ ଦାମିଆ ଆଉ ବଞ୍ଚିବ ନାହିଁ ।”

 

“ଡାଇରେକ୍ଟର୍ କହିଲେ ଫୋନ୍ କରି ବୁଝ ଏପାଖରେ କୋଉଠି ଯଦି ରକ୍ତ ଥାଏ !”

 

‘‘ପାଖ କହିଲେ ଏଠୁ ତିନି ଘଣ୍ଟାର ରାସ୍ତା ଯିବାକୁ ପଡ଼ିବ, ସେଥିରେ କ’ଣ ଲାଭ !”

 

…ଛମ୍ ଛମ୍ ଅନ୍ଧାର । କମ୍ବୁର କଲିଜା ଧଡ଼ ଧଡ଼ ହେଇ ତଣ୍ଟି ପାଖରେ ପିଟିହେଲା । ତା’ ଆଖି ଆଗରେ ଝିଲିମିଲି ଆଲୁଅ ଦିଶିଲା । ମୁଣ୍ଡ ବୁଲେଇଲା ପରି, ଅଇ ଟେକିଲା ପରି ଲାଗିଲା । ପାଦ ତଳିପା ଶର୍ ଶର୍ ଲାଗିଲା । ସେ କାହାକୁ କିଛି ନକହି ଆସ୍ତେ ପିଣ୍ଡାରୁ ତଳକୁ ଓହ୍ଲେଇଆସିଲା ତା’ ଗାଡ଼ି ପାଖକୁ ! –ତାକୁ ଶୁଭିଲା–କମ୍ବୁଆନ୍ନା । କାଲି ସକାଳୁ ମୋ ପିଲାକୁ ଟିକିଏ ଯାଇ କହିଦେବ ନାଇଁ ! କିଏ ଅଛି ଆଉ ତାଙ୍କପାଇଁ ?”

 

କମ୍ବୁ ବିଡ଼ି ଖଣ୍ଡିଏ ଲଗେଇଲା । ମନକୁ ଦୃଢ଼ କଲା । ଅଧା ବିଡ଼ିଟାକୁ ଗାଡ଼ି ଦେହରେ ଲିଭେଇ ଦେଇ ପହଁରିଲା ପରି ଚାଲିଲା ରକ୍ତ ବାବୁ ଘର ଆଡ଼କୁ । ସେଇଠୁ ସମସ୍ତେ ବାହୁଡ଼ିଥାନ୍ତି । ତା’ ବେଉସା ହେଇ ନଥିବାରୁ ସେ ତାତି କରିଥାଏ । କମ୍ବୁକୁ ଦେଖିଲାମାତ୍ରେ ଖିଙ୍କାରି ଉଠିଲା ‘‘ଯାଅ ବାବୁ ! ମୁଁ ପରା କହିଲି ମୋ ପାଖରେ କିଛି ମାଲ୍ ନାହିଁ । କାହିଁକି ବାରମ୍ବାର ବିରକ୍ତ କରୁଛ-?”

 

କମ୍ବୁ କିଛି ନକହି ସେମିତି ଠିଆ ହୋଇ ରହିଲା ଅନ୍ଧାରରେ ।

 

ଅଳ୍ପ ସମୟ ରହି କହିଲା ‘‘ଟିକିଏ ଶୁଣିବେ !” –ସ୍ଵରରେ କେମିତି ଗୋଟିଏ ମୁରବି ଢଙ୍ଗର ଗମ୍ଭୀରତା ।

 

ରକ୍ତ ବାବୁ ଥମିଗଲା । ଟିକେ କୁନ୍ଥେଇଲା । ଚୌକିରୁ ଉଠି ଦୁଆରମୁହଁ ଅନ୍ଧାରରେ ଆସି ଅପେକ୍ଷା କଲା ବିରକ୍ତରେ, କିଛି ଭୟରେ ଏବଂ ସମ୍ଭ୍ରମରେ ।

 

“ବୋତଲେ ‘ଓ’ ଗ୍ରୁପ୍ ରକ୍ତ ତୁମର ଦରକାର ନା ?” ଶୁଭିଲା ଅନ୍ଧାରରୁ–

 

“ଏଁ ?” ସେ ହୁଏତ ବୁଝିପାରିଲା ନାହିଁ, କିମ୍ବା ବିଶ୍ୱାସ କରିପାରିଲା ନାହିଁ ।

 

‘‘ମୋ ରକ୍ତର ଗ୍ରୁପ୍ ହେଉଛି ‘ଓ’ । ମୋ ଦେହରୁ ବୋତଲେ ରକ୍ତ କାଢ଼ିନଅ !”

 

ଖପ୍‌କିନା କମ୍ବୁ ହାତ ଧରି ସେ ଟାଣିନେଲା ଭିତରକୁ । ସେଇଠି କମ୍ବୁର ଆଖିକୁ ଚାହିଁ ପଚାରିଲା, ‘‘କେମିତି ଜାଣିଲ ତୁମର ‘ଓ’ ଗ୍ରୁପ୍ ବୋଲି ?”

 

କମ୍ବୁ ନୀରବରେ ବୁକୁ ପକେଟରୁ କାଗଜ ପେନ୍ଥା କାଢ଼ିଲା । ସେଇଠି ତା’ର ଲାଇସେନ୍‌ସ୍, ତା’ର ନାନା ଜାତି କାଗଜ । ତା’ ଭିତରୁ ଗୋଟିଏ ପୁରୁଣା କାଗଜ କାଢ଼ି ବତେଇଦେଲା । ପନ୍ଦରବର୍ଷ ତଳେ ଡାକ୍ତର ତା’ର ରକ୍ତ ପରୀକ୍ଷା କରି ଲେଖି ଦେଇଛି । ରକ୍ତ ବାବୁ ଆଖି ତରାଟି ସେ କାଗଜରୁ ପଢ଼ିଲା । ଓଠ ଚାପି କହିଲା, “ଦେଖ, ଏଥିପାଇଁ ତୁମକୁ ପଚାଶ ଟଙ୍କାରୁ ଅଧିକ ଦେଇପାରିବି ନାହିଁ ।’’

 

କମ୍ବୁ ଅଳ୍ପ ହସିଲା । ସେ ଶୁଣିଛି ପିଣ୍ଡାରେ ଲୋକେ କଥା ହେଉଥିଲେ ରକ୍ତ ବାବୁକୁ ବୋତଲେ ରକ୍ତପାଇଁ ପାଞ୍ଚଶହ ଟଙ୍କା ଯାଚି ସାରିଲେଣି ।

 

“ମୋର ଟଙ୍କା କ’ଣ ହେବ । ମୁଁ ଟଙ୍କା ନେବି ନାହିଁ ।”

 

ଧୋବ ଧୋବ ଦାନ୍ତ କାଢ଼ି ରକ୍ତ ବାବୁ ନୀରବରେ ହସିଲା–ଏମିତି ଲୋକ କାହିଁ ଏ ସଂସାରେ ?

 

କମ୍ବୁକୁ ଶୁଆଇ ଦେଇ କ’ଣ ସବୁ ପରୀକ୍ଷା କରି ପକେଇଲା । କମ୍ବୁପାଣି ମିଶ୍ର ଜିଅନ୍ତା ମାଛଟିଏ । ଆଉ ଜଣେ ମିଛି କମ୍ବୁକୁ କ’ଣ ବନ୍ଧା ଛନ୍ଦା କଲେ । ତା’ପରେ ଗୋଟାଏ ଛୁଞ୍ଚି ତା’ ଶିରା ଭିତରେ ପୂରାଇ ଦିଆଗଲା ।

 

କମ୍ବୁକୁ ଲାଗିଲା ଯେ ଗୋଟାଏ କଳା ରବର ନଳୀ ବାଟେ ଭୋକିଲା ଟାଙ୍କି ଭିତରକୁ ଛଳଛଳ ପେଟ୍ରୋଲ ନିଗିଡ଼ି ଯାଉଛି । ସେ ଇଞ୍ଜିନ୍‌ର ଜୀବନ, ସେଇ ଦାମିଆର ଜୀବନ । …ତା’ର ମନେ ପଡ଼ିଲା ତା’ର ବୋଉ କଥା, ତା’ ପିଲାଦିନ କଥା–ବିଭାଘରର ସୁଖ ଦୁଃଖ । ଦାମିଆର ଭାଇନା ବିଶିଆ ତା’ର ସାଙ୍ଗ । ସେ ମରିଗଲା; ତା’ ସ୍ତ୍ରୀ ମରିଗଲା । ଆଜି ଦାମିଆ ପଡ଼ିଛି ମରିବାକୁ-। କେବଳ କମ୍ବୁ ବଞ୍ଚୁଛି, ବାଣ୍ଟି ଦେଉଚି ତା’ର ରକ୍ତ !

 

ଛୁଞ୍ଚି ବାହାରିଲାବେଳକୁ ତାକୁ ଚାଉଁକିନା ଲାଗିଲା । ଆଖି ଉପରକୁ କେମିତି ଅନ୍ଧାରଟେ ମାଡ଼ି ଆସିଲା ପରି ଲାଗିଲା । ବୁକୁ ଦୁର୍ବଳ ଲାଗିଲା । ସେ ଦାନ୍ତ ଜାପି ଏସବୁ କୁହୁଡ଼ିକୁ ଠେଲିବାକୁ ଲାଗିଲା । ତା’ ହାତ ପାଦ ଥରିଲା । ଓଠ ଥରିଲା । ଜିଭ ଭିଡ଼ିନେଲା ଭିତରକୁ । ସେ ଚାହିଁଲା କଥା କହିବାକୁ, ପାରିଲା ନାହିଁ । ଆଖି ବୁଜି ଦେବାକୁ ମନ ହେଉଥାଏ । ସେ ତୋଳି ରଖିଥାଏ ତା’ ଭ୍ରୂଲତା । ଥରେ ବୁଜିଦେଲେ ଆଉ ଫିଟିବ ନାହିଁ ବୋଲି ତା’ର ଶଙ୍କା ।

 

କଅଁଳା ପିଲାଟିଏ ପରି ଉଷୁମ ବୋତଲଟାକୁ ତଉଲିଆ ଘୋଡ଼େଇ ଆର ଘରକୁ ନେଇଗଲା ସେ ରକ୍ତ ବାବୁ । ଆରଜଣକ ଛୁଞ୍ଚି ଫୋଡ଼ା ସ୍ଥାନରେ ତୁଳା ମଡ଼େଇ ଧରିଲା । ଗ୍ଲାସ୍‍ରେ ପାଣି ସାଙ୍ଗକୁ କ’ଣ ଟିକିଏ ମିଶେଇ ତା’ ପାଟି ଭିତରେ ଇଡ଼ି ଦେଲା । କମ୍ବୁ ପକ୍କା ମଦୁଆ । ଗନ୍ଧରୁ ବାରିଦେଲା ବ୍ରାଣ୍ଡି । ପିଉ ପିଉ ତାକୁ ସତେଜ ଲାଗିଲା । ହାତଗୋଡ଼ ଆଉ ଫଡ଼ ଫଡ଼ ହେଲା ନାହିଁ-। ଆଖିପତା ଘୋଡ଼େଇ ହେଲା ନାହିଁ । ଆର ଘରେ ମଣିଷଙ୍କ ପାଟିତୁଣ୍ଡ । ବେଗି ବେଗି ଧାଁ ଦଉଡ଼ ଶବ୍ଦ ।

 

କିଛି ସମୟ ପରେ ରକ୍ତ ବାବୁ ଫେରି ଆସିଲା I ହସି ହସି କମ୍ବୁର ହାତ ଧରି ପଚାରିଲା, ‘‘କେମିତି ଲାଗୁଛି ? ରକ୍ତ ନଳୀ ସେଇଠି ଲଗାଇ ଦେଇ ଆସିଲି, ଏଣିକି କିଛି ଚିନ୍ତା ନାହିଁ ।”

 

ଡାକ୍ତରଖାନା ଆଗରେ ଡାଇରେକ୍ଟର୍ ଗଡ଼ ଜୟ କଲା ଢଙ୍ଗରେ କହିଲେ, “ବାସ୍, ଏଣିକି ଆଉ କିଛି ଚିନ୍ତା ନାହିଁ । ଚାଲ, ଡାକବଙ୍ଗଳାକୁ ଏଥର ଯିବା । ଡାକ ସେ କମ୍ବୁଆକୁ ।”

 

“କମ୍ବୁ !! ...ସେ ଏଠି ନାହିଁ ସାର୍ ! କୁଆଡ଼େ ବୋଧେ ଖସି ଗଲାଣି !”

 

‘‘ସେଇଆ ପରା, ସେଇଟା ସେମିତି ଠାପୁଆଟାଏ । ଚାଲ ମୁଁ ଚଳେଇ ଦେବି । ସେ ଆସୁ ଚାଲି ଚାଲି । ମଦୁଆ କାହାଁକା । କାଲି ତାକୁ ମୁଁ ସସ୍‌ପେଣ୍ଡ୍ କରୁଛି ରହିଥା ।” –ସମସ୍ତେ ଛକ୍‍କିନା ତୁନି ପଡ଼ିଗଲେ ।

 

ଲୁହା ଖଟି ଉପରୁ କମ୍ବୁ ଚିହ୍ନିଲା ଗାଡ଼ିର ଆବାଜ୍ । ଜାଣିଲା ଡାଇରେକ୍ଟର୍ ନିଜେ ଚଳଉଛି । ଏମିତି ଢକଢ଼କ ଗିଅର୍ ବଦଲାଇବା କଞ୍ଚା ହାତ ଆଉ କାହାରି ନାହିଁ । କିନ୍ତୁ ଉପାୟ କ’ଣ ? ସେଇଠୁ ଉଠିବା ତା’ ଆୟତ୍ତ ବାହାରେ । ଦାମିଆଟା ତ ଅଚେତ ହେଇ ପଡ଼ିଛି; ନହେଲେ ସେ ବା ଚଳେଇ ନେଇଥାନ୍ତା ।

 

କମ୍ବୁଆର କପାଳରୁ ଟୋପା ଟୋପା ଝାଳ ନିଗିଡ଼ି ଗଲା । ତା’ ନାଡ଼ି ଦେଖି ରକ୍ତବାବୁର ଭୂରୁ କୁଞ୍ଚେଇ ଗଲା । ସେ ଘାବରେଇଲା ପରି କହିଲା, ‘‘କେମିତି ଲାଗୁଛି ? ...ଆଖି ବୁଜି ଶୋଇଯାଅ ।”

 

କମ୍ବୁଆ ସାମାନ୍ୟ ଦାନ୍ତ ନିକୁଟେଇ ହସିଲା । ଶୋଇଯିବାରେ ତା’ର ଆପତ୍ତି ନାହିଁ; କିନ୍ତୁ ଶୋଇଗଲେ ସେ ପୁଣି ଉଠିବ ତ ? କିଏ ବୁଝିବ ତା’ କଥା ? –ଦାମିଆ ନାଁ ଡାଇରେକ୍ଟର୍ ?

Image